ଆତ୍ମତୃପ୍ତିର ହସଟିଏ ଖେଳିଗଲା ବିବେକ୍ ମୁହଁରେ ।
ମାତ୍ର ଛଅ ମାସରେ ପାଞ୍ଚ ଶହ ବନ୍ଧୁ !
କନ୍ଧମାଳରୁ କାଲିଫର୍ଣ୍ଣିଆ ….!! ସ୍କୁଲ୍ ସାଙ୍ଗରୁ ରାଜନେତା, ଚଳଚ୍ଚିତ୍ର ଅଭିନେତ୍ରୀ… !!
ଏବେ ସେ ସେମାନଙ୍କ ଚିନ୍ତାରେ ଘଣ୍ଟା ଘଣ୍ଟା ବିତାଇ ପାରୁଛି ପୁଣି ଚାଟିଙ୍ଗ୍ କରିପାରୁଛି !
ଜୀବନର ସବୁ ଖୁସି ଯେମିତି ଓଜାଡି ହୋଇଛି ତାଆରି ପାଖରେ !!
ଏ ସମୟରେ ଘର ଭିତରୁ କିଛି ଚୁପ୍ ଚୁପ୍ ସ୍ୱରରେ କଥାବାର୍ତ୍ତା କାନରେ ପଡ଼ିଲା। ବୋଉ କହୁଥିଲା-” ମୁଁ ଦେଖୁଛି ସେ ବଦଳିଗଲାଣି ।ଆଗ ସକାଳୁ ଉଠିଲେ ବଗିଚାରେ ଘଡ଼ିଏ ବୁଲୁଥିଲା।ଫୁଲ,ଫଳ ଗଛର ଯତ୍ନ ନେଉଥିଲା। ହେଲେ ଏବେ ଦିନରାତି ସେଇ ଗୋଟିଏ କାମ….
ବୋଉ କଥା ସରିବା ଆଗରୁ ହିଁ ବାପା କହିଉଠିଲେ-” ହଁ…। ମୁଁ ବି ସେଇୟା ଲକ୍ଷ୍ୟ କରୁଛି। ସାଙ୍ଗସାଥୀ ସ୍ନେହ ସମ୍ପର୍କ ସବୁ ପଛରେ ପକାଇ ସବୁ ବେଳେ ସେଇଠି ହିଁ ଲାଗି ରହୁଛି। ଅସ୍ବାଭାବିକ ବ୍ୟବହାର !!”
ସତରେ ଏଇ ପୁରୁଣା କାଳିଆ ଲୋକଙ୍କୁ ବୁଝାଇବା ଭାରି କଷ୍ଟ…. ମନେ ମନେ ଖୁବ୍ ହସି ହସି ଭାବିଲା ବିବେକ୍।
ଚାରିଦିନ ତଳେ ତା’ ଜନ୍ମଦିନ ପାଇଁ ଚାରିଶ ତିରିଶ ଶୁଭେଚ୍ଛା। କମ୍ କଥା ! ଆଗରୁ ବାପା,ବୋଉ ,ସାହି ପଡିଶା, ସାଙ୍ଗସାଥୀଙ୍କଠୁ ଅତି ବେଶୀରେ ୧୫/୨୦ ଆଶିର୍ବାଦ /ଶୁଭେଚ୍ଛା ମିଳୁଥିଲା। ସେ ପୁଣି ଦେଖା ସାକ୍ଷାତରେ…. ହେଲେ ଏବେ କେତେ ଦୂରଦୂରାନ୍ତରୁ…. ପୁଣି କେତେ ବଡ଼ ବଡ଼ ଲୋକଙ୍କ ଠାରୁ ଆରମ୍ଭ କରି କେତେ ସୁନ୍ଦରୀଙ୍କ ହାପି ବାର୍ଥ ଡେ ର ଶୁଭେଚ୍ଛା କେତେ ଢଙ୍ଗରେ (!)….ଭାବିଲା ମାତ୍ରେ ଦେହ ଓ ମନରେ ଅଜବ ଖୁସି ଛାଇ ଯାଉଥିଲା।
ସେ ପାଖରୁ ବୋଉର ପାଟି ଶୁଭୁଥିଲା- ” ଆଉ ଗୋଟିଏ କଥା ମୁଁ ଲକ୍ଷ୍ୟ କରୁଛି।”
କ’ଣ ?- ବିରକ୍ତି ସ୍ଵରରେ ବାପା ପଚାରିଲେ।
“ସେ ସେଇଠି ହିଁ ବସି ବସି କେତେବେଳେ ହସୁଛି ପୁଣି ପରେ ପରେ ମୁହଁ ଶୁଖେଇ ଦେଉଛି….! କାହିଁକି କେଜାଣି ମୋତେ କିଛି ଠିକ୍ ଲାଗୁନି … ଶୁଖିଲା ସ୍ଵରରେ ବୋଉ କହିଲା।
ବାପା ଧିରେ ଧିରେ ବୋଉକୁ କହିଲେ,” ତା’ ଭିତରୁ ସମ୍ବେଦନଶୀଳତା ହଜିଯାଉଛି।କାହାର ସୁଖ ଦୁଃଖରେ ସେ ଯାଉନି। ଏହା ବି ଏକ ପ୍ରକାର ପାଗଳାମି ।”
ଖୁବ୍ ଜୋରରେ ହସିବାକୁ ଇଚ୍ଛା ହେଲା ତା’ର । ସତରେ ଏଇ ପୁରୁଣା କାଳିଆଙ୍କୁ …।
ହେତ୍… ! ଆରେ କାହାର ବାର୍ଥ୍ ଡେ ଅବା ମ୍ୟାରେଜ୍ ଆନିଭର୍ସାରୀରେ ଉଇସ୍ କଲେ କ’ଣ ମୁହଁରେ ଦୁଃଖ ଭାବ ରଖାଯାଏ ( ?) ଆଉ କାହାର ମଲା ଖବର କିମ୍ବା ଦୁର୍ଘଟଣା ଖବର ପାଇଲେ କ’ଣ ହସିବା କଥା ? ଏଣୁ ଯେମିତି ଖବର ସେମିତି ପ୍ରତିକ୍ରିୟା ମୁହଁରେ ରହିବ। ଏ ମାନଙ୍କ ପରି କାହାର ମଲା ଗଲା ଖବର ପାଇଲେ ଦିନ ଦିନ ଧରି ବାହୁନି କାନ୍ଦିବାର ନାହିଁ କି କାହାର ଖୁସି ରେ ଘଣ୍ଟା ଘଣ୍ଟା ଗପିବା ଲୋଡ଼ା ନାହିଁ । ଉଇସ୍ କରିଦେଲେ ସମ୍ପର୍କ ମଜବୁତ।ଏମାନେ କ’ଣ ବୁଝିବେ ସମ୍ପର୍କ କେମିତି ରଖାଯାଏ !
ପୁଣି କେଇ ଘଣ୍ଟା ଭିତରେ ହଜାର ହଜାର ପ୍ରତିକ୍ରିୟା । ଏଣୁ ପ୍ରତି ମୁହୂର୍ତ୍ତରେ ରଙ୍ଗ ବଦଳେଇବାକୁ ପଡ଼ିବ।
ହଁ , ବୋଉକୁ ମୋ ହାବଭାବ ପାଗଳ ପରି ଲାଗିପାରେ,ବାପା ମୋତେ ସମ୍ବେଦନଶୀଳ ନୁହେଁ ଭାବି ପାରନ୍ତି, ହେଲେ ….
ନିଜକୁ ନିଜେ ଚମକି ପଡ଼ିଲା ବିବେକ୍ …। କ’ଣ ମୁଁ ପାଗଳ ! ମୋର ପ୍ରତିକ୍ରିୟା ଅସ୍ବାଭାବିକ !!
ଏଇ ସାମାଜିକ ଗଣମାଧ୍ୟମର ଫେସବୁକ, ହ୍ଵାଟ୍ସଆପ୍ ଆଦି ନିଶାରେ ….. !!!
ସେ ପାଖରୁ ତୁଳସୀ ଚଉରା ପାଖରେ ସଞ୍ଜ ଦୀପ ଜାଳି ବୋଉ ପ୍ରାର୍ଥନା କରୁଥିବା ଶୁଭୁଥିଲା। ହେଲେ ବିବେକ ମନରେ ପ୍ରଶ୍ନର ଢେଉ ସୀମା ସରହଦ ମାନୁ ନଥିଲା।
ସତରେ କ’ଣ ତା’ ଭିତରୁ ସମ୍ବେଦନଶୀଳତା ହଜି ଯାଉଛି ! ଏସବୁ ସମ୍ପର୍କ କ’ଣ ମରୀଚିକା !! ଗୋଟିଏ ପାଖରେ ଶହ ଶହ ଯାନ୍ତ୍ରିକ ଢଙ୍ଗରେ ଶୁଭେଚ୍ଛାର ବର୍ଷା, ପୁଣି ଆର ପାଖରେ ତା’ ଶୁଭକାମନା କରି ବାପା,ବୋଉଙ୍କ ଚିନ୍ତା …!!
ଓଃ ! ସମ୍ପର୍କକୁ ନେଇ ଏ ସବୁ ପ୍ରଶ୍ନର ଉତ୍ତର ଦେବ କିଏ ??
ଜୟ ଜଗନ୍ନାଥ। ସମାଜ ପାଇଁ ଏହି ଗଳ୍ପ ମୂଲ୍ୟବାନ ଅଟେ।