ଆକାଶ ରେ ଭେଳା ଭେଳା ପାଉଁଶିଆ
ମେଘ ଉଢ଼ାଳରେ ରବି
ଅପରାହ୍ନ ଖରା ପ୍ରଖର ପ୍ରଦୀପ୍ତି
ମହକ ଯାଇଛି ଦବି।
ବିଷର୍ଣ୍ଣ ଧୂସର ଆଲୋକରେ ଧୂପ
ଦିଶୁଅଛି ଚାରିଆଡ
ଯାତ୍ରୀଟିଏ ସୁଦ୍ଧା ଦେଖାଯାଉନାହିଁ
ସଡ଼କରେ ନାହିଁ ଭିଡ।
ଖରାପଡା ବର ଗଛର ଲୋଟଣି
ଅଲରା ଓହଳ ତଳେ
ରୋଗୀଣା ଖଜୁରୀ ଗଛ ଭୂମୀ ଫୋଡ଼
କରିଛି ଉଇ ହୁଙ୍କାରେ।
ନଟୀ ବେଢା ଆମ୍ବ ପୋଲାଙ୍ଗ କରଞ୍ଜ
ପଳାସ-ପତଳା ବନ
ଠାଏ ଠାଏ ଚଟି ଘରଟାଏ ଅଛି
ନିଛାଟିଆ ଉପସ୍ଥାନ।
ସେ ମଧ୍ୟେ ଧୁଳିଆ କାଳିଆ ସଡକ
ଅଙ୍କେଇ ବଙ୍କେଇ ହୋଇ
ମଲା ଅଜଗର ସମ ପଡ଼ିଅଛି
ଏହାରି ଭିତରେ ଶୋଇ।
ବିହଙ୍ଗ କାକଳୀ ନୀରବ ସଡକ
ଦୁଇ ପାଖ ବୃକ୍ଷ ଡାଳେ
ନୀରବତା ସବୁଆଡେ ଭଉତିକ
ଅସ୍ଵାଭାବିକ ଭାବରେ।
ଏହି କବିତାର ରଚୟିତା ଶ୍ରୀ ଗୌରୀଶଙ୍କର ତ୍ରିପାଠୀଙ୍କର ଗତକାଲି, ଦିନାଙ୍କ ୧୬ ସେପ୍ଟେମ୍ବର ଦିନ ମହାପ୍ରୟାଣ ଘଟିଛି। ତା’ଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ। ସେ ପ୍ରାୟ ୨୦ଟିରୁ ଅଧିକ କାବ୍ୟ ପୁସ୍ତକର ସ୍ରଷ୍ଟା ଅଟନ୍ତି। ରୀତିଯୁଗୀୟ ଛନ୍ଦ ଓ ଲାଳିତ୍ୟ ତାଙ୍କ କବିତାର ଏକ ଅନୁପମ ବୈଶିଷ୍ଟ୍ୟ। ଓଡିଶାର ପତ୍ରପତ୍ରିକାମାନଙ୍କରେ ତା’ଙ୍କର ଅନେକ ମୂଲ୍ୟବାନ ଲେଖା ପ୍ରକାଶିତ ହୋଇଛି। ଆମର ଅବଶୋଷ ଯେ ତା’ଙ୍କର ଜୀବଦ୍ଦଶାରେ ଆମ ଓଡ଼ିଆ ସାହିତ୍ୟ ଜଗତ ତା’ଙ୍କୁ ଯଥାଯଥ ସ୍ବୀକୃତି ଦେଇପାରିନାହିଁ।
ମୁଁ ଶ୍ରୀ ଗୌରୀଶଙ୍କରଙ୍କ ଅନେକ କାବ୍ୟପୁସ୍ତକ ପଢ଼ିଛି ଏବଂ ପଢ଼ି ଆନନ୍ଦିତ ହେଇଛି। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି। ସେ କିନ୍ତୁ ତାଙ୍କ ପୁସ୍ତକ ମାଧ୍ୟମରେ ଅମର ରହିବେ।