Updated on 18 December 2024
ବୈଷ୍ଣବ ଚରଣ ସାମଲ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଡିସେମ୍ବର ୧୮ ତାରିଖ ଦିନ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୟନ ହୋଇଥିବା ୨୧ଟି ବିଭିନ୍ନ ଭାଷାର ଲେଖକଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ତାଙ୍କର ପ୍ରବନ୍ଧ-ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ଚଳିତ ବର୍ଷର ଏହି ପୁରସ୍କାର ପାଇବେ। ଓଡ଼ିଆ ବିଭାଗର ପୁରସ୍କାର ମନୋନୟନ ପାଇଁ ଦେବଦାସ ଛୋଟରାୟ, ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ପାରମିତା ଶତପଥୀଙ୍କୁ ନେଇ ଗଠନ କରାଯାଇଥିବା ଏକ ତିନିଜଣିଆ ବିଚାରକ ମଣ୍ଡଳୀର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ପୁରସ୍କାର ପାଇଥିବା ବିଷୟ ଜାଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ପ୍ରଫେସର ସାମଲ କହିଛନ୍ତି, “୮୭ ବର୍ଷର ବୁଢ଼ା ହେବାପରେ ଏହି ପୁରସ୍କାର ପାଇଲି। ଆଜି ଏହା ଘୋଷିତ ହେବା ପରେ ଶୁଭେଚ୍ଛୁମାନଙ୍କଠାରୁ ପ୍ରାୟ ୫୦୦ ଫୋନ୍ ପାଇଲିଣି। ପାଠକମାନଙ୍କର ଏହି ଭଲପାଇବା ମୋତେ ଅଭିଭୂତ କରିଛି।” ୧୯୩୭ ମସିହାରେ ଜନ୍ମିତ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ନିଜର ଅଜସ୍ର ରଚନାବଳୀରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରାୟ ୧୩୦ଟି ପୁସ୍ତକ ପ୍ରକାଶିତ।ତାଙ୍କର ସମାଲୋଚନାତ୍ମକ ପ୍ରବନ୍ଧଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକାମାନଙ୍କରେ ପ୍ରକାଶ ପାଇ ବିଶେଷ ଭାବରେ ଆଦୃତ ହୋଇଛି। ଏବର ପରିଣତ ବୟସରେ ମଧ୍ୟ ସେ ବେଶ୍ ରଚନାପ୍ରବଣ ଅଛନ୍ତି। ପ୍ରଫେସର ସାମଲ ୧୯୬୬ ମସିହାରେ ବାଲେଶ୍ବରର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଚାକିରୀ ଜୀବନ ଆରମ୍ଭ କରିଥିଲେ ଏବଂ ତତ୍ପରେ ବିଭିନ୍ନ ବିଶିଷ୍ଟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଦୀର୍ଘ ୩୮ ବର୍ଷ କାଳ ଅଧ୍ୟାପନା କରିବାପରେ ୨୦୦୪ ମସିହାରେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଥିଲେ। ‘ଓଡ଼ିଆ ଗଳ୍ପ: ଗତି ଓ ପ୍ରକୃତି’, ‘ଓଡ଼ିଆ କାବ୍ୟ କବିତାର ଧରା ଓ ଧାରା’, ‘ଓଡ଼ିଆ ସାହିତ୍ୟର ଇତିହାସ’ ତାଙ୍କର ବହୁଚର୍ଚ୍ଚିତ ସୃଷ୍ଟି ଗୁଡିକ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ‘ଏକା ଏକା ନକ୍ଷତ୍ର’ ଓ ‘ଶେଷ ଶୃଙ୍ଗାର’ ନାମରେ ତାଙ୍କର ଦୁଇଟି ଗଳ୍ପ ସଂକଳନ ଓ କେତୋଟି କବିତା ସଂକଳନ ମଧ୍ୟ ପ୍ରକାଶିତ। ସେ ୨୦୦୯ ମସିହାରେ ନିଜର ପୁସ୍ତକ ‘ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି’ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ।
(ପ୍ରକାଶିତ: ୧୮ ଡିସେମ୍ବର, ୨୦୨୪)
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟିଲେ ବିଷ୍ଣୁପଦ ସେଠୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଆଇ.ଏ.ଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହି ବିଭାଗଗୁଡ଼ିକ ବ୍ୟତୀତ ସେ ସାମାଜିକ ନିରାପତ୍ତା, ଶାରୀରିକ ଅକ୍ଷମ ତଥା ଅନୁସୂଚିତ ଜାତି ଓ ଜନଜାତିର ବିକାଶ ଆଦି ବିଭାଗର ଦାୟିତ୍ଵରେ ମଧ୍ୟ ଥିଲେ। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଡିସେମ୍ବର ୧୭ ତାରିଖ ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ଶ୍ରୀ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗକୁ ସ୍ଥାନାନ୍ତରିତ କରାଯାଉଛି। ତାଙ୍କ ସ୍ଥାନରେ ଦିଲ୍ଲୀ ଡେପୁଟେସନ୍ରୁ ଫେରିଥିବା ୧୯୯୭ ବ୍ୟାଚ୍ର ଆଇ.ଏ.ଏସ୍ ଅଧିକାରୀ ସଂଜୀବ କୁମାର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରକାଶଥାଉ କି କିଛିଦିନ ତଳେ ସି.ବି.ଆଇ ସଂସ୍ଥା ରାଜଧାନୀର ଏକ ଦାମୀ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ କରିବା ପରେ ଏହି ମାମଲାରେ ଅନ୍ୟମାନଙ୍କ ସହ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ସ୍ଥାନାନ୍ତରଣର ପଦକ୍ଷେପ ନିଆଯାଇଛି।
(ପ୍ରକାଶିତ: ୧୭ ଡିସେମ୍ବର, ୨୦୨୪)
ଅନୁବାଦ ହେଉଛି ବିଫଳତାମୟ ଏକ ସାଧନା – ମନୁ ଦାଶ
ବାଙ୍ଗାଲୋରର କ୍ରାଏଷ୍ଟ ବିଶ୍ବବିଦ୍ୟାଳୟର କଳା ଓ ମାନବିକତା ଅଧ୍ୟୟନ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୬ ତାରିଖ ଦିନ ସୁପରିଚିତ ଓଡ଼ିଆ କବି ଓ ପ୍ରକାଶକ ମନୁ ଦାଶଙ୍କୁ ନେଇ କବିତା, ଅନୁବାଦ, ପୁସ୍ତକ ପ୍ରକାଶନ ଓ ସମ୍ପାଦନା ସମ୍ପର୍କରେ ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ଉପରେ ଉପସ୍ଥାପକ ପ୍ରଫେସର ବିଦ୍ୟୁତ ଭୂଷଣ ଜେନାଙ୍କ ସହିତ ପ୍ରଶ୍ନୋତ୍ତର କ୍ରମରେ ତା’ଙ୍କୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ମଧ୍ୟରୁ ଗୋଟିଏ ଥିଲା ଯେ ନିଜର କେଉଁ ଅନୁବାଦଟି ତାଙ୍କ ପାଇଁ ସର୍ବାଧିକ କଷ୍ଟକର ଥିଲା? ଏହାର ଉତ୍ତରରେ ସେ କହିଥିଲେ ଯେ ରୋଗର୍ ରବିନ୍ସନ୍ଙ୍କ ‘ପୋର୍ଟେବଲ୍ ପାରାଡାଇଜ୍’ ନାମକ ଏକ କବିତାର ଅନୁବାଦ କରିବାପାଇଁ ତାଙ୍କୁ ସବୁଠାରୁ ବଡ଼ ଚାଲେଞ୍ଜ୍ ର ସାମନା କରିବାକୁ ପଡ଼ିଥିଲା, କାରଣ ସେ ଏହାର ସମକକ୍ଷ ଓଡ଼ିଆ ଶବ୍ଦ ପାଇବାରେ ବିଫଳ ହୋଇଥିଲେ। ସେତେବେଳେ ତାଙ୍କର ମନେ ହୋଇଥିଲା ଯେ ଅନୁବାଦ ହେଉଛି ବିଫଳତାମୟ ଏକ ସାଧନା। ଓଡ଼ିଆ କାବ୍ୟ କବିତା ପ୍ରସଙ୍ଗରେ ସେ କହିଲେ ଯେ ଭାରତର ସବୁଠାରୁ ବଡ଼ କବି ହେଉଛନ୍ତି ଉପେନ୍ଦ୍ର ଭଞ୍ଜ ଯାହାଙ୍କର ସମକକ୍ଷ ଆଉ କେହି ହୋଇପାରିବେ ନାହିଁ। ତାଙ୍କର ଗୋଟିଏ ପାଦର ଏପରିକି ୬୪ଟି ପର୍ଯ୍ୟନ୍ତ ଅର୍ଥ ବାହାରେ। ତାଙ୍କୁ ଅନୁବାଦ ବା କିପରି କରିହେବ? ସଭାରେ ଅନ୍ୟ ଏକ ପ୍ରଶ୍ନ ଥିଲା, “କବିତା ଆପଣଙ୍କ ମନକୁ କେମିତି ଆସେ?” ଏହାର ଉତ୍ତରରେ ମନୁ ଦାଶ କହିଥିଲେ ଯେ ହେଲିପ୍ୟାଡ୍ ନ ଥିଲେ ଯେମିତି ହେଲିକପ୍ଟର୍ ଲ୍ୟାଣ୍ଡିଂ କରିପାରିବନାହିଁ, ସେହିଭଳି ଏକ ଉପଯୁକ୍ତ ମନୋସ୍ଥିତି ନ ଥିଲେ କବିତାଟିଏ ମନରେ ଜାଗରିତ ହୋଇଥିଲେ ମଧ୍ୟ କବିତାର ରୂପ ନେଇପାରିବ ନାହିଁ।
ଏହି ଅଧିବେଶନଟି ପ୍ରଫେସର ଜନ୍ କେନେଡ଼ିଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା ଏବଂ ପ୍ରଫେସର କିଶୋର ସ୍ବାଗତ ଭାଷଣ ଦେଇଥିଲେ। ଏହି ସଭାରେ ବାଙ୍ଗାଲୋରର ଅନେକ ସାହିତ୍ୟପ୍ରେମୀ ତଥା ସେଠାକାର କ୍ରାଏଷ୍ଟ ବିଶ୍ବବିଦ୍ୟାଳୟର ଛାତ୍ର ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ।
(ପ୍ରକାଶିତ: ୧୭ ଡିସେମ୍ବର, ୨୦୨୪)
ଓଡ଼ିଶାର ଦୁଇଟି ପ୍ରମୁଖ ପ୍ରକାଶନ ସଂସ୍ଥାର ମିଶ୍ରଣ
ଭୁବନେଶ୍ବରର ସୁବିଦିତ ପ୍ରକାଶନ ସଂସ୍ଥା ‘ବି. କେ. ପବ୍ଲିକେସନ୍ସ’ ସହିତ କଟକର ବିଶିଷ୍ଟ ପ୍ରକାଶନ ପ୍ରତିଷ୍ଠାନ ‘ଭାରତ ଭାରତୀ’ର ମିଶ୍ରଣ ପାଇଁ ରାଜିନାମା ହୋଇଯିବା ପରେ ଓଡ଼ିଶାର ପ୍ରକାଶନ ଶିଳ୍ପରେ ଏକ ପରିବର୍ତ୍ତନର ପଥ ପ୍ରସ୍ତୁତ ହୋଇଛି। ପ୍ରକାଶ ଯୋଗ୍ୟ ଯେ ‘ଭାରତ ଭାରତୀ’ ଓ ଏହାର ସହଯୋଗୀ ସଂସ୍ଥା, ବ୍ରହ୍ମପୁରର ‘ସନ୍ତୋଷ ପ୍ରକାଶନୀ’ ପକ୍ଷରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶିତ ହୋଇଛି। ଭବିଷ୍ୟତରେ ଏ ସବୁର ମୁଦ୍ରଣ ଓ ବିପଣନର ଦାୟିତ୍ବ ବି. କେ. ପବ୍ଲିକେସନ୍ସ ବହନ କରିବ।
ପ୍ରକାଶନ ସଂସ୍ଥା ବି. କେ. ପବ୍ଲିକେସନ୍ସର ନିଜସ୍ବ ପ୍ରକାଶିତ ପୁସ୍ତକର ସଂଖ୍ୟା ୭୪୦ରୁ ଅଧିକ। ଏହି ସଂସ୍ଥା ବିଭିନ୍ନ ଓଡ଼ିଆ ବହି ବ୍ୟତୀତ ଦେଶ ଓ ବିଦେଶର ଅନେକ ଇଂରାଜୀ ବହିର ପ୍ରକାଶନ ଓ ବିକ୍ରୟ ଅଧିକାର ମଧ୍ୟ ହାସଲ କରିଛି। ଓଡ଼ିଆ ଭାଷାର ଅନ୍ୟତମ ମହାନ୍ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ସମସ୍ତ ଉପନ୍ୟାସ ଏବେ ବଜାରରେ ଉପଲବ୍ଧ ହେଉନଥିବା ଦୃଷ୍ଟିରୁ ଏହି ସଂସ୍ଥା ସ୍ୱର୍ଗତ ମହାନ୍ତିଙ୍କ ପରିବାର ସହିତ ଏହାର ପ୍ରକାଶନ ପାଇଁ ଚୁକ୍ତିନାମା କରି ତାଙ୍କର ୫୬ଗୋଟି ଉପନ୍ୟାସର ପୁନଃପ୍ରକାଶ ପାଇଁ ବ୍ୟବସ୍ଥା କରିଛି, ଏବଂ ଏଥିମଧ୍ୟରୁ ଅନେକ ପ୍ରକାଶିତ ମଧ୍ୟ ହୋଇସାରିଲାଣି ବୋଲି ବି.କେ. ପବ୍ଲିକେସନ୍ସର ପ୍ରତିଷ୍ଠାତା ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏବେ ଦୁଇଟି ପ୍ରମୁଖ ପ୍ରକାଶନ ସଂସ୍ଥାର ମିଶ୍ରଣ ଫଳରେ ଓଡ଼ିଶାର ପ୍ରକାଶନ ଶିଳ୍ପର ପରିଦୃଶ୍ୟରେ ନୂତନ ବିକାଶର ସମ୍ଭାବନା ସୃଷ୍ଟି ହୋଇଛି।
(ପ୍ରକାଶିତ: ୧୩ ଡିସେମ୍ବର, ୨୦୨୪)
ଭାଷା ମାଧ୍ୟମରେ ଏକତା ଆମ ଅନ୍ତରାତ୍ମାର ଆହ୍ବାନ ହେଉ: ମୁଖ୍ୟମନ୍ତ୍ରୀ
ତାମିଲ ଭାଷାର ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ଜୟନ୍ତୀକୁ ‘ଭାରତୀୟ ଭାଷା ଦିବସ’ ଭାବରେ ପାଳନ କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଦୃଷ୍ଟିରୁ ଭୁବନେଶ୍ବରର ଲୋକସେବା ଭବନରେ ଡିସେମ୍ବର ୧୧ ତାରିଖ ଦିନ ଏକ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ମହାକବି ସୁବ୍ରମଣ୍ୟମ ଭାରତୀ ନିଜର ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଉପରେ ଗୁରୁତ୍ବ ଆରୋପ କରୁଥିଲେ। ଏହି କାର୍ଯ୍ୟକ୍ରମର ଥିମ୍ ‘ଭାଷା ମାଧ୍ୟମରେ ଏକତା’ ଉପରେ ଆଲୋକପାତ କରି ସେ କହିଲେ ଯେ ଭାଷାଗତ ବିବିଧତା ଆମର ଏକ ଶକ୍ତି; ଏବଂ ଭାଷା ମାଧ୍ୟମରେ ଏକତା ସ୍ଥାପନ ଆମ ଅନ୍ତରାତ୍ମାର ଆହ୍ବାନ ହେବା ଜରୁରୀ। ସେ ମଧ୍ୟ କହିଲେ ଯେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବରେ ନିଜର ସ୍ୱତନ୍ତ୍ରତା ଅର୍ଜନ କରିପାରିଛି। କିନ୍ତୁ ଆଜିକାଲି ନିଜର ପିଲାମାନଙ୍କୁ ‘ସ୍ମାର୍ଟ’ କରିବା ପାଇଁ ପିତାମାତାମାନେ ସେମାନଙ୍କୁ ଇଂରାଜୀ ମାଧ୍ୟମରେ ଭାବ ବିନିମୟ ପାଇଁ ପ୍ରବର୍ତ୍ତାଇବା ଏକ ଫ୍ୟାସନ୍ରେ ପରିଣତ ହୋଇଯାଇଛି। ଇଂରାଜୀରେ ତ ସେମାନେ ସ୍ମାର୍ଟ ହୋଇଯାଉଛନ୍ତି, କିନ୍ତୁ ଓଡ଼ିଆରେ ଗୋଟିଏ ଶବ୍ଦ ଲେଖିବାକୁ କହିଲେ ସେମାନେ ଲେଖିପାରିବେ ନାହିଁ। ଆମେ ଇଂରାଜୀ ଭାଷାରେ ପାଠ ପଢ଼ିବାରେ ମନା ନାହିଁ, କିନ୍ତୁ ତାହା ସହିତ ଆମର ମାତୃଭାଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ ବୋଲି ସେ ନିବେଦନ କରିଥିଲେ।
ଏହି ଅବସରରେ ନିଜର ବକ୍ତବ୍ୟ ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ କହିଲେ ଯେ ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ଆମର ସଂସ୍କୃତି, ଆମ ଐତିହ୍ୟ ଓ ଆମର ଚିନ୍ତାଧାରାକୁ ମଧ୍ୟ ପ୍ରତିଫଳିତ କରେ। ସଭାର ଶେଷରେ ବିଭାଗୀୟ ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନେକ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
(ପ୍ରକାଶିତ: ୧୧ ଡିସେମ୍ବର, ୨୦୨୪)
ବ୍ରହ୍ମପୁରସ୍ଥିତ ତ୍ରିଧାରା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ
ବ୍ରହ୍ମପୁରର ସୁବିଦିତ ସାହିତ୍ୟ ଅନୁଷ୍ଠାନ ତ୍ରିଧାରା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗର ସମ୍ମିଳନୀ କକ୍ଷରେ ଡିସେମ୍ବର ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଭରତ ପତି ମହାବିଦ୍ୟାଳୟ ସାମନ୍ତିୟାପଲ୍ଲୀ, ଗଞ୍ଜାମର ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଓଡ଼ିଆ ପ୍ରଧ୍ୟାପକ ଡ. ରମେଶ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି କବିତା ପାଠୋତ୍ସବକୁ ଆରମ୍ଭ କରିଥିଲେ। ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ଼ର ଗୃହବିଜ୍ଞାନ ଅଧ୍ୟାପିକା ଡ. ମଞ୍ଜୁପ୍ରଭା ଦାସ, ଓଡ଼ିଆ ଅଧ୍ୟାପକ ଲୋକନାଥ ନାୟକ ଏବଂ ତ୍ରିଧାରା ସାହିତ୍ୟ ସଂସଦର ସହ-ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। ସଂସଦର ସମ୍ପାଦକ ଡ. ଲକ୍ଷ୍ମୀ ନାରାୟଣ ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ସହ ମଞ୍ଚ ସଞ୍ଚାଳନ କରିଥିଲେ। ଏହି ବହୁଭାଷୀ କବିତା ପାଠୋତ୍ସବରେ ୬୦ରୁ ଉର୍ଦ୍ଧ୍ବ କବି, କବୟିତ୍ରୀ କବିତା ପାଠକରିଥିଲେ।
ଦ୍ବିତୀୟ ଅଧିବେଶନରେ ଆଲୋଚନା ଚକ୍ର, ପୁସ୍ତକ ଓ ପତ୍ରିକା ଉନ୍ମୋଚନ ଏବଂ ପ୍ରତିଭା ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଡ଼. ସଞ୍ଜୟ କୁମାର ପଣ୍ଡାଙ୍କ କବିତା ସଙ୍କଳନ ‘ଭିନ୍ନ ଏକ ଭାବହଂସନୀ’, ଗାୟତ୍ରୀ ପାଣିଗ୍ରାହୀଙ୍କ ଉପନ୍ୟାସ ‘ଉଁଆସ ଜହ୍ନ’, ବଂଶୀଧର ସେଠୀଙ୍କ କବିତା ସଙ୍କଳନ ‘ପ୍ରୀତି ସମ୍ବେଧିନୀ’ ଓ ସଂସଦର ମୁଖପତ୍ର ‘ଭାରତୀ’ ର ଶୁଭ ଉନ୍ମୋଚନ ହୋଇଥିଲା। ଏଥିରେ ସଂସଦର ସଭାପତି ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତିତ୍ବ କରିଥିବାବେଳେ, ଦକ୍ଷିଣାଞ୍ଚଳ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ଅତିଥି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଶିଷ୍ଟ ଅତିଥି, ନୀଳଚକ୍ର ସାହିତ୍ୟ ସଂସଦ, ବୌଦ୍ଧର ପ୍ରତିଷ୍ଠାତା ସଭାପତି ଡ଼. ସଞ୍ଜୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ନିଜର ମତପ୍ରକାଶ କରିଥିଲେ। କବି ଓ କବିତାର ଧର୍ମ , ଉଦେଶ୍ୟ, ଓଡ଼ିଆ ଭାଷା, ଓ ପୁସ୍ତକ ରଚନା ସମ୍ପର୍କରେ ସେମାନେ ବିଶଦ ଆଲୋଚନା କରିଥିଲେ। ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ୨୦୨୪ ବର୍ଷ ପାଇଁ ପ୍ରଫେସର ପୃର୍ଣ୍ନଚନ୍ଦ୍ର ମିଶ୍ର ଙ୍କୁ ବାବା ବୈଦ୍ୟନାଥ ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ଅଧ୍ୟକ୍ଷ ଏବଂ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ାର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ଇଂ. ରଜନୀକାନ୍ତ ପଣ୍ଡା ସ୍ମୃତି ସମ୍ମାନ, ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କୁ ପଦ୍ମଶ୍ରୀ ଭଗବାନ ସାହୁ ସ୍ମୃତି ସମ୍ମାନ, ସରୋଜିନୀ ସାହୁଙ୍କୁ ଭାରତୀ ସ୍ମୃତି ସମ୍ମାନ, ଦିଲ୍ଲିପ କୁମାର ମିଶ୍ର ଏବଂ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ତ୍ରିଧାରା ସାରସ୍ବତ ସମ୍ମାନ ଏବଂ ଲକ୍ଷ୍ମୀକାନ୍ତ ପାତ୍ରଙ୍କୁ ତ୍ରିଧାରା ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା।
(ପ୍ରକାଶିତ: ୯ ଡିସେମ୍ବର, ୨୦୨୪)
ଅନଲାଇନ୍ ଅନୂଦିତ କବିତା କାର୍ଯ୍ୟକ୍ରମରେ ଯୋଗଦେଲେ ୬ଟି ରାଜ୍ୟର ୨୦ ଯୁବକବି
ଭାରତୀୟ ଅନୁବାଦ ସାହିତ୍ୟ ଅନୁଷ୍ଠାନ ତରଫରୁ ଡିସେମ୍ବର ୮ ତାରିଖ ସନ୍ଧ୍ୟାରେ ଅନଲାଇନ୍ ମାଧ୍ୟମରେ ୬ଟି ରାଜ୍ୟର ୨୦ ଜଣ ଯୁବକବି ଓ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ଏହି କାର୍ଯ୍ୟକ୍ରମରେ କାଶ୍ମୀର, ନାଗାଲାଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ଆସାମ, ପଞ୍ଜାବରୁ ଯୁବଲେଖକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାରତୀୟ ଲେଖକ ଡ. ଜ୍ଞାନେଶ୍ୱର ମୁଳେ ଯୋଗଦେଇ କହିଥିଲେ ଯେ କଳ୍ପନାରୁ ବାସ୍ତବତା ଆଡ଼କୁ କବି ହିଁ ନେଇପାରେ ଏବଂ କବିତାର ରଂଗ- ବେରଙ୍ଗ ବିଭିନ୍ନ ସୁନ୍ଦର ଫୁଲକୁ ନେଇ ଗଢ଼ାଯାଉଥିବା ଫୁଲତୋଡ଼ା ହେଉଛି ଅନୁବାଦ ସାହିତ୍ୟ।
କାର୍ଯ୍ୟକ୍ରମ ଆରମ୍ଭରରେ ମରାଠୀ ଭାଷାର ଲେଖିକା ଡ. ମନୀଷା ଆନନ୍ଦ ପାଟିଲ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଅନୂଦିତ କାବ୍ୟପାଠର ସଂଯୋଜନା କରିଥିଲେ ଆସାମର କବି ବନ୍ଦିତା ମୁଦିଆର ଠାକୁରୀୟା ତଥା ଓଡିଶାର ଜୟଶ୍ରୀ ଦୋରା। ‘ଭାରତୀୟ ଅନୁବାଦ ସାହିତ୍ୟ’ ତରଫରୁ ଅନୁବାଦ ପାଇଁ ଯୁବ ଅନୁବାଦକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ଏବଂ ବିଭିନ୍ନ ଭାଷାର ଅନୁବାଦ ପୁସ୍ତକ ପ୍ରକାଶନ ଦିଗରେ ନିରନ୍ତର ପ୍ରୟାସ କରାଯାଉଛି ବୋଲି ୨୮ ତମ ଅନଲାଇନ୍ ଆଲୋଚନାଚକ୍ରରେ ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଥିଲେ। ଯୁବ ମରାଠୀ ଅନୁବାଦକ ଅକ୍ଷୟ ଭୋସଲେ କହିଥିଲେ ଯେ, ଅନଲାଇନ୍ କାର୍ଯ୍ୟକ୍ରମ ବ୍ୟତୀତ ଭାରତର ବିଭିନ୍ନ ରାଜ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ କ୍ରମାନ୍ୱୟରେ କରାଯିବ। ସେ ମଧ୍ୟ କହିଲେ ଯେ ଯୁବ ଅନୁବାଦକମାନଙ୍କ ଯୋଗଦାନ ଅତି ଉତ୍ସାହଜନକ। ଓଡ଼ିଆ କବି ତଥା ଅନୁବାଦକ ସନାତନ ମହାକୁଡ଼ ଧନ୍ଯବାଦ ଅର୍ପଣ କରିଥିଲେ।
(ପ୍ରକାଶିତ: ୮ ଡିସେମ୍ବର, ୨୦୨୪)
ଏକ ନୂଆ ପରିପାଟୀ ସହ ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା
ନୂଆ ସାଜସଜ୍ଜା ଓ ଏକ ନୂଆ ପରିଚୟ ସହ ଭୁବନେଶ୍ବରରର ପ୍ରଦର୍ଶନୀ ପଡ଼ିଆରେ ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଛି ଷଷ୍ଠ ରାଜ୍ୟ ପୁସ୍ତକ ମେଳା। ଏ ବର୍ଷ ଏଥିରେ ପ୍ରାୟ ୨୦୦ ଜଣ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଥିବା ବେଳେ ଓଡ଼ିଶା ବାହାରୁ ଆସିଥିବା ପ୍ରକାଶକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏଥର ଅଣପୁସ୍ତକ ଷ୍ଟଲ୍ ଖୋଲିବାକୁ ଅନୁମତି ଦିଆଯାଇନଥିବାରୁ ଏଥର ମେଳାରେ ଓଡ଼ିଆ ବହିମାନଙ୍କର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପୁସ୍ତକ ମେଳାଟି ୬ ତାରିଖ ସନ୍ଧ୍ୟା ୬ଟା ସମୟରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ବାରା ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ଥିଲେ ହେଁ ସେ କିମ୍ବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଅନ୍ୟ ଅତିଥିମାନେ ସଭାସ୍ଥଳରେ ପହଞ୍ଚିପାରିନଥିବାରୁ ସନ୍ଧ୍ୟା ୮ଟା ୩୦ମିନିଟ୍ ସୁଦ୍ଧା ମଧ୍ୟ ସଭାକାର୍ଯ୍ୟ ଆରମ୍ଭ ହୋଇନଥିଲା। ଅନ୍ୟତମ ଅତିଥି, ବର୍ଷୀୟାନ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯଥା ସମୟରେ ଆସିଥିଲେ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ ସଭା ଆରମ୍ଭ ହେବାର ଅପେକ୍ଷାରେ ବସିରହିଥିଲେ। ପରେ ଏକାମ୍ର ବିଧାୟକ ବାବୁ ସିଂ ସେଠାରେ ପହଞ୍ଚି ବହିମେଳାଟିକୁ ଉଦ୍ଘାଟନ କରିଥିଲେ।
ପ୍ରଥମଥର ପାଇଁ ଏହି ପୁସ୍ତକମେଳାର ମୁଖ୍ୟ ପ୍ରବେଶଦ୍ଵାରର ଉଭୟ ପଟେ ଥିବା ପ୍ରାଚୀରପଟରେ ପ୍ରଦର୍ଶିତ ହୋଇଛି ଅନେକ ପ୍ରଥିତଯଶା ଓଡ଼ିଆ କବି ଓ ଲେଖକଙ୍କର ସୁରମ୍ୟ ପ୍ରତିକୃତି, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଗୋପୀନାଥ ମହାନ୍ତି, ଗୋପାଳ ଛୋଟରାୟ, ମାୟାଧର ମାନସିଂହ, ସଚ୍ଚି ରାଉତରାୟ, ସୁରେନ୍ଦ୍ର ମହାନ୍ତି ଓ ବୈଷ୍ଣବ ପାଣି ପ୍ରଭୃତି କାଳଜୟୀ ସ୍ରଷ୍ଟା। ମେଳାରେ ପ୍ରବେଶ କରିବା ପରେ ସର୍ବ ପ୍ରଥମେ ଦୃଷ୍ଟିରେ ପଡ଼େ ପୁରୀ ଜଗନ୍ନାଥ ମନ୍ଦିରର ମଣ୍ଡପ ଯେଉଁଠାରେ ଶ୍ରୀମନ୍ଦିର ଦ୍ବାରା ପ୍ରକାଶିତ ପୁସ୍ତକଗୁଡ଼ିକ ଉପଲବ୍ଧ ହେବା ସହିତ ମନ୍ଦିରର ବାନା, ଦୟଣା, ତୁଳସୀ ଓ ଶୁଖିଲା ଭୋଗ ଆଦି ମଧ୍ୟ ବିନା ମୁଲ୍ୟରେ ବିତରଣ ହେଉଛି। ଏହା ପାର୍ଶ୍ବରେ ଡ. ହରେକୃଷ୍ଣ ମହତାବ, ଧଉଳି ଶାନ୍ତିସ୍ତୂପ ଓ ବିର୍ସା ମୁଣ୍ଡାଙ୍କୁ ସମର୍ପିତ ତିନୋଟି ମଣ୍ଡପ ଅଛି। ମେଳାର ସମ୍ପୂର୍ଣ୍ଣ ପରିସର, ତଥା ପ୍ରତ୍ୟେକଟି ଷ୍ଟଲ୍ ପଟ୍ଟଚିତ୍ର ଶୈଳୀରେ ଅଙ୍କିତ ଓଡ଼ିଶୀ ଲଳନାଙ୍କ ଚିତ୍ର ଦ୍ବାରା ରୁଚିପୂର୍ଣ୍ଣ ଭାବରେ ସଜାଯାଇଛି। ଏହି ମେଳାରେ ପ୍ରାୟ ୪୦୦ ଟି ଷ୍ଟଲ୍ ସ୍ଥାପିତ ହୋଇଥିବାବେଳେ ଅନେକ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏକାଧିକ ଷ୍ଟଲ୍ ନେଇଥିବାର ଦେଖାଯାଇଥିଲା। କଟକର ‘ଏ କେ. ମିଶ୍ର ଏଜେନ୍ସି’ ସର୍ବାଧିକ ଅର୍ଥାତ୍ ୧୬ଟି ଷ୍ଟଲ୍ ନେଇଛନ୍ତି। ପ୍ରଥମ ଥର ପାଇଁ ମଧ୍ୟ ମେଳାସ୍ଥଳରେ ଏକ ‘ଫୁଡ୍ କୋର୍ଟ’ ସ୍ଥାପନ କରାଯାଇ ନାନାଦି ଖାଦ୍ୟ ଓ ବ୍ୟଞ୍ଜନ ପରିବେଷଣ କରିବାର ବ୍ଯବସ୍ଥା ହୋଇଛି; ଏଥିରେ ସହରର ନାମୀ ହୋଟେଲ୍ ସଂସ୍ଥା ସ୍ବସ୍ତି ଗ୍ରାଣ୍ଡ, ଓ.ଟି.ଡି.ସି, ଓ ମେ’ଫେଆର୍ ପ୍ରଭୃତି ନିଜର ଷ୍ଟଲ୍ ଖୋଲିଛନ୍ତି।
ସମଗ୍ର ପ୍ରଦର୍ଶନୀ ସ୍ଥଳରେ ‘ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ କି’ ଲେଖାଥିବା ପୋଷାକ ପିନ୍ଧା ବହୁ ସଂଖ୍ୟକ ସ୍ବେଚ୍ଛାସେବକଙ୍କୂ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁମାନେ ଆଗନ୍ତୁକ ମାନଙ୍କୁ ସହାୟତା କରିବା ପାଇଁ ତତ୍ପର ଥିଲେ। ବୟୋବୃଦ୍ଧ ଓ ଶାରୀରିକ ଭାବରେ ଅକ୍ଷମ ବ୍ୟକ୍ତିମାନଙ୍କ ବ୍ୟବହାର ପାଇଁ ହୁଇଲ୍-ଚେଆର୍ର ବ୍ୟବସ୍ଥା କରାଯାଇଛି। ମେଳାର ପ୍ରଥମ ଦିବସରେ ବିଶେଷ ଜନଗହଳି ପରିଲକ୍ଷିତ ହୋଇ ନ ଥିଲେ ହେଁ, ପରବର୍ତ୍ତୀ ଦିବସଗୁଡ଼ିକରେ ଏହା ବୃଦ୍ଧିପାଇବାର ସମ୍ଭାବନା ରହିଛି।
(ପ୍ରକାଶିତ: ୬ ଡିସେମ୍ବର, ୨୦୨୪)
ବର୍ଷୀୟାନ ସାହିତ୍ୟିକା ଶକୁନ୍ତଳା ଦେବୀଙ୍କ ମହାପ୍ରୟାଣ
ବର୍ଷୀୟାନ କବୟିତ୍ରୀ ଓ ଲେଖିକା ଶକୁନ୍ତଳା ଦେବୀ ଡ଼ିସେମ୍ବର ୩ ତାରିଖ ପୂର୍ବାହ୍ନରେ ତାଙ୍କର କଟକସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ରୋଗଶଯ୍ୟାରେ ଥିଲେ।
ଶକୁନ୍ତଳା ଦେବୀଙ୍କୁ ୧୯୮୯ ମସିହାରେ ତାଙ୍କର କବିତା ସଂକଳନ ‘ଅନନ୍ତ ଶୟନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅନ୍ୟ ସୁବିଦିତ ପୁସ୍ତକ ମାନଙ୍କ ମଧ୍ୟରେ ‘ଅବିଚ୍ଛିନ୍ନ ମନ’ (କବିତା), ‘ଭିଜା ଗୟସ’ (କବିତା),’ଉପସଂହାର’ (ଉପନ୍ୟାସ) ଓ ‘ଚୈତ୍ର ଅବିନାଶୀ’ (ଗଳ୍ପ ସଂକଳନ) ପାଠକାଦୃତି ଲାଭ କରିଥିଲା। ଗୋଟିଏ ସମୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ନିଜର ରଚନା ସମ୍ଭାର ଦ୍ବାରା ସେ ଓଡ଼ିଆ କବିତା ଜଗତକୁ ଚମତ୍କୃତ କରି ଆସିଥିଲେ। ୧୯୯୨ ମସିହାରେ ସେ ଦୈନିକ ସମ୍ବାଦପତ୍ର ‘ସମାଜ’ ସହିତ ଏକ ସାକ୍ଷାତକାରରେ କହିଥିଲେ, “ମୋ’ର ତୃପ୍ତି କୌଣସି ପୁରସ୍କାର ବା ପ୍ରତିଷ୍ଠା ଲାଳସାରେ ନାହିଁ, ବରଂ ପାଠକଙ୍କ ଅଭିମତ ଓ ଶ୍ରଦ୍ଧା ହିଁ ମୋ’ର ତୃପ୍ତି।” ଅନେକ ନାରୀକବିମାନଙ୍କ ମଧ୍ୟରେ ସେ ଥିଲେ ଜଣେ ଅନନ୍ୟ ଏକକ। ତାଙ୍କର ବିୟୋଗରେ ଓଡ଼ିଶାର ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି।
(ପ୍ରକାଶିତ: ୩ ଡିସେମ୍ବର, ୨୦୨୪)
ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମେଳା: ଷ୍ଟଲ୍ ଆବଣ୍ଟନ ବିବାଦର ସମାଧାନ
ଆସନ୍ତା ଡିସେମ୍ବର ୬ ତାରିଖରୁ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ତେବେ ନିକଟରେ ଭୁବନେଶ୍ବରର କେତେକ ଅଗ୍ରଣୀ ପ୍ରକାଶକଙ୍କୁ ନେଇ ଗଠିତ ସଂଗଠନ ‘ଓଡ଼ିଆ ପ୍ରକାଶକ ସଂଘ’ ସରକାରଙ୍କ ଷ୍ଟଲ୍ ଆବଣ୍ଟନ ନୀତିର ପ୍ରତିବାଦ କରି ଏହି ମେଳାରେ ଭାଗ ନେବେନାହିଁ ବୋଲି ଘୋଷଣା କରିବା ଫଳରେ ଏଥିନେଇ ଅନିଶ୍ଚିତତା ଦେଖାଦେଇଥିଲା। କିନ୍ତୁ ଡ଼ିସେମ୍ବର ୨ ତାରିଖ ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆଠାରେ ସଂପୃକ୍ତ ପ୍ରକାଶକଗଣ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ସଂଯୁକ୍ତ ସଚିବ ଦେବପ୍ରସାଦ ଦାଶଙ୍କ ମଧ୍ୟରେ ଆପୋଷ ଆଲୋଚନା ହୋଇ ଏହାର ସମାଧାନ ହୋଇଯାଇଥିବା ଜଣା ପଡ଼ିଛି। ଏହି ଆଲୋଚନା ବେଳେ ସେଠାରେ କଟକ ସହରର କେତେଜଣ ବିଶିଷ୍ଟ ପ୍ରକାଶକ ମଧ୍ୟ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି, ପୂର୍ବ ସରକାର ଅମଳରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତି ବର୍ଷ ଏହି ବହିମେଳା ଆୟୋଜିତ ହେଉଥିଲେ ହେଁ ଏହାର ଦେଖାଶୁଣା ଦାୟିତ୍ବ ‘ରାଜଧାନୀ ପୁସ୍ତକ ମେଳା’ ଓ ଏହାର ଅନ୍ୟ ଦୁଇ ସହଯୋଗୀ ଅନୁଷ୍ଠାନ ଉପରେ ନ୍ୟସ୍ତ କରାଯାଉଥିଲା। ଏ ବର୍ଷ ମଧ୍ୟ ରାଜ୍ୟ ସରକାର ଅକ୍ଟୋବର ୮ ତାରିଖ ଦିନ ‘ରାଜଧାନୀ ପୁସ୍ତକ ମେଳା’କୁ ଏକ ଚିଠି ଲେଖି ସେମାନଙ୍କୁ ଏହି ମେଳାର ଆୟୋଜନର ଦାୟିତ୍ବ ନ୍ୟସ୍ତ କରିଥିଲେ। ଏହି ସଂସ୍ଥା ତଥା ଏହାର ସହଯୋଗୀ ସଂସ୍ଥାମାନେ ଦେଶର ବିଭିନ୍ନ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କ ସହିତ ଯୋଗାଯୋଗ କରି ପ୍ରାୟ ୩୫୦ଟି ଷ୍ଟଲ୍ ବୁକ୍ କରାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିଜେ ଏହି ଦାୟିତ୍ବ ହାତକୁ ନେଇ ସିଧାସଳଖ ଭାବରେ ଏହାର ପରିଚାଳନା କରିବାକୁ ନିଷ୍ପତ୍ତି ନେଲେ; ଏବଂ ନଭେମ୍ବର ୮ ତାରିଖ ଦିନ ‘ରାଜଧାନୀ ପୁସ୍ତକ ମେଳା’କୁ ଏହି ମେଳାର ଆୟୋଜନ ତଦାରଖ କରିବା ପାଇଁ ପୂର୍ବରୁ ଦେଇଥିବା ଚିଠି ପ୍ରତ୍ୟାହାର କରିନେଲେ। ଫଳରେ, ଏହି ମେଳାର ଆୟୋଜନ ପ୍ରକ୍ରିୟାରେ ୩୦ ଦିନର ମୂଲ୍ୟବାନ ସମୟ ବ୍ୟାହତ ହେଲା ଏବଂ ଯେଉଁ ପ୍ରକାଶକମାନେ ‘ରାଜଧାନୀ ପୁସ୍ତକ ମେଳା’ ଜରିଆରେ ଷ୍ଟଲ୍ ବୁକ୍ କରିଥିଲେ, ସେମାନେ ବୁକିଂ ବାବଦ ଅର୍ଥ ଫେରାଇନେଲେ। ଏହାପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସମ୍ବାଦପତ୍ରମାନଙ୍କରେ ଏକ ବିଜ୍ଞାପନ ପ୍ରକାଶ କରି ଷ୍ଟଲ୍ ଆବଣ୍ଟନ ପାଇଁ ନିଜେ ଦରଖାସ୍ତ ଗ୍ରହଣ କରିବା ଆରମ୍ଭ କଲେ। କିନ୍ତୁ ଏହି ମେଳାରେ ଲଟେରୀ ମାଧ୍ୟମରେ ଷ୍ଟଲ୍ ଆବଣ୍ଟନ କରାଯିବ, ନା ପ୍ରକାଶକମାନଙ୍କ ଆବଶ୍ୟକତାକୁ ଦେଖି ଷ୍ଟଲ୍ ଆବଣ୍ଟିତ ହେବ, ସେଥିନେଇ କଟକର କିଛି ପୁରାତନ ପ୍ରକାଶକ ଓ ଭୁବନେଶ୍ବରର କିଛି ଅଗ୍ରଣୀ ପ୍ରକାଶକମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଥିଲା। କିନ୍ତୁ ଏବେ ଡିସେମ୍ବର ୨ ତାରିଖ ଦିନ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଯାଇଥିବାରୁ, ଆଉ ଚାରିଦିନ ମଧ୍ୟରେ, ଅର୍ଥାତ୍ ଡ଼ିସେମ୍ବର ୬ ତାରିଖ ସୁଦ୍ଧା ଏହାର ଆୟୋଜନର ସମସ୍ତ ବ୍ୟବସ୍ଥା ପୂର୍ଣ୍ଣ କରିବା ପାଇଁ ତରବରିଆ ଭାବରେ ଉଦ୍ୟମ ଚାଲିଛି।
ଏ ବର୍ଷ ଏହି ପ୍ରଦର୍ଶନୀରେ ପ୍ରାୟ ୪୦୦ଟି ଷ୍ଟଲ୍ ଆବଣ୍ଟିତ ହେବ ବୋଲି ଜଣାପଡ଼ିଛି, ଯେତେବେଳେ କି ଗତ ବର୍ଷ ୬୮୦ଟି ଷ୍ଟଲ୍ ଖୋଲା ଯାଇଥିଲା। ଚଳିତ ବର୍ଷ ମଧ୍ୟ ପୂର୍ବ ଭଳି ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରକାଶନ ସଂସ୍ଥାମାନେ ଭାଗ ନେବେ। ତେବେ କେତେକ ପ୍ରକାଶକ ଜଣ ପିଛା ୧୦ରୁ ୨୦ଟି ପର୍ଯ୍ୟନ୍ତ ଷ୍ଟଲ୍ ନେବାପାଇଁ ଆବେଦନ କରୁଥିବାରୁ, ବହିମେଳାରେ ଭାଗ ନେବାକୁ ଥିବା ପ୍ରକାଶକ ଓ ବିକ୍ରେତାଙ୍କ ସଂଖ୍ୟା କମ୍ ରହିବ ବୋଲି ଅନୁମାନ କରାଯାଏ। ତା’ଛଡ଼ା ଏହି ବର୍ଷ କେବଳ ବହିକୁ ଛାଡ଼ି ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆବେଦନକର୍ତ୍ତାମାନଙ୍କୁ ଷ୍ଟଲ୍ ଦିଆଯିବନାହିଁ ବୋଲି ନିଷ୍ପତ୍ତି ହୋଇଥିବାରୁ ଖେଳନା, ମ୍ୟାଜିକ୍ ଉପକରଣ, କୋଚିଂ ସଂସ୍ଥା ଓ ବ୍ୟାଙ୍କ ଇତ୍ୟାଦି ଏଥିରେ ଭାଗ ନେବେ ନାହିଁ। ଏ ଦୃଷ୍ଟିରୁ ଏଥର ମେଳାରେ ଭିଡ଼ ଟିକିଏ କମ୍ ରହିବାର ସମ୍ଭାବନା ଅଛି।
(ପ୍ରକାଶିତ: ୨ ଡିସେମ୍ବର, ୨୦୨୪)
ଭୁବନେଶ୍ବରରେ ଆୟୋଜିତ ହେଲା ତିନିଦିନିଆ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ
ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ‘ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ’ ନଭେମ୍ବର ୨୯ ତାରିଖ ଦିନ ଭୁବନେଶ୍ବରର ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗାରରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଅଧିବେଶନର ପ୍ରାରମ୍ଭରେ କବି ତଥା ଧଭଳି ରିଭ୍ୟୁ ଟ୍ରଷ୍ଟର ପ୍ରତିଷ୍ଠାତା ମନୁ ଦାଶ ସମସ୍ତଙ୍କୁ ସ୍ବାଗତ କରି ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଲେଖକ ସତ୍ୟ ମହାନ୍ତି ନିଜର ଅଭିଭାଷଣରେ ମାନବୀୟ ଭାବ ବିନିମୟରେ ଶବ୍ଦମାନଙ୍କର ମହତ୍ବ ବିଷୟରେ ସୂଚାଇଥିଲେ। ସ୍ବନାମଧନ୍ୟ କବି ଏମ୍. କେ ଅଜୟ କହିଲେ ଯେ ଆଜିର ଧୃବୀକୃତ ବିଶ୍ବରେ ପ୍ରେମ ଓ ବିଷର୍ଣ୍ଣତା ଭଳି ସଂବେଦନା ଗୁଡ଼ିକୁ ସାହିତ୍ୟ ଜରିଆରେ ପରିପ୍ରକାଶ କରିବାର ଅଧିକ ପ୍ରୟୋଜନୀୟତା ରହିଛି। ଗୋଆରୁ ଆସିଥିବା ସୁବିଖ୍ୟାତ ଲେଖକ ଦାମୋଦର ମୌଜ କହିଲେ ଯେ ବିଭିନ୍ନ ଭାଷାମାନଙ୍କ ମଧ୍ୟରେ ଥିବା ଭାଷାଗତ ବିବିଧତାକୁ ଯଥାଯୋଗ୍ୟ ସମ୍ମାନ ଦିଆଯିବା ଉଚିତ। ପେଙ୍ଗୁଇନ୍ ରାଣ୍ଡମ ପ୍ରକାଶନ ସଂସ୍ଥାର ସମ୍ପାଦନା ବିଶେଷଜ୍ଞା ମୁଟୁଷି ମୁଖାର୍ଜୀ ନିକଟରେ ପ୍ରକାଶ ପାଇଥିବା ପୁସ୍ତକ ‘ଦି ବିଗ୍ ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍’ର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।
ଏହି ଅବସରରେ ବର୍ଷିୟାନ୍ ଓଡ଼ିଆ ଲେଖିବା ବନଜ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତର ଦେଇ ସେ ନିଜ ସାହିତ୍ୟିକ ଯାତ୍ରାର ସମ୍ୟକ ଅବତାରଣା କରିଥିଲେ। ଏହି ସଭାରେ ‘ବିଗ୍ ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍’, ‘ଅନପଲିଟିକାଲି କରେକ୍ଟ’, ‘ମୂଗୟା’, ଓ ‘ଲୁନାର ଏକ୍ଲିପ୍ସ୍’ ନାମକ ଚାରିଗୋଟି ବହିର ଲୋକାର୍ପଣ ମଧ୍ୟ ହୋଇଥିଲା।
ଏହି ତିନିଦିନିଆ ସମାରୋହର ଅନ୍ୟ ଅଧିବେଶନଗୁଡ଼ିକରେ ସାହିତ୍ୟ, କଳା ଓ ସଂସ୍କୃତି ସହିତ ସଂପୃକ୍ତ ବିବିଧ ବିଷୟ ଉପରେ ବିଚାର ଆଲୋଚନା ହେବ। ଚତୁର୍ଥ ଦିବସରେ କବି ଓ ଲେଖକମାନେ କୋଣାର୍କ ନିକଟ ସମୁଦ୍ର କୂଳରେ ଥିବା ‘ଲୋଟସ୍ ଛକ’କୁ ଯାଇ ଏକ କବିତା ଓ ଗଳ୍ପ ପାଠୋତ୍ସବରେ ଭାଗ ନେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
(ପ୍ରକାଶିତ: ୨୯ ନଭେମ୍ବର, ୨୦୨୪)
ରାଜ୍ୟର ସ୍କୁଲମାନଙ୍କ ପାଇଁ ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର
ଓଡ଼ିଶା ସରକାର ନଭେମ୍ବର ୨୯ ତାରିଖ ଦିନ ଏକ ଅଧିସୂଚନା ଜାରି କରି ଟ୍ରେନ୍ଡ୍ ଗ୍ରାଜୁଏଟ୍ ଟିଚର (ଓଡ଼ିଆ) ନାମରେ ୪୯୬ଟି ପଦବୀ ସୃଷ୍ଟି କରିଛନ୍ତି। ପୂର୍ବରୁ ଘୋଷିତ ହୋଇଥିବା ୧୯୮୪ ସଂଖ୍ୟକ ଟି.ଜି.ଟି (କଳା) ପଦ ମଧ୍ୟରୁ ୪୯୬ଟି ପଦ ଓଡ଼ିଆ ଶିକ୍ଷକ ଭାବରେ ପୂରଣ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ସୂଚନା ଦେଇଛନ୍ତି।
ଏହି ବହୁ ପ୍ରତୀକ୍ଷିତ ନିର୍ଣ୍ଣୟ ଯଥେଷ୍ଟ ବିଳମ୍ବରେ ନିଆଯାଇଥିଲେ ମଧ୍ୟ ଏହାକୁ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଏକ ଉଚିତ ପଦକ୍ଷେପ ଭାବରେ ରାଜ୍ୟର ଭାଷାପ୍ରେମୀମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ବହୁ ବର୍ଷ ଧରି ଓଡ଼ିଶାର କେତେକ ବିଦ୍ୟାଳୟରେ ବଙ୍ଗଳା ଶିକ୍ଷକ, ତେଲୁଗୁ ଶିକ୍ଷକ, ଉର୍ଦ୍ଦୁ ଶିକ୍ଷକ ଓ ହିନ୍ଦୀ ଶିକ୍ଷକ ଆଦି ନିଯୁକ୍ତ ହେଉଥିଲେ ହେଁ କେହି ଓଡ଼ିଆ ଶିକ୍ଷକ ନଥିଲେ। ଏହି ବିଡ଼ମ୍ବନା ବିରୁଦ୍ଧରେ ଓଡ଼ିଆ ଭାଷାପ୍ରେମୀମାନେ ବହୁ ବର୍ଷ ଧରି ପ୍ରତିବାଦ କରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଅବସରରେ ଜାରି ହୋଇଥିବା ଘୋଷଣାପତ୍ରରେ ତତ୍କାଳୀନ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ୧୫୦୦ ସ୍କୁଲ୍ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। କିନ୍ତୁ ଏହାର କିଛି ଦିନ ପରେ ମାତୃଭାଷା ଦିବସ ଉପଲକ୍ଷେ ସମ୍ବାଦପତ୍ରମାନଙ୍କୁ ଦିଆଯାଇଥିବା ଏକ ପୁରା ପୃଷ୍ଠାର ବିଜ୍ଞାପନରେ କୁହାଯାଇଥିଲା ଯେ ଏହି ୧୫୦୦ ଜଣ ଓଡ଼ିଆ ଶିକ୍ଷକଙ୍କ ନିଯୁକ୍ତି ତୁରନ୍ତ ନ କରାଯାଇ ‘ପର୍ଯ୍ୟାୟ କ୍ରମେ’ କରାଯିବ। ଅଥଚ ପୂର୍ବର ସେହି ସରକାର କ୍ଷମତାରୁ ଯିବା ପର୍ଯ୍ୟନ୍ତ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ଯାହା ଜଣାପଡ଼େ, ଏବର ନୂଆ ସରକାର ପୂର୍ବ ସରକାରଙ୍କ ସେହି ‘ପର୍ଯ୍ୟାୟ କ୍ରମେ’ର ନୀତି ଅନୁସରଣ କରି ବର୍ତ୍ତମାନ ମାତ୍ର ୪୯୬ ଜଣ ଓଡ଼ିଆ ଶିକ୍ଷକଙ୍କ ନିଯୁକ୍ତି ବିଷୟ ଘୋଷଣା କରିଛନ୍ତି।
(ପ୍ରକାଶିତ: ୨୯ ନଭେମ୍ବର, ୨୦୨୪)
ସାହିତ୍ୟ ଅକାଦେମି ପକ୍ଷରୁ କବି ଗୁରୁ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ପାଳିତ
କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଓଡ଼ିଆ କବିତାରେ ଆଧୁନିକ ଧାରାର ଅନ୍ୟତମ ପ୍ରବର୍ତ୍ତକ ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ନଭେମ୍ବର ୨୮ ତାରିଖ ଦିନ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗାରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ବାଗତ ଅଭିଭାଷଣ ଦେଇ କେନ୍ଦ୍ର ସାହିତ୍ୟ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଗୁରୁ ମହାନ୍ତିଙ୍କର ଓଡ଼ିଆ କବିତାକୁ ଅବଦାନ କାଳ କାଳ ଧରି ମନେ ରହିବ ବୋଲି କହିଥିଲେ। ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ଡ. ଗୌରହରି ଦାସ ପ୍ରାରମ୍ଭିକ ଅଭିଭାଷଣରେ କବି ଗୁରୁପ୍ରସାଦ ମହାନ୍ତିଙ୍କ କାଳଜୟୀ କୃତି ‘କାଳ ପୁରୁଷ’ର ନିଆରା ଭାବଦୃଷ୍ଟି ଉପରେ ଆଲୋକପାତ କରି ଆଧୁନିକ ଓଡ଼ିଆ କବିତାକୁ ଏକ ନିର୍ଦ୍ଦିଷ୍ଟ ମୋଡ଼ ଦେବାରେ ତାଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସ୍ବନାମଧନ୍ୟ କବି ରାଜେନ୍ଦ୍ର କିଶୋର ପଣ୍ଡା ନିଜର ଉଦ୍ଘାଟନୀ ବକ୍ତବ୍ୟରେ କହିଲେ ଯେ ମାନବୀୟ ଭାବ ଓ ସଂବେଦନାକୁ ଶବ୍ଦରେ ରୂପ ଦେବାରେ ଗୁରୁପ୍ରସାଦଙ୍କର ଅପୂର୍ବ ଦକ୍ଷତା ଥିଲା।
ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ଡା. ପ୍ରିୟଦର୍ଶିନୀ ମହାନ୍ତି ତାଙ୍କ ପିତାଙ୍କ ଜୀବନର କେତେକ ଉଲ୍ଲେଖନୀୟ ଘଟଣା ବର୍ଣ୍ଣନା କରିଥିଲେ। ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ମଧ୍ୟ ସେ ପାଠ କରିଥିଲେ। ସମାରୋହର ମୁଖ୍ୟ ଆଲୋଚକ, ବିଶିଷ୍ଟ କବି ଓ ସମାଲୋଚକ ଡ. ଭଗବାନ ଜୟସିଂହ, ଗୁରୁ ମହାନ୍ତିଙ୍କ କବିତାର ବିଭିନ୍ନ ଦିଗରୁ ଏକ ତାତ୍ତ୍ବିକ ବ୍ୟାଖ୍ୟା ପ୍ରସ୍ତୁତ କରିଥିଲେ।
ଏହି ଦୁଇଦିନିଆ ଶତବାର୍ଷିକୀ ସମାରୋହର ଅନ୍ୟ ଅଧିବେଶନ ଗୁଡ଼ିକରେ କେତେ ଜଣ ନିମନ୍ତ୍ରିତ ବିଶିଷ୍ଟ ସାହିତ୍ୟିକ ଓ ଗବେଷକଗଣ ଗୁରୁପ୍ରସାଦଙ୍କ କାବ୍ୟସମ୍ଭାରର ବିଶଦ ଭାବରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ସମାରୋହର ଉଦ୍ଘାଟନୀ ଅଧିବେଶନରେ ବୁଦ୍ଧ ମନ୍ଦିରର ସଭାଗୃହଟି ବିଭିନ୍ନ ସ୍ଥାନରୁ ଆସିଥିବା ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କ ଉପସ୍ଥିତିରେ ଲୋକାରଣ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା। ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।
(ପ୍ରକାଶିତ: ୨୮ ନଭେମ୍ବର, ୨୦୨୪)
ଭାଷା ପ୍ରତିଷ୍ଠାନର ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ କାର୍ଯ୍ୟକ୍ରମ
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନଠାରେ ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଓଡ଼ିଆ ପୁସ୍ତକ ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ ସଂଶୋଧନ ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି। ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞାପନ ଆଧାରରେ ଏହି ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ମୋଟ ୩୬୦ ଜଣ ଆଗ୍ରହୀ ବ୍ୟକ୍ତିଙ୍କ ମଧ୍ୟରୁ ୨୬୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କୁ ଦୁଇଟି ଭାଗରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ଏହା ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଗ୍ରନ୍ଥ ସମ୍ପାଦନାର ସାଧାରଣ କଥା, ପ୍ରାଚୀନ ଗ୍ରନ୍ଥ ସମ୍ପାଦନାର ଭାଷାତାତ୍ତ୍ୱିକ ଦିଗ, ମଧ୍ୟକାଳୀନ ଗ୍ରନ୍ଥ ସମ୍ପାଦନାର ଭାଷା ବୋଧ, ମଧ୍ୟକାଳୀନ ଗ୍ରନ୍ଥ ବା ପୋଥି ସମ୍ପାଦନା, ଗ୍ରନ୍ଥ ସମ୍ପାଦନା ପଦ୍ଧତି, ପ୍ରୁଫ ସଂଶୋଧନର ପ୍ରାସଙ୍ଗିକତା, ପ୍ରୁଫ ସଂଶୋଧନର ବିବର୍ତ୍ତନ ଧାରା, ସମ୍ବାଦପତ୍ର ସମ୍ପାଦନା ବିଧି, ଗବେଷଣାଧର୍ମୀ ପୁସ୍ତକ ସମ୍ପାଦନାରେ ସମସ୍ୟା ଓ ସମାଧାନ, ଅନୁବାଦ କଳା ଓ ଅନୁଦିତ ଗ୍ରନ୍ଥ ସଂପାଦନା ବିଧି ବିଷୟରେ ପ୍ରତିଭାଗୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ପ୍ରଦାନ କରୁଥିବା ବିଶେଷଜ୍ଞମାନେ ହେଲେ ଡ. ଗୌରାଙ୍ଗ ଚରଣ ଦାଶ, ଡ. ସନ୍ତୋଷ କୁମାର ରଥ, ପ୍ରଫେସର ବାଉରୀବନ୍ଧୁ ସାହୁ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପ୍ରଫେସର ଦେବାଶିଷ ମହାପାତ୍ର, ବୈଷ୍ଣବ ଚରଣ ମହାନ୍ତି, ଅସିତ୍ ମହାନ୍ତି, ଡ. ଯତୀନ ନାୟକ ଓ ଡ.ସଂଗ୍ରାମ ଜେନା। ଏହି ପ୍ରଶିକ୍ଷଣାର୍ଥୀ ଦଳର ତାଲିମ ଶେଷ ହେବା ପରେ ଆସନ୍ତା ନଭେମ୍ବର ୨୫ରୁ ଅନ୍ୟ ଏକ ଦଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।
ରାଜ୍ୟ ସରକାରଙ୍କ ପକ୍ଷରୁ ବନାନ ଶୁଦ୍ଧି ଓ ପ୍ରୁଫ ସଂଶୋଧନ ସମ୍ପର୍କରେ ତାଲିମ ଦେବାର ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ଫଣିନ୍ଦ୍ର ଭୂଷଣ ନନ୍ଦଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଛି। ଏଥି ପୂର୍ବରୁ ଏହି ଧରଣର ତିନୋଟି ପର୍ଯ୍ୟାୟରେ ଏଭଳି ପ୍ରଶିକ୍ଷଣ ଆୟୋଜିତ ହୋଇ ସାରିଲାଣି। ଏହି ପ୍ରଶିକ୍ଷଣରେ ଭାଗ ନେବା ପାଇଁ ପ୍ରତ୍ୟେକ ପ୍ରତିଭାଗୀଙ୍କୁ ଦୈନିକ ୩୦୦ ଟଙ୍କା ହାରରେ ଉତ୍ସାହ ରାଶି ମଧ୍ୟ ପ୍ରଦାନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ଵାରା ଓଡ଼ିଶାରେ ପ୍ରୁଫ ସଂଶୋଧନ ଓ ସମ୍ପାଦନା ପାଇଁ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଆଗେଇ ଆସିବେ ବୋଲି ଆଶା କରାଯାଏ।
(ପ୍ରକାଶିତ: ୨୦ ନଭେମ୍ବର, ୨୦୨୪)
କାନାଡା ଦେଶର ସରକାର ସ୍କୁଲ୍ ଛାତ୍ରଙ୍କ ପାଇଁ ଆରମ୍ଭ କଲେ ଓଡ଼ିଆ ଭାଷା ଶିକ୍ଷା
କାନାଡା ଦେଶର ସରକାର କେତେଜଣ ଓଡ଼ିଆ ଭାଷାଭାଷୀଙ୍କ ନିବେଦନ କ୍ରମେ ସେଠାକାର ଟରଣ୍ଟୋ ସ୍କୁଲ୍ ବୋର୍ଡରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷା ଶିକ୍ଷାର ବ୍ୟବସ୍ଥା ପ୍ରଚଳନ କରିଛନ୍ତି ଏବଂ ଡ଼. ସୁନନ୍ଦା ମିଶ୍ର ପଣ୍ଡା ଓଡ଼ିଆ ଭାଷା ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଛନ୍ତି। ନଭେମ୍ବର ୧୭ ତାରିଖ ଦିନ ଟରଣ୍ଟୋ ସହରର ‘ଟମ୍ ଓ ସାଣ୍ଟେଲ୍ ପବ୍ଲିକ୍ ସ୍କୁଲ୍’ରେ ଦ୍ବିତୀୟରୁ ନେଇ ସପ୍ତମ ଗ୍ରେଡ଼୍ରେ ପଢ଼ୁଥିବା ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ପ୍ରଥମ ଶ୍ରେଣୀ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ସ୍ବର ଓ ବ୍ୟଞ୍ଜନ ବର୍ଣ୍ଣ ବିଷୟରେ ସମ୍ୟକ ଧାରଣା ଦିଆଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗୀତର ପ୍ରଥମ ପଦଟି ଗାୟନ କରିବା ମଧ୍ୟ ଶିଖା ଯାଇଥିଲା।
କାନାଡାରେ ଓଡ଼ିଆ ଭାଷା ଶିକ୍ଷା ପ୍ରଚଳନ ଆରମ୍ଭ ହୋଇଥିବାରୁ ସେଠାକାର ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।
(ପ୍ରକାଶିତ: ୧୮ ନଭେମ୍ବର, ୨୦୨୪)
ଜେ.ଏନ୍.ୟୁ ଆନୁକୂଲ୍ୟରେ ଓଡ଼ିଆ ବ୍ୟାକରଣ ଓ ଶବ୍ଦକୋଷ ଆଧାରିତ ପୁସ୍ତକର ଲୋକାର୍ପଣ
ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେ.ଏନ୍.ୟୁ)ର ସାରଳା ଦାସ ଚେଆର ଆନୁକୂଲ୍ୟରେ ନଭେମ୍ବର ୧୭ ତାରିଖ ଦିନ ଭୁବନେଶ୍ବରର ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ‘ଦୁଷ୍ପ୍ରାପ୍ୟ ଓଡ଼ିଆ ବ୍ୟାକରଣ ସଂଗ୍ରହ’ ଓ ‘ଜଗମୋହନ ରାମାୟଣ ଶବ୍ଦକୋଷ’ ନାମକ ଦୁଇଟି ଗୁରୁତ୍ବପୂର୍ଣ୍ଣ ପୁସ୍ତକର ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବହିଟି ପ୍ରଫେସର ଉଦୟନାଥ ସାହୁ ଓ ଡ. ହରପ୍ରସାଦ ମିଶ୍ରଙ୍କ ଦ୍ବାରା ସଂକଳିତ ହୋଇଥିବା ସ୍ଥଳେ, ଦ୍ୱିତୀୟଟି ଡ. ତମସା ରାଣୀ ଦାସ ମହାପାତ୍ରଙ୍କ ଦ୍ବାରା ସଂକଳିତ ହୋଇଛି।
ସଭାର ପ୍ରାରମ୍ଭରେ ପ୍ରଫେସର ଉଦୟନାଥ ସାହୁ ସାରଳା ମହାଭାରତ ତଥା ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ବିଦେଶରେ ପରିଚିତ କରାଇବା ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ଯାଳୟର ଆଦିକବି ସାରଳା ଦାସ ଚେଆର୍ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଉନ୍ମୋଚିତ ହେଉଥିବା ‘ଦୁଷ୍ପ୍ରାପ୍ୟ ଓଡ଼ିଆ ବ୍ୟାକରଣ ସଂଗ୍ରହ’ ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ ଏହି ପୁସ୍ତକର ୮୦ ପୃଷ୍ଠା ବିଶିଷ୍ଟ ମୁଖବନ୍ଧରେ ବହିଟିରେ ସନ୍ନିବେଶିତ ହୋଇଥିବା ପୁରାତନ ଓ ଦୁଷ୍ପ୍ରାପ୍ୟ ବ୍ୟାକରଣଗୁଡ଼ିକର ଏକ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଛି। ‘ଜଗମୋହନ ରାମାୟଣ ଶବ୍ଦକୋଷ’ ପୁସ୍ତକରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ବ୍ୟବହୃତ ହୋଇଥିବା ଅନନ୍ୟ ଶବ୍ଦରାଜି ଉପସ୍ଥାପିତ ହୋଇଛି। ପୂର୍ବତନ କୁଳପତି ପ୍ରଫେସର ଓମ୍ପ୍ରକାଶ ମହାନ୍ତି କହିଲେ ଯେ ଓଡ଼ିଆ ଦୁଷ୍ପ୍ରାପ୍ୟ ବ୍ୟାକରଣଗୁଡ଼ିକ ଏକାଠି ହୋଇପାରିଥିବା ଆନନ୍ଦର କଥା। ଡ଼. ହରପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ ପ୍ରାଚୀନ ବ୍ୟାକରଣ ଗ୍ରନ୍ଥଗୁଡ଼ିକର କାଳ ନିର୍ଣ୍ଣୟ ବିଷୟରେ କେତେକ ମୂଲ୍ୟବାନ ତଥ୍ୟ ରଖିଥିଲେ। ଡ଼. ତମସା ରାଣୀ ଦାସ ମହାପାତ୍ର ‘ଜଗମୋହନ ରାମାୟଣ ଶବ୍ଦକୋଷ’ର ସଂକଳନ ପ୍ରକ୍ରିୟାରେ ନିଜର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ ମାର୍ଗଶୀର୍ଷ ମାସର ପ୍ରଥମ ଦିବସର ଏହି ଶୁଭ ମୁହୂର୍ତ୍ତରେ ଦୁଇଟି ଅନନ୍ୟ ସାରସ୍ବତ ସମ୍ଭାର ଉନ୍ମୋଚିତ ହୋଇଥିବା ଆନନ୍ଦର କଥା। ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ଲୋକାର୍ପିତ ପୁସ୍ତକଦ୍ବୟର ସଂକଳକମାନଙ୍କର ନିଷ୍ଠାପର ଭୂମିକାର ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମଟି ଡ. ଦେବାଶିଷ ମହାପାତ୍ରଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଡ. ରମେଶଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟର ଅନେକ ଭାଷା ଓ ସାହିତ୍ୟ ପ୍ରେମୀ ଏହି ଅବସରରେ ଉପସ୍ଥିତ ଥିଲେ।
(ପ୍ରକାଶିତ: ୧୭ ନଭେମ୍ବର, ୨୦୨୪)
ମୁମ୍ବାଇ ଲିଟ୍-ଫେଷ୍ଟରେ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ହେଲେ ପ୍ରତିଭା ରାୟ
ମୁମ୍ବାଇଠାରେ ଅନୁଷ୍ଠିତ ହେଉଥିବା ‘ଲିଟ୍-ଫେଷ୍ଟ ୨୦୨୪’ର ଦ୍ବିତୀୟ ଦିବସ, ନଭେମ୍ବର ୧୬ ତାରିଖ ଅପରାହ୍ନରେ ବିଶିଷ୍ଟ ଓଡ଼ିଆ ଲେଖିକା ପ୍ରତିଭା ରାୟଙ୍କୁ ତା’ଙ୍କର ଜୀବନବ୍ୟାପୀ ସାଧନା ପାଇଁ ‘ଲାଇଫ୍ଟାଇମ୍ ଏଚିଭ୍ମେଣ୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ସଭାମଞ୍ଚର ସଂଯୋଜକ ଅଶ୍ବିନୀ କୁମାରଙ୍କ ସହ ହୋଇଥିବା ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ପ୍ରତିଭା ରାୟ କହିଥିଲେ ଯେ ସେ ନିଜର ୨୪ତମ ଉପନ୍ୟାସଟି ଏବେ ଲେଖୁଛନ୍ତି; କିନ୍ତୁ ସେଇଟିର ନାମ ଏବେ କହିବେ ନାହିଁ। ତାଙ୍କର ବୟସ କେତେ, ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ତାଙ୍କର ଲିଖିତ ଉପନ୍ୟାସଗୁଡିକର ସଂଖ୍ୟା ଯେତିକି, ତାଙ୍କର ବୟସ ସେତିକି, ଅର୍ଥାତ୍ ଚବିଶି ମାତ୍ର।
୮୦ ବର୍ଷ ବୟସ୍କା ସୁଲେଖିକା ପ୍ରତିଭା ରାୟ ମୂର୍ତ୍ତିଦେବୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଓ ଭାରତ ସରକାରଙ୍କ ଦ୍ବାରା ପଦ୍ମଭୂଷଣ ସମ୍ମାନରେ ଭୂଷିତ ହୋଇଛନ୍ତି। ୨୦୧୦ ମସିହାରୁ ନିୟମିତ ଭାବରେ ଅନୁଷ୍ଠିତ ହେଉଥିବା ‘ମୁମ୍ବାଇ ଲିଟ୍-ଫେଷ୍ଟ୍’ରେ ପ୍ରତି ବର୍ଷ ସାହିତ୍ୟକୁ ସମୃଦ୍ଧ କରିଥିବା ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟିକାଙ୍କୁ ସେମାନଙ୍କର ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଥାଏ। ଅତୀତରେ ମହାଶ୍ୱେତା ଦେବୀ, ଗିରିଶ କର୍ନାଡ୍, ଏମ୍.ଟି ବାସୁଦେବନ୍ ନାୟାର, ମହେଶ ଏଲ୍କୁଞ୍ଚଓ୍ବର ତଥା ସି.ଏସ୍. ଲକ୍ଷ୍ମୀ ପ୍ରମୁଖ ସ୍ବନାମଧନ୍ୟ ସାହିତ୍ୟିକମାନେ ଏହି ପୁରସ୍କାର ପାଇଛନ୍ତି।
(ପ୍ରକାଶିତ: ୧୬ ନଭେମ୍ବର, ୨୦୨୪)
ମାନସ ସାମଲ ପାଇଲେ ବାଳ ସାହିତ୍ୟ ପୁରସ୍କାର: ସମ୍ପାନରେ ଅଧ୍ୟକ୍ଷତା କଲେ ଦାଶ ବେନହୁର
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ନଭେମ୍ବର ୧୪ ଓ ୧୫ ଦୁଇଦିନ ଧରି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷର ବାଳ ସାହିତ୍ୟ ପୁରସ୍କାର ବିତରଣ ଉତ୍ସବ ତଥା ‘ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ବିଷୟରେ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ଦେଶର ବିଭିନ୍ନ ଭାଷାଭାଷୀ ୨୪ ଜଣ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଓଡ଼ିଶାରୁ ପୁରସ୍କୃତ ହୋଇଥିଲେ ସୁବିଦିତ ଶିଶୁ ସାହିତ୍ୟିକ ମାନସ ରଂଜନ ସାମଲ।
ପୁରସ୍କାର ଗ୍ରହଣ କରି ମାନସ ରଂଜନ ସାମଲ କହିଲେ ଯେ ବୟସ ଉପଯୋଗୀ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଶିଶୁ ସାହିତ୍ୟ ସୃଷ୍ଟି କରିବା ପାଇଁ ଲେଖକମାନେ ଯତ୍ନବାନ ହୁଅନ୍ତୁ। ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ପାନରେ ଅଧ୍ୟକ୍ଷତା କରି ଦାଶ ବେନହୁର କହିଲେ ଯେ ଅତୀତର ଲୋକଧାରାକୁ ପିଲାଙ୍କ ସାହିତ୍ୟରେ ଉଜ୍ଜୀବିତ କରି ରଖିବା ସହ ବର୍ତ୍ତମାନର ସାମାଜିକ ପରସ୍ଥିତି ଓ ଭବିଷ୍ୟତରେ ରୂପ ନେବାକୁ ଯାଉଥିବା ବୈଷୟିକ ତଥା ବିଜ୍ଞାନଗତ ବାସ୍ତବତା ଏବଂ କଳ୍ପନାକୁ ମଧ୍ୟ ଯୋଡିବାକୁ ପଡିବ।
ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ମାଧବ କୌଶିକ ସଭାପତିତ୍ବ କରିଥିଲେ ଏବଂ ଏକାଡେମୀର ସଚିବ କେ. ଶ୍ରୀନିବାସନ୍ ସ୍ବାଗତ ଅଭିଭାଷଣ ଦେଇଥିଲେ।
(ପ୍ରକାଶିତ: ୧୫ ନଭେମ୍ବର, ୨୦୨୪)
ଅଖିଳ ମୋହନ ଫାଉଣ୍ଡେସନ୍ ପୁରସ୍କାର ଘୋଷିତ
ଏ ବର୍ଷର ଅଖିଳ ମୋହନ କଥା ସମ୍ମାନ ୫୧ ରୁ ୭୫ ବର୍ଷ ବୟସର ଲେଖକମାନଙ୍କ ପାଇଁ, ବରିଷ୍ଠ ବର୍ଗରେ, ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଏବଂ ୫୦ ବର୍ଷରୁ କମ୍ ଲେଖକମାନଙ୍କ ପାଇଁ ସୁସାହିତ୍ୟିକ ସଞ୍ଜୟ କୁମାର ବାଗ୍ଙ୍କୁ ଚୟନ କରାଯାଇଛି। ଜ୍ଞାନଦା କବିତା ସମ୍ମାନ, ବରିଷ୍ଠ ବର୍ଗରେ ସ୍ବନାମଧନ୍ୟ କବି ବିପିନ ନାୟକ ଏବଂ କନିଷ୍ଠ ବର୍ଗରେ ସୁବିଦିତ କବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ବୋଲି ଘୋଷଣା କରାଯାଇଛି। ଏହା ସହ ଶିଖର ସମ୍ମାନ ବର୍ଷୀୟାନ କବି ରମାକାନ୍ତ ରଥଙ୍କୁ ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ୨୦୨୪ ପାଇଁ ପୁରସ୍କାର ପ୍ରାପକଙ୍କ ବିଷୟରେ ନିଷ୍ପତ୍ତି ନେବାକୁ ୧୩ ନଭେମ୍ବର ଦିନ ଅସିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରତିବର୍ଷ ଡିସେମ୍ବର ୧୮ ରେ ଲେଖକଙ୍କ ଜନ୍ମ ବାର୍ଷିକୀକୁ ଅଖିଳ ଦିବସ ଭାବେ ପାଳନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଏ। ଫାଉଣ୍ଡେସନ ୨୦୨୭ ମସିହାରେ ଲେଖକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାର ଆୟୋଜନ ଉପରେ ମଧ୍ୟ ବିଚାର ବିମର୍ଶ କରିଥିଲା। ପ୍ରକାଶ ଥାଉ କି ନଭେମ୍ବର ୨୦୨୪ରେ ଅଖିଳମୋହନ ଫାଉଣ୍ଡେସନର ଚେୟାରମ୍ୟାନ ଭାବରେ ସାହିତ୍ୟିକ ଅସିତ ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଚେୟାରମ୍ୟାନ କବି ରାଜେନ୍ଦ୍ର କିଶୋର ପଂଡ଼ା ଫାଉଣ୍ଡେସନର ପରାମର୍ଶଦାତା ଭାବରେ ମାର୍ଗଦର୍ଶନ କରିବେ ବୋଲି ନିଷ୍ପତ୍ତି ହୋଇଛି।
(ପ୍ରକାଶିତ: ୧୩ ନଭେମ୍ବର, ୨୦୨୪)
ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି
An excellent initiative & innovation Congratulations!
Letter to Editor:
*Inauguration of Pustak Mela delayed indefinitely on 6th December 2024*
Why should we wait for Minister to come?
It is a perennial disease of Odias every where, whether Ravindra Mandap, Jayadev Bhavan or other places. The drama-artists, dancers, performing artists have to wait & wait. The guests follow Indian (Sub) Standard Time.Why the eminent writer Santanu Acharya, who came first, can not inaugurate? Why should he wait for others??
Why Babu Singh M L A will inaugurate at 8.30 PM, as a last resort?
Why Sarala awardee Gourahari Das, @Bhima Prusty, or Sarojini Sahoo can’t inaugurate?
Why eminent Stambhakar Saral Das can not inaugurate?
Why Rastrapati awardee teacher Krushida Begam can not inaugurate?
Why editor of Samaj, Tapan Mishra can’t inaugurate?
How long we will go to prove that we are “Tu -mane bhabichu- Tosamoda-kari” of UTKAL SANTANA poem authored by Madhusudan Das 100 years back? Ridiculous!
&, why the udita- surya, Sasanka Priyasakha can’t inaugurate?
NP MOHAPATRA
CGM (R) NABARD
BHUBANESWAR 751023
ଖୁବ ସୁନ୍ଦର ପ୍ରୟାସ , ବହୁତ ବହୁତ ଧନ୍ୟବାଦ।
ସାହିତ୍ୟ ସମାଚାର ମାଧ୍ୟମରେ ସାହିତ୍ୟ ବିଷୟରେ ତଥ୍ୟ ମିଳି ପାରୁଛି।
ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।ସାହିତ୍ୟର ପ୍ରତିଟି ଖବର ଏଥିରେ ଦୃଶ୍ୟମାନ।
ଖୁବ ଉପାଦେୟ, ଧନ୍ୟବାଦ ପ୍ରଣାମ |
ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା
‘ସାହିତ୍ୟଚର୍ଚ୍ଚା’ ପରି ନିରୋଳା ସାହିତ୍ୟ ସଂପୃକ୍ତି ସମ୍ପ୍ରତି ବିରଳ! ନୂଆ ପରିକଳ୍ପନା ସହ ସାହିତ୍ୟର ଦୈନନ୍ଦିନୀକୁ ସାଉଁଟି ଆଣି ପାଠକଙ୍କ ପାଖରେ ରଖିବା କମ କଷ୍ଟକର ନୁହେଁ।
ଏଥି ନିମନ୍ତେ ସଂପାଦକ ମହୋଦୟଙ୍କୁ ସାଧୁବାଦ ଜଣାଉଛି।
ମୋତେ ଏହି ପୃଷ୍ଠାଟି ବହୁତ ଭଲ ଲାଗିଲା । ସାହିତ୍ୟ ଜଗତର ସବୁ ଖବର ଏଥିରେ ଗଚ୍ଛିତ । ଧନ୍ୟବାଦ ସାହିତ୍ୟ ଚର୍ଚ୍ଚା।
ଓଡ଼ିଆ ଭାଷା,ସାହିତ୍ୟ ବିଦେଶ ର ମାଟିରେ ବି ଓଡ଼ିଆ ର ସଂସ୍କାର ସଂସ୍କୃତିକୁ ଜୀବିତ କରିରଖିଛି। ଓଡ଼ିଆ ସାହିତ୍ୟର ନିଶ୍ଚିନ୍ତ ଜୟ ହୋଇଛି ।ଏହିପରି କାର୍ଯ୍ୟକ୍ରମ ଜାରି ରହୁ।
ସାହିତ୍ୟ ଓ ସାହିତ୍ୟିକ ଉଭୟଙ୍କ ମନୋବଳକୁ ଏହା ଦ୍ବିଗୁଣିତ କରିବା ପାଇଁ ସହାୟକ ହେବ।
ସୁଦୂର ପ୍ରାନ୍ତରେ ରହି ଓଡ଼ିଆ ସାହିତ୍ୟ ଜଗତର ଖବର ଜାଣିପାରୁଛୁ। ଅନେକ ତଥ୍ୟ ବିଷୟରେ ମଧ୍ୟ ଅବଗତ ହୋଇପାରୁଛୁ।
‘ସାହିତ୍ୟ ଚର୍ଚ୍ଚା’ର ସମସ୍ତ ବାର୍ତ୍ତାବାହକ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଖୁବ୍ ଉପାଦେୟ ତଥ୍ଯ ପୋଷ୍ଟ କରାଯାଇଛି ସାର୍— ଧନ୍ୟବାଦ🙏
ବେଶ୍ ଉପାଦେୟ ଆଲେଖ୍ୟ ସବୁ, ଅଶେଷ ଅଭିନନ୍ଦନ
Beautiful information, I like them
ଓଡିଆରେ ଏପରି ନିରୋଳା ସାହିତ୍ୟ ସମାଚାର ପତ୍ରିକାଖଣ୍ଡେ ଦରକାରଥିଲା ତାହା ପୂରଣ କରିଛି “ସାହିତ୍ୟ ଚର୍ଚ୍ଚା”।
ପ୍ରକାଶକଙ୍କୁ ଅଭିନନ୍ଦନ
ଏ ସଂଖ୍ୟା ର ସମସ୍ତ ଖଵର ସତେଜ ଓ ଉପାଦେୟ। ସମ୍ପାଦକ ମହାଶୟଙ୍କୁ ଅଶେଷ ଧନ୍ୟବାଦ।
ସୁନ୍ଦର କାର୍ଯକ୍ରମ। ଅଭିନନ୍ଦନ ଓ ଶୁଭେଚ୍ଛା।
ଯା’ହେଉ ସାହିତ୍ଯ ଚର୍ଚ୍ଚାର ଏହା ଏକ ସୁନ୍ଦର ପ୍ରୟାସ।
We got so many informations regarding Odia language and writers
ସବୁ ଖବର ପଢି ଅନେକ ନୂଆ କଥା ଆମ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିଲି l