ଏହି ପୁସ୍ତକଟି ଯଦି କେବେ ଆପଣଙ୍କ ହସ୍ତଗତ ହୁଏ ତେବେ ଏହାର ଶିରୋନାମାଟିକୁ ସର୍ବପ୍ରଥମେ ଟିକିଏ ନିଠେଇକରି ପଢିନେବା ଜରୁରୀ। ନଚେତ ହୁଏତ ଆପଣ ବାଟବଣା ହୋଇଯିବେ। ହଁ, ପୁସ୍ତକଟିର ନାମ ‘ପ୍ରଭୂ’, ପ୍ରଭୁ ନୁହେଁ। ଅର୍ଥାତ୍ ମାତ୍ରାଟି ହ୍ରସ୍ୱ ଉ ପରିବର୍ତ୍ତେ ଦୀର୍ଘ ଊ। ତେଣୁ ଏଇ ଶବ୍ଦଟିକୁ ଈଶ୍ବରଙ୍କ ଏକ ପ୍ରତିଶବ୍ଦ ଭାବରେ ଗ୍ରହଣ କରିନେବା ଆପଣଙ୍କ ପାଇଁ ଏକ ପାଠକୀୟ ଭ୍ରମ ହେବ। ସଳଖ ଭାବରେ କହିଲେ ଏହା କାନାଡ଼ା ଦେଶରେ ଅବସ୍ଥାନ କରୁଥିବା ଆମ ଭାଷାର ବିଶିଷ୍ଟ କବି ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କର ସ୍ବରଚିତ କବିତାରାଜିର ଏକ ଭବ୍ୟ ସଂକଳନ ଏବଂ ‘ପ୍ରଭୂ’ ଶବ୍ଦଟି ଗଠିତ ହୋଇଛି କବିଙ୍କ ନାମାନ୍ତର୍ଗତ ଶବ୍ଦ ଯୁଗଳର ଦୁଇଟି ଆଦ୍ୟ ଅକ୍ଷରକୁ ନେଇ।
କବିତାର ପ୍ରାରମ୍ଭିକ ବିଶେଷତ୍ବ କିନ୍ତୁ ଏତିକି ମାତ୍ର ନୁହେଁ। ମଲାଟ ଟି ଉପରକୁ ଆଉ ଥରେ ଦୃଷ୍ଟି ପକାନ୍ତୁ। ପ୍ରଥମ ଦର୍ଶନରେ ମନେହେବ ଶ୍ରୀ ଧୀରେନ୍ଦ୍ର କର ମହୋଦୟ ହେଉଛନ୍ତି ଏହି ‘ପ୍ରଭୂ’ ନାମକ ପୁସ୍ତକଟିର ରଚୟିତା। କିନ୍ତୁ ପ୍ରଥମ ପୃଷ୍ଠାଟି ଓଲଟାଇ ଶ୍ରୀ କରଙ୍କ ଦ୍ବାରା ପରିବେଷିତ ‘କଲ୍ୟାଣ’ ଶୀର୍ଷକ ପ୍ରାକ୍-କଥନଟି ପଢ଼ିବା ପରେ ଆପଣଙ୍କ ଭ୍ରମ ଦୂର ହେବ, ଏବଂ ଆପଣ ଜ୍ଞାତ ହେବେ ଯେ କର ମହୋଦୟ ହେଉଛନ୍ତି ପୁସ୍ତକଟିର ସଂକଳକ ଓ ସଂପାଦକ। କିନ୍ତୁ ସେ ଏମିତି ସାଧାରଣ ସଂକଳକଟିଏ ନୁହନ୍ତି। ବରଂ ସାହିତ୍ୟ ଦୁନିଆରେ ସାଧନ କରିଛନ୍ତି ଏକ ଅପୂର୍ବ କର୍ତ୍ତବ୍ୟଟିଏ। ଏହାକୁ ଏକ ଐତିହାସିକ କର୍ତ୍ତବ୍ୟ ବୋଲି ମଧ୍ୟ ଆମେ କହିପାରୁ। ସଂକଳକଙ୍କ ପ୍ରାକ୍କଥନଟି ସହିତ କବି ପ୍ରଶାନ୍ତ ଭୂୟାଁଙ୍କର ‘ଅୟମାରମ୍ଭ’ ଶୀର୍ଷକ ଭୂମିକାଟିକୁ ସଂଯୁକ୍ତ ଭାବରେ ପଢିଲେ ଆମେ ଜାଣିପାରିବା ଯେ ଏଇଟି ଲେଖକୀୟ ଅଭୀପ୍ସା ନୁହେଁ ବରଂ ପାଠକୀୟ ଶ୍ରଦ୍ଧାରୁ ଜାତ ପୁସ୍ତକଟିଏ। ‘ପ୍ରଭୂ’ଙ୍କର ରଚନା-ସମଗ୍ର ସହିତ ଫେସବୁକ୍ ଓ ହ୍ବାଟସ୍ଆପ୍ ଭଳି ଅନ୍ତର୍ଜାଲୀୟ ମାଧ୍ୟମରେ ମୁହାଁମୁହିଁ ହେବାପରେ କର ମହୋଦୟ ପାଲଟିଗଲେ ତା’ଙ୍କର ମୁଗ୍ଧ ପାଠକଟିଏ, ବଶୀଭୂତ ହୋଇଗଲେ ତା’ଙ୍କ କବିତାବଳୀର ଗଭୀର ଅନ୍ତର୍ବୋଧରେ ଏବଂ ଭାଷାର ଚମକରେ। ଲକ୍ଷ୍ୟ କଲେ ଯେ କବି ପୁସ୍ତକ ଜଗତରେ ପାଦ ଥାପିବାକୁ ନିଃସ୍ପୃହ। ତେଣୁ ସେ ସ୍ଥିର କରିନେଲେ ଯେ ନିଜ ଉଦ୍ୟମରେ ଆପଣାର ପ୍ରିୟ କବି ପ୍ରଭୂଙ୍କ କବିତାମାନ ସଂଗ୍ରହ କରି ତାହାକୁ ଏକ ପୁସ୍ତକ ଆକାରରେ ପ୍ରକାଶ କରିବେ। ଏହାର ପରିଣାମଟି ଆଜି ଆମ ସାମନାରେ। ପାଠକୀୟ ଉଦ୍ୟମରେ ଓଡିଆ ଭାଷାରେ କୌଣସି କବିଙ୍କ କୃତୀ ପ୍ରକାଶିତ ହେବାର ଏହା ପ୍ରଥମ ନିଦର୍ଶନ। ଏ ଦୃଷ୍ଟିରୁ ଏହା ଐତିହାସିକ।
କର ମହୋଦୟଙ୍କ ଏହି ପାଠକୀୟ ଉଦଯୋଗର ଆଉ ଏକ ହେତୁର ସୂଚନା ମଧ୍ୟ ଆମେ ପୁସ୍ତକଟିରୁ ପାଉ। ତା’ହେଲା ଓଡିଆ ଜାତିକୁ କଙ୍କଡା ଜନିତ ପରିଚୟରୁ ମୁକ୍ତ କରିବା। ସେ କବିଙ୍କୁ କୁହନ୍ତି, “ପ୍ରଶାନ୍ତ, ଚାଲ୍ କିଛି କରିବା, ଆଉ ଏ କଙ୍କଡା ଜାତିର ନାଁରୁ ମୁକ୍ତ ହେବା। କି’ରେ ଆମ ପାଖରେ ନାହିଁ କ’ଣ? ହେଲେ ସବୁ ଥାଇ ଏତେ ହୀନିମାନିଆ ହୋଇ ରହିବାକୁ କାହିଁକି ସ୍ବୀକାର କରିବା!” କହିବା ବାହୁଲ୍ୟ ଆମ ସାହିତ୍ୟ ଜଗତରେ ବି ଏଭଳି ଗୋଡ଼ ଟଣାଟଣିର ପ୍ରକ୍ରିୟା ଉଣା ନୁହେଁ। ଏହି ଧାରାର ବିପରୀତମୁଖୀ ଉଦ୍ୟମଟିଏ ହେଲା ଏହି ପୁସ୍ତକଟିର ପ୍ରକାଶନ। ଜଣେ ପାଠକ ହିସାବରେ ଶ୍ରୀ କର ଅନାବିଳ ଶ୍ରଦ୍ଧାରେ ବାନ୍ଧିପକାଇଛନ୍ତି କବିଙ୍କୁ।
ସଂକଳନଟିରେ ସ୍ଥାନିତ ପ୍ରତ୍ୟେକଟି କବିତା ଅନନ୍ୟ ପରିତୟର ଦାବି ରଖେ। ଭାବଧାରାକୁ ଆଧାର କରି କବିତାଗୁଡିକୁ ଏଥିରେ ପାଂଚଟି ଭାଗରେ ବର୍ଗୀକୃତ କରାଯାଇଛି, ଯଥା :- ଶ୍ରୀ ଜଗନ୍ନାଥ, ଓଡିଶା, ପ୍ରକୃତି, ଭାଷା ଭାବନା ଏବଂ ଜୀବନ ଦର୍ଶନ। ଏଠାରେ ପାଠକଙ୍କ ନିମନ୍ତେ ଉଦ୍ଧୃତ କରୁଛୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚିତ ଏହି ସଂକଳନର ‘ପ୍ରଭୁ’ ଶୀର୍ଷକ ପ୍ରଥମ କବିତାଟିକୁ।
ତୁ ଜ୍ଞାନ ତୁ ଜ୍ଞେୟ
ତୁ ଗମ୍ୟ ତୁ ଗ୍ରାହ୍ୟ
ତୁ ଦ୍ରଷ୍ଟା ତୁ ଦୃଶ୍ୟ
ତୁ ପ୍ରିୟ ତୁ ପ୍ରାପ୍ୟ
ତୁ ବୁଦ୍ଧ ତୁ ବୋଧ୍ୟ
ତୁ ସିଦ୍ଧି ତୁ ସାଧ୍ୟ
ତୁ ଲୟ ତୁ ଲକ୍ଷ୍ୟ
ତୁ ସଖା ତୁ ସାକ୍ଷ
ତୁ ନାଥ
ତୁ ଜଗନ୍ନାଥ
ଶବ୍ଦର ଗାରିମା ସହ ଭାବାତ୍ମକ ଆତ୍ମୀୟତାର ଅପୂର୍ବ ସମନ୍ବୟ ଏଠାରେ ଲକ୍ଷ୍ୟ କରିବାର କଥା। ଅପରୂପଏକ ଛଟା ଏବଂ ନୂଆ ଏକ ଅନୁଭବ। ଏହିଭଳି ନିଆରା ସୃଷ୍ଟିମାନଙ୍କ ସମ୍ଭାରରେ ଭରପୁର ସଂକଳନଟି। ଓଡିଆ ସାହିତ୍ୟ ଜଗତରେ ଏହା ଏକ ସଫଳ ପ୍ରକାଶନ ବୋଲି କୁହାଯାଇପାରେ। ନିଷ୍ଠାପର ଓଡିଆ କବିତା ପ୍ରେମୀମାନେ ଏହା ପାଠ କରିବାରୁ ବଂଚିତ ନ ହୁଅନ୍ତୁ, ଏହାହିଁ ଆଶା।
- ନିହାର ଶତପଥୀ