ନଣନ୍ଦ :
କଇଁଆ କଇଁଥ କେନ୍ଦୁ
ଖାଇବା ପାଇଁ କି କେତେ ତୁ କାନ୍ଦୁ
ଭାଉଜ ଲୋ
ଭାଇ ପୀରତି କି ନିନ୍ଦୁ ।
ଭାଉଜ :
ଖଜୁରି ଗଛର କୋଳି
ତୋଳିବା ପାଇଁ କି କରୁଛୁ ଅଳି
ନଣନ୍ଦ ମୋ
ଭାଉଜ ସାଙ୍ଗରେ କଳି !
ନଣନ୍ଦ :
ସଜନା ଗଛର ଛୁଇଁ
କେତେ ଦେଖାଉଛୁ ସୁନ୍ଦରୀ ଛଇ
ସୁନ୍ଦରୀ ଛଇ ଲୋ
ପଡ଼ୁନି କି ଭାଇ ଛାଇ !
ଭାଉଜ :
ଡେଙ୍ଗା ତାଳ ଗଛ ଛାଇ
କେତେ ବା ପାରିବ ଖରାକୁ ସହି
ସହୀ ମୋର
ଦେହ ସିନା ପୋଡ଼ି ଯାଇ !
ନଣନ୍ଦ:
ପାହାଡ଼େ ଲାଗିଛି ନିଆଁ
କିଏ ଡୁଙ୍ଗୁଛୁରେ ଯୋଗିନୀଖିଆ
ଯୋଗିନୀ ଖିଆରେ
ଆଗକୁ ଆସୁନୁ କିଆଁ ?
ଭାଉଜ :
ନିମକୁ କଲି ଚନ୍ଦନ
ଦେଖିବା ପାଇଁ କି ଗୋରୀ ବଦନ
ନଣନ୍ଦ ମୋ
ଟୋକାଏ ତ ଛନଛନ ।
ନଣନ୍ଦ :
ମୁଣ୍ଡରେ ବାନ୍ଧିଲି ଠେକା
କିଏ ସେ ଅଛିରେ ମରଦ ଟୋକା
ମାଆର ପୁଅ ସେ
ଆଗକୁ ଆସୁ ମୋ ଏକା !!
ଭାଉଜ :
ଟଙ୍କାରେ ଚାଉଳ କିଲେ
ଭେଣ୍ଡିଆ ଖାଇକି ଦାଣ୍ଡରେ ବୁଲେ
ଦାଣ୍ଡରେ ବୁଲେ ଲୋ
ମରଦ ପଣିଆ ଭୁଲେ !
ନଣନ୍ଦ :
ନଈରେ ଖେଳଇ ଚେଙ୍ଗ
କେତେ ଦେଖଉଛୁ ନହୁଲି ବାଗ
ନହୁଲି ବାଗ ଲୋ
ଭାଇ ଛଡ଼ାଇବ ରଙ୍ଗ !
ଭାଉଜ :
ବିଲେ କରୁଥିଲା ହଳ
ଫେରୁଥିଲା ଘର ସଞ୍ଜର ବେଳ
ଭାଇ ତୋର
କଷୁଥିଲା ଚଷା ବଳ !
ନଣନ୍ଦ :
ପୋଖରୀ ମଝିରେ କଇଁ
ଏଡିକି ନିଲଜୀ ହେଲୁ କିମ୍ପାଇଁ
ଭାଉଜ ଲୋ
ଲାଜ ସରମ ତୋ ନାହିଁ !!
ଭାଉଜ :
ମୁଣ୍ଡରେ ଉଙ୍କୁଣୀ ଵୋଝେ
ନାରୀ ମନ କଥା କିଏ ବା ବୁଝେ
ରାଣୀ ମୋର (ଦିନ ଆସୁ)
ବୁଝିଯିବୁ ତୁ ନିଜେ !
ନଣନ୍ଦ :
ପିଆଶାଳ କାଠ ମଞ୍ଜ
ବୁଝି ପାରୁନି ମୁଁ ତୋ କଥା ଖଞ୍ଜ
ଚାଲ ଯିବା
ହେଇଗଲା ମୁହଁ ସଞ୍ଜ !!
ମୋର ଏହି ଛୋଟ ପ୍ରୟାସଟିକୁ ସାହିତ୍ୟ ଚର୍ଚାର ୱେବ ପେଜ ରେ ସ୍ଥାନ ଦେଇଥିବାରୁ ମୁଁ ଆୟୋଜକଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରୁଛି।
Sundar gaunli chata e sabu monethibaru tumaku anek anek badhai
Excellent depiction of traditional folklore.
It’s really touched our heart. True Feeling. Keep it up.
Tanushree , ଗାଁ ଗହଳି ର ଗାଉଁଲି ଭାଷା ରେ ନଣନ୍ଦ ଭାଉଜ ଙ୍କ ଟାହୀ ଟାପରା କୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଚ। ବାଃ
ସୁନ୍ଦର ଉପସ୍ଥାପନା।
ସୁନ୍ଦର,ସହଜ ଓ ସୁଆଦିଆ ମନଛୁଆଁ ଗାଉଁଲି ଗୀତ।
ଲୋକ ଗୀତ ଛଳରେ ଗାଉଁଲି ଭାଷା- ଭାବର ଏକ ନିଆରା ପ୍ରତିଶ୍ରୁତି । ଧନ୍ୟବାଦ।