ଶିଶୁମାନେ ହେଉଛନ୍ତି ଦେଶ ଓ ଜାତିର ଭବିଷ୍ୟତ। ଆଜି ଯେ ଶିଶୁ କାଲି ସେ ଦେଶର ନାଗରିକ। ତେଣୁ ଏହି ଭବିଷ୍ୟତ ନାଗରିକମାନଙ୍କ ମାନସିକଶକ୍ତି ସହ ଜିଜ୍ଞାସାବୋଧର ବିକାଶ ନିମିତ୍ତ ସମସ୍ତେ ସଚେତନ ହେବା ଆବଶ୍ୟକ। ଏହି କୋମଳମତି ଶିଶୁମାନଙ୍କର ମନକୁ ଆକୃଷ୍ଟ କରିବା ପାଇଁ ଶିଶୁମାନଙ୍କ ମାନସିକ ଅବସ୍ଥା ସହ ପରିଚିତ ବୟସ୍କ ତଥା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିମାନେ ଯେଉଁ ସାହିତ୍ୟ ସୃଷ୍ଟି କରନ୍ତି, ତାହା ଶିଶୁ ସାହିତ୍ୟ ଭାବରେ ପରିଚିତ। ଉକ୍ତ ଶିଶୁ ସାହିତ୍ୟ ମଧ୍ୟରେ ଥାଏ ଦରଦଭରା ସହାନୁଭୂତିଶୀଳ ହୃଦୟ, ରୁଚି ଓ ପସନ୍ଦ ଯାହାକି ଅବୋଧ ଶିଶୁଟିର ମନୋରଞ୍ଜନ କରିବା ସହିତ ତାହାକୁ ସତମାର୍ଗରେ ପରିଚାଳିତ ହେବା ନିମିତ୍ତ ଆଗ୍ରହୀ କରିଥାଏ। କେବଳ ସେତିକି ନୁହେଁ, ଶିଶୁମନରେ ସୃଷ୍ଟି ହେବାକୁ ଥିବା ହତାଶା, ନୈରାଶ୍ୟ ଓ ବ୍ୟର୍ଥତାଦି ଭାବକୁ ଦୂରେଇ ତା’ ମନରେ ଲୁକ୍କାୟିତ ଭାବରେ ଥିବା ଉଜ୍ଜ୍ୱଳ ମଧୁର ଭବିଷ୍ୟତକୁ ପ୍ରୋତ୍ସାହନ ପ୍ରଦାନ କରିବା, ତାର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ସହ ଜିଜ୍ଞାସା ପ୍ରବୃତ୍ତିକୁ ଉପଶମ କରିବାରେ ମଧ୍ୟ ଶିଶୁ ସାହିତ୍ୟ ବିଶେଷ ସହାୟକ ହୋଇଥାଏ। ମୋଟ ଉପରେ କହିବାକୁ ଗଲେ ଶିଶୁ ଅନ୍ତରରେ ସୁପ୍ତ ଭାବରେ ଥିବା ସୌନ୍ଦର୍ଯ୍ୟବୋଧକୁ ଉଜ୍ଜୀବିତ କରିବା ସହିତ ବ୍ୟର୍ଥତା, ନୈରାଶ୍ୟ, ଘୃଣା, ହତାଶାବୋଧ, ଭୟ, ହତ୍ୟା, ମୃତ୍ୟୁ ଓ ଧ୍ୱଂସାଦି ବିଷୟକୁ ପରିତ୍ୟାଗ କରିବା ନିମିତ୍ତ ଶିଶୁ ସାହିତ୍ୟ ବିଶେଷ ସହଯୋଗ କରିଥାଏ। ଫଳରେ ଶିଶୁର ମନଜଗତର ବିକାଶ ହେବା ସହିତ ସେ ସତ୍ମାର୍ଗରେ ପରିଚାଳିତ ହୋଇ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକର ସ୍ଥାନ ଲାଭ କରିବାକୁ ତ୍ସମର୍ଥ ହୋଇଥାଏ। ଏହି ଉଦ୍ଦେଶ୍ୟର ସଫଳ ରୂପାୟନ ନିମନ୍ତେ କେତେକ ସାରସ୍ୱତ ସ୍ରଷ୍ଟା ସମୟାନୁକ୍ରମେ ନିଜର ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଯାଇଛନ୍ତି ଓ କରୁଛନ୍ତି ମଧ୍ୟ ।
ଶିଶୁ ସାହିତ୍ୟର ପ୍ରମୁଖ ଆଭିମୁଖ୍ୟ ହେଉଛି ସୌନ୍ଦର୍ଯ୍ୟବୋଧ ସହ ନୀତିଶିକ୍ଷା ପ୍ରଦାନ କରିବା। ସେଥିପାଇଁ ସ୍ରଷ୍ଟାମାନେ ଶିଶୁର ବୋଧଶକ୍ତି, ପରିବେଶ, ପରିସ୍ଥିତି ଓ ଚିନ୍ତାଧାରାକୁ ଆଖି ଆଗରେ ରଖି ଶିଶୁ ଉପଯୋଗୀ ଗୀତ, ଗଳ୍ପ, ନାଟକ ଓ ଏକାଙ୍କିକାଦି ସର୍ଜନାତ୍ମକ ସାହିତ୍ୟ ସୃଷ୍ଟି କରିଥାଆନ୍ତି। ଗପ ଶୁଣିବା ହେଉଛି ଶିଶୁମନର ଏକ ପ୍ରମୁଖ ଆକର୍ଷଣ। ତେଣୁ କେତେକ ସ୍ରଷ୍ଟା ଶିଶୁମନକୁ ଆକୃଷ୍ଟ କରିବା ନିମିତ୍ତ ପୌରାଣିକ, କିମ୍ବଦନ୍ତୀମୂଳକ, ଐତିହାସିକ, ପଶୁପକ୍ଷୀବିଷୟ ଆଧାରିତ ଶିଶୁ ଗଳ୍ପ ରଚନା କରିଥିବାର ପରିଲକ୍ଷିତ ହୋଇଥାଏ। ଏ ସମସ୍ତ ବିଭାବ ମଧ୍ୟରୁ ଶିଶୁମାନଙ୍କ ନିମିତ୍ତ ରଚନା କରାଯାଇଥିବା ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ପୌରାଣିକ ଓ କିମ୍ବଦନ୍ତୀମୂଳକ ଗଳ୍ପ ସଂକଳନ ଉପରେ ଆଲୋକପାତ କରିବା ହେଉଛି ଏହି ପ୍ରବନ୍ଧଟିର ମୁଖ୍ୟ ଉଦ୍ଦେଶ୍ୟ।
ଶିଶୁ ସାହିତ୍ୟର ଅଭ୍ୟୁଦୟ କାଳରେ ଶିଶୁଗୀତ ପ୍ରାଧାନ୍ୟ ଲାଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଛୋଟ ଛୋଟ କାହାଣୀ, ଗଳ୍ପ, ନାଟକାଦିର ସୃଷ୍ଟି ହୋଇଥିଲା। ଆଧୁନିକ ସାହିତ୍ୟର ଉନ୍ମେଷ କାଳରେ ଯେଉଁ ସାରସ୍ୱତ ସ୍ରଷ୍ଟାମାନେ ଶିଶୁ ସାହିତ୍ୟର ସର୍ଜନା ନିମନ୍ତେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ସେମାନଙ୍କ ମଧ୍ୟରେ ମଧୁସୂଦନ ରାଓ, ରାଧାନାଥ ରାୟ, ନନ୍ଦକିଶୋର ବଳ, ଗୋପାଳଚନ୍ଦ୍ର ପ୍ରହରାଜ, ଚିନ୍ତାମଣି ମହାନ୍ତି, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଓ ରାମକୃଷ୍ଣ ନନ୍ଦ ପ୍ରଭୃତି ପ୍ରାତଃ ସ୍ମରଣୀୟ ବରେଣ୍ୟ ଲେଖକମାନଙ୍କ ନାମ ଉଲ୍ଲେଖ ଯୋଗ୍ୟ। ଏମାନେ ଶିଶୁମନକୁ ଗଭୀର ଭାବରେ ଆକୃଷ୍ଟ କରିପାରୁଥିବା ଗୀତ, ଗଳ୍ପାଦି ରଚନା କରି ଶିଶୁସାହିତ୍ୟ ଜଗତର ମୂଳଭିତ୍ତି ସ୍ଥାପନ କରିଥିଲେ। ଏମାନଙ୍କ ରଚନାଗୁଡ଼ିକର ମୂଳ ଉଦ୍ଦେଶ୍ୟ ନୀତିଶିକ୍ଷା ପ୍ରଦାନ ସହିତ ଭାଷା ଥିଲା ସରଳ ଓ ଭାବ ଥିଲା ମଧୁର ତଥା ପ୍ରାଞ୍ଜଳ। ବିଷୟବସ୍ତୁ ସଂରଚନାରେ ଏମାନେ ଥିଲେ ସଫଳ ତଥା ସାର୍ଥକ ସ୍ରଷ୍ଟା। ପରବର୍ତ୍ତୀ ସମୟରେ ଶିଶୁ ସାହିତ୍ୟର ପ୍ରଗତି ନିମିତ୍ତ କେବଳ ଉଦ୍ୟମ ହୋଇନାହିଁ ବରଂ ଶିଶୁର ମନଜଗତକୁ ବିଶ୍ଲେଷଣ କରିବା ସହିତ ଶିଶୁ ସାହିତ୍ୟର ବିକାଶ ନିମିତ୍ତ ପ୍ରବଳ ପ୍ରଚେଷ୍ଟା ମଧ୍ୟ ହୋଇଛି। ଯେଉଁ ଲେଖକମାନେ ଶିଶୁମାନଙ୍କ ମନରେ ଧାର୍ମିକ ଭାବନା ଜାଗ୍ରତ କରିବା ପାଇଁ ଚେଷ୍ଟା କରିଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଓଡ଼ିଶା ବାସୀଙ୍କ ପ୍ରାଣର ଦେବତା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ନିଜର ଲେଖନୀ ଚାଳନା ନିମିତ୍ତ ଅଗ୍ରସର ହୋଇଛନ୍ତି। ସେମାନଙ୍କର ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗଳ୍ପ ବିଭିନ୍ନ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିବା ସହ ବିଭିନ୍ନ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇପାରିଛି।
ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗଳ୍ପ ପୁସ୍ତକ ମଧ୍ୟରେ ୧୯୯୭ ମସିହାରେ ଲିଖିତ ଗୋପୀନାଥ ମିଶ୍ରଙ୍କ ‘ଜଗନ୍ନାଥ ଠାକୁର କଥା (ପ୍ରଥମ ଓ ଦ୍ୱିତୀୟ ଭାଗ)’, ଲୋକନାଥ ତ୍ରିପାଠୀଙ୍କ ‘ଆମ ବଡ଼ ଠାକୁର (ପ୍ରଥମ ଓ ଦ୍ୱିତୀୟ ଭାଗ)’, ଚପଳା ପଣ୍ଡାଙ୍କ ‘ପିଲାଙ୍କ ଜଗନ୍ନାଥ‘ ପ୍ରଭୃତି ଉଲ୍ଲେଖ ଯୋଗ୍ୟ। ଏହି ସ୍ରଷ୍ଟାତ୍ରୟଙ୍କ ମଧ୍ୟରୁ ଗୋପୀନାଥ ମିଶ୍ର ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଆଦ୍ୟ ଶିଶୁ ଗଳ୍ପ ପୁସ୍ତକର ସୁଯୋଗ୍ୟ ଅଧିକାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଅନ୍ୟ ସ୍ରଷ୍ଟାଦ୍ୱୟଙ୍କ ପୁସ୍ତକର ପ୍ରଥମ ସଂସ୍କରଣ ୧୯୯୭ ମସିହାରେ ପ୍ରକାଶ ପାଇବା ବେଳେ ଗୋପୀନାଥ ମିଶ୍ରଙ୍କର ଏହା ହେଉଛି ପରିମାର୍ଜିତ ସଂସ୍କରଣ। ଏମାନଙ୍କ ପରେ ଶ୍ରୀଜଗନ୍ନାଥ ବିଷୟ କୈନ୍ଦ୍ରିକ ଯେଉଁ ସମସ୍ତ ଶିଶୁ ଗଳ୍ପ ପୁସ୍ତକ ଲୋକାର୍ପିତ ହୋଇ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିପାରିଛି, ତନ୍ମଧ୍ୟରେ ପଣ୍ଡିତ ଦାମୋଦର ମିଶ୍ରଙ୍କ ‘ପିଲାଙ୍କ ଜଗନ୍ନାଥ (୨୦୦୦)’, ମନୋଜ ଦାସଙ୍କ ‘ଜଗନ୍ନାଥ ଗାଥା (୨୦୦୩)’, ‘କିମ୍ବଦନ୍ତୀରେ ଚକାଡୋଳା (୨୦୧୩)’; ନୀଳମଣି ମିଶ୍ରଙ୍କ ‘ଚକାନୟନ (ଦ୍ୱିତୀୟ ସଂସ୍କରଣ ୨୦୦୪)’, ହରେକୃଷ୍ଣ ସାହୁଙ୍କ ‘ଶ୍ରୀନୀଳମାଧବ (୨୦୦୪)’, ‘ଶ୍ରୀନୀଳମାଧବ କାହାଣୀ ଓ କିମ୍ବଦନ୍ତୀ (୨୦୧୩)’, ଡକ୍ଟର ରାମଚନ୍ଦ୍ର ମିଶ୍ରଙ୍କ ‘ପିଲାଙ୍କ ଜଗନ୍ନାଥ (୨୦୦୫)’, ସବିତାରାଣୀ ରଥଙ୍କ ‘ପିଲାଙ୍କ ଜଗନ୍ନାଥ (୨୦୦୬)’, ‘ପିଲାଙ୍କ ଜଗାବଳିଆ’, ‘ବନ୍ଦେ ପୁରୁଷୋତ୍ତମ (୨୦୧୨)’, ପ୍ରମୋଦ କୁମାର ପରିଡ଼ାଙ୍କ ‘ଜଗନ୍ନାଥଙ୍କ ରଥଯାତ୍ରା (୨୦୦୭)’, ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ ‘କେତେବେଶ ହୁଏ ଜଗତନାଥ (୨୦୦୭)’, ‘ଭକତବନ୍ଧୁ ଜଗତନାଥ’, ‘ବଡ଼ ଦେଉଳର ଅଜଣା କଥା (୨୦୦୯)’, ‘ଚାଲ ବୁଲି ଯିବା ଶ୍ରୀକ୍ଷେତ୍ର ଧାମ (୨୦୧୨)’ ‘ଆସ ଶୁଣିବା ନବକଳେବର କାହାଣୀ ((୨୦୧୫)’; ସୀତେଶ ତ୍ରିପାଠୀଙ୍କ ‘ଜୟ ଜଗନ୍ନାଥ ସ୍ୱାମୀ (୨୦୦୮)’, ନରେଶ ଚନ୍ଦ୍ର ବେହେରାଙ୍କ ‘ପିଲାଙ୍କ ଜଗନ୍ନାଥ (୨୦୦୯)’, ମଧୁସୂଦନ ଷଡ଼ଙ୍ଗୀଙ୍କ ‘ଭକ୍ତ ଓ ଜଗନ୍ନାଥ(୨୦୦୯)’, ସୁନନ୍ଦ କରଙ୍କ ‘ଛବିଳ ଜଗନ୍ନାଥ’ ପ୍ରଭୃତି ପୁସ୍ତକ ଅନ୍ୟତମ। ଏତଦ୍ବ୍ୟତୀତ ୨୦୧୦ ମସିହାରେ ଡକ୍ଟର ହେମନ୍ତ ଛୋଟରାୟଙ୍କ ‘କାଳିଆ ଠାକୁର କଥା (୧ମ ଓ ୨ୟ ଭାଗ)’, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ‘ଆମ କାଳିଆ ଠାକୁର’, ବିରଞ୍ôଚ ନାରାୟଣ ପାଣିଗ୍ରାହୀଙ୍କ ‘ଶିଶୁବୋଧ ଜଗନ୍ନାଥ’; ଜୟଶ୍ରୀ ବେହେରାଙ୍କ ‘ଚାଲ ଦେଖି ଯିବା ଶ୍ରୀକ୍ଷେତ୍ର’,୨୦୧୨ରେ ଡକ୍ଟର ବିଦ୍ୟୁତପ୍ରଭା ଗନ୍ତାୟତଙ୍କ ଦ୍ୱାରା ଚନ୍ଦ୍ରମଣି ନାରାୟଣ ସ୍ୱାମୀଙ୍କ ଇଂରାଜୀ ଗ୍ରନ୍ଥର ଅନୁବାଦ ‘କାଳିଆର ମୂକ ଉପାସକ’ ଓ ୨୦୧୩ରେ ଅଶୋକ ମହାନ୍ତିଙ୍କ ଦ୍ୱାରା ଅନୂଦିତ ରମେଶ କୁମାରଙ୍କ ‘ଶ୍ରୀଜଗନ୍ନାଥ ମହିମା’ ଓ ୨୦୧୫ରେ ଚନ୍ଦ୍ରଶେଖର ପତିଙ୍କ ‘ଛବିଳ ଦାରୁଦେବତା’ ପ୍ରଭୃତି ପୁସ୍ତକ ଓଡ଼ିଆ ଶିଶୁ ସାହିତ୍ୟ ଜଗତର ଗୋଟିଏ ଗୋଟିଏ ଅମୂଲ୍ୟ ସମ୍ପଦ ମାତ୍ର।
ଏ ସମସ୍ତ ଶିଶୁ ସାହିତ୍ୟକୁ ଅଧ୍ୟୟନ ତଥା ଅନୁଧ୍ୟାନ କଲେ ତନ୍ମଧ୍ୟରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦେଉଳ ତୋଳାଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କର ଅପୋଡ଼ା ପିଣ୍ଡରୁ ଦାରୁ ବିଗ୍ରହଙ୍କ ରୂପାନ୍ତର, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ବେଶ, ପର୍ବପର୍ବାଣି, ଶ୍ରୀକ୍ଷେତ୍ରର ଦର୍ଶନୀୟ ସ୍ଥାନ ଓ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଭକ୍ତାଦିଙ୍କ ସମ୍ପର୍କରେ ଗଳ୍ପ ଛଳରେ ବହୁ ସୂଚନା ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ଭକ୍ତ ରାମ ଦାସଙ୍କ ଦ୍ୱାରା ରଚିତ ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ରେ ଥିବା ଭକ୍ତ ଜୀବନ ଚରିତ ଅବଲମ୍ବନରେ କେତେକ ଗଳ୍ପ ଲେଖା ଯାଇଥିବାର ଦେଖିବାକୁ ମିଳିଥାଏ। “ବିଶ୍ୱାସେ ମିଳଇ ହରି”ର ଭାବକୁ ସ୍ରଷ୍ଟାମାନେ ପ୍ରତିପାଦନ କରିବା ସହିତ କୋମଳମତି ଶିଶୁମାନଙ୍କ ମନରେ ଭଗବାନଙ୍କ ପ୍ରତି ଅଶେଷ ଶ୍ରଦ୍ଧା, ବିଶ୍ୱାସ ତଥା ଭକ୍ତି ଭାବର ଜାଗରଣ ନିମିତ୍ତ ଏହି ଗଳ୍ପଗୁଡ଼ିକ ମାଧ୍ୟମରେ ପ୍ରଚେଷ୍ଟା କରାଯାଇଥିବା ପରି ମନେ ହୁଏ। ଅନ୍ୟ ଭାଷାରୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗଳ୍ପକୁ ଅନୁବାଦ କରି ସରଳ ନିଷ୍ପାପ ଶିଶୁମାନଙ୍କ ଭାବନା ରାଜ୍ୟକୁ ପ୍ରସାରିତ ତଥା ପରିପୁଷ୍ଟ କରିବା ନିମିତ୍ତ ଗାଳ୍ପିକମାନଙ୍କର ପ୍ରଚେଷ୍ଟା ଅତ୍ୟନ୍ତ ଉତ୍ସାହ ଜନକ।
ଶ୍ରୀଜଗନ୍ନାଥଙ୍କ ବିଷୟକୁ କେନ୍ଦ୍ର କରି ଗଳ୍ପ ଲେଖିବା ନିମିତ୍ତ ଗାଳ୍ପିକଙ୍କର ଆଗ୍ରହ ସହିତ ଭାଷାର ସାରଲ୍ୟ, ଭାବର ପ୍ରାଧାନ୍ୟ ପରିଦୃଷ୍ଟ ହୋଇଥାଏ। କେତେକ ପୁସ୍ତକରେ ଶିଶୁମାନଙ୍କ ମନକୁ ଛୁଇଁବା ଭଳି ଭାଷାର ପ୍ରୟୋଗ ଫଳରେ ଏହା ଏକାଧିକ ସଂସ୍କରଣ ପ୍ରକାଶିତ ହେବାର ସୁଯୋଗ ଲାଭ କରିପାରିଛି। କେତେକ ପୁସ୍ତକରେ ସଠିକ ବିବରଣୀ ଦିଆ ଯାଇ ନ ଥିବାରୁ ଏହା କୋମଳମତି ଶିଶୁ ପାଠକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାରେ ସହାୟକ ହୋଇଛି। ଉଦାହରଣ ରୂପେ ‘ଛବିଳ ଜଗନ୍ନାଥ‘ ପୁସ୍ତକର ଷଷ୍ଠ ପୃଷ୍ଠାରେ ଥିବା ନବକଳେବର ପ୍ରସଙ୍ଗରେ “ପୁରୁଣା ମୂର୍ତ୍ତିଗୁଡ଼ିକୁ କୋଇଲି ବୈକୁଣ୍ଠକୁ ଆଣି ପୋଡ଼ି ଦିଆ ଯାଏ”କୁ ନିଆଯାଇପାରେ। ବାସ୍ତବରେ ପୁରୁଣା ବିଗ୍ରହଙ୍କୁ କୋଇଲି ବୈକୁଣ୍ଠରେ ପୋତି ଦିଆ ଯାଇଥାଏ, ଯାହା ମହାପ୍ରଭୁଙ୍କର ‘ଗୋଲୋକ ବିଶ୍ରାମ’ବା ‘ଅନ୍ତିମ ବିଶ୍ରାମ’ବୋଲି କଥିତ। ସେହିଭଳି କେତେକ ପୁସ୍ତକରେ ସରଳ ବାକ୍ୟ ବଦଳରେ ଜଟିଳ ବାକ୍ୟ ପ୍ରୟୋଗ ହେତୁ ତାହା ଶିଶୁର ମନକୁ ବିଶେଷ ଭାରାକ୍ରାନ୍ତ କରିଦେବାର ସମ୍ଭାବନା ଯଥେଷ୍ଟ ପରିମାଣରେ ରହିଛି। କେତେକ ପୁସ୍ତକ ସଚିତ୍ର ହୋଇଥିବାରୁ ଶିଶୁମାନଙ୍କ ମନକୁ ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହୋଇପାରିଛି।
ପରିଶେଷରେ ଏତିକି କୁହାଯାଇପାରେ ଯେ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଶିଶୁଗଳ୍ପର ଜନ୍ମ ଜାତକ ବିଶେଷ ପ୍ରାଚୀନ ନ ହେଲେ ହେଁ ଗାଳ୍ପିକମାନଙ୍କର ପ୍ରଚେଷ୍ଟା ବାସ୍ତବିକ୍ ଅତୀବ ପ୍ରଶଂସନୀୟ। ଶିଶୁମାନଙ୍କ ମନ ହେଉଛି ଏକ କୋମଳ ମାଟି ପିଣ୍ଡୁଳା ଭଳି। ମାଟି ପିଣ୍ଡୁଳାକୁ ନେଇ କୁମ୍ଭାର ଯେପରି ବିଭିନ୍ନ ରୂପରେ ରୂପାୟିତ ଓ ସୌନ୍ଦର୍ଯ୍ୟ ବିମଣ୍ଡିତ କରିପାରେ ସେହିପରି ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଏହି କ୍ଷୁଦ୍ରଗଳ୍ପଗୁଡ଼ିକ ଶିଶୁମାନଙ୍କ ମାନସିକ ପରିବର୍ତ୍ତନରେ ସହାୟକ ହୋଇ ତାଙ୍କୁ ଏକ ଉତ୍ତମ ନାଗରିକରେ ପରିଣତ କରି ପାରିଲେ ତାହା ଲେଖକଙ୍କର ସାର୍ଥକତା ପ୍ରତିପାଦନ କରି ପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ଏଥିପାଇଁ ଶିଶୁ ସାହିତ୍ୟିକମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ ସହିତ ନିଷ୍ଠାପରତା ତଥା ରୁଚିଶୀଳତାକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବସ୍ତୁନିଷ୍ଠ ତଥା ସତ୍ୟନିଷ୍ଠ ଉପାଦାନର ପରିବେଷଣ କରିବା ଏକାନ୍ତ ଅପରିହାର୍ଯ୍ୟ।
ପିଲା ଟି ଏ ଏତେ ବଡ଼ଦେଉଳ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିବା ସ୍ୱାଭାବିକ ଏତେ ଉପରେ ପତକା କିଏ ବାନ୍ଧିଛି ? ସେ ଠାକୁରଙ୍କ ହାତ କୁଆଡ଼େ ଗଲା ? ତାଙ୍କ ଆଖି କାହିଁକି ଗୋଲ ? ଅବଢ଼ା କଣ ? ଅବଢ଼ା କୁ କିପରି ସମ୍ମାନ ଦେବା ତା ସହ କାଞ୍ଚିବିଜୟ, ଦାସିଆ ବାଉରୀ, ଜୟଦେବ, ଚୈତନ୍ୟ ,ସାଲବେଗ ,ଆଦି କଥା ସରଳ ଛୋଟ ଛୋଟ ବାକ୍ୟରେ ଲେଖି ଚିତ୍ର ର ସାହାଯ୍ୟ ନେଇ ଲେଖା ଗଲେ ପିଲାମାନେ ବୁଝିବେ ।
ଅନବଦ୍ୟ ରଚନାର ଅବଦାନ ଯୋଗୁଁ ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି…
ବନ୍ଦେ ଉତ୍କଳ ଜନନୀ…