ଏକଦା ସମଗ୍ର ବିଶ୍ବରେ ବୈଦିକ ଧର୍ମଧାରଣା, ପରମ୍ପରା, ସଂସ୍କୃତି ପାଇଁ ଖ୍ୟାତ ଆମ ଭାରତବର୍ଷ ଏଇ ଶତାବ୍ଦୀର ପ୍ରାରମ୍ଭରୁ କେଜାଣି କାହିଁକି ସବୁ ହରେଇ ବସିବା ପରି ମନେ ହେଲାଣି। ହଜାର-ହଜାର ବର୍ଷର ଧର୍ମୀୟ ନୀତି-ବିଶ୍ବାସ ଏବେ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି।
ଜଗତୀକରଣର ପ୍ରାବଲ୍ୟ – ଉଦାର ଅର୍ଥନୀତି ତଥା ସମାଜିକ ମୂଲ୍ୟବୋଧହୀନ ସ୍ଵାଧୀନତା ଏବଂ ପଶ୍ଚିମୀ ସଭ୍ୟତାର ସଙ୍ଗମରେ ଭାରତର ବୈଦିକ ଜୀବନାୟନର ମୂଳଦୁଆ ଭୁଷୁଡ଼ି ପଡ଼ିଲାଣି। ସେ କ୍ଷେତ୍ରରେ ସାହିତ୍ୟ-ଭାଷା-ଜାତି ପ୍ରୀତି ତ ଅବଲୁପ୍ତ ହେବାକୁ ଆଉ ବେଶୀ ଡେରିନାହିଁ। ବିଶାଳ ଭାରତବର୍ଷ ଅନେକ ଜାତି,ଭାଷା-ପରମ୍ପରା, ସଂସ୍କୃତିକୁ ନେଇ ପୃଷ୍ଟ। ହେଲେ ଅତୀତର ପରମ୍ପରା ସାଧନା – ଜାତି ଭାଷା ପ୍ରୀତି ଆଉ ନାହିଁ। ମାଳିକାକାର ସନ୍ଥ ଅଚ୍ୟୁତାନନ୍ଦଙ୍କ ‘ସର୍ବେ ହୋଇବେ ଏକାକାର – ନଥିବ ବେଦର ବିଚାର’ ଉକ୍ତିରେ ପୂର୍ଣ୍ଣ ସମାହିତ ଏକ ଅବମୂଲ୍ୟାୟନ ସଙ୍କଟ ଜନକ ପରିସ୍ଥିତି ଯାହା ଭବିଷ୍ୟତକୁ ଆହୁରି ବେଶୀ-ବେଶୀ ପ୍ରତିଭାତ ହେଲାଣି। ଭାଷା-ସାହିତ୍ୟ ପ୍ରେମୀ ବୁଦ୍ଧିବାଦୀ ଭାରତୀୟମାନେ ଏଥିପାଇଁ ଖୁବ୍ ବେଶୀ ଚିନ୍ତିତ ହୋଇପଡ଼ିଲେଣି। କାରଣ ଭାଷା-ସାହିତ୍ୟ ଗୋଟିଏ ଜାତିର ଆତ୍ମା। ଭାରତଭଳି ଏକ ବହୁଧା ବିଭକ୍ତ ସାର୍ବଭୌମ ଗଣତନ୍ତ୍ରର ଏକତା ହିଁ ନିର୍ଭର କରେ ଏଥିରେ।
ବୈଷୟିକ ଶିକ୍ଷା ତଥା ଅର୍ଥ ଉପାର୍ଜନ ନିମନ୍ତେ ପ୍ରଚୋଦିତ କରୁଥିବା ଶିକ୍ଷାପାଇଁ ସାହିତ୍ୟର ଆବଶ୍ୟକତା ନ ଥିବାରୁ ନାଗରିକର ସାହିତ୍ୟ ପ୍ରୀତି କ୍ରମଶଃ ଖବର କାଗଜରେ ସୀମିତ ହେଲାଣି। ଅବଶ୍ୟ ଏଥିପାଇଁ ଲେଖକ ଗୋଷ୍ଠୀମାନେ ହିଁ ଦାୟୀ। ପୁରାକାଳ ପରି ଏବର ସମୟରେ ଆଉ ସେଭଳି ଚିତ୍ତ ବିନୋଦନକାରୀ ମୌଳିକ ସାହିତ୍ୟ ପ୍ରାୟତଃ ସୃଷ୍ଟି ହୋଇପାରୁ ନାହିଁ, ସେଥିଯୋଗୁଁ ପାଠକ ସାହିତ୍ୟ ପ୍ରତି ବିମୁଖ ହୋଇପଡୁଛି। ଅଧୁନା ଲେଖକମାନେ କେବଳ ଉତ୍ତେଜନା, ରୋମାଞ୍ଚ, ବିଭତ୍ସ, ଧର୍ମୀୟ ବିଭଙ୍ଗତା ଭଳି କାମଳ ସାହିତ୍ୟ ରଚନାରେ ସିଦ୍ଧହସ୍ତ। ଯେନତେନ ପ୍ରକାରେଣ ବୃହତ୍ତର ସମାଜର ସମ୍ମାନହାନୀ ଭଳି ରଚନା ଲେଖି ଉପାଧି, ପଦକ ତଥା ସମ୍ମାନ-ସମ୍ବର୍ଦ୍ଧନା ପାଇବା ପାଇଁ ସଦା ଲାଳାୟିତ ଓ ଚେଷ୍ଟିତ । ସେବେଳେ ମୌଳିକ ସାହିତ୍ୟ ବା ରଚନା ହେବ କିପରି? ବେଦ-ଭାବଗତ-ଗୀତା ଭଳି ସର୍ବକାଳୀନ ସାହିତ୍ୟ ରଚନା କରିବାର ଆସ୍ପର୍ଦ୍ଧା ଏ ଲେଖକ ସମାଜର କାହିଁ?
ଗୋଟିଏ ଜାତିର ଅବକ୍ଷୟକୁ ସେ ଜାତିର ସାହିତ୍ୟ ହିଁ ତୋଳି ଧରେ। ବିଗତ ଦିନମାନଙ୍କରେ ରାଷ୍ଟ୍ରର ସ୍ୱାଧୀନତା ଓ ସାର୍ବଭୌମତା ପ୍ରାପ୍ତି ପାଇଁ ଦେଶର ଲେଖକମାନଙ୍କର ଭୂମିକା କମ୍ ଗୁରୁତ୍ଵପୂର୍ଣ୍ଣ ନ ଥିଲା। ତେଣୁ ସାହିତ୍ୟ ସର୍ବକାଳୀନ ସୁଖଦାୟୀ ଆତ୍ମତୃପ୍ତିର ଏକ ବଳିଷ୍ଠ ମାଧ୍ୟମ; ଯାହା ଲୋକ ଚରିତ୍ରକୁ ଉର୍ଦ୍ଧ୍ୱତ୍ତର କରାଏ, ପରିଚ୍ଛନ୍ନ କରେ।
ଆସନ୍ତୁ ଆଜି ଆମେ ପ୍ରତିଜ୍ଞା ନେବା: ଜାତି ଇତିହାସର ସୁରକ୍ଷା, ଜନଜୀବନର ସଠିକ୍ ମୂଲ୍ୟାୟନ ପାଇଁ ଆମ ସାହିତ୍ୟକୁ ବିକଶିତ ତଥା ବୈଭବ ମଣ୍ଡିତ କରିବା। ମାନସିକତାରେ ପରିବର୍ତ୍ତନ ଆସିଲେ, ମୂଲ୍ୟବୋଧ ଭିତ୍ତିକ ସାର୍ବଜନୀନ ପ୍ରେମପଣ ଆସିଲେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟିରେ କିଛି ହିଁ ଅନ୍ତରାୟ ରହିବ ନାହିଁ। ତାହାହିଁ ଆମ ବୃହତ୍ତର ପାଠକ ସମାଜ ଆଶା ରଖେ। ଯିଏ ଯେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି ସମସ୍ତଙ୍କର କାର୍ଯ୍ୟ-ଚିନ୍ତା ଓ ଏକାଗ୍ରତା ଯଦି ମାନବବାଦୀ ହୁଏ ତେବେ ଆମ ଓଡ଼ିଆ ଭାଷା-ସାହିତ୍ୟ ଓ ପରମ୍ପରାର ବିଚ୍ୟୁତି ହେବାର କୌଣସି କାରଣ ହିଁ ରହିବ ନାହିଁ।
ସୁନ୍ଦର ପ୍ରତିଫଳନ ଓ ପରାମର୍ଶ ।
ଆଜି କାହିଁକି ବାମାଚରଣ ମିତ୍ରଙ୍କ ‘ମିମିର ସାହିତ୍ୟ ଶିକ୍ଷା’, ଫତୁରାନନ୍ଦଙ୍କ ‘ନାକଟା ଚିତ୍ରକର’, ବସନ୍ତ କୁମାରୀଙ୍କ ‘ ଭୋଜି’ ବା ସଚ୍ଚି ରାଉତରାୟଙ୍କ ‘ ମଶାଣିର ଫୁଲ’ ଭଳି ଗଳ୍ପ ସୃଷ୍ଟି ହେଉନାହିଁ ସେଥିପାଇଁ ଦାୟ୍ତୀ କିଏ ?
ପକୀର ମୋହନଙ୍କ ରେବତୀ ବା ଡାକ ମୁନ୍ସୀ କିମ୍ବା କ୍ଲାସିକାଲ ସାହିତ୍ୟ ବା ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା ପ୍ରାଓତ ବିଭିନ୍ନ ଗଳ୍ପ, ନାଟକ ଓ କବିତା ବା ପ୍ରବନ୍ଧ ଆଦି ଲେଖା ନଯିବା ପାଇଁ କାହାକୁ ଦୋଷ ଦେବା ?
ମୁଁ ଭାବୁଛି ବର୍ତ୍ତମାବର ଅଧିକାଂଶ ସାହିତ୍ୟ ଲେଖା ସସ୍ତା ମନୋରଞ୍ଜନ ବା ଚିତ୍ତ ବିନୋଦନ ପାଇଁ କିମ୍ବା କେବଳ ବହିଟିଏ ପ୍ରକାଶ କରିଦେଇ କିପରି ତାହାର ଉନ୍ମୋଚନ ବା ଲୋକାର୍ପଣ ଉତ୍ସବ ହେବ ଓ ଏହାପରେ ଧରାଧରି କରି ରାମମୋହନ ରାୟ ଫାଉଣ୍ଡେସନ ବା ବିଦ୍ୟାଳୟ ପାଠାଗାରକୁ କିପରି ଯୋଗାଣ ହେବେ ସେ ନେଇ ଲେଖକମାନେ ଅଧିକ ଚେଷ୍ଟିତ ହୁଏତ ମୋର ଏହି କଥାକୁ ଅନେକ ନାପଚନ୍ଦ କରିପାରନ୍ତି କିନ୍ତୁ ଏହା ହେଉଛି ନିରାଟ ସତ ଅନ୍ୟପକ୍ଷରେ କିଛି ପଇସା ଥିବା ବା ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛ ଲେଖକ ନିଜରର ପ୍ରଭାବ ବିସ୍ତାର କରି ନିଜର ଲେଖା ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ପୁରୁଣା ମୋ ଭଳି ଜଣେ ନିୟମିତ ପାଠକ ମତରେ ଗତ କିଛିବର୍ଷ ଧରି ଲେଖାଯାଉଥିବା ଓ ପ୍ରକାଶିତ ସାହିତ୍ୟ ପୁସ୍ତକ ବା ପତ୍ରିକା କିଣିବା ସାଧାରଣ ପାଠକଙ୍କ ନିମନ୍ତେ ସହଜ ନୁହେଁ ଯେଉଁମାଣଙ୍କ ନିକଟରେ ଅର୍ଥର ଅସୁବିଧା ନାହିଁ ସେମାନେ ଓଡ଼ିଆ ସାହିତ୍ୟ ପତ୍ରପତ୍ରିକା ବା ପୁସ୍ତକ କିଣିବା ପାଇଁ ଆଗ୍ରହୀ ନୁହଁନ୍ତି
ଅନ୍ୟ ଏକ ଘଟଣାକ୍ରମରେ ବର୍ତ୍ତମାନର ଯୁବପିଢ଼ୀ ବହି ବା ପତ୍ରିକା ବିଶେଷକରି ଓଡ଼ିଆରେ ପାଠ କରିବା ପାଇଁ ଆଗ୍ରହୀ ନୁହଁନ୍ତି ଏବଂ ସେମାନଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନାହିଁ ଏଭଳି ସମୟରେ ସାହିତ୍ୟରେ ସଙ୍କଟ ହେବ ନାହିଁ କିପରି ?