ଯେଉଁ ବହିଟି ପାଇଁ ଆମର ଅପେକ୍ଷା ଥିଲା ତାହା ଦୁଇ ଦିନ ତଳେ ଆମକୁ ପ୍ରାପ୍ତ ହେଲା। ଏମିତି ଦେଖିଲେ ତ ଅନେକେ କହିବେ, ଏଥିରେ ଏମିତି ଅପେକ୍ଷା ଯୋଗ୍ୟ କ’ଣ ବା ଅଛି? ସତୁରୀ ପୃଷ୍ଠାର ସାଧାରଣ ଭଳି ଦିଶୁଥିବା ବହିଟିଏ। ସେମିତି ବିଶେଷ କିଛି ପରିପାଟୀ ନାହିଁ। ମୂଲ୍ୟ ମାତ୍ର ପଚାଶ ଟଙ୍କା। ତଥାପି ଏ ସମୀକ୍ଷକର ହାତକୁ ଯେତେବେଳେ ବହିଟି ଆସିଲା, ସେ ଟିକିଏ ଭାବ ବିହ୍ବଳ ହୋଇପଡ଼ିଲା। କାରଣ ବହିଟିରେ ଏମିତି କିଛି ଥିଲା ଯାହା ସାଧାରଣ ଆଖିକୁ ଥିଲା ଅଦୃଶ୍ୟ। ତା’ ହେଉଛି ବହିଟିର ଆତ୍ମା। ସେଥିରୁ ଉକୁଟି ଆସୁଥିଲା କବିଙ୍କର ଆତ୍ମିକ ଯନ୍ତ୍ରଣା। ଏକ କୋହ, ଏକ ଅନୁଭବ।
ଏଠାରେ ପ୍ରକାଶିତ ବହିର ମଲାଟଟି ଉପରେ ରିକ୍ସା ଚଲାଉଥିବା ଯେଉଁ ମହାନୁଭବଙ୍କୁ ଆପଣ ଦେଖୁଛନ୍ତି ସେ ଆଉ କେହି ନୁହନ୍ତି, ଏହି କବିତା ସଂକଳନଟିର ସ୍ରଷ୍ଟା କବି କୈଳାଶ। ଦାରିଦ୍ର୍ୟର କଷାଘାତ ତଥା ଜୀବନ-ଜୀବିକାର କଠୋର ସଂଗ୍ରାମ ତା’ଙ୍କର ଅନ୍ତର୍ନିହିତ କାବ୍ୟ ସଂବେଦନାକୁ ଅବଦମିତ କରି ପାରିନାହିଁ। ବରଂ ସେ ଲେଲିହାନ ଅଗ୍ନିର ହୁତାସରେ ସିଦ୍ଧହୋଇ ଚମକି ଉଠିଥିବା ସୁବର୍ଣ୍ଣ ଭଳି ଆହୁରି ତେଜିଆନ୍ ହୋଇଉଠିଛନ୍ତି, ଏବଂ ପ୍ରବଳ ଉତ୍ସାହରେ ଅନବରତ ଭାବେ ସୃଷ୍ଟି କରିଚାଲିଛନ୍ତି ମର୍ମସ୍ପର୍ଶୀ କବିତାମାନ। ଗୋଟିଏ କିମ୍ବା ଦୁଇଟି ନୁହେଁ, ସେ ଆଜି ଛଅ ହଜାରରୁ ଅଧିକ ଏହିଭଳି ଭାବଗର୍ଭକ କବିତାର ସ୍ରଷ୍ଟା।
ଯାଜପୁର ଜିଲ୍ଲାର ଜଣେ ରିକ୍ସାଚାଳକ ଏ ଯାବତ ଛଅ ହଜାରଟି କବିତା ରଚନା କରିଥିବାର ସୂଚନା ଯେତେବେଳେ ଆମେ ଓଡ଼ିଶାର ଏକ ଟି.ଭି ଚ୍ୟାନେଲ୍ ରୁ ଜାଣିବାକୁ ପାଇଲୁ, ପ୍ରବଳ ପ୍ରଚେଷ୍ଟା ସହ ଖୋଜାଖୋଜି କରି କୌଣସିମତେ ସଂପର୍କ ସାଧିଲୁ ତା’ଙ୍କ ସହ। ସେତେବେଳେ ଯାଇ ଅନୁଭବ କଲୁ ଯେ ଆମେ ଆବିଷ୍କାର କରିଛୁ ଜଣେ ବଣମଲ୍ଲୀଙ୍କୁ। ତୁରନ୍ତ ତା’ଙ୍କ ଉଦ୍ଦେଶ୍ୟରେ ଘୋଷିତ ହେଲା ‘ସାହିତ୍ୟ ଚର୍ଚ୍ଚା ସମ୍ମାନ’ ଏବଂ ଏକ ପୁରସ୍କାର ରାଶି ସହ ମାନପତ୍ରଟିଏ ପ୍ରଦାନ କରାଯାଇ ତା’ଙ୍କୁ ସମ୍ବର୍ଦ୍ଧିତ କରାଗଲା।
ଏହି କ୍ରମରେ ଆମେ ଜାଣିବାକୁ ପାଇଲୁ ଯେ ନିଜର ପ୍ରଥମ କବିତା ସଂକଳନଟି ପ୍ରକାଶ କରିବା ପାଇଁ ସେ କିଭଳି ସଂଘର୍ଷରତ ଅଛନ୍ତି। ନିଜର ସମସ୍ତ ସଂଚିତ ସମ୍ବଳ ସହ ମାଗିଯାଚି ସେ ଯେଉଁ ଯତକିଂଚିତ ଅର୍ଥ ଜୁଟାଇପାରିଥିଲେ ତା’ହା ବହିଟିର ମୁଦ୍ରଣ ବାବଦରେ ପ୍ରେସ୍ ର ଦେୟ ଭରଣା କରିବା ପାଇଁ ଯଥେଷ୍ଟ ନ ଥିଲା। ଏହା ସତ୍ତ୍ବେ ତା’ଙ୍କର ମାନସ ସନ୍ତାନ ଏହି କବିତା ସଂକଳନଟିକୁ ଦିବାଲୋକକୁ ଆଣିବାରେ ସେ ଯେ ସମର୍ଥ ହୋଇପାରିଛନ୍ତି, ଏହା କମ୍ କଥା ନୁହେଁ। ସେ ବହିଟିକୁ ରେଜିଷ୍ଟ୍ରି ଡାକ ଯୋଗେ ଏବେ ଆମ ନିକଟକୁ ସମୀକ୍ଷା ପାଇଁ ପଠାଇଛନ୍ତି। ଆମେ ଏଥିପାଇଁ କୃତାର୍ଥ।
ସଂକଳନଟିର ପ୍ରାକ୍କଥନରେ କବି କହିଛନ୍ତି, “ରିକ୍ସାଟି ମୋ’ର ସବୁକିଛି, ସେ ମୋ’ର ପିତା, ମାତା, ଭାଇ, ବନ୍ଧୁ, ପୁଅଝିଅ ପରି। ଗୃହର ଜଣେ ସଦସ୍ୟ, ନିର୍ଜୀବ ବସ୍ତୁଟିଏ।” ଜୀବିକାର ସାଧନ, ନିଜର ପ୍ରିୟ ରିକ୍ସାଟିକୁ ଅନ୍ତରର ସହ ସମ୍ମାନ ଓ ସ୍ବୀକୃତି ଦେଇ କବି ଯେଉଁ ସରଳ ନିଷ୍ଠାର ପରିଚୟ ଦେଇଛନ୍ତି ତାହାର ପ୍ରଭାବ ପୁସ୍ତକଟିରେ ସନ୍ନିବେଶିତ କବିତାଗୁଡିକର ଛତ୍ରେଛତ୍ରେ ମଧ୍ୟ ଅନୁଭବ କରି ହୁଏ।
ପୁସ୍ତକଟିର ପ୍ରଥମ କବିତାଟି ସମର୍ପିତ ହୋଇଛି ତାରିଣୀ ମାଆଙ୍କୁ। ଏଥିରେ ମାଆଙ୍କ ସଂପର୍କିତ କିମ୍ବଦନ୍ତୀର ମଧ୍ୟ ସମ୍ୟକ ଆଭାସ ମିଳେ, ଯଥା,
“କେଉଁଝର ରାଜା ଚାଲାଖ ନୁହେଁ
ତୋ ମାୟାବୁଝିଲା ନାହିଁ
ଘୋଡ଼ାରେ ସେ ଯାଇ ବାୟା ଯେ ହୁଏ
ପଛକୁ ଦେଲା ମା’ ଚାହିଁ।”
‘ଘାସ ଫୁଲ’ ଶୀର୍ଷକ କବିତାରେ କବିଙ୍କ ଜୀବନ ଦର୍ଶନ ପ୍ରତିଭାତ ହୋଇଛି ତା’ଙ୍କର ମହନୀୟ ଅଥଚ ବିନୀତ ଅଭିଳାଷଟିଏ ଜରିଆରେ :
“ଘାସ ଫୁଲଟିଏ ମୋତେ କର ପ୍ରଭୁ
ଘାସ ଫୁଲଟିଏ କର
ସବୁ ପ୍ରାଣୀମାନେ ମୋ’ର ଦେହେ ଚଢି
ଦୁଃଖରୁ ହୋ’ନ୍ତୁ ଉଦ୍ଧାର।”
ଏହି ପଂକ୍ତିଟିରେ ମନେ ପଡିଯାଆନ୍ତି ଉତ୍କଳମଣି ଗୋପବନ୍ଧୁ ଓ ତା’ଙ୍କ କବିତାର ଜୀବନତତ୍ତ୍ବ। ସଂକଳନଟିର ମୂଳରୁ ଶେଷ ପର୍ଯ୍ୟନ୍ତ ସବୁଗୋଟି କବିତାରେ ଯାହା ମନକୁ ଅଧିକ ଛୁଇଁଯାଏ ତା’ହେଲା ନିଜର ଭାବକୁ କବିତାରେ ଢାଳିବାପାଇଁ କବି କୌଣସି କୃତ୍ରିମ ଆଙ୍ଗିକର ଆଶ୍ରୟ ନ ନେଇ ନିତାନ୍ତ ସିଧାସଳଖ ଓ ସରଳ ଭାବରେ ପାଠକ ସମକ୍ଷରେ ଉଭା ହୋଇଛନ୍ତି। ଏହି ଉଲ୍ଲେଖନୀୟ ସାରଲ୍ୟ ହିଁ ପୁସ୍ତକଟିର ମୂଳ ବିନ୍ଦୁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଅବଶ୍ୟ ଏହି ସଂକଳନଟିର ଅଳ୍ପ କେତୋଟି କବିତାରେ ସାମାନ୍ଯ କିଛି ଭାଷାଗତ ତ୍ରୁଟି ମଧ୍ଯ ଦୃଷ୍ଟିଗୋଚର ହେଲା। ଏଣୁ ପୁସ୍ତକଟିର ପ୍ରକାଶନ ପ୍ରକ୍ରିୟାରେ ସଂପାଦନାଗତ ଦିଗ ପ୍ରତି ମଧ୍ଯ ଟିକିଏ ଧ୍ଯାନ ଦିଆଯିବା ସମୀଚିନ ହୋଇଥା’ନ୍ତା।
ଈଶ୍ବର କରନ୍ତୁ, କବି ଶ୍ରୀ କୈଳାସ ଚନ୍ଦ୍ର ପାତ୍ର ଏହିଭଳି ଆହୁରି ଅନେକ ସ୍ବକୀୟ କବିତା ଲୋକଲୋଚନକୁ ଆଣି ଉତ୍କଳର ବାଣୀ ଭଣ୍ଡାରକୁ ସମୃଦ୍ଧ କରୁଥାଆନ୍ତୁ।
- ନିହାର ଶତପଥୀ
ନିହାର ଭାଇ
ଶ୍ରଦ୍ଧା ସୁମନାସ।
କୈଳାସ ଭାଇଙ୍କର ସମ୍ମାନ ଓ କବିତା ପୁସ୍ତକର ଏଇ ସମୀକ୍ଷା ହେତୁ ଏହି ଲେଖକଙ୍କ ବିଷୟରେ ଜାଣିବା ହେଲା।
ଦିବ୍ୟକୃପାରୁ କୈଳାସ ଭାଇ ଆହୁରି ରଚନା କରନ୍ତୁ ଓ ଓଡ଼ିଆ ସାହିତ୍ୟ ସଂସାରର ସୁଧୀ ପାଠକ ସମୂହ ଏହି ଲେଖକଙ୍କୁ ପ୍ରୋତ୍ସାହନ ଦେଉଥାନ୍ତୁ।
-ପ୍ରଭୂ