ସିଡ଼ି ର ସବୁଠୁ ତଳ ପାହାଚରେ ମୋତେ ମାଲିକ ବସେଇଦେଇଥାନ୍ତି। ମୁଁ ଖୁସି ମନରେ ବସିଥାଏ। ମୋ ଦୁଇ ପାର୍ଶ୍ଵ ରେ ବହୁତ ଲୋକ ଖୁନ୍ଦାଖୁନ୍ଦି ହେଇ ବସିଥାନ୍ତି।
କିଛି ସମୟ ବସିଲା ପରେ ହଠାତ ଯେତେବେଳେ ମୁଁ ବୁଲିପଡ଼ି ମୋ ପାହାଚ ଠୁ ଗୋଟେ ଫୁଟ ଉପରେ ଥିବା ଦ୍ୱିତୀୟ ପାହାଚକୁ ଦେଖିଲି, ସେଠି ଲୋକ ସଂଖ୍ୟା କମ ଥିବାର ଜାଣିପାରିଲି।
ସେଠି ବସିଥିବା ଲୋକ ମାନେ ପ୍ରଥମ ପାହାଚ ତୁଳନାରେ ବେଶ ଆରାମ ରେ ଆଉ ଖୁସିରେ ବସିଥିବାର ମୋତେ ଲାଗିଲେ। କେଜାଣି କାହିଁକି ସେ ଲୋକମାନଙ୍କୁ ଦେଖିସାରିବା ପରେ ତଳ ପାହାଚରେ ବସିବାକୁ ମୋତେ ଆଉ ଭଲ ଲାଗିଲାନି। ଉପରକୁ ଉଠି ଦ୍ୱିତୀୟ ପାହାଚରେ ବସିବା ନିମନ୍ତେମୁଁ ମାଲିକ ଙ୍କ ଆଗରେ କାକୁତି ମିନତି ହେବାରେ ଲାଗିଲି।
ଶେଷରେ ମାଲିକ ମୋ କଥା ମାନିଲେ। ମୋତେ ନେଇ ଦ୍ୱିତୀୟ ପାହାଚରେ ବସେଇଦେଲେ। ଯେମିତି ମୁଁ ଯାଇ ସେଠି ବସିଛି, ମୋତେ ବେଶ ଆରାମ ଲାଗିଲା ଆଉ ମୁଁ ଖୁବ ଖୁସି ହେଇଗଲି। ମୋ ପାର୍ଶ୍ଵ ରେ ବସିଥିବା ଲୋକଙ୍କ ତୁଳନାରେ ତଳ ପାହାଚର ଲୋକଙ୍କୁ ଅତି ନ୍ୟୁନ ଭାବିବାକୁ ଲାଗିଲି।
ଏମିତି ଏମିତି ବେଶ କିଛି ଦିନ ଗଡ଼ିଗଲା। ପୁଣି ଯେବେ ଦିନେ ମୁଁ ବୁଲିକି ଉପରକୁ ଦେଖିଲି ତ ମୋତେ ତୃତୀୟ ପାହାଚର ଲୋକ ଆହୁରି ଅଧିକ ଖୁସି ଆଉ ଭାଗ୍ୟଶାଳୀ ଲାଗିଲେ। ତାଙ୍କୁ ଦେଖିଦେଖି ମୋତେ ଦ୍ୱିତୀୟ ପାହାଚ ରେ ବସିବା ଅସହ୍ୟ ବୋଧ ହେଲା। ମୁଁ ପୁଣି ମାଲିକ ଙ୍କ ଆଗରେ ନେହୁରା ହେଲି। ମୋତେ ତୃତୀୟ ପାହାଚରେ ବସେଇବାକୁ ବହୁତ ଅନୁରୋଧ କଲି।
ମୋର ନିରନ୍ତର ଅନୁରୋଧ ରେ ପ୍ରଭାବିତ ହେଇ ମୋତେ ମାଲିକ ନେଇ ତୃତୀୟ ପାହାଚରେ ବସେଇଦେଲେ ଆଉ ମୁଁ ପୁଣି ଖୁସି ହେଇଗଲି। ମୋଠୁ ତଳ ପାହାଚ ରେ ବସିଥିବା ଲୋକଙ୍କୁ ଆହୁରି ଅଧିକ ନ୍ୟୁନ ଭାବିଲି ତଥା ମୋଠୁ ଉପର ପାହାଚରେ ବସିଥିବା ଲୋକଙ୍କୁ ବେଶୀ ଭାଗ୍ୟଶାଳୀ ଭାବି ଈର୍ଷା କଲି। ସହିବା ସୀମା ଅତିକ୍ରମ କରିବାରୁ ପୁଣି ମାଲିକ ଙ୍କୁ
ଅନୁରୋଧ କଲି। ତାଙ୍କ ଆଗରେ ହାତ ଯୋଡିଲି ତାଙ୍କ ଗୋଡ଼ ଧରିଲି ଏମିତିକି ତାଙ୍କୁ ଲାଞ୍ଚ ଯାଚିବାକୁ ବି ପଛେଇଲିନି। ଯେକୌଣସି ପରିସ୍ଥିତିରେ ଉପର ପାହାଚକୁ ଚଢି ସମସ୍ତଙ୍କଠୁ ଅଧିକ ଖୁସି ଏବଂ ଭାଗ୍ୟଶାଳୀ ହେବାକୁ ଚେଷ୍ଟା ଚଳେଇଲି। ଆଉ ମାଲିକ ବି ମୋତେ ଦୟାପରବଶ ହୋଇ ଗୋଟେ ପରେ ଗୋଟେ ପାହାଚ ଉପରକୁ ଉଠେଇ ଉଠେଇ ଶେଷରେ ସର୍ବୋଚ୍ଚ ପାହାଚ ରେ ବସେଇଦେଲେ।
ସେତେବେଳେ ପଛକୁ ବୁଲିକି ଚାହିଁଲାବେଳକୁ ମୋତେ ଆଉ କେହି ଦିଶୁନଥିଲେ। ମୋ ପାଖରେ ଖୁବ କମ ଲୋକ ବସିଥିଲେ ଆଉ ଆମ ଭିତରେ ଦୂରତା ବି ଅଧିକ ଥିଲା। ସେମାନେ ଜମାରୁ ଖୁସି ଲାଗୁନଥିଲେ। ଯେଉଁ ମାନଙ୍କୁ ଚାହିଁ ଚାହିଁ ମୁଁ ଆଜି ଆସି ଏତେ ଉପରେ ପହଂଚିଲି ସେଇ ତଳ ପାହାଚ ର କୌଣସି ଲୋକ ବି ମୋତେ ଆଉ ଖୁସି ଦିଶୁନଥିଲେ। ସର୍ବୋଚ୍ଚ ପାହାଚ ରେ ପହଞ୍ଚିବାର ବିକଳତା ସମସ୍ତଙ୍କ ମୁହଁ ରୁ ମୋତେ ସ୍ପଷ୍ଟ ବାରି ହେଇପଡୁଥାଏ। ମୁଁ ନିଶ୍ଚିତ ହେଇସାରିଥାଏ ଯେ ଆଜିଯାଏ ଏମାନେ କେହି ଖୁସି ନଥିଲେ, ବରଂ ତଳ ପାହାଚର ଲୋକଙ୍କ ତୁଳନାରେ ନିଜକୁ ଅଧିକ ଖୁସି ଦେଖେଇ ହବାର ନାଟକ କରୁଥିଲେ।
ବାସ, ମୋର ଆଉ ଉପରକୁ ଯିବାକୁ ଇଚ୍ଛା ନଥିଲା କି ପୁଣି ସେଇ ମୂଳ ପାହାଚ କୁ ଫେରିଯିବାକୁ ବାଟ ନଥିଲା। ମାଲିକଙ୍କୁ ବି ମୋର ଆଉ କିଛି ଅନୁରୋଧ କରିବା ବାକି ନଥିଲା।
କିନ୍ତୁ ହଠାତ ଦିନେ ମାଲିକ ଆସିଲେ ଆଉ ମୋତେ ସାଙ୍ଗରେ ନେଇଯିବାକୁ ଲାଗିଲେ। ମୁଁ କିଛି ବୁଝିବା ଆଗରୁ ସେ ମୋତେ ଜବରଦସ୍ତି ଟାଣିକି ନେଇଯାଉଥିଲେ। ଗଲାବେଳେ କ୍ଷଣିକ ପାଇଁ ମୁଁ ମୋ ତଳ ପାହାଚ ର ଲୋକଙ୍କ ମୁହଁକୁ ଦେଖୁଥିଲି। ଲାଗୁଥିଲା ଯେମିତି ମୋ ଚାଲିଯିବାରେ ସେମାନେ ଦୁଃଖ କରୁଛନ୍ତି ହେଲେ ମୁଁ ଭଲ ଭାବେ ଜାଣିପାରୁଥାଏ, ଏମାନେ ସମସ୍ତେ ପୁଣି ନାଟକ କରୁଛନ୍ତି। କିଏ କେତେ ଅଧିକ ଦୁଃଖ ବ୍ୟକ୍ତ କରିପାରି, ମୁଁ ଚାଲିଯିବା ଦ୍ୱାରା ଉପର ପାହାଚରେ ହେଇଥିବା ଶୂନ୍ୟ ସ୍ଥାନ ପୂରଣ କରିବ, ସେଥିପାଇଁ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି।
ସେତେବେଳେ ମୋ ଆଖିକୁ ଏକମାତ୍ର ମାଲିକ ହିଁ ଖୁସିରେ ଥିବାର ଦିଶୁଥାନ୍ତି। ସିଡ଼ି ପାଖରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବା ଆଗରୁ ସବୁଠୁ ତଳ ପାହାଚ ର ଲୋକଙ୍କ ଆଡକୁ ନଜର ପକେଇ ମୁଁ ଭାରି ବିକଳ ଅନୁଭବ କରୁଥାଏ। କିନ୍ତୁ, ମୁଁ ଅସହାୟ ଥାଏ। କାରଣ ସିଡ଼ି ରୁ ଅଲଗା ହେବା ମାତ୍ରେ ମାଲିକ ମୋ ବାକ ଶକ୍ତି ମୋଠୁ ଛଡେଇନେଇଥାନ୍ତି………
Thanks for beautifully publishing my story.
ଲେଖାଟି ସମୟୋପୋଯୋଗୀ।