- ବର୍ଷୀୟାନ୍ ଭାଷାତତ୍ତ୍ବବିତ୍ ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଦ୍ଵାରା ରଚିତ ଏହି କବିତାଟି ହୁଏତ ସହଜ-ସାହିତ୍ୟ ପର୍ଯ୍ୟାୟରେ ଯାଇନପାରେ। ତଥାପି ଏହାକୁ ଆମେ ଆମର ସହଜ ସାହିତ୍ୟ ବିଭାଗରେ ପ୍ରକାଶ କରୁଛୁ; କାରଣ ଏଠାରେ କବି ସରଳ ଓ ଦେଶଜ ଭାଷାରେ ସାହିତ୍ୟ ରଚନାର ଗୁରୁତ୍ବ ଉପରେ ଆଲୋକପାତ କରିଛନ୍ତି। ଆଶାକରୁ ଆମ ସମୟର ଲେଖକମାନେ ଏହାର ମହତ୍ତ୍ଵ ହେଜିବା ହେବେ।
ଲୋକ ଜୀବନର କଥା ସହଜ ସରଳ
ବଖାଣିବା ପାଇଁ କିଆଁ ଏତେ ଶବ୍ଦ ଖେଳ
ସେ କାଳର ପାଠକ ତ କେହି ଜଣେ ନାହିଁ
ଏ କାଳ ନୂଆ ପାଠକ ବୁଝିବ କିପାଇଁ
ଭାବ, ଭାଷା ଚାଲୁଥିଲେ ଭିନ୍ନ ଭିନ୍ନ ବାଟେ
ପହଂଚିବା ଅସଂଭବ ପାଠକ ନିକଟେ
ଶବ୍ଦଜ୍ଞାନ ପ୍ରଦର୍ଶନ କରେ ଯେଉଁ ବ୍ୟକ୍ତି
ଅବଶ୍ୟ ହରାଏ ତାର ଭାବିବାର ଶକ୍ତି
ଅଜଣା ଅଚଳ ବହୁ ଶବ୍ଦର ସଂଭାର
କରିପାରିନାହିଁ କେବେ ଭାବନା ସଂଚାର
ଏବର ଭାଷାରେ ଲେଖି ଏବର ଭାବନା
ଏବର ପାଠକ ପାଇଁ ସାହିତ୍ୟ ରଚନା
କରିବା ଅଟଇ ଯେଣୁ ଖୁବ୍ ଭଲ କାମ
ଅତୀତର ଆଶ୍ରା ନେଇ ପୋଷିବାନି ଭ୍ରମ
ସ୍ଥାନ, କାଳ, ଜନ ଠାରୁ ହୋଇଲେ ବିଚ୍ଛିନ୍ନ
ଆପେ ଆପେ କମିଯାଏ ସାହିତ୍ୟର ମାନ
ଭବିଷ୍ୟତମୁଖୀ ହୋଇ କରିଲେ ଲିଖନ
ହୁଏତ ଆଗ୍ରହୀ ହେବେ ଆଗାମୀ ସଂତାନ
କରିବାକୁ ସ୍ବଭାଷାର ସାହିତ୍ୟ ପଠନ
ଭାଷାପ୍ରେମୀ ସମାଜଟେ କରିବେ ଗଠନ
ଏହି ସବୁ ଅଟେ ମୋର ଆପଣାର ମତ
ଲେଖକ କରଂତୁ ଯାହା ବୁଝଂତି ଉଚିତ
ସମସ୍ତଂକୁ ସବୁ କଥା ଏଠି ଯେଣୁ ଜଣା
ଭାବ ଲିଖନରେ ଲାଗିଥାଏ କଟକଣା
ପୂର୍ଣ ସ୍ବାଧୀନତା ବିନା ଭାଷାର ଉତ୍ଥାନ
ହୋଇଥାଏ କାଳ୍ପନିକ ତୁଚ୍ଛ ଦିବାସ୍ୱପ୍ନ
ପ୍ରଫୁଲ୍ଲ ବାବୁଙ୍କ ସହିତ ମୁଁ ଏକମତ।ସରଳ ଅଥଚ ସୁଆଦିଆ ଭାଷାରେ ଗଳ୍ପ, କବିତା,ପ୍ରବନ୍ଧ ଓ ନାଟକ ଲେଖିଲେ ମନକୁ ଛୁଇଁବ।ଯିଏ ଯାହା ଲେଖନ୍ତୁ, ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଲେଖନ୍ତୁ।