ଅନୁତ୍ତରିତ ଚିଠି

ଆନଂଦ ଚଂଦ୍ର ପହି

ମୋବାଇଲ ଫୋନ୍ ରିଙ୍ଗ ଶୁଣି ଅରିନ୍ଦମଙ୍କ ନିଦ ଭାଙ୍ଗିଗଲା। ସମୟ ଅପରାହ୍ନ ଚାରିଟା। ଉଠିବାକୁ ଇଚ୍ଛା ନଥିଲା କାରଣ ଖାଇ ସାରି ଏଇ ଅଧ ଘଣ୍ଟାଏ ହେଲା ସିଏ ବିଶ୍ରାମ ନେଇଥିଲେ। କିଏ ଫୋନ୍ କରିଛି ଜାଣିବା ପାଇଁ ଫୋନ୍‌ର ସ୍କ୍ରିନକୁ ଚାହିଁଲେ। ଅଜଣା ନମ୍ବର। ଅନିଚ୍ଛା ସତ୍ତ୍ୱେ ଫୋନ୍ ଉଠାଇଲେ।
ସେପଟରୁ ଶୁଭିଲା ଗୋଟେ ଅଚିହ୍ନା ନାରୀ କଣ୍ଠ। ସିଏ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ-କାହାକୁ ଖୋଜୁଛନ୍ତି ମ୍ୟାଡ଼ମ୍‌?
-ଅରିନ୍ଦମଙ୍କୁ ଖୋଜୁଛି,ମାନେ ଅରିନ୍ଦମ ନାୟକଙ୍କୁ।
ତଥାପି ସେ ନାରୀକଣ୍ଠକୁ ଚିହ୍ନି ପାରିଲେ ନାହିଁ ଅରିନ୍ଦମ। ଟିକେ ରହିଯାଇ ଉତ୍ତର ଦେଲେ –ମୁଁ ଅରିନ୍ଦମ କହୁଛି। କିନ୍ତୁ ଆପଣ କିଏ କହୁଛନ୍ତି?
-ତୁମେ କ’ଣ ମୋତେ ସଂପୂର୍ଣ୍ଣ ଭୁଲି ଗଲଣି ଅରି? ମୁଁ ସୀମା କହୁଛି।
-ସୀମା! କୋଉ ସୀମା?
-ଯେଉଁ ସୀମା ତୁମ ସହିତ ଢ଼େରବର୍ଷ ତଳେ ଗାଆଁ ସ୍କୁଲଠୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଏକାଠି ପଢ଼ିଥିଲା।
-ଆରେ ସୀମା! ତମେ? ଏତେ ବର୍ଷ ପରେ ତୁମର ମୋ କଥା କେମିତି ମନେପଡ଼ିଲା? ମୋ ଫୋନ୍ ନମ୍ବର କେମିତି , କାହାଠୁ ପାଇଲ?

ସୀମା ଏଥର ଅତ୍ୟନ୍ତ ଇମୋସନାଲ୍ ହୋଇ ଜଡ଼ିତ କଣ୍ଠରେ ଉତ୍ତର ଦେଲେ-ସିଏ ଅନେକ କଥା ଅରି! ତୁମେ ଆସିଲେ ସବୁକଥା କହିବି।
-ତୁମେ ଏବେ କେଉଁଠି ସୀମା? ମୋ ପାଖରେ ଯାହା ଖବର ଅଛି ତୁମେ ସପରିବାର ଅଷ୍ଟ୍ରେଲିୟାରେ ଥିଲ। ଏବେ କ’ଣ ଇଣ୍ଡିଆକୁ ଫେରିଲଣି?
ସୀମା ରୁଦ୍ଧକଣ୍ଠରେ ଉତ୍ତର ଦେଲେ-ନା, ମୋ ପରିବାର ଏବେ ବି ଅଷ୍ଟ୍ରେଲିୟାରେ। କିନ୍ତୁ ନିହାତି ଗୋଟେ ଜରୁରୀ କାମ ପାଇଁ ମୁଁ ଏକା ଆସିଛି ଗାଆଁକୁ। ତୁମେ ଗାଆଁକୁ ଆସିବନା?
ଅରିନ୍ଦମଙ୍କ ଦେହ ଓ ମନରେ ଗୋଟେ ଶିହରଣ ଖେଳିଗଲା। ସିଏ ଆଗ୍ରହର ସହିତ କହିଲେ-ନିଶ୍ଚୟ। ତୁମେ ଡାକିବ ଆଉ ମୁଁ ଯିବି ନାହିଁ?ଏକଥା ତୁମେ କେମିତି ଭାବି ପାରିଲ ସୀମା?
-ଏଇ କେତେ ବର୍ଷ ଭିତରେ ଆମ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଲାଣି ଅରି! ଏତେ ଦିନର ବ୍ୟବଧାନ ପରେ ଦେଖାହେଲେ ତୁମେ ମୋତେ କି ମୁଁ ତୁମକୁ ଚିହ୍ନିବା ହୁଏତ ସହଜ ହେବ ନାହିଁ। ସେ କଥା ଛାଡ଼, କେତେବେଳେ ଆସୁଚ?
ଅରିନ୍ଦମ କହିଲେ-ଏବେ ତ ଦିନ ଚାରିଟା ବାଜିଲାଣି। ଭୁବନେଶ୍ୱରଠୁ ଆମ ଗାଆଁ ଦେଢ଼ଶହ କିଲୋମିଟର ରାସ୍ତା। ଏବେ ବାହାରିଲେ ସଂଧ୍ୟା ସାତଟା, ଆଠଟା ଭିତରେ ହୁଏତ ପହଞ୍ଚିଯିବି। କିନ୍ତୁ..
-କିନ୍ତୁ ପୁଣି କ’ଣ ଅରି! ତୁମ ଧର୍ମପତ୍ନୀଙ୍କ ଅନୁମତି ମିଳିବ ନାହିଁ?ନା,ସେକଥା ନୁହଁ। ତୁମେ ଶୁଣି ବିସ୍ମିତ ହେବ ଯେ ମୋର ଗାଆଁ ଅଛି ଅଥଚ ଗାଆଁରେ ନିଜ ଘର ନାହିଁ।
-ଇଏ କେମିତି କଥା?
-ସିଏ ଅନେକ କଥା ସୀମା! ଦେଖା ହେଲେ ସବୁ କହିବି। ଠିକ୍ ଅଛି, ମୁଁ କାଲି ସକାଳ ଦଶଟା ଭିତରେ ଗାଆଁରେ ପହଞ୍ଚି ଯିବି। ତୁମେ କାଲି ପର୍ଯ୍ୟନ୍ତ ଗାଆଁରେ ଅଛତ?
-ମୁଁ ତୁମକୁ ଦେଖା ନକଲା ପର୍ଯ୍ୟନ୍ତ ଗାଆଁରେ ଅପେକ୍ଷା କରିବି। କାଲି ତୁମେ ନିଶ୍ଚୟ ଆସିବ।ଏବେ ଫୋନ୍ ରଖୁଛି।
ସେପଟେ ଫୋନ୍ ରଖିଲେ ସୀମା, ଏପଟେ ଅରିନ୍ଦମ। ଫୋନ୍ କଥାବାର୍ତ୍ତାର ଶେଷ ଭାଗଟା ଅରିନ୍ଦମଙ୍କ ସ୍ତ୍ରୀ ଅନୁପମାଙ୍କ କାନରେ ପଡ଼ିଗଲା। ସିଏ ବିଭିନ୍ନ ପ୍ରଶ୍ନ କଲେ-କାହା ସହିତ କଥା ହେଉଥିଲ? ଗାଆଁକୁ କାହିଁକି ଯିବ? ସେଠି ତୁମର କି’କାମ? ଗାଆଁରେ ରହିବ କେଉଁଠି?
ଅନୁପମାଙ୍କ ଏତେ ସବୁ ପ୍ରଶ୍ନର କିଛି ଉତ୍ତର ନଦେଇ ଅରିନ୍ଦମ ଶୋଇବାର ଅଭିନୟ କଲେ। ବିଛଣାରେ ଆଖିବୁଜି ପଡ଼ିରହି ଅତୀତର ସ୍ମୃତି ରୋମନ୍ଥନରେ ଲାଗିଗଲେ।
ସୀମା ଥିଲେ ଅତ୍ୟନ୍ତ ସୁନ୍ଦରୀ। ଭଲ ପାଠ ପଢ଼ୁଥିଲେ ଆଉ ଭଲ ଗୀତ ବି ଗାଉଥିଲେ। କଲେଜରେ ଆଉ ଅନେକ ଝିଅ ପଢ଼ୁଥିଲେ ବି ସୀମା ଥିଲେ ଅନନ୍ୟା। ତାଙ୍କ ସହିତ ପଦେ କଥାହେବା ପାଇଁ କଲେଜର ସବୁ ପୁଅପିଲା ନିଜ ନିଜ ଭିତରେ ପ୍ରତିଯୋଗିତା କରୁଥିଲେ।
କିନ୍ତୁ ଅରିନ୍ଦମ ଥିଲେ ସବୁଠୁ ନିଆରା। ପାଞ୍ଚ ଫୁଟ ଦଶ ଇଞ୍ଚ ଉଚ୍ଚତା, ପତଳା ଶରୀର, ରଙ୍ଗ ଗୋରା। କଥା, ଚାଲି, ପୋଷାକ ସବୁଥିରେ ଷ୍ଟାଇଲ୍‌ର ଛାପ। ସିଏ ଗଳ୍ପ ଲେଖୁଥିଲେ ଓ ସେସବୁ ରାଜ୍ୟ ସ୍ତରୀୟ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା। କଲେଜ ୟୁନିଅନ୍‌ର ସଂପାଦକ ନିର୍ବାଚିତ ହେବା ପରେ ଅରିନ୍ଦମଙ୍କୁ କଲେଜର ସବୁ ପିଲା ଓ ସବୁ ଅଧ୍ୟାପକ ଚିହ୍ନି ଯାଇଥିଲେ।
ତଥାପି ସୀମାଙ୍କ ସହିତ ଅରିନ୍ଦମଙ୍କର କିଛି ବି ଅନ୍ତରଙ୍ଗତା ନଥିଲା। ଗାଆଁ ଝିଅ ହେଲେ ବି ସୀମାଙ୍କ ପରିବାରର ଷ୍ଟାଟସ୍ ବହୁତ ଉପରେ ଥିଲା।କିନ୍ତୁ ଅରିନ୍ଦମ ଥିଲେ ଅତି ଗରିବ ଘରର ପିଲା। ଘରଡ଼ିହକୁ ଛାଡ଼ିଦେଲେ ଆଉ କିଛି ନଥିଲା ତାଙ୍କର। ସୀମା ବାପାଙ୍କ ଜମିକୁ ଭାଗଚାଷ କରି ଚଳୁଥିଲା ତାଙ୍କ ପରିବାର। ତେଣୁ ସୀମାଙ୍କ ଷ୍ଟାଟସ୍‌କୁ ଅରିନ୍ଦମଙ୍କ ଆଖି ପାଏନା। ସିଏ ବି ସେଆଡ଼କୁ କେବେ ଆଖି ବଢ଼ାଇ ନାହାଁନ୍ତି। ସିଏ ସୀମାଙ୍କ ସହିତ କଥାହେବା ପାଇଁ କି କିଛି ସଂପର୍କ ରଖିବା ପାଇଁ କେବେ ମନରେ ଚିନ୍ତା ମଧ୍ୟ କରି ନଥିଲେ।
କିନ୍ତୁ ଗୋଟେ ଦିନ ଅଚାନକ ଗୋଟେ ପରିସ୍ଥିତିରେ ସୀମାଙ୍କ ସହିତ ଦେଖା ହୋଇଗଲା ଅରିନ୍ଦମଙ୍କର। ଗାଆଁଠୁ କଲେଜଟା ଗୋଟେ କିଲୋମିଟର ଦୂର। କଲେଜ ଯିବା ବାଟରେ ହଠାତ୍ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ମାଡ଼ି ଆସିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ରାସ୍ତା କଡ଼ର ଗୋଟେ ବଡ଼ ବରଗଛ ତଳକୁ ଚାଲି ଆସିଲେ ଅରିନ୍ଦମ। ତାଙ୍କ ପଛେ ପଛେ ସୀମା ମଧ୍ୟ ଯାଇ ସେଇଗଛ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ସେ ଗଛ ସେ ଦୁହିଁଙ୍କୁ ବର୍ଷାରୁ ରକ୍ଷାକରି ପାରିନଥିଲା। ଦୁହେଁ ଗଛରୁ ପଡ଼ୁଥିବା ପାଣିରେ ସଂପୂର୍ଣ୍ଣ ଭିଜି ଯାଇଥିଲେ। ତଥାପି ସେ ଦୁହେଁ ସେଇ ଗଛମୂଳେ ଠିଆହୋଇ ତିନ୍ତିଥିଲେ, କାରଣ ବାହାରେ ବର୍ଷାର ପ୍ରକୋପ ବଢ଼ି ଚାଲିଥିଲା। କେହି କାହାକୁ କିଛି ନକହି ଚୁପ୍‌ଚାପ୍ ତିନ୍ତି ଚାଲିଥିଲେ। ସୀମାଙ୍କ ଶାଢ଼ି,ଶାୟା,ବ୍ଲାଉଜ ବର୍ଷା ପାଣିରେ ଭିଜି ଦେହରେ ଜଡ଼ି ଯାଇଥିଲା। ଲାଜରେ ସୀମାଙ୍କ ମୁହଁ ପାଟଳ ଦିଶୁଥିଲା। ସିଏ ମୁହଁ ତଳକୁ ପୋତି ଦୁଇ ହାତକୁ ଛାତିରେ ଛନ୍ଦି ଠିଆହୋଇ ରହିଥିଲେ ବର୍ଷା ଛାଡ଼ିବାକୁ ଅପେକ୍ଷା କରି। ସୀମାଙ୍କୁ ଏତେ ନିକଟରେ ପାଇ ମଧ୍ୟ ମୁହଁ ଖୋଲି ନଥିଲେ କି ଆଖି ଉଠାଇ ତାଙ୍କୁ ଚାହିଁ ନଥିଲେ ଅରିନ୍ଦମ।


ବର୍ଷା ଛାଡ଼ିଲା ପ୍ରାୟ ଘଣ୍ଟାକ ପରେ। ଦୁହେଁ ସେଦିନ ଆଉ କଲେଜ ନଯାଇ ଫେରି ଯାଇଥିଲେ ଘରକୁ। କିନ୍ତୁ ସେଇ ଦିନଠୁ ସୀମାଙ୍କ ବ୍ୟବହାରରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ଅରିନ୍ଦମ। କଲେଜରେ ଦେଖାହେଲେ ହସି ଦିଅନ୍ତି ସୀମା। ସେଦିନର ବର୍ଷାଭିଜା ମୁହୂର୍ତ୍ତଟା ନାଚିଯାଏ ଅରିନ୍ଦମଙ୍କ ଆଖିରେ। ବାଟଭାଙ୍ଗି ଚାଲି ଯାଆନ୍ତି ସିଏ।
ଅରିନ୍ଦମ ଅନେକ ଥର ଚିନ୍ତା କରିଛନ୍ତି ସୀମା ତାଙ୍କୁ ଦେଖି ଏମିତି ମୁରୁକି ହସିବାର ଅର୍ଥ କ’ଣ ହୋଇପାରେ? ସୀମା କ’ଣ ତାଙ୍କୁ ଭଲପାଇ ବସିଛନ୍ତି? ଜଣେ ଯୁବକକୁ ଦେଖି ଜଣେ ଯୁବତୀ ଏମିତି ହସିବାର ଆଉ କିଛି କାରଣ ଥାଇ ନପାରେ।
ତା’ପରେ ଆସିଲା ଫାଇନାଲ ବି.ଏ ପରୀକ୍ଷା। ପରୀକ୍ଷା ପରେ ପରେ ଛୁଟି। କଲେଜ ବନ୍ଦ ହୋଇଗଲା। ସୀମାଙ୍କ ସହିତ ଆଉ ଦେଖା ହେଲାନାହିଁ। କିନ୍ତୁ ସୀମାଙ୍କ ହସଟା ଅରିନ୍ଦମଙ୍କ ପାଇଁ ମିଷ୍ଟ୍ରି ହୋଇ ରହିଗଲା।
ଅରିନ୍ଦମଙ୍କୁ ବିସ୍ମିତ କରି ତାଙ୍କ ପାଖକୁ ଡାକରେ ଗୋଟିଏ ଚିଠି ଆସି ପହଞ୍ଚିଲା। ଲଫାପା ଖୋଲି ଦେଖିଲେ ଚିଠିଟି ଆସିଥିଲା ସୀମାଙ୍କ ପାଖରୁ। ଗୋଟିଏ ଧାଡ଼ିର ସଂକ୍ଷିପ୍ତ ଚିଠି। ମୁଁ ତୁମକୁ ଭଲପାଏ ଅରିନ୍ଦମ।
ଏ ଚିଠିଟି ପାଇବା ପରେ ଅରିନ୍ଦମ ଖୁସିରେ ନାଚି ଉଠିଥିଲେ। ସଙ୍ଗେ ସଙ୍ଗେ ସୀମାଙ୍କ ଚିଠିର ପ୍ରତ୍ୟୁତ୍ତରରେ ଲେଖିଥିଲେ-‘ମୁଁ ତୁମକୁ ବହୁତ ବହୁତ ବହୁତ ଭଲପାଏ ସୀମା!’
ସେଇ ଦିନହିଁ ଚିଠିଟି ଡାକବାକ୍ସରେ ପକାଇ ଦେଇଥିଲେ ସିଏ। କିନ୍ତୁ ଆଠ ଦିନ ଅପେକ୍ଷା କରିବା ପରେ ମଧ୍ୟ ସୀମାଙ୍କଠୁ କିଛି ବି ଉତ୍ତର ଆସି ନଥିଲା। ପ୍ରତିଦିନ ଡାକକୁ ଅପେକ୍ଷା କରନ୍ତି, ଡାକବାଲାକୁ ପଚାରନ୍ତି। କିନ୍ତୁ ସୀମାଙ୍କ ଚିଠି ଆଉ ଆସେ ନାହିଁ। ଗୋଟିଏ ଗାଆଁରେ ଦୁଇଜଣଙ୍କ ଘର ତଥାପି ଚିଠି ଆସିବାରେ ଏତେ ବିଳମ୍ବ?
ଅରିନ୍ଦମ ଚେଷ୍ଟାକଲେ ସୀମାଙ୍କୁ ଭେଟିବାକୁ। ତାଙ୍କ ଘର ଚାରିପାଖରେ ଚକର କାଟିଲେ। କିନ୍ତୁ ସୀମାଙ୍କ ସାକ୍ଷାତ ପାଇଲେ ନାହିଁ। ଖୋଜଖବର ନେବା ପରେ ୧୫ ଦିନ ପରେ ସିଏ ଜାଣିବାକୁ ପାଇଲେ ଯେ ସୀମା ତାଙ୍କ ମାମୁଙ୍କ ପାଖକୁ ଦିଲ୍ଲୀ ଚାଲିଯାଇଛନ୍ତି। ସେଠି ସିଏ ଜେ.ଏନ.ୟୁ. ରେ ପି.ଜି କରିବେ। ଆଉ ଗାଆଁକୁ ଫେରିବେ ନାହିଁ।
ପୁଣି କିଛି ବର୍ଷପରେ ସିଏ ଶୁଣିବାକୁ ପାଇଲେ ସୀମା ଦିଲ୍ଲୀର ଜଣେ ଓଡ଼ିଆ ଇଂଜିନିୟରଙ୍କୁ ବିବାହ କରି ଅଷ୍ଟ୍ରେଲିଆ ଚାଲିଯାଇଛନ୍ତି। ଅରିନ୍ଦମଙ୍କ ପାଇଁ ଏଇଠି ସୀମାଙ୍କ ଚ୍ୟାପ୍ଟର ଶେଷ ହୋଇ ଯାଇଥିଲା। କିନ୍ତୁ ଏତେ ବର୍ଷପରେ ସୀମା ପୁଣିଥରେ ଗାଆଁକୁ ଫେରି ତାଙ୍କୁ ଗାଆଁକୁ ଡକାଇବାର ଉଦ୍ଦେଶ୍ୟ କ’ଣ ହୋଇପାରେ? ଯେତେ ଅଙ୍କ କଷିଲେ ବି ସିଏ ଠିକ୍ ଉତ୍ତରଟା ପାଇ ପାରିଲେ ନାହିଁ। ତାପର ଦିନ ସକାଳ ଛଅଟାରେ ଘରୁ ବାହାରି ଗାଆଁରେ ସକାଳ ଦଶଟା ପନ୍ଦରରେ ପହଞ୍ଚିଗଲେ। ଅରିନ୍ଦମଙ୍କ ବାପା ମାଆଙ୍କ ଦେହାନ୍ତ ପରେ ଗାଆଁର ଘରବାରି ବିକ୍ରିକରି ସିଏ ଭୁବନେଶ୍ୱରରେ ଘର ତିଆରି କରିବା ଅନେକ ଦିନ ହେଲାଣି। ତାପରଠୁ ସିଏ ଆଉ ଥରଟେ ସୁଦ୍ଧା ଗାଆଁ ମାଟି ମାଡ଼ି ନାହାଁନ୍ତି।
ଏତେ ବର୍ଷପରେ ଆଜି ସିଏ ଗାଆଁକୁ ଆସି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ଗାଆଁର ଚିତ୍ର ପୂରାପୂରି ବଦଳି ଯାଇଛି। ଏଇଟା କ’ଣ ତାଙ୍କ ନିଜ ଗାଆଁ ଯେଉଁଠି ସିଏ ପିଲାଠୁ ବଡ଼ ହେବାଯାଏ ବଢ଼ିଥିଲେ, ପଢ଼ିଥିଲେ ଆଉ ଖେଳିଥିଲେ? ଗାଆଁର ଦେହ,ମୁହଁ ଆଉ ଆତ୍ମାରେ ଅନେକ ପରିବର୍ତ୍ତନ। ଆଜି ନିଜ ଗାଆଁକୁ ନିଜେ ଚିହ୍ନି ପାରୁ ନାହାଁନ୍ତି ଅରିନ୍ଦମ।
ଗାଆଁର ଧୂଳିଦାଣ୍ଡ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କଂକ୍ରିଟ କଳେବର। ଗାଆଁରେ ଏବେ ଗୋଟିଏ ବି ଚାଳଘର ନାହିଁ କି କୌଣସି ଘରର ମଥାନରେ ଜହ୍ନି, ବୋଇତି କଖାରୁ କି କାକୁଡ଼ି ଡଙ୍କ ମାଡ଼ିନାହିଁ। ସବୁଘର ଏବେ ପକ୍କାଘର। କୌଣସି ଘରୁ ଆଉ କାଠ ରୋଷେଇର ଧୂଆଁ ଉଠୁ ନାହିଁ। ପ୍ରତିଘରେ ନିଧୂମ ଗ୍ୟାସ୍‌ଚୁଲା। କୌଣସି ଘରେ ଆଉ କିରୋସିନ ଡିବି କି ଲଣ୍ଠନ ନାହିଁ, ପ୍ରତିଘରକୁ ଲମ୍ବିଛି ବିଜୁଳି ତାର। କୁଅରୁ ଆଉ କୌଣସି ଲଳନା ପାଣି କାଢ଼ୁ ନାହାଁନ୍ତି। କୁଅରେ ମୋଟର ଲାଗିଛି, ଘରକୁ ପାଣି ପାଇପ୍ ଯାଇଛି। ଗାଆଁରେ ଦୁଇ ତିନିଟା ମୋବାଇଲ ଟାୱାର , ପ୍ରତ୍ୟେକଙ୍କ ହାତରେ ମୋବାଇଲ ଫୋନ୍। ଘରେ ଘରେ ରଙ୍ଗିନ୍ ଟିଭି। ହଳ ଲଙ୍ଗଳରେ କାହାରି ବିଲ ଚାଷ ହେଉନାହିଁ। କଳ ଲଙ୍ଗଳରେ ଚାଷ, ଧାନ କାଟିବା ପାଇଁ ଯନ୍ତ୍ର, ଧାନ ଅମଳ କରିବା ପାଇଁ ଯନ୍ତ୍ର,ଧାନ ଉଡ଼ାଇବା ପାଇଁ ଯନ୍ତ୍ର। ଗାଆଁରୁ ଧାନକୁଟା ଢ଼ିଙ୍କି ଉଭେଇ ଯାଇଛି, କଳରେ ଧାନ ପେଶାଯାଇ ଚାଉଳ ବାହାରୁଛି। ଗାଆଁରେ କୌଣସି ଲୋକ ଆଜି ଉପାସ ରହୁନାହିଁ। ଟଙ୍କାକିଆ ଚାଉଳର ସୁଅ ଛୁଟିଛି ଗାଆଁ ଦାଣ୍ଡରେ। ଗାଆଁରେ ଟ୍ରକ୍‌,ବସ୍‌,କାର୍‌,ମୋଟର ସାଇକେଲ୍‌,ସ୍କୁଟି ବହୁଳ ଭାବେ ଆତଯାତ କରୁଚି। ଗାଆଁ ମୁଣ୍ଡରେ ଦୋକାନ ବଜାର ବସିଛି। ସହରର ଅନେକ ସୁବିଧା ଆଜି ଗାଆଁରେ ଉପଲବ୍ଧ।
ଅରିନ୍ଦମ ବିସ୍ମିତ ହେଲେ ଯେତିକି ଖୁସିହେଲେ ତାଠୁ ବେଶି। ଗାଆଁର ଅବସ୍ଥା ଏବେ ବଦଳି ବଦଳି ଚାଲିଛି। ଦିନ ଆସିବ ସବୁ ଗାଆଁ ସହର ହେବ। ଖୁସି ମିଶା ହସ ହାବୁକାଏ ତାଙ୍କ ପେଟ ଭିତରୁ ଉଠି ମୁହଁବାଟେ ପଦାକୁ ବାହାରି ଆସିଲା।
ଆଉ ବିଳମ୍ବ ନକରି ଅରିନ୍ଦମ ଆଗେଇଲେ ଆଗକୁ। ପହଞ୍ଚିଲେ ସୀମାଙ୍କ ଘର ସାମନାରେ। ତାଙ୍କ ଛାତିରେ ସିଏ ମୃଦୁ କଂପନ ଅନୁଭବ କଲେ। ଦାଣ୍ଡ ଦୁଆର ନକ୍ କରିବାର କିଛି ସମୟ ପରେ କବାଟ ଖୋଲିଲେ ସୀମା। ଏତେ ବର୍ଷ ପରେବି ସୀମାଙ୍କ ଚେହେରାରେ ସେମିତି କିଛି ପରିବର୍ତ୍ତନ ହୋଇନି। ଦେହର ରଙ୍ଗ ଆଗପରି ଚକ୍‌ମକ୍। କେବଳ ଯାହା ଅଳ୍ପ କିଛି ମାଂସ ଲାଗି ଯାଇଛି ତାଙ୍କ ଦେହର ବିଶେଷ ସ୍ଥାନମାନଙ୍କରେ ଯାହାକି ତାଙ୍କ ସୌନ୍ଦର୍ଯ୍ୟରେ କିଛି ବି ଆଞ୍ଚ ଆଣି ପାରିନାହିଁ ବରଂ ତାଙ୍କ ବ୍ୟକ୍ତିତ୍ୱକୁ ବଢ଼ାଇ ଦେଇଛି ଅନେକ।
କିଛି ସମୟ ଦୁହେଁ ଦୁହିଁଙ୍କୁ ମୁଗ୍ଦ ଦୃଷ୍ଟିରେ ଚାହିଁ ରହିଲେ। ସେଇ ବର୍ଷାଭିଜା ଦିନଟି ଦୁହିଁଙ୍କ ସ୍ମୃତିରେ ତାଜା ହୋଇ ଉଠିଲା। ଭିତରେ ଭିତରେ ଦୁହେଁ ରୋମାଞ୍ଚିତ ହେଲେ।
ପ୍ରଥମେ ଅରିନ୍ଦମ ମୁହଁ ଖୋଲିଲେ-କୁହ ସୀମା!ଏତେଦିନ ପରେ ମୁଁ କେମିତି ତୁମର ମନେ ପଡ଼ିଲି?କ’ଣ ପାଇଁ ତୁମେ ମୋତେ ଗାଆଁକୁ ଆସିବାକୁ କହିଲ?
ସୀମା ଜଡ଼ିତ କଣ୍ଠରେ ପ୍ରଶ୍ନକଲେ-ତୁମେ କିଛି ଗେସ୍ କରି ପାରୁନା ଅରିନ୍ଦମ?
କିଛି ସମୟର ମୁଗ୍ଧ ନିରବତା ପରେ ତାଙ୍କର ଉତ୍ତର ରଖିଲେ ଅରିନ୍ଦମ- ନା, କାଲି ତୁମର ଫୋନ୍ ପାଇବା ପରଠୁ ମୁଁ ଅନେକ ସମୟ ଧରି ଭାବିଛି, କିନ୍ତୁ କିଛି ଗେସ୍ କରି ପାରିନାହିଁ। କାହାର ମନ କଥା ପଢ଼ିବା ବିଦ୍ୟା ମୋତେ ଜଣା ନାହିଁ।ତୁମେ କୁହ କାହିଁକି ଡ଼ାକିଛ?
-ଏଇଠି ଏମିତି ଠିଆ ଠିଆ ଦୁଆର ମୁହଁଟାରେ କଥାହେବା ଠିକ୍ ନୁହଁ। ଘର ଭିତରକୁ ଆସ ଅରି!
-ତୁମ ଘରେ ଆଉ କିଏ ସବୁ ଅଛନ୍ତି?
ଦୁଷ୍ଟ ହସ ହସି କହିଲେ ସୀମା -ନା, କେହି ନାହାଁନ୍ତି। ତୁମେ ନିର୍ଭୟରେ ଆସ।
ଦୁହେଁ ଯାଇ ଘରର ସୋଫା ଉପରେ ବସିଲେ। ଅରିନ୍ଦମଙ୍କ ବାରଣ ନମାନି ସୀମା ନିଜେ ଯାଇ ଦୁଇ କପ୍ କଫି ନେଇ ଆସିଲେ। ଦୁହେଁ କଫି ପିଇବା ଭିତରେ ତାଙ୍କ କଥା ଆରମ୍ଭ କଲେ ସୀମା-ତୁମେ ତ ଜାଣ ଅରି! ମୁଁ ମୋ ବାପା ମାଆଙ୍କର ଏକମାତ୍ର ସନ୍ତାନ। ଆଜିକୁ ପାଞ୍ଚ ବର୍ଷ ତଳେ ମୋ ମାଆଙ୍କର ଦେହାନ୍ତ ହୋଇଗଲା। ତାର ଦୁଇ ବର୍ଷ ପରେ ବାପା ଚାଲିଗଲେ। ଘରଟା ଦୀର୍ଘଦିନ ଧରି ତାଲାପଡ଼ି ବନ୍ଦ୍ ରହିଥିଲା। ଗାଆଁର ସରପଞ୍ଚଙ୍କ ପାଖରେ ଘରର ଚାବି ଆମେ ରଖି ଯାଇଥିଲୁ। କିଛି ଦିନ ତଳେ ଘରର ଅବସ୍ଥା ବୁଝିବାକୁ ମୁଁ ଫୋନ୍ କରିଥିଲି। ସିଏ ମୋତେ କହିଲେ ଘରଟା ବ୍ୟବହାର ନକଲେ କିମ୍ବା ରକ୍ଷଣାବେକ୍ଷଣ ନକଲେ ଖରାପ ହୋଇ ଯାଉଛି। କବାଟ ଝରକାରେ ଉଈ ଲାଗିଲେଣି, ଛାତରୁ ପାଣି ଗଳିଲାଣି। ବେଶିଦିନ ଏମିତି ଅବସ୍ଥାରେ ରହିଲେ ଘରଟା ଭାଙ୍ଗି ପଡ଼ିବ।
ଏସବୁ କାମ କରିବା ପାଇଁ ମୋ ସ୍ୱାମୀଙ୍କ ପାଖରେ ସମୟ ନାହିଁ କି ଆଗ୍ରହ ନାହିଁ। ତାଙ୍କର ଦିଲ୍ଲୀରେ ଘର ଅଛି। ଶେଷ ଜୀବନରେ ସେଇଠି ରହିବାକୁ ତାଙ୍କର ଇଚ୍ଛା। କିନ୍ତୁ ମୋର ଇଚ୍ଛା ଗାଆଁରେ ରହିବା ପାଇଁ। ଗାଆଁରେ ତ ଏବେ ସହରର ସବୁ ସୁବିଧା ମିଳିଲାଣି। ଏଠି ଗହଳ ଚହଳ ଆଉ ପ୍ରଦ୍ୟୁଷଣ ଅନେକଟା କମ୍। ତେବେ ଈଶ୍ୱରଙ୍କ ଇଚ୍ଛା କ’ଣ ଅଛି କିଏ କହିବ?
ମୁଁ ଗୋଟେ ମାସ ପାଇଁ ଗାଆଁକୁ ଆସିଥିଲି। ଘର ମରାମତି କାମ ପ୍ରାୟ ଶେଷ ହୋଇ ଗଲାଣି। କାହାକୁ ଏଘରଟା ଭଡ଼ା ଦିଆଯିବ ତାହାବି ସ୍ଥିର ହୋଇ ଗଲାଣି। ମୁଁ କାଲି ଅଷ୍ଟ୍ରେଲିୟା ଫେରିଯିବି।
ଅରିନ୍ଦମ ଏଥର ପୁରୁଣା ପ୍ରଶ୍ନକୁ ଦୋହରାଇଲେ-ତେବେ ମୋତେ କାହିଁକି ଡକାଇଛ? କ’ଣ କହିବ ବୋଲି କହୁଥିଲ କୁହ।
ସୀମା ନିଜ ଭିତରେ ନିଜକୁ ପ୍ରସ୍ତୁତ କରିନେଇ କହିଲେ-ମୁଁ ଆମର ଏ ଘର ଭଡ଼ାଦେବା ପୂର୍ବରୁ ମୋ ବାପା ବୋଉଙ୍କର କିଛି ବ୍ୟକ୍ତିଗତ ଜିନିଷ , ମୋ ପଢ଼ାବେଳର କିଛି ବହିପତ୍ର, କିଛି ଡ୍ରେସ ଯେଉଁଥିରେ ମୋର ଅନେକ ସ୍ମୃତି ଯୋଡ଼ିହୋଇ ରହିଛି ସେସବୁକୁ ଭଲ ଭାବେ ଝଡ଼ାଝଡ଼ି କରି ଗୋଟେ ବଡ଼ ବାକ୍ସରେ ସାଇତି ରଖିଲି ଓ କିଛି ଅଦରକାରୀ ଜିନିଷ ବାହାର କରି ଫିଙ୍ଗିଦେଲି। ଏସବୁ କରିବା ଭିତରେ ମୋ ବାପାଙ୍କ ବାକ୍ସରୁ ମିଳିଲା ଗୋଟେ ଅମୂଲ୍ୟ ପଦାର୍ଥ। ମୋ ଆଖି ଉଜ୍ୱଳି ଉଠିଲା।
ଅରିନ୍ଦମଙ୍କ ଆଖି ବଡ଼ ବଡ଼ ହୋଇ ଗଲା। ସିଏ ପ୍ରଶ୍ନକଲେ –କ’ଣ ସେ ଅମୂଲ୍ୟ ପଦାର୍ଥ?
-ତାହା ଏମିତି ଗୋଟେ ପଦାର୍ଥ ଯାହା ମୋ ଜୀବନର ଗତିପଥକୁ ବଦଳାଇ ଦେଲା। ଏଇ ପଦାର୍ଥଟି ମୁଁ ଯଥା ସମୟରେ ପାଇଥିଲେ ମୋ ଜୀବନ ଆଜି ଏମିତି ନହୋଇ ଆଉ କିଛି ହୋଇଥାନ୍ତା।
-କୁହନା ସେ ପଦାର୍ଥଟା କ’ଣ? ଆଉ ଉତ୍କଣ୍ଠା ବଢ଼ାଅନା।
-ଖଣ୍ଡେ ଛୋଟ କାଗଜ।
-ସାମାନ୍ୟ ଖଣ୍ଡେ କାଗଜ? କୌଣସି ଦଲିଲ, ଦସ୍ତାବିଜ କି ଉଇଲ୍ ନୁହଁ?
-ନା ଅରି! ତାହା ଥିଲା ମାତ୍ର ଗୋଟିଏ ଧାଡ଼ିର ଅତିକ୍ଷୁଦ୍ର ଚିଠିଟିଏ।
-କ’ଣ କହିଲ ସୀମା! ଗୋଟିଏ ଧାଡ଼ିର ଗୋଟେ ଚିଠି?


-ହଁ,ତୁମର ମନେଥିବ ଅରି! ମୁଁ ତୁମକୁ ଆମ କଲେଜର ଶେଷ ବର୍ଷ ପରୀକ୍ଷା ସରିବା ପରେ ଗୋଟେ ଅତିକ୍ଷୁଦ୍ର ଚିଠି ଦେଇଥିଲି?
-ଏତେ ବର୍ଷପରେ ଆଉ କାହିଁକି ସେକଥା ଉଠାଉଛ ସୀମା! ସେ ଚିଠି ପାଇବା ପରେ ମୁଁ ଭୋକ ଶୋଷ ଭୁଲି ଯାଇଥିଲି। ତୁମକୁ ପାଇବା ଆଶରେ ମୁଁ ଆତ୍ମହରା ହୋଇ ଯାଇଥିଲି। କିନ୍ତୁ ପର ମୁହୂର୍ତ୍ତରେ ସେ ଖୁସି ମା ହାତକୁ ଆସିବା ଆଗରୁ ହାତରୁ ପଡ଼ି କାଚପରି ଭାଙ୍ଗି ଚୁନଚୁନା ହୋଇଗଲା। ସେ ଭଙ୍ଗା କାଚର ତୀକ୍ଷ୍ଣ ଟୁକୁଡ଼ା ସବୁ ମୋ ହଦୟକୁ କ୍ଷତାକ୍ତ କଲା। ଛାତିକୁ ପଥର କରି ମୁଁ ସେକଥାକୁ ମୋ ଛାତି ଭିତରେ ଏକ ଗହୀରିଆ ଗାତ ଖୋଳି ପୋତି ପକାଇଛି। ଏତେ ଗହୀରରେ ଥାଇ ବି ତାହା ମୋତେ ବେଳେ ବେଳେ ଅସହ୍ୟ ଯନ୍ତ୍ରଣା ଦେଉଛି।
-କିନ୍ତୁ ତୁମେ ମୋର ସେ ଚିଠିର ଉତ୍ତର ଦେଲନି। ମୁଁ ତୁମଠୁ ସେ ଚିଠିର ଉତ୍ତର ନପାଇ ମୋର ଅବସ୍ଥା କ’ଣ ହୋଇଥିବ ତୁମେ କେବେ ଭାବିଛ ଅରି?
-କ’ଣ କହିଲ,ତୁମ ଚିଠିର ଉତ୍ତର ମୁଁ ଦେଇନି? ତୁମେ ବିଶ୍ୱାସ କର ସୀମା! ତୁମ ଚିଠି ପାଇବା ଦିନ ହିଁ ମୁଁ ତୁମକୁ ତାର ଉତ୍ତର ପଠାଇ ଥିଲି। ମୋ ଉତ୍ତର ଥିଲା ମାତ୍ର ଗୋଟିଏ ଧାଡ଼ିର। ମୁଁ ସେଥିରେ ମୋର ସମସ୍ତ ଭଲପାଇବାକୁ ଢ଼ାଳି ଲେଖିଥିଲି-‘ମୁଁ ତୁମକୁ ବହୁତ ବହୁତ ବହୁତ ଭଲପାଏ ସୀମା!’ ମୁଁ କିନ୍ତୁ ମୋର ସେ ଚିଠିର ଉତ୍ତର ଆଜିଯାଏ ପାଇଲି ନାହିଁ। ମୁଁ ତୁମକୁ ଚିଠି ଦେବାର ପନ୍ଦର ଦିନ ଭିତରେ ତୁମେ ଗାଆଁ ଛାଡ଼ି ଦିଲ୍ଲୀ ଚାଲିଗଲ।
-ମୁଁ ଯେଉଁ ଅମୂଲ୍ୟ ପଦାର୍ଥଟି ପାଇଛି ତାହା ଆଉ କିଛି ନୁହେଁ ଅରି! ତାହା ତୁମର ସେଇ ଧାଡ଼ିକିଆ ଚିଠି ଯାହା ମୋ ହାତରେ ପହଞ୍ଚିବା ପୂର୍ବରୁ ମୋ ବାପାଙ୍କ ହାତରେ ହୁଏତ ପଡ଼ିଯାଇଥିଲା। ସିଏ ହୁଏତ ଚାହୁ ନଥିଲେ ଆମେ ଦୁହେଁ ପରସ୍ପରଙ୍କୁ ଭଲପାଉ ଆଉ ବିବାହ କରୁ। ସିଏ ମୋତେ ତୁମଠୁ ଅଲଗା କରିବା ପାଇଁ ମାମୁଙ୍କ ପାଖକୁ ଦିଲ୍ଲୀ ପଠାଇ ଦେଇଥିଲେ।
ସେଇ ଚିଠିଟିକୁ ଲୁହ ଡବ୍‌ଡବ୍ ଆଖିରେ କିଛି ସମୟ ଚାହି ରହିବା ପରେ ଖୁବ୍ ଇମୋସନାଲ ହୋଇ ଅରିନ୍ଦମ ପ୍ରଶ୍ନ କଲେ- କିନ୍ତୁ ଏମିତି କାହିଁକି ହେଲା ସୀମା? ତୁମେ ମୋ ଚିଠିକୁ ଓ ମୁଁ ତୁମ ଚିଠିକୁ ଅପେକ୍ଷା କରି ଆମ ଦୁହିଁଙ୍କ ଜୀବନର ଗତିପଥ କାହିଁକି ବଦଳି ଗଲା? ଆମେ କେହି କିଛି କରି ପାରିଲେ ନାହିଁ।
-ମୁଁ କିନ୍ତୁ ଗୋଟେ କଥା ବୁଝିପାରୁ ନାହିଁ ଅରି! ମୋ ଉତ୍ତରକୁ ତୁମେ କାହିଁକି ଅପେକ୍ଷା କରିଥିଲ? ମୁଁ ମୋ ଭଲ ପାଇବା ଜଣାଇ ପ୍ରଥମେ ତୁମକୁ ଚିଠି ଦେଇଥିଲି ଯାହା ତୁମେ ପାଇଛ ବୋଲି କହୁଛ। ମୋ ଭଲ ପାଇବା ବିଷୟରେ ତୁମର ଆଉ ସନ୍ଦେହ ରହିଲା କାହିଁକି?
-କିଛି ଦିନ ପର୍ଯ୍ୟନ୍ତ ତୁମଠୁ କିଛି ଉତ୍ତର ନପାଇବା ଆଉ ତୁମେ ଗାଆଁ ଛାଡ଼ି ଦିଲ୍ଲୀ ଚାଲିଯାଇ ଆଉ ଗାଆଁକୁ ନଫେରିବା ମୋ ମନ ଭିତରେ ଏକ ବିରାଟ ସନ୍ଦେହ ସୃଷ୍ଟିକଲା ସୀମା!
-କି ସନ୍ଦେହ?
– ତୁମଠୁ କିଛି ଉତ୍ତର ନପାଇବାରୁ ମୁଁ ଭାବିଲି ହୁଏତ ମୁଁ ଯେଉଁ ଚିଠିଟି ପାଇଛି ତାହା ତୁମେ ଲେଖି ନଥିଲ। ହୁଏତ ସେଇଟା ଗୋଟେ ମିଛଚିଠି ଥିଲା। ସେ ଚିଠି ଅନ୍ୟ କେହି ଲେଖି ଦେଇଥିଲା ମଜାକରିବାକୁ ଅଥବା ମୋତେ ଅପଦସ୍ତ କରିବାକୁ। ତୁମଠୁ କିଛି ଉତ୍ତର ନଆସିବା ଆଉ ଗାଆଁଛାଡ଼ି ତୁମେ ଦିଲ୍ଲୀ ଚାଲିଯିବା ମୋର ଏ ସନ୍ଦେହକୁ ଅଧିକରୁ ଅଧିକ ଦୃଢ଼ିଭୂତ କଲା। ମୁଁ ଯେତେବେଳେ ଗାଆଁକୁ ଆସେ ତୁମ ସ୍ମୃତି ମୋତେ ବହୁତ କଷ୍ଟଦିଏ। ତେଣୁ ଗାଆଁରେ ଥିବା ଆମର ଏକମାତ୍ର ସଂପତ୍ତି ଘର ଆଉ ବାରି ମୁଁ ବିକ୍ରି କରିଦେଇଛି। ସେଇଥି ପାଇଁ ମୁଁ ତୁମକୁ କହିଥିଲି ମୋର ଗାଆଁ ଅଛି,କିନ୍ତୁ ଘର ନାହିଁ।
ସୀମା ଦୁଇ ହାତରେ ଅରିନ୍ଦମଙ୍କ ଦୁଇ ହାତକୁ ଜାବୁଡ଼ି ଧରି କାନ୍ଦ କାନ୍ଦ କଣ୍ଠରେ କହିଲେ-ମୁଁ ତୁମକୁ ଭଲପାଏ ଅରି!ମୋ ମନ ଭିତରେ ତୁମେ ହିଁ ଆସନ ପାରି ବସିଛ। ତୁମ ପ୍ରତି ମୋ ଭଲ ପାଇବା ଭରପୂର ହୋଇ ରହିଛି। ଜଣେ ନାରୀର ମନ ଚକଡ଼ାଏ ଓଦାମାଟି ପରି ସେଥିରେ ଯାହାର ପ୍ରଥମ ପାଦଚିହ୍ନ ପଡ଼େ ତାହା ସାରା ଜୀବନ ପାଇଁ ତୈଳଚିତ୍ରଟିଏ ପରି ଆଙ୍କି ହୋଇଯାଏ, ଯାହା କଦାପି ମଳିନ ପଡ଼େନା କି ଲିଭି ଯାଏନା। ତୁମେ ବିଶ୍ୱାସ କର ଅରି! ମୁଁ ମୋ ସ୍ୱାମୀଙ୍କୁ ବିବାହ କରିଛି ସତ କିନ୍ତୁ ମୋ ମନଟା ତୁମ ପାଖରେ ଏବେ ବି ବନ୍ଧା ପଡ଼ିଛି। ସେଇଥି ପାଇଁ କି କ’ଣ ମୁଁ ଆଜି ପର୍ଯ୍ୟନ୍ତ ମାଆ ହୋଇ ପାରିନି। ଛାଡ଼ ସେକଥା। ଆମେ ଦୁହେଁ ପରସ୍ପର ଅନ୍ତରଙ୍ଗ ବନ୍ଧୁ ହୋଇ ସାରା ଜୀବନ ରହିବା।
ଅରିନ୍ଦମ ଅବାକ୍ ହୋଇ ଅନେକ ସମୟ ପର୍ଯ୍ୟନ୍ତ ସୀମାଙ୍କୁ ଅନାଇ ରହିଥିଲେ।

18 thoughts on “ଅନୁତ୍ତରିତ ଚିଠି

  1. ସୁନ୍ଦର ଗଲ୍ପ ଟିଏ। ଉତ୍କଣ୍ଠା ଓ ଆବେଗ ଗପଟିରେ ଶେଷ ପର୍ଯ୍ୟନ୍ତ
    ଜୀବନ୍ତ ରହି ପାଠକ କୁ ଧରି ରଖିବାକୁ ସକ୍ଷମ ।

    1. ଆପଣଙ୍କ ସୁନ୍ଦର ମତାମତ ପାଇଁ ଧନ୍ୟବାଦ ବ୍ରଜବାବୁ!

  2. True, this is female psychology…a woman can’t rub out her first love. Man. is no different. Nothing surprising in two one-line letters to keep the flame of longing alive in two lovelorn souls. Love can be stated in one line…even a word…or more precisely without a word being said. Thanks Mr Pahi…a good job done…

    1. I am thankful to you for your valuable comments on my short story Anuttarit.

  3. An unforgettable experience took the shape of short story which touched me a lot Iam thanking the author .

    1. Many thanks Jaladhar babu for your valuable comments on my short story.

  4. ଚମତ୍କାର ଉପସ୍ଥାପନା।ଏକା ନିଶ୍ବାସରେ ପଢ଼ିଦେଲି।ହୃଦୟସ୍ପର୍ଶୀ ତଥା ରୋମାଞ୍ଚକର।

  5. “ମୁଁ ତୁମକୁ ଭଲପାଏ ଅରିନ୍ଦମ” – ସୀମା (ଏକ କ୍ଷୁଦ୍ର ଉପନ୍ୟାସର ନାୟିକା !) ଙ୍କ ପାଖରୁ ପ୍ରାପ୍ତ ଏହି ରୋମାଣ୍ଟିକ ଶଦ୍ଦଭରା ପ୍ରଥମ ଚିଠିଟିକୁ ଛୁଇଁ ଖୁସିରେ ନାଚି ଉଠିଥିବା ନାୟକ ପ୍ରତ୍ୟୁତ୍ତର ଚିଠିରେ ଲେଖିଦେଲେ – “ମୁଁ ତୁମକୁ ବହୁତ ବହୁତ ଭଲପାଏ ସୀମା ! ” ଏବଂ ଉତ୍ତର ପଦେ ପାଇବା ପାଇଁ ଆଠ ଦିନ ଅପେକ୍ଷା କରିବା ପରେ ମନରେ ପ୍ରଶ୍ନ କଲେ – ଗୋଟିଏ ଗାଁରେ ଦୁଇଜଣଙ୍କ ଘର ତଥାପି ଚିଠି ଆସିବାରେ ଏତେ ବିଳମ୍ବ ? – ଏ ସ୍ଵାଭାବିକ ପ୍ରଶ୍ନରେ ନାୟକଙ୍କର ଦୁଃଖର ଛିଟା ସ୍ପଷ୍ଟ !
    “ମୁଁ ଯେତେବେ ଗାଁ କୁ ଆସେ ତୁମ ସ୍ମୃତି ମୋତେ ବହୁ କଷ୍ଟ ଦିଏ। ତେଣୁ ଗାଁରେ ଥିବା ଆମର ଏକମାତ୍ର ସମ୍ପତ୍ତି ଘର ଆଉ ବାରି ମୁଁ ବିକ୍ରି କରି ଦେଇଛି ।” – ଏହା ଏକ ବିଫଳ ପ୍ରେମିକର ଦୁଃଖ ବିଜଡ଼ିତ ସ୍ୱର ।
    “ମୁଁ ମୋ ସ୍ବାମୀଙ୍କୁ ବିବାହ କରିଛି ସତ କିନ୍ତୁ ମୋ ମନଟା ତୁମ ପାଖରେ ଏବେ ବି ବନ୍ଧା ପଡ଼ିଛି । ସେଇଥି ପାଇଁ କି କ’ ଣ ମୁଁ ଆଜି ପର୍ଯନ୍ତ ମାଆ ହୋଇ ପାରିନି ।” – ପହିଲି ଓ ଅଭୁଲା ପ୍ରେମ- ଅଭିଳାଷଟିର ଅପରିପୂର୍ଣ୍ଣତା ହିଁ ଦାୟୀ ହୁଏ ନାୟିକାଙ୍କ ଶୁଦ୍ଧ ସରଳ, ସ୍ଵାଭାବିକ ପରବର୍ତ୍ତୀ ଜୀବନରେ ସୃଷ୍ଟି ହୋଇଥିବା ଏହିଭଳି ପ୍ରଳୟ ପାଇଁ । Our sweetest songa are those that tell of saddest thought – ଏହି ଆଧାରରେ ଗଳ୍ପଟି ସୁମଧୁର ତଥା ମନଛୁଆଁ ହୋଇପାରିଛି ।
    ସାହିତ୍ୟିକ ଶ୍ରୀ ଆନନ୍ଦ ଚନ୍ଦ୍ର ପହିଙ୍କର ଏହି ଭଳି ଅଦ୍ୱିତୀୟ ଗଳ୍ପ- ଉପନ୍ୟାସଟି ଆମର ରହୁ ।

    1. ଗଳ୍ପଟି ଆପଣଙ୍କ ମନକୁ ଛୁଇଁଲା ଜାଣି ମୁଁ ଖୁସିହେଲି। ମୂଲ୍ୟବାନ ମତାମତ ପାଇଁ ଅଶେଷ ଧନ୍ୟବାଦ ବଂଶୀଧର ବାବୁ!

  6. ବହୁତ ସୁନ୍ଦର ଓ ମନଛୁଆଁ ଗଳ୍ପ। ସତ ଘଟଣା ପରି ଲାଗିଲା।

Leave a Reply

Your email address will not be published. Required fields are marked *