‘ସାଧବ ଝିଅ’ ଓ କବି ଡଃ ମାୟାଧର ମାନସିଂହ

ଅମ୍ରିତେଶ ଖଟୁଆ

ସାଧବର ସାତପୁଅ ବଣିଜ କରି ଯାଉଛନ୍ତି। ସାଧବର ସାତପୁଅ ଗଲା ଉତ୍ତାରୁ ସଦ୍ଯ ଗୃହାଗତା ସାନ ବୋହୂର ବିଧୁର ମର୍ମଣ କେହି ହେଜିନି। କାରୁଣ୍ୟରଞ୍ଜିତ କରିଛି ତାହାର ତରାର ନୀଳିମା, ନଈକି ସ୍ନାହାନ କରିଲା ବେଳକୁ ମନରେ କୌତୁକ କାହା ପାଇଁ? ଜଣାପଡୁନଥାଏ ସେ ଦିନ କେବେ ଆସିବ, ହେଲେ ଖୋସା ବଦନକୁ ଅବଶ କରି ସେ ଢାଳିଦିଏ ଦୃଷ୍ଟି ମାଠିଆ ଭିତର ପାଣି ଉପରେ !

ତାହାର ନାବିକ-ପ୍ରିୟ ଯେ ସେତେବେଳେ ଦୂରଦୂରାନ୍ତର କେଉଁ ଅଜଣା ରାଇଜରେ କଣ୍ଟ କରି ଜନଗହଳ ଘାଟରେ ବାଣିଜ୍ଯରେ ବ୍ୟସ୍ତ, ସେ କଥା ଆଉ ହେଜିବାର ବେଳା ନାହିଁ ବୋହୂର। ସୁବାସର ଝଳିରେ ମୁଖ ଧୋଇ ଉଦେ, ହଂସୁଲି ଶେଯ ତା’ର ଶୟନ ହୁଏ। ହେଲେ, ମନେ ପଡିଯାଏ ସେ ବିଜନବେଳାର ନେତ୍ରଯୁଗଳର ରୋମନ୍ଥନ !

ଲଜ୍ଜାନେତ୍ରୀ ସୁକେଶୀ ସାଧବବୋହୂ ବେଳାଭୂମିରେ ଭାଇଙ୍କ ବନ୍ଦାପନା କରୁ କରୁ ସେତେବେଳେ ଗୋଟିଏ ବିଦେଶୀ ନାବ ଆସି ଲାଗିଲା ! ନାବରୁ ଓହ୍ଲେଇ ଆସେ ଏକ ଯୁବକ। ଉଦ୍ଦାମ ଯୌବନ ମଧ୍ୟରେ ସେ ଯୁବକର ନେତ୍ରଯୁଗଳରେ ଛନ୍ଦା ହେଲା ଜଡ଼ମଡ ସାଧବବୋହୂର ପ୍ରାଣ ! ମଣିମୁକ୍ତାର ବଣିଜ କରୁଥିବା ଯୁବକର ନୟନୋନ୍ମୀଳ ମର୍ମରେ ସାଧବବୋହୂର ସେଇ କାମନା ଜାଗି ଉଠେ !

ଓଡ଼ିଆ ନୌବାଣିଜ୍ୟ ପରମ୍ପରାଗତ ଐତିହ୍ୟ ସହ ନାରୀମନର ନିରଳସ ଆବେଗ ଓ ପତିପ୍ରାଣତା ମଧ୍ଯରେ ଏକ ଦୂରତ୍ଵର ସିକ୍ତ ଅନୁଭୂତିକୁ ‘ସାଧବ ଝିଅ’ ମାଧ୍ୟମରେ କାବ୍ୟାକୃତ କରିଛନ୍ତି ନିରଳସ ପ୍ରେମ ଓ ଆବେଗର କବି ମାୟାଧର ମାନସିଂହ। କଟକରୁ ପ୍ରକାଶିତ ‘ଉତ୍କଳ ସାହିତ୍ଯ’ ପତ୍ରିକାର ୩୨ ବର୍ଷ ସଂଖ୍ୟା ମଇ ୧୯୨୯ରେ ପ୍ରଥମ କରି ଏହା ପ୍ରକାଶ ପାଇଥାଏ।

ମାୟାଧର ମାନସିଂହ

ପ୍ରଥମ କରି ଧାରାବାହିକ ଭାବରେ ଏହି ଓଡ଼ିଆ ମାଟିର ଅନବଦ୍ୟ ପ୍ରାଣୀନ କାବ୍ୟର ଉପସ୍ଥାପନା ସହ ଭେଟି ଦେଉଛି ମାୟାଧର ମାନସିଂହଙ୍କ ଏହି କାବ୍ୟ “ସାଧବ ଝିଅ” –

“ବିଜନ ବେଳା, ବିଜନ ବେଳା
କହୁନାହୁଁ, କାହିଁ ବୋଇତ ଗଲା
ବୋଇତ ଗଲା !
ସଉଦାଗରର ସାନଝିଅ ମୁଁ
ସାତଭାଇରେ
ଶୟନ ମୋହର ହଂସୁଲି ଶେଯେ,
ସ୍ନାହାନ ମୋର ସୁବାସ ନୀରେ।

ସାତ ସାଧବର ସାତ ଝିଅ ସେ,
ଭାଉଜ ମୋର,
ଜଣକେ ଜଣକେ କନକଶିଖା
ଜଣକୁ ଜଣକୁ କନକପୁର।।

ସାତ ଭାଉଜର ସତର କଥା,
ମୋହ ପାଇଁକି
ଜଣେ କୁଁଚିଦେଲେ ପାଟପତନି
ଆରେକ ପଚାରେ ଇଚ୍ଛା କାହିଁକି ?

ସାତ ଭାଇଙ୍କର ସାତ ବୋଇତ
କେ ଦେଖିନାହିଁ,
ମଣି-ମୁକୁତାରେ ବେପାର ଲୀଳା,
କେଉଁ ଦରିଆରେ ନ ପଡେ ଛାଇ ?

ସାତ ଭାଇ ସାତ ରାଜ-କୁମର,
ଦେବତା ପରା,
ଜଣେ ଆଣିଦେଲେ ବଉଦ ଶାଢି଼
ଆରେକ ଯାଚଇ କନକ ଝରା।

ବିଜନ ବେଳା, ବିଜନ ବେଳା,
କହିଲୁ ମୋହର କି ଦୁଃଖ ଥିଲା,
କି ଦୁଃଖ ଥିଲା !

ହାଇରେ ହାଇ, ହାଇରେ ହାଇ
ଯୁବା ସେ ଆସିଲେ ବୋଇତ ବାହି
ବୋଇତ ବାହି !

ଭାଇଙ୍କି ବନ୍ଦାଇ ଆସିଥିଲି ମୁଁ
ତୋହରି ତୀରେ
ଏଇଠାରେ ଛିଡା ହୋଇଥିଲେ ସେ,
ଦେଖି ଦୁଇ ପାଦ ଚଳିଲା କି ରେ ?

ବାଲିରେ ଲୁଚିଲା ମାଣିକ ମୁଦି,
କନକ-ବଳା,
ହାତରୁ ଖସିଲା ଫୁଲ ହଳଦୀ,
ହାତରୁ ଖସିଲା ଚାଉଳ ସରା।

ଚାହିଁପାରିଲି କି ଭଲେ ସେ ମୁଖେ,
ଲାଜେ ମରିଲି,
ଚିବୁକ ମିଶିଲା ଉରଜେ ଆସି
ପଚାରିଲି ନିଜେ ‘ଏ କି ଦେଖିଲି’ ?

ହସିଲେ ଭାଉଜ, ଚାହିଁଲେ ଭାଇ
ରହିଲି ଠିଆ ,
ବନ୍ଦାଣ ସରିଲା, ଚଳିଲେ ପୁରେ,
କେ କିମ୍ପା ବୁଝିବ ବାଳିକା-ହିଆ ?

ବିଦେଶୀ ଯୁବକ ଜାଣିବେ କିସ
ବାହିଲେ ତରୀ,
କାହିଁ ଗଲେ ବେଳା, କାହିଁ ଗଲେ ରେ
ତା ବିନେ କେସନେ ଜୀବନ ଧରି ?

ବିଜନ ବେଳା, ବିଜନ ବେଳା,
କହ କାହିଁ ଗଲା ବୋଇତ ବାଲା !
ବୋଇତ ବାଲା !

କବି ସ୍ଵୟଂ ଅବାରିତ ଭାବନାକୁ ବି ବାରି ପାରୁନାହାନ୍ତି, କି ପ୍ରେମର ବାଣିଜ୍ୟ ଏହି ! କେତେବେଳେ ସେମାନେ ମାଗିଥିଲେ କନକର ବଳୟ, କିଙ୍କିଣୀର ସାଜ, କେତେବେଳେ ମୁକ୍ତାର ଝରା ତ ଆଉ କେତେବେଳେ ମାଣିକ୍ୟ-ଧାରାରେ ସ୍ଫଟିକ-ମୁଦ୍ରିକା ! ହେଲେ, କେବେ ଯେ ନୟନୋନ୍ମୀଳ ହୋଇ ଦୁଇ ପ୍ରାଣର ବିନିଗଦ୍ୟ ଆବେଗସଞ୍ଚିତ ମିଳନ ହେବ, ତାହା ତ ଅପ୍ରତ୍ୟାଶିତ !

ହେଲେ, ହେଲେ ଇଏ କଣ? କାହିଁ ପଳେଇଗଲା ସେ ଯୁବାଦେହୀ ବଣିକ, ତରୀ ନେଇ କୁଆଡେ ଉଭେଇ ଗଲା ସେ ସାଗର ଭିତରେ ଯେ ଏବେ ତାହାର ବିନୁ ବିଷଣ୍ଣ ହୁଏ ହୃଦୟ ଗୋଟିଏ ସାଧବାଣୀର ! ଯିଏ ତା ଭାଇମାନଙ୍କୁ ବଣିଜ କରିବାର ଦେଖିଛି, ହାର, ନୀଳା, ମାଣିକ୍ୟ ପସରା – ସବୁ ପାଇଛି, ହେଲେ ପ୍ରଥମ ଉପଲକ୍ଷ୍ୟରେ ଏପରି ଅକସ୍ମାତ୍ ମିଳନର କ୍ଷଣଭଙ୍ଗୁରତା ତା’କୁ କୁଆଡେ ଦେଇଛି ସ୍ମରଣୀୟ ପ୍ରିୟର କୁହୁକ !

ହୀରା, ନୀଳା, ମୋତି ମାଣିକ୍ୟର ବଣିକ କେବେ ପୁଣି କେଉଁ ତନ୍ଵଙ୍ଗୀ ତରୁଣୀର ମନ ସହ ବାଣିଜ୍ୟ କରିଛି ! କଣ ସହସା ଆଖି ନିଟିଳେଇ ସେ ନାରୀର ବୁକୁତଳ ବେଦନାକ୍ତ ଜୀବନକୁ ପୁଣି ଉଠେଇ ଦିଏ, ଏ ବିରହାଶ୍ରୁ କଣ ତା’ର କଉଡି? କୁଆଡେ ସେ ନେଇଗଲା ତା’ର କ୍ଷଣିକ ବିନୟର ଏ ବିରହାଶ୍ରୁର ପ୍ରାଣ ? ଭାରି ପ୍ରମାଦ ଘାରେ ସାଧବବୋହୂକୁ । ହେ ଦଶଦିଗପାଳ ! ତୁମେମାନେ ଦେଖି ପାରୁଥିବ କାଳେ ସେ ବଣିକ ଆଉ କେଉଁ ଦେଶରେ ଯାଇ ଆଉ କେଉଁ କୁଳ ଭୁଆସୁଣୀକୁ ତ ତା ପ୍ରାଣପଣ ଦେଇନାହିଁ ତ ?

କାହିଁକି ସେ ଆସିଥିଲା, କଣ ତମେମାନେ ଆକାଶବ୍ୟାପୀ ଏଇ ଧରାରେ ବିରାଜମାନ, କଣ ମୋ ଏ ଅପ୍ରତ୍ୟାଶିତ ଭାବର ବଣିକକୁ ଫେରାଇ ଆଣିପାରିବନି ? କି ଲାଭ ଆଉ ତେବେ ଏ କନକମହଲ, କନକର ବଳୟ, କଙ୍କଣ – ଆଉ କାହାର ଆଲିଙ୍ଗନ ଲୋଡା, ସେଇ ଏକା ଆସନ୍ତା ଥରେ ଏ ବାହୁଯୁଗଳରେ ନିର୍ନିମେଷରେ ମୋତେ ତା’ ସହ ଏକାତ୍ମ କରିଦିଅନ୍ତା !

କେଉଁ ଧନେ ସେ ଗୋ ବଣିକ ଯୁବା
କରେ ବେପାର ?
ନାରୀ-ବୁକୁ ଘେନି କି ତା’ ବେବସା,
ଭୁଆସୁଣୀ ଲୁହେ ତା କାରବାର ?

ଯେ ଦେଶେ ଯାଏ ସେ, ମୋହ ସରି ଗୋ
ସେ ଦେଶେ ନିକି,
କୁଳଝିଅ ତାକୁ ଆପଣା ମନେ
ଆପଣା ହୃଦୟ ଦିଅଇ ବିକି ?

କାହୁଁ ଆସୁଥିଲା ? ମୋ ହୃଦ ସାଥେ
କି ନେଲା ଏଥୁ ?
ଆକାଶେ, ପବନେ ଅଛ ଦେବତା
ଫେରାଇ ଆଣଁତ ଗମନ-ପଥୁ !

ଜୀବନେ ଏ କିସ ପରମାଦ ଗୋ,
ନ ଥିଲି ଜାଣି,
ହଂସୁଲି ଶେଯରେ ନ ଆସେ ନିଦ
ଆଖି ଆଗେ ଭାସେ ତାହାର ଠାଣି !

ଏତେ ଲୋକ ମେଳେ ଜୀବନ, ଏକା
ଲାଗଇ ମତେ,
ତାହାରି ପରଶ ଖୋଜଇ ଦେହ
ଭୁଜ ତା’ ମୋ ଦେହ ଭିଡଁତା ସତେ !

ଶୋଇବାକୁ ଗଲେ ଆରେକ ପାଇଁ
କରଇ ଥାନ,
ନ ଆସିଲା ସେ ତ, ଆସିଲାନି ରେ
ଏକା ଏକା ମୋର ଯାଉଛି ଦିନ।

ହୋଇଛି ରଜନୀ, ଉଠିଛ ଚାଁଦ
ନାଚେ ଦରିଆ,
କାହା ପାଇଁ ମୁଁ ସାଧବ ଝିଅ
ଏକାକୀ ତୋ ତୀରେ ହୋଇଛି ଠିଆ ?

ଫେରିଯିବି ଘରେ ? କି ସୁଖ କହ
କନକପୁରେ ?
ମନର ମଣିଷ ନ ମିଳେ ଯଦି
ବୁକୁର ବେଦନା ରହେ ବୁକୁରେ ?

ସାତ ଭାଇ ମୋର ସେ ଦେଶେ ଯାଇ
ସେଇ ମାଣିକ,
ଆଣିଲେ ମାନଁତି ସାଧବ ଠିକ,
ଜାଣଁତି କେସନେ ଶେଠ ବଣିକ ।

ସେ ମାଣିକ ସତେ ମିଳେ କାହାକୁ
ମିଳେ ନାହିଁ ରେ,
କନକପୁରର ଚମକ ଦେଖି
ହୀରା-ନୀଳା ଦେଇ ତାକୁ ପାଇ ରେ ?

କେ ଅଛ ଦେବତା କହ ହେ କହ
ପାଇବା ପଥ,
ଭୁଆସୁଣୀ ଯାହା ଦେବାର ଦେବ
ରକତ ଦେଇ ମୁଁ ପାଳିବି ବ୍ରତ।

ମୋ ପରି କି ଆଉ ତରୁଣୀ କେହି
ପାଇଛି ତାକୁ?
କିପରି ଲଭିଲା ? ଭୋଗେ କିପରି ?
କହିଲେ ଦେବି ଏ ଜୀବନଟାକୁ ।

ଆଉ କେ ଯୁବତୀ ଶୁଣେ କି ତାର
ବଦନୁ କଥା ?
କିପରି ସେ ବାଣୀ ? ଅମିୟ ସେ କି ?
ଶୁଣି ଲୁଚିଯାଏ ପରାଣ-ବଥା ?

ଆଉ କେ ଯୁବତୀ ବାହୁରେ ତାର
ପଡେ କି ଢ଼ଳି ?
କିପରି ସେ ସୁଖ ଜାଣିବି ନିକି ?
ଭାବିଲେ ହୃଦୟ ହୁଅଇ ଦଳି ।

ବିଜନ ବେଳା, ବିଜନ ବେଳା
ସାଧବଝିଅର ଏ ଦୁଃଖ ହେଲା !
ମାଣିକ ଖଟରେ ବୋହିଲା ଲୁହ
କହୁନାହୁଁ କାହିଁ ବୋଇତ ଗଲା,
ବୋଇତ ଗଲା !

ବିଜନବେଳାର ସେ ମନ୍ଥିତ ସ୍ମୃତିତଳକୁ ଝାଙ୍କିଲା ବେଳେ ସାଧବ ବୋହୂର ମନ ବାହୁନେଇ ଉଠେ ତା’ର ସେଇ ପ୍ରାଣପ୍ରିୟ ବଣିକ ପାଇଁ ! ଦେବତାଙ୍କୁ ମାଗୁଣି କରିଛି, ଆକାଶର ଦିଗଦିଗନ୍ତାନୁଗତ ଖୋଜା ଲୋଡିଛି ତା’ ପ୍ରିୟ ବଣିକ, ଯିଏ ତା ପ୍ରାଣ ତା’ରି ସହ ନେଇଯାଇଛି !

ଦେବତାଙ୍କୁ ଦୟିନୀ କରିଛି, ଫେରାଇ ଆଣ ତାହାକୁ ଯିଏ ମୋ ହୃଦୟ ତା ସହିତ ନେଇଛି ତାହାର ବାଣିଜ୍ୟର ଗନ୍ତବ୍ୟ ପଥରେ ! ଆଉ ଆସେନି ନିଦ୍ରା ତା ଆଖିରେ, ହଂସୁଲି ଶେଯର ପରଶ ତାକୁ ଆଉ ଅଲୋଡ଼ା, କେବଳ ଲୋଡା ଏଇ ଲୋକାଚାରର ଗହଳି ମଧ୍ୟରେ ସେ ଏକା ପ୍ରାଣୋପମ ପ୍ରାଣପ୍ରିୟର ପରଶ !

ସେଇ ସାଗର ଆଗେ ତିଷ୍ଠି ପଚାରେ, ଆଉ କଣ ସେ କନକପୁର ଦରକାର ମୋର, ଯଦି ମନର ବେଦନାକୁ, ଛାତି ତଳର ସେଇ ଉଦ୍ଦାମତାକୁ ନିଃସରି ସେ ନେଇ ଯାଇଛି କେଉଁ ରାଜ୍ୟକୁ, ମୋରି ହୃଦୟକୁ ତାହାରି ସାହଚର୍ଯ୍ୟରେ ! କଣ ମୁଁ ଏଇ କନକ, ନୀଳା, ମୋତି, ମାଣିକଝରାରେ ଭରା ଦେଇ ଜୀବନ ଲୋଡିବି ?

ସେ କେଉଁ ମୋ ପ୍ରାଣର ଦେବତା, ଯିଏ ନିତ୍ୟ ଦୟିନୀକୁ ମୋର ହୃଦଗତ କରିବ, କେମିତି ଅକସ୍ମାତ୍ ସେ ଚାଲିଗଲା ପରାଏ ? କଣ ଆଉ କେଉଁ ଯୁବାବୟସୀ ସଙ୍ଗେ ସେ ତା’ର ଅମୃତମୟ ଦେବପ୍ରାଣକୁ ଉତ୍ସର୍ଗ କରିଦେଇଛି ? ରକ୍ତ ଦେଇ ସୁଦ୍ଧା ମୁଁ ତା’କୁ ପାଇବା ପାଇଁ ଦେବତାଙ୍କୁ ସାକ୍ଷୀ ରଖି ବ୍ରତ କରିବି !

କବି ମାନସିଂହଙ୍କ କାବ୍ୟିକ ସମ୍ବେଦନା ନିଖୁଣ ଭାବରେ ତୋଳି ଧରିଛି ସାଧବ ବୋହୂର ମର୍ମ ବେଦନା। ତାଙ୍କ ରୋମାଣ୍ଟିକ କଲମ ନିମିଷକ ପାଇଁ ହୋଇ ଉଠିଛି ଭାବ ପ୍ରବଣ ଯାହାକୁ ସେ ସାଧବ ବୋହୂ ର ଅନ୍ତର୍ଦ୍ବନ୍ଦ୍ବ ମାଧ୍ୟମ ରେ ମନୋରମ ଭାବରେ ଚିତ୍ରିତ କରିବାରେ ସଫଳ ହୋଇଛନ୍ତି। କବିତାଟିର ଛତ୍ରେଛତ୍ରେ ବାରି ହୁଏ ଓଡ଼ିଆ ମାଟିର ବାସ୍ନା ଯାହା ମାନସିଂହଙ୍କ ସାମଗ୍ରିକ ସୃଷ୍ଟିକୁ ପ୍ରକାରାନ୍ତରେ କରିରଖେ କାଳଜୟୀ।

2 thoughts on “‘ସାଧବ ଝିଅ’ ଓ କବି ଡଃ ମାୟାଧର ମାନସିଂହ

Leave a Reply

Your email address will not be published. Required fields are marked *