ଜୀବନ ମୋ ଏକ ମରୁ ଝରଣା
ଯାଇଛି କେବେଠୁ ଶୁଖି
ଜଳିଛି ଶ୍ୟାମଳ ସବୁଜ ସ୍ୱପନ
ବାସ୍ତବତା ପାରେ ଦେଖି।
ଅତୀତ ମୋ ପାଇଁ ସ୍ମୃତିର ଶାୟରୀ
ସମ୍ପର୍କ ଯାଇଛି ମରି
ରଙ୍ଗ ହଜିଛି ପୃଥିବୀରୁ ମୋର
ଜୀବନ ଟା ମରୁବାଲି।
ଜହ୍ନର ଜୁଈ ରେ ଜଳୁଛି ଆଜି ମୁଁ
ସ୍ମୃତିର କବିତା ଗାଇ
ମୋ ହୃଦ କୋଣର ଅକୁହା କାହାଣୀ
କିଏ ବା ଶୁଣିବ କାହିଁ ।
ଆକାଶ ଛାତିରେ ଦେଖୁଛି ଆଜି ମୁଁ
ଖାଲି ପ୍ରତାରଣା ଛାଇ
କହିବି ପାରୁନି ଅନ୍ତର ବେଦନା
ବୁଝି କେ ପାରଇ ନାହିଁ।
ଫୁଲଠୁ କୋମଳ ମରମ ଥରଇ
ଆଖି କୋଣେ ଲୁହ ଭରି
ବୁଝିବା ବେଳକୁ ଜୀବନରେ ମୋର
ରାତି ଯାଇଥିବ ସରି।
ତୁମରି ଆସିବା ଆଗରୁ ନିଜେ ମୁଁ
ସଜାଇ ଥିବି ଚିତା
ବାକିଥିବ ଖାଲି କହିବାକୁ ପଦେ
ଜୀବନର ଶେଷ କଥା।
ସେ ପେଶାରେ ହେଉଛନ୍ତି ଜଣେ ରିକ୍ସା ଚାଳକ, ହେଲେ ନିଶାରେ କବି। ଘର ଯାଜପୁର ଜିଲ୍ଲାରେ। ଏ ଯାବତ ଲେଖି ସାରିଲେଣି ପାଞ୍ଚ ହଜାରରୁ ଅଧିକ କବିତା । ତଥାପି ଲୋକଲୋଚନକୁ ଆସି ପାରି ନାହାନ୍ତି। ଏଭଳି ଜଣେ କବିଙ୍କୁ ନିଜ ପୃଷ୍ଠାରେ ସ୍ଥାନ ଦେଇ ‘ସାହିତ୍ୟ ଚର୍ଚ୍ଚା’ ଆଜି କୃତାର୍ଥ।
ଶ୍ରୀ କୈଳାସ ପାତ୍ରଙ୍କ ଭଳି ବଣମଲ୍ଲୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଚଳିତ ବର୍ଷଠାରୁ ଆରମ୍ଭ କରୁଛୁ ସାହିତ୍ୟ ଚର୍ଚ୍ଚା ସମ୍ମାନ। ଚଳିତ ବର୍ଷଏହି ସମ୍ମାନଟି ପ୍ରଥମ ଥର ପାଇଁ ଅର୍ପିତ ହୋଇଛି କବି ଶ୍ରୀ କୈଳାସ ପାତ୍ରଙ୍କୁ। ଏକ ମାନପତ୍ର ଓ ପୁରସ୍କାର ରାଶି ସହ ତା’ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ସମ୍ପାଦକ, ସାହିତ୍ୟ ଚର୍ଚ୍ଚା
କବିତାଟି ପଢ଼ିଲି। ପଦ୍ୟ ଲିଖନ ତାଂକ ପାଇଁ ଖୁବ୍ ସହଜ ଓ ଭାବନା ଅଂତର୍ଜାତ ହୋଇଥିବାରୁ ଛଳନାବିହୀନ ଶୁଦ୍ଧତା ସ୍ପଷ୍ଟ ଦିଶୁଛି।
ବହୁତ ଭଲ ହେଇଛି. ମୁଁ ନିଜକୁ ଦେଖୁଚି କବିତା ରେ.
ଖୁବ ସୁନ୍ଦର କବିତା। ପାତ୍ର ବାବୁଙ୍କୁ ସାଦର ଅଭିନନ୍ଦନ।
ସାହିତ୍ୟ ଚର୍ଚ୍ଚାର ଏଇ ଉଦ୍ୟମଟି ଵାସ୍ତବରେ ପ୍ରଶଂସନୀୟ।
ଭବିଷ୍ୟତରେ ଏଭଳି ବଣମଲ୍ଲୀ ମାନଙ୍କ ଵିଭିନ୍ନ ରଙ୍ଗ ଓ ସୁବାସକୁ ସଂକଳିତ କରି ସଂସ୍ଥା ତରଫରୁ ପୁସ୍ତକ ଆକାରରେ ପ୍ରକାଶ ପାଇଁ ଯୋଜନା ରଖାଯାଇପରେ।
ପେଶା ଓ ସଉକ ଏକା ହେବା ବହୁ ଭାଗ୍ୟର କଥା। ଯେଉଁମାନଙ୍କର ଘଟିଛି ସେମେନେ ନିଶ୍ଚିତ ଭାବେ ଭାଗ୍ୟବାନ। କିନ୍ତୁ ଯେଉଁମାନେ ଭିନ୍ନ ଏକ ପେଶାକୁ ଆଦରିଥିବା ସତ୍ତ୍ବେ ନିଜ ସୌକକୁ ଅନ୍ୟମାନଙ୍କର ପସନ୍ଦର ସ୍ତରକୁ ଆଣିପାରନ୍ତି, ସେମାନେ ନିଶ୍ଚିତ ଭାବେ କର୍ମବୀର। ଭୋକ ଉପବାସରେ ରହି ଚେତନାକୁ ଉଚ୍ଚତର ସ୍ତରକୁ ନେବା ଏକ ଦୁର୍ଲଭ ଗୁଣର ଅଧିକାରୀ ହେଲେହିଁ ସମ୍ଭବ ହୋଇଥାଏ। ଶ୍ରୀ କୈଳାଶ ପାତ୍ର ଏକ ବ୍ୟତିକ୍ରମ ବ୍ୟକ୍ତିତ୍ୱ। ପାଞ୍ଚ ହଜାରରୁ ଅଧିକ କବିତା ଲେଖିବା ଯେ କୌଣସି ଶିକ୍ଷକ ବା ଅଧ୍ୟାପକଙ୍କ ପାଖରେ ମଧ୍ୟ ଏକ କାଠିକର ପାଠ। ମାଟି ଘରେ ରହି, ଭଙ୍ଗା ରିକ୍ସାରୁ ରୋଜଗାର କରି ପରିବାର ଚଳାଇବା ଏକ ଦୁରୁହ ବ୍ୟାପାର। ଶରୀରରୁ ଝାଳ ଶୁଖାଇବା କିମ୍ବା ପେଟର ଭୋକକୁ ଦୂର କରିବା ପାଇଁ କବିତା ଲେଖିବା, ପାତାଳରେ ରହି ସ୍ୱର୍ଗ ସ୍ବପ୍ନ ଦେଖିବା ଏକ ତପସ୍ଵୀର ସିଦ୍ଧି ସଦୃଶ୍ୟ।
ସାହିତ୍ୟ ଚର୍ଚ୍ଚା ତରଫରୁ ଏଭଳି ବିରଳ କବିଙ୍କୁ ପୁରସ୍କୃତ କରିବାର ପ୍ରଚେଷ୍ଟା ସର୍ବତ୍ର ଅଭିନନ୍ଦନୀୟ।
ସମ୍ପାଦକଙ୍କୁ ଅଶେଷ ଧନ୍ୟବାଦ।