ନିଜେ ନିଜ ସହ

ବବି ଅନସୂୟା

ଏବେ ଏଇନେ ହଠାତ୍ ଦେଖାହେଇଗଲା ନିଜ ସହ
ପଚାରିଲି ତାକୁ ଭଲମନ୍ଦ ଖବର ଅନ୍ତର
ହସି କି କହିଲା ହଁ ଗାଡି ଚାଲିଛି
ଧୁଆ ଲୁଗାରୁ ବୋହୁଥିବା ଥପ୍ ଥପ୍ ପାଣି ପରି


ସମୟର ଅବୟବକୁ ଠଉରଉଛି
ବେଲୁଥିବା ରୁଟିର ଅଙ୍କାବଙ୍କା ମାନଚିତ୍ରରେ
ଜୀବନ ଜ୍ୟାମିତିର ପରିଧି ମାପୁଛି
ସନ୍ଧ୍ୟାର ଆଳତୀ ଧୂପରେ ଆଙ୍କୁଛି
ପ୍ରଭାତର ସୁନ୍ଦର ଚିତ୍ରଟିଏ
ସଳିତା କରି ଜଳେଇଦେଇଛି
ଉଙ୍କିମାରୁଥିବା ନୀରିହ ଇଚ୍ଛାଟିଏ
କେତେ ଯେ ହିସାବ ଦେବାକୁ ହୁଏ
ଛୋଟଛୋଟ କଥାରେ
ପ୍ରତ୍ୟେକ ମୁହୂର୍ତ୍ତରେ ଛିଡାହେବାକୁ ହୁଏ
ନ୍ୟାୟର କାଠଗଡାରେ
ତଥାପି ଗାଡି ଚାଲିଛି ଚାଲିଥିବ
ନିଃଶ୍ୱାସର ଗତିସହ
ପୁଣି ସଳଖିବାକୁ ହେବ ଅଣ୍ଟା
ନୂତନ ସୂର୍ଯ୍ୟୋଦୟ ସହ

Leave a Reply

Your email address will not be published. Required fields are marked *