ରୀତିଯୁଗୀୟ କାବ୍ୟାଦର୍ଶରେ ଅଭିମନ୍ୟୁଙ୍କ କାବ୍ୟ ସଂସାର

ଅଧ୍ୟାପିକା ହିମାଦ୍ରୀ ତନୟା ମିଶ୍ର

ରୀତିର ଆଦି ଉତ୍ସ ହେଉଛି ବେଦ। ରୀଡ୍ଂ ଧାତୁରେ ଅଧିକରଣାର୍ଥେ “କ୍ତିନ” ପ୍ରତ୍ୟୟ ଯୋଗେ ହେବା ଦ୍ୱାରା ରୀତି ଶବ୍ଦର ସୃଷ୍ଟି। ରୀତିର ବ୍ୟୁତ୍ପତ୍ତିଗତ ଅର୍ଥ ‘ମାର୍ଗ’, ‘ପନ୍ଥା’, ‘ପ୍ରସ୍ଥାନ’, ଗତି ଇତ୍ୟାଦି। କବିମାନଙ୍କର ରଚନାର ବିଶିଷ୍ଟ ଶୈଳୀ ମଧ୍ୟ ରୀତି କୁହାଯାଏ। ଅର୍ଥାତ କବି ଲେଖନୀରେ କାବ୍ୟ ରଚନା ସମୟରେ ଶବ୍ଦ ଭଣ୍ଡାରରୁ ଶବ୍ଦ ଚୟନ କରିବା ପରେ ଶବ୍ଦ ସଂଯୋଜନା ବିଧି ଓ ପରିପ୍ରକାଶର ମାଧ୍ୟମ ଭିନ୍ନ ଭିନ୍ନ ହୋଇଥାଏ। କେଉଁଠି ଅସାଧାରଣ ଅର୍ଥ ସାଧାରଣ ଅର୍ଥ ପରିପ୍ରକାଶ କରୁଥିଲାବେଳେ ସାଧାରଣ ଅର୍ଥ ପ୍ରୟୋଗ ଦୃଷ୍ଟିରୁ ଅସାଧାରଣ ଅର୍ଥ ପ୍ରକାଶ କରିଥାଏ। ଅତଏବ ଶିଷ୍ଟ ଲେଖକଙ୍କ ଦ୍ୱାରା ରୁଚି ଅନୁଯାୟୀ ଭାବ ପ୍ରକାଶର ମାଧ୍ୟମକୁ ରୀତି କୁହାଯାଏ। ରୀତି ସମ୍ପ୍ରଦାୟର ପ୍ରଥମ ପ୍ରବର୍ତ୍ତକ ଆଚାର୍ଯ୍ୟ ବାମନଙ୍କ ମତରେ ‘ରିତୀରାତ୍ମା କାବ୍ୟସ୍ୟ ‘ ଓ ‘ ବିଶିଷ୍ଟ ପଦ ରଚନା ରୀତି ‘ ଅର୍ଥାତ ରୀତିକୁ କାବ୍ୟର ଆତ୍ମା ବୋଲି କୁହାଯାଏ ଏବଂ ବିଶିଷ୍ଟ ପଦ ରଚନାକୁ ମଧ୍ୟ ରୀତି କୁହାଯାଏ। ସେହିପରି ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ରୀତି ସମ୍ବନ୍ଧରେ ରହିଛି ‘ ଦଶଗୁଣରେ ‘ ଯାହାକୁ ପରବର୍ତ୍ତୀ ସମୟରେ ବାମନ ଓ ଦଣ୍ଡୀ ରୀତିର ମୂଳତତ୍ତ୍ୱ ରୂପେ ଗ୍ରହଣ କରିଛନ୍ତି। ରୀତି ସମ୍ବନ୍ଧରେ ଭାମହ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିନଥିଲେ ମଧ୍ୟ ବୈଦର୍ଭୀ କାବ୍ୟକୁ ମାଧୁର୍ଯ୍ୟବ୍ୟଞ୍ଜକ ଗୁଣ ପ୍ରକାଶ ବର୍ଣ୍ଣନା ଦ୍ଵାରା ଅଳ୍ପ ସମାସ ଯୁକ୍ତ ବା ସମାସବିହୀନ ଲଳିତ ରଚନାକୁ ବୈଦର୍ଭୀ ରୀତି କୁହାଯାଏ ଏବଂ ଗୌଡୀ କାବ୍ୟକୁ ଓ଼ଜଃ ଗୁଣ ବ୍ୟଞ୍ଜକ କଠିନ ବର୍ଣ୍ଣ ତଥା କଠିନ ଯୁକ୍ତାକ୍ଷର ସହିତ ସମାସର ବହୁଳ ବ୍ୟବହାରକୁ ନିର୍ଦ୍ଦିଷ୍ଟ କାବ୍ୟ ବୋଲି ଗ୍ରହଣ କରିଛନ୍ତି। ସେହିପରି ସାହିତ୍ୟ ଦର୍ପଣକାର ପଣ୍ଡିତ ବିଶ୍ଵନାଥ କବିରାଜଙ୍କ ମତରେ ‘ରୀତି ଅବୟବ ସଂସ୍ଥାନ ବିଶେଷ’ ଅର୍ଥାତ ମନୁଷ୍ୟ ଶରୀରର ଅବୟବ ଯଥାସ୍ଥାନରେ ଥିବା ପରି ପଦମାନଙ୍କର ଯଥାସ୍ଥାନରେ ସଠିକ ପ୍ରୟୋଗକୁ ରୀତି କୁହାଯାଏ।

ଇଂରାଜୀ ଭାଷାରେ style ଶବ୍ଦକୁ ରୀତି ଭାବେ ଗ୍ରହଣ କରାଯାଇଛି। ଏହାର ଲାଟିନ ଶବ୍ଦ  style ରୁ ଉତ୍ପନ୍ନ। ଏହାର ମୌଳିକ ଅର୍ଥ ଲୌହ ଲେଖନୀ ଏବଂ ପ୍ରଧାନ ଅର୍ଥ ଲେଖିବାର ନିର୍ଦ୍ଦିଷ୍ଟ ଶୈଳୀ ସାମ୍ପ୍ରତିକ କାଳରେ ଏହା ଶିଳ୍ପଶାସ୍ତ୍ର, ମୂର୍ତ୍ତିବିଦ୍ୟା, ଚିତ୍ରକଳା, ସଂଗୀତ ରଚନା, ନୃତ୍ୟାଦି ଅର୍ଥରେ ବ୍ୟବହୃତ ହେଲାଣି। ଏଲିଅଟଙ୍କ ମତରେ ବ୍ୟକ୍ତିତ୍ୱର ସୂଚକ ହେଉଛି ରୀତି। ଅରିଷ୍ଟଟଲଙ୍କ ମତରେ ‘ କୌଣସି ବସ୍ତୁର ପ୍ରତିପାଦନ ପଦ୍ଧତି ଓ ପ୍ରକାରରେ ନାମ, ଶୈଳୀ ଓ ରୀତି ରହିଛି। ବିଖ୍ୟାତ ଜର୍ମାନ ଦାର୍ଶନିକ ଶୋପେନହାୱରଙ୍କ ମତରେ ବ୍ୟାକରଣ ସମ୍ମତ ଶବ୍ଦ ସଂଯୋଜନା ହିଁ ରୀତି। ‘on style ‘  ଗ୍ରନ୍ଥରେ ଡି. ମେଚିୟମ ରୀତିକୁ ପ୍ରସନ୍ନ ମାର୍ଗ (plain style) , ଉଦାତ୍ତ ମାର୍ଗ (stately style), ମସୃଣ ମାର୍ଗ (polished style), ଓଜସ୍ଵୀ ମାର୍ଗ (power style), ଭାବେ ଗ୍ରହଣ କରିଛନ୍ତି। ମାତ୍ର ରୀତିଯୁଗର ପ୍ରାୟ ଶହେ ବର୍ଷ ପୂର୍ବେ କବିମାନେ ନିଜସ୍ୱ କାବ୍ୟ ରଚନା କ୍ଷେତ୍ରରେ ରୀତିର ସାମାନ୍ୟ ଚାତୁରୀ ଫୁଟାଇ କାବ୍ୟ ରଚନା କରୁଥିଲେ। ମାତ୍ର ରୀତିଯୁଗରେ ଏ ସବୁ ରହିତ ଅଳଙ୍କାର ବିନ୍ୟାସ, ଶବ୍ଦ ଚାତୁର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଲକ୍ଷ୍ୟ କରିହୁଏ। ଗୋଟିଏ ଛନ୍ଦ ବା ଗୋଟିଏ ବୃତ୍ତରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାବ୍ୟ ରଚନା କରାଯିବା ପରିବର୍ତ୍ତେ ପାଠକର ଚିତ୍ତ ବିନୋଦନ ଉଦ୍ଦେଶ୍ୟରେ ବିଭିନ୍ନ ଛାନ୍ଦରେ ଅଥବା ସର୍ଗରେ ଭିନ୍ନ ଭିନ୍ନ ରାଗ ମିଶ୍ରିତ ଶୈଳୀରେ କାବ୍ୟ ରଚିତ ହେଉଥିଲା। ବିଭିନ୍ନ ରସର ଅବତାରଣା ଯେମିତି ଶୃଙ୍ଗାର, ବୀର, କରୁଣ ରସର ପ୍ରାଧାନ୍ୟ ରଖି ପ୍ରାୟ ଅସଂଖ୍ୟ କାବ୍ୟ ରୂପରେଖ ପାଉଥିଲା। ପ୍ରତ୍ୟେକଟି ସର୍ଗ ବା ଛନ୍ଦରେ ଯେଉଁ ରସ ପ୍ରକାଶିତ ହେଉଥିଲା ସେହି ରସକୁ ଉଦ୍ଦୀପିତ କଲାଭଳି ରାଗର ମଧ୍ୟ ପ୍ରକାଶ ରହିଥିଲା। କାବ୍ୟଗୁଡ଼ିକରେ ଅଳଙ୍କାର ଶାସ୍ତ୍ର ଅନୁସାରେ ପ୍ରଥମେ ମଙ୍ଗଳା ଚରଣ, ସାଧୁ ସ୍ତୁତି ଏବଂ  ଖଳ ନିନ୍ଦା ରଚନା କରାଯାଉଥିଲା। ପୁଣି କାବ୍ୟର ଶୋଭା ବୃଦ୍ଧି ନିମିତ୍ତ ପର୍ବତ, ସମୁଦ୍ର, ଋତୁ, ସୂର୍ଯ୍ୟାସ୍ତ, ନଗର, ସରୋବର, ଚନ୍ଦ୍ରୋଦୟ, ଅରଣ୍ୟ ପ୍ରଭୃତି ବର୍ଣ୍ଣନା କଲାବେଳେ ଅଳଙ୍କାର ଶାସ୍ତ୍ରାନୁସାରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରୁଥିଲେ। ଉପମା, ରୂପକ, ଉତପ୍ରେକ୍ଷା, ସମାସୋକ୍ତିର ପ୍ରୟୋଗ ରହି ଥିବାର ଲକ୍ଷ୍ୟ କରାଯାଏ। ଏଥି ସହିତ ଶବ୍ଦାଳଙ୍କାରର ବିଶେଷ ଗୁରୁତ୍ୱ ରହିଥିଲା। ବିଭିନ୍ନ ପ୍ରକାରର ଅନୁପ୍ରାସ, ଯମକ, ଶ୍ଲେଷ ଅଳଙ୍କାରର ପ୍ରୟୋଗ ଖୁବ ଆକର୍ଷଣୀୟ। ବର୍ଣ୍ଣ ବିନ୍ୟାସରେ ରୀତିଯୁଗୀୟ କବିମାନେ ପ୍ରବୀଣ ଥିଲେ। ଉଦାହରଣରେ ଯେମିତି କ ଆଦ୍ୟ ନିୟମାନୁଯାୟୀ ରସ କଲ୍ଲୋଳ, କଳା କୌତୁକ। ସେହିପରି ବ ଆଦ୍ୟ ନିୟମାନୁସାରେ ବୈଦେହୀଶ ବିଳାସ, ସ ଆଦ୍ୟ ନିୟମାନୁସାରେ ସୁଭଦ୍ରା ପରିଣୟ ଇତ୍ୟାଦି। ଆହୁରି ମଧ୍ୟ ବିଭିନ୍ନ ବନ୍ଧ ମାଧ୍ୟମରେ ଯଥା ;-ନାଗ ବନ୍ଧ, ବୃକ୍ଷ ବନ୍ଧ, ରଥ ବନ୍ଧ ପ୍ରଭୃତି ବନ୍ଧ ଭିତରେ ରଖି କାବ୍ୟ ରଚନା କରୁଥିଲେ ଯାହା ରୀତିଯୁଗୀୟ କାବ୍ୟ ପାଠ କଲେ ହତଚକିତ ଅନୁଭବ ହୁଏ।

ଅଭିମନ୍ୟୁ ସାମନ୍ତସିଂହାର କଟକ  ଜିଲ୍ଲାର ଯାଜପୁର ନିକଟସ୍ଥ ବାଲିଆ ଜମିଦାରୀ ଅନ୍ତର୍ଗତ ଗୋଳକୁଣ୍ଡ ଗ୍ରାମରେ ଏକ ଅଭିଜାତ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପ୍ରେମ ଚିନ୍ତାମଣି କାବ୍ୟ ଆଧାରରେ କବି ସାମନ୍ତ ସିଂହାର ୧୭୬୦ ଖ୍ରୀଷ୍ଟାବ୍ଦ ଫେବୃୟାରୀ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ପିତା ଇନ୍ଦ୍ରଜିତ ସାମନ୍ତ ସିଂହାର ଓ ମାତା ତୁଳସୀ ଦେବୀ। ପିତା ଇନ୍ଦ୍ରଜିତ ବାଲିଆର ଜମିଦାର ଥିଲେ। ତାଙ୍କର ଶିକ୍ଷା ଗୁରୁ ଥିଲେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ୧୮୦୭ ଖ୍ରୀଷ୍ଟାବ୍ଦରେ ସେ ଶେଷ ନିଶ୍ୱାସ ତ୍ୟାଗ ଲକରିଥିଲେ। ଅଭିମନ୍ୟୁଙ୍କ ରଚନାବଳୀ :- ବାଘଗୀତ, ଚଢ଼େଇ ଗୀତ, ବୋଲେ ହୁଁ ଟି, ପ୍ରେମ ଚିନ୍ତାମଣି(୧୭୮୮-୮୯), ପ୍ରେମ କଳା(୧୭୮୯- ୯୦), ରସବତୀ(୧୭୯୧- ୯୨), ସୁଲକ୍ଷଣା(୧୭୯୬) ଓ ବିଦଗ୍ଧ ଚିନ୍ତାମଣି ଇତ୍ୟାଦି ସ୍ମରଣୀୟ କୃତି ରଚନା କରିଛନ୍ତି।

 ଅଭିମନ୍ୟୁଙ୍କ ପ୍ରେମକଳା କାବ୍ୟଟି ଅପ୍ରକାଶିତ ରହିଛି। ଏହି କାବ୍ୟଟି ୨୪ ଛାନ୍ଦ ବିଶିଷ୍ଟ ଏବଂ ଏହା କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ। କାବ୍ୟର ନାୟକ ରାଜକୁମାର ସୁଦର୍ଶନ ଓ ନାୟିକା ପ୍ରେମକଳା। ରୀତିଯୁଗୀୟ କାବ୍ୟ ଭଳି ପ୍ରେମ- ପ୍ରଣୟ-ମିଳନ ଓ ବିଚ୍ଛେଦ ପ୍ରଭୃତି ବିଷୟ କଥାବସ୍ତୁରେ ବର୍ଣ୍ଣିତ ରହିଛି। ସେହିପରି ରସବତୀ ୩୨ଟି ଛାନ୍ଦ ବିଶିଷ୍ଟ ରଚନା। ଏହା ଲାବଣ୍ୟବତୀର ଅନୁସରଣରେ ରଚିତ। ଅଙ୍ଗ ଦେଶର ରାଜକନ୍ୟା ରସବତୀ ସ୍ଵୟଂବର ସଭାରେ ମାଳବ ରାଜାଙ୍କୁ ସ୍ୱାମୀରୂପେ  ବରଣ କରିଛି। ମାତ୍ର ଯକ୍ଷ ଚିତ୍ରସେନ ରାଜାଙ୍କୁ ଅପହରଣ କରି ନାୟକ-ନାୟିକାଙ୍କ ମଧ୍ୟରେ ବିରହ ବେଦନା ସୃଷ୍ଟି କରିଛି। ତା’ପରେ କିଛି ଦିନ ଅନ୍ତେ ହଂସ-ଦୂତ ସାହାଯ୍ୟରେ ସେମାନେ ପରସ୍ପରର ସ୍ଥିତି ଜାଣିପାରିଛନ୍ତି ଓ ହଂସ ରାଜାଙ୍କୁ ପିଠିରେ ବସାଇନେଇ ରସବତୀ ସହିତ ମିଳନ କରାଇଛି। ଏହି କାବ୍ୟରେ ନାୟକ-ନାୟିକାଙ୍କ ସୁଖ ସମ୍ଭୋଗର ଚିତ୍ର ନିଖୁଣ ଭାବରେ ବର୍ଣ୍ଣିତ। ରୀତିଯୁଗୀୟ କାବ୍ୟ ପରମ୍ପରାରେ ଶୃଙ୍ଗାର ରସର ପ୍ରାଧାନ୍ୟ, ବିଚ୍ଛେଦର କାରୁଣ୍ୟ, ଉଭୟଙ୍କ ପ୍ରେମରେ ଈର୍ଷାନ୍ୱିତ ହୋଇ ଚିତ୍ରସେନ ଗନ୍ଧର୍ବ ଶୟନାବସ୍ଥାରେ ସୁଧାକରଙ୍କୁ ହରଣ କରି ସମୁଦ୍ର ମଧ୍ୟସ୍ଥ ଏକ ନିର୍ଜନ ଦ୍ୱୀପରେ ଛାଡି ଆସିବାର ଘଟଣା ପ୍ରବାହର ବର୍ଣ୍ଣନା ଖୁବ ଚମତ୍କାର।

କବିଙ୍କର ଅନ୍ୟତମ ପୌରାଣିକ କାବ୍ୟ ସୁଲକ୍ଷଣା ସ ଆଦ୍ୟ ନିୟମାନୁସାରେ ବର୍ଣ୍ଣିତ। ଷୋଡ଼ଶ ଛାନ୍ଦ ବିଶିଷ୍ଟ ଏକ ମନୋଜ୍ଞ ବର୍ଣ୍ଣନା ଏଥିରେ ରହିଛି। କାବ୍ୟର ନାୟକ ନାୟିକା ହସ୍ତୀନାର ରାଜା ମହାମାନୀ ଦୁର୍ଯ୍ୟୋଧନଙ୍କ କନ୍ୟା ସୁଲକ୍ଷଣା ଓ ନାୟକ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ। ଦୁଇଜଣଙ୍କର ମଧୁର ମିଳନ କାବ୍ୟଟିର ମୂଳଲକ୍ଷ୍ୟ। ଏଥିରେ ମଧ୍ୟ ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ କାବ୍ୟ ଲାବଣ୍ୟବତୀର ପ୍ରଭାବ ଅନୁଭବ ହୁଏ। କାବ୍ୟରେ ବିଭିନ୍ନ ଅଳଙ୍କାରର ପ୍ରୟୋଗ ହିଁ ଏହି କାବ୍ୟଟିକୁ ବେଶୀ ରମଣୀୟ କରାଇଛି।

“ସମସ୍ତ ରମ୍ୟରେ ରମାପ୍ରାୟ ସୁଖଦେବ

ସୁ- ଆଦ୍ୟ ନିୟମ ଅବିଘ୍ନରେ

ସିଦ୍ଧ ହେବ ହେବ

****** ******* ****

ଶ୍ରୀ ବୀରକିଶୋର ରାୟେ

ଶୁଭ ତ୍ରିସପ୍ତାହ ହୋଏ

ଶ୍ରୀ ପଞ୍ଚମୀ ଦିନ ଶେଷ

ଶ୍ରୀଵନ୍ତ ରସିକେ ରସ

*******  ****** *****

ସତ ମଣି ପୁଣି ସେ ରମଣୀମଣି

ଭ୍ରମେ ଶୟନେ ଲୋଟିଲା ହେ ସୁଜନେ

ଶ୍ରୀ ହସ୍ତକୁ ଉରଜ ମଧ୍ୟରେ ଭରି

ସକୁଳେଇ ସେ ପୁରୁଷକୁ ଗୋରୀ”

 

ଏହିପରି ସ ଆଦ୍ୟ ନିୟମାନୁସାରେ ବିଭିନ୍ନ ଅଳଙ୍କାରର ସମାବେଶ ଦ୍ୱାରା ଏହାର ରୀତିଯୁଗୀୟ କାବ୍ୟିକ ମୂଲ୍ୟ ଅକ୍ଷୁର୍ଣ୍ଣ ରହିଛି। କବିଙ୍କ ରଚିତ ‘ଵିଦନ୍ତ ଚିନ୍ତାମଣି’ କାବ୍ୟଟିରେ ବିଷୟବସ୍ତୁ ରାଧାକୃଷ୍ଣଙ୍କ ପ୍ରେମ ସମ୍ବଳିତ ରହିଛି। ତାଙ୍କ ରଚିତ ଏହି ଗ୍ରନ୍ଥଟି ଶ୍ରେଷ୍ଠ ନିଦର୍ଶନ। ପରିଣତ ବୟସରେ ଏହା ରଚିତ। ୧୬ ଛାନ୍ଦ ବିଶିଷ୍ଟ ଅସମ୍ପୂର୍ଣ୍ଣ କାବ୍ୟ। ସର୍ବ ସମନ୍ୱିତ ଯଥା :- ପାଣ୍ଡିତ୍ୱ, ଶାସ୍ତ୍ରଜ୍ଞାନ, ଆଳଙ୍କାରିକତା, ଭକ୍ତିଭାବର ଲାଳିତ୍ୟ ଓ କବିତ୍ୱର ମିଶ୍ର ରାଗ ହେଉଛି ଅଭିମନ୍ୟୁଙ୍କର “ବିଦଗ୍ଧ ଚିନ୍ତାମଣି” କାବ୍ୟ| ଅପ୍ରାକୃତ ପ୍ରେମର ଶ୍ରେଷ୍ଠତ୍ୱ ପ୍ରକାଶିତ ହୋଇଛି ଏହି ଗ୍ରନ୍ଥ ମାଧ୍ୟମରେ। ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ମାଧ୍ୟମରେ ପ୍ରେମ, ବିରହ, ମିଳନ ବର୍ଣ୍ଣନା ଖୁବ ହୃଦୟଗ୍ରାହୀ। କବିଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ- ନିର୍ଗୁଣ-ସଗୁଣ- ଆନନ୍ଦମୟ- ସୃଷ୍ଟିକର୍ତ୍ତା- ଆଦି ଅନାଦି ଅନ୍ତର୍ଯ୍ୟାମୀ- ଲୀଳାମୟ ପୁରୁଷ- ସର୍ଜନା- ପାଳନ- ସଂହାରକର୍ତ୍ତା ମଧ୍ୟ। ପ୍ରେମର ଅମୃତ କେବେ ଗୋପୀକାମାନଙ୍କ ସହ କେବେ ମାତା ଯଶୋଦାଙ୍କ ସହ କେବେ ବୃନ୍ଦାବନନିବାସୀ ସମସ୍ତ କୃଷ୍ଣ ଭକ୍ତିରେ ଆତ୍ମବିଭୋର ଭକ୍ତଙ୍କ ସହ ଏହି ଗ୍ରନ୍ଥରେ ପ୍ରକାଶିତ। ରାଗାନୁଗା ପ୍ରେମଭକ୍ତିର ଉପାସକ ଭାବେ ଅଭିମନ୍ୟୁ ରାଗାନୁଗା ୬ଟି ଭକ୍ତି ମଧ୍ୟରୁ ରାଗାତ୍ମିକା ଶ୍ରେଷ୍ଠ ଭକ୍ତିଟିକୁ ପ୍ରାଧାନ୍ୟ ହେଇଛନ୍ତି କାରଣ। ଶ୍ରୀରାଧା ସ୍ୱୟଂ ରାଗାତ୍ମିକା ଭକ୍ତିର ଉପାସିକା। ଆତ୍ମ ସମର୍ପଣ ବ୍ୟତୀତ ଏଥିରେ ଅନ୍ୟ କିଛି ନାହିଁ। ଯାହା ପରମ ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ। ଏହିପରି ଅନେକ କଥା ଏଥିରେ ରହିଛି ଯାହା ଭାରତୀୟ ଷଡ଼ଦର୍ଶନ ଶାସ୍ତ୍ର  ଯିଏ ହୃଦୟଙ୍ଗମ କରିଥିବ ସେ ଏହାର ମର୍ମ ବୁଝିବାପାଇଁ ସକ୍ଷମ। ପ୍ରେମ ଏଠି ସ୍ୱର୍ଗୀୟ, ଶାଶ୍ୱତ, ଦିବ୍ୟ ରୂପେ ବର୍ଣ୍ଣନା କରାଯାଇଛି।

“ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି

ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ଦିହି

***** ****** ******

ଊର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତିବଳେ

ଉଦ୍ଭବ ହୋଇତୁ ଧର୍ମ ସ୍ଥାପୁ କାଳେ କାଳେ।”

 ଦିବ୍ୟ ଓ ଅଦିଵ୍ୟ ଅର୍ଥାତ ସଂସ୍କୃତ ଏବଂ ପ୍ରାକୃତ ଭାଷାରେ ଏହା ରଚିତ। ଶ୍ରୀରାଧା ଓ ସଖୀ ଭକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ପ୍ରୀତିର ରୂପକୁ ଦର୍ଶାଇଛନ୍ତି। ବିଶାଖାଙ୍କ ରୀତିଯୁଗୀୟ କାବ୍ୟ ପରମ୍ପରା ଦୃଷ୍ଟିରୁ ବିଚାର କଲେ ଏହା ବୈଷ୍ଣବ ତତ୍ତ୍ୱ ସମ୍ବଳିତ ଶ୍ରେଷ୍ଠ କାବ୍ୟ।

“ଅନଳ ନୁହଁଇ ଦେହ ଦହଇ

ଅସ୍ତ୍ର ନୁହଇ ମରମ ଭେଦଇ

ନୁହଇ ତ ଜଳ ବୁଡ଼ାଏ କୂଳ

ନୁହଇ ମାଦକ କରେ ବିହ୍ୱଳ

ନୁହଇ ବଡ଼ଶୀ ଗୋ

ବଳେ ମନ ମୀନ  ନିଏ ଆକର୍ଷି।”

କବିଙ୍କର ଅନ୍ୟତମ ତାତ୍ତ୍ୱିକ ରଚନା ୬୮ ଛାନ୍ଦ ବିଶିଷ୍ଟ ପ୍ରେମ ଚିନ୍ତାମଣି। ଶୁଦ୍ଧ ପ୍ରେମତତ୍ତ୍ୱ ରାଗାତ୍ମିକା ବର୍ଣ୍ଣନା, କୁଞ୍ଜ ବର୍ଣ୍ଣନା ଆଦିର ନିଖୁଣ ପରିପ୍ରକାଶ ଖୁବ ମନୋରମ। ଯଦୁ ନନ୍ଦନ ଦାସଙ୍କ ଗୋବିନ୍ଦ ଲୀଳାମୃତ ଗ୍ରନ୍ଥ ଦ୍ଵାରା ଅନୁପ୍ରାଣିତ ଅଭିମନ୍ୟୁଙ୍କ ଏହି କାବ୍ୟ ରଚିତ। ରାଧାକୃଷ୍ଣଙ୍କ ସାର୍ଥକ ରସୋତ୍ତୀର୍ଣ୍ଣ କୃତି ହେଉଛି ପ୍ରେମ ଚିନ୍ତାମଣି କାବ୍ୟ।

“ପ୍ରେମ ଚିନ୍ତାମଣି ନାମେ ଏ ଗ୍ରନ୍ଥ ହେବ

ଯେ ଯେଉଁ ଭାବେ ଘେନିବ ସେହି ଥିବ “

ଅଭିମନ୍ୟୁଙ୍କ ରଚିତ ପ୍ରତ୍ୟେକଟି କାବ୍ୟରେ ରୀତିଯୁଗୀୟ କାବ୍ୟ ପରମ୍ପରାନୁଯାୟୀ କାବ୍ୟର ପ୍ରାରମ୍ଭରେ ଇଷ୍ଟଦେବୀଙ୍କ ବର୍ଣ୍ଣନା, ଆଶୀର୍ବାଦ ଭିକ୍ଷା, କାବ୍ୟ ବିବୃତ ବିଷୟବସ୍ତୁର ସୂଚନା, ସାଧୁସ୍ତୁତି ଓ ଖଳନିନ୍ଦା ଇତ୍ୟାଦି ରହିଛି। ପାତ୍ରପାତ୍ରୀ ଉଚ୍ଚ କୁଳ, ଅଭିଜାତ୍ୟ ସମ୍ପନ୍ନ ଭାବରେ ଚିତ୍ରିତ ଅର୍ଥାତ ନାୟକ ନାୟିକା ରାଜବଂଶଜ। ପୁଣି କାବ୍ୟରେ ନାୟକ ନାୟିକାଙ୍କ ଜନ୍ମବୃତ୍ତାନ୍ତ, ବାଲ୍ୟ, କିଶୋର, ଯୌବନାବସ୍ଥା ଆଦିର ବର୍ଣ୍ଣନା, ମଧ୍ୟସ୍ଥିର ଉପସ୍ଥିତି, ସ୍ୱପ୍ନ, ମିଳନ, ବିବାହ, ବିଚ୍ଛେଦ, ପୁନଃ ମିଳନର ଘଟଣାମାନ ଏଥିରେ ରହିଛି| ଏଠି ସହିତ ଅଳଙ୍କାରର ପ୍ରୟୋଗ ଓ ସଙ୍ଗିତିକତା ଏହାର ପ୍ରମୁଖ ବିଶେଷତ୍ୱ। ସାମାଜିକ, ପର୍ବପର୍ବାଣି, ରାଜ୍ୟାଭିଷେକ, ଯୁଦ୍ଧ ଅଭିଯାନମାନଙ୍କରେ ସଙ୍ଗୀତର ଆଦର କାବ୍ୟରେ ମଧ୍ୟ ପ୍ରକାଶିତ। ରୀତିଯୁଗୀୟ କବି ସଂଗୀତଶାସ୍ତ୍ର ସମ୍ମତ ଛନ୍ଦ, ବୃତ୍ତ,ସ୍ୱର,ବୃତ୍ତି,ତାଳ,ଲୟ, ବୃତ୍ତି ପ୍ରଭୃତି ଥାଇ ରୀତିଯୁଗୀୟ ନିୟମାନୁସାରେ କାବ୍ୟ ରଚିତ କରିଥାନ୍ତି। ପରିଶେଷରେ ଓଡ଼ିଆ ସାହିତ୍ୟରେ ରୀତିଯୁଗୀୟ କବିଗଣ ସଂସ୍କୃତ ଅଳଙ୍କାରିକ ଓ କାବ୍ୟକାରମାନଙ୍କ କାବ୍ୟାଦର୍ଶ ଅନୁସରଣରେ ବିଶାଳ କାବ୍ୟ ସାହିତ୍ୟ ସୃଷ୍ଟି କରି  ନିଜର ସ୍ୱକୀୟତା ଏବଂ ସ୍ୱତନ୍ତ୍ରତାକୁ ବଜାୟ ରଖି ନିଜର ପାଣ୍ଡିତ୍ୟକୁ ପରିପ୍ରକାଶ କରିପାରିଛନ୍ତି ଯାହା ଜନପ୍ରିୟ ହୋଇପାରିଛି।

3 thoughts on “ରୀତିଯୁଗୀୟ କାବ୍ୟାଦର୍ଶରେ ଅଭିମନ୍ୟୁଙ୍କ କାବ୍ୟ ସଂସାର

  1. ଜୟ ଜଗନ୍ନାଥ। ଲେଖାଟି ଉଚକୋଟିର ହୋଇଛି।

  2. ନମସ୍କାର । ସୁନ୍ଦର ଆଲୋଚନା

Leave a Reply

Your email address will not be published. Required fields are marked *