ଭାଷା ଓ ସାହିତ୍ୟର ସମ୍ବାଦ

Updated on 20 November 2024

ଭାଷା ପ୍ରତିଷ୍ଠାନର ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ କାର୍ଯ୍ୟକ୍ରମ

ଭୁବନେଶ୍ବରରେ ଆରମ୍ଭ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନଠାରେ ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଓଡ଼ିଆ ପୁସ୍ତକ ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ ସଂଶୋଧନ ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି। ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞାପନ ଆଧାରରେ ଏହି ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ମୋଟ ୩୬୦ ଜଣ ଆଗ୍ରହୀ ବ୍ୟକ୍ତିଙ୍କ ମଧ୍ୟରୁ ୨୬୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କୁ ଦୁଇଟି ଭାଗରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ଏହା ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଗ୍ରନ୍ଥ ସମ୍ପାଦନାର ସାଧାରଣ କଥା, ପ୍ରାଚୀନ ଗ୍ରନ୍ଥ ସମ୍ପାଦନାର ଭାଷାତାତ୍ତ୍ୱିକ ଦିଗ, ମଧ୍ୟକାଳୀନ ଗ୍ରନ୍ଥ ସମ୍ପାଦନାର ଭାଷା ବୋଧ, ମଧ୍ୟକାଳୀନ ଗ୍ରନ୍ଥ ବା ପୋଥି ସମ୍ପାଦନା, ଗ୍ରନ୍ଥ ସମ୍ପାଦନା ପଦ୍ଧତି, ପ୍ରୁଫ ସଂଶୋଧନର ପ୍ରାସଙ୍ଗିକତା, ପ୍ରୁଫ ସଂଶୋଧନର ବିବର୍ତ୍ତନ ଧାରା, ସମ୍ବାଦପତ୍ର ସମ୍ପାଦନା ବିଧି, ଗବେଷଣାଧର୍ମୀ ପୁସ୍ତକ ସମ୍ପାଦନାରେ ସମସ୍ୟା ଓ ସମାଧାନ, ଅନୁବାଦ କଳା ଓ ଅନୁଦିତ ଗ୍ରନ୍ଥ ସଂପାଦନା ବିଧି ବିଷୟରେ ପ୍ରତିଭାଗୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ପ୍ରଦାନ କରୁଥିବା ବିଶେଷଜ୍ଞମାନେ ହେଲେ ଡ. ଗୌରାଙ୍ଗ ଚରଣ ଦାଶ, ଡ. ସନ୍ତୋଷ କୁମାର ରଥ, ପ୍ରଫେସର ବାଉରୀବନ୍ଧୁ ସାହୁ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପ୍ରଫେସର ଦେବାଶିଷ ମହାପାତ୍ର, ବୈଷ୍ଣବ ଚରଣ ମହାନ୍ତି, ଅସିତ୍ ମହାନ୍ତି, ଡ. ଯତୀନ ନାୟକ ଓ ଡ.ସଂଗ୍ରାମ ଜେନା। ଏହି ପ୍ରଶିକ୍ଷଣାର୍ଥୀ ଦଳର ତାଲିମ ଶେଷ ହେବା ପରେ ଆସନ୍ତା ନଭେମ୍ବର ୨୫ରୁ ଅନ୍ୟ ଏକ ଦଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।
ରାଜ୍ୟ ସରକାରଙ୍କ ପକ୍ଷରୁ ବନାନ ଶୁଦ୍ଧି ଓ ପ୍ରୁଫ ସଂଶୋଧନ ସମ୍ପର୍କରେ ତାଲିମ ଦେବାର ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ଫଣିନ୍ଦ୍ର ଭୂଷଣ ନନ୍ଦଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଛି। ଏଥି ପୂର୍ବରୁ ଏହି ଧରଣର ତିନୋଟି ପର୍ଯ୍ୟାୟରେ ଏଭଳି ପ୍ରଶିକ୍ଷଣ ଆୟୋଜିତ ହୋଇ ସାରିଲାଣି। ଏହି ପ୍ରଶିକ୍ଷଣରେ ଭାଗ ନେବା ପାଇଁ ପ୍ରତ୍ୟେକ ପ୍ରତିଭାଗୀଙ୍କୁ ଦୈନିକ ୩୦୦ ଟଙ୍କା ହାରରେ ଉତ୍ସାହ ରାଶି ମଧ୍ୟ ପ୍ରଦାନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ଵାରା ଓଡ଼ିଶାରେ ପ୍ରୁଫ ସଂଶୋଧନ ଓ ସମ୍ପାଦନା ପାଇଁ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଆଗେଇ ଆସିବେ ବୋଲି ଆଶା କରାଯାଏ।
(ପ୍ରକାଶିତ: ୨୦ ନଭେମ୍ବର, ୨୦୨୪)

କାନାଡା ଦେଶର ସରକାର ସ୍କୁଲ୍ ଛାତ୍ରଙ୍କ ପାଇଁ ଆରମ୍ଭ କଲେ ଓଡ଼ିଆ ଭାଷା ଶିକ୍ଷା

ପ୍ରଥମ ଦିନରେ ପିଲାଏ ଶିଖିଲେ ‘ବନ୍ଦେ ଉତ୍କଳ ଜନନୀ

କାନାଡା ଦେଶର ସରକାର କେତେଜଣ ଓଡ଼ିଆ ଭାଷାଭାଷୀଙ୍କ ନିବେଦନ କ୍ରମେ ସେଠାକାର ଟରଣ୍ଟୋ ସ୍କୁଲ୍ ବୋର୍ଡରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷା ଶିକ୍ଷାର ବ୍ୟବସ୍ଥା ପ୍ରଚଳନ କରିଛନ୍ତି ଏବଂ ଡ଼. ସୁନନ୍ଦା ମିଶ୍ର ପଣ୍ଡା ଓଡ଼ିଆ ଭାଷା ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଛନ୍ତି। ନଭେମ୍ବର ୧୭ ତାରିଖ ଦିନ ଟରଣ୍ଟୋ ସହରର ‘ଟମ୍ ଓ ସାଣ୍ଟେଲ୍ ପବ୍ଲିକ୍ ସ୍କୁଲ୍’ରେ ଦ୍ବିତୀୟରୁ ନେଇ ସପ୍ତମ ଗ୍ରେଡ଼୍‌ରେ ପଢ଼ୁଥିବା ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ପ୍ରଥମ ଶ୍ରେଣୀ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ସ୍ବର ଓ ବ୍ୟଞ୍ଜନ ବର୍ଣ୍ଣ ବିଷୟରେ ସମ୍ୟକ ଧାରଣା ଦିଆଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗୀତର ପ୍ରଥମ ପଦଟି ଗାୟନ କରିବା ମଧ୍ୟ ଶିଖା ଯାଇଥିଲା।
କାନାଡାରେ ଓଡ଼ିଆ ଭାଷା ଶିକ୍ଷା ପ୍ରଚଳନ ଆରମ୍ଭ ହୋଇଥିବାରୁ ସେଠାକାର ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।
(ପ୍ରକାଶିତ: ୧୮ ନଭେମ୍ବର, ୨୦୨୪)

ଜେ.ଏନ୍.ୟୁ ଆନୁକୂଲ୍ୟରେ ଓଡ଼ିଆ ବ୍ୟାକରଣ ଓ ଶବ୍ଦକୋଷ ଆଧାରିତ ପୁସ୍ତକର ଲୋକାର୍ପଣ

ଲୋକାର୍ପଣ ସମାରୋହରେ ମଞ୍ଚାସୀନ ଅତିଥିଗଣ

ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେ.ଏନ୍.ୟୁ)ର ସାରଳା ଦାସ ଚେଆର ଆନୁକୂଲ୍ୟରେ ନଭେମ୍ବର ୧୭ ତାରିଖ ଦିନ ଭୁବନେଶ୍ବରର ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ‘ଦୁଷ୍ପ୍ରାପ୍ୟ ଓଡ଼ିଆ ବ୍ୟାକରଣ ସଂଗ୍ରହ’ ଓ ‘ଜଗମୋହନ ରାମାୟଣ ଶବ୍ଦକୋଷ’ ନାମକ ଦୁଇଟି ଗୁରୁତ୍ବପୂର୍ଣ୍ଣ ପୁସ୍ତକର ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବହିଟି ପ୍ରଫେସର ଉଦୟନାଥ ସାହୁ ଓ ଡ. ହରପ୍ରସାଦ ମିଶ୍ରଙ୍କ ଦ୍ବାରା ସଂକଳିତ ହୋଇଥିବା ସ୍ଥଳେ, ଦ୍ୱିତୀୟଟି ଡ. ତମସା ରାଣୀ ଦାସ ମହାପାତ୍ରଙ୍କ ଦ୍ବାରା ସଂକଳିତ ହୋଇଛି।
ସଭାର ପ୍ରାରମ୍ଭରେ ପ୍ରଫେସର ଉଦୟନାଥ ସାହୁ ସାରଳା ମହାଭାରତ ତଥା ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ବିଦେଶରେ ପରିଚିତ କରାଇବା ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ଯାଳୟର ଆଦିକବି ସାରଳା ଦାସ ଚେଆର୍ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଉନ୍ମୋଚିତ ହେଉଥିବା ‘ଦୁଷ୍ପ୍ରାପ୍ୟ ଓଡ଼ିଆ ବ୍ୟାକରଣ ସଂଗ୍ରହ’ ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ ଏହି ପୁସ୍ତକର ୮୦ ପୃଷ୍ଠା ବିଶିଷ୍ଟ ମୁଖବନ୍ଧରେ ବହିଟିରେ ସନ୍ନିବେଶିତ ହୋଇଥିବା ପୁରାତନ ଓ ଦୁଷ୍ପ୍ରାପ୍ୟ ବ୍ୟାକରଣଗୁଡ଼ିକର ଏକ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଛି। ‘ଜଗମୋହନ ରାମାୟଣ ଶବ୍ଦକୋଷ’ ପୁସ୍ତକରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ବ୍ୟବହୃତ ହୋଇଥିବା ଅନନ୍ୟ ଶବ୍ଦରାଜି ଉପସ୍ଥାପିତ ହୋଇଛି। ପୂର୍ବତନ କୁଳପତି ପ୍ରଫେସର ଓମ୍‌ପ୍ରକାଶ ମହାନ୍ତି କହିଲେ ଯେ ଓଡ଼ିଆ ଦୁଷ୍ପ୍ରାପ୍ୟ ବ୍ୟାକରଣଗୁଡ଼ିକ ଏକାଠି ହୋଇପାରିଥିବା ଆନନ୍ଦର କଥା। ଡ଼. ହରପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ ପ୍ରାଚୀନ ବ୍ୟାକରଣ ଗ୍ରନ୍ଥଗୁଡ଼ିକର କାଳ ନିର୍ଣ୍ଣୟ ବିଷୟରେ କେତେକ ମୂଲ୍ୟବାନ ତଥ୍ୟ ରଖିଥିଲେ। ଡ଼. ତମସା ରାଣୀ ଦାସ ମହାପାତ୍ର ‘ଜଗମୋହନ ରାମାୟଣ ଶବ୍ଦକୋଷ’ର ସଂକଳନ ପ୍ରକ୍ରିୟାରେ ନିଜର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ ମାର୍ଗଶୀର୍ଷ ମାସର ପ୍ରଥମ ଦିବସର ଏହି ଶୁଭ ମୁହୂର୍ତ୍ତରେ ଦୁଇଟି ଅନନ୍ୟ ସାରସ୍ବତ ସମ୍ଭାର ଉନ୍ମୋଚିତ ହୋଇଥିବା ଆନନ୍ଦର କଥା। ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ଲୋକାର୍ପିତ ପୁସ୍ତକଦ୍ବୟର ସଂକଳକମାନଙ୍କର ନିଷ୍ଠାପର ଭୂମିକାର ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମଟି ଡ. ଦେବାଶିଷ ମହାପାତ୍ରଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଡ. ରମେଶଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟର ଅନେକ ଭାଷା ଓ ସାହିତ୍ୟ ପ୍ରେମୀ ଏହି ଅବସରରେ ଉପସ୍ଥିତ ଥିଲେ।
(ପ୍ରକାଶିତ: ୧୭ ନଭେମ୍ବର, ୨୦୨୪)

ମୁମ୍ବାଇ ଲିଟ୍-ଫେଷ୍ଟରେ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ହେଲେ ପ୍ରତିଭା ରାୟ

ଲିଟ୍-ଫେଷ୍ଟର ମଞ୍ଚରେ ପ୍ରତିଭା ରାୟ

ମୁମ୍ବାଇଠାରେ ଅନୁଷ୍ଠିତ ହେଉଥିବା ‘ଲିଟ୍-ଫେଷ୍ଟ ୨୦୨୪’ର ଦ୍ବିତୀୟ ଦିବସ, ନଭେମ୍ବର ୧୬ ତାରିଖ ଅପରାହ୍ନରେ ବିଶିଷ୍ଟ ଓଡ଼ିଆ ଲେଖିକା ପ୍ରତିଭା ରାୟଙ୍କୁ ତା’ଙ୍କର ଜୀବନବ୍ୟାପୀ ସାଧନା ପାଇଁ ‘ଲାଇଫ୍‌ଟାଇମ୍ ଏଚିଭ୍‌ମେଣ୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ସଭାମଞ୍ଚର ସଂଯୋଜକ ଅଶ୍ବିନୀ କୁମାରଙ୍କ ସହ ହୋଇଥିବା ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିଭା ରାୟ କହିଥିଲେ ଯେ ସେ ନିଜର ୨୪ତମ ଉପନ୍ୟାସଟି ଏବେ ଲେଖୁଛନ୍ତି; କିନ୍ତୁ ସେଇଟିର ନାମ ଏବେ କହିବେ ନାହିଁ। ତାଙ୍କର ବୟସ କେତେ, ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ତାଙ୍କର ଲିଖିତ ଉପନ୍ୟାସଗୁଡିକର ସଂଖ୍ୟା ଯେତିକି, ତାଙ୍କର ବୟସ ସେତିକି, ଅର୍ଥାତ୍ ଚବିଶି ମାତ୍ର।
୮୦ ବର୍ଷ ବୟସ୍କା ସୁଲେଖିକା ପ୍ରତିଭା ରାୟ ମୂର୍ତ୍ତିଦେବୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଓ ଭାରତ ସରକାରଙ୍କ ଦ୍ବାରା ପଦ୍ମଭୂଷଣ ସମ୍ମାନରେ ଭୂଷିତ ହୋଇଛନ୍ତି। ୨୦୧୦ ମସିହାରୁ ନିୟମିତ ଭାବରେ ଅନୁଷ୍ଠିତ ହେଉଥିବା ‘ମୁମ୍ବାଇ ଲିଟ୍-ଫେଷ୍ଟ୍’ରେ ପ୍ରତି ବର୍ଷ ସାହିତ୍ୟକୁ ସମୃଦ୍ଧ କରିଥିବା ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟିକାଙ୍କୁ ସେମାନଙ୍କର ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଥାଏ।
(ପ୍ରକାଶିତ: ୧୬ ନଭେମ୍ବର, ୨୦୨୪)

ମାନସ ସାମଲ ପାଇଲେ ବାଳ ସାହିତ୍ୟ ପୁରସ୍କାର: ସମ୍ପାନରେ ଅଧ୍ୟକ୍ଷତା କଲେ ଦାଶ ବେନହୁର

ଲକ୍ଷ୍ନୌରେ ମାନସ ରଂଜନ ସାମଲଙ୍କ ପୁରସ୍କାର ଗ୍ରହଣ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ନଭେମ୍ବର ୧୪ ଓ ୧୫ ଦୁଇଦିନ ଧରି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷର ବାଳ ସାହିତ୍ୟ ପୁରସ୍କାର ବିତରଣ ଉତ୍ସବ ତଥା ‘ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ବିଷୟରେ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ଦେଶର ବିଭିନ୍ନ ଭାଷାଭାଷୀ ୨୪ ଜଣ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଓଡ଼ିଶାରୁ ପୁରସ୍କୃତ ହୋଇଥିଲେ ସୁବିଦିତ ଶିଶୁ ସାହିତ୍ୟିକ ମାନସ ରଂଜନ ସାମଲ।
ପୁରସ୍କାର ଗ୍ରହଣ କରି ମାନସ ରଂଜନ ସାମଲ କହିଲେ ଯେ ବୟସ ଉପଯୋଗୀ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଶିଶୁ ସାହିତ୍ୟ ସୃଷ୍ଟି କରିବା ପାଇଁ ଲେଖକମାନେ ଯତ୍ନବାନ ହୁଅନ୍ତୁ। ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ପାନରେ ଅଧ୍ୟକ୍ଷତା କରି ଦାଶ ବେନହୁର କହିଲେ ଯେ ଅତୀତର ଲୋକଧାରାକୁ ପିଲାଙ୍କ ସାହିତ୍ୟରେ ଉଜ୍ଜୀବିତ କରି ରଖିବା ସହ ବର୍ତ୍ତମାନର ସାମାଜିକ ପରସ୍ଥିତି ଓ ଭବିଷ୍ୟତରେ ରୂପ ନେବାକୁ ଯାଉଥିବା ବୈଷୟିକ ତଥା ବିଜ୍ଞାନଗତ ବାସ୍ତବତା ଏବଂ କଳ୍ପନାକୁ ମଧ୍ୟ‌ ଯୋଡିବାକୁ ପଡିବ।
ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ମାଧବ କୌଶିକ ସଭାପତିତ୍ବ କରିଥିଲେ ଏବଂ ଏକାଡେମୀର ସଚିବ କେ. ଶ୍ରୀନିବାସନ୍ ସ୍ବାଗତ ଅଭିଭାଷଣ ଦେଇଥିଲେ।
(ପ୍ରକାଶିତ: ୧୫ ନଭେମ୍ବର, ୨୦୨୪)

ଅଖିଳ ମୋହନ ଫାଉଣ୍ଡେସନ୍ ପୁରସ୍କାର ଘୋଷିତ

ଅଖିଳ ମୋହନଙ୍କ ସ୍ମୃତିରେ ପ୍ରଦତ୍ତ ହେବ ପୁରସ୍କାର

ଏ ବର୍ଷର ଅଖିଳ ମୋହନ କଥା ସମ୍ମାନ ୫୧ ରୁ ୭୫ ବର୍ଷ ବୟସର ଲେଖକମାନଙ୍କ ପାଇଁ, ବରିଷ୍ଠ ବର୍ଗରେ, ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଏବଂ ୫୦ ବର୍ଷରୁ କମ୍ ଲେଖକମାନଙ୍କ ପାଇଁ ସୁସାହିତ୍ୟିକ ସଞ୍ଜୟ କୁମାର ବାଗ୍‌ଙ୍କୁ ଚୟନ କରାଯାଇଛି। ଜ୍ଞାନଦା କବିତା ସମ୍ମାନ, ବରିଷ୍ଠ ବର୍ଗରେ ସ୍ବନାମଧନ୍ୟ କବି ବିପିନ ନାୟକ ଏବଂ କନିଷ୍ଠ ବର୍ଗରେ ସୁବିଦିତ କବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ବୋଲି ଘୋଷଣା କରାଯାଇଛି। ଏହା ସହ ଶିଖର ସମ୍ମାନ ବର୍ଷୀୟାନ କବି ରମାକାନ୍ତ ରଥଙ୍କୁ ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ୨୦୨୪ ପାଇଁ ପୁରସ୍କାର ପ୍ରାପକଙ୍କ ବିଷୟରେ ନିଷ୍ପତ୍ତି ନେବାକୁ ୧୩ ନଭେମ୍ବର ଦିନ ଅସିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରତିବର୍ଷ ଡିସେମ୍ବର ୧୮ ରେ ଲେଖକଙ୍କ ଜନ୍ମ ବାର୍ଷିକୀକୁ ଅଖିଳ ଦିବସ ଭାବେ ପାଳନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଏ। ଫାଉଣ୍ଡେସନ ୨୦୨୭ ମସିହାରେ ଲେଖକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାର ଆୟୋଜନ ଉପରେ ମଧ୍ୟ ବିଚାର ବିମର୍ଶ କରିଥିଲା। ପ୍ରକାଶ ଥାଉ କି ନଭେମ୍ବର ୨୦୨୪ରେ ଅଖିଳମୋହନ ଫାଉଣ୍ଡେସନର ଚେୟାରମ୍ୟାନ ଭାବରେ ସାହିତ୍ୟିକ ଅସିତ ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଚେୟାରମ୍ୟାନ କବି ରାଜେନ୍ଦ୍ର କିଶୋର ପଂଡ଼ା ଫାଉଣ୍ଡେସନର ପରାମର୍ଶଦାତା ଭାବରେ ମାର୍ଗଦର୍ଶନ କରିବେ ବୋଲି ନିଷ୍ପତ୍ତି ହୋଇଛି।
(ପ୍ରକାଶିତ: ୧୩ ନଭେମ୍ବର, ୨୦୨୪)

ଭୁବନେଶ୍ଵରରେ ଆୟୋଜିତ ହେଲା ତୃତୀୟ ‘ପରିଚୟ ସାହିତ୍ୟ ଉତ୍ସବ’

ସାହିତ୍ୟ ଉତ୍ସବ ଉପଲକ୍ଷେ ଆଲୋଚନାଚକ୍ର

‘ପ୍ରୟାସ’ ଅନୁଷ୍ଠାନ ଦ୍ଵାରା ଆୟୋଜିତ ତୃତୀୟ ‘ପରିଚୟ’ ଶୀର୍ଷକ ଏକ ସାହିତ୍ୟ ଉତ୍ସବ ନଭେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱର ବୁଦ୍ଧ ମନ୍ଦିର ସଭାଗାରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ସହଯୋଗକ୍ରମେ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୧୦ ତାରିଖ ଦିନ ଏହାର ତୃତୀୟ ଦିବସରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିର ବିଷୟବସ୍ତୁ ଥିଲା, ଦର୍ଶନତତ୍ତ୍ୱକୁ ଭାରତୀୟ ବୁଦ୍ଧ ସାହିତ୍ୟର ଅବଦାନ। ଏହି ଅଧିବେଶନରେ ସୁବିଦିତ ଲେଖକ ଓ ବୌଦ୍ଧ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ବିଶେଷତଃ ଓଡିଶାର ସାହିତ୍ୟ ଓ ଇତିହାସକୁ ବୌଦ୍ଧ ସାହିତ୍ୟର ଅବଦାନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିତୁ ମିଶ୍ର, ଅନୀତା ସାବତ, ଆଦ୍ୟାଶା ଦାସ ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ କୋରିଆର ‘ଲାସ୍ୟକଳା’ ଗ୍ରୁପ୍ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
(ପ୍ରକାଶିତ: ୧୦ ନଭେମ୍ବର, ୨୦୨୪)

ଲୋକାର୍ପିତ ହେଲା: ‘ଜୟନ୍ତ ମହାପାତ୍ର: ଦି ପୋଏଟ୍ ଫ୍ରମ୍ ତିନିକୋଣିଆ ବଗିଚା’

କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିଚାରଣ

ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ଜୟନ୍ତ ମହାପାତ୍ରଙ୍କ ସଂପର୍କରେ ‘ଧଉଳି ବୁକ୍‌ସ’ ପ୍ରକାଶନ ସଂସ୍ଥା ତରଫରୁ ଏକ ମନୋଜ୍ଞ ସଂକଳନ – ‘ଜୟନ୍ତ ମହାପାତ୍ର : ଦି ପୋଏଟ୍ ଫ୍ରମ୍ ତିନିକୋଣିଆ ବଗିଚା’ ନଭେମ୍ବର ୪ ତାରିଖ ଦିନ ଲୋକାର୍ପିତ ହୋଇଯାଇଛି । କଟକ ସହର ସହିତ କବି ଜୟନ୍ତ ମହାପାତ୍ରଙ୍କ ନିବିଡ଼ ସଂପର୍କକୁ ସମ୍ମାନ ଜଣାଇ ଏହି ସଂକଳନର ଉନ୍ମୋଚନ ବାରବାଟି ଷ୍ଟାଡିୟମ୍ ସ୍ଥିତ ଓଡ଼ିଶା କ୍ରିକେଟ ଆସୋସିଏସନ କନ୍‌ଫରେନ୍‌ସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା‌।
ସଂକଳନଟିକୁ ଉନ୍ମୋଚନ କରି ସଂସ୍କୃତି ଓ ସାହିତ୍ୟାନୁରାଗୀ ତଥା ପ୍ରାକ୍ତନ ଆୟକର ମୁଖ୍ୟ ଆୟୁକ୍ତ ପ୍ରଦୋଷ ଚନ୍ଦ୍ର ମହାନ୍ତି କହିଲେ ଯେ ଜୟନ୍ତ ବାବୁଙ୍କ ମହାପ୍ରୟାଣ ପରେ ତାଙ୍କର ଜୀବନ ଓ କୃତି ସମ୍ପର୍କରେ ଏବେ ସର୍ବତ୍ର ବ୍ୟାପକ ବିଚାର- ଆଲୋଚନା ହେବା ଏକ ସୁଖଦ ଅନୁଭୂତି। କବି ଚିନ୍ମୟ ଜେନା କହିଲେ ଯେ ଜୟନ୍ତ ମହାପାତ୍ର ଜଣେ ଅହଙ୍କାର-ଶୂନ୍ୟ ପୁରୁଷ ଥିଲେ। ସଭାରେ ଉପସ୍ଥିତ ଥିବା ଜୟନ୍ତ ମହାପାତ୍ରଙ୍କ ସାନ ଭଉଣୀ ସୁରଭି ରାଉତ କହିଲେ ଯେ ତା’ଙ୍କଠାରୁ ବୟସରେ ୧୩ ବର୍ଷ ବଡ଼ ହୋଇଥିବାରୁ ସେ ଜୟନ୍ତଙ୍କୁ ବାପାଙ୍କ ଭଳି ସମ୍ମାନ ଦେଉଥିଲେ। ଏହି ସଂକଳନର ସଂପାଦକ ତଥା ପ୍ରକାଶକ ମନୁ ଦାଶ କହିଲେ ଯେ ଏହି ସଂକଳନଟିର ପରିକଳ୍ପନା ଆଜିକୁ ୧୦ ବର୍ଷ ତଳେ କରାଯାଇଥିଲା। ସଂକଳନଟିର ସହ-ସମ୍ପାଦକ ତଥା କବି ଦୁର୍ଗାପ୍ରସାଦ ପଣ୍ଡା କହିଲେ ଯେ ଜୟନ୍ତ ମହାପାତ୍ର ଅତି ସରଳ ବ୍ୟକ୍ତିତ୍ବ ସମ୍ପନ୍ନ ଥିଲେ।
କଟକ ସହରର ଅନେକ ବୁଦ୍ଧିଜୀବି, ସାହିତ୍ୟପ୍ରେମୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ । ପୁସ୍ତକ ଉନ୍ମୋଚନ ପରେ ଜୟନ୍ତ ମହାପାତ୍ରଙ୍କ ଇଂରାଜୀ ଓ ଓଡ଼ିଆ କବିତା ପାଠ କରାଯାଇଥିଲା । ଅଧ୍ୟାପକ ଓ କବି ଚିନ୍ମୟ ଜେନାଙ୍କ ତତ୍ତ୍ୱାବଧାନରେ ଏହି ଆୟୋଜନ କରାଯାଇଥିଲା।
ଏହି ପୁସ୍ତକରେ ଭାରତ ତଥା ବିଶ୍ୱର ଅନେକ ବିଖ୍ୟାତ କବି ଓ ଲେଖକ ଜୟନ୍ତ ମହାପାତ୍ରଙ୍କ ସଂପର୍କରେ ଲେଖା ଲେଖିଛନ୍ତି । ସେମାନଙ୍କ ଭିତରେ ଅଛନ୍ତି – ଆଦିଲ ଜୁସାୱାଲା, ଅମିତ ଚୌଧୁରୀ, ଅନାମିକା, ଅନନ୍ୟ ଏସ୍ ଗୁହା, ଅଞ୍ଜୁମ ହାସନ୍‌, ଅରୁନ୍ଧତି ସୁବ୍ରମଣ୍ୟମ୍‌, ଚିନ୍ମୟ ଜେନା, ଧ୍ରୁବ ହଜାରିକା, ଦିଲିପ ଚିତ୍ରେ, ଦୁର୍ଗା ପ୍ରସାଦ ପଣ୍ଡା, ଗୁଲଜାର, ଜନ୍ ଓଲିଭର ପେରି, କାଇଜର ହକ୍‌, କିଙ୍ଗଫମ୍ ସିଂ ନଙ୍କନିରି, ମନୁ ଦାଶ, ମୀନା ଆଲେକ୍ସଜାଣ୍ଡର, ଏମ୍‌.କେ. ଅଜୟ, ନବୀନା ଦାସ, ରାନୁ ୟୁନିଆଲ୍‌, ରିଜିଓ ରାଜ, ସଚ୍ଚିଦାନନ୍ଦ ମହାନ୍ତି, ସମ୍ପୂର୍ଣ୍ଣା ଚାଟାର୍ଜୀ, ଶାନ୍ତା ଆଚାର୍ଯ୍ୟ, ସୀତାକାନ୍ତ ମହାପାତ୍ର, ସୁଦୀପ ସେନ୍‌, ସୁକ୍ରିତା, ସୁମନ୍ୟୁ ଶତପଥୀ, ଭିନିତା ଅଗ୍ରୱାଲ ଓ ଜିନିଆ ମିତ୍ରା।
(ପ୍ରକାଶିତ: ୪ ନଭେମ୍ବର, ୨୦୨୪)

‘ହସଖେଳ’ ବହି ଓଡ଼ିଆ ଭାଷାଶିକ୍ଷାକୁ ବିପର୍ଯ୍ୟସ୍ତ କରିଛି: ବୈଷ୍ଣବ ମହାନ୍ତି

କଳିଙ୍ଗ ଇତିହାସ ସଂସ୍ଥାର ସଭାରେ ଆଲୋଚନା

କଳିଙ୍ଗ ଇତିହାସ ସଂସ୍ଥା ପକ୍ଷରୁ ଅକ୍ଟୋବର ୨୭ ତାରିଖ ଦିନ ଆୟୋଜିତ ଏକ ଆଭାସୀ ଅଧିବେଶନରେ ନିଜର ବକ୍ତବ୍ୟ ରଖି ବିଶିଷ୍ଟ ଲେଖକ ତଥା ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ର ପ୍ରତିଷ୍ଠାତା ବୈଷ୍ଣବ ଚରଣ ମହାନ୍ତି କହିଲେ ଯେ ୨୦୦୨ ମସିହାରୁ ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରଥମ ଶ୍ରେଣୀରେ ଅକ୍ଷର ଶିକ୍ଷା ପାଇଁ ଲାଗୁ ହୋଇଥିବା ‘ହସଖେଳ’ ବହି ଓଡ଼ିଆ ଭାଷାଶିକ୍ଷାର ପ୍ରଭୂତ କ୍ଷତି କରିଛି। ଓଡ଼ିଶାର ତତ୍‌କାଳୀନ ଡି.ପି.ଆଇ ମହୋଦୟ ସଂଶ୍ଳେଷଣ (ସିନ୍ଥେଟିକ) ପରିବର୍ତ୍ତେ ବିଶ୍ଳେଷଣ (ଆନାଲିଟିକ୍) ପଦ୍ଧତିରେ ଓଡ଼ିଶାର ପିଲାମାନଙ୍କୁ ଅକ୍ଷରଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହି ପୁସ୍ତକ ଲାଗୁ କରିବା ପାଇଁ ଆଦେଶ ଦେଇଥିଲେ। ଶ୍ରୀ ମହାନ୍ତି କହିଲେ ଯେ ଏହି ପଦ୍ଧତି ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଏଥିରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ପ୍ରଥମେ ଓଡ଼ିଆ ଅକ୍ଷର ନ ଶିଖି ବରଂ ପ୍ରଥମେ ଶବ୍ଦ ଶିଖୁଛନ୍ତି। ତାହାପରେ ସେମାନଙ୍କୁ ପଢ଼ାଯାଉଥିବା ଅକ୍ଷରଶିକ୍ଷା ମଧ୍ୟ ‘ଅ, ଆ’ରୁ ଆରମ୍ଭ ନ ହୋଇ ଓଡ଼ିଆ ଅକ୍ଷରକ୍ରମର ଅନ୍ୟ କୌଣସି ବର୍ଣ୍ଣ ବା ଅକ୍ଷରରୁ ଆରମ୍ଭ ହେଉଛି। ‘ହସଖେଳ’ ବହିର ପ୍ରଥମ ପାଠରେ ଅଛି ‘ଚ’ ଓ ‘ଟ’, ଅଥଚ ଷଷ୍ଠ ପାଠରେ ଅଛି ‘ଅ’ ଓ ‘ଆ’। ଫଳରେ ଓଡ଼ିଆ ଭାଷାଶିକ୍ଷା ବିପର୍ଯ୍ୟସ୍ତ ହୋଇଯାଇଛି। ୨୦୦୨ ମସିହାରେ ଲାଗୁ ହୋଇଥିବା ଏହି ବହି ପଢ଼ି ଯେଉଁମାନେ ଆଜି ବଡ଼ ହୋଇଛନ୍ତି, ଏପରିକି ମାଟ୍ରିକୁଲେସନ୍‌ରେ ପ୍ରଥମ ଶ୍ରେଣୀ ପାଇଥିବା ଆଜିର ଛାତ୍ରମାନେ ମଧ୍ୟ ଓଡ଼ିଆରେ ନିର୍ଭୁଲ ଭାବରେ ବାକ୍ୟଟିଏ ଲେଖିପାରୁ ନାହାନ୍ତି। ଓଡ଼ିଆ ଅକ୍ଷରକ୍ରମ ଠିକ୍ ଭାବରେ ଜାଣିନଥିବା ଫଳରେ ସେମାନେ ଓଡ଼ିଆ ଅଭିଧାନରୁ ଶବ୍ଦଟିଏ ଖୋଜିବାକୁ ମଧ୍ୟ ସମର୍ଥ ହେଉନାହାନ୍ତି। ଏଣୁ ଏହି ‘ହସଖେଳ’ ବହିଟିକୁ ପାଠ୍ୟକ୍ରମରୁ ତୁରନ୍ତ ହଟାଯିବା ଜରୁରୀ। ପୂର୍ବର ‘ବର୍ଣ୍ଣବୋଧ’ ବହି ବରଂ ଅଧିକ ଉପଯୋଗୀ ଥିଲା। ନିଜର ବକ୍ତବ୍ୟ ରଖିବା ପରେ ଶ୍ରୀ ମହାନ୍ତି ଉପସ୍ଥିତ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।
ସଭାର ପ୍ରାରମ୍ଭରେ ସୁନୀଲ ବିଶ୍ୱାଳ ମୁଖ୍ୟବକ୍ତା ତଥା ସମସ୍ତ ଶ୍ରୋତାଙ୍କୁ ସ୍ବାଗତ କରିଥିଲେ। ପରିଶେଷରେ ସଞ୍ଜୟ ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଧିବେଶନରେ ଦେଶ ତଥା ବିଦେଶର ଅନେକ ଭାଷାପ୍ରେମୀ ଉପସ୍ଥିତ ଥିଲେ।
(ପ୍ରକାଶିତ: ୨୭ ଅକ୍ଟୋବର, ୨୦୨୪)

୬ଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ପାଇଁ ଭୁବନେଶ୍ବରରେ ଚାଲିଛି ପ୍ରସ୍ତୁତି

ବହିମେଳାକୁ ଦିଆଯିବ ନୂଆ ରୂପ

ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ଅନୁଷ୍ଠିତ ହେବ। ରାଜଧାନୀ ପୁସ୍ତକମେଳା, ଏକାମ୍ର ପୁସ୍ତକମେଳା କମିଟି ଓ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ଏହାର ସହ-ଆୟୋଜକ ଅଛନ୍ତି। ରାଜ୍ୟରେ ନୂତନ ସରକାର କ୍ଷମତାକୁ ଆସିବା ପରେ ସରକାରୀ ଉଦ୍ୟମରେ ଏହା ପ୍ରଥମ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ହେବ।
ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ଆଦେଶନାମା ଜାରୀହେବା ପରେ ‘ରାଜଧାନୀ ପୁସ୍ତକମେଳା’ ପକ୍ଷରୁ ସହିଦ ନଗରରେ ଏକ କାର୍ଯ୍ୟାଳୟ ଖୋଲାଯାଇ ଷ୍ଟଲ୍‌ଗୁଡ଼ିକର ବୁକିଂ ଆରମ୍ଭ ହୋଇଛି ଏବଂ ଏ ଯାବତ୍ ପ୍ରାୟ ୧୦୦ଟି ଷ୍ଟଲ୍‌ର ବୁକିଂ ହୋଇସାରିଥିବା ଜଣାପଡ଼ିଛି। କିନ୍ତୁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂଆ ନୀତି ସ୍ଥିର କରାଯାଇ ଏ ବର୍ଷ କେବଳ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କୁ ହିଁ ଷ୍ଟଲ୍ ଆବଣ୍ଟିତ ହେବ ବୋଲି ନିଷ୍ପତ୍ତି ନିଆଯିବା ଫଳରେ ଏ ବିଷୟରେ ସାମାନ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି। ସରକାର ଏ ବିଷୟରେ ଖୁବ୍ ଶୀଘ୍ର ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଘୋଷଣା କରି ସଂସ୍କୃତି ବିଭାଗ ଜରିଆରେ ମଧ୍ୟ ଷ୍ଟଲ୍ ପାଇଁ ଆବେଦନ ଗ୍ରହଣ କରିବେ ବୋଲି ଜଣାଯାଇଛି।
ଗତ ଅକ୍ଟୋବର ୧୮ ତାରିଖରେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭାଗୀୟ ଯୁଗ୍ମ ସଚିବ ତଥା ଏହି ପୁସ୍ତକ ମେଳାର ନୋଡାଲ୍ ଅଫିସର ଦେବପ୍ରସାଦ ଦାଶ ଏବଂ ତିନୋଟି ଯାକ ସହଯୋଗୀ ସଂସ୍ଥାର ପ୍ରତିନିଧି ଓ ଭୁବନେଶ୍ବରର କିଛି ଜଣ ବିଶିଷ୍ଟ ପ୍ରକାଶକ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ସୂଚନା ଦିଆଯାଇଥିଲା ଯେ ଏବର୍ଷ ପୁସ୍ତକମେଳାକୁ ଏକ ସୁଦୃଶ୍ୟ ଓ ଉପଯୋଗୀ ରୂପ ଦିଆଯିବ। ପୁସ୍ତକ ମେଳାର ପରିସର ତିନୋଟି ମୁଖ୍ୟ ଥିମ୍ ଉପରେ ଆଧାରିତ ହେବ; ଯଥା, ବିର୍ସା ମୁଣ୍ଡା ଓ ଅନ୍ୟ ସ୍ବାଧୀନତାଙ୍କ ସଂଗ୍ରାମୀଙ୍କ ଅବଦାନ, ଡ଼. ହରେକୃଷ୍ଣ ମହତାବଙ୍କ ଶତବାର୍ଷିକୀ ଓ ଓଡ଼ିଶାର ବୌଦ୍ଧ ଐତିହ୍ୟ। ତେବେ ଏ ବର୍ଷ ପ୍ରକାଶକମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆ ନ ଯାଇ କେବଳ ଲଟେରୀ ମାଧ୍ୟମରେ ସେମାନଙ୍କୁ ଷ୍ଟଲ୍ ଆବଣ୍ଟିତ କରିବାକୁ ସରକାର ଦେଇଥିବା ପ୍ରସ୍ତାବ ପ୍ରତି କିଛି ସଂଖ୍ୟକ ପ୍ରକାଶକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ସେହି ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ନଭେମ୍ବର ମାସରେ ଏକ ଅନୁଷ୍ଠାନ ‘କଳିଙ୍ଗ ପୁସ୍ତକ ମେଳା’ ନାମରେ ଅନ୍ୟ ଏକ ପୁସ୍ତକ ମେଳା ମଧ୍ୟ ଆୟୋଜିତ କରିବାକୁ ଥିବାରୁ ଏହା ପୁସ୍ତକ ପ୍ରେମୀମାନଙ୍କୁ ଭ୍ରମରେ ପକାଇବାର ସମ୍ଭାବନା ରହିଛି।
(ପ୍ରକାଶିତ: ୨୫ ଅକ୍ଟୋବର, ୨୦୨୪)

ଓଡ଼ିଆ ପତ୍ରିକା ବଜାରରେ ପହଞ୍ଚିଲା ପତ୍ରିକାମାନଙ୍କର ପୂଜା ବିଶେଷାଙ୍କ

ଏଥର ପୂଜା ପତ୍ରିକାଙ୍କ ସଂଖ୍ୟା କମିଛି

ପବିତ୍ର ଦଶହରା ପର୍ବ ଉପଲକ୍ଷେ ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କର ପୂଜା ବିଶେଷାଙ୍କର ଆଗମନ ପରେ ଓଡ଼ିଶାର ପତ୍ରିକା ବଜାର ଚଳଚଞ୍ଚଳ ହୋଇଉଠିଛି। ପୂଜା ସଂଖ୍ୟା ବ୍ୟତୀତ ପାର୍ବଣ ବିଶେଷାଙ୍କ, ଶାରଦୀୟ ସଂଖ୍ୟା ଆଦି ଭାବରେ ମଧ୍ୟ ଏହି ବିଶେଷ ସଂଖ୍ୟାଗୁଡ଼ିକ ପରିଚିତ। କେତେକ ମାସିକ ପତ୍ରିକା ଏହି ଅବସରରେ ସାଧାରଣ ଅକ୍ଟୋବର ସଂଖ୍ୟା ଭାବରେ ପ୍ରକାଶିତ ହୋଇଥିଲେ ହେଁ, ଦେବୀ ତତ୍ତ୍ବ ସମ୍ପର୍କୀୟ ସ୍ବତନ୍ତ୍ର ପ୍ରବନ୍ଧ ପ୍ରକାଶ କରି ପୂଜା ପତ୍ରିକାର ଲକ୍ଷଣ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କଟକ ଓ ଭୁବନେଶ୍ୱରର ମୁଖ୍ୟ ପାଇକାରୀ ପତ୍ରିକା ବିତରକଙ୍କ ପାଖରେ ୪୦ରୁ ଅଧିକ ପୂଜା ବିଶେଷାଙ୍କ ପହଞ୍ଚିସାରିଥିବା ଜଣାଯାଇଛି। ଆଉ କିଛି ଦିନ ମଧ୍ୟରେ ଆହୁରି କିଛି ସଂଖ୍ୟକ ପତ୍ରିକାଙ୍କର ବିଶେଷାଙ୍କ ମଧ୍ୟ ଆସିବାର ଅଛି। ତେବେ ଏ ବର୍ଷ ଗତ ବର୍ଷ ଅପେକ୍ଷା କମ୍ ସଂଖ୍ୟକ ପୂଜା ପତ୍ରିକା ପ୍ରକାଶିତ ହୋଇଥିବା ଅନୁମାନ କରାଯାଉଛି। ଗତ ବର୍ଷ ୯୮ ଟି ପୂଜା ପତ୍ରିକା ପ୍ରକାଶିତ ହୋଇଥିଲା। ଏଗୁଡ଼ିକ ମଧ୍ୟରେ କିଛି ଅନିୟମିତ ପତ୍ରିକା ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଗୁଡ଼ିକ କେବଳ ପୂଜା ଅବସରରେ ବର୍ଷକୁ ଥରେ ମାତ୍ର ପ୍ରକାଶିତ ହୁଅନ୍ତି। ଚଳିତ ବର୍ଷ ପୂଜା ପତ୍ରିକାମାନଙ୍କର ଅତିଶୟ ମୂଲ୍ୟ ବୃଦ୍ଧି ସେମାନଙ୍କର ପ୍ରସାରଣରେ ବାଧକ ସାଜିପାରେ। ଏଥର ଅନେକ ପତ୍ରିକାଙ୍କର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହୋଇଥିବା ଦେଖିବାକୁ ମିଳିଛି।
ଗତ ବର୍ଷ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଓ ‘ବର୍ତ୍ତିକା’ର ପୂଜା ସଂଖ୍ୟା ସର୍ବାଧିକ ସଂଖ୍ୟାରେ ବିକ୍ରୀ ହୋଇଥିଲା। ଏ ବର୍ଷ ‘ସମ୍ବାଦ’ର ବିଶେଷାଙ୍କ ଅକ୍ଟୋବର ୧୦ ତାରିଖ ଦିନ ବଜାରକୁ ଆସିଥିବା ବେଳେ ‘ବର୍ତ୍ତିକା’ ଅକ୍ଟୋବର ୧୨ ତାରିଖରେ ଲୋକାର୍ପିତ ହେବ ବୋଲି ଜଣା ପଡ଼ିଛି। ପ୍ରକାଶ ଥାଉ କି ଇତି ମଧ୍ୟରେ ‘ବର୍ତ୍ତିକା’ର ସମ୍ପାଦକ ଡ. ନବକିଶୋର ମିଶ୍ରଙ୍କ ଦେହାନ୍ତ ହୋଇଯିବା ପରେ ସମ୍ପାଦନା ମଣ୍ଡଳୀର ଅନ୍ୟ ସଦସ୍ୟମାନଙ୍କ ଦ୍ବାରା ଓଡ଼ିଶାର ଏହି ସର୍ବାପେକ୍ଷା ପୃଥୁଳକାୟ ପତ୍ରିକାଟି ସମ୍ପାଦିତ ହେବ।
ବର୍ତ୍ତମାନ ସୁଦ୍ଧା ପୂଜା ବଜାରକୁ ଆସିଥିବା ଉଲ୍ଲେଖନୀୟ ପତ୍ରିକାମାନଙ୍କ ମଧ୍ୟରେ କାଦମ୍ବିନୀ, ରେବତୀ, ସତ୍ୟବାଦୀ, କଥା (ନବ ପ୍ରତିଭା ବିଶେଷାଙ୍କ), ସମ୍ବାଦ (ବାର୍ଷିକ ବିଶେଷାଙ୍କ), ପୌରୁଷ, ସୌରଭ, ଅମୃତାୟନ, ତୀରତରଙ୍ଗ, ରତ୍ନଚିରା, ଯୁଗଶ୍ରୀ ଯୁଗନାରୀ, ଶୈଳଜା, ଶିଳାଶ୍ରୀ, ସାହିତ୍ୟ ଚର୍ଚ୍ଚା, କଥା କଳିକା, ଆଦ୍ୟାଶ୍ରୀ, ଶୋଭନା, ସାହିତ୍ୟ ଫର୍ଦ୍ଦ, ଗୋକର୍ଣ୍ଣିକା, ଆଭା, ମହୁରି, ପଲକ, ମୌସୁମୀ, ଲେଖାଲେଖି, ସୃଷ୍ଟି, ବିଭାବନା, ଭାଗିରଥୀ, ଅର୍ପିତା, ଦୀକ୍ଷା, ବନଫୁଲ, ପଲ୍ଲୀବଧୂ, ଝର୍କା, ଶ୍ୱେତପଦ୍ମା, ସମ୍ଭବ, ଭଞ୍ଜଦୀପ, ଆରୋହୀ, ଅପୂର୍ବା, ପରାଗ, ଅନ୍ତରୀକ୍ଷ, ପ୍ରାଚୀ ଧାରା, ଭିଜାମାଟି, ପାହାଚ, ଦିଗ୍‌ବଳୟ, ରଜନୀଗନ୍ଧା, ସାଗରିକା ଓ ଅକ୍ଷାଂଶ ଆଦି ଅନ୍ତର୍ଭୁକ୍ତ।
(ପ୍ରକାଶିତ: ୧୦ ଅକ୍ଟୋବର, ୨୦୨୪)

ବାଲେଶ୍ବରରେ ଅନୁଷ୍ଠିତ ହେଲା ଜାତୀୟ ଅନୁବାଦକ ସମ୍ମିଳନୀ

ଜାତୀୟ ଅନୁବାଦକ ସମ୍ମିଳନୀର ମଞ୍ଚରେ ଅତିଥିଗଣ

ବିଶ୍ଵ ଅନୁବାଦ ଦିବସ ଅବସରରେ ଭାଷା ଓ ସାହିତ୍ୟ ବିଭାଗ ଫକୀରମୋହନ ବିଶ୍ଵବିଦ୍ୟାଳୟ ଏବଂ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ସହଯୋଗରେ ଆୟୋଜିତ ତୃତୀୟ ‘ଜାତୀୟ ଅନୁବାଦକ ସମ୍ମିଳନୀ – ୨୦୨୪’ ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ଵାରା ସେପ୍ଟେମ୍ବର ୩୦ ତାରିଖ ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ଅନୁବାଦକ, ସ୍ତମ୍ଭକାର ଡକ୍ଟର ଜ୍ଞାନେଶ୍ୱର ମନୋହର ମୂଳେ ଯୋଗଦେଇ କହିଲେ ଯେ ନିଜର ମାତୃଭାଷାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ପ୍ରାଥମିକ କର୍ତ୍ତବ୍ୟ।
କଥାକାର, ସ୍ତମ୍ଭକାର ଓ ଅନୁବାଦକ ଡ଼. ଗୌରହରି ଦାସ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ ପ୍ରତ୍ୟେକ ଲେଖକ ଜୀବନ କାଳ ମଧ୍ୟରେ ଅନ୍ତତଃ ଗୋଟିଏ ବହି ଅନୁବାଦ କରିବା ଉଚିତ୍। ଅନୁବାଦକ ଜଣେ ଭାଷା, ସାହିତ୍ୟ ଓ ସଂସ୍କୃତିର ବାହକ।
ପିଜି କାଉନସିଲ ଅଧ୍ୟକ୍ଷ, ଫକୀରମୋହନ ବିଶ୍ଵବିଦ୍ୟାଳୟ ପ୍ରଫେସର ଭାସ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆଜିର ଛାତ୍ରଛାତ୍ରୀମାନେ ଆଗାମୀ କାଲିର ଅନୁବାଦକ ହୋଇ ଗଢି ଉଠନ୍ତୁ।
ପ୍ରଫେସର ଦେବାଶିଷ ପାତ୍ର, ବିଭାଗ ମୁଖ୍ୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଫକୀରମୋହନ ବିଶ୍ଵବିଦ୍ୟାଳୟ ନିଜର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ।
ଅନ୍ୟତମ ଆୟୋଜକ, ସଂଗଠକ, ନାଟ୍ୟକାର ତଥା ସଚିବ, ଭାରତୀୟ ଅନୁବାଦ ସାହିତ୍ୟ, ଶରତ ଚନ୍ଦ୍ର ଆଚାର୍ଯ୍ୟ ତୃତୀୟ ଜାତୀୟ ଅନୁବାଦ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ଭାରତୀୟ ଅନୁବାଦ ସାହିତ୍ୟ ପୁରସ୍କାର ୨୦୨୪’ ପ୍ରଦାନ। ଚଳିତ ବର୍ଷ ଓଡ଼ିଶାର ପ୍ରସିଦ୍ଧ ଅନୁବାଦକ ପ୍ରଫେସର ବିଜୟ କୁମାର ମହାନ୍ତି ଓ ଆସାମର ବିଶିଷ୍ଟ ଅନୁବାଦିକା କବିତା ଦତ୍ତ ଗୋସ୍ବାମୀଙ୍କୁ ଭାରତୀୟ ଅନୁବାଦ ସାହିତ୍ୟ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ବିଶିଷ୍ଟ ଅନୁବାଦକମାନଙ୍କର ଅନୁଦିତ ପୁସ୍ତକ ସବୁ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସେମାନଙ୍କ ମଧ୍ୟରେ ପ୍ରବାସିନୀ ମହାକୁଡ଼, କବିତା ଦତ୍ତ ଗୋସ୍ୱାମୀ, ବର୍ଣ୍ଣାଳୀ ଶର୍ମା ଗୌଡ଼, ବାସନ୍ତୀ ମହାନ୍ତି, ଡ଼. କୃଷ୍ଣଚନ୍ଦ୍ର ଗୌଡ଼, ନିହାର ରଞ୍ଜନ ମିଶ୍ର, ସବିତା ବାରିକ ରାଉତ, ବର୍ଣ୍ଣାଳୀ ଡେକା, ନିତ୍ୟାନନ୍ଦ ସାହୁ, ଅନୁପମା ସିଂ ପ୍ରମୁଖ ଅନ୍ୟତମ।
(ପ୍ରକାଶିତ: ୩୦ ସେପ୍ଟେମ୍ବର, ୨୦୨୪)

ମୋ ଜୀବନ – ମୋ ସାହିତ୍ୟ: ନିଜର ଅନୁଭୂତି ବଖାଣିଲେ ସରୋଜିନୀ ସାହୁ

ମଞ୍ଚାସୀନ ଅତିଥିଗଣ

‘ମୋ ଜୀବନ – ମୋ ସାହିତ୍ୟ’ ଏ ବିଷୟରେ ଭୁବନେଶ୍ବରର ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ଦ୍ବାରା ସେପ୍ଟେମ୍ବର ୨୯ ତାରିଖ ଦିନ ଆୟୋଜିତ ଏକ ଆଲୋଚନାଚକ୍ରରେ ନିଜର ବକ୍ତବ୍ୟ ରଖିଥିଲେ ଚଳିତ ବର୍ଷ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଥିବା ସୁପରିଚିତ ଲେଖିକା ସରୋଜିନୀ ସାହୁ। ସେ କହିଲେ ଯେ ପିଲାଦିନେ ତା’ଙ୍କ ଘରକୁ ଅନେକ ସାହିତ୍ୟ ପତ୍ରିକା ଆସୁଥିଲା। ଘରର ଏହି ପରିବେଶ ତା’ଙ୍କ ମନରେ ସାରସ୍ବତ ପ୍ରବୃତ୍ତି ଉଦ୍ରେକ କରିବାରେ ସହାୟକ ହୋଇଥିଲା। ତାଙ୍କର ଲେଖିବା ପଛରେ ତାଙ୍କର ଦିବଂଗତ ଜୀବନସାଥୀ ଜଗଦୀଶ ମହାନ୍ତିଙ୍କ ଅବଦାନ ବହୁତ ବେଶି। ସେ ତାଙ୍କର ଲେଖକୀୟ ଜୀବନର ଗୁରୁ ଥିଲେ। ପରବର୍ତ୍ତୀ କାଳରେ ବିଭିନ୍ନ କାଳଜୟୀ ସାହିତ୍ୟ କୃତିର ଅଧ୍ୟୟନ ମଣିଷ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ଆହୁରି ବ୍ୟାପକ କରିଥିଲା। ସେ ନାରୀବାଦ ପ୍ରତି ଢଳିବା ପଛରେ ତାଙ୍କର ଆଦ୍ଯ ଜୀବନର କିଛି ଘଟଣା ଦାୟୀ। ସେ ଜନ୍ମ ହେବା ପୁର୍ବରୁ ତାଙ୍କର ପିତା ଓ ମାତା ଆଶା କରୁଥିଲେ ଯେ ସେ ଜଣେ ପୁଅ ହୁଅନ୍ତେ କି! ଏହା ପିତୃତାନ୍ତ୍ରିକ ସମାଜ ବ୍ୟବସ୍ଥା ପ୍ରତି ତାଙ୍କ ମନରେ ଏକ ବିଦ୍ରୋହ ଭାବ ସୃଷ୍ଟି କରିଥିଲା, ଯାହାର ପ୍ରତିଫଳନ ତା’ଙ୍କ ରଚନାରେ ମଧ୍ୟ ଦେଖିବାକୁ ମିଳେ। ସେ ପ୍ରଥମେ ମୁଖ୍ୟତଃ ଗଳ୍ପ ହିଁ ଲେଖୁଥିଲେ ଏବଂ ତାଙ୍କର ଆତ୍ମବିଶ୍ବାସ ନ ଥିଲା ଯେ ସେ ଉପନ୍ୟାସ ମଧ୍ୟ ଲେଖିପାରିବେ। ପରେ ବିଭୁତି ପଟ୍ଟନାୟକ ଓ ସାତକଡି ହୋତାଙ୍କ ପ୍ରେରଣାରେ ସେ ଏହା ଲେଖିବାକୁ ସକ୍ଷମ ହେଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ଜଗନ୍ନାଥ ଗବେଷକ ତଥା ପ୍ରକାଶକ ପୀତବାସ ରାଉତରାୟ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସୁଲେଖିକା ହିରଣ୍ମୟୀ ମିଶ୍ର ନାରୀବାଦ ପ୍ରେକ୍ଷାପଟରେ ସରୋଜିନୀ ସାହୁଙ୍କର ରଚନା-ସମଗ୍ରର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ପ୍ରାବନ୍ଧିକ ତଥା ‘ଶତଭିଷା’ ପତ୍ରିକାର ସମ୍ପାଦିକା ଶକୁନ୍ତଳା ବଳିୟାର ସିଂହ କହିଲେ ଯେ ନିଜର ମାନସମ୍ପନ୍ନ ପୁସ୍ତକଗୁଡ଼ିକ ବ୍ୟତୀତ ଇଣ୍ଟରନେଟ୍ ଜଗତରେ ନିଜର ବ୍ଲଗ୍ ଇତ୍ୟାଦି ଜରିଆରେ ମଧ୍ୟ ସରୋଜିନୀ ନିଜର ବକ୍ତବ୍ୟ ସାର୍ଥକ ଭାବରେ ରଖିଛନ୍ତି। ‘ନିତିଦିନ’ର ସମ୍ପାଦକ ମନୋଜ କୁମାର ମହାପାତ୍ର ସରୋଜିନୀଙ୍କ ରଚନାପ୍ରବଣତାର ଅନନ୍ୟ ଦିଗଗୁଡିକ ବିଷୟରେ ଆଲୋଚନା କରିଥିଲେ। ତାଙ୍କ ଲେଖାରେ ନାରୀବାଦୀ ଚିନ୍ତନକୁ ନେଇ କୌଣସି ବିବାଦ ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ମଧ୍ୟ ସେ ମତ ଦେଇଥିଲେ। ପରିଶେଷରେ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ସହରର ଅନେକ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।
(ପ୍ରକାଶିତ: ୨୯ ସେପ୍ଟେମ୍ବର, ୨୦୨୪)

ଜାତୀୟ ଅନୁବାଦକ ସମ୍ମିଳନୀ ଅବସରରେ ‘ଅନୁବାଦ ସାହିତ୍ୟ ସମ୍ମାନ-୨୦୨୪’ ଘୋଷିତ

ଦୁଇଜଣ ପାଇବେ ଅନୁବାଦ ସମ୍ମାନ

‘ଭାରତୀୟ ଅନୁବାଦ ସାହିତ୍ୟ’ ସଂସ୍ଥା ପକ୍ଷରୁ ତଳିତ ବର୍ଷର ସମ୍ମାନ ଜନକ ‘ଅନୁବାଦ ସାହିତ୍ୟ ସମ୍ମାନ ୨୦୨୪’ ପାଇବେ ବିଶିଷ୍ଟ ଅନୁବାଦକ ଡ. ବିଜୟ କୁମାର ମହାନ୍ତି, ଓଡ଼ିଶା ଓ ଅନୁବାଦିକା କବିତା ଦତ୍ତ ଗୋସ୍ୱାମୀ, ଆସାମ। 
ବାଲେଶ୍ଵରର ଖୁଲୁଡା ଠାରେ ଜନ୍ମଗ୍ରହଣ କରିଥିବା ବିଜୟ କୁମାର ମହାନ୍ତି, ହିନ୍ଦୀ ବିଭାଗର ପ୍ରାଧ୍ୟାପକ ଭାବେ ଅବସର ନେଇଛନ୍ତି। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାର ବିଦ୍ୱାନ ସେ। ହିନ୍ଦୀ ଭାଷାରେ ଅନେକ ମୌଳିକ ପୁସ୍ତକ ରଚନା ସହ ବିଭିନ୍ନ ପାଠ୍ୟପୁସ୍ତକର ଲେଖକ ମଧ୍ୟ। ଅନୁବାଦ କ୍ଷେତ୍ରରେ ଡ. ମହାନ୍ତିଙ୍କର ଜାତୀୟସ୍ତରରେ ବେଶ୍ ଖ୍ୟାତି ରହିଛି। ଓଡିଆରୁ ହିନ୍ଦୀରେ ୧୧ ଟି ପୁସ୍ତକ ଏବଂ ହିନ୍ଦୀରୁ ଓଡ଼ିଆ ୨୦ ରୁ ଅଧିକ ପୁସ୍ତକର ଅନୁବାଦ କରିଛନ୍ତି। କବିତା ଦତ୍ତ ଗୋସ୍ବାମୀଙ୍କ ଜନ୍ମ ୧୯୫୪ ମସିହାରେ ଆସାମ ରାଜ୍ୟର ଲଙ୍କା ନାମକ ସ୍ଥାନରେ। ସେ ଆସାମ ରାଜ୍ୟର ଜଣେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ଭୁବନେଶ୍ବରସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରୁ ଡିଷ୍ଟିଂସନ୍ ସହ ଓଡ଼ିଆ ଭାଷାରେ ଡ଼ିପ୍ଲୋମା ହାସଲ କରିଛନ୍ତି। ସେ ଏ ଯାବତ୍ ୧୫ଟି ଓଡ଼ିଆ ବହିକୁ ଅସମୀୟା ଭାଷାରେ ଅନୁବାଦ କରିଛନ୍ତି, ଓ ଗୋଟିଏ ବହି ଇଂରାଜୀରୁ ଅସମୀୟା ଭାଷାକୁ ମଧ୍ୟ ଅନୁବାଦ କରିଛନ୍ତି।
ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧, ୨୦୨୪ ତାରିଖରେ ‘ଭାରତୀୟ ଅନୁବାଦ ସାହିତ୍ୟ’ ତରଫରୁ  ଓଡ଼ିଆ ଭାଷା  ଓ ସାହିତ୍ୟ ବିଭାଗ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ସହଯୋଗରେ  ଆୟୋଜିତ ହେବାକୁ ଥିବା ୩ୟ  ଜାତୀୟ ଅନୁବାଦକ ସମ୍ମିଳନୀ ୨୦୨୪  ଅବସରରେ  ବାଲେଶ୍ଵରଠାରେ ଉଭୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହି ଦୁଇ ଦିବସୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ଯର ଶତାଧିକ କବି,ଲେଖକ, ଅନୁବାଦକ, ଗବେଷକ ଓ  ଛାତ୍ରଛାତ୍ରୀମାନେ ଯୋଗ ଦେଇ ଆଲୋଚନା, କବିତା ପାଠ, ପୁସ୍ତକ ଉନ୍ମୋଚନ, ପୁରସ୍କାର ପ୍ରଦାନ ଏବଂ ସାଂସ୍କୃତିକ କାର୍ୟ୍ଯକ୍ରମରେ  ଭାଗ ନେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା  ଦିଆଯାଇଛିା
(ପ୍ରକାଶିତ: ୨୫ ସେପ୍ଟେମ୍ବର, ୨୦୨୪)

ସ୍ଵନାମଧନ୍ୟ ସାହିତ୍ୟିକ ହରିହର ମିଶ୍ରଙ୍କ ମହାପ୍ରୟାଣ

ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି ହରି ଭାଇନା ଆଉ ନାହାନ୍ତି।

ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଡ. ହରିହର ମିଶ୍ର ସେପ୍ଟେମ୍ବର ୨୩ ତାରିଖ ସକାଳେ ପୁରୀଠାରେ ଥିବା ନିଜର ବାସ ଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଶାର ସାହିତ୍ୟିକ ମହଲରେ ହରି ଭାଇନା ଭାବରେ ସୁପରିଚିତ ଥିଲେ।
ଡ. ହରିହର ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକ ଏବଂ ନାଟ୍ୟକାର। ସେ ଚାକିରୀ ଜୀବନରେ ବିଭିନ୍ନ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ବର୍ଷ କାଳ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଭାପତି ପଦ ମଣ୍ଡନ କରିଥିଲେ। ତାଙ୍କ ଦ୍ୱାରା ରଚିତ ଅନେକ କବିତା, ଗଳ୍ପ ଓ ନାଟ୍ୟ ପୁସ୍ତକ ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ସେ ଶାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା ବିଷୁବ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ‘ନିନ୍ଦିତ ଗଜପତି’ ତାଙ୍କ ଦ୍ବାରା ରଚିତ ଏକ ବହୁଚର୍ଚ୍ଚିତ ନାଟକ। ସେ ‘ସମାବେଶ’ ପତ୍ରିକାର ସମ୍ପାଦକ ଭାବରେ କିଛି ବର୍ଷ ଧରି ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ତାର କରିଥିବା ଅନାମ କାବ୍ୟ ଆନ୍ଦୋଳନ ସହିତ ମଧ୍ୟ ସେ ସଂଶ୍ଳିଷ୍ଟ ଥିଲେ।
(ପ୍ରକାଶିତ: ୨୩ ସେପ୍ଟେମ୍ବର, ୨୦୨୪)

ଉତ୍କଳ ସାହିତ୍ୟ ସମାଜର ୧୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ୨୮ଜଣ ସାରସ୍ଵତ ସାଧକ ସମ୍ମାନିତ

ଶାନ୍ତନୁ ଆଚାର୍ଯ୍ୟ ପାଇଲେ ‘ଉତ୍କଳ ରତ୍ନ’ ସମ୍ମାନ

ଓଡ଼ିଶାର ଅଗ୍ରଣୀ ଓ ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ୧୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହ ସାରସ୍ୱତ ପୀଠ ଶତାବ୍ଦୀ ଭବନ, କଟକଠାରେ ସେପ୍ଟେମ୍ବର ୨୨ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ପକ୍ଷରୁ ଏ ବର୍ଷ ୨୮ ଜଣ ବିଶିଷ୍ଟ ସାରସ୍ବତ ସାଧକଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜ ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ବିଶିଷ୍ଟ ସାରସ୍ୱତ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଗ୍ରହଣକରି ଶ୍ରୀ ଆଚାର୍ଯ୍ୟ କହିଲେ ଯେ, ଆଧ୍ୟାତ୍ମକତା ସହ ପ୍ରଯୁକ୍ତିବିଦ୍ୟା ସାହିତ୍ୟରେ ପ୍ରଯୁକ୍ତ ହେଲେ ସାହିତ୍ୟ ବିଶ୍ୱସ୍ତରୀୟ ହୋଇପାରିବ। ଏଥିପାଇଁ ମଧ୍ୟ ନୂତନ ଚିନ୍ତନ ଓ ନୂତନ ସୃଜନର ଆବଶ୍ୟକତା ରହିଛି।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଚିତ୍ତରଂଜନ ଦାଶ ଉତ୍ସବକୁ ଉଦ୍‌ଘାଟନକରି କହିଲେ ଯେ, ସାଧକର ସାଧନା ଏକ ନିରନ୍ତର ପ୍ରକ୍ରିୟା। ପ୍ରତିକୂଳ ପରିସ୍ଥିତିରେ ସାଧକର ସାଧନା ଉଦାହରଣ ସୃଷ୍ଟି କରିଥାଏ। ମୁଖ୍ୟଅତିଥି ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ଓଡ଼ିଆ ସାହିତ୍ୟର ଐତିହ୍ୟ ଓ ପରଂପରାର ଜଗୁଆଳିଭାବେ କାର୍ଯ୍ୟକରୁଛି ଉତ୍କଳ ସାହିତ୍ୟ ସମାଜ। ଏହାର କାର୍ଯ୍ୟଧାରା ସର୍ବଦା ପ୍ରଶଂସନୀୟ।
ଉତ୍ସବରେ କୃପାସାଗର ସାହୁଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’, ରବି ସ୍ୱାଇଁଙ୍କୁ ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’, ଡକ୍ଟର ବୈଜୟନ୍ତୀ ମିଶ୍ରଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’, ଡାକ୍ତର ପ୍ରସନ୍ନ କୁମାର ରାଠୋରଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’, ଦୁର୍ଗାଚରଣ ଷଡ଼ଙ୍ଗୀଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’, ଡକ୍ଟର ବେଣୁଧର ପାଢୀଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ’, ଡକ୍ଟର ରାଜକିଶୋର ପାଢୀଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’, କ୍ଷୀରୋଦ ପରିଡ଼ାଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’, ଡକ୍ଟର ସଂଗୀତା ରଥଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’, ଡକ୍ଟର ଶାନ୍ତନୁ କୁମାର ରଥଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’, ଗୌରାଙ୍ଗ ଚରଣ ପରିଡ଼ାଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’, ରବି ରଥଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’ ରତ୍ନାକର ବେହେରା (ସର୍ବଗିଳା)ଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’, ରମା ଦେବୀଙ୍କୁ ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’, ଯୋଗାନନ୍ଦ ସାହୁଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ’, ବି. ବୁଦ୍ଧ ପ୍ରସାଦ ରାଓଙ୍କୁ ‘କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ’, ଦେବାଶିଷ ମହାପାତ୍ରଙ୍କୁ ‘ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ’, ସତ୍ୟନାରାୟଣ ମିଶ୍ରଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’, ସତ୍ୟନାରାୟଣ ଗନ୍ତାୟନ୍ତଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’, ନଗେନ୍ଦ୍ରନାଥ ସ୍ୱାଇଁଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠକ ସମ୍ମାନ’ ଶୈଳରାଣୀ ମିଶ୍ରଙ୍କୁ ‘ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ’ ଓ ବିଜୟ କୁମାର ପ୍ରଧାନଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ‘ପ୍ରତିଭା ପ୍ରଣାମ-୨୦୨୪’ ଓ ଅନୁଷ୍ଠାନର ବାର୍ତ୍ତାପତ୍ର ‘ସାହିତ୍ୟ ସନ୍ଦେଶ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
(ପ୍ରକାଶିତ: ୨୨ ସେପ୍ଟେମ୍ବର, ୨୦୨୪)

ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସଙ୍କ ପରଲୋକ

ଚାଲିଗଲେ ଆମ ସାହିତ୍ୟର ଜଣେ ସ୍ଵାଭିମାନୀ ସ୍ରଷ୍ଟା

ବିଶିଷ୍ଟ କବି ଶୁଭେନ୍ଦୁ ମୋହନ ଦାସ ସେପ୍ଟେମ୍ବର ୨୦ ତାରିଖ ଦିନ ବାଲେଶ୍ବରଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟର ଜଣେ ସ୍ଵାଭିମାନୀ ସ୍ରଷ୍ଟା ଥିଲେ। ସେ ପ୍ରଥମେ ୧୯୪୬ ମସିହାରେ ‘ଡଗର’ ପତ୍ରିକାର ‘ନାଗ ବଚା’ ବିଭାଗରେ ଜଣେ ଲେଖକ ଭାବରେ ଆତ୍ମପ୍ରକାଶ କରିଥିଲେ। ‘ତିନୋଟି ନିଃଶ୍ବାସର ଆକାଶ’ ତାଙ୍କର ଏକ ଲୋକପ୍ରିୟ କବିତା ସଂକଳନ। କତିପୟ କବିଙ୍କର କୃତିକୁ ନେଇ ପ୍ରକାଶ ପାଇଥିବା ‘ଏଠି ଏକାଠି’ ସଂକଳନରେ ପ୍ରକାଶିତ ତାଙ୍କର କବିତା ମଧ୍ୟ ବହୁଚର୍ଚ୍ଚିତ ହୋଇଥିଲା। ତାଙ୍କର ଦୁଃଖଦ ବିୟୋଗରେ ଓଡ଼ିଶାର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।
(ପ୍ରକାଶିତ: ୨୦ ସେପ୍ଟେମ୍ବର, ୨୦୨୪)

ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ଏ ବର୍ଷର ଶାରଳା ପୁରସ୍କାର

ନାରୀବାଦୀ ଲେଖିକା ସରୋଜିନୀ ସାହୁ

ବିଶିଷ୍ଟ ନାରୀବାଦୀ ଲେଖିକା ସରୋଜିନୀ ସାହୁ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ଚଳିତ ବର୍ଷର ‘ଶାରଳା ପୁରସ୍କାର’ ପାଇବେ ବୋଲି ସେପ୍ଟେମ୍ବର ୨୦ ତାରିଖ ଦିନ ଘୋଷଣା କରାଯାଇଛି। ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ଲେଖିକାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ଏହି ପୁରସ୍କାର ଘୋଷଣା ବିଷୟ ଶୁଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ଆଶୁ ପ୍ରତିକ୍ରିୟା ଦେଇ ସରୋଜିନୀ ସାହୁ କହିଛନ୍ତି, “ମୁଁ ଏବେ ବଙ୍ଗଳାଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଉପନ୍ୟାସ ରଚନା କରିବାରେ ବୁଡ଼ିରହିଛି। ଏହି ପୁରସ୍କାର ଘୋଷଣା ପରେ ଭୟ ହେଉଛି, ଯେ ଏଥି ଜନିତ ଗହଳ ଚହଳର ପରିଣାମରେ ମୋ ରଚନାର ଖିଅ ହଜାଇ ଦେବିନି ତ!”
ପ୍ରବୀଣ କଥାକାର ସରୋଜିନୀ ସାହୁ କେବଳ ଓଡ଼ିଆ କଥା ସାହିତ୍ୟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରିଣୀ ନୁହନ୍ତି, ଅନେକ ବିଦେଶୀ ତଥା ପ୍ରତିବେଶୀ ଭାଷାର ପାଠକମାନଙ୍କ ମଧ୍ୟରେ ବି ସେ ଜଣେ ଅଗ୍ରଣୀ ନାରୀବାଦୀ ଲେଖିକା ଭାବରେ ପରିଚିତ। ତାଙ୍କର ବହୁ ସୃଷ୍ଟି ବିଭିନ୍ନ ଭାଷାରେ ଅନୁବାଦିତ। ସେ ଓଡ଼ିଆ ସାହିତ୍ୟର ଜଣେ ସ୍ବନାମଧନ୍ୟ ସୃଷ୍ଟା ଦିବଂଗତ ଜଗଦୀଶ ମହାନ୍ତିଙ୍କ ଜୀବନ ସଂଗିନୀ ଥିଲେ, ଏବଂ ଦୀର୍ଘ କାଳ ବେଲପାହାଡ଼ କଲେଜରେ ଅଧ୍ୟାପନା କରିବାପରେ କିଛି ବର୍ଷ ତଳେ ସେବାନିବୃତ ହୋଇଛନ୍ତି। ୬୮ ବର୍ଷ ବଯସ୍କ ଏହି ସୁଲେଖିକା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର ଓ ପ୍ରଜାତନ୍ତ୍ର ପୁରସ୍କାର ଆଦିରେ ସମ୍ମାନିତା ହେବା ସହ କଲିକତାର ପ୍ରସିଦ୍ଧ କିଂଡ଼ଲ୍ ପତ୍ରିକା ଦ୍ବାରା ଦେଶର ୨୫ ଜଣ ଅସାଧାରଣ ମହିଳାଙ୍କ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଆ ଭାଷାରେ ତାଙ୍କର ଏ ଯାବତ ପ୍ରାୟ ୨୦ଟି ପୁସ୍ତକ ପ୍ରକାଶିତ।
(ପ୍ରକାଶିତ: ୨୦ ସେପ୍ଟେମ୍ବର, ୨୦୨୪)

ସମାବର୍ତ୍ତନ ଉତ୍ସବରେ ଶାନ୍ତନୁ ଆଚାର୍ଯ୍ୟ ଟ୍ରଷ୍ଟର ପ୍ରଥମ ସାରସ୍ଵତ ପୁରସ୍କାର ପ୍ରଦାନ

ସମାରୋହରେ ମଞ୍ଚାସୀନ ଅତିଥିବୃନ୍ଦ

ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଟ୍ରଷ୍ଟର ସମାବର୍ତ୍ତନ ଦିବସ ଉପଲକ୍ଷେ ସେପ୍ଟେମ୍ବର ୧୯ ତାରିଖ ଦିନ ଭୁବନେଶ୍ବରର ରୋଟାରୀ ଭବନରେ ଅନୁଷ୍ଠିତ ଏକ ଭବ୍ୟ ସାରସ୍ବତ ସମାରୋହରେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ପ୍ରଫେସର ଆଦିକନ୍ଦ ସାହୁଙ୍କୁ ପ୍ରଥମ ‘ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ପୁରସ୍କାର’ରେ ଭୂଷିତ କରାଯାଇଛି। ମହାକାଶ ବିଜ୍ଞାନୀ ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ସ୍ବାଇଁଙ୍କୁ ମଧ୍ୟ ଆମେରିକାର ସ୍ୱନାମଧନ୍ୟ ହାର୍ଟ ସର୍ଜନ୍ ଡା. ରଣଜିତ ରଥଙ୍କ ନାମରେ ନାମିତ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଉଭୟ ପ୍ରତିଭାଧରଙ୍କୁ ମାନପତ୍ର ସହ ପଚିଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ନିଜର ବକ୍ତବ୍ୟ‌ ରଖି ପ୍ରଫେସର‌ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ବ ସ୍ତରକୁ ଉନ୍ନତ କରିବା ଏହି ଟ୍ରଷ୍ଟର ଲକ୍ଷ୍ୟ। ଓଡ଼ିଆ ସାହିତ୍ୟର ଏକ ଦୁର୍ଦ୍ଦଶା ହେଲା, ଆମେ ଏବେ ବି ମଧ୍ୟଯୁଗରେ ବାସ କରୁଛୁ। ଏଥିରେ ପରିବର୍ତ୍ତନ‌ ଆବଶ୍ୟକ। ମୁଖ୍ୟ ଅତିଥି ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଲେ ଯେ ଆଜି ଆମ ରାଜ୍ୟରେ ଉପଯୁକ୍ତ ନାଗରିକ ସମାଜ ବା ସିଭିଲ୍ ସୋସାଇଟିର ଅଭ୍ୟୁଦୟ ହୋଇ ନ ପାରିବା ପରିତାପର ବିଷୟ। ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମରେ‌ ନାମିତ ଏହି ଟ୍ରଷ୍ଟ ସେହି ଅଭାବ କିଛି ମାତ୍ରାରେ ପୂରଣ କରିପାରିଛି। ପୁରସ୍କାର ପ୍ରାପକ ପ୍ରଫେସର ଆଦିକନ୍ଦ ସାହୁ ଓ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ ମଧ୍ୟ ଏହି ଅବସରରେ ନିଜର ବକ୍ତବ୍ୟ‌ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ‘କାଦମ୍ବିନୀ’ର ସମ୍ପାଦିକା ଇତିରାଣୀ ସାମନ୍ତ। ଅନୁଷ୍ଠାନର ସମ୍ପାଦିକା ପ୍ରତିଭା ପଣ୍ଡା ବିବରଣୀ ପାଠ କରିଥିଲେ। ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରବୀର କୁମାର ଦାଶ ପୁସ୍ତକ ପ୍ରକାଶନ ଜଗତର ସାମ୍ପ୍ରତିକ ସ୍ଥିତି ବର୍ଣ୍ଣନା କରିଥିଲେ। ଏହି ସଭାରେ ରାଜଧାନୀର ଅନେକ କବି, ଲେଖକ ତଥା ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।
(ପ୍ରକାଶିତ: ୧୯ ସେପ୍ଟେମ୍ବର, ୨୦୨୪)

18 thoughts on “ଭାଷା ଓ ସାହିତ୍ୟର ସମ୍ବାଦ

  1. ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି

  2. ଖୁବ ସୁନ୍ଦର ପ୍ରୟାସ , ବହୁତ ବହୁତ ଧନ୍ୟବାଦ।

  3. ସାହିତ୍ୟ ସମାଚାର ମାଧ୍ୟମରେ ସାହିତ୍ୟ ବିଷୟରେ ତଥ୍ୟ ମିଳି ପାରୁଛି।

  4. ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।ସାହିତ୍ୟର ପ୍ରତିଟି ଖବର ଏଥିରେ ଦୃଶ୍ୟମାନ।

  5. ଖୁବ ଉପାଦେୟ, ଧନ୍ୟବାଦ ପ୍ରଣାମ |

  6. ‘ସାହିତ୍ୟଚର୍ଚ୍ଚା’ ପରି ନିରୋଳା ସାହିତ୍ୟ ସଂପୃକ୍ତି ସମ୍ପ୍ରତି ବିରଳ! ନୂଆ ପରିକଳ୍ପନା ସହ ସାହିତ୍ୟର ଦୈନନ୍ଦିନୀକୁ ସାଉଁଟି ଆଣି ପାଠକଙ୍କ ପାଖରେ ରଖିବା କମ କଷ୍ଟକର ନୁହେଁ।
    ଏଥି ନିମନ୍ତେ ସଂପାଦକ ମହୋଦୟଙ୍କୁ ସାଧୁବାଦ ଜଣାଉଛି।

  7. ମୋତେ ଏହି ପୃଷ୍ଠାଟି ବହୁତ ଭଲ ଲାଗିଲା । ସାହିତ୍ୟ ଜଗତର ସବୁ ଖବର ଏଥିରେ ଗଚ୍ଛିତ । ଧନ୍ୟବାଦ ସାହିତ୍ୟ ଚର୍ଚ୍ଚା।

  8. ବିଜୟଲକ୍ଷ୍ମୀ ଆଚାର୍ଯ୍ୟ(ଗାଳ୍ପିକା,କବି,ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ) says:

    ଓଡ଼ିଆ ଭାଷା,ସାହିତ୍ୟ ବିଦେଶ ର ମାଟିରେ ବି ଓଡ଼ିଆ ର ସଂସ୍କାର ସଂସ୍କୃତିକୁ ଜୀବିତ କରିରଖିଛି। ଓଡ଼ିଆ ସାହିତ୍ୟର ନିଶ୍ଚିନ୍ତ ଜୟ ହୋଇଛି ।ଏହିପରି କାର୍ଯ୍ୟକ୍ରମ ଜାରି ରହୁ।

  9. ସାହିତ୍ୟ ଓ ସାହିତ୍ୟିକ ଉଭୟଙ୍କ ମନୋବଳକୁ ଏହା ଦ୍ବିଗୁଣିତ କରିବା ପାଇଁ ସହାୟକ ହେବ।

  10. ସୁଦୂର ପ୍ରାନ୍ତରେ ରହି ଓଡ଼ିଆ ସାହିତ୍ୟ ଜଗତର ଖବର ଜାଣିପାରୁଛୁ। ଅନେକ ତଥ୍ୟ ବିଷୟରେ ମଧ୍ୟ ଅବଗତ ହୋଇପାରୁଛୁ।
    ‘ସାହିତ୍ୟ ଚର୍ଚ୍ଚା’ର ସମସ୍ତ ବାର୍ତ୍ତାବାହକ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

  11. ଖୁବ୍ ଉପାଦେୟ ତଥ୍ଯ ପୋଷ୍ଟ କରାଯାଇଛି ସାର୍— ଧନ୍ୟବାଦ🙏

  12. ବେଶ୍ ଉପାଦେୟ ଆଲେଖ୍ୟ ସବୁ, ଅଶେଷ ଅଭିନନ୍ଦନ

  13. ଓଡିଆରେ ଏପରି ନିରୋଳା ସାହିତ୍ୟ ସମାଚାର ପତ୍ରିକାଖଣ୍ଡେ ଦରକାରଥିଲା ତାହା ପୂରଣ କରିଛି “ସାହିତ୍ୟ ଚର୍ଚ୍ଚା”
    ପ୍ରକାଶକଙ୍କୁ ଅଭିନନ୍ଦନ

  14. ଏ ସଂଖ୍ୟା ର ସମସ୍ତ ଖଵର ସତେଜ ଓ ଉପାଦେୟ। ସମ୍ପାଦକ ମହାଶୟଙ୍କୁ ଅଶେଷ ଧନ୍ୟବାଦ।

  15. ସୁନ୍ଦର କାର୍ଯକ୍ରମ। ଅଭିନନ୍ଦନ ଓ ଶୁଭେଚ୍ଛା।

  16. ଯା’ହେଉ ସାହିତ୍ଯ ଚର୍ଚ୍ଚାର ଏହା ଏକ ସୁନ୍ଦର ପ୍ରୟାସ।

Leave a Reply

Your email address will not be published. Required fields are marked *