ସମସ୍ତେ କହନ୍ତି ଆମେ ସାଧାରଣ। ନେତା କହନ୍ତି ଆମେ ସାଧାରଣ, ଜନତା କହନ୍ତି ଅାମେ ସାଧାରଣ। ଅଭିନେତା ବି କହନ୍ତି ଆମେ ସାଧାରଣ। ନେତାମାନେ ନିର୍ବାଚନରେ ନାମାଙ୍କନ ପତ୍ର ପରଣ କଲା ବେଳେ ପେସା ସ୍ଥାନରେ ଲେଖନ୍ତି ସାଧାରଣ-ଚାଷୀ। ଦିନେ କଣ୍ଟି କି ଲଙ୍ଗଳ ଧରିନ ଥିବା ଏପରିକି ବିଲ ମୁଣ୍ଡକୁ ଥରେ ବି ଯାଇ ନଥିବା କ୍ଷମତାଖୋର, ପଇସାଦାର ନେତାମାନେ ନିଜକୁ ସାଧାରଣ ଚାଷୀ କହି ଗୌରବ ଅନୁଭବ କରନ୍ତି। ଏଥିରେ ଚାଷ ସହିତ ତାଙ୍କର ମନଟି ଯେତେ ସଂଶ୍ଳିଷ୍ଟ ନ ଥାଏ ତା’ଠାର ଅଧିକ ଥାଏ ‘ସାଧାରଣ’ ଶବ୍ଦଟିରେ। ବଲିଉଡର ବିଗ୍ ବି ମଧ୍ୟ ଉତ୍ତରପ୍ରଦେଶରେ ଥିବା ତାଙ୍କର ଖଣ୍ଡିଏ ପୈତୃକ ଜମିକୁ ନିଜ ମାଲିକାନାକୁ ଆଣିବା ସକାଶେ ଯେଉଁ ଦରଖାସ୍ତଟି ଲେଖିଥିଲେ ସେଥିରେ ନିଜର ପେସା ସାଧାରଣ-ଚାଷ ବୋଲି ସ୍ବୀକାର କରିଥିଲେ।
ସାଧାରଣ ହେବାକୁ ସମସ୍ତଙ୍କର ମନ। ହେଲେ ଦୁର୍ଭାଗ୍ୟର କଥା ସଭିଙ୍କର ଭିତିରି ଇଚ୍ଛା କେମିତି ଅସାଧାରଣ ହେବେ। ସାଧରଣର ଖୋଳ ମଡ଼େଇ ହୋଇ ଅସାଧାରଣ ପାଲଟିବାର ଏ ଯେଉଁ ଖଳନାୟକତ୍ବ ତାହା କିନ୍ତୁବେଶିଦିନର ପୁରୁଣା ନୁହେଁ। ଗଣତନ୍ତ୍ର ସହିତ ଏହି ସାଧାରଣପଣ ହାସଲ କରିବାର ପ୍ରବଣତା ସବୁଦେଶରେ ଦେଖିବାକୁ ମିଳେ। ସମସ୍ତେ ଚାହାନ୍ତି ଗୋଟାପଣେ ଜନସାଧାରଣଙ୍କର ହେବା ପାଇଁ। ସେଇ ସକାଶେ ଏ ଅଭିନୟ।
ରାଜତନ୍ତ୍ର, ଅଭିଜାତତନ୍ତ୍ର, ସାମରିକତନ୍ତ୍ର ଏପରିକିଯେକୌଣସି ପ୍ରକାରର ସ୍ବେଚ୍ଛାତନ୍ତ୍ରରେ ସୁଦ୍ଧା କେହି ନିଜକୁ ସାଧାରଣ ସ୍ତରକୁନେବାକୁ ଚାହାନ୍ତି ନାହିଁ। କାରଣ ସେପରିକା ସାମାଜିକ ବ୍ୟବସ୍ଥାରେ ସାଧାରଣ ହେବାରେ କିଛି ମୂଲ୍ୟ ନଥାଏ। ଯେମିତି ହେଲେ ନିଆରା ହେବାକୁ ପଡ଼ିବ। ନଚେତ୍ ସମାଜରେ ସ୍ଥାନ ନାଇଁ। ସ୍ଥାନ ନାଇଁ ମାନେ ମର୍ଯ୍ୟାଦା ନାଇଁ। ହେଲେ ଗଣତନ୍ତ୍ର ଶାସନରେ ସାଧାରଣର ପରିଚୟ ଆପେ ଏକ ଗୌରବାବହ କଥା। କାରଣ ତାହା ହିଁ ବାଟ, ଅସାଧାରଣ ସ୍ତରକୁ ଉଠିବା ପାଇଁ।
ଅନେକ ସମୟରେ ସାଧାରଣର ଦୁଆ ଦେଇ କ୍ଷମତା ହାସଲ କଲା ପରେ ମଣିଷଟିଏ କେତେ ଅକଳ୍ପନୀୟ ଭାବେ ହିଂସ୍ର ହୋଇଯାଇପାରେ ତାହା ତ ଏଇ ଚଳନ୍ତି ସମୟର କଥା! ନରସଂହାରକାରୀ ନେତା ହିଟ୍ଲର, ମୁସୋଲିନି, ଷ୍ଟାଲିନ୍, ପେରନ୍ ଆଦି ସମସ୍ତେ ସେଇବାଟେ ଆସିଥିଲେ ଉପରକୁ। ତେଣିକି ସେମାନେ ଅସାଧାରଣ ପାଲଟିଗଲେ।
ଏ କଥା ଆଲୋଚନା କଲାବେଳେ ଆମେ ରାଜତନ୍ତ୍ର ବା ଅଭିଜାତତନ୍ତ୍ର ବା ସାମରିକତନ୍ତ୍ରର ଉଦାହରଣ ଦେଇପାରିବା ନାହିଁ। କାରଣ ଅସାଧାରଣପଣର ଦ୍ବାହିଦେଇ ଏମାନେ କ୍ଷମତାକୁ ଆସିଥାନ୍ତି। କିଏ କେଉଁ ବଂଶର, କେଉଁ ରକ୍ତର, କେଉଁ ଗୌରବର ପରିଚୟ ଧରି ଲୋକମେଳର ସମର୍ଥନ ହାସଲ କରନ୍ତି। ତେଣୁ ସେ ଭଳି ପଦ ଆହରଣର ମୂଳ ହେଉଛିଯେ ସେମାନେ ସାଧାରଣ ଠାରୁ ନିଅାରା। ସେମାନେ ଶାସନ କରିବାକୁ ଜନ୍ମ ହୋଇଛନ୍ତି। କିଏ ଈଶ୍ବରଙ୍କ ପ୍ରତିନିଧି ତ କିଏ ଚନ୍ଦ୍ର ବା ସୂର୍ଯ୍ୟଙ୍କ ବଂଶଧର। ଲୋକେ ସେ ବିଶ୍ବାସ ମଧ୍ୟ କରନ୍ତି। ଆମର ଓଡ଼ିଆରେ ଯେ ଲୋେକାକ୍ତି ‘‘ଚାଟଘର ପୁଅ ଚାଟ’’; ତା ପଛରେ ବି ସେଇ ମାନସିକତା।
ଏ ଆଲୋଚନାର ମଞ୍ଜ କିନ୍ତୁ ଅନ୍ୟ ସ୍ଥାନରେ ନିହିତ। ମଣିଷମାନଙ୍କୁ ଜ୍ଞାନୀମାନେ କେଉଁ ପ୍ରାଚୀନ କାଳରୁ ବିଭିନ୍ନ ପ୍ରକାରର ଶ୍ରେଣୀରେ ବାଣ୍ଟି ଆସିଛନ୍ତି। ଗୀତାରେ ତ ଭଗବାନ ଶ୍ରୀକୃଷ୍ଣ କହିଲେ ମଣିଷମାନେ ଚାରିବର୍ଣ୍ଣରେ ବିଭାଜିତ। ଗୁଣ ଓ କର୍ମ ଅନୁସାରେ ସେ ବିଭାଜନ। ହେଲେ ଆଜି ସେ ବିଭାଜନ ଅସରନ୍ତି। ଇଉରୋପୀୟମାନେ ଦେହର ରଙ୍ଗ ଅନୁସାରେ ଦୁଇ ପ୍ରକାରର ମଣିଷ ଦେଖନ୍ତି। କଳା ନ ହେଲେ ଗୋରା। ଆମେରିକାରେ ଥିବା କଳା ନାଗରିକଟିର ପରିଚୟ- କଳା ଆମେରିକୀୟ ବା ବ୍ଲାକ୍ ଆମେରିକାନ୍। କିଏ ମଣିଷଙ୍କୁ ଧନୀ ଗରିବରେ ବାଣ୍ଟେ ତ କିଏ ଶିକ୍ଷିତ ଅଶିକ୍ଷିତରେ। ଚିନ୍ତାନାୟକ କାର୍ଲମାର୍କସ୍ଙ୍କୁ ଦୁଇପ୍ରକାର ଲୋକ ଦିଶିଥିଲେ- ଥିଲାବାଲା, ନଥିଲାବାଲା। ସେଇଥିରୁ ଦୁଇ ଶ୍ରେଣୀ- ପୁଞ୍ଜିପତି, ସର୍ବହରା। ଅର୍ଥନୀତି ବିଶାରଦମାନେ ବିଶ୍ଳେଷଣ ଲାଗି ସାଧାରଣତଃ ଉଚ୍ଚଶ୍ରେଣୀ, ମଧ୍ୟମଶ୍ରେଣୀ ଓ ନିମ୍ନଶ୍ରେଣୀ ଭେଦରେ ବିବେଚନା କରନ୍ତି। ଏବେ ଏବେ ଯୋଡ଼ା ଗଲାଣି ଲୋୟର୍ ମିଡଲ୍ କ୍ଲାସ୍, ‘ନିମ୍ନ ମଧ୍ୟମଶ୍ରେଣୀ’। ବିକଶିତ, ଅବିକଶିତ; ସଭ୍ୟ ଅସଭ୍ୟ ଭେଦର ବିବେଚନା ଏବେ ବି ଏ ପୃଥିବୀର ଏକ ମାପକାଠିହୋଇ ରହିଛି।
ଆମେ ଓଡ଼ିଆମାନେ କେଉଁକାଳ ଜାଣିଛୁ ଯେ ମଣିଷମାନେ ଚାରିରଙ୍ଗର। ଧଳା, କଳା, ହଳଦୀ ଓ ଲୋହିତ। ସେଇଥିପାଇଁ ବିଶ୍ବକର୍ମା ମୂର୍ତ୍ତି ଗଢ଼ିଦେଇ ଗଲା ପରେ ଆମେ ବଳଭଦ୍ର, ଜଗନ୍ନାଥ, ସଭୁଦ୍ରା ଓ ସୁଦର୍ଶନଙ୍କୁ ସେଇ ଢଙ୍ଗରେ ରଙ୍ଗେଇଲୁ। ଧର୍ମ ଆଲୋଚକ ବିଦ୍ବାନମାନେ ଲକ୍ଷ୍ୟ କଲେ ଜାଣି ପାରିବେ ଯେ ଦେବ-କାରିଗର ବିଶ୍ବକର୍ମା ମୂର୍ତ୍ତି ଗଢ଼ିଦେବା କଥା ପୁରାଣରେ ବର୍ଣ୍ଣିତ। ହେଲେ ଠାକୁରମାନଙ୍କୁ ଏମିତି ବନକଲାଗି କରେଇଲା କିଏ? ଠାକୁର ପ୍ରତିମାଙ୍କୁ ସେମିତି ବି ତ ଛାଡ଼ି ଦିଆଯାଇପାରିଥାନ୍ତା! ଏ ରଙ୍ଗ-ବିବେଚନା କାହାର?
ଠାକୁରମାନଙ୍କର ବି ଶ୍ରେଣୀ ଅଛି। ଯେମିତି ଭକ୍ତମାନଙ୍କର। ସେ ଶିବଭକ୍ତ, ସେ ବିଷ୍ଣୁଭକ୍ତ। ସେ ଶୈବ, ସେ ଶାକ୍ତ, ସେ ଅମୁକ ବୈଷ୍ଣବ।
ମଣିଷଙ୍କୁ ଶ୍ରେଣୀ ଶ୍ରେଣୀରେ ଏ ଭଳି ବିଭାଜିତ କରିବା ବୋଧେ ସଭ୍ୟତା ଆରମ୍ଭରୁ ଅଛି। କିନ୍ତୁ କେହି କେବେ ସେମାନଙ୍କୁ ସାଧାରଣ, ଅସାଧାରଣ ଭେଦରେ ବାଣ୍ଟିନାହାନ୍ତି। ସବୁକଥାକୁ ଆଡ଼େଇ ଆଡ଼େଇ ଗଲେ ଆମେ ଶେଷରେ ଦୁଇପ୍ରକାରର ମଣିଷଙ୍କୁ ଦେଖିବା। ସେ ଦୁଇ ଶ୍ରେଣୀ ହେଲେ ସାଧାରଣ ଶ୍ରେଣୀ ଓ ଅସାଧାରଣ ଶ୍ରେଣୀ। ଏପରିକି ଆମେ ଯେ ଶାସକ ବର୍ଗ ଓ ପାଳିତ ବର୍ଗ ବା ଶୋଷକ ଓ ଶୋଷିତର କଥା କହୁ ତାହା ମଧ୍ୟ ଠିକ୍ ବିଭାଜନ ନୁହେଁ। ଅତଏବ ସାଧାରଣତ୍ବ ଓ ଅସାଧାରଣତ୍ବର ବ୍ୟୁହ ଭିତରକୁ ପଶିବା ପୂର୍ବରୁ ଆମକୁ ସାମ୍ପ୍ରତିକ ସମାଜ ଉପରେ ଆଖି ପକାଇବାକୁ ପଡ଼ିବ। ଏଇ କିଛିବର୍ଷ ଆଗରୁ ପୃଥିବୀ ଚାରି ଭାଗରେ ବିଭାଜିତ ଥିଲା। ପ୍ରଥମ ପୃଥିବୀ ପୁଞ୍ଜିବାଦର ପୃଥିବୀ। ଦ୍ବିତୀୟ ପୃଥିବୀ ସାମ୍ୟବାଦର ପୃଥିବୀ। ତୃତୀୟ ପୃଥିବୀ ଅବିକଶିତ ପୃଥିବୀ। ଶେଷକୁ ତେଲଶକ୍ତିରେ ପରିଚିତ ହୋଇ ଯେଉଁ ଦେଶମାନେ ଉପରକୁ ଆସିଲେ ସେମାନଙ୍କୁ ଚତୁର୍ଥ ପୃଥିବୀ ବା ତେଲଧନର ପୃଥିବୀ ବୋଲି କୁହାଗଲା।
ଏବେ କିନ୍ତୁ କିଛିଦିନ ଲାଗି ପୃଥିବୀ ଗୋଟିଏ ହୋଇଛି। କରୋନାର ପୃଥିବୀ। କରୋନା ଭୂତାଣୁ ଯେ ସମଗ୍ର ଧରିତ୍ରୀକୁ ଗୋଟାଏ ଏକମନସ୍କତା ଆଡ଼କୁ ଟାଣିନେଇଛିସେ କଥା ଆମକୁ ସ୍ବୀକାର କରିବାକୁ ପଡ଼ିବ।
ତେବେ ଆମର ଆଲୋଚନା ଅନ୍ୟ କଥାକୁ ନେଇ। ଏବେ ଦେଶ ଦେଶରେ ମଣିଷମାନେ ସାଧାରଣତଃ ଦୁଇଟି ଦିଗରୁ ଆବଣ୍ଟିତ। ଗୋଟିଏ ଧର୍ମ ଆଧାରରେ ଓ ଅନ୍ୟଟି ରାଜନୈତିକ ଆଦର୍ଶ ବା ଦଳଗତ ବିଚାର ଆଧାରରେ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ବୁଦ୍ଧବାଦୀ, ଜୈନବାଦୀ, ଜୋରାଷ୍ଟ୍ରିଆନ୍ ଭେଦରେ ଧର୍ମ ଦିଗରୁ ଆମର ସବୁ ମଣିଷ ଯେ ଭିନ୍ନ ଭିନ୍ନ ଭାବରେ ଶ୍ରେଣୀଭୁକ୍ତ ତାହା ଏକ ସାଧାରଣ କଥା। ଅବଶ୍ୟ ଏ ଭିତରେ ନିରୀଶ୍ବରବାଦୀ ଓ ହେତୁବାଦୀଙ୍କୁ ମଧ୍ୟ ସାମିଲ କରିବା ଆବଶ୍ୟକ। ଦ୍ବିତୀୟ କ୍ଷେତ୍ରଟି ହେଉଛି ରାଜନୀତିକୁ ନେଇ। କିଏ ବାମପନ୍ଥୀ, କିଏ ଦକ୍ଷିଣପନ୍ଥୀ, କିଏ ମଧ୍ୟମପନ୍ଥୀ ଏବଂ ପୁଣିି କିଏ ଉଗ୍ର- ବାମପନ୍ଥୀ, ଉଗ୍ର-ଦକ୍ଷିଣପନ୍ଥୀ ଭାବରେ ନିଜର ପରିଚୟ ଦିଅନ୍ତି। ଆଶ୍ଚର୍ଯ୍ୟର କଥା ଧର୍ମକୁ ଆଧାର କରିଗଢ଼ି ଉଠିଥିବା ରାଜନୈତିକ ଦଳମାନେ ସୁଦ୍ଧା ଆପଣାର ସର୍ବସାଧାରଣତ୍ବ ଓ ଗ୍ରହଣୀୟତାକୁ ବ୍ୟାପକ କରିବା ପାଇଁ ଭିନ୍ନ ଧର୍ମବିଶ୍ବାସୀଙ୍କୁ ଆପଣା ପଟକୁ ଟାଣିନିଅନ୍ତି।
ଏ ସବୁ ପଛରେ କିନ୍ତୁ ସେଇ ଗୋଟିଏ ମାନସିକତା। ସାଧାରଣ ଓ ଅସାଧାରଣର ମାନସିକତା। ରାଜତନ୍ତ୍ରରେ ମଧ୍ୟ ଏ ଭଳି ରାଜା ଓ ସମ୍ରାଟ୍ ଥିଲେ ଯେଉଁମାନେ ସାଧାରଣଙ୍କ ପରି ଚଳଥିୁଲେ। ଗିଆସଦ୍ୁ ଦିନ୍ ନାମକ ସମ୍ରାଟ୍ତ ଟୋପି ସିଲେଇ ଓ କୋରାନ୍ ନକଲ କପିଲେଖି ଯାହା ଆୟ କରଥିୁଲେ ସେଇଥିରେ ହିଁ ଚଳଥିୁଲେ। ଅସାଧାରଣତ୍ବ ଜାହିର କରିବା ଏକ ମାନସିକତା। ଆମେ ପ୍ରଧାନମନ୍ତ୍ରୀମାନଙ୍କ ସମ୍ପର୍କରେ ଆଜିକା ଯୁଗରେ ବି ଶଣୁ ିଛେ ଯେଉଁମାନଙ୍କର ପୋଷାକ ବିଦେଶରେ ସିଲେଇ ହୁଏ। ‘‘ ମୁଁ ପ୍ରଧାନମନ୍ତ୍ରୀ; ମୁଁ କ’ଣ ସାଦାରଣ ଯେ ଏମିତି ଚଳିବି?’’ ଅଥଚ ସେଇମାନଙ୍କ ମେଳରେ ମଣିଷ ଥିଲେ ଯେଉଁମାନଙ୍କର ତିନିହଳ ପୋଷାକର୍ ଚାରିହଳ ନ ଥିଲା। ପ୍ରଧାନମନ୍ତ୍ରୀ ଥିଲାବେଳେ ଲାଲବାହାଦୁର୍ ଶାସ୍ତ୍ରୀ ଥରେ ଶ୍ରୀମତୀଙ୍କ ସକାଶେ ଶାଢ଼ି କିଣିବାଲାଗି ଦୋକାନକୁଗଲେ। ଦୋକାନୀ ଗଦେଇଦେଲେ ବଛା ବଛା ଶାଢ଼ି। ଦାମ୍ ପଚାରିଲେ ଶାସ୍ତ୍ରୀଜୀ। ମୁହଁ ଆମ୍ବିଳା ହୋଇଗଲା। ମୋ ପାଖରେ ଏତେ ପଇସା କାଇଁ? ମତେ ଦୁଇଟି ସାଧାରଣ ଶାଢ଼ି ଦିଅନ୍ତୁ। ଦୋକାନୀ ଆବା କାବା। ସାରା ଦେଶର ପ୍ରଧାନମନ୍ତ୍ରୀ, ପାଖରେ ପଇସା ନାହିଁ କ’ଣ? ଶାସ୍ତ୍ରୀଜୀଙ୍କ ଉତ୍ତର ଥିଲା ମୁଁ ପ୍ରଧାନମନ୍ତ୍ରୀ ଭାବରେ ଯେତିକି ପଇସା ପାଏ ସେଥିରେ ମୋ ପରିବାର ଓ ପିଲାମାନଙ୍କ ସହ ଗାଁରେ ଥିବା ମୋ ଘର ବି ଚଳେ। ପଦ ଅସାଧାରଣ ଅଥଚ ମଣିଷଟି ସାଧାରଣ। ଏକଥା ରାଜତନ୍ତ୍ରରେ ଯେମିତି ସମ୍ଭବ, ଗଣତନ୍ତ୍ରରେ ବି ସେମିତି ସମ୍ଭବ। ନମୁନା ଅନେକ।
ପୁଞ୍ଜିପତିମାନଙ୍କ ଭିତରେ କ’ଣ ସାଧାରଣ ଭାବ ନାଇଁ? ଟାଟା କମ୍ପାନିର ମାଲିକ ରତନଟାଟା ଗୋଟିଏ ଦୁଇବଖରୁ ିଆ ଫ୍ଲାଟ୍ରେ ରହନ୍ତି। ବିଲ୍ ଗେଟ୍ସ, ଜୁକରବର୍ଗ ଓ ଜାକ୍ ମା’ଙ୍କ ଭଳି ଧନଶାଳୀମାନଙ୍କ ଜୀବନଚର୍ଯ୍ୟା ସାଧାରଣଙ୍କ ଭଳି। ଅଥଚ ସର୍ବହରାଙ୍କ ସାଥୀ ବୋଲି ନିଜକୁ ସାଧାରଣ କହି କ୍ଷମତା ଦଖଲ କରିଥିବା କ୍ଷମତାପତିମାନଙ୍କ ବିଳାସ ଦେଖିଲେ ସେମାନଙ୍କର ଅସାଧାରଣ-ପରିଚୟ ସକାଶେ ଥିବା ଆସୁରିକ ମୋହର ମୁଖା ଜଳଜଳ ଦିଶେ। ଧର୍ମଶ୍ରେଷ୍ଠୀ ଅଛନ୍ତି ଯେଉଁମାନେ ଦୀନହୀନ ହୋଇ ଚଳନ୍ତି, ପଣୁ ିସେଇ ମେଳର ମଣିଷ ଅଛନ୍ତି ଯେଉଁମାନଙ୍କର ବିଳାସ ଓ ଲାଳସା ଅସର-ରାଜାମାନଙ୍କୁ ସୁଦ୍ଧା ପଛରେ ପକାଇଦେବ।
ଜୀବନର ସବୁକ୍ଷେତ୍ରରେ ଆଜି ଏ ପ୍ରବଣତା ଅସମ୍ଭବ ଭାବରେ ବୃଦ୍ଧି ପାଇବାରେ ଲାଗିଛି।
ମଣିଷ ଭିତରର ପ୍ରବୃତ୍ତି ତା’କୁ ସାଧାରଣ କରେ। ହେଲେ ପ୍ରବୃତ୍ତି ଯେତେବେଳେ ବିକାରଗ୍ରସ୍ତ ହୁଏ ସେ ଅସାଧାରଣ ହେବା ଲାଗି ବ୍ୟାକୁଳ ହୋଇ ଉଠେ। ମୁଁ ମୁଁ ହୁଏ। ମୁଁ ‘ମୋର’, ‘ମୋ ପଣ’ର ଅହଙ୍କାର ଧରି ସାଧାରଣର ମେଳରୁ ସେ ଅଲଗା ହୋଇଯାଏ। ତେଣିକି ହୋଇଯାଏ ଅବିବେକୀ, ହିଂସ୍ର। ସେଇଥିପାଇଁ ତ ରୋମାନ୍ ସମ୍ରାଟମାନେ କାଳେ ସେମାନଙ୍କ ଭିତରକୁ ଅସାଧାରଣପଣର ହିଂସ୍ରଭାବନା ପଳେଇ ଆସିବ ତା’ର ବ୍ୟବସ୍ଥା କରିଥିଲେ। ପଟୁଆରରେ ଗଲାବେଳେ ଜଣେ ବଡ଼ ପାଟିରେ ଆଗେ ଆଗେ କହିଯାଉଥିଲା- ‘‘ମିଣ୍ଟୋ ମୋରି, ମିଣ୍ଟୋ ମୋରି’’, ‘‘ମଣିଷ ମରଣଶୀଳ, ମଣିଷ ମରଣଶୀଳ।’’
ସାରା ପୃଥିବୀ ଆଜି ଗଣତନ୍ତ୍ର ଦୀକ୍ଷାରେ ଦୀକ୍ଷିତ। ଗଣତନ୍ତ୍ରର ମଳୂକଥା ହେଲା ସମସ୍ତେ ସମାନ। ସମସ୍ତେ ସାଧାରଣ। ସମସ୍ତଙ୍କର ସ୍ବାତନ୍ତ୍ର୍ୟ ଅଛି। ଅଥଚ ସେଇ ଏକା ଦଳରେ ଆମେ ଦେଖୁ ସାଧାରଣତା ଓ ଅସାଧାରଣତା ଭିତରେ ଆକାଶ ପାତାଳର ଫରକ। ଦକ୍ଷିଣପନ୍ଥୀ ଅଛନ୍ତି ଯେଉଁମାନେ ସାଧାରଣ ଠାରୁ ବିି ସାଧାରଣ। ଧନ ଥାଇ ବି ସେମାନେ ଦରିଦ୍ର। ବାମପନ୍ଥୀ ଅଛନ୍ତି ଯେଉଁମାନେ ସବୁ ସମ୍ପତ୍ତି ସମର୍ପଣ କରିଦେଇ ଦାରିଦ୍ର୍ୟ ବରଣ କରନ୍ତି। ମଧ୍ୟମପନ୍ଥୀ ଅଛନ୍ତି ଯେଉଁମାନେ କି ଅସାଧାରଣ ମେଧା ଓ ବିତ୍ତର ଅଧିକାରୀ ହେଲେ ମଧ୍ୟ ସାଧାରଣ ଭଳି ରହିବାକୁ ପସନ୍ଦ କରନ୍ତି। ଅନେକ ଦେଶ ବି ସେମିତି। ବିପୁଳ ସମ୍ପଦ, ଅଥଚ ଶାନ୍ତ ସାଧାରଣ ଜୀବନ।
କହିବାର ଅଛି, ଗଣତନ୍ତ୍ରକୁ ଧର୍ମ ବା ରାଜନୈତିକ ଦଳ ଚଳାଏ ନାହିଁ। ଚଳାଏ ସାଧାରଣ ଲୋକ। ଭୋଟ୍ ଖଣ୍ଡିକ ତା’ର ଅସଲ ଅସ୍ତ୍ର। ସାବଧାନ! ଅସାଧାରଣ ହେବାକୁଚେଷ୍ଟା କରି ସାଧାରଣଙ୍କ ଜୀବନ ସହ ଖେଳ ନାହିଁ। ନଚେତ୍ ହିଟ୍ଲର, ମୁସୋଲିନିଙ୍କ ଭଳି ଦଶା ଭୋଗିବ।
ସାଧାରଣତାର ଜୟ ହେଉ।