ସ୍ବପ୍ନକ୍ଷରା

 
  ଡ. କୁଳମଣି ଓଝା

ତମର ସେ ନମ୍ର ସ୍ବୀକାରୋକ୍ତି
ନୀଳାଭ ସ୍ପନ୍ଦନ, ନୀଳ ନିଧୂବନ
ଚନ୍ଦନ ଚର୍ଚ୍ଚିତ ଚାରୁ ଚିତ୍ରପଟେ
ଅପଲକେ ଲୋଟିପଡ଼େ
କୋଟି ପାରିଜାତ ; ଅର୍ବୁଦ ସୁଷମା
ତୁମେଇ ତ ଲାବଣ୍ୟ ଲାଳିକା
ସୌନ୍ଦର୍ଯ୍ୟର ଅଦୂର ଅରଣ୍ୟ
ରାଶି ରାଶି କଳ୍ପଲୋକ
ଫୁଲ ଫଗୁଣର ଚମ୍ପକ ବରଣୀ
ସୁନୟନା ଚାରୁ ଚନ୍ଦ୍ରଶାଳା !
ତମେଇ ତ ନୂଆ ରୂପକଳ୍ପ
ପୂର୍ଣ୍ଣକୁମ୍ଭ ଶାନ୍ତ ସମ୍ମୋହନ !

ତମେ କେବେ ନୀଳ ଜହ୍ନରାତି
ନିଝୁମ୍ ରାତିର ସ୍ୱପ୍ନିଳ ପାହାନ୍ତି l
ତମର ସେ ପଦିଏ ଉକ୍ତିରେ
ଝରିଗଲା ତନ୍ଦ୍ରାଳସ କଦମ୍ବ କୋରକ
ଯେତେ ସବୁ ରମ୍ୟତାର ଋତୁ
ଅଙ୍ଗେ ଅଙ୍ଗେ ଭରିଦେଲା
ଲାବଣ୍ୟ ଜୁଆର ; ଅନୁପମା
ଅନ୍ୟା ଅନିନ୍ଦିତା ! ସମ୍ଭାଷିଲ
କାନେ କାନେ ପବନର
ନବ୍ୟ ସମ୍ଭାଷଣ
‘ମୁଁ ଏତେ କିଛି ନୁହଁ’
ଏଇ ମାତ୍ର କଥା ପଦିଏରେ
ନମ୍ରତାର ନକ୍ଷତ୍ରମାଳାରେ
ଅପଲକେ ଭରିଦେଲ
ପ୍ରୀତିସ୍ନାତ ଜ୍ୟୋତ୍ସ୍ନାର ମହ୍ଲାର l

Leave a Reply

Your email address will not be published. Required fields are marked *