କରୋନା ପ୍ରସଙ୍ଗ ଉପରେ ଏକୋଇଶି ଜଣ କବିଙ୍କର ସୁନିର୍ବାଚିତ କବିତାର ସମ୍ଭାରକୁ ନେଇ ପ୍ରସ୍ତୁତ ଏହି ସଂକଳନଟି।
କରୋନା କାଳର ଅନୁଭବ ଆଜି ମଣିଷ ମୁହଁରୁ ଖୋଲିଦେଇଛି ମୂଖା। ସମସ୍ତଙ୍କ ଆବରଣ ହୋଇଯାଇଛି ବିବର୍ଣ୍ଣ। ମନରେ ଘୋଟିଯାଇଛି ସଂକଟ। ସମୟର ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ କବି ମନର ଏକାନ୍ତ ପ୍ରାନ୍ତରରେ କ’ଣ ସବୁ ଘଟୁଥାଏ? ଏହାର ନିଛ୍ଛକ ପ୍ରତିଫଳନ ଏହି କବିତା ସଂକଳନଟି।
ଏଥିରେ ବିରାଜିତ ଏକୋଇଶ ଜଣ ଯାକ କବି କରୋନାକାଳୀନ ଦ୍ବନ୍ଦ୍ବକୁ ଦେଖିଛନ୍ତି ନିଜନିଜ ନିଆରା ଅନୁଭବର ଦୃଷ୍ଟିରେ। ସନ୍ନିବେଶିତ ପ୍ରତ୍ୟେକଟି କବିତା ସ୍ପର୍ଶ କରିଛି ଏହି ସଂକଟର ନୁଆ ଏକ ଦିଗ।
ଏ ସଂପର୍କୀୟ ଆଲୋଡନକୁ କବି ଭଗବାନ ଜୟସିଂହ ଏଥିରେ ସ୍ଥାନିତ କବିତାଟିରେ ମର୍ମସ୍ପର୍ଶୀ ଭାବରେ ଉପସ୍ଥାପନ କରିଛନ୍ତି :-
“ସହରରେ ବାଘ ମାତିଛି ବାଘ
ହୃଦୟକୁ କାବୁ କରିଛି
ବାଘର ଭୟ ଓ ଆତଙ୍କ
ପାଦେ ଆଗକୁ ଗଲେ ମୃତ୍ୟୁ
ପାଦେ ପଛକୁ ଫେରିଲେ ମୃତ୍ୟୁ
ଏବେ ଯେଉଁଠି ଅଛୁ, ସେଇଠି ଥାଆ ସନାତନ।”
କିନ୍ତୁ ଏହି ସଂକଟର ଅନ୍ୟ ଏକ ଦିଗକୁ ଦେଖିଲେ ମନେହୁଏ ଯେମିତି ସମୟ ନିଜେ ବି ଖୋଜୁଛି ହଜାଇଥିବା ମଣିଷମାନଙ୍କୁ। ସେହିକଥା କହିଛନ୍ତି କବି ଅଭୟ ନାୟକ ନିଜ ‘ସଙ୍ଗରୋଧ’ ଶୀର୍ଷକ କବିତାଟିରେ :-
“ମୋତେ ଚାଲିବା ଶିଖାଇଥିବା ନଈ
ମୋତେ ଜଳିବା ଶିଖାଇଥିବା ସୂର୍ଯ୍ୟ
ମୋତେ ଉଡିବା ଶିଖାଇଥିବା ପକ୍ଷୀ
ମୋତେ କ୍ଷିପ୍ରତା ଦେଇଥିବା ପବନ
ମୋତେ ଅନ୍ତଃସତ୍ତ୍ବା କରିଥିବା ଫଗୁଣ …
ସମସ୍ତେ ମୋତେ ଖୋଜୁଛନ୍ତି।”
ସଂକଳନଟିର ବିଶେଷତ୍ବ ହେଉଛି ଏଥିରେ ସନ୍ନିବେଶିତ ପ୍ରତ୍ୟେକଟି କବିତାର ସଂକଳକଙ୍କ ଦ୍ବାରା ବିଶଦ ସମୀକ୍ଷା। ଆମ ଓଡ଼ିଆ କବିତା ଜଗତରେ ଏହି ସମୀକ୍ଷାତ୍ମକ କ୍ରିୟାଟି ପ୍ରାୟତଃ ପରିଦୃଶ୍ୟ ହୁଏନାହିଁ। କବିତା ପ୍ରତି ପାଠକୀୟ ରୁଚି ଜାଗ୍ରତ କରିବାରେ ଏଭଳି ସମାଲୋଚନାମୂଳକ ସମୀକ୍ଷାର ଭୂମିକା ପ୍ରତି ସଂକଳକ ମହୋଦୟ ସଚେତନ ଥିବା ସୁଖର କଥା।
ତେବେ କରୋନାର ଆକ୍ରୋଶରେ ଛଟପଟ ହେଉଥିବା ଆଜିର ମଣିଷ ସେହି ମନଃସ୍ଥିତିରୁ ପଳାୟନର ପନ୍ଥା ଖୋଜିବ ନା କରୋନା ଆଧାରିତ ପୁସ୍ତକଟିଏ ପଢି ପୁଣି ସେହି ପ୍ରସଙ୍ଗଟି ଭିତରେ ଘାଣ୍ଟି ହେବାକୁ ପସନ୍ଦ କରିବ, ତାହା ଦେଖିବାର କଥା। ଭୁବନେଶ୍ବରର ଜଣେ ପୁସ୍ତକ ବିକ୍ରେତା ଥରେ କହିଲେ ଯେ ବର୍ତ୍ତମାନର ପାଠକମାନେ କରୋନା ଆଧାରିତ ପୁସ୍ତକଗୁଡିକ ପ୍ରତି ବିଶେଷ ରୁଚି ଦେଖାଉନାହାନ୍ତି। କାରଣ ସେମାନେ ଖୋଜୁଛନ୍ତି ଭିନ୍ନ ଏକ ଦୁନିଆକୁ ପଳାୟନର ବାଟ।
ନିହାର ଶତପଥୀ