ସଂକ୍ଷିପ୍ତ ସାହିତ୍ୟ – ଆଜିର ଆବଶ୍ୟକତା

ସମୟ ପ୍ରବାହର ଦୁଇଟି ବିନ୍ଦୁ ପ୍ରତି ଦୃଷ୍ଟିପାତ କଲେ ଆମେ ପ୍ରସଙ୍ଗଟିକୁ ବୁଝି ପାରିବା। ଧରାଯାଉ ଉନବିଂଶ ଶତାବ୍ଦୀର ଏକାନ୍ତ ଆଦ୍ୟ ଭାଗର ବିନ୍ଦୁଟିଏ, ଯେତେବେଳେ ଫକୀର ମୋହନ ଓଡିଆ ସାହିତ୍ୟରେ ଉପନ୍ୟାସର ମୂଳଦୁଆ ପକାଇଥିଲେ। ଜୀବନର ଗତି ଥିଲା ସ୍ଥିର, ମନ ଥିଲା ସହଜ ଓ ପାଠକ ହାତରେ ସମୟ ଥିଲା ପ୍ରଚୁର। ତେଣୁ ସେ ଦିନଦିନ ଧରି ‘ଛ’ମାଣ ଆଠ ଗୁଣ୍ଠ’ର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ସ୍ଥିରଚିତ୍ତରେ ସାହିତ୍ୟର ରସ ଆସ୍ବାଦନ କରିବାକୁ ସମର୍ଥ ହେଉଥିଲା। ଏବେ ଆସନ୍ତୁ ସେହି ସମୟ ଚକ୍ରର ଆଉ ଗୋଟିଏ ବିନ୍ଦୁ, ଅର୍ଥାତ ଆଜିର ସମୟକୁ। ସାହିତ୍ୟର ଉପନ୍ୟାସ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗଟି ଆଜି ମଉଳି ଯିବାକୁ ବସିଛି। କାବ୍ୟ ସାହିତ୍ୟରେ ମଧ୍ୟ ସେହି ସମାନ ଅବସ୍ଥା। ଏଗୁଡ଼ିକୁ ଆତ୍ମସ୍ଥ କରିବାପାଇଁ ଆଜିର ପାଠକଙ୍କ ପାଖରେ ନା ଅଛି ରୁଚି, ନା ସମୟ, ଅବା ଧୈର୍ଯ୍ୟ। ଆମ ଓଡ଼ିଶାର ପୁସ୍ତକ ବଜାର ପ୍ରତି ବିହଙ୍ଗମ ଦୃଷ୍ଟି ନିକ୍ଷେପ କଲେ ଏହାର ସ୍ପଷ୍ଟ ଚିତ୍ର ମିଳେ।

ଆଜିର ଜୀବନ ଧାବବାନ ହେଉଛି ଅତି କ୍ଷୀପ୍ର ଗତିରେ। ମଣିଷ ଜୀବନ ସଂଗ୍ରାମରେ ନିଜକୁ ସଂପୂର୍ଣ୍ଣ ଭାବେ ଅଜାଡି ଦେଇଛି। ସଫଳତାର ମରୀଚିକା ପଛରେ ସମସ୍ତେ ଧାଇଁଛନ୍ତି ଅଣନିଶ୍ବାସୀ ହୋଇ। ଭୌତିକ ସୁଖ ଅର୍ଜନର ଲକ୍ଷ୍ୟ ଅନୁସରଣ କରି ଆଜି ମଣିଷ ଅନେକ କିଛି ହାସଲ କରିପାରିଛି। ହେଲେ ହଜାଇ ଦେଇଛି ଗୋଟିଏ ଜିନିଷ। ସେଇଟି ହେଲା ସମୟ। ତେଣୁ ଆଜିର ପାଠକ ପାଖରେ ସମୟ, ମାନସିକ ସ୍ଥିରତା ଓ ଧୈର୍ଯ୍ୟର ଚରମ ଅଭାବ। ବୌଦ୍ଧିକ ମନୋରଂଜନ ପାଇଁ ଆଜି ତା’ ପାଖରେ ଅନ୍ୟ ବିକଳ୍ପମାନ ଉପଲବ୍ଧ, ଯଥା: ଟେଲିଭିଜନ୍, ଇଣ୍ଟରନେଟ୍ ଓ ଅଡିଓ ବୁକ୍ ଆଦି। ପୁସ୍ତକଟିଏ ତା’ପାଇଁ ତେଣୁ ଏକ ଅବ୍ୟାବହାରିକ ମାଧ୍ୟମ।

ଏଭଳି ପରିସ୍ଥିତିରେ ସାହିତ୍ୟକୁ ବଂଚାଇରଖିବାକୁ ହେଲେ ତାହାର ଯୁଗୋପଯୋଗୀ କାୟାକଳ୍ପ କରାଯିବା ନିହାତି ଜରୁରୀ। ଏ ଦୃଷ୍ଟିରୁ ଦେଖିଲେ ସାହିତ୍ୟର ସମସ୍ତ ବିଭାଗ ନିଜର ସଂକ୍ଷିପ୍ତ ରୂପରେ ତୁରନ୍ତ ଅବତରିତ ହେବା ଆମ ସମୟର ଏକ ଜରୁରୀ ଆବଶ୍ୟକତା। ଆଜିର ପାଠକ ଖୋଜେ ମହାକାବ୍ୟ ବଦଳରେ ମିନି କବିତା; ଉପନ୍ୟାସ ବଦଳରେ ଅଣୁଗଳ୍ପ ଏବଂ ନାଟକ ବଦଳରେ ଏକାଙ୍କିକା। ଯେତେଶୀଘ୍ର ଆମେ ଏହି ବାସ୍ତବତାଟିକୁ ଗ୍ରହଣ କରିନେବା ସେତେ ଶୀଘ୍ର ଆମେ ଆମର ମୁମୂର୍ଷୁ ସାହିତ୍ୟର ଧମନୀରେ ଜୀବନ ସଂଚାର ପାଇଁ ସମର୍ଥ ହେବା।

ଏହାକୁ ଦୃଷ୍ଟିରେ ରଖି ଆମେ ଏହି ଇ-ପତ୍ରିକା ଜରିଆରେ ଓଡ଼ିଆ ସାହିତ୍ୟକୁ ଏକ ଡିଜିଟାଲ୍ ମଂଚ ପ୍ରଦାନକରିଛୁ ଏବଂ ତାହା ଜରିଆରେ ସଂକ୍ଷିପ୍ତ ସାହିତ୍ୟକୁ ପ୍ରୋତ୍ସାହିତ କରିବାକୁ ସଂକଳ୍ପବଦ୍ଧ। ଅବଶ୍ୟ ଏହା ନିର୍ଭର କରେ ଆମ ଲେଖକ ବନ୍ଧୁମାନଙ୍କ ସହଯୋଗ ଉପରେ। ସେମାନଙ୍କୁ ଅନୁରୋଧ, ଲିମେରିକ୍ ଓ ଅଣୁଗଳ୍ପ ଭଳି ସଂକ୍ଷିପ୍ତ ସୃଷ୍ଟିମାନ ଅଧିକାଧିକ ସଂଖ୍ୟାରେ ପଠାଇ ଆମର ଉଦ୍ଦେଶ୍ୟକୁ ସାକାର କରନ୍ତୁ।

ସାଦର,
ନିହାର ଶତପଥୀ
ସମ୍ପାଦକ

Leave a Reply

Your email address will not be published. Required fields are marked *