ନୁଆ ନୂଆ କରୋନା ଭାରତକୁ ଆସିଥାଏ। ତାର ପରିଣାମ କଣ ଆଗକୁ ହେବ ଭଲ କରି ଜଣାପଡି ନ ଥାଏ। ଯେତେବେଳେ କେହି ପଜିଟିଭ କେସ ବାହାରୁଥାଏ , ଲୋକମାନଙ୍କ କହିବାର ଶୈଳୀ ଏମିତି ଥିଲା “ହେଇ ପରା , ପୁଣି ତିନିଟା ଧରା ପଡିଛନ୍ତି।”
ତା ଆର ଦିନ ସକାଳୁ ନିଉଜ ଦେଖି ପୁଣି ସେଇ କଥା ରିପିଟ ହେବାର ଶୁଣିଲି। “ଆଉ ଦିଟା ଧରା ପଡିଲେ ।” ଆଉ ସମ୍ଭାଳି ପାରିଲିନି। କହିଲି, “ଆରେ ଧରା କଣ ପଡିଲେ , ସେମାନେ କଣ ଚୋର ନା ଡ଼କାୟତ? ସିଏ କଣ ଜାଣିଛନ୍ତି ତାଙ୍କ ଭିତରେ କରୋନା ଭୁତାଣୁ ଛପି ରହିଛି ବୋଲି?”
ଏମିତି ସମୟ ରେ ନିଉଜ଼ ଆସିଗଲା ବମୀଖାଲ ରେ ୧୫ଟା ପଜ଼ିଟିଭ କେସ ଏକା ଥରେ। କଣ କହିବି! ଫୋନ୍ କଲ ଲମ୍ବା ଲାଇନ ଆମ ପାଖକୁ। କଥା କଣ କି ବମୀଖାଲରେ ଏକାଥରେ ପନ୍ଦର ଟା ଧରା ପଡିଛନ୍ତି । ହସି ହସି ପେଟ ଦରଜ ହୋଇଗଲା। ସେ କଥା ପ୍ରମିଳା ମାଉସି କିମ୍ବା ଡ୍ରାଇଭର କହିଲେ ଠିକ ଅଛି। କିନ୍ତୁ ଅନ୍ୟ ବନ୍ଧୁ ମାନଙ୍କ ଠାରୁ ଶୁଣିଲା ବେଳକୁ ଟିକେ ଅଡ଼ୁଆ ଲାଗୁଥିଲା।
ମନେ ପଡୁଥିଲା ଥ୍ରୀ ଇଡିଅଟ ର ସେ ଡାଇଲଗ “ଦୋସ୍ତ ଫେଲ ହୋ ଜାତେ ତୋ ଦୁଃଖ ହୋତା ହେ , ପର ଦୋସ୍ତ ଫାଷ୍ଟ ହୋ ଜାନେ ସେ ଜ୍ୟାଦା ଦୁଃଖ ହୋତା ହେ। “
ଲାଗୁଥିଲା ବମୀଖାଲ ରୁ କେହି କ୍ରିକେଟିଏର ବାହାରିଥିଲେ ଯେତିକି ଲୋକ ଜାଣି ନଥାନ୍ତେ ଏଇ ପନ୍ଦର ଏକା ଥରେ ଧରା ପଡି ସେତିକି ଲୋକ ଜାଣିଗଲେ। ସବୁ ସେଇ କରୋନା ଓ ଲକ୍ ଡାଉନ ପାଇଁ ନା! କାହା ପାଖେ ଏତେ ସମୟ ଥିଲା ଏମିତି ଟିକିନିଖି ହିସାବ ରଖିବାକୁ ଟିଭି ନିଉଜ଼ ର।
ଏ ସବୁ ହସି ମଜ଼ାକ ଚାଲିଥିଲା। ମନସ୍ତତ୍ୱ୍ୱ ର ଛାତ୍ରୀ ନହୋଇ ମଧ୍ୟ ଚର୍ଚ୍ଚା ସମୟରେ ମୁଁ କହୁଥିଲି ଯେ ଲୋକ ନିଜ ତରଫରୁ ଟେଷ୍ଟ କରିବା ପାଇଁ ବା କ୍ୱାରାନ୍ଟାଇନ ରେ ରହିବା ପାଇଁ ଚାହୁନାହାଁନ୍ତି। କାରଣ ଆଖ ପାଖ ଲୋକ ତାଙ୍କୁ ତେଢେଇ କରି ଦେଖୁଛନ୍ତି। ପୋଲିସ ଆସି ଗୋଟି ଗୋଟି କରି କଣ୍ଟାକ୍ଟ ଟ୍ରେସିଂ କରି ଘରୁ ବାହାର କରି ନେଲା ବେଳକୁ ପାଖ ପଡିଶା ମାନେ ଝରକା ଓ ବାଲକୋନି ରେ କଣେଇ କଣେଇ ଦେଖି ଝରକା ବନ୍ଦ କରି ଦେଉଛନ୍ତି।
ଏଥିରେ କାହାକୁ ଦୋଷ ଦେବା !! ଏତେ ଦିନ ଧରି କରୋନା ସଚେତନତା ପରେ, ବାଗଚି ବାବୁଙ୍କ ପ୍ରେସ ମିଟ ରେ ବାରମ୍ବାର କହିବା ପରେ କି ରୋଗକୁ ଘୃଣା କର, କିନ୍ତୁ ରୋଗୀ କୁ ନୁହେଁ , ଆମେ ନିଜକୁ ବଦଳାଇ ପାରୁନୁ। କଣ କରିବା !! ମଣିଷ ମନ ତ ସେମିତି।
ଆଜି ର କଥା ଏଇ ପରିପ୍ରେକ୍ଷୀରେ।
ଜଣେ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କ ସହ ସମ୍ବଲପୁରରୁ ଭୁବନେଶ୍ୱର ଝିଅ ଘରକୁ ଆସିଥିଲେ। କିଛି ଜାଣିବା ପୂର୍ବରୁ ଲକ୍ ଡାଉନ ହୋଇ ଗଲା। ସେ ସେଇଠି ଭୁବନେଶ୍ୱର ରେ ପାଖାପାଖି ଦୁଇ ମାସ ରହିଲା ପରେ ଏବେ ଗାଡି କରି ସମ୍ବଲପୁର ନିଜ ଘରକୁ ଫେରିଲେ। ଆଜିକା ତାରିଖ ରେ ସମ୍ବଲପୁର କରୋନା ମୁକ୍ତ ଏରିଆ। ସଫା ସୁତୁରା ଜାଗା। ସମ୍ବଲପୁର ବାସିନ୍ଦା ମା ସମଲେଇ କୁ ଡାକୁଛନ୍ତି ତାଙ୍କ ଜାଗାକୁ ନିର୍ମଳ ରଖିବାକୁ। କିନ୍ତୁ ଭୁବନେଶ୍ୱର ହଟସ୍ପଟ ରେଡ଼ ଜୋନ ରେ ଦୁଇ ମାସ ରହି ନିଜ ଘରକୁ ଫେରିଲା ବେଳକୁ ଅନେକ ଆଖି ସେମାନଙ୍କ ଆଡେ ଚାହିଁଛନ୍ତି। ଅଶାକର୍ମୀ ଆସି ତାଙ୍କ ଘରେ ପହଞ୍ଚିଗଲେ ସେ ଘରେ ଗୋଡ଼ ଦେଉ ଦେଉ। ସେ ବୟସ୍କ ପତି ପତ୍ନୀ ବୁଝି ପାରୁନାହାନ୍ତି ତାଙ୍କର ଦୋଷ କଣ। ସାଇ ପଡ଼ିଶା କାହା ସାଙ୍ଗରେ ଦୁଇ ପଦ କଥା ହେବେ , ନିଜ ଘରକୁ , ନିଜ ଜାଗା କୁ ଫେରିଆସିବାକୁ ସେ କେତେ ବ୍ୟାକୁଳ ହୋଇ ଝିଅ ଜ୍ୱାଇଁ କୁ କହି ଫେରିଆସିଥିଲେ କଣ ଏଇଥି ପାଇଁ !!
ହେଲେ ସଂସାର ରେ ଦୟା, ମାନବିକତା , ଅନୁକମ୍ପା ଏବେ ବି ବଞ୍ଚିଛି।
ସେ ଝିଅଟି କୁ ବେଶି ବୟସ ନୁହେଁ। ଗୋଟିଏ ଛୋଟ ଆଠ ବର୍ଷର ଝିଅ ର ମା ସିଏ। ସାରା ପରିବାର ସାଇ ବାବା ଙ୍କ ଆଶ୍ରିତ। ଭାରି ଭଲ ଲାଗିଲା ଆଜି ତା ଠାରୁ କେଇ ପଦ କଥା ଶୁଣି। ଆଶ୍ଚର୍ଯ୍ୟ ହେଲି ତା କଥା କେତେ ପଦରେ। ଯେତେବେଳେ ତାର ମା ଯିଏ କି ସେ ବୟସ୍କ ଭଦ୍ର ବ୍ୟକ୍ତିଙ୍କ ଘର ପାଖରେ ଥାଆନ୍ତି , ଦୁରୁଛଡ଼ା ଦେଉଥିଲେ ସେଇ ପଡୋଶୀଙ୍କୁ। ଏ ଝିଅ ଟି ଯାଇ ତା ମା ଙ୍କୁ ବୁଝାଇବାକୁ ପଛାଇ ନଥିଲା । ଅନ୍ୟ ଆଖପାଖ ସାଇ ପଡ଼ିଶା ଲୋକମାନଙ୍କୁ ଯାଇ ବୁଝାଇଲା ସେ ବୃଦ୍ଧ ଦମ୍ପତି ଙ୍କ ସାଂଗେ କଥା ବାର୍ତା କରିବା ପାଇଁ। ଦୂରରୁ ଠିଆ ହୋଇ ହସି ଦେଲେ କି ପଦେ ଭଲ ମନ୍ଦ ପଚାରିଲେ କଣ କରୋନା ସଂକ୍ରମିତ ହୋଇ ଯିବ !!
ସେ ଝିଅ ର ଦୁଇ ପଦ କଥା ମନକୁ ଛୁଇଁଗଲା ମୋର । କିଏ କହିଲା ଲକ୍ ଡାଉନର ଫାଇଦା ନାହିଁ ବୋଲି !!
Very nicely narrated the situations, which we all experienced during April 2020. Thank you