କବି କିଶୋର କୁମାର ସାହୁ କେବଳ ଯେ ଖୁବ ସୁନ୍ଦର ବ୍ୟଙ୍ଗ କବିତା ଲେଖି ପାରନ୍ତି ତାହା ନୁହେଁ ବରଂ ସେ ଅତି ଚମତ୍କାର ରୋମାଣ୍ଟିକ କବିତା ରଚନା କରିପାରନ୍ତି। ସେ କବିତା ଲେଖୁ ଲେଖୁ କହି ଉଠନ୍ତି “ଅନେକ ଭିଡ, ଆଉ କୋଳାହଳ ଭିତରେ ମୁଁ କାହିଁକି ଏତେ ନିସଙ୍ଗ? ଏତେ ପରପୂର୍ଣ୍ଣତା ଭିତରେ ବି ଲାଗେ ଯେମିତି ମୁଁ ନିହାତି ଅପୂର୍ଣ୍ଣ। ମୋ ମନର ଅଶାନ୍ତ ସମୁଦ୍ରରେ ଭାବନାର ଅଜସ୍ର ତରଙ୍ଗ ଆସି ମଥାପିଟି ମତେ ସବୁବେଳେ ପଚାରୁଥାନ୍ତି ମଧୁମତୀ କିଏ, କିଏ ଏଇ ମଧୁମତୀ?” କବି କିଶୋର ମଧୁମତୀର ସ୍ମୃତିରେ ଆତ୍ମବିଭୋର ହୋଇ ଉଠିଛନ୍ତି ତ ଆଉ କେତେବେଳେ ମଧୁମତୀର ଗାଁରେ ଶୀତକୁ ଅନୁଭବ କରିଛନ୍ତି –
ଶୀତ ଆସିଲେ ଇ
ମତେ ପାଗଳ କରିବ
ମଧୁମତୀର ସ୍ମୃତି;
ମଧୁମତୀ ଗାଁ ଲାଗୁଥିବ
ମଧୁମତୀ ମଧୁମତୀ॥
ମଧୁମତୀର ପ୍ରିୟ ତରାଟ ଫୁଲ ତୋଳିବାକୁ ଭୟ ଲାଗୁଥିଲେ ବି କବି ସବୁ ଭୟକୁ ପଛରେ ପକାଇ ପ୍ରିୟା ପାଇଁ ତରାଟ ଫୁଲ ତୋଳିବା ଅନୁଭୂତି ଖୁବ ଜୀବନ୍ତ ହୋଇ ଫୁଟି ଉଠିଛି କବିଙ୍କ ମାନସ ପଟରେ-
ତରାଟ ଗଛକୁ ଚଢିବାକୁ ମୋର ଭାରି ଭୟ
ତଥାପି ନ ଚଢିବା
ଆଉ ଥାଏ କି ଉପାୟ!
ଗଛ ଚଢୁ ଚଢୁ ଅଧା ବାଟରେ
ଗୋଡ ଖସିଯାଏ।
ଦାଏଁ କିନା ତଳେ ପଡିଗଲେ
ମଧୁମତୀର ଫ୍ରକରେ କାଦୁଅର
ଛିଟା ଲାଗିଯାଏ॥
ସଂସାରର ଯେତେସବୁ ନାଁ ଅଛି ସବୁ ନାଁ ମଧ୍ୟରୁ ନିଜ ପ୍ରେୟସୀ ମଧୁମତୀର ନାଁ କବିଙ୍କୁ ଅତି ନିଜର ଲାଗିଛି ପୁଣି ସବୁ ଗାଁ ଠୁ ଅତି ସୁନ୍ଦର ଲାଗିଛି ମଧୁମତୀର ଗାଁ………..
ସବୁ ଗାଁ ଠାରୁ ବେଶୀ ସୁନ୍ଦର
ମଧୁମତୀର ଗାଁ।
ସବୁ ନାଁ ଠାରୁ ନିଜର ଲାଗେ
ମଧୁମତୀର ନାଁ॥
ମଧୁମତୀର ରୂପ ବର୍ଣ୍ଣନା କରିବାକୁ ଯାଇ କବି କହିଉଠନ୍ତି ଜହ୍ନ ଠାରୁ ବି ଉଜ୍ବଳ ତା ମୁହଁ, ଫୁଲ ଠାରୁ ଅଧିକ କୋମଳ ତା ଦେହ, ଗୋଲାପ ଠୁ ବେଶୀ ଲାଲ ମଧୁମତୀର ଓଠ, ଏପରିକି କବି କିଶୋରଙ୍କୁ ସ୍ଵପ୍ନ ଠାରୁ ବି ଆହୁରି ନିଜର ଲାଗେ ମଧୁମତୀର ହସ, ରାତ୍ରି ଠାରୁ ବେଶୀ ଗାଢ ମଧୁମତୀର ମୁକୁଳା ବାଳ ପୁଣି ଆକାଶଠୁ ଆହୁରି ସୁନ୍ଦର ତାର ନୀଳ ରଙ୍ଗର ଆଖିଦ୍ୱୟ। ମଧୁମତୀ ହେଉଛି କବିଙ୍କ ପ୍ରଥମ ସାଥି, ଯେ କି ଅନେକ ସ୍ଵପ୍ନ ଦେଖାଇଛି ହେଲେ ସେ ଇହକାଳ ପରକାଳ ପାଇଁ ସ୍ମୃତି ହୋଇ ରହିଛି ………
ମଧୁମତୀ ମୋର ଇହକାଳ
ପରକାଳ ସ୍ମୃତି।
ଜୀବନର ପୃଷ୍ଠା ସାରା ଖାଲି
ମଧୁମତୀ……ମଧୁମତୀ
ଅପ୍ରାପ୍ତି, ଯନ୍ତ୍ରଣା, ପ୍ରେମ, ପ୍ରଣୟ ଓ ବିରହ ବେଦନାର ଅନ୍ତଃସ୍ବର ମଧୁମତୀ ମଧୁମତୀ ଓ ମଧୁମତୀ କବିତା ସଂକଳନ।ମଧୁମତୀର ହାତଲେଖା ଚିଠି ପଢି କିଶୋର ବିଭୋର ହୋଇ ଲେଖିଥିଲେ………….
ଚିଠି ନୁହେଁ ସତେ ତାହା
ମଧୁମତୀର ଗୋରା ପାଦ
ଛମ୍ ଛମ୍ ନୂପୁରର ସ୍ଵର।
ନୀଳ ନୀଳ ଆଖିତଳ
ଭିଜା ଭିଜା କଜଳର ଗାର।
ମୋ ଲେଖିଲା କବିତାଠୁଁ
ଚିଠି ତାର ଆହୁରି ମଧୁର॥
କବିଙ୍କ ପଣୟିନୀ ହୁଏତ ଆଜି ଅନ୍ୟ କାହା ଘରର କୁଳବଧୂ ହୋଇଛି। ସୁଖଦୁଃଖ କଥା ପଚାରିଲେ ସେ କବିଙ୍କୁ ଦୋଷାରୋପ ଲଗେଇଛି …..
କେବେ ପଚାରିଲେ ସୁଖଦୁଃଖ
ମତେ ଦିଏ ସବୁ ଦୋଷ
ସେ କୂଳରେ ମଧୁ ଆଉ କାହାବଧୁ
ରହିଗଲା ଅବଶୋଷ॥
ମଧୁମତୀକୁ ପାଇ ନ ପାରି ଖୁବ ଦୁଃଖ ପ୍ରକାଶ କରିଛନ୍ତି। ମଧୁମତୀ ଏବେ ପଞ୍ଜୁରୀର ପକ୍ଷୀଟି ପରି ବଞ୍ଚୁଛି।ପ୍ରେମ ରୂପକ ପିଜୁଳି ଖୁଆଇ କବି କିଶୋର ଆଶା କରିଥିଲେ ପ୍ରେମର ଚିରନ୍ତନ ପ୍ରତିଶ୍ରୁତି ଟିଏ। ହେଲେ ସମୟ କରାଳ ଗତିରେ ସବୁ ଏପଟ ସେପଟ ହୋଇଯାଇଛି। ତଥାପି କବି ଦୁଃଖ ପ୍ରକାଶ କରିନାହାନ୍ତି …..
ଏବେ ଦୁଃଖ ନାହିଁ ଏଥିପାଇଁ
ମଧୁମତୀ ମତେ ତ ମତେ-
ମୋ ନାଁ ବି ଭୁଲିଛି
ଦୁଃଖ ତ ମୋର ଏଥିପାଇଁ
ଏତେ ଭଲ ପାଉଥିବା ପକ୍ଷୀଟି
ମତେ ଏବେ ଶିକାରୀ ଭାବୁଛି
ଅଧ୍ୟାପିକା ଡକ୍ଟର ଭଗବତୀ କର ଙ୍କ ଭାଷାରେ “ହେ ମଧୁବ୍ରତ, ତମେ ଆହୁରି ଯନ୍ତ୍ରଣାସିକ୍ତ ହୁଅ। ଆହୁରି ଉଦ୍ବେଳିତ ହୁଅ ମଧୁମତୀର ସ୍ମୃତିରେ’’। ବାସ୍ତବରେ ଏହି କବିତା ସଂକଳନକୁ ଯେତେଥର ପଢିଲେ ଆହୁରି ପଢିବାକୁ ଖୁବ ଇଚ୍ଛା ହୁଏ।
ଖୁବ ଚମତ୍କାର ଉପସ୍ଥାପନା sir
Thank u sir
ଜୟ ଜଗନ୍ନାଥ। ଅତି ସୁନ୍ଦର୍ ଉପସ୍ଥାପନା।
Thank u sir
ଖୁବ୍ ସୁନ୍ଦର ଉପସ୍ଥାପନା। ମନକୁ ଛୁଇଁବା ଭଳି।
Excellent 👍😊👍