ନିଜକୁ ଚିହ୍ନିବା ଆଉ ଭଲପାଇବା ଏକ ସାଧନାର କଥା। ଏଥିପାଇଁ ନିଜ ଆନ୍ତର୍ଚେତନାକୁ ଯିବାକୁ ପଡ଼େ। ଆନ୍ତର୍ଚେତନାକୁ ଗଲେ ଯାଇ ନିଜକୁ ଆବିଷ୍କାର କରିବା ସହଜ ହୋଇଥାଏ। ନିଜକୁ ଆବିଷ୍କାର କରିଥିବା ବ୍ୟକ୍ତି ହିଁ ମହାମନିଷୀ ହୋଇପାରିଛନ୍ତି । ଆଜି ଯେଉଁ ମହାମନିଷୀଙ୍କୁ ସମାଜ ବନ୍ଦନା କରୁଛି ସେମାନେ ମୂଳରୁ ସେମିତି ହୋଇ ଜନ୍ମ ହୋଇ ନ ଥିଲେ। ଆନ୍ତର୍ଚେତନା ପଥରେ ଯାତ୍ରୀ ହୋଇ ସେମାନେ ନିଜକୁ ଆବିଷ୍କାର କରିବା ପରେ ହିଁ ବିଶ୍ୱବନ୍ଦିତ ହୋଇଛନ୍ତି । ଜଣେ ସାଧାରଣ ଲୋକ ଚାହିଁଲେ ଏ ଆବିଷ୍କାର ପଥର ପଥିକ ହୋଇପାରିବ।
ନିଜ ବିକଳତାରେ ସାଧାରଣ ଲୋକଟିଏ ରହିଥାଏ। ଆନ୍ତର୍ଚେତନାର ଆବିଷ୍କାର କଥାକୁ ଗୁରୁତ୍ୱ ନ ଦେବା ସ୍ୱାଭାବିକ। ତେଲ ଲୁଣର ସଂସାରରେ ବଞ୍ଚୁଥିବା ଲୋକଟି କାହିଁକି ଅବା ଏତେକଥା ଚିନ୍ତା କରିବାକୁ ଯିବ? ପେଟ ପାଇଁ ଦାନା ଗଣ୍ଡିଏ ସଂଗ୍ରହ କରିବାକୁ ତ ତର ନାହିଁ। ଏ ଆନ୍ତର୍ଚେତନାରୁ ତାକୁ କ’ଣ ମିଳିବ ଯେ! କିନ୍ତୁ ଏହା ପ୍ରମାଣିତ ଯେ ସାଧାରଣ ତେଲ ଲୁଣର ସଂସାରର ସାଧାରଣ ଜୀବନ ଶୈଳୀରୁ ଉର୍ଦ୍ଧ୍ୱକୁ ଉଠିବାକୁ ହେଲେ, ଅଧିକରୁ ଅଧିକ କାର୍ଯ୍ୟ କରି ସଫଳତା ହାସଲ କରିବାକୁ ହେଲେ ପ୍ରଥମେ ନିଜକୁ ଚିହ୍ନିବା ଆବଶ୍ୟକ, ନିଜକୁ ଆବିଷ୍କାର କରିବା ଆବଶ୍ୟକ। ନିଜକୁ ଚିହ୍ନିଲେ, ଭଲ ପାଇଲେ ଅନ୍ୟକୁ ଭଲ ପାଇବା ବଢ଼େ। ନିଜେ ଯେମିତି ଅନ୍ୟ ମଣିଷଟି ବି ଠିକ୍ ସେମିତି ବୋଲି ସକାରାତ୍ମକ ଭାବନା ମନ ଭିତରେ ଆସେ। ଏଇ ସକାରାତ୍ମକ ଭାବନା ହିଁ ତେଲ ଲୁଣର ଗରିବ ମଣିଷଟିକୁ ଉର୍ଦ୍ଧ୍ୱତର ଚେତନାକୁ ନେଇଥାଏ।
ସବୁବେଳେ ନକାରାତ୍ମକ ଜୀବନ ବଞ୍ଚୁଥିବା, ନାହିଁ ନାହିଁ ବୋଲି ଭାଳି ହେଉଥିବା ମଣିଷ ପ୍ରତି ଦିବ୍ୟ ଅନୁକମ୍ପା ନ ହେଲେ ସେ ସକାରାତ୍ମକ ଭାବନାରେ ରହିପାରେ ନାହିଁ କି ସାଧାରଣ ଚେତନାରୁ ଉର୍ଦ୍ଧ୍ୱତର ଚେତନାକୁ ଉଠିପାରେ ନାହିଁ। ବେଦ କୁହନ୍ତୁ କି ପୁରାଣ ଶାସ୍ତ୍ର ସବୁଠି ଏହି କଥା ବୁଲେଇ ବଙ୍କେଇ କୁହାଯାଇଛି। ମୁଁ ଯେମିତି ଅଛି, ମୋର ଯେମିତି ଲୋଭ ଅଛି, ମୁଁ ଯେମିତି ଘୃଣା କରୁଛି, ମୁଁ ଯେମିତି ଭଲ ପାଉଛି ଅନ୍ୟ ମଣିଷଟି ଭିତରେ ବି ସେମିତି ଏହିସବୁ ଗୁଣ ଅଛି। କେହି ଯଦି ଜଣଙ୍କୁ ଘୃଣା କଲେ ଏନେଇ କୌଣସି ପ୍ରତିକ୍ରିୟା ଦେବା, ମାନସିକ ଭାବେ ଆଘାତ ପାଇବା କେବଳ ବୋକାମୀ ମାତ୍ର। ଘୃଣା ଆଜି ତାଙ୍କ ଭିତରେ ଅଛି, କିଛି ଦିନ, ମାସ, ବର୍ଷ ପରେ ଆଉ ନ ଥିବ। ସେ ବ୍ୟକ୍ତି ପରିସ୍ଥିତି, ପରିବେଶ ଚାପରେ କି ଆଉ କୌଣସି ଘଟଣା ପ୍ରବାହରେ ଏହା ଭୁଲି ଯାଇଥିବ। ସେତେବେଳେ ଅତୀତକୁ ଫେରି ତର୍ଜମା କଲେ ଦେଖାଯିବ ଯେଉଁଥି ପାଇଁ ଘୃଣା କରିଥିଲେ, ଯାହାକୁ ଘୃଣା କରିଥିଲେ ତା’ର କିଛି ବି ବାସ୍ତବତା ନାହିଁ। ଘୃଣା ଜଣେ ସେତିକିବେଳେ କରିଥାଏ ଯେତେବେଳେ କ୍ରୋଧର ଚରମସୀମାରେ ପହଂଚିଥାଏ। ରାଗ ବା କ୍ରୋଧ ହେଉଛି ଏକ ନକାରାତ୍ମକ ଶକ୍ତି, ଯାହା ବ୍ୟକ୍ତିକୁ ଭିନ୍ନ ଭାବପ୍ରବଣତାରେ ନର୍କରେ ନେଇ ବସାଇ ଦିଏ। ମାନସିକ ଦୁର୍ବଳ ବ୍ୟକ୍ତି ଏହିସବୁ ନକାରାତ୍ମକ ଶକ୍ତିର ଅଧୀନ ହୋଇଥାଏ। ଆନ୍ତଃ ଆବିଷ୍କାର ପ୍ରଥମେ ମନର ଏହି ଦୁର୍ବଳତାକୁ ହଟାଇ ଦେଇଥାଏ।
ଏସବୁର ମୂଳ କାରଣ ଖୋଜି ଖୋଜି ଗଲେ ଶେଷରେ ଯାହାକୁ ପାଇବେ ସେ ହେଉଛି ମନ। ମନ ହିଁ ବ୍ୟକ୍ତିକୁ ବାରବାର ହତ୍ୟା କରୁଥାଏ। ସଚେତନ ନ ଥିବା, ନିଜକୁ ଶିକ୍ଷା ଦେଇପାରୁ ନ ଥିବା ମଣିଷ ଏଇ ନକାରାତ୍ମକ ମନ ଦ୍ୱାରା ପରିଚାଳିତ ହୋଇ ଅନେକ କିଛି ପାପ କାର୍ଯ୍ୟରେ ଲିପ୍ତ ହୋଇଯାଏ। ସବୁଠି ସୁଖ ଖୋଜୁଥିବା ମନ ଏସବୁ କରି ସୁଖ ପାଇବାକୁ ଚେଷ୍ଟା କରେ। ମାତ୍ର ସୁଖ ନାମରେ ଦୁଃଖକୁ ବାରବାର ଆମନ୍ତ୍ରଣ କରିଥାଏ। ଯଦି ମନ ଦୁଃଖକୁ ଆମନ୍ତ୍ରଣ କରୁଛି ବୋଲି ସେ ବୁଛିପାରନ୍ତା ତେବେେ ଏସବୁ କାଣ୍ଡକାରଖାନା କରନ୍ତା ନାହିଁ।
ମନକୁ ଶିଖାଇବା ଏକ ସାଧନା। ଯେଉଁମାନେ ଇତିହାସ ସୃଷ୍ଟି କରିଛନ୍ତି ସେମାନେ ପ୍ରଥମେ ଏଇ ମନଟିକୁ, ଅତି ନିଜର ବୋଲି ଏଇ ମନଟିକୁ ସଂକଳ୍ପ ଶିଖାଇବାକୁ ଚେଷ୍ଟା କରିଛନ୍ତି। ମନ ସହଜରେ ବୁଝେ ନାହିଁ, କିଛି ଶିଖିବାକୁ ବି ଇଚ୍ଛା କରେ ନାହିଁ। କାରଣ ଏହା ପଛରେ ଅହଙ୍କାର କାର୍ଯ୍ୟ କରୁଥାଏ। ମୁଁ କ’ଣ ଏ କଥା ଜାଣିନି ଯେ ଏ ମୋତେ ଶିଖାଇବାକୁ ଆସିଛି? ଏ ଲୋକ କେତେଙ୍କର ଦେଖ, ଇଏ ପୁଣି ମୋତେ ଶିଖାଇବ? ଆରେ ବାପା ତୁ ମଣିଷ ହେଲୁଣି ?? ନିଜଠାରୁ ଛୋଟ ହୋଇଥିଲେ ଏମିତି କେତେ କ’ଣ କହି ଲୋକେ ଶିଖାଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ଆସନ୍ତି। ବଡ଼ଲୋକଟିଏ ଉପଦେଶ ଦେଲେ, ତାଙ୍କୁ ସମ୍ମାନ ଦୃଷ୍ଟିରୁ କିଛି ତ କହି ହୁଏନି। ମାତ୍ର ପ୍ରକାରାନ୍ତରେ ବ୍ୟକ୍ତିଙ୍କର କଥା ଶୁଣି ଶୁଣି ଅବଶ ହେବାକୁ ପଡ଼େ। କେତେବେଳ ପର୍ଯ୍ୟନ୍ତ ଲୋକଟି ଆଉ ମୁୂଣ୍ଡ ଖାଇବ କେଜାଣି, କେତେବେଳେ ୟାର ଭାଷଣ ସରିବ ଏମିତି ଅନେକ କଥା ମନ ଭାବେ, ଆଉ ବ୍ୟକ୍ତି ଜଣକ କଥା ବନ୍ଦ କରିବା ପରେ ମନ ଭିତରେ ଥିବା ଅହଙ୍କାର ହିଁ ଶାନ୍ତିରେ ନିଃଶ୍ୱାସ ନେଇ କୁହେ, ଓ ହୋ … ମଣିଷ ବଂଚିଗଲା। ଲୋକଟା ଆସି ବାରବାର ମୁଣ୍ଡ ଖାଉଛି।
ମନ କାହା କଥା ବା କୌଣସି ଏକ ଭୁଲ ଅଭ୍ୟାସକୁ ସହଜରେ ଗ୍ରହଣ କରିପାରେ ନାହିଁ। ଏ ହେଉଛି ବାସ୍ତବତା। ସହଜରେ ମନ୍ଦ ଅଭ୍ୟାସରେ ପଡ଼ିଯାଇଥିବା ମନକୁ କିଭଳି ଆୟତ୍ତ କରାଯାଇପାରିବ ସେ ବୁଦ୍ଧି ସମ୍ପୃକ୍ତ ବ୍ୟକ୍ତି ହିଁ ବାହାର କରିପାରିବେ। ମନକୁ ଆୟତ୍ତ କରିବାକୁ ହେଲେ, ବାରବାର ନିଜ ଆନ୍ତର୍ଚେତନା ମଧ୍ୟକୁ ପ୍ରବେଶ କରିବାକୁ ହେବ। ବାରମ୍ବାର ନିଜକୁ ପଚାରିବାକୁ ହେବ, ମୁଁ କ’ଣ ପାଇଁ ଆସିଛି, କେଉଁ ଲକ୍ଷ୍ୟରେ ଏଠାରେ ଅଛି। କେଉଁ ଉଦ୍ଦେଶ୍ୟ ପୂରଣ ପାଇଁ ଏଠାକୁ ଆସିଛି। ନିଜର ଇଷ୍ଟଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ। ଇଷ୍ଟ ଆଉ କେଉଁଠି ନାହାନ୍ତି ଅଛନ୍ତି ନିଜ ଭିତରେ। ଏହାକୁ ଅନେକ ଚୈତ୍ୟ ସତ୍ତା ବୋଲି କହନ୍ତି। କେହି କେହି ଏହାକୁ ନିଜର ଆତ୍ମା ବୋଲି ଜାଣନ୍ତି। ‘ମୁଁ’ କୁ ଛାଡ଼ି ଆପଣାର ସ୍ଥିତିଟିକୁ ବୁଝିବା ଏବଂ ତତ୍ ସହିତ ଅନ୍ୟକୁ ବୁଝିବାକୁ ଚେଷ୍ଟା କରିବା ହିଁ ସକାରାତ୍ମକ ଭାବେ ବଂଚିବାର ପ୍ରଥମ ସୋପାନ।
ସୃଷ୍ଟିରେ ଯାହା କିଛି ଘଟେ, ଘଟି ଚାଲୁଛି ବା ଆଗକୁ ଘଟିବାକୁ ଅଛି ସବୁକିଛିର ପଛରେ ନିଶ୍ଚୟ କେହି ଜଣେ ରହିଛନ୍ତି। ସେ କେହି ଜଣଙ୍କ ପ୍ରକୃତିକୁ ମାଧ୍ୟମ କରି ତାଙ୍କ ଲୀଳା କରୁଛନ୍ତି। ପୃଥିବୀର ପ୍ରତିଟି ପ୍ରାଣୀ ପ୍ରକୃତିର ଅଧୀନ। ପ୍ରକୃତି ହିଁ ଯାବତୀୟ ନକାରାତ୍ମକ ଓ ସକାରାତ୍ମକ ପରିସ୍ଥିତି ପାଇଁ ଦାୟୀ। ଯାବତୀୟ ଯୁଦ୍ଧ, ଧ୍ୱଂସ ଲୀଳା ଅବା ଆଉ କିଛି ଏଇ ପ୍ରକୃତି ହିଁ କରାଇଥାଏ। ପ୍ରକୃତି ହିଁ ତା’ ନିଜ ଲୀଳାରେ ନିଜକୁ ଧ୍ବଂସ କରେ, ସୃଷ୍ଟି ବି କରେ। ମଣିଷ ଭିତରେ ଥିବା ପ୍ରକୃତିଟି ଏକା ପ୍ରକାର ନିୟମରେ କାର୍ଯ୍ୟ କରିଥାଏ। ଉଦାହରଣ ଗୋଟିଏ ଦେଲେ ବୁଝି ହେବ। ସବୁ ମଣିଷଙ୍କୁ ରସଗୋଲା ମିଠା ଲାଗେ, ଭଲ ବି ଲାଗେ। କିଏ ରସଗୋଲା ଖାଇବାକୁ ଭଲ ନ ପାଆନ୍ତି କୁହନ୍ତୁ। ମାତ୍ର ସଚେତନ ମଣିଷ ପ୍ରକୃତିଗତ ଲୋଭ ସମ୍ବରଣ କରି ଶରୀର ପାଇଁ ଯେତିକି ଦରକାର ସେତିକି ଖାଏ, ନଚେତ ଖାଇ ନ ଥାଏ। ମାତ୍ର ମିଠାକୁ କଲରା ମଦୁମେହ ହେଉ ଅବା ଅନ୍ୟ କେଉଁ ରୋଗ ଥିଲେ ବି ଅସଚେତନ ବ୍ୟକ୍ତି ପରିଣାମ ଚିନ୍ତା ନ କରି ଖାଇଥାନ୍ତି। ଏହାକୁ କ’ଣ କୁହାଯାଇପାରିବ ଚିନ୍ତା କରନ୍ତୁ। ପ୍ରକୃତି ପୃଥିବୀରେ ଯେମିତି ଭାବରେ ଲୀଳା କରୁଥାଏ, ପ୍ରତିଟି ମଣିଷ ଭିତରେ ସେମିତି କାର୍ଯ୍ୟ କରିଥାଏ। ନିଜକୁ ପ୍ରକୃତି ହାତରେ କ୍ରୀଡ଼ନକ କରି ଛାଡ଼ି ଦେଇଥିବା ବ୍ୟକ୍ତି ହିଁ ଏହା ପ୍ରଭାବରେ ରହିଥାନ୍ତି।
ତେବେ ଅନେକ ବ୍ୟକ୍ତିଙ୍କ ପ୍ରକୃତି ଅନୁଯାୟୀ ରସଗୋଲା ଭଲ ଲାଗେ ନାହିଁ। କେହି କେହି କହନ୍ତି ମୁଁ ପିଲାବେଳୁ ତ ଖାଇନି ଏବେ କ’ଣ ଖାଇବି, ସେଗୁଡ଼ା ମୋତେ ଭଲ ଲାଗେ ନାହିଁ। ଆଉ କେହି ଅତି ଆନନ୍ଦରେ ରସଗୋଲା ଖାଇଥାନ୍ତି। ରସଗୋଲା ଖାଉ ନ ଥିବା ବ୍ୟକ୍ତିଙ୍କ ପାଇଁ ଏହା କ’ଣ ପିତା? ରସଗୋଲାର ଗୋଟିଏ ସ୍ୱାଦ ତାହା ହେଉଛି ମିଠା। ମାତ୍ର ପ୍ରକୃତି ଅନୁଯାୟୀ ବ୍ୟକ୍ତି ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନତାକୁ ନେଇ ଏହା ଭଲ ଆଉ ମନ୍ଦ ଦୁଇ ଭାବରେ ମନ ଭିତରେ ରହିଥାଏ।
ନିଜ ଭିତରର ପ୍ରକୃତିକୁ ଚିହ୍ନିବା, ତା’ର ଦାସ ନ ହୋଇ ଭଲ ମନ୍ଦର ନିକିତିରେ ପରଖି ସେଇ ଅନୁଯାୟୀ ଚାଲିବା ବୁଦ୍ଧିମାନ ବ୍ୟକ୍ତି କାର୍ଯ୍ୟ। ମନ ଚରହୁଁଥିବା କଥାଟି ନ କଲେ ସେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରେ। ଏ କଥାଟି ହେଲା ନାହିଁ, ସେ କାମଟି କରିପାରିଲି ନାହିଁ ଏମିତି କେତେ କ’ଣ ଅସଫଳତା ବଖାଣି ମନ କହେ ସଂସ୍କାରରେ ଜନ୍ମ ହେଇଥିଲି ଯେ କି ସୁଖ ପାଇଲି? ଈଶ୍ୱର ମୋତେ କାହିଁକି ଖାଲି ଏତେ ଦୁଃଖ ଦେଇଛନ୍ତି? ଆଶା କରିଥିବା କୌଣସି ଗୋଟିଏ ବସ୍ତୁ ନ ପାଇଲେ ମନ ଏଭଳି ପ୍ରତିକ୍ରିୟା ଦେଖାଇଥାଏ। ଏବେର ଯୁବକ ଯୁବତୀଙ୍କୁ ଅନୁଧ୍ୟାନ କଲେ ଏକଥା ସହଜରେ ବୁଝିପାରିବେ। ପ୍ରେମିକାପ୍ରେମିକା କୌଣସି ବାରଣରୁ ବିଚ୍ଛେଦ ହୋଇ ଆତ୍ମହତ୍ୟା କରିଥିବା ନଜିର ଅଛି। ଏମାନଙ୍କର ମନ ଏତେ ମାତ୍ରାରେ ତଥାକଥିତ ପ୍ରେମ ସହିତ ବୁଡ଼ି ଯାଇଥାଏ ଯେ ସହଜରେ ସେଠାରୁ ଓହରି ଆସିହୁଏ ନାହିଁ। ଫଳରେ ଆଚରଣ ବଦଳି ଯାଇଥାଏ। ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଯାଆନ୍ତି।
ସଂସ।ରରେ ଯାହା ଆଖିକୁ ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଅର୍ଦ୍ଧସତ୍ୟ ଅଥବା ମିତ୍ୟା। ମାତ୍ର ଏହା ପଛରେ କାର୍ଯ୍ୟ କରୁଥିବା ଅଦୃଶ୍ୟ ଶକ୍ତିଟି ହିଁ ସତ୍ୟ। ସେ ହିଁ ପ୍ରକୃତିକୁ ଆଳ କରି ଯାବତୀୟ କାର୍ଯ୍ୟ କରୁଥାଏ। ସେଇ ସତ୍ୟଟି ପାଖରେ ଜଣେ ସେତେବେଳେ ପହଂଚିପାରିବ ଯେତେବେଳେ ନିଜକୁ ଆବିଷ୍କାର କରିବାରେ ବ୍ରତୀ ହେବ। ଅନ୍ୟ ପକ୍ଷରେ କହିଲେ ନିଜ ଆନ୍ତର୍ଚେତନାର ଆବିଷ୍କାର ସେତେବେଳେ ହୋଇପାରିବ ଯେତେବେଳେ ଜଣେ ସତକୁ ସତ ମଣି ନିଜକୁ ଭଲ ପାଇବାକୁ ଆରମ୍ଭ କରିବ। ନିଜକୁ ଭଲ ପାଇବା ଅର୍ଥ ଜୀବନକୁ ଭଲ ପାଇବା। ଜୀବନକୁ ଭଲ ପାଇବା ଅର୍ଥ ନିଜ ଭିତରେ ସାକ୍ଷୀ ପୁରୁଷ ଭାବେ ଥିବା ସେଇ ଆତ୍ମାର ଆବିଷ୍କାରରେ ବାହାରିବା। ଜୀବନକୁ ଭଲ ପାଇବା ଅର୍ଥ ନିଜକୁ ପ୍ରତି ହାତରେ ଖେଳଣାଟିଏ କରି ଛାଡ଼ିଦେବା ନାହିଁ। ମନ ଯାହା ଚାହୁଁଛି ଚଟାପଟ ତାକୁ ସେଇଆ ଯୋଗାଇଦେବା ନାହିଁ। କାରଣ ମନ, ପ୍ରକୃତି ଓ ଅହଙ୍କାର ଏମାନଙ୍କ କାର୍ଯ୍ୟକଳାପ ସଂସାର ଭିତରେ ହିଁ ସୀମାବଦ୍ଧ ହୋଇ ରହିଥାଏ। ଗୋଟିଏ ଛୋଟ ସୀମା ଭିତରେ ବାନ୍ଧି ହୋଇରହିଥାଏ। ସେଥିପାଇଁ ଦିଆନିଆର ସଂସାରରେ ତଥାକଥିତ ସୁଖ ସାଉଁଣ୍ଟିବାକୁ ମନ ସବୁବେଳେ ଚେଷ୍ଟାରେ ଥାଏ । ଫଳରେ ବ୍ୟକ୍ତି ବାଧ୍ୟ ହୋଇ ନିଜ ଅନ୍ତରାତ୍ମାକୁ ଭୁଲି ସଂସାର ଭିତରେ ମାତିଥାଏ।
ନିଜକୁ ଆବିଷ୍କାର କରିବା ପାଇଁ ହେଲେ ଫର୍ଦ୍ଦ ଫର୍ଦ୍ଦ କରି ବହି ପଢ଼ିଲା ଭଳି ମନକୁ ପଢ଼ିବାକୁ ହେବ। ଦୂରରୁ ଥାଇ ତାକୁ ସାକ୍ଷୀ ପୁରୁଷ ଭାବେ ଦେଖିବାକୁ ହେବ । ସେଇ ଅମାନିଆ ମନଟିକୁ ମନେଇ ତାକୁ ହିଁ ଗୁରୁ କରିବାକୁ ହେବ। ମନ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ – ଏ କଥା ବହୁ ଆଗରୁ ଶ୍ରୀକୃଷ୍ଣ ତାଙ୍କ ପ୍ରିୟ ମିତ୍ର ଉଦ୍ଧବଙ୍କୁ କହି ସାରିଛନ୍ତି। ଆନ୍ତଃ ଚେତନାର ଆବିଷ୍କାର ପଥରେ ମନ ହେଉଛି ଆଶାବାଡ଼ି। ଏଇ ଆଶାବାଡ଼ିଟିକୁ ଧରି ଆମକୁ ବାଟ ଚାଲିବାକୁ ହେବ। ଏ ପଥର ସୀମା ନାହିଁ, ଅସୀମକୁ ବ୍ୟାପ୍ତ ଏ ପଥ। ସଂସ୍କାର ସୁଅର ପ୍ରତିକୂଳରେ ପହଁରିବାକୁ ହୋଇଥାଏ। ସଂସ୍କାର ଗୋଟିଏ ପଟେ, ଆତ୍ମ-ଆବିଷ୍କାର ଆଉ ଏକ ପଟେ। ସଂସ୍କାର କର୍ମ, ପ୍ରକୃତି କର୍ମ ଏ ସ୍ରୋତର ଅନୁକୂଳରେ, ମାତ୍ର ଏହାର ପ୍ରତିକୂଳରେ ଚାଲିବା, ନିଜ ଭିତରେ ସଦା ନୀରବ ଥିବା ସେଇ ଆତ୍ମାକୁ ଚିହ୍ନିବା, ତାକୁ ଜାଣିବା ଏକ ଅହେତୁକ କର୍ମ। ସଂସାର ପାଇଁ ଏହା ଅହେତୁକ ସତ, ମାତ୍ର ନିଜ ମନର ମୁକ୍ତି ପାଇଁ, ଆତ୍ମାଟି ପାଇଁ ଅନେକ ହେତୁର କାରଣ ।
ଯେଉଁଠି ଜଙ୍ଗଲ ଆରମ୍ଭ ସେଇଠି ସଞ୍ଜ। ଆତ୍ମ ଆବିଷ୍କାରର ଜୀବନ ଠିକ୍ ଏଇଭଳି ହୋଇଥାଏ। ପାଦେ ପାଦେ କଣ୍ଟା। ଏ ପଥରେ ପାଦ ଦେଲେ ଦୁଃଖ ଯନ୍ତ୍ରଣା ଗୁଡ଼େଇ ହୋଇ ଆସିଥାଏ। ତେବେ ବି ଶାନ୍ତି ମିଳିଥାଏ, ଅସଲ ସୁଖର ସନ୍ଧାନ ମିଳିଥାଏ। ଆତ୍ମିକ ସୁଖ ଓ ଶାନ୍ତି ହିଁ ମଣିଷର ଆୟୁଷ ବଢ଼ାଇଥାଏ, ତାକୁ ଦୀର୍ଘଜୀବୀ କରିଥାଏ।
ସୁନ୍ଦର ପରିକଳ୍ପନା କୁ ଆଧାର କରି ଆପଣଙ୍କର ଲେଖନୀ , ତଥାପି ଆପଣ କେଉଁଠି ଅଛନ୍ତି ?
ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ସାର୍ 💐💐🙏🙏🙏🙏🙏
ଚେତନାର ପଥ ଅଲେଖ୍ୟ ଅତୀବ ସୁନ୍ଦର ହୋଇଛି. ଲେଖା ସହିତ ସାଧନା ଜାରି ରଖିଛନ୍ତି ଜାଣି ଖୁସି ହେଲି. ଆପଣଙ୍କ ଜୟ ଯାତ୍ରା ବଜାୟ ରହୁ