ଅଜା ପୂଜାରେ ବସିଲାବେଳେ ଡାକ ଦିଅନ୍ତି ଆରେ ମୋ ଇହାଟା କୁଆଡ଼େ ଗଲା? ସେ ଇହା ଟା ଯେ କ’ଣ ତାହା ଜାଣିବାକୁ ମୋତେ ବହୁ ବର୍ଷ ଲାଗି ଯାଇଛି କେତେ ଯେ ଗାଳି ଖାଇବାକୁ ପଡିଛି କ’ଣ ସେ ଇହା ଟା ଜାଣିବାକୁ। କାରଣ ଇହା ଟା କିଛି ଗୋଟାଏ ସ୍ଥିର ପଦାର୍ଥ ନୁହେଁ। ତାହା ସଦା ସର୍ବଦା ବଦଳୁଥାଏ। ଯଥା ପୂଜାରେ ବସିଲାବେଳେ ଇହା ବା ଇଏ ଟା ହୋଇପାରେ କୋଥଳି, ତିଳକ ବା ଦର୍ପଣ। ସେଇଟା ଜାଣିବାକୁ ହେଲେ ଆପଣଙ୍କୁ ଗୋଟାଏ ବିହଂଗମ ଦୃଷ୍ଟିରେ ଦେଖିନେବାକୁ ହେବ ଯେ ସେଠାରେ କଣ କଣ ପଦାର୍ଥ ଅଛି। ଯେଉଁଟା ନାହିଁ , ସେଇଟା ଯୋଗାଇ ଦେବାକୁ ହେବ। ବୁଢା ଲୋକ, ମନେ ପଡୁନାହିଁ, ଉଠିବାର ଶକ୍ତି ନାହିଁ, ହଠାତ୍ ଉଠିପଡି ଜିନିଷ ଟା ନେଇ ଆସିବାକୁ ବିରକ୍ତ ହୁଅନ୍ତି। ଆଜିକାଲି ମୋର ଅଭ୍ୟାସଗତ ହୋଇଗଲାଣି ଇହା ଟା ଖୋଜି ବାହାର କରି ଦେବାକୁ।
ଗାଧୋଇବା ବେଳକୁ ଇହାଟା ଯଦି ଗାମୁଛା ବା ତେଲ ବୋତଲ ହୁଏ, ଚାଲିବାକୁ ଯିବା ବେଳେ ସେଇଟା ହୋଇଯାଏ ବଂକା ବେତ ବାଡି। ଆଈ ଯେତେବେଳେ ଚୁଲି ମୁଣ୍ଡରେ ବସି ଡାକ ଦିଏ ଇହା ଟା କୁଆଡ଼େ ଗଲା ଏଠୁ, ସେତେବେଳେ ସେଇଟା ପିଢା ପଟା ,କି ଚୁଲି ଉଖୁରିଆ କି ଲୁହା ଖଡିକା କିମ୍ବା ସଣ୍ଢୁଆସି ତାହା ଜାଣି ଯୋଗାଇ ଦେଇ ପାରିଲେ ତୁମେ ହେଲ ସୁନା ପୁଅ। ଓ ଇଏ ର ଝଗଡା ବହୁତ ଥର ଲାଗେ ଅଜା ଓ ଆଇଙ୍କ ମଧ୍ୟରେ। ସେଇଟାର ସମାଧାନ ମୋତେ ବାହାର କରିବାକୁ ହୁଏ।
ଜେଜେମା ର ପିଲାଦିନେ ଗପ ଶୁଣାଇବା ବେଳେ ବୁଢୀ ଅସୁରୁଣୀ ର ନାଁ ମନେ ପଡ଼େନାହିଁ। କହେ କଣ ତା ନାଁ ଟି? ମୁଁ କହେ ଅସୁରୁଣୀ ବୁଢୀ। ହଁ ସେଥିରୁ କଣ ହେଲାକି ଅସୁରୁଣୀ ବୁଢୀ ରାଜକୁମରକୁ ଦେଖି ବାଟ ଓଗାଳିଲା। ଗପ ଆରମ୍ଭ ହୋଇ ଶେଷ ହେବା ପୁର୍ବରୁ ମୁଁ ଶୋଇ ଯାଏ। ସକାଳୁ ଉଠିଲେ ଜେଜେ ବାପା କହନ୍ତି ତୁ ଯା, ୟାକୁ ଡାକି ଆଣିବୁ, ଗାଈ ଦୁହିଁବ। ସେ ‘ୟାକୁ ଟା କିଏ? ଯିଏ ଗାଈ ଦୁହେଁ , ସେ ହେଲା ଟୁନା ବେହେରା। ମୁଁ ଧାଇଁ ଯାଏ, ଟୁନା ବେହେରା ଘରକୁ, ତାକୁ ଡାକି ଆଣେ।
ଦୋକାନରୁ କିଛି ଜିନିଷ ଆଣିବାକୁ ଯାଇଛି ଦୋକାନ ମାଲିକ କାଶୀ ସାହୁ ଡାକିଲା ଆରେ କଣ ତୋ ନାଁ କୁଆଡ଼େ ଗଲୁ? ଏତେ ପୁରୁଣା ଚାକର ତା ନାଁ ମନେପଡୁନାହିଁ, କଣ ତୋ ନାଁ? ଗନ୍ଧିଆ ସେ ଡାକରେ ଜବାବ ଦିଏ ଆସୁଛି। ସ୍କୁଲ୍ ରେ ମାଷ୍ଟ୍ରେ କହିଲେ, ମହାତ୍ମାଗାନ୍ଧି ଜଣେ ଇୟେ ଲୋକ ଥିଲେ। ସେ ଇୟେ ଲୋକଟି ମହାତ୍ମା ଗାନ୍ଧି ହୋଇ ଥିବାରୁ ମହାତ୍ମା ଶବ୍ଦ ସହ ମିଶି ତାର ମହାତ୍ମ୍ୟ ବଢି ଗଲା। ସେଇଟା ନାଁ ଧରନା ,ବଡ ଇୟେ ଲୋକଟାଏ। ସେଠି ୟେ ଲୋକଟା ହେଲା କଦର୍ଯ୍ୟ, କୁତ୍ସିତ,ବା କୃପଣ। ସ୍ଥାନ କାଳ ପାତ୍ର ଅନୁସାରେ ଏହା, ଇଏ ବା ଇହା ଆଦିର ସ୍ବରୂପ ପରିବର୍ତ୍ତନ ହୋଇ ଥାଏ। କେବଳ ଓଡ଼ିଆରେ ନୁହେଁ, ସବୁ ଭାଷାରେ ଏ ଶବ୍ଦ ର ପ୍ରଚଳନର ଦୃଷ୍ଟାନ୍ତ ଅଛି। ନୁଆ ବାକ୍ୟ ଗଠନ ପାଇଁ ଶବ୍ଦର ସମାହାରକୁ ଯୋଡିବା ପାଇଁ ଏ ସବୁର ପ୍ରୟୋଜନ ହୋଇଥାଏ।
ଆଜି କାଲି ମୁଁ ଯେତେବେଳେ କହୁଛି ମୋର ସେ ଇଏ ଟା କୁଆଡେ ଗଲା? ମୋ ପିଲାମାନେ ବୁଝି ଗଲେଣି ସେ ଇଏ ଟା କ,ଣ। ଯଥା ପଢି ବସିଲା ବେଳେ ପ୍ରଚକ୍ଷୁ, ଲେଖି ବସିଲେ କଲମ ଇତ୍ୟାଦି। ଅନେକ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡାର ମୁଳ କାରଣ ସେଇ ଇଏ ବା ଇହା। ପିଲାମାନେ ସେହି କଳିର ସମାଧାନ କରି ଦେଉଛନ୍ତି ଇୟେଟାକୁ ପ୍ରସ୍ତୁତ କରିଦେଇ। ଗାଡିର ଇୟେ ଟା ଭାଙ୍ଗି ଗଲା କି ଫ୍ରିଜ୍ ର ଇୟେ ଟା ବନ୍ଦ ଅଛି କିମ୍ବା କବାଟ ର ଇଏ ଟା ବନ୍ଦ କର ଆଦି ନିତିଦିନିଆ କଥା। ସେଇ ଇୟେ କୁ ନେଇ ଆମେ ଗୋଟାଏ ମିଚ୍ଛ କନ୍ଦଳ କରିବାର କିଛି ଦରକାର ଅଛି କି?ଯଦି ବା ଥାଏ ସେଥିରେ ଲାଭ କଣ? ଅଜାଙ୍କ ଠାରୁ ମୋ ଯାଏଁ ଚାଲି ଆସିଲାଣି, ଆଉ କେତେ ଆଗକୁ ଚାଲିବ ସେ କଥା କିଏ କହିବ।
ବୟସ ବଢିବା ସହ ମଣିଷ ଯେତେ ଭୁଲିବାକୁ ଆରମ୍ଭ କରେ ୟେ, ଇୟେ ,ଇହା ଆଦି ଶବ୍ଦ କଥା ଭିତରକୁ ସେତିକି ମାଡି ଆସନ୍ତି ଓ ଆସୁଥିବେ। ଖାଲି କୌଣସି ଦରବ ବା ଜିନିଷ କୁ ଯେ ଇୟେ ବା ଇହା କହି ପୁରଣ କରା ଯାଏ ତା ନୁହେଁ, କଥା କହୁ କହୁ ନୁଆ ଶବ୍ଦ ଖୋଜିବାକୁ ଯାଇ ସମୟ ନେବାକୁ ଇୟେ ଶବ୍ଦ ର ଲୋଡା ହୁଏ। କୌଣସି ଲୋକ କି ତାଂକ ପରିବାର ବିଷୟରେ ଯଦି କଥା ବାର୍ତା ଚାଲି ଥାଏ ସେମାନଂକ ଭିତରୁ କାହା ନାଁ ମନେ ନପଡ଼ିଲେ ସେଇ ଇୟେ ମ ୟାଂକ ପୁଅ କହି ଚଳେଇ ଦିଆ ଯାଏ।
ବ୍ୟାକରଣ ରେ ଇୟେ, ଇହା ଆଦିର ସ୍ଥାନ କେଉଁଠି , ବିଶେଷ୍ୟ କି ସର୍ବନାମ ଜଣା ନାହିଁ। ଇୟେ ବୋଲି କହି ଟିକିଏ ନିଶ୍ଵାସ ନେଇ ଆପଣ ମନ ମଧ୍ୟରେ ଖୋଜି ଚାଲନ୍ତି ସେଇ ଲୋକଂକ ନାମ ବା ସେ ଜିନିଷ ର ନାମ। ଇୟେ ବା ଇହାର ସ୍ଥାନ, ଗାଡିର ନିଉଟରାଲ୍ ଗିଅର ଭଳିଆ। ଗାଡି ବନ୍ଦ ହେବ ନାହିଁ ଗିଅର ବଦଳେଇ ଆଗକୁ ବା ପଛକୁ ନେଇ ହେବ। ଇୟେ ଓ ଇହା ର ସ୍ଥାନ ସାହିତ୍ୟ ବ୍ୟାକରଣ ରେ ନଥିଲେ ମଧ୍ୟ କଥିତ ଭାଷା ରେ ଏହାର ମହତ୍ବ ଯେ କେତେ ସେ କଥା ଆମେ ମାନିନେଲେ ଭଲ, ନହେଲେ କିଛି ୟେ ନାହିଁ।