ବସନ୍ତ ରାସ

ପ୍ରଶାନ୍ତ ଭୂୟାଁ (ପ୍ରଭୂ)

ବସନ୍ତ ଅଇଲା ମଳୟ ସାଙ୍ଗରେ
ହିମ ଶୀତଳ ପରଶ।
ଭ୍ରମର ଗାଉଛି ପ୍ରେମରଙ୍ଗ ରାଗ
ଧରଣୀ ହୃଦ ସନ୍ତୋଷ ॥୦୧॥

କୋଷାର କୋଷରେ ଡେଣା କଅଁଳୁଛି
କୁନି ପରଜାପତିର।
ଗୁଣ୍ଡୁଚି ଖୋଜୁଛି ବୁଲି ଡାଳମୂଳ
ଗୁପତ ଶୀତ ଆହାର ॥୦୨॥

ଆ ସଖୀ ମୋର ଅଙ୍କପାଳିରେ ଆ
ପବନ ବାଇବ ପ୍ରୀତି।
ବସନ୍ତ ଗାଉଛି ମନ ପ୍ରାଣ ହୃଦେ
ବସନ୍ତରାସର ଗୀତି ॥୦୩॥

ଦେଖ କି ରଙ୍ଗରେ ଭ୍ରମର ଭ୍ରମୁଛି
ଦେଖି କୋରକ ସବୁଜ।
କଅଁଳ ପତ୍ରରେ ସୂରୁଯ ଆଙ୍କୁଛି
ସାତ ରଙ୍ଗର ମୁରୁଜ ॥୦୪॥

ପଲ୍ଲବ ଉହାଡ଼ୁ ଗାଉଛି କୋଇଲି
କୁହୁତାନ ସାତସୁରେ।
ବୋକ ଉପୁଜାଇ ଚୁଚୁକୃତି ଧ୍ୱନି
ଭୃଙ୍ଗ ଭୃଙ୍ଗୀର ଚଞ୍ଚୁରେ ॥୦୫॥

ଅଫଳନ୍ତି ବୃକ୍ଷେ ଦେଖ ଧରିଲାଣି
ଯେତେକ କାକେରି କଷି ।
ଚିତ୍ତ ମୋହିବାକୁ ଗଣ୍ଡରେ କୁଙ୍କୁମ
ଘଷଇ ଷୋଳ ବୟସୀ ॥୦୬॥

କିଂଶୁକ ଅଙ୍କୁରେ ପୁଲକେ ଅଶୋକ
କଦମ୍ବ କଢ଼ି ଯେତେକ।
ଆମ୍ର ମୁକୁଳ କୁନ୍ଦଦନ୍ତୀ ପ୍ରାୟେ
ବୃକ୍ଷ ନବ ପଲ୍ଲବିତ ॥୦୭॥

ଉର୍ଦ୍ଧ୍ୱବାହୁ ହୋଇ ଉଦ୍ଗମେ କଳିକା
ନହମଞ୍ଜରୀ ସଙ୍ଗତେ।
ପ୍ରେମପଞ୍ଚାମୃତ ହୁଅଇ ଆସ୍ତୀର୍ଣ୍ଣ
ମୃଦୁ ମଳୟ ବସନ୍ତେ ॥୦୮॥

ବସନ୍ତ ତିଳକେ ହୋଏ ବିଘଂସିତ
କୃଷ୍ଣ ଓ ରାଧିକାଚୂଡ଼ା।
ଆମ୍ର ମୁକୁଳର ବାସ ଚହଟଇ
ଚୂତରସିକ ନଲଭେ ପୀଡ଼ା॥୦୯॥

ପୃଥ୍ବୀ ଉରଃସ୍ଥଳୁ କଡ଼ମ୍ବ ଅଙ୍କୁରେ
ଉପଲମ୍ଭେ ମଧୁମାସ।
ନିର୍ବିଷାତୃଣ ଠୁଁ ଅଷ୍ଟବଟ ବର୍ଗ
ସ୍ୱତ୍ୱେ ହ୍ବନ୍ତି ପରିତୋଷ ॥୧୦॥

ଜ୍ଞାତାର୍ଥ :-
କୋଷା – ଖୋଷା, ପୋକଆଦିଙ୍କ ଗୋଟୀ
ଅଙ୍କପାଳି – ଆଲିଙ୍ଗନ, କୁଣ୍ଢାଇବା, କୋଳରେ ବସାଇବା
ବାଇବ – ବାଦ୍ଯ ବଜାଇବା
କୋରକ – ମୁକୁଳ, କଢ଼ି
ବୋକ – ଚୁମା;
ଚୁଚୁକୃତି – ଚୁମ୍ବନଶବ୍ଦ
ଭୃଙ୍ଗ – ଭୀମରାଜ ପକ୍ଷୀ, ଭ୍ରମର, ଭିରୁଡ଼ି
କାକେରି – ଏକ ପ୍ରକାର ଜଙ୍ଗଲୀ ବାଇଗଣ, ଏହା ଶୀତ ଓ ବସନ୍ତ କାଳରେ ଫଳେ
କିଂଶୁକ – ପଳାଶ ଫୁଲ
କୁନ୍ଦଦନ୍ତୀ – ଶ୍ୱେତପୁଷ୍ପ( ବନହାସ, ମହୀମୋହ, ମୁକ୍ତାପୁଷ୍ପ, ମଲ୍ଲିଫୁଲ ଜାତୀୟ) କଢ଼ ପରି ସରୁ ଓ ସୁନ୍ଦର ଦନ୍ତବିଶିଷ୍ଟା
ଉଦ୍ଗମ – ରୋମ ଟାଙ୍କୁରିବା, ପୁଲକ
ନହମଞ୍ଜରୀ-କଅଁଳିଆ କଣ୍ଡ, ଗଜା
ଆସ୍ତୀର୍ଣ୍ଣ –ବ୍ୟାପ୍ତ, ବିସ୍ତୃତ
ବିଘଂସିତ – ବିକଶିତ, ଫୁଲି ଉଠିବା
ଚୂତରସିକ – କୋକିଳ
ଉରଃସ୍ଥଳ – ଛାତି, ବକ୍ଷଦେଶ
ନିର୍ବିଷାତୃଣ – ଘାସଜାତୀୟ
କଡ଼ମ୍ବ– କଢ଼
ଉପଲମ୍ଭେ – ଉପଲବ୍ଧି, ଅନୁଭବ
ଅଷ୍ଟବଟ – ବରଗଛ ବର୍ଗ
ସ୍ୱତ୍ୱ– ହକ୍‌, ଭୋଗ, ଅଧିକାର
ପରିତୋଷ – ସନ୍ତୋଷ, ତୃପ୍ତି

[ପାଠକମାନଙ୍କ ଅବଗତି ନିମନ୍ତେ ଶବ୍ଦାର୍ଥ ଗୁଡ଼ିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୁ ସଂଗ୍ରହ କରି ଦିଆଯାଇଅଛି।]

3 thoughts on “ବସନ୍ତ ରାସ

  1. ଜୟ ଜଗନ୍ନାଥ। ଏହା ଅଭିଭୂତ କରିଦେବା ଭଳି କବିତା। ବସନ୍ତ ଋତୁର ଏଭଳି ବର୍ଣ୍ଣନା ମୁଁ ପୂର୍ବରୁ କେବେ ପଢ଼ିନାହିଁ।

    1. ବିକାଶ ଭାଇ
      ଶ୍ରଦ୍ଧା ସୁମନାସ।
      ଆପଣଙ୍କୁ ଏହି କବିତାଟି ଭଲ ଲାଗିଛି; ଏହା ଶୁଣି ଆମ୍ଭେ ଅତ୍ୟନ୍ତ ପ୍ରୀତ।
      ଆମ ଓଡ଼ିଆ ଭାଷା ଶବ୍ଦର ଏକ ଗନ୍ତାଘର। ଆମ ଭାଷାରେ ଋତୁରଙ୍ଗର ବର୍ଣ୍ଣନା ପାଇଁ ପିଲାଟି ଦିନରୁ ହିଁ ଏହି ମନରେ ଉତ୍ସାହ ଭରି ରହିଥିଲା; ଏବେ ସେହି ଇଚ୍ଛାର ରୂପାୟନ କରିଛି ମାତ୍ର। ଏହି ସଙ୍କଳନର ଆହୁରି ଅନେକ ଭାଗ ରହିଅଛି।

      ସାହିତ୍ୟ ଚର୍ଚ୍ଚା ପରିବାର ନିମନ୍ତେ ମୋର ଶୁଭେଚ୍ଛା ଅସରନ୍ତି ଏହି ରଚନାକୁ ସର୍ବଜନବିଦିତ କରାଇଥିବା ପାଇଁ। ଏହି ଭଳି ସହୃଦୟମାନେ ହିଁ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି ଓ ବିକାଶ ପଥରେ ଆଗେଇ ନେବେ।
      ଆମ୍ଭେ ନିମିତ୍ତ ମାତ୍ର।
      -ପ୍ରଭୂ
      ଆମେ ଓଡ଼ିଆ…ଆମ ଓଡ଼ିଶା

  2. ସୁନ୍ଦର ବସନ୍ତ ଆଲେଖ୍ୟ

    ପ୍ରଶାନ୍ତ ଭୂୟାଁ
    ଜଗନ୍ନାଥ ପ୍ରସାଦ ଗାଞ୍ଜାମ, ଭଞ୍ଜ ମାଟିର ଦାୟାଦ …
    ପରିପୃଷ୍ଟ ତାଙ୍କର ସାହିତ୍ୟ ସୃଷ୍ଟି

Leave a Reply

Your email address will not be published. Required fields are marked *