ସ୍ରଷ୍ଟାର କାବ୍ୟ ସୃଷ୍ଟି ଆପାତତଃ କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ କେନ୍ଦ୍ରୀଭୂତ କରି । ଏକ ସୁନିର୍ଦ୍ଦିଷ୍ଟ କଥା ଏହାର ପରିକଳ୍ପନାର ମାନଚିତ୍ର ପାଲଟେ । ସୃଷ୍ଟିକୁ ମୂର୍ତ୍ତିମନ୍ତ ମହତ୍ତର କରିବା ପାଇଁ ସ୍ରଷ୍ଟା ପ୍ରାଣବନ୍ତ ଉଦ୍ୟମ କରେ । ତାର କାବ୍ୟ ପ୍ରକାଶର କ୍ଷୁଦ୍ର କୌଶଳ ସଫଳତା ଲାଭ କରେ ସେତେବେଳେ , ଯେତେବେଳେ କାବ୍ୟଟି ଏକ ପୂର୍ଣ୍ଣାଙ୍ଗ ରମଣୀୟ ରୂପ ଧାରଣ କରି ଜନ ସ୍ୱୀକୃତି ଲାଭ କରେ । ସ୍ରଷ୍ଟା ସୃଷ୍ଟିର ବିନ୍ୟାସ- କୌଶଳ ତାର ନିର୍ବାଚନ , ଉପସ୍ଥାପନ ଉପରେ ନିର୍ଭର କରେ , ଯାହା ଦ୍ୱାରା କାବ୍ୟଟି ସୌନ୍ଦର୍ଯ୍ୟର ରୂପ ମାଧୁର୍ଯ୍ୟରେ ପାଠକର ଚିତ୍ତକୁ ଆହ୍ଲାଦ କରିପାରିବ । ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ଶବ୍ଦ ଓ ଅର୍ଥକୁ କାବ୍ୟ ସାହିତ୍ୟର କାୟା ରୂପ ବୋଲି ଦର୍ଶାଯାଇଛି । କଥାବସ୍ତୁ କାବ୍ୟର ଶରୀର ରୂପେ ପୁରାଣାଶ୍ରିତ ଚରିତକୁ ଗ୍ରହଣ କରାଯାଇପାରେ । କେତେକ ସମାଲୋଚକ ଶବ୍ଦାର୍ଥକୁ କାବ୍ୟର ଶରୀର ଭାବରେ ବିବେଚନା କରିଛନ୍ତି । କିନ୍ତୁ ଶବ୍ଦ ଓ ଅର୍ଥକୁ ପ୍ରାଧାନ୍ୟ ଦିଆ ଯାଇଥିଲେ ମଧ୍ୟ କାବ୍ୟ ସୃଷ୍ଟିର ସ୍ରଷ୍ଟା ଉପରେ ବିଷୟ ନିର୍ବାଚନ , ଉପସ୍ଥାପନଗତ ଶୈଳୀ ଓ ବିଷୟ ବିନ୍ୟାସ ଉପରେ ନିର୍ଭର କରେ ।
ସଂସ୍କୃତାନୁସାରୀ ଓଡ଼ିଆ କବି ସ୍ୱକୀୟ କାବ୍ୟକୁ ଏକ ସର୍ବାଙ୍ଗ ସୁନ୍ଦରୀ ନାୟିକା ରୂପେ ପରିକଳ୍ପନା କରିଆସିଛି । କାବ୍ୟ ନାୟିକାର ଶାରୀରିକ ଶୋଭା ସଂପାଦନ ନିମିତ୍ତ କବି ନାନା ଶ୍ରମ ସ୍ୱୀକାର କରେ । ଆହରଣ ଓ ବିତରଣ ଉପସ୍ଥାପନରେ ଭ୍ରମର ସମ ଭ୍ରମରେ ଭ୍ରମଣ କରେ । କ୍ଷୁଦ୍ରାତିକ୍ଷୁଦ୍ର ବିନ୍ଦୁ ମଧ୍ୟରେ ସିନ୍ଧୁକୁ ସନ୍ଦର୍ଶନ କରି ଅପୂର୍ବ କାବ୍ୟସୌଧ ଗଠନରେ ସମର୍ଥ ଲଭେ । ପ୍ରୀତି ଓ ଭକ୍ତିର ଅଦୈତ ଭାବନା ଭିତରେ ବୁଦ୍ଧିଜୀବୀମାନଙ୍କ ଚିନ୍ତା ମନରାଜ୍ୟକୁ କୁହେଳିକା ସମ ଆଚ୍ଛନ୍ନ କରେ । ପୌରୁଷହୀନ ଉଚ୍ଚବର୍ଗୀୟ ଦେହଜ ପ୍ରଣୟ ଲିପ୍ସା ସହ କର୍ମକାଣ୍ଡ ସର୍ବସ୍ୱ ବ୍ରାହ୍ମଣମାନଙ୍କ ପାରମାର୍ଥିକ ଭାବ ଧାରଣା , ଭୋଗବିଳାସ ବା ପାରଲୌକିକ ପ୍ରଶାନ୍ତି ସାଧାରଣ ଜନଜୀବନକୁ ସଂତୁଳିତ କରୁଥିବା ବେଳେ କବି ତାର ଲେଖନୀରେ ନବ ଚେତନାର ସ୍ୱଚ୍ଛ ଆଲୋକ ଦେଖାଏ । ହୁଏତ କାବ୍ୟରେ ନାୟକ ନାୟିକା ରତି , ସ୍ୱପ୍ନ , ବିଚ୍ଛେଦ , ମିଳନ , ବିପ୍ରଲମ୍ବ ଶୃଙ୍ଗାର ରସର ଅହେତୁକ ମାଦକତା ଉପସ୍ଥାପନ ଭିତରେ ଭାକ୍ତିକ ଅଭିଳାଷକୁ ଚରିତାର୍ଥ କରିବା କବିର ମୌଳିକ ଲକ୍ଷ୍ୟ ହୁଏ । ବିଶେଷକରି କବିର ଚିତ୍ତ ଓ ପାଠକର ଚେତନା ଉଭୟ ସମତାଳ ସରଳ ରେଖାରେ ଗତି କରେ, କାବ୍ୟ ହୁଏ ଉତ୍କୃଷ୍ଟ । ଉଭୟଙ୍କ ଆତ୍ମତୃପ୍ତି ଆବଶ୍ୟକ । ମଧ୍ୟଯୁଗୀୟ କାବ୍ୟକାରମାନେ ସେମାନଙ୍କ କାବ୍ୟ ସର୍ଜନା ଉପରେ ବିଶେଷକରି ପୁରାଣର ଚରିଚ ଚୟନ କରି ନେଉଥିଲେ । ସଂସ୍କୃତେତର ମଧ୍ୟଭାରତୀୟ ଭାଷାରେ ପୁରାଣ ରଚନା କରୁଥିବା କବିମାନଙ୍କର ପ୍ରଭାବ ଓଡିଆ ପୁରାଣକାରମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା । ଫଳତଃ ସାରଳା ଦାସ ସଂସ୍କୃତ ମହାଭାରତ ଓ ରାମାୟଣ କଥାବସ୍ତୁ ଚ୍ଛାୟାରେ ମହାଭାରତ ଓ ବିଚିତ୍ର ରାମାୟଣ , ବଳରାମ ଦାସ ଦାଣ୍ତିରାମାୟଣ ରଚନା କରିବା କୌଣସି କମ୍ ଗୌରବର କଥା ନୁହେଁ । ଏହାର ପ୍ରତିଫଳନ ରୀତି କବିମାନଙ୍କ ଉପରେ ପଡିବା ଅସମ୍ଭବ ନଥିଲା । ବିଶେଷତଃ କୃଷ୍ଣ-ବିଷୟକ କାବ୍ୟ ମଧ୍ୟରେ ରହସ୍ୟ ମଞ୍ଜରୀ , ରସତରଙ୍ଗ , ଗୋପୀଚନ୍ଦନ , କୃଷ୍ଣ ରସାମୃତ , ଶ୍ରୀରାଧା ବିଳାସ ଆଦି କାବ୍ୟକୁ ଗ୍ରହଣ କରାଯାଏ ।
ବିଚାର-ବିମର୍ଷ ଦୃଷ୍ଟିରୁ ମଧ୍ୟଯୁଗୀୟ କବିମାନେ ମୁଖ୍ୟତଃ ଭକ୍ତିପୂତ ଭାବନା ଓ ପ୍ରେମସିକ୍ତ ଚେତନା ଦ୍ବାରା ଉଦ୍ବୁଦ୍ଧ ହୋଇ କାବ୍ୟର କଥାବସ୍ତୁ ଚୟନ କରୁଥିଲେ । କେତେକ ଉଭୟ ଭକ୍ତି-ପୂତ ଓ ପ୍ରୀତି-ସିକ୍ତ ଉଭୟ ଭାବକୁ ନେଇ ସ୍ୱୀୟ କାବ୍ୟରେ ମିଶ୍ରଣ କରିବାରେ ସିଦ୍ଧହସ୍ତ ଥିଲେ । ରାମ-କୃଷ୍ଣ ଉଭୟ ଇହକାଳ ଓ ପରକାଳର ସ୍ୱପ୍ନ କବି ଚିତ୍ତକୁ ଆନ୍ଦୋଳିତ କରୁଥିବାରୁ ଭକ୍ତି ଭାବାଶ୍ରୟୀ କବି ରାମ ଓ କୃଷ୍ଣଙ୍କୁ ଉପଜିବ୍ୟ କରି କାବ୍ୟ ରଚନା କରୁଥିଲେ । କବି ଯେ ଲୌକିକ ଶୃଙ୍ଗାର ରସପୂର୍ଣ୍ଣ ବିଦଗ୍ଧ କାବ୍ୟ କୋଣାର୍କ ସର୍ଜନାରେ ଅମରତ୍ୱ ଲାଭ କରିଥିଲେ ହେଁ ଭକ୍ତି ଭାବାଶ୍ରିତ କାବ୍ୟ ସହ ମୁକ୍ତିର ଦ୍ୱାର ଉନ୍ମୁକ୍ତ କରିବାର ପ୍ରୟାସ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଦୃଷ୍ଟାନ୍ତ ସ୍ୱରୂପ ତ୍ରୈଲୋକ୍ୟମୋହିନୀ ଓ ରସନିଧି ସହ ଘନଭଞ୍ଜ ଗୋବିନ୍ଦ ବିଳାସ , କନକଲତା ସହ ତ୍ରିବିକ୍ରମ ଶ୍ରୀକୃଷ୍ଣ ବିଳାସ , ବହୁ କାବ୍ୟ ସହ ଲୋକନାଥ ନୀଳାଦ୍ରି ମହୋତ୍ସବ ଭଳି ଅନୁପମ କାବ୍ୟ ରଚନା କରି ମୁକ୍ତି ମାର୍ଗକୁ ସୁଗମ କରିଛନ୍ତି । ସେଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀ , ପ୍ରେମସୁଧାନିଧି , ରସିକ ହାରାବଳୀ ଭଳି ବିପ୍ରଲମ୍ବ-ଶୃଙ୍ଗାର କାବ୍ୟ ସର୍ଜନା କରି ବିରହ ପ୍ରେମର ମରମ ବ୍ୟଥାକୁ ପ୍ରକାଶ କରିବାରେ ସଫଳ ହୋଇଥିଲେ ହେଁ କୃଷ୍ଣ – ରାମ କଥାରେ କଳାକଉତୁକ , ବୈଦେହୀଶ ବିଳାସ ଭଳି କାବ୍ୟ ରଚନା କରି ଭକ୍ତି ଭାବର ପରିଚୟ ଦେଇଛନ୍ତି ।
ରୀତି କବିମାନଙ୍କ ପରମ ଓ ଚରମ ଲକ୍ଷ୍ୟ ଥିଲା କାବ୍ୟରେ ଶୃଙ୍ଗାର ରସର ପରିବେଷଣ । ତେଣୁ ଭକ୍ତି ଭାବନା ପ୍ରତି ସେମାନେ ଯେଉଁ ପରିମାଣରେ ଆଗ୍ରହୀ ଥିଲେ , ସମ ପରିମାଣରେ ପ୍ରୀତିର ଆକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ପରକୀୟା ଭାବ ଭାବନାକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିବାରେ ସଫଳ ହେଉଥିଲେ । ଅବଶ୍ୟ ଚନ୍ଦ୍ରାବଳୀ – ଶ୍ରୀକୃଷ୍ଣ , ରାଧା-କୃଷ୍ଣଙ୍କ ରତି କ୍ରିଡାକୁ ବର୍ଣ୍ଣନା କରିବାରେ କୁଣ୍ଠାବୋଧ କରି ନାହାନ୍ତି । ଯଦିଓ ନିଜର ଦୋଷା ଦୋଷକୁ ନଧରିବା ପାଇଁ ବିନମ୍ର ପ୍ରାର୍ଥନା କରିଛନ୍ତି । ନବଧା ରସସିକ୍ତ କାବ୍ୟ ଭିତରେ ରଖିବା , ତନ୍ମଧ୍ୟରୁ ବିପ୍ରଲମ୍ବ ଶୃଙ୍ଗାର ରସକୁ ପ୍ରାଧାନ୍ୟ ଦେଇଛନ୍ତି । ଏକ୍ଷେତ୍ରରେ କବି ସୂର୍ଯ୍ୟ ବଳଦେବ ଯୁଗଳ ରସାମୃତ ଲହରୀ , ପ୍ରେମ କଳ୍ପଲତା , ପ୍ରିତି ଚିନ୍ତାମଣି , ନିଷ୍ଠାନୀଳମଣି ଭଳି ବହୁ ଭକ୍ତି ଭାବାପ୍ଳୁତ କାବ୍ୟ ରଚନା କରି ପାରିଛନ୍ତି । ସେଭଳି ଅନେକ କବି ଭକ୍ତି ଓ ପ୍ରୀତିର ସମନ୍ୱୟରେ ସିଦ୍ଧି ଲାଭରେ ଗୋଟିଏ ଗୋଟିଏ ଅନୁରୂପ କଥା ବସ୍ତୁ ପୁରାଣରୁ ଚୟନ କରି କାବ୍ୟ ରଚନା କରିଥାନ୍ତି । ଓଡିଆ ଆଖ୍ୟାନ କାବ୍ୟ ସମୂହ ଏହାର ଦୃଷ୍ଟାନ୍ତ ରୂପେ ନିଆଯାଇ ପାରିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସୁଭଦ୍ରା ପରିଣୟ ଏହାର ପ୍ରକୃତ ନିଦର୍ଶନ ।
ପୌରାଣିକ ତଥା ଆଖ୍ୟାନ କାବ୍ୟର ଉପସ୍ଥାପନ ଶୈଳୀ ବିଶେଷକରି ସମ୍ବାଦ ଶୈଳୀର ରୂପ ନିଏ । କଥାଗ୍ରନ୍ଥ ବିଶେଷ କରି ପୁରାଣ ବର୍ଣ୍ଣିତ ବିକ୍ରମ – ବେତାଳ , ଶିବ – ପାର୍ବତୀ , ସୂତ – ସୌନକ , ଶୁକ- ପରୀକ୍ଷିତ , ଅଗସ୍ତି – ବୈବସ୍ୱତ୍କ ଏସବୁ କବି ସମ୍ବାଦ ଶୈଳୀରେ ରଚିତ । ଏପରିକି ରାମବିଭା, ନଳଚରିତ , ଶଶୀସେଣା , ସୁଲୋଚନା ପରିଣୟ କାବ୍ୟକୁ ଗ୍ରହଣ କରାଯାଇଛି । ପୁରାଣ ତଥା ଗଳ୍ପ ଗୁଡିକରେ କଥା କଥୋପକଥନ ଶୈଳୀର କବି ସର୍ଜନାର ମାଧ୍ୟମ ପାଲଟେ । ଅଧିକାଂଶ କାବ୍ୟର କଥାବସ୍ତୁ ଲୋକଗଳ୍ପ କୌଶଳକୁ ଅବଲମ୍ବନ କରି ରଚିତ । ଆଶୀର୍ନମସ୍କ୍ରିୟା ପରେ କବି ବିଷୟ ଅୟମାରମ୍ଭ ବେଳେ – ” ପୂର୍ବ କଥା ଏକ ଶୁଣ ସୃଜନ / କେହି ନିଷଧ ଦେଶର ରାଜନ / ଚନ୍ଦ୍ରାବର୍ମା ନାମରେ ସେ ବିଦିତ/ ପୁତ୍ର ହେତୁ ଯାଗ କଲେ ବହୁତ ..” ଦର୍ଶାଇଥାନ୍ତି ।
ଓଡିଆ କାବ୍ୟକାରମାନେ ନିଜସ୍ୱ କାବ୍ୟକୁ ଅଧିକ ସୁଖାନ୍ତକ କରିବାରେ ପ୍ରୟାସୀ । ନାୟକ ନାନା ବାଧା ବନ୍ଧନ , ପ୍ରତିକୂଳ ଅବସ୍ଥା ଅତିକ୍ରମ କରିସାରିବା ପରେ ସୁଖମୟ ଜୀବନ ପାଏ । କଥା ଶେଷରେ- ” ରାଜ୍ୟର ରାଜା ହେଲା , ମୁଁ ଗଲାରୁ ପଦେ ନାଇଁ କହିଲା କଥା ।” ସେଭଳି ରାମାୟଣ ଓ ମହାଭାରତର କଥାବସ୍ତୁ ନେଇ କାବ୍ୟ ରଚନାରେ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣକୁ ଅତି ସତର୍କତାର ସହ ବର୍ଣ୍ଣନା କରିଥାନ୍ତି । ରାମଙ୍କ ରାଜ୍ୟାଭିଷେକ , ଯୁଧିଷ୍ଠିରଙ୍କ ଅଶ୍ୱମେଧ ଯଜ୍ଞ , ରାଜ କୁମାରର ରାଜ୍ୟାଭିଷେକ , ନାୟକର ମଧୁଶଯ୍ୟା , ଋତୁ ଅନୁସାରେ କ୍ରୀଡା , ସାମୟିକ ବିଚ୍ଛେଦ/ ମିଳନ , ରତି , ଶ୍ରୀକୃଷ୍ଣ-ରାଧାଙ୍କ ରାସକ୍ରୀଡା ଉପସଂହୃତ । ଏସବୁ ସହିତ କବି ରାମ/ କୃଷ୍ଣଙ୍କ ଅବତାର ଭାବେ ଗ୍ରହଣ କରି କାବ୍ୟ ଶେଷରେ ବୈକୁଣ୍ଠ ଗମନ ବା ସ୍ୱର୍ଗାରୋହଣ , ସ୍ୱର୍ଗର ଐଶ୍ୱର୍ଯ୍ୟ ପ୍ରାପ୍ତି କରି ପାଠକକୁ ଦୃଢ ଈଶ୍ୱର ବିଶ୍ବାସ କରାଇବା (ଚନ୍ଦ୍ରକଳା ) କାବ୍ୟକାରର ଲକ୍ଷ୍ୟ । କେତେକ କାବ୍ୟକାରମାନେ କାବ୍ୟକୁ ସୁଖାନ୍ତକ ଅପେକ୍ଷା ପରିସମାପ୍ତରେ ଦୁଃଖାନ୍ତକ କରିବାକୁ ଉତ୍ତମ ମନେକରନ୍ତି । ବିରହ ବିଚ୍ଛେଦ କାବ୍ୟକୁ ଉକୃଷ୍ଠ କରାଏ । ଗୋପଲୀଳା ବିଷୟକ କାବ୍ୟରେ ଶ୍ରୀକୃଷ୍ଣ ଗୋପ ଛାଡି ମଥୁରା ଯିବା ଓ ପ୍ରତ୍ୟାବର୍ତ୍ତନ ନକରିବା ଭଳି ଦୀନକୃଷ୍ଣଙ୍କ ରସକଲ୍ଳୋଳ , ଭକ୍ତଚରଣଙ୍କ ମଥୁରା ମଙ୍ଗଳ କାବ୍ୟ ଭଳି ଗୋପ ବିନୋଦ , ଶ୍ରୀରାଧା ବିଳାସ , କୃଷ୍ଣ ବିଳାସ ଆଦି କାବ୍ୟରେ ରାଧା , ଗୋପୀଗଣାମାନଙ୍କ କୃଷ୍ଣଙ୍କ ବିଚ୍ଛେଦ ବିରହ ଜନିତ ଜ୍ଜାଳା ମୁଖରିତ । ସୂଚନା ସ୍ୱରୂପ ସେଭଳି ବିଷ୍ଣୁ ଦାସଙ୍କ ‘ ‘ଇଚ୍ଛା ବତୀ ‘ ଓ ଚମ୍ପତି ସିଂହଙ୍କ ‘ ସୁଲକ୍ଷଣା ‘ ବିୟୋଗାନ୍ତ କାବ୍ୟ ରୂପେ ଗ୍ରହଣୀୟ । କବିର କଳ୍ପନା ପ୍ରସ୍ତୁତ କାବ୍ୟ ବିଦଗ୍ଧ ପାଠକ ମନରେ କାବ୍ୟର ଶେଷୋକ୍ତି ଅଧିକ ଆତ୍ମନିଘା କରେ , ପାଠକ ଅଧିକ ଭାରାକ୍ରାନ୍ତ ହେଲେବି କାବ୍ୟଟି ପ୍ରତି ଅହେତୁକ ଆକୃଷ୍ଟ ହୁଏ ।
କବି ବିଷୟ ବିନ୍ୟାସ ବେଳେ ବିଶେଷତଃ ଦୁଇଟି ଆଦର୍ଶକୁ ଦୃଷ୍ଟି ଦିଏ । ଗୋଟିଏ ପ୍ରଚଳିତ ପରଂପରା ଗତ କଥା ଅର୍ଥାତ ପୁରାଣ , ଗଳ୍ପ କାବ୍ୟ , ନାଟକ , ଆଖ୍ୟାନ , ଆଖ୍ୟାୟିକା , ଉପଖ୍ୟାନ , କିମ୍ବଦନ୍ତୀ , ଲୋକକଥା ଓ ଅନ୍ୟଟି ଅଳଙ୍କାର ଶାସ୍ତ୍ର । ପୁରାଣ ବର୍ଣ୍ଣିତ ପୌରାଣିକ କାବ୍ୟ ଓ କାଳ୍ପନିକ କାବ୍ୟରେ ଅଳଙ୍କାରର ପ୍ରୟୋଗ କାବ୍ୟର ସୌନ୍ଦର୍ଯ୍ୟ ବୃଦ୍ଧିର ପରିପ୍ରକାଶ କରେ । ମାନବର ସବୁଠାରୁ ଶ୍ରେଷ୍ଠ ଜୈବିକ ପ୍ରବୃତ୍ତି ପ୍ରଣୟ ଓ ଆତ୍ମରକ୍ଷା ଜନିତ ( ଯୁଦ୍ଧ ) କୌଶଳ । କାବ୍ୟକାରମାନେ ନାୟକ / ନାୟିକାଙ୍କ ଜନ୍ମ , ଯୌବନ , ମିଳନ , ବିରହ , ବିଚ୍ଛେଦ ଓ ପୁନର୍ମିଳନକୁ ଚତୁରତାର ସହ ବର୍ଣ୍ଣନା କଲା ସମୟରେ ସାମାଜିକ ଦିଗ ପ୍ରତି ବେଶ୍ ସଚେତନଶୀଳ । ମହାଭାରତ ଗ୍ରନ୍ଥକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କଲେ ସ୍ପଷ୍ଟ ହେବ – ଗ୍ରନ୍ଥଟି ଏକ ପାରିବାରିକ ଭ୍ରାତୃ ବିବାଦକୁ କେନ୍ଦ୍ର କରି ପରିକଳ୍ପିତ । କୌରବ / ପାଣ୍ତବ ମଧ୍ୟରେ ବିବାଦ । ବିବାଦ ହସ୍ତିନା ପୁରର ରାଜସିଂହାସନ ପାଇଁ ଯେତିକି ନୁହେଁ , ମୂଳରେ ଦ୍ରୌପଦୀଙ୍କୁ ନେଇ । କୌରବମାନଙ୍କ ଚକ୍ରାନ୍ତରେ ଦ୍ରୌପଦୀ ସମେତ ପାଣ୍ତବମାନଙ୍କ ନିର୍ବାସନ ଓ ଏହା ପାଣ୍ତବମାନଙ୍କ ଦାମ୍ପତ୍ୟ ଜୀବନର ପ୍ରତିବନ୍ଧକ ଥିଲା ଅସ୍ୱୀକାର କରି ହେବ ନାହିଁ । ପରେ ଶ୍ରୀକୃଷ୍ଣଙ୍କ ସହାୟତା , ଯୁଦ୍ଧ ଓ ରାଜ୍ୟ ପ୍ରାପ୍ତି ଓ ସ୍ୱର୍ଗାରୋହଣ- ଏସବୁ କେବଳ ମହାଭାରତର ମୂଳ କଥାବସ୍ତୁ । ମହାଭାରତର ମୂଳ କଥାବସ୍ତୁ ସହ ବହୁ ଉପଖ୍ୟାନ ସନ୍ନିବେଶ ଘଟିଛି । ନଳ- ଦମୟନ୍ତୀ , ଦୁଷ୍ମନ୍ତ – ଶକୁନ୍ତଳା , ଉଲୁପୀ – ଅର୍ଜୁନ ପରି ନାନା ଉପାଖ୍ୟାନ , ଯାହା ଘଟଣା ବିନ୍ୟାସ ଅପେକ୍ଷାକୃତ ସରଳ ବିରହ , ମିଳନର ପୃଷ୍ଠପୀଠିକା ଉପରେ ପର୍ଯ୍ୟବେସିତ ହୋଇଛି ।
ସେଭଳି ରାମାୟଣ ଗ୍ରନ୍ଥକୁ ବିଚାର କଲେ ଶ୍ରୀରାମଙ୍କ ଜନ୍ମ , ସୀତାଙ୍କୁ ବିବାହ , ପିତୃସତ୍ୟ ପାଳନରେ ଚଉଦ ବର୍ଷ ବନବାସ ଯାହା ନିର୍ବାସନ , ସୀତାଙ୍କ ଚୋରି ( ପରୋକ୍ଷରେ ବିଚ୍ଛେଦ ) , ଲଙ୍କା ଯାତ୍ରା , ଯୁଦ୍ଧ , ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ , ପୁନର୍ବାର ସୀତାଙ୍କ ନିର୍ବାସନ ଜନିତ ବିଚ୍ଛେଦ , ମିଳନ ଓ ବୈକୁଣ୍ଠ ପ୍ରତ୍ୟାଗମନ । ମହାଭାରତ ଓ ରାମାୟଣ ବିଷୟ- ବିନ୍ୟାସରେ ପୃଥକ ନୁହନ୍ତି , କେବଳ ରାମାୟଣକାର ନାୟକ ନାୟିକାଙ୍କ ବିଚ୍ଛେଦ ଦୁଇଥର ଘଟାଇ ଭିନ୍ନ ଏକ ବୈଚିତ୍ର୍ୟ ସୃଷ୍ଟି ହୋଇଛି । କିନ୍ତୁ ଭାଗବତକୁ ଅନୁଧ୍ୟାନ କଲେ ଏଥିରେ କୃଷ୍ଣଙ୍କ ଚରିତ୍ରଟି ଦୁଇଟି କଥାବସ୍ତୁ ଆଧାରିତ ରୂପରେ ରଚିତ । ଏଥିରେ ଶ୍ରୀକୃଷ୍ଣଙ୍କ ଲୀଳା ଗୋପ , ମଥୁରା ଓ ଦ୍ୱାରକା’କୁ ଭିତ୍ତି କରି । ଗୋପରେ ପରକୀୟା ଓ ଦ୍ୱାରକାରେ ସ୍ୱକୀୟା ରୂପେ ଦ୍ୱିବିଧ୍ । ମଥୁରା ଲୀଳାରେ କୁବଜା ସହ ଗୋଟିଏ ରାତ୍ରର କଣ୍ଟମାତ୍ର । ସ୍ୱକୀୟାମାନଙ୍କ ଆଗମନରେ ପରକୀୟାମାନଙ୍କ ନାୟକର ମାନସପଟରୁ ବିସ୍ତୃତ ହେବା ବିଡମ୍ବନା ହୋଇପାରେ । ଏଠାରେ ପରକୀୟାମାନଙ୍କ ସହ ନାୟକର ପୁନର୍ମିଳନ ଘଟିନାହିଁ , ଅର୍ଥାତ କୃଷ୍ଣ ମଥୁରା ବିଜୟ ପରଠାରୁ ଗୋପାଙ୍ଗନା ମାନଙ୍କ ଠାରୁ ବହୁ ଦୂରେ , ବିଚ୍ଛେଦ ଘଟିଛି । ଭାଗବତର କଥାବସ୍ତୁ କୃଷ୍ଣ ମଥୁରାରେ ଜନ୍ମ , ଗୋପରେ ବାଲ୍ୟଲୀଳା ସହ ଗୋପିମାନଙ୍କ ସହ ପ୍ରଣୟ କ୍ରୀଡ଼ାରେ ଲିପ୍ତ , ମଥୁରା ଗମନରେ କଂସ ସଂହାର ଓ ଗୋପବାଳାଙ୍କ ସହ ବିଚ୍ଛେଦ ଓ ଦ୍ବାରରକା ଅଧିପତି ସହ ଅଷ୍ଟ ପଟ୍ଟମହିଷୀଙ୍କୁ ବିବାହ ପରେ ପରେ ବୈକୁଣ୍ଠ ପ୍ରତ୍ୟାଗମନ । କାବ୍ୟ- ମହାକାବ୍ୟର କଥାବସ୍ତୁ ସ୍ୱତଃ ଏକା ଭଳି ମନେହୁଏ ।
ବାସ୍ତବରେ ସ୍ରଷ୍ଟାର ସୃଷ୍ଟି ମାନସରେ ଯେଉଁ ସୂକ୍ଷ୍ମ ବିଶ୍ୱ-ରୂପଟି ବିକଶିତ ହୁଏ , ତାର ଭିନ୍ନ ଦିଗଟି ସାମାଜିକ ଶୃଙ୍ଖଳା , ନୀତିପରାୟଣତା , ପାରମାର୍ଥିକ ଧାରଣା ଆଦି ପ୍ରତି ଦୃଷ୍ଟି ଦେଇ ସଂରଚନା ହୋଇଥାଏ । ପୁରାଣାଶ୍ରିତ ଧର୍ମ- ପିଣ୍ତିତ ବିଷୟ ଜଞ୍ଜାଳ ମଧ୍ୟରେ କଥା-ବିନ୍ୟାସରେ ସ୍ରଷ୍ଟା ସ୍ୱକାବ୍ୟର ଆଭିମୁଖ୍ୟକୁ ଅଧିକ ନାଟକୀୟ କରିବା ନିମନ୍ତେ ବିଭିନ୍ନ ବୈଜ୍ଞାନିକ କୌଶଳ ଅବଲମ୍ବନ କରେ ସତ, ହେଲେ କାବ୍ୟ – ମହାକାବ୍ୟ ବିଷୟବସ୍ତୁର ସରଳତମ ରୂପର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରୁ କେବେ ବିଚ୍ୟୁତ ହୁଏ ନାହିଁ…!!!