ପୂର୍ବେ ଗାଁ ଗହଳିରେ ଅନେକ ଢ଼ଗଢ଼ମାଳିର ପ୍ରଚଳନ ଥିଲା । ଏବେ ଆଉ ଶୁଣିବାକୁ ମିଳୁନି । ବୁଢ଼ା ବୁଢ଼ୀମାନେ ଏଇ ଢ଼ଗଢ଼ମାଳିକୁ ସତେ ଅବା ଘୋଷାଘୋଷି କରି ମନେ ରଖିଛନ୍ତି । ଏଇ ଢ଼ଗଢ଼ମାଳିର ଭାଷା ସାହିତ୍ଯ ବହୁତ୍ ସୁନ୍ଦର ଓ ସାବଲୀଳ ହେବା ସାଙ୍ଗକୁ ଭାବର ସୁନ୍ଦର ଅର୍ଥ ସୃଷ୍ଟି କରେ । ସବୁରି ମନ ହୃଦୟ ଜିଣି ପାରୁଥିବା ଏବଂ ଆନନ୍ଦ ପ୍ରଦାନ କରି ପାରୁଥିବା ଏ ଢ଼ଗଢ଼ମାଳି ଏବେ ପ୍ରାୟ ବିଲୋପ କହିଲେ ବି କୌଣସି ଅତ୍ଯୁକ୍ତି ହେବନାହିଁ । ବିଲୋପର ପଥରେ ପଦଚାରଣ କରୁଥିବା ଏ ଢ଼ଗଢ଼ମାଳିକୁ ପୁନରୁଦ୍ଧାର କରି ପାରିଲେ ଆମ ଭାଷା ସାହିତ୍ଯର ଉନ୍ନତି ଆହୁରି ଜୋର୍ସୋର୍ରେ ହୋଇପାରନ୍ତା ବୋଲି ମୋର ଦୃଢ଼ ବିଶ୍ବାସ । ଫକୀର ମୋହନ ସେନାପତି ଏହି ଚେଷ୍ଟା କରି ଅନେକ ଗଳ୍ପ , ଉପନ୍ଯାସ ରଚନା କରିଥିଲେ – ଯାହା ଆଜି ସର୍ବାଦୃତ । ତାଙ୍କ ପରେ ଆଉ ସେମିତି କେହି ପ୍ରଚେଷ୍ଟା କରି ନାହାନ୍ତି , ତେଣୁ ପୁନର୍ବାର କେଉଁ ଅଜଣା ଅନ୍ଧଗଳିରେ ଏସବୁ ବୁଡି ଯିବାକୁ ବସିଲାଣି ।
ପୁରାତନ କାଳରେ ଢ଼ଗଢ଼ମାଳି ବେଶ୍ ପ୍ରାଧାନ୍ଯ ବିସ୍ତାର କରିଥିଲା ବୋଲି ବିଭିନ୍ନ ପୁରାତନ ରଚନା ପଠନରୁ ଜ୍ଞାତ ହୁଏ । ବିଭିନ୍ନ କବି ଲେଖକଙ୍କର ସେତେବେଳର ରଚନାରେ କିଛି ଢ଼ଗଢ଼ମାଳି ଆମେ ଦେଖିବାକୁ ପାଉ । ଏବେ କିନ୍ତୁ ଆଉ ଖୋଜିଲେ ବି ଆମକୁ ମିଳି ପାରୁନାହିଁ । ପୁରୁଣା ଲେଖାର ଢ଼ଗଢ଼ମାଳି ସବୁ ବେଶ୍ ଉଚ୍ଚକୋଟୀର ହୋଇ ପାରିଥିଲା ।
ଆଇ ମା’ କାହାଣୀର ସେହି ପୁରୁଣା ଲେଖା ସବୁକୁ ପାଠ କଲେ ଜାଣି ପାରିବେ ଢ଼ଗଢ଼ମାଳି ସବୁ କେମିତି ବ୍ଯବହୃତ ହୋଇଛି । ସେ ଲେଖା ଓ ଆଜିର ଏ ଲେଖା ଭିତରେ ଅନେକ ତାରତମ୍ୟ ରହିଛି ନିଜେ ବି ଅନୁଭବ କରିପାରିବେ । ପୂର୍ବରୁ ପ୍ରଚଳିତ ଏକ ଭିନ୍ନ ଧରଣର ପତ୍ରିକା “ଜହ୍ନମାମୁଁ” ଯଦି କେହି ପାଠ କରିଥିବେ , ତେବେ ତହିଁରୁ ବି କିଛି ଢ଼ଗଢ଼ମାଳି ପାଇପାରିଥିବେ । ଫକୀର ମୋହନଙ୍କ ରଚିତ ଉପନ୍ଯାସ “ମାମୁଁ”, “ଲଚ୍ଛମା”, “ଛ’ମାଣ ଆଠଗୁଣ୍ଠ” ଏବଂ ଭିନ୍ନ ଏକ ରଚନା “ପେଟେଣ୍ଟ ମେଡିସିନ୍” ପାଠ କଲେ ବିଭିନ୍ନ ଢ଼ଗଢ଼ମାଳି ପ୍ରାପ୍ତ କରି ପାରିବେ । ବହୁ ପୂର୍ବରୁ ଦୂରଦର୍ଶନରେ ପ୍ରସାରିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତା ବିବାହ”ରେ ମଧ୍ଯ କିଛି ଢ଼ଗଢ଼ମାଳି ସମ୍ଯକ୍ ରୂପରେ ଖଞ୍ଜା ଯାଇଥିଲା । ତା’ ସହ ପ୍ରଥମ ଓଡ଼ିଆ ରଙ୍ଗୀନ୍ ଚଳଚ୍ଚିତ୍ର “ଗପ ହେଲେ ବି ସତ”ରେ ମଧ୍ଯ ଢ଼ଗଢ଼ମାଳିର ପ୍ରୟୋଗ ଅଛି । ପୁନରାୟ ଆକାଶବାଣୀରେ ବହୁ ପୂର୍ବରୁ ଢ଼ଗଢ଼ମାଳି ପୂର୍ଣ୍ଣ ଗଳ୍ପ,ଉପନ୍ଯାସ ବି ପ୍ରସାରଣ କରାଯାଉଥିଲା । ଏବେ ବି ଗାଁ ଗହଳିରେ କିଛି ପୁରୁଣାକାଳିଆ ବୟସ୍କ ବୃଦ୍ଧ ବୃଦ୍ଧାଙ୍କ କଣ୍ଠରୁ ବି କିଛି କିଛି ଶୁଣିବା ପାଇଁ ମିଳେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏ ଢ଼ଗଢ଼ମାଳି ଏବେକାର ନୁହେଁ ; ଇଏ ବହୁ ପୁରାତନ କାଳରୁ ପ୍ରଚଳିତ ଅଛି ।
ଓଡିଆ ଭାଷାର ଏହି ଢ଼ଗଢ଼ମାଳିରେ ଲୁଚି ରହିଛି ଶିକ୍ଷା,ତାଚ୍ଛଲ୍ଯ, ମନୋରଞ୍ଜନ ଓ ସାଧାରଣ ଜ୍ଞାନର ପ୍ରଶ୍ନ ପରି ଅନେକ କିଛି । ଏ ଢ଼ଗଢ଼ମାଳି ଖାଣ୍ଟି ଓଡ଼ିଆ ଭାଷାର ନିଦର୍ଶନ , ଏଥିରେ ଅନ୍ଯ ଭାଷା ଅପମିଶ୍ରିତ ହୋଇନାହିଁ । କିନ୍ତୁ କିଛି ସ୍ବଳ୍ପ ଢ଼ଗଢ଼ମାଳିରେ ଅନ୍ଯ ଭାଷାର ଅପମିଶ୍ରଣ ହୋଇଛି । ଯେପରିକି ଏକ ଉଦାହରଣ – ବନ୍ଧୁଙ୍କୁ ବନ୍ଧୁର ତାଚ୍ଛଲ୍ଯ ଭରା ଶୁଭେଚ୍ଛା ଅର୍ଥାତ୍ ଥଟ୍ଟା ମଜାର ଶୁଭେଚ୍ଛା ଜଣେଇବା ବେଳେ କୁହାଯାଏ ବା ଲେଖାଯାଏ ଯେ –
“ଟେବୁଲ୍ ଉପରେ ଟମାଟୋ ଖଟା
ସାଙ୍ଗକୁ ମୋର ଠିଆ ଗୋଇଠା ।”
ଦେଖନ୍ତୁ ତ କେମିତି ଆମ ଓଡିଆ ଭାଷା ସହିତ ଇଂରାଜୀ ଭାଷାର ଅପମିଶ୍ରଣ ହୋଇଛି । ଇଂରାଜୀ ଭାଷାର ଟେବୁଲ୍ ଶବ୍ଦଟି ଆମ ଓଡିଆ ଭାଷାରେ ମେଜ କୁହାଯାଏ ଏବଂ ଟମାଟୋକୁ ବିଲାତି ବାଇଗଣ କୁହାଯାଏ । ଏଠି ଓଡ଼ିଆ ସହ ଇଂରାଜୀ ଭାଷା କିପରି ଅପମିଶ୍ରଣ କରାଯାଇଛି ଦେଖି ପାରୁଥିବେ ନିଶ୍ଚୟ ।
ଇଏ ଗଲା ଅପମିଶ୍ରିତ ହୋଇଥବା ଢ଼ଗଢ଼ମାଳିର କଥା ।। ଏବେ ଶିକ୍ଷାଭିତ୍ତିକ ଢ଼ଗଢ଼ମାଳି ବିଷୟରେ ଜାଣିବା । ଲୋକଙ୍କୁ ଶିକ୍ଷା ପ୍ରଦାନ କରି ପାରୁଥିବା ଢ଼ଗଢ଼ମାଳି ବି ପ୍ରଚଳିତ ଥିଲା । ଉଦାହରଣରେ ଆସନ୍ତୁ ଦେଖିବା ସେଭଳି ଏକ ଢ଼ଗଟିଏ :-
“ପାନ ବିଡି ନୁହେଁ ଛୋଟିଆ ନିଶା
ଜଣା ପଡେ ନାହିଁ ଟାଣେ ପଇସା ।”
ଏ ଢ଼ଗଟିକୁ ଲକ୍ଷ୍ଯ କଲେ ବୁଝି ପାରୁଥିବେ ଅତି ସହଜରେ ଆପଣମାନେ ସମସ୍ତେ । ଆଉ ଏକ ଢ଼ଗ ଦେଖନ୍ତୁ :-
“ଯେ ଭାଣ୍ଡେ ପଶଇ ସୁରା
ସେ ଭାଣ୍ଡ ସଦା ଖପରା ।”
ଏସବୁ ଢ଼ଗଢ଼ମାଳି ଲୋକ ମାନଙ୍କୁ ଶିକ୍ଷା ପ୍ରଦାନ କରେ । ଯଦି ଓଡ଼ିଆ ଭାଷା ସୁବର୍ଣ୍ଣ ହୁଏ, ତେବେ ଏ ଢ଼ଗଢ଼ମାଳି ସ୍ବର୍ଣ୍ଣାଳଙ୍କାର ବୋଲି ମାନି ନେବା ଉଚିତ୍ । ବିନା ଖାଦରେ ଖାଣ୍ଟି ଚବିଶ କ୍ଯରେଟ୍ ସୁନାରେ ପ୍ରସ୍ତୁତ ଏହି ଅଳଙ୍କାର । ଅର୍ଥାତ୍ – କେବଳ ଓଡ଼ିଆ ଭାଷାର ପ୍ରୟୋଗ, ଅନ୍ଯ କିଛି ଭାଷାର ମିଶ୍ରଣ ହୋଇନାହିଁ । ଏବେ କୁହନ୍ତୁ ତ ସେତେବେଳର ଓଡ଼ିଆ ଭାଷା ଓ ଆଜିର ଏଇ ଓଡିଆ ଭାଷାରେ କେତେ ପ୍ରଭେଦ ? ଏଥିରୁ ଜ୍ଞାତ ହୁଏ ଯେ ପୁରାତନ କାଳର ଓଡିଆ ଭାଷାଟି ଆମର ବହୁତ ଉଚ୍ଚକୋଟୀର ବା ସମୃଦ୍ଧ ଥିଲା ।
କାର୍ତ୍ତିକ ପୂର୍ଣ୍ଣମୀ ବୋଇତ ବନ୍ଦାଣ ଉତ୍ସବରେ ଉତ୍କଳର ସମସ୍ତ ଜନତା (ଆବାଳ ବୃଦ୍ଧ ବନିତା) ଏକ ପ୍ରକାରର ଢ଼ଗ ବ୍ଯବହାର କରି ପୂର୍ବ ପରମ୍ପରାକୁ ସ୍ମରଣ ପୂର୍ବକ ବଜାୟ ରଖିଛନ୍ତି । ଏହି ଢ଼ଗ ବିଷୟରେ ପ୍ରାୟ ସମସ୍ତେ ଅବଗତ ଥିବେ । ଢ଼ଗଟି ହେଲା ଏଇପରି –
“ଆ, କା, ମା,ବୈ
ପାନ ଗୁଆ ଥୋଇ
ପାନ ଗୁଆ ତୋର
ମାସକ ଧରମ ମୋର।”
ଏ ହେଉଛି ଏକ ମନୋରଞ୍ଜନଧର୍ମୀ ଢ଼ଗଢ଼ମାଳିଟିଏ । ଏହିପରି ମଧ୍ୟ ଆହୁରି ଅନେକ ମନୋରଞ୍ଜନଧର୍ମୀ ଢ଼ଗଢ଼ମାଳି ପୂର୍ବୁ ପ୍ରଚଳିତ ଅଛି । ଶିକ୍ଷା ଭିତ୍ତିକ ଆଉ ଏକ ଢ଼ଗଢ଼ମାଳି ମଧ୍ୟ ବହୁ ଆଗରୁ ପ୍ରଚଳିତ , ଯାହାକି ଏକ ବିଶେଷ ଜ୍ଞାନ ଦାୟକ । ତା’ ହେଲା –
“ଆଶାଢ଼ ମାସରେ ପୋତ କିଆ,
ପୋତ ନ ପୋତ ହୁଅଇ ଠିଆ ।”
“ଚାଖଣ୍ଡେ ଛାଡି ଭାଙ୍ଗିବ ଭଣ୍ଡା
ତେବେ ସେ ଦେଖିବ କଦଳୀ ପେଣ୍ଡା ।”
ଏସବୁ ଢ଼ଗଢ଼ମାଳି କେତେ ଉନ୍ନତ ଥିଲା ଓ କେତେଏ ଶିକ୍ଷା ପ୍ରଦାନ କରି ପାରୁଥିଲା । ଏବେ ସେ ସବୁ ଆଉ ଶୁଣିବାକୁ କି ଦେଖିବାକୁ ମିଳୁନି । ଆଉ ଏକ ଢ଼ଗ ମନେ ପଡେ । କିଏ କାହାକୁ ଭଲପାଇ ଯଦି କାହା ସାଙ୍ଗରେ ପଳାଇ ଯାଉଥିଲା ତ ଢ଼ଗଟିଏ ଶୁଣିବାକୁ ମିଳୁଥିଲା –
“ଯାହାକୁ ଯିଏ ରସିଲା
ତାକୁ କିଆ ଫୁଲ ପରି ବାସିଲା।”
ଆଉ ଗୋଟିଏ କଥା ଦେଖନ୍ତୁ ଏଠି । ଯଦି କିଏ କିଛି ଅନ୍ଯାୟ କି ଖରାପ କାମ କରୁଛି ତେବେ ସାଧାରଣ ଅର୍ଥରେ ଯଦି ଜଣକୁ କୁହାଯାଏ ଯେ ସେ ଏମିତି କରୁଛି ବୋଲି, ଆର ଜଣଙ୍କ ଉତ୍ତର ଆସେ – “ସେ ଯାହା କରୁଛି କରୁ ଆମର କ’ଣ ଯାଏ ?” ଏହାକୁ ସେତେବେଳର ବୁଢ଼ା ବୁଢ଼ୀମାନେ ଢ଼ଗଟିଏ ବନେଇ ବର୍ଣ୍ଣନା କରନ୍ତି ଯେ –
“ଜଳୁଛି ବତୀ
କାହାର କ୍ଷତି ?”
ପୁଣି ଏକ ଉପଦେଶାତ୍ମକ ଢ଼ଗଟିଏ ମୋର ନଜର ପରିସର ଭୁକ୍ତ ହେଉଛି । ଢ଼ଗଟି ହେଲା –
“କହି ଜାଣିଲେ କଥା ସୁନ୍ଦର
ଗଢ଼ି ଜାଣିଲେ ଘର ସୁନ୍ଦର ।”
ଏସବୁ ତ ଗଲା ଶିକ୍ଷା, ମନୋରଞ୍ଜନ ଏବଂ ଉପଦେଶାତ୍ମକ ଢ଼ଗଢ଼ମାଳିର କଥା । ଆଉ କିଛି ମନୋରଞ୍ଜନ ମୂଳକ ଢ଼ଗଢ଼ମାଳି କହୁଛି, ଯାହା ଅହେତୁକ ଆନନ୍ଦ ପ୍ରଦାନ କରିବ । ଛୋଟ ପିଲାଙ୍କୁ ବୁଝେଇ ସୁଝେଇ ତାଙ୍କ ସହିତ ଖେଳିବା ଢ଼ଙ୍ଗରେ ଏହି ଢ଼ଗ (ଯାହା ନିମ୍ନରେ ପ୍ରଦତ୍ତ ) ବ୍ଯବହାର କରାଯାଏ ।
୧- ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ତୁମର ଆମର ନାଲି ପାଇଁଚ
ନାଲି ପେଁ ପେଁ ବାଜଇ ହୀରା
ଗୋଟିକ ଉପରେ ଗୋଟିଏ ଚିରା ।
୨- ଉଦୁ ଉଦୁମା, ତାଳ ଗୋଟମା,
ପିତେଇ ସମା
ପିତେଇ ଯାଇଛି ଧାନ ବିଲକୁ
ଧରି ଆଣିବ ସେ ଶଙ୍ଖଚିଲକୁ
ଶଙ୍ଖଚିଲ ଭାଇ ନମସ୍କାର
ମାଟିଆ ଚିଲକୁ ଗୋଇଠା ମାର ।”
ଏହାକୁ ଆଉ ଏକ ପ୍ରକାରରେ ବି କୁହାଯିବାର ଦୃଷ୍ଟାନ୍ତ ଅଛି।
“ଉଦୁ ଉଦୁମା ତାଳ ଗୋଟମା
ତାଳ ବାଉରାଣୀ ପିତେଇ ସମା
ପିତେଇ ଯାଇଛି ଧାନ ବିଲକୁ
ଧରି ଆଣିବ ସେ ଶଙ୍ଖଚିଲକୁ
ଶଙ୍ଖଚିଲ କଲା ବସା
ତାଳ ବାଉରାଣୀ ଏଡେ ଭରସାଲୋ ମଙ୍ଗଳପୁରିଆ ଖୋସା ।”
ପୁଣି ଛୋଟ ପିଲାଙ୍କୁ ବୁଝେଇବାକୁ ମାଆ ଛୁଆକୁ କାଖେଇ ଧରି ଆକାଶକୁ ଦେଖାଇ ଢ଼ଗ ଗାଏ :-
“ଆ’ ଜହ୍ନମାମୁଁ ଶରଦ ଶଶୀ
ମୋ କାହ୍ନୁ ହାତରେ ପଡରେ ଖସି।”
ମାଆର ନାନାବାୟା ଗୀତରେ ଆଉ ଏକ ଢ଼ଗ ଏ ପର୍ଯ୍ୟନ୍ତ ବି ଜୀବିତ। ଅଛି –
“ଧୋରେ/ଧୋଲୋ ବାଇଆ/ବାଇଆଣୀ ଧୋ,
ଯୋଉ କିଆରୀରେ ଗହଳ ମାଣ୍ଡିଆ ,
ସେଇ କିଆରୀରେ ଶୋ ।”
ସତରେ କେତେ ମନଛୁଆଁ ଏ ଢ଼ଗଢ଼ମାଳି ! ଶ୍ରବଣ ମାତ୍ରକେ ଶ୍ରୋତାଙ୍କର ମନ। ପୂରିଯାଏ। ଛୋଟ ପିଲାଙ୍କୁ ଖେଳେଇବା ପାଇଁ ଗୀତ ଗାଇ ବୁଝେଇବା ପାଇଁ ମାଆ, ବୁଢ଼ୀମାଆ କିମ୍ବା ଅଜାଆଈ ଢ଼ଗଟିଏ ଗାନ କରନ୍ତି । ପୁନର୍ବାର ସ୍ମରଣକୁ ଆସିଗଲା ଦୁଇଟି ଢ଼ଗ ।
“ଟୁଉକୁ ମୁସି ଟୁକେଇ ମୁସି
ଧାନ ଭରଣକ ଖାଉଥା ବସି
ତୁ ଥା’ ମୁଁ ଯାଉଛି ରୁଷି
ଫୁର୍ ବାୟା ମୁଣ୍ଡରେ ବସି ।”
ପୁଣି ଆଉ ଏକ –
“ତାଳି ତାଳି ରଞ୍ଜନ
ଦୁଧ ଭାତ ଖଞ୍ଜନ ।”
ଏହିପରି ଅନେକ କିଛି ଢ଼ଗଢ଼ମାଳି ଆମ ଭାଷା ଓ ଆମ ସାହିତ୍ଯକୁ ସମୃଦ୍ଧ କରି ଆସିଥିଲା ।
ଯେତେବେଳେ ଖରା ହେବା ସହିତ ବର୍ଷା ହୋଇଥାଏ , ଗାଁ ଦାଣ୍ଡରେ ପିଲାମାନଙ୍କ କଣ୍ଠରୁ ଝରି ପଡେ ଢ଼ଗଟିଏ –
” ଖରା ହେଉଛି ବର୍ଷା ହେଉଛି
ବିଲୁଆ ନନା ବାହା ହେଉଛି ।”
ଛୋଟ ପିଲା ଚାଲୁ ଚାଲୁ ଝୁଣ୍ଟି ପଡି ପଡିଗଲେ ତାକୁ ବୁଝେଇବାକୁ ମାଆମାନେ ମାଡ ହୋଇଥିବା ଜାଗାକୁ ଫୁଙ୍କିବା ଆଳରେ କହିଥା’ନ୍ତି ଯେ – “ଆଇଁସି ମନ୍ତର କାଇଁସି ମନ୍ତର ଜୁଆଣୀ ମନ୍ତର ଫୁ।” ପିଲାଟି ବୁଝିଯାଏ । ଆଉ ଏକ ଢ଼ଙ୍ଗରେ ବି ଛୋଟ ପିଲାମାନଙ୍କୁ ମାଆମାନେ ବୁଝାନ୍ତି ସୁନ୍ଦର ପଦ୍ଯାଂଶର ଢ଼ଙ୍ଗରେ –
“ଥିଲା ଗୋଟିଏ ଠେକୁଆ ,
ନାଁଟି ତା’ର ଭେକୁଆ ,
କାନ ଛେଳି ଗୋଜିଆ ,
ଦେହ ତା’ର ଗରମ ,
ତୁଳା ପରି ନରମ ,
ବୁଲୁଥିଲା ଏକେଲା ,
କେଳୁ ତାକୁ ଦେଖିଲା।
କେଳୁ ଏକ କଂସେଇ
ଫାଶ ଏକ ବସେଇ
ଦେଇ ଲୁଣ ହଳଦୀ
ତିଅଣ କର ଜଲଦି
କେଳୁ ଝିଅ କ’ଣ କଲା
ଜାଲକୁ ଫିଟେଇ ଦେଲା
ଠେକୁଆ କଲା ଚଲ୍
କେଳୁ ଝିଅଟି ଭଲ୍ ।”
ଏକ ଅଣୁ ଗଳ୍ପକୁ ଢ଼ଗ ଆକାରରେ ବର୍ଣ୍ଣନା ହୋଇଛି । କେତେ ସୁନ୍ଦର ଏ ଢ଼ଗ ! ଏମିତି ଆଉ ମିଳୁନି । ଏକ ରମ୍ଯ ଢ଼ଗଟେ ମନେ ପଡୁଛି ମୋର –
“ଆ ଚୁ’ ଚୁ’ ବା ଚୁ’ ଚୁ’
ମୋ ବାରିପଟେ ପାଣି ପିଉଚୁ
ମାଆରିବି ନାତେ ପଡିବୁ ଖାତେ
ତତେ ଦେଖିବେ ବହୁତ ଲୋକେ ।”
ଆଉ ଏକ ଢ଼ଗ ହେଲା –
” ତୁ ତୁ ତୁ ଡାକିଲି ମୁହିଁ
ଦଉଡି ଆସିଲୁ କୁକୁର ତୁହି।
ଆଉଁସି ଦେବିରେ ଦେହ ତୋହର
ଖାଇବାକୁ ଦେବି ଭାତ ମୋହର ।”
ଆଉ ଏକ ଲୋକଗୀତ ବା ଢ଼ଗ ପିଲାମାନଙ୍କ ପାଖରେ କୁହାଯାଏ ଯେ –
“ମାଙ୍କଡ ଖାଏ କାଙ୍କଡ କଷି
ବାଙ୍କବାବୁଙ୍କ ବାଡିରେ ପଶି ।
ତାଙ୍କ କୁକୁର ଆସିଲା ଧାଇଁ
ହନୁ ମାଙ୍କଡ ଗଲା ପଳାଇ ।”
ଓଡିଶାର ବଡ ଠାକୁର ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଢ଼ଗଟିଏ ବି ମନରେ ଆସୁଛି –
“ମେଘ କଲା ଘଡଘଡି
ଜଗନ୍ନାଥେ ଗଲେ ଗୁଣ୍ଡିଚାବାଡି
ଷୋଳ ଚକ ଗଲା ଗଡି ।”
ଆଶାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟାରେ ରଥଯାତ୍ରା ହୁଏ ପ୍ରଭୁଙ୍କର । ବର୍ଷା ଦିନ ହେତୁ ବର୍ଷା ବି ହୁଏ । ସେଲାଗି ଏପରି ଢ଼ଗ । ତା’ ସହ ଷୋଳ ଚକ ବିଶିଷ୍ଟ ରଥରେ ଜଗନ୍ନାଥ ଗୁଣ୍ଡିଚା ଯାତ୍ରା କରିଥା’ନ୍ତି ।
ରଥ ଉପରେ ଡାହୁକର ଗୀତ ଟିକେ ଅଶ୍ଳୀଳବୋଧ ହେଲେ ବି ମନଛୁଆଁ ହୋଇଥାଏ ।
“ରଥ କହେ ହୁଁ ଚକ କହେ ହୁଁ
ଯାହା ମୁଣ୍ଡରେ ସିନ୍ଦୂର ଟୋପା
ତା’ ଘଇତା ମୁଁ ।”
ଏଥିରୁ ଜଣାଯାଏ ଯେ ଓଡିଆ ସାହିତ୍ଯ ଅଶ୍ଳୀଳ ନୁହେଁ , ମଣିଷର ମନ ଓ ଭାବନା ତାକୁ ଅଶ୍ଳୀଳ କରିପକାଏ ।
କୁମାରୀ କନ୍ଯାଏ ରଜ ପର୍ବରେ ରଜଦୋଳିରେ ଝୁଲିଲା ବେଳେ ଗାଇ ଉଠନ୍ତି ସୁନ୍ଦର ଢ଼ଗ –
“ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମକୁଟ
ସୁନା ମକୁଟଲୋ
ଦୂରକୁ ଦିଶଇ ଝକମକ ।”
ଏ ଗୀତଟି ରଜପର୍ବଟିକୁ ଆହୁରି ଆନନ୍ଦମୟ କରିପକାଏ ।
ରଜରେ ରଜଦୋଳି ସହିତ ଏକ ନିଆରା ପରମ୍ପରାର ଖେଳ “ପୁଚି ଖେଳ” ଯୋଡି ହୋଇ ରହିଛି । ପୁଚି ଖେଳିବା ଅବସରରେ ଝିଅମାନେ ସୁଲଳିତ କଣ୍ଠରେ ଗାଇ ଉଠନ୍ତି :-
“ପୁଚିଲୋ ଯା’ ଘୁଞ୍ଚିଲୋ
ମଦରଙ୍ଗା ଶାଗ ରାଇତା
ମୋର କଳା ମୁଚୁମୁଚୁ ଘଇତା
ପୁଚିଲୋ ଯା’ ଘୁଞ୍ଚିଲୋ
ବାରିଆଡେ ଗଲା ଗୋଧି
ପୁଚି ନଜାଣୁ ତୁ ମାଇପି ଟୋକି
କିଏ ଶିଖେଇବ ବୁଦ୍ଧି ।
ପୁଚିଲୋ ଘୁଞ୍ଚି ଯା’
ଗହୀର ବିଲରେ ଲୁଚି ଯା’
ଗହୀର ବିଲରେ ମଇଁଷି ;
ଧାନ ମଚମଚ ଖାଉଛି
ଅଡେଇ ଦେ’ରେ ଗଉଡ ଭାଇ ;
ବଜେଇ ଦେ’ରେ ବଇଁଶି।”
ଠିଆ ହୋଇ ଗୋଡକୁ ହଲେଇ ଏକ। ପ୍ରକାର ପୁଚି ଖେଳାଯାଇ ସୁନ୍ଦର ଲୋକଗୀତ ବା ଢ଼ଗ ଗା’ନ୍ତି କୌମାରୀମାନେ ।
“ଠିଆ ପୁଚି ନାରଙ୍ଗ, ଗୋଡ ଦି’ଟା ସାରଙ୍ଗ
ସାରଙ୍ଗବାଡିକୁ ଯାଇଥିଲି, ନାରଙ୍ଗ ପୁଞ୍ଜାଏ ଆଣିଥିଲି ।
ଅଧେ କଲି ଭଜା, ଅଧେ କଲି କଞ୍ଚା
ତୋ ଭଉଣୀ ରାଣୀ ଲୋ ମୋ ଭାଇଟି ରଜା ।”
କୁମାର ପୂର୍ଣିମୀରେ ଜହ୍ନି ଓଷା ଉପବାସରେ ଚଉଁରା ମୂଳେ କୁମାରୀ ମାନଙ୍କ କଣ୍ଠରୁ –
“ଜହ୍ନି ଫୁଲ ଠୋ ଠା,
କାକୁଡି ଫୁଲ ଠୋ ଠା,
ଗୁଣ୍ଡୁଚିମୂଷା କହିଯାଇଛି
ଚାଉଳ ଗଣ୍ଡେ ରଖି ଥା’ ।”
ଏସବୁ ଲୋକଗୀତ ବା ଢ଼ଗଢ଼ମାଳି କିଛି ହଜିଗଲାଣି, ଆଉ କିଛି ହଜିଯିବା ଉପରେ ତ ଅଳ୍ପ କିଛି ଜୀବିତ । ସେତେବେଳ ପରି ଆଉ ଶୁଭୁନି ନଦୀ ବକ୍ଷରେ ନାବ ଉପରେ ନାଉରିଆର ଗୀତ କି ଗହୀର ପାଟରେ ଚଷା ଭାଈର ହଳୁଆ ଗୀତ । କଳ ଲଙ୍ଗଳ ପ୍ରଭାବରେ ହଳ ଲଙ୍ଗଳ ତ ବିଲୋପର ଶେଷ ସୀମା ପାର୍ ହେବା ଉପରେ । ବିଦ୍ଯାଳୟରେ ଶୁଭୁଥିଲା ସେତେବେଳେ –
“ନଈ ପାଣି ନଈକୁ ଯାଆ
ମୋ ସିଲଟ ଶୁଖି ଯାଆ ।”
ଏବେ ଆଉ ପ୍ରାୟ ଶୁଭୁନି ଏହି ଢ଼ଗଢ଼ମାଳିର ସ୍ବର । ସାଧାରଣ ଜ୍ଞାନର କୁଇଜ୍ ପରି ଢ଼ଗଢ଼ମାଳି ସବୁ ପ୍ରାୟ ଲୁଚି ଗଲାଣି । ଉଦାହରଣ ସ୍ବରୂପ –
୧-“ଆସିଲା ବଡ ଚଢ଼େଇ , ବସିଲା ଡେଣା ମେଲାଇ
ଧଇଲା ମାଛ ଖାଇଲା ନାହିଁ ।”
୨-“ଆକାଶୁ ପଡିଲା ଟେକାଟିଏ
ତା’ ମୁଣ୍ଡରେ ଠେକାଟିଏ ।”
ଏସବୁ ଢ଼ଗଢ଼ମାଳି ପିଲାମାନଙ୍କୁ ଶିକ୍ଷା ଦେଉଥିଲା ।
ଏସବୁ ପରେ ଅନ୍ଯକୁ ତାଚ୍ଛଲ୍ଯ କରି କହିବାର ଯେଉଁ ଢ଼ଗଢ଼ମାଳି ସେ କେତେ ନିଆରା ନଥିଲା ସତେ କି ?
“ଭାସି ଯାଉଥିଲୁ ମଝି ଦରିଆରେ
ଧରି ଆଣିଥିଲି ତତେ
ଟାକୁଆ ଗାଲରେ ମାଉଁସ ଲାଗିଲେ
ଜବାବ ଦେଉଛୁ ମତେ !”
ପୁନରାୟ :-
“ମୂଳରୁ ମାଇପ ନାହିଁ -ପୁଅ ନାଁ ଗୋପାଳିଆ” – ଏ ରୁଢ଼ି ବି ତାଚ୍ଛଲ୍ଯ ।
ଏସବୁ ଲୋକଗୀତ ,ରୁଢ଼ି ବା ଢ଼ଗଢ଼ମାଳି ବିଲୋପ କିଛି ହୋଇଛି , କିଛି ହେବାକୁ ଯାଉଛି । ଭାଷା ସାହିତ୍ଯର ସମୃଦ୍ଧି ନିମନ୍ତେ ଏହାକୁ ପୁନରୁଦ୍ଧାର କରି ବଞ୍ଚାଇ ରଖିବା ନିତାନ୍ତ ଆବଶ୍ଯକ । ସମସ୍ତ ସାହିତ୍ଯିକ ଏବଂ ଭାଷାବିତ୍ ଏସବୁ ଦିଗ ପ୍ରତି ଶକ୍ତ ଦୃଷ୍ଟି ଦେଇ ଢ଼ଗଢ଼ମାଳିକୁ ପୁନରାୟ ପ୍ରତ୍ଯାବର୍ତ୍ତନ କରାଇ ପାରିଲେ ଖାଲି ଆମ ରାଜ୍ଯ ଓଡିଶା ନୁହେଁ ସମଗ୍ର ବିଶ୍ବ ବି ଆମର ଏ ଭାଷାକୁ ସମ୍ମାନ ଜଣେଇବ । ଆଉ ଆମେ ଆମ ଭାଷାର ମମତାକୁ ଦୃଢ଼ କରି ପାରିବା ।
ତେଣୁ ସମସ୍ତ ଓଡିଶାବାସୀ ତଥା ଲେଖକ ଲେଖିକା ଏ ଦିଗ ପ୍ରତି ସର୍ବାଦ୍ଯ ଦୃଷ୍ଟିପାତ କରିବା ପାଇଁ ମୋର ବିନୀତ ଅନୁରୋଧ ।
ବହୁତ ସୁନ୍ଦର ପ୍ରୟାସ
What is the actual meaning of dhaga dhamali. Not clear from this article . Are the examples cited in this article are all dhagas. Perhaps not. But attempt on such section of Odia literature is no doubt praise worthy. For betterment more literature review required
ମୁଁ ତରୁଣ ଶବ୍ଦକୋଷ ଦେଖିଲି। ସେଥିରେ ଢଗର ଅର୍ଥ –ମିତ୍ରାକ୍ଷର ବିଶିଷ୍ଟ ଉଦାହରଣୀୟ ଉକ୍ତି। ଢମାଳି ର ଅର୍ଥ –ମିତ୍ରାକ୍ଷର ହୀନ ପରିହାସୋକ୍ତି ବୋଲି ଉଲ୍ଲେଖ ଅଛି।ଏଇ କଥାଟି ଏ ପ୍ରବନ୍ଧରୁ ସ୍ପଷ୍ଟ ହେଉନାହିଁ। ତେଣୁ ଢଗ କେଉଁ ଗୁଡ଼ିକ ଓ ଢମାଳି କେଉଁ ଗୁଡ଼ିକ ତାହା ବାରି ହେଉନାହିଁ।