ବରେଣ୍ୟ ସାହିତ୍ୟ-ସାଧକ ମନୋଜ ଦାସ ଶେଷରେ ସ୍ମୃତିର ଇଲାକାକୁ ଅବତରିତ ହୋଇଗଲେ। ଏହାକୁ କେବଳ ଜଣେ ଯୋଗଜନ୍ମା ଲେଖକଙ୍କ ଦେହାବସାନ ନୁହେଁ, ବରଂ ଆମ ସାହିତ୍ୟ ଜଗତରେ ଏକ ସ୍ଵର୍ଣ୍ଣିମ ଯୁଗର ଅବସାନ ବୋଲି ମଧ୍ୟ କୁହାଯାଇପାରେ।
ସେ ଥିଲେ ସାହିତ୍ୟରେ ଏକ ନିଆରା ଧାରାର ପ୍ରତୀକ। କାରଣ ତା’ଙ୍କ ରଚନାର ଭାବ, ଶୈଳୀ ଓ ଗାଳ୍ପିକତା ସବୁକିଛି ଥିଲା ଅନନ୍ୟ। ଉଭୟ, ଇଂରାଜୀ ଏବଂ ଓଡ଼ିଆ ସାହିତ୍ୟର ‘ଫିକ୍ସନ୍’ ବିଭାଗକୁ ସେ ଏକ ନୂଆ ମୋଡ ଦେଇଥିଲେ। ସେଥିରେ ପାଠକକୁ ଆଚମ୍ବିତ କରିଦେବାଭଳି ଯେ କେବଳ ଏକ ମନୋମୁଗ୍ଧକର ଉପାଦାନ ରହୁଥିଲା ତା’ନୁହେଁ, ବରଂ ତାହା ପାଠକର ଉଚ୍ଚତର ଚେତନାର ସ୍ତରକୁ ସ୍ପର୍ଶ କରୁଥିଲା। ଯୁଗଯୁଗ ଧରି କରିିବ ମଧ୍ୟ, କାରଣ ତାଙ୍କ ଅନବଦ୍ୟ ସୃଷ୍ଟିର ବିକଳ୍ପ ନାହିଁ।
ସେ ଥିଲେ ଜଣେ ନିରବ ସାଧକ। ପ୍ରସିଦ୍ଧି, ପୁରସ୍କାର ବା ସମ୍ମାନ ଆଦିର ଆବିଳତାଠାରୁ ସେ ନିଜକୁ ରଖିଥିଲେ ବହୁ ଉର୍ଦ୍ଧ୍ବରେ। ପରିଚୟ ଓ ପ୍ରସିଦ୍ଧିର ଅଭିଳାଷଠାରୁ ନିଜକୁ ଦୂରେଇରଖି ପଣ୍ଡିଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରେ ଋଷି-ସୁଲଭ ଜୀବନଯାପନ କରୁଥିଲେ।
କିନ୍ତୁ ତା’ଙ୍କ ସୃଷ୍ଟିର ମହକ ଦିଗବିଦିଗ ବ୍ୟାପିଯିବା ପରେ ଖ୍ୟାତି ଓ ସ୍ବୀକୃତି ଆପଣାଛାଏଁ ତାଙ୍କର ଚରଣ ସ୍ପର୍ଶ କଲା। କୌଣସି ପୁରସ୍କାର ତାଙ୍କର ମହତ୍ବ ବଢାଇନଥିଲା, ବରଂ ତାଙ୍କୁ ସମ୍ମାନିତ କରି ପୁରସ୍କାରମାନେ ନିଜର ଗାରିମା ବଢାଇଥିଲେ।
ତଥାପି କେଜାଣି କାହିଁକି ଅବଶୋଷ ହୁଏ, ଏ ଜାତି ଜୀବଦ୍ଦଶାରେ ତାଙ୍କୁ ଯଥାଯଥ ସ୍ବୀକୃତି ଦେଇପାରିଲା କି? କାହିଁକି ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନରେ ଓଡ଼ିଆଏ ଅନ୍ତରାୟ ହେଲେ? କାହିଁକି ନୋବେଲ୍ ପୁରସ୍କାର କମିଟିକୁ ତାଙ୍କ ନାମ ସୁପାରିଶ ହେବା ପରେ ମଧ୍ୟ ଏଥିପାଇଁ ସମର୍ଥନ ମିଳିଲାନାହିଁ? ସାର୍ ଏ କଥା କେବେ ମନକୁ ଆଣିନାହାନ୍ତି। କାରଣ ସେ ଥିଲେ ଜଣେ ନିର୍ଲିପ୍ତ ସାଧକ। କିନ୍ତୁ ତାଙ୍କର ମୁଗ୍ଧ ପାଠକ ଓ ପ୍ରଶଂସକଙ୍କ ପାଇଁ ଏହା ଥିଲା ଏକ ଅସମାହିତ ପ୍ରଶ୍ନ।
ଏହି ପ୍ରବାଦ-ପୁରୁଷଙ୍କ ଅନୁପମ ସୃଷ୍ଟିରାଜି ଯୁଗଯୁଗ ଧରି ସାହିତ୍ୟ ଜଗତକୁ ଉଦବୁଦ୍ଧ କରୁଥାଉ, ଏହା ହିଁ କାମନା।
ଅମର ସାହିତ୍ୟ ପ୍ରତିଭା ଙ୍କ ଆତ୍ମାର ସଦଗତି କାମନା କରୁଛି।
ପ୍ରଭୂ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ।ଓଁ ଶାନ୍ତି!
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର ମନୋଜ ଦାସଙ୍କୁ ସର୍ବଭାରତୀୟ ସ୍ତରରେ ଜ୍ଞାନପୀଠ କିମ୍ବା ସେପରି ଆଉ କିଛି ପୁରସ୍କାର ନମିଳିବା ଆମର ଦୁର୍ଭାଗ୍ୟ। ଆପଣଙ୍କ କହିବା ଅନୁସାରେ ମନୋଜ ଦାସଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟର ଏକ ସୁବର୍ଣ୍ଣ ଯୁଗର ଅବସାନ ଘଟିଲା। ତାଙ୍କ ଅମର ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି।
ମନୋଜ ଦାସଙ୍କ ସମ୍ବନ୍ଧରେ ଆପଣଙ୍କ ଉଚ୍ଚକୋଟୀର ଉପସ୍ଥାପନା ମୁଗ୍ଧ କଲା।ସେ ଥିଲେ ପାଠକ ହୃଦୟର ସମ୍ରାଟ।ପୁରସ୍କାରର ବହୁ ଉର୍ଦ୍ଧ୍ବରେ ଶ୍ରୀ ଦାସ।
ପରମ ପୂଜ୍ୟ ସାହିତ୍ୟ ସାଧକ ଶ୍ରୀ ମନୋଜ ଦାସଙ୍କ ଦେହାନ୍ତ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି. ବିଶ୍ୱ ସାହିତ୍ୟକୁ ତାଙ୍କର ଅବଦାନ ଚିର ସବୁଜ ଓ ସ୍ୱାହାର୍ଦ୍ୟର ଯେଉଁ ବାର୍ତା ଦେଇଛି, ସେଥିପାଇଁ ସେ ସବୁଦିନ ହୃଦୟରେ ପୂଜା ପାଉ ଥିବେ. ଅମର ଆତ୍ମାର ସଦ୍ଗତି କାମନା କରୁଛି. 🙏
ସାହିତ୍ୟ ଜଗତର ଜଣେ ପ୍ରଥିତଯଶା ଅପରାଜେୟ ସେନାପତି
ହେଉଛନ୍ତି ଶ୍ରୀ ମନୋଜ ଦାସ ମହୋଦୟ । ଦେହାବସାନ ଘଟିଛି ତାଙ୍କର । ହେଲେ -ସେ ତ କାଳଜୟୀ ପୃଥିବୀର ଜାତି ଇତିହାସେ ।ତାଙ୍କ ଦ୍ଵାରା ସୃଷ୍ଟ ସମସ୍ତ ସୃଷ୍ଟି ଚେତନାର ଜାଗରଣ ଅର୍ଥେ ଏକ ଦିଶାରି ଭଳି କାର୍ଯ୍ୟ କରିବ । ବାରବାର ପ୍ରଣମୁଛି ସେହି ଅସାଧାରଣ ସ୍ରଷ୍ଟାଙ୍କର ଶ୍ରୀ ଚରଣ କମଳେ।