ଆଖିକୁ ଚାହିଁଲେ ଦେଖା ଦିଏନାହିଁ
କେଉଁ କୋଣେ ଲୁଚି ଥାଏ
ସୁଖଦୁଃଖ ଆଉ ହସକାନ୍ଦ ମେଳେ
ସବୁ କଥା କହିଯାଏ ।
ଘର ଛାଡିଦେଇ ବନ୍ଧୁ ପରିଜନ
ପରଦେଶେ ଯେବେ ଯାଏ
ଚାହିଁ ରହିଥାଏ ଆସିବା ବାଟକୁ
ଫେରିବ କି ଅବା ସିଏ ।
କାଲିଯାଏ ଥିଲା କୁସୁମ କଳିକା
ଆଜି ପରଘରେ ଯାଉଛି
ପରକୁ କରିବ ଆପଣାର ଦିନେ
ଆପଣା ଇଛାରେ ଘର ବସାଇବ
ସେ ଦିନକୁ ଚାହିଁ ରହିଛି ।
ଆପଣା କରମ ଭୋଗିବାକୁ ହେବ
ପ୍ରାରବ୍ଧ ଯାହାକୁ କହି
ସୁଖ ଦୁଃଖ ଦୁଇ ଜାଆଁଳା ଭାଇ ଯେ
ଜାଣିଛି ଅଜଣା ହୋଇ ।
ଦିନ ବିତିଯିବ ଚିହ୍ନ ରହିଥିବ
କଥା ଅଛି କାଳ କାଳକୁ
କିଏ ଜାଣେ କେବେ ବେଳ ଆସିଯିବ
ତରୀ ଲାଗି ଯିବ କୁଳକୁ ।
ସନ୍ତାନ ଟିଏ ସେ ସୀମାନ୍ତରେ ଦିନେ
ଦେଶ ରକ୍ଷା ମନ୍ତ୍ର ନେଇ
ଚାଲିଗଲା ବେଳେ କହିଯାଇଥିଲା
ଫେରି ଆସିବ ସେ
ଶୁଭ ସଙ୍କେତ ନେଇ ।
ଫେରିଲା ଯେଦିନ ଦୂର ସୀମାନ୍ତରୁ
ଶହୀଦ ରୁପରେ ଫୁଲ ଶେଯ ପରେ
ତ୍ରିରଙ୍ଗା ଘୋଡ଼ାଇ ହୋଇ ।
ଗଡ଼ି ଆସିଥିଲା ଲୁହ ଦୁଇଧାର
ଚାହିଁ ରହିଥିଲା ଆଖି
ହୃଦୟର କେଉଁ ନିଭୃତ କୋଣରେ
ଦୁଖର ପୁଟୁଳି ରହିଯାଇଥିଲା ଲାଖି ।
ପୁଷ୍ପ ମାଲ୍ୟାର୍ପଣ ରାଷ୍ଟ୍ରୀୟ ସମ୍ମାନ
ସବୁ ଯେବେ ସରିଗଲା
ହୃଦୟ ଭିତରେ ଖାଲି ସ୍ଥାନ ଟିଏ
ଅପୂର୍ଣ୍ଣ ହୋଇ ରହିଲା ।
ହସକାନ୍ଦ ଆଉ ସୁଖଦୁଖ ସଙ୍ଗେ
ଲୁହ ସଦା ରହି ଥାଏ
ଲୁହ ଦୁଇ ଟୋପା ଗଡ଼ିଆସେ ଯେବେ
ମନ ସଫା ହୋଇ ଯାଏ
ହସୁହସୁ ଯେବେ ଗଡ଼ି ଆସେ ଲୁହ
ଦୁନିଆ ତାହାକୁ ଆନନ୍ଦାଶ୍ରୁ କହିଥାଏ ।
କବିତା’ଲୁହ’ଖୁବ୍ ଭଲ ହୋଇଛି। ଚେଷ୍ଟା କରିଥିଲେ ଆହୁରି ସୁନ୍ଦର ହୋଇ ପାରିଥାଆନ୍ତା ବୋଧହୁଏ ।
ବହୁତ ଭାବାତ୍ମକ କବିତା। ବହୁତ ହୃଦୟସ୍ପର୍ଶୀ ହୋଇଛି।
ରକ୍ତ ଶରୀରରେ ଶୁଖିଯାଏ। ଲୁହ ଆଖି କୋଣରେ ଉଡିଯାଏ। ସୈନିକର ଶେଷ ଅବସ୍ଥା।
ମର୍ମସ୍ପର୍ଶୀ କବିତା।
ଖୁଵ ସୁନ୍ଦର