ମନୋଜଶ୍ରୀ – ଯୋଗଜନ୍ମା ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଶାନ୍ତ ଭୂୟାଁ (ପ୍ରଭୂ)

  • ପ୍ରଶାନ୍ତ ଭୂୟାଁଙ୍କ କଲମରୁ ଚିର-ନମସ୍ୟ ମନୋଜ ଦାସଙ୍କ ପାଇଁ ୨୭ଟି ସ୍ମୃତି ସ୍ତବକ :-

॥ ୦୧ ॥
ସେ ଆମ ଗହଣରେ ଚାଲନ୍ତି ଥିରିଥିରି ପଦପାତରେ; ଧରଣୀ ରାଣୀ ହସେ। ସେ ତୁନି ତୁନି କଥା କୁହନ୍ତି; ମଳୟ ଝୁଙ୍କିପଡ଼େ କାନଡେରି। ସେ ଟହଟହ ହୋଇ ହସନ୍ତି, ଖୋଲା ହସ; ମନ-ପ୍ରାଣ-ଆତ୍ମା ତୃପ୍ତି ହୋଇଯାଏ। ସେ ହସ, କଥା ସବୁ ଚାରିଆଡ଼େ ଖେଳେଇ ହୋଇ ଯାଆନ୍ତି କୁଳୁକୁଳିଆ ନଈଟିଏ ପରି।

ଅଶୀଏ ବର୍ଷର ଚଳନ୍ତି ଇତିହାସ, ସାହିତ୍ୟ ଜଗତର ପ୍ରାୟତଃ ୬୬ ବର୍ଷର ଅନବଚ୍ଛିନ୍ନ ଅତିସର୍ଗ ସାହିତ୍ୟ ସାଧନାର ମୂଳପିଣ୍ଡ। ସାହିତ୍ୟ , ସମାଜପ୍ରେମ, ସଂଗ୍ରାମ, ସତ୍ୟ, ସଂସ୍କୃତି, ସଭ୍ୟତାର ନିଖୁଣ ଛବିଟିଏ ସେ। ମନ-ପ୍ରାଣ-ହୃଦୟରେ ସଭିଙ୍କୁ ସାହିତ୍ୟ-ଦର୍ଶନର କାଉଁରୀ କାଠିରେ ଛୁଇଁନେଲା ପରି ସଜାଗ ପ୍ରାଣଟିଏ। ଭାଷାରେ ଗରୀୟାନ, ବର୍ଣ୍ଣନାରେ ଅଦ୍ଭୁତପୂର୍ବ, କଳ୍ପନାରେ ଅନନ୍ୟ; ତାଙ୍କର ଶାଶ୍ୱତ ସୃଜନ। ଜୀବନଶୈଳୀ ଶାନ୍ତ, ସ୍ନିଗ୍‌ଧ, ଶୁଦ୍ଧ ଓ ସରଳ। ତ୍ୟାଗ ଓ ଚେତନାର ଅମୃତମୟ ଜୀବନଟିଏ।

ଚାଲନ୍ତୁ ଆଜି ତାଙ୍କରି ବିଷୟରେ କିଛି କହିବି; ବଢ଼େଇଚଢ଼େଇ ନୁହେଁ। ତାଙ୍କର ସ୍ୱୟଂସାଧିତ ପରାକାଷ୍ଠାର ସୃଜନକୁ ନେଇ ନୁହେଁ। ତାଙ୍କୁ ଇଚ୍ଛା ନଥିବା ନାନା ରୂପରେ ଚିତ୍ରିତ କରି ନୁହେଁ। ବରଂଚ ଗୋଟିଏ ସାଧାରଣ ମଣିଷର ସୁନ୍ଦର ଚିନ୍ତାଧାରାକୁ ନେଇ ଜଣେ ଭଦ୍ର, ଅମାୟିକ, ସୁସଭ୍ୟ, ସହଜଲଭ୍ୟ ମଣିଷ ଭଳି ମଣିଷଟିଏକୁ।

ଜୀବନର ଦିନଚର୍ଯ୍ୟାରେ ବିସ୍ମରି ଯାଆନ୍ତିନି ତୁମ ଆଉ ମୋ ଭଳି ନିମିତ୍ତ ମାନବସମୂହକୁ। ଏତେ ସମ୍ମାନ ଆଉ ଜନପ୍ରିୟତାର ଶିଖରରେ ତାଙ୍କୁ ଆଜି ସଂସାର ପହଞ୍ଚେଇ ଦେଇଥିଲେ ମଧ୍ୟ ସେ ଆମ ଗହଣରେ ଅତି ସରଳ ଆଉ ନିରାଡ଼ମ୍ବର ହୋଇ ରହିବାକୁ ଭଲ ପାଆନ୍ତି। ତାଙ୍କୁ କେହିକେହି ଭଗବାନ କହୁଥିଲେ ମଧ୍ୟ ସେ ସବୁର ପରତେ ନଯାଇ ଅଥବା ଗର୍ବରେ ଫାଟି ନପଡ଼ି ଦିବ୍ୟଚେତନାର ଭଗବତ୍ ବାଣୀ କୁହନ୍ତି ଆଉ ଐଶ୍ୱରୀୟ ମାନବିକତାରେ ବ୍ରତୀ ରୁହନ୍ତି ସେ।

ଏଇମିତି କଥାତ ହଜାରେ ଅଛି କହିବାକୁ, ଲେଖିବାକୁ ଆଉ ଶୁଣିବାକୁ। ହେଲେ ଚାଲନ୍ତୁ ମୋ ଆଉ ତୁମ ଭିତରର କଥାରେ ତାଙ୍କ କଥା କହିବି। ମୁଁ ଶୁଣେଇବି ମୋ ଜନ୍ମଦିନର କଥା ଅଳପ। ସେଇଦିନ ବଡ଼ି ସକାଳୁ ଦୂରଭାଷରେ ଡାକିଥିଲି। ମନରେ ଉତ୍କଣ୍ଠା, ଆଗ୍ରହ; ସଦାବେଳ ପରି। ଅପରପ୍ରାନ୍ତରୁ ଭାଷି ଆସିଲା ସେଇ ମଧୁର ସ୍ୱର। କହିଲି…

“ସାର୍‌, ନମସ୍କାର; ପ୍ରଶାନ୍ତ କହୁଥିଲି…ଟରୋଣ୍ଟୋରୁ।”

“ଆରେ, ପ୍ରଶାନ୍ତ ବାବୁ…ନମସ୍କାର…ନମସ୍କାର। ଓହୋ…ଏତ ଅତି ଆନନ୍ଦର କଥା। ମୁଁ ଗତକାଲି ସନ୍ଧ୍ୟାରେ ଆପଣଙ୍କ ବିଷୟରେ ହିଁ ଭାବୁଥିଲି। ସବୁ ଭଲ ତ !”
“ଆଜି ମୋର ଜନ୍ମଦିନ ସାର୍‌; ସେଇଥି ପାଇଁ ଆପଣଙ୍କ ଆଶୀର୍ବାଦ ନିମନ୍ତେ ଡାକ ଦେଲି।”

ତା’ପରେ ଆଶୀର୍ବାଦ ଓ ଶୁଭେଚ୍ଛା ସହ ଏଇମିତି କଥା ଆରମ୍ଭ ହୋଇଥିଲା। ଆଶୀଷର ଫୁଲ ଚାଙ୍ଗୁଡ଼ିଟିଏ ପାଇଁ ଡାକଦେଇଥିଲି। ପୂରା ପତ୍ରପୁଷ୍ପଫଳ ଭରା ବଗିଚାଟିଏ ପାଇଥିଲି।

ମୁଁ ଜାଣିବା ଦିନଠୁଁ ସେ କୌଣସିଥିରେ ବାଦବିବାଦ କରିନାହାନ୍ତି ହେଲେ ତାଙ୍କ ସହ ହୋଇଥିବା ଅହେତୁକ ପକ୍ଷପାତିତାକୁ ନେଇ ତର୍କବିତର୍କର ଝଡ଼ ଉଠିଛି; ତାଙ୍କ ଅଜାଣତରେ। ସେ ତ୍ୟାଗର ମହାନ ଆଦର୍ଶଟିଏ ହେଲେ ତାଙ୍କର କିଛି ନପାଇବାକୁ ନେଇ ଅନେକ ପ୍ରଶ୍ନବାଚୀ। ସେ ନିଜକୁ ସରଳ ଆଉ ନିରାଡ଼ମ୍ବର ବୋଲି ନିତିପ୍ରତି ସାବ୍ୟସ୍ତ କରିଚାଲିଛନ୍ତି ହେଲେ କେତେଜଣ ଗୁଣମୁଗ୍‌ଧ ପାଠକ ତାଙ୍କୁ ଭଗବାନ ବୋଲି ଅଭିହିତ କରିଛନ୍ତି। ହେଲେ ମୁଁ ଜାଣେ ସେ ଏଇ ମାୟା ଆଉ ଅଳିକ ମୋହରୁ ଅନେକ ଉର୍ଦ୍ଧ୍ୱରେ। ତାଙ୍କ ହସ ହିଁ କଥା କୁହେ, କଥା ସବୁ ବିସ୍ତରୀ ଯାଏ ଦୂରଦିଗନ୍ତକୁ। କଥାରେ ଦର୍ଶନ ଆଉ ଦିବ୍ୟଭାବ, ଲେଖାରେ ସାହିତ୍ୟର ଜୟଯାତ୍ରା, ମାନବୀୟତାରେ ପରିପୂର୍ଣ୍ଣ ପ୍ରାଣଟିଏ।

ସେ ସାଧୁ ବି ଆଉ ସୁଧା ବି,
ସେ ଶୁଦ୍ଧ ବି ଆଉ ସିଦ୍ଧ ବି,
ସେ ସିଧା ବି ଆଉ ଶ୍ରଦ୍ଧା ବି;
ସେ ଜଣେ
ସାଧକ,
କଥାଶିଳ୍ପୀ,
ଦିଗ୍‌ଦର୍ଶକ,
ସାହିତ୍ୟ ସ୍ରଷ୍ଟା,
ଦାର୍ଶନିକ,
ସଙ୍ଗୀତପ୍ରେମୀ,
ପ୍ରାତଃସ୍ମରଣୀୟ;
ଏକାଧାରରେ ସେ;
ଶ୍ରୀ ମନୋଜ ଦାସ

॥ ୦୨ ॥

ଯେଉଁ ବ୍ୟକ୍ତିବିଶେଷ ଗର୍ବ, ଅହଙ୍କାର , ହିଂସା, ଇର୍ଷା, ଦ୍ବେଷ ଓ ଅହମିକାରେ ମଦମତ୍ତ ହୋଇ ନିଜକୁ ସାହିତ୍ୟସାଧକ ରୂପେ ପରିଚୟ ଦିଅନ୍ତି, ତାହା ନିଶ୍ଚିତ ରୂପେ ହାସ୍ୟାସ୍ପଦ।
ଆଉ, ମୁଁ କହିବି ଯେ ମନୋଜଶ୍ରୀଙ୍କ ସାହିତ୍ୟ ସାଧନା ଏହି ଅଳିକ ମୋହମାୟା ଠାରୁ ବହୁତ ଉର୍ଦ୍ଧ୍ୱରେ।
ମନୋଜ ସାହିତ୍ୟ ହେଉଛି ଜୀବନ ଦର୍ଶନ ଏବଂ ତତ୍ତ୍ବଜ୍ଞାନ ର ଏକ ଗନ୍ତାଘର।
ମନୋଜ ସାହିତ୍ୟ ଜୀବନ ସାଧନର ଏକ ଉତ୍ତମ ମାର୍ଗ।

॥ ୦୩ ॥

ମୋ ଦୃଷ୍ଟିରେ ‘ମନୋଜାୟନ’

:
ମହାନ କଥାକାର ହେବାକୁ ସ୍ବପ୍ନ ବା କଳ୍ପନାବିଳାସୀ କଦାଚିତ ନୁହଁ ବରଂ ସତ୍ୟପ୍ରିୟ ଓ ତତ୍ତ୍ବ ବିବେଚନାର ପାରଦର୍ଶିତା ଥିବା ଯେ କେତେ ଯୁଗୋପଯୋଗୀ ଏହାର ଏକ ନିଚ୍ଛକ ଆଲୋଚନା “ମନୋଜାୟନ”।

ନୋ :
ନୋଳି ନୋଥ ନଥିଲେ ନାକର ବା ଶିରୀ କାହୁଁ ରହନ୍ତା?
ଆଜି ଆମର ଓଡ଼ିଆ ସାହିତ୍ୟ ର ନାକର ଶିରୀକୁ ମନୋଜ ରୂପକ ନୋଳି ଯେମନ୍ତ ଶ୍ରୀମୟ କରିପାରିଛି ଏହା ଅବା କିଏ ନ ସ୍ୱୀକାରିବ?

ଜା :
ଜାତି – ଧର୍ମ – ବର୍ଣ୍ଣ ନିର୍ବିଶେଷରେ ଶ୍ରୀ ମନୋଜ ଦାସ ଏକ ସଫଳସ୍ରଷ୍ଟା।
ପିଲାଠାରୁ ବୁଢ଼ାଯାଏଁ , ଅଜ୍ଞାନ ଠୁଁ ଜ୍ଞାନୀ ଗୁଣୀ ପର୍ଯ୍ୟନ୍ତ ଏବଂ ଗାଁ ରାଜ୍ୟ ଦେଶରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ମୋହାଚ୍ଛନ୍ନ କରି ରଖିପାରିଛନ୍ତି ନିଜର ସାହିତ୍ୟ ଜ୍ଞାନର ଯାଦୁରେ।

:
ୟତ୍ର – ତତ୍ର – ସର୍ବତ୍ର ଏହି ମହାନ ସାହିତ୍ୟ ସାଧକଙ୍କ ଜୟ ଜୟକାର ଯେ ” ଅଢ଼େଇ ଦିନିଆ” ନୁହଁ ଏହା ତାଙ୍କର ସମସାମୟିକ ଶତ୍ରୁ ଓ ମିତ୍ର ଉଭୟେ ନତମସ୍ତକରେ ସ୍ୱୀକାରିବେ।
ଚନ୍ଦନ ବୃକ୍ଷରେ କୁଠାରାଘାତ କଲେ ଯେ କୁରାଢ଼ୀକୁ ହିଁ ସୁବାସ ପ୍ରାପ୍ତହୁଏ ଏହାତ ସର୍ବଜନବିଦିତ ।
ଏଣୁ ଏହି ସରଳ – ନିଷ୍ପାପ – ସଚ୍ଚୋଟ ବ୍ୟକ୍ତିତ୍ବଙ୍କର ଯେ କିଏ ଶତ୍ରୁ ଥିବେ ଏହା ମୋର କଳ୍ପନାତୀତ।

:
ନମସ୍ୟ ଶ୍ରୀ ମନୋଜ ଦାସ ସମସ୍ତ ସୁଧୀ ସାହିତ୍ୟପ୍ରେମୀମାନଙ୍କର ଏବଂ ଆମେ ଚିରଋଣୀ ଏହି ମହାନ ବ୍ୟକ୍ତିତ୍ବଙ୍କର, ଏହାଙ୍କ ଅବଦାନ ପାଇଁ।
ସେ ଜଣେ
ଗୁରୁ,
ସାଧକ,
ସାହିତ୍ୟ ସ୍ରଷ୍ଟା,
ଦାର୍ଶନିକ,
ସଙ୍ଗୀତ ପ୍ରେମୀ
ଏକାଧାରରେ
ସେ
ଶ୍ରୀ ମନୋଜ ଦାସ

॥ ୦୪ ॥
ପ୍ରଥମରୁ ହିଁ ମୁଁ କହିଆସୁଛି ଯେ,
ସୂର୍ଯ୍ୟଙ୍କୁ ଦୀପ ଦେଖାଇ ଚିହ୍ନାଇବା ହାସ୍ୟାଷ୍ପଦ ବ୍ୟାପାର।
ଏଣୁ,
ମନୋଜ ସାହିତ୍ୟକୁ କୌଣସି ପ୍ରତିଷ୍ଠିତ ଅନୁଷ୍ଠାନର ଛାୟା ଆବଶ୍ୟକ ନାହିଁ।
ମନୋଜ ସାହିତ୍ୟ ଆମକୁ ଏକ ଉନ୍ନତ ଚିନ୍ତାଧାରାରେ ବ୍ରତୀ କରାଇ , ଏକ ଦିବ୍ୟତ୍ବ ପ୍ରଦାନ କରୁ।
ଏହା ହିଁ ସାହିତ୍ୟର ଭାବ, ଏହା ହିଁ ଜୀବନ ଦର୍ଶନର ଏକ ନିଛକ ଉଦାହରଣ।
ଏହି ଭାବ ଆମକୁ ମହତ୍ତତର କରାଇବାରେ ନିଶ୍ଚୟ ଦେବାଶିଷ ତୁଲ୍ୟ।
ମନୋଜ ସାହିତ୍ୟ ଅତୀତରୁ ବର୍ତ୍ତମାନ ଏବଂ ବର୍ତ୍ତମାନରୁ ଭବିଷ୍ୟତ ତଥା ଆମର ପରବର୍ତ୍ତୀ ଯୁଗର ସାହିତ୍ୟପ୍ରେମୀମାନଙ୍କ ପାଇଁ ଏକ ଜ୍ୟୋତିଷ୍କ ତୁଲ୍ୟ।

॥ ୦୫ ॥
ମନୋଜଶ୍ରୀ ,
ଜଣେ ଭାଷାର ଧନୀ ଓ ଭାବର ଗୁଣୀ ଅଟନ୍ତି, ଏଥିରେ ସନ୍ଦେହର ଅବକାଶ ନାହିଁ।
ଜୀବ ବିଜ୍ଞାନୀଟିଏ ମୁଁ,
ଜୀବନର ରହସ୍ୟ ଖୋଜିଛି ଜୀବକୋଷ ଭିତରେ, ଅତୀବ ଗହନ ସେ ରହସ୍ୟ ଜୀବ ଓ ଜୀବନର; ଜାଣିଛି। ଗୁରୁଜୀଙ୍କର ସାହିତ୍ୟ ସର୍ଜ୍ଜନା ମଧ୍ୟ ଭାଷାକୋଷର ଏକ ପାରାବାର, ବିଚିତ୍ର ସେ ଆକଳନ।
ଯେତେବେଳେ ସେହି ଲେଖା ପଢ଼ିଛି, ତା ଭିତରେ ମନ ପ୍ରାଣ ଓ ଆତ୍ମା ଏକାକାର ହୋଇ
ସଦାବେଳେ କିଛି ଖୋଜିବାରେ ଲାଗିଛନ୍ତି ଓ ତା’ଠାରୁ ଅଧିକ ସଂଗହ କରିଛନ୍ତି।

ପିଲାଦିନୁ ଗର୍କି, ମୋପାସାଁ, ଓ ହେନେରୀ, ଆର୍ . କେ. ନାରାୟଣ ପ୍ରଭୃତିଙ୍କ ଲେଖା ପଢିଛି ଏବଂ ସେ ସବୁର ପରଶ ମୋତେ ଅଭିଭୂତ କରିଛନ୍ତି। ଆମ ଭାଷାରେ ମନୋଜ ଗୁରୁଜୀଙ୍କ ଲେଖା ପଢ଼ିବାପରେ ମୋର ଭାବଧାରାର ଦୃଢ଼ତା ଆହୁରି ହୋଇଛି ଯେ ଆମ ଓଡ଼ିଆ ସାହିତ୍ୟ ସେହି ସବୁ ଅମରକୃତିକୁ ନେଇ ଆହୁରି ସମୃଦ୍ଧ ହୋଇପାରିଛି ଏହା ହିଁ ସତ୍ୟ। ଏଥିରେ ଦ୍ବିରୁକ୍ତି ନାହିଁ।

॥ ୦୬ ॥
ଗୁରୁଦେବ
ମୋର ଭକ୍ତିପୂତ ପ୍ରଣାମ ଜଣାଇ ଏହି ପତ୍ର ର ପ୍ରାରମ୍ଭ କରୁଛି। ଲେଖାଜନିତ ତ୍ରୁଟି ଥିଲେ ମାର୍ଜ୍ଜନା କରିବା ହେବେ। ମୋ ଭଳି ଅକିଞ୍ଚନକୁ ଆପଣଙ୍କର ଅମୂଲ୍ୟ ସମୟ ଦେଇଥିବାରୁ ମୁଁ ମୋର ସହୃଦୟ କୃତଜ୍ଞତା ଜ୍ଞାପନ କରୁଅଛି। ଆପଣଙ୍କ ସହ ସ୍ବଳ୍ପ ସମୟର କଥାବାର୍ତ୍ତା ମୋ ପାଇଁ ଯେ କେତେ ଅମୂଲ୍ୟ ଥିଲା, ସେହି ଭାବକୁ ଏଠି ଭାଷାରେ ପ୍ରକାଶ କଲାଭଳି ଜ୍ଞାନ ମୋର ନାହିଁ। ସେତେବେଳେ ଭାବ ବିହ୍ବଳିତ ହୋଇ ପଡ଼ିଥିଲି ଏବଂ ଗୋଟିଏ ଥରରେ ସବୁ ଭାବନା ଶବ୍ଦ ହୋଇ ବାହାରକୁ ଆସିବାର ଯେଉଁ ଉପକ୍ରମ କରୁଥିଲେ ସେଥିରେ ଗଳାଟା ମଧ୍ୟ ଭାରୀ ହୋଇଯାଇଥିଲା।

ନିଜର ଭାଗ୍ୟକୁ ସେତେବେଳେ ବିଶ୍ବାସ କରିଥିଲି ଏବଂ ଆପଣଙ୍କର ଅମୃତମୟ ସ୍ବରଶବ୍ଦମାନ ମୋର ସ୍ନାୟୁତନ୍ତ୍ରୀ ସବୁକୁ ସକ୍ରିୟ କରି ସାରା ଶରୀରଟାକୁ ରୋମାଞ୍ଚରେ ଭରିଦେଇଥିଲା। ଏଣୁ ଶବ୍ଦ ସଂଯୋଜନାରେ ଏହି ସମୟଟାକୁ “ମୂହୁର୍ତ୍ତ” କୁହନ୍ତି । ମୋ ପାଇଁ ଏହି ମୂହୁର୍ତ୍ତ ଯେ କେତେ କଳ୍ପନାସମଗ୍ର ଥିଲା ତାହା କେବଳ ମୁଁ ହିଁ ଏକାନ୍ତରେ ଅନୁଭବ କରିପାରୁଥିଲି। ଆପଣଙ୍କର ସ୍ବର ଥିଲା ସ୍ନେହବୋଳା, ଶବ୍ଦସମୂହ ଥିଲା ଶୁଦ୍ଧ, ଭଙ୍ଗୀ ଥିଲା ସରଳ ଆଉ କଥାଥିଲା ସାବଲୀଳ।
୨୨ବର୍ଷର ଶିକ୍ଷକତାର ଅଭିଜ୍ଞତା ଗୋଟିଏ ମୂହୁର୍ତ୍ତରେ ଭୂଲି, ଆପଣଙ୍କର ଛାତ୍ର ହେବାର ଦୂର୍ବାର ଆଗ୍ରହ ଜାଗୃତ ହୋଇସାରିଥିଲା। ଆପଣଙ୍କ ତେଜୋଦୀପ୍ତ ପୁରୁଷାର୍ଥର ପରମ ଅନୁଗ୍ରହ ପାଇବାର ଏକ ଅଦମ୍ୟ ଚିନ୍ତା ଓ ଚେତନା ମୋତେ ଅନୁପ୍ରେରିତ କରିବାରେ ଲାଗିଥିଲା। ଅତି ନିଜର ଭଳି, ଧୀର ଭାବରେ ଓ ସ୍ଥିରଚିତ୍ତରେ କଥାବାର୍ତ୍ତା ହେଉଥିଲେ।
ଏହି ସବୁ ଅନୁଭବ ମୁଁ କଥା ଆକାରରେ କେବଳ ଆପଣଙ୍କୁ ହିଁ କହିପାରିବିନି ତ ଆଉ କାହାକୁ କହିବି? ଏ ଅନୁଭବ କୁ ବୁଝିବ ବା କିଏ? କାରଣ ଏହି ନିଛକ ସତ ପାଇଁ, ଦୁଇଜଣଙ୍କର ଆବଶ୍ୟକ, ଜଣେ ଯେ ସତ କୁ କହିପାରିବ ଆଉ ଜଣେ ସେ, ଯେ ସତଟାକୁ ଶୁଣି ହୃଦୟଙ୍ଗମ କରିପାରିବ। ଏଇମିତି ଥରେ ଅଧେ କଥା ଦୁଇପଦ ହେଲେ ଯଦି ଏତେ ଆତ୍ମସନ୍ତୋଷ, ତାହାହେଲେ ମୁଁ ସଦାସର୍ବଦା ଆପଣଙ୍କ ମୁଖନିଃସୃତ ମଧୁରବାଣୀ ଶ୍ରବଣାଭିଳାଷୀ ହୋଇ ରହିଥିବି।
ମୋର ତଥା ସପରିବାରେ ଆପଣଙ୍କ ଆଶୀଷ ରହିଥାଉ।
ନମସ୍କାର ଜଣାଇ ରହୁଅଛି।

॥ ୦୭ ॥

ହେ ମନୋଜ
ଚିତ୍ରରେ ଚରିତ୍ର, ଚରିତ୍ରର ଚିତ୍ର,
ସମାଜ ଆହୁଲା, ସଂସାର ବହିତ୍ର।

କବିଙ୍କ ମାନସ, ଶବ୍ଦର ଜଗତ,
ଭାବ ଓ ତତ୍ତ୍ବରେ ଭାଷା ଜର୍ଜ୍ଜରିତ।

ମନ ଏ ବିହଙ୍ଗ, ଆତ୍ମାରେ ଉଲ୍ଲାସ,
ପାଠକ ଜାଣଇ ଏ ଅମୃତରସ।

ଧନ୍ୟହେ ମନୋଜ, ହେଲି ଅଭିଭୂତ,
ତୁମର ଲେଖନୀ , ଆତ୍ମାରେ ପ୍ଳାବିତ।

॥ ୦୮ ॥

ହେ ମନୋଜ

ମନୋଜ ସାହିତ୍ୟ ସରସ ସୁନ୍ଦର
ସଭିଙ୍କ ମରମ ଛୁଏଁ।
ମନ ପ୍ରାଣ ଆତ୍ମା ଶୁଦ୍ଧ ହୋଇଯାଏ
ପଢ଼ନ୍ତୁ ସୁଧି ସଭିଏଁ।।

ପିଲାଠାରୁ ବୁଢ଼ା ପୁର ପଲ୍ଲୀ ରାଜ୍ୟ
ବ୍ୟାପିଯାଉ ଏ ସାହିତ୍ୟ।
ଜ୍ଞାନକୋଷ ତଥ୍ୟ ଭାବ ଲୟ ତତ୍ତ୍ବ
କାଳଜୟୀ ଏହା ସତ୍ୟ।।

॥ ୦୯ ॥
ହେ ମନୋଜ
ହଁ,
ଆମ ଗାଁ ଗଗନରେ ଏସନ ସମ୍ଭବ,
ଆକାଶର ନକ୍ଷତ୍ର ଓ ପ୍ରମତ୍ତ ସାଗର ।
ଘନରାତି ଆସନ୍ନ ଝଡ଼ ସମୁଦ୍ର କଲ୍ଲୋଳ
ନିଶୀଥ ଜହ୍ନ ଆଉ ଅଜବ ଧ୍ବନି ମୋ ଗାଁର।।

ଏହା ଅନୁଭବି ଲେଖେ ସେଇ ମନୋଜଶ୍ରୀ ,
ଯିଏ ହୃଦୟରୁ ଶବ୍ଦ ଆଉ ଭାବ ତୋଳିକରି।
ଲେଖନୀରୁ ଝରାଇ ଦୁଇ ଟୋପା କାଳି,
ଅନ୍ତରକୁ ଦୁହିଁ ଦେଇ, ଆତ୍ମାକୁ ସଙ୍ଖୋଳି।।

॥ ୧୦ ॥

ହେ ମନୋଜ
ଦେଖ ସେ ଚାହାଣୀ, କରୁଣିମା ଠାଣି
ବଦନ ପ୍ରସନ୍ନ ସ୍ମିତହାସ୍ୟ,
କାହିଁକି ନୋହିବ, ଭବେ ଯେ ଲଭିଛି
ଅମୃତ ଜ୍ଞାନ ସାହିତ୍ୟ।

ସକଳ ଜନରେ ଆତ୍ମତୃପ୍ତି ଦେଇ
ପୀୟୁଷ ଢ଼ାଳନ୍ତି ସେହି,
ଶ୍ରୀ ଜଗନ୍ନାଥଙ୍କ କରୁଣାବାରିରେ
ସଦା ସୁଖୀ ଥାନ୍ତୁ ହୋଇ।

॥ ୧୧ ॥
ହେ ମନୋଜ
ମନୋଜ ସାହିତ୍ୟ ଅତି ସୁଲଳିତ
ଭାଷା ଅତି ସାବଲୀଳ
ମନୋଜଶ୍ରୀଙ୍କ ସାନିଧ୍ୟ ପାଇଲେ
ମନ ହୁଅଇ ନିର୍ମଳ।

ତାହା ପ୍ରତିକ୍ଷଣ ଅନୁଭବୀ ମନ
ସଦା ପ୍ରଫୁଲ୍ଲିତ ହେବ ,
ଦିନ ବିତିଯିବ ଅନୁସ୍ମରି ସଦା
ସ୍ନେହଭାବ ରହିଥିବ।

ସାହିତ୍ୟର ସୁଧା ଝରି ଚାଲିଥିବ
ପୀପାସା ଚିତ୍ତରେ ଆମେ ,
ପାନ କରୁଥିବା ଯୁଗ ପରିଯନ୍ତେ
ଜିଜ୍ଞାସା ଥାଉ ଏ ପ୍ରାଣେ।

॥ ୧୨ ॥
ହେ ମନୋଜ

କହିବି କି ଗୁଣ ତାଙ୍କର। ସେତ ଶତତ ମହତ ଉଦାର।।
ସାହିତ୍ୟ ସୁଧାର ଖଣିଟିଏ। ଏ ଅଗାଡ଼ି ଭିତରେ ମଣିଟିଏ।।
ଭାବ ବର୍ଣ୍ଣିବାକୁ ଭାଷା ନାହିଁ। ମୋ ଅନୁଭବର ସତ ଏହି।।
ସେଭଳି ହୃଦୟ ମନ କଥା। ଶୁଣିଲେ ନ ରହଇ ବ୍ୟଥା।।

॥ ୧୩ ॥
ହେ ମନୋଜ
ଦେଖିଜାଣି ପଢ଼ିଅଛି କେତେକେତେ ଲେଖକ ପ୍ରବର
ଭାଷା ଛନ୍ଦ ରାଗ ଜ୍ଞାନ ପ୍ରଗାଢ଼ ତ ଅଛଇ ତାଙ୍କର।

କଲମ ମୁନରେ କେତେ ସାହିତ୍ୟର କୋଣାର୍କ ବିରାଜେ
ରୋମମୂଳ ଟାଙ୍କୁରୀ ଉଠଇ ମନ ପ୍ରାଣ ହୃଦୟ ଗରଜେ।

ମନୋଜ ଦାସଙ୍କ ଏବେ ପଢୁଅଛି ଦର୍ଶନ ସାହିତ୍ୟ
ଶିଶୁଗଳ୍ପ ଲୋକକଥା କିମ୍ବଦନ୍ତୀ ଭ୍ରମଣ ଅନେକ।

॥ ୧୪ ॥
ହେ ମନୋଜ
ବିଶ୍ୱସାହିତ୍ୟ ଜଗତେ ଅଟନ୍ତି ସେ କଥାର ସମ୍ରାଟ
ଓଡ଼ିଆ ଗର୍ବଗୌରବ ଭାରତର ସାହିତ୍ୟ ନାୟକ।

ପ୍ରତିପଦେ ପ୍ରତିଭାବେ ଜୀବନର ନିଚ୍ଛକ କାହାଣୀ
ଧନୀନିର୍ଧନ ଜ୍ଞାନୀଅଜ୍ଞାନ ହେଉ ଅବା ରାଜାରାଣୀ।

ଯେବେଯେବେ ସାହିତ୍ୟର ଇତିହାସ ପୃଷ୍ଠା ଖୋଲାଯିବ
ହେ ମନୋଜ! ତୁମ ଶବ୍ଦସାହିତ୍ୟର ଝଙ୍କାର ଶୁଭିବ।

॥ ୧୫ ॥
ହେ ମନୋଜ
ଶୈଶବରେ ସୁଲଳିତ, ଯୌବନରେ ବୈପ୍ଲବିକ ବାର୍ତ୍ତା
ଆଜୀବନ ସାହିତ୍ୟରେ ବ୍ରତୀ ଐଶ୍ୱରୀୟ ଦର୍ଶନର କଥା।

ଜୀବନର ନିତ୍ୟ ମଧୁରାଗ ସାମାଜିକ ଚେତନାର ବାଣୀ
ଆଦର୍ଶର ଫଲ୍ଗୁ ବହେ, ଥାଏ ସେଠି ହୃଦୟ କାହାଣୀ।

ତୁମ୍ଭ ଗଳ୍ପ, ଉପନ୍ୟାସ, ଆଲୋଚନା, ତତ୍ତ୍ୱ ଦର୍ଶନର
ସରଳ ସାବଲୀଳ ଆଉ ସୁନ୍ଦର କବିତା, ଆଃ କି ମଧୁର!

॥ ୧୬ ॥
ହେ ମନୋଜ
‘ଭାରତର ଆତିଥ୍ୟ’, ‘ବିପୁଳାଚ ପୃଥ୍ୱୀ’ ଆଉ ‘ଅମୃତର ଫଳ’
‘ଅରଣ୍ୟ ଉଲ୍ଲାସ’, ‘ଗୋଧୂଳୀର ବାଘ’ ଅବା ‘କବିତା ଉତ୍କଳ’।

‘ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ’ ତଥା ‘ଦୂର ଦୂରାନ୍ତର’
‘ତନ୍ଦ୍ରାଲୋକର ପ୍ରହରୀ’ ‘ଆବୁପୁରୁଷ’ ଏବଂ ‘ଲକ୍ଷ୍ମୀର ଅଭିସାର’।

‘ଅନ୍ତରଙ୍ଗ ଭାରତ’ ‘ବୁଲ୍।ଡ଼ୋଜର୍ସ୍’ ‘ଅଜଣାର ଅନ୍ୱେଷଣ’
‘ସାଧନା ଓ ସଙ୍କେତ’ ‘ଉପକଥା ଶତକ’ ଆଉ ‘ପ୍ରଭଞ୍ଜନ’।

॥ ୧୭ ॥
ହେ ମନୋଜ
କିଶୋର ହୃଦରେ ସାହିତ୍ୟ ସ୍ପନ୍ଦନ ‘ଶତାବ୍ଦୀର ଆର୍ତ୍ତନାଦ’
‘ବିପ୍ଲବୀ ଫକୀରମୋହନ’ ରଚନା ‘ଦିଗନ୍ତ’ ପ୍ରାୟେ ସମ୍ବାଦ।
‘ସମୁଦ୍ରର କ୍ଷୁଧା’ ‘ଜୀବନର ସ୍ୱାଦ’ ’ବିଷକନ୍ୟାର କାହାଣୀ’
ସାମ୍ୟବାଦ ସହ ରାଜନୀତି ଜ୍ଞାନ ଐତିହାସିକ ସମ୍ମିଳନୀ।

ପ୍ରତିଜ୍ଞାର ସାଥୀ ପ୍ରତିଜ୍ଞା ମୂରତି ପ୍ରତିଷ୍ଠା ‘ଯୁଗରୂପା’ର
ଏକ ‘ଦିଗନ୍ତ’ର ପୁନର୍ଜୀବନରେ ଦିଗନ୍ତ ହୁଏ ଆନର।

॥ ୧୮ ॥
ହେ ମନୋଜ
‘ଆରଣ୍ୟକ’ ପାଇଁ ‘ଡଗର’ ସହିତ ‘ଓଡ଼ିଶା ସାହିତ୍ୟ ଏକାଡେମୀ’
ପ୍ରଥମ ଇଂରାଜୀ ଗଳ୍ପର ପ୍ରକାଶ ସମ୍ବାଦ ସ୍ତମ୍ଭର ଶୁଭ କାହାଣୀ।

ପ୍ରଜାତନ୍ତ୍ର ଆଉ ସାମ୍ବାଦିକତା ସହ ପୁରସ୍କାର ବିଶ୍ୱଯାତ୍ରା
‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ବିଜୟୀ ତୁମ ‘କାହାଣୀ ଓ କଥା’।

‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’ ବିଜୟୀ‘ଶାରଳା ସମ୍ମାନ’
ଇଂରାଜୀ ମାସିକ ‘ଦି ହେରିଟେଜ’ର ଉଚ୍ଚକୋଟିର ସମ୍ପାଦନ।

॥ ୧୯ ॥
ହେ ମନୋଜ

‘ବିଷୁବ ପୁରସ୍କାର’ ‘ସାହିତ୍ୟ ଭାରତୀ’ ‘ବାପାସି’ରେ ସମ୍ମାନିତ
‘ପଦ୍ମଶ୍ରୀ’ ‘ସରସ୍ୱତୀ ସମ୍ମାନ’ ‘ଉତ୍କଳ ରତ୍ନ’ ଉପାଧି ଭୂଷିତ।

ଅତିବଡ଼ୀ ଜଗନ୍ନାଥ ଦାସ, ଉତ୍କଳ ଆଉ କୋଣାର୍କ ସମ୍ମାନ
ପୁସ୍ତକ ମେଳା ମଉଡ଼ମଣି, ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ ପ୍ରାଣ।

ହେ କଳା ପରମ ଭୂଷଣ, ବିଦ୍ୱାନ ସାହିତ୍ୟ ଏକାଡ଼େମୀ ଗୌରବ
ସଶ୍ରଦ୍ଧ ସାହିତ୍ୟ ସେବା ଭାରତୀୟ ଭାଷା ପରିଷଦ ସୌରଭ।

॥ ୨୦ ॥
ହେ ମନୋଜ
ସରଳ ଜୀବନ, ସୁନ୍ଦର ରଚନା ସାବଲୀଳ ତୁମ ସାହିତ୍ୟ ଭାଷା
ମନ୍ତ୍ରମୁଗ୍ଧକର ତୁମ ଶବ୍ଦଶୈଳୀ ନୁହଁଇ ଲେଖକ ତୁମ ସରିସା।

ଓଡ଼ିଆ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ସମତୁଲ ପରାକାଷ୍ଠା ରଚନା
ସମଗ୍ର ବିଶ୍ୱରେ ଅନେକ ଭାଷାରେ ଅନୁଦିତ ତୁମ ସୃଷ୍ଟି ସର୍ଜ୍ଜନା।

ଧନ୍ୟ ଅଟଇ ସେ ଶଙ୍ଖାରୀ ଗ୍ରାମ ଅହୋଭାଗ୍ୟ ଜିଲ୍ଲା ବାଲେଶ୍ୱର
ଧନ୍ୟ ପିତା ମଧୂସୂଦନ, ଧନ୍ୟ କାଦମ୍ବିନୀ ଦେବୀ ତୁମ ଉଦର।

॥ ୨୧ ॥
ହେ ମନୋଜ

ପିଲାଦିନୁଁ ଅତି ରୁଚି ରଖି ଆସିଅଛି ଓଡ଼ିଆ ସାହିତ୍ୟେ
ମନଲାଖି କିଛି ପଢ଼ିଦେଲେ ପୂରିଯାଏ ମନ ପ୍ରାଣ କେତେ।

ସାହିତ୍ୟ ରଚନା ଶୈଳି ସହ ଦେଖି ତୁମ ଶବ୍ଦର ସଂଯୋଗ
ମନେ ଆଙ୍କେ ଚିତ୍ରପଟ୍ଟ ହେ ପୂଜ୍ୟ ଲେଖକ ମହାଭାଗ!

ଭାଷା ସଂଯୋଜନା ଆଉ ଲେଖନୀର ଅପୂର୍ବ ବିନ୍ଧାଣୀ
ଅଦ୍ଭୁତ କଳ୍ପନା ଆଉ ରୋମାଞ୍ଚକ ଅମର କାହାଣୀ।

॥ ୨୨ ॥
ହେ ମନୋଜ
ଏ ବୟସେ ଦୂର ଦେଶେ ପାଇଲି ମୁଁ ଅହୋଭାଗ୍ୟ ବଳେ
ଭାତୃତୁଲ୍ୟ ବନ୍ଧୁବର୍ଗ ଆଉ ମନୋଜ ସାହିତ୍ୟ ଯୁଗଳେ।

ମଧୁର ବଚନ ଶ୍ରବଣ ଦୂରଭାଷ ମଧ୍ୟେ କର୍ଣ୍ଣ ଡେରି
ଆହା କି ସସ୍ନେହ ଭାବ, ପାଇଲି ମୁଁ ସତେ ଶତଶିରୀ !

ଅହଂ ଅଭିମାନରେ ସ୍ପର୍ଦ୍ଧିତ କେତେ ଲେଖକ ଦେଖିଛି
ହେଲେ ତୁମ ଆତ୍ମୀୟ ଭାବ ଯେ ପାଏ ସେ ସିନା ବୁଝିଛି।

॥ ୨୩ ॥
ହେ ମନୋଜ

ସେ ଦିନର ଦୁଇପଦ, ସେ ଅମୃତବୋଳା ସସ୍ନେହ ସେ କଥା
ଗଭୀର ପୀଡ଼ାରେ ଥାଇ ଆହା କେ ଶୁଣନ୍ତା? ନ ରହନ୍ତା ବ୍ୟଥା!

ଅତି ନିକଟରେ ଅତି ପରିଚିତ, ଭାଇ ବନ୍ଧୁ କୁଟୁମ୍ବ ପରାୟେ
ଦୁଃଖସୁଖ କେତେହେଲି ଭଲମନ୍ଦ କେତେସବୁ ପଚାରିଲେ ହାଏ!

ସାହିତ୍ୟ ଜ୍ଞାନୀପଣ୍ଡିତ କେତେକେତେ ନମାଡ଼ନ୍ତି ମଣିଷର ଛାଇ
ହେଲେ ଏହି ମାନଗର୍ବ କେଭେହେଁ ମନୋଜଶ୍ରୀରେ ଦେଖିନାହିଁ।

॥ ୨୪ ॥
ହେ ମନୋଜ
ମାର୍ଜ୍ଜିତ ଉତ୍ତର ଆଉ ସମାଦରେ ଉଲ୍ଲସିତ ଆମ୍ଭ ବାର୍ତ୍ତା ପାଇ
ମନ ହୃଦ ଆତ୍ମା ଜାଣି, ସରାଗରେ ଦୁଇପଦ ପଚାରନ୍ତି ସେହି।

ମହାଜ୍ଞାନେ ମହାଜ୍ଞାନୀ କରିଥାନ୍ତି ସମାନ୍ତରେ ସାହିତ୍ୟ ସାଧନା
ଶାନ୍ତ ସ୍ନିଗ୍ଧ ସେ ମୁଖ ମଣ୍ଡଳ ସଦା ହ୍ବନ୍ତି ସାଧକରେ ଗଣା।

ପରମେଶ୍ୱରଙ୍କ କେବେ କେଉଁଠାରେ ଯଦି ଭେଟହେବ ଭାଇ
ମାଗୁଣୀ କରିବି ମନୋଜଶ୍ରୀଙ୍କୁ ଆମ୍ଭ ଆୟୁ ଦିଅ ହେ ସାଇଁ!

॥ ୨୫ ॥
ହେ ମନୋଜ
ଅମର ସାଧକ, ବରେଣ୍ୟ ଲେଖକ ହେ ଯଶସ୍ୱୀ ମହାଜ୍ଞାନୀ
ତୁମ୍ଭର ପ୍ରେରଣା, ଆଶୀଷ କରୁଣା ଥାଉ ଆହେ ଶବ୍ଦଧନୀ।

ଅଗ୍ରଗଣ୍ୟ ସୃଷ୍ଟି ଚେତନାରେ ଧନୀ ଲେଖନୀ ସକ୍ରିୟ ଥାଉ
ଏ ସାରା ସଂସାର ପାଠକ ସମାଜ ସଦା ଉଦ୍‌ବୃଦ୍ଧ ହେଉ।

ହେ ମନୋଜ ! ତୁମ ସାହିତ୍ୟ ଶାଶ୍ୱତ ତୁମ ଲେଖନୀ ଅମର
ତୁମ ସୁମରଣେ, ତୁମ୍ଭର ଚରଣେ ପ୍ରଭୂ ନତକରେ ଶିର।

॥ ୨୬ ॥
ହେ ମନୋଜ
ପ୍ରଭାତ ଆଳତୀ ପକ୍ଷୀର କାକଳୀ ଆଉ ଶୁଭେ ଘଣ୍ଟନାଦ
ସାହିତ୍ୟ ଶ୍ରଦ୍ଧାରେ ସୁଧୀ ବୁଧ ସର୍ବେ ହ୍ୱନ୍ତି ପଢି ଗଦଗଦ।

ତୁମ୍ଭ ଆଶିଷରେ ଲଭିଅଛୁ ଆମ୍ଭେ ଏହି ସୁଖମୟ ପ୍ରାଣ
ତୁମ ଶ୍ରଦ୍ଧା ପାଇଁ ସରବେ ଏକାଠି ସାହିତ୍ୟରେ ଆତ୍ମା ମନ।

ହେ ମନୋଜ! ହେଉ ତୁମ୍ଭର ସାଧନା ଜନ୍ମ ଶତତ ସଫଳ
ଯୁଗବ୍ୟାପି ଯଶ ଥିବ, ସାଧନା ଯେ ହୋଇଛି ସଫଳ।

॥ ୨୭ ॥
ହେ ମନୋଜଶ୍ରୀ
ବରେଣ୍ୟ ସାଧକ,
ମହାନ କଥାଶିଳ୍ପୀ,
ପ୍ରାତଃସ୍ମରଣୀୟ ଦିଗ୍‌ଦର୍ଶକ,
ଯୋଗଜନ୍ମା ଅମର ସାହିତ୍ୟ ସ୍ରଷ୍ଟା।

ଆପଣଙ୍କ ସାହିତ୍ୟ-ଜୀବନ-ଦର୍ଶନରେ ଏହି ଅକିଞ୍ଚନ ଆଜି ଅବବୋଧରେ ଆତ୍ମହରା।

ଆପଣ ଓଡ଼ିଆ ସାହିତ୍ୟର ଗୌରବ ଆଉ ଏକ ଦୁର୍ମୂଲ୍ୟ ମଣି,
ଆପଣଙ୍କ ସାହିତ୍ୟ ସେବା ଆଉ ଅମରସୃଷ୍ଟି
ଆମ୍ଭମାନଙ୍କୁ ଏହି ଭଳି ସଦା ସର୍ବଦା ଅମୃତ ପ୍ରଦାନ କରୁଥାଉଁ।
ସାରସ୍ୱତ ଓ ଶାଶ୍ୱତ ଭକ୍ତି ସେବା ଜ୍ଞାନର ଏକ ସ୍ରୋତସ୍ୱିନୀ ଧାରଟିଏ ଆପଣ,
ଏଣୁ ଆପଣଙ୍କ ସାହିତ୍ୟ ଦର୍ଶନ ପାଠ ହିଁ ଆମ୍ଭପାଇଁ ଏକାନ୍ତ ପାଥେୟ।
ଆପଣଙ୍କ ଅମରଆତ୍ମା ନିମନ୍ତେ ମୋର କୃତାଞ୍ଜଳି
ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ସହ
‘ପ୍ରଭୂ’

5 thoughts on “ମନୋଜଶ୍ରୀ – ଯୋଗଜନ୍ମା ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

  1. ଖେପା ଖେପା ସତେଇଶ ଖେପା ଜାଲ ପକାଇଛନ୍ତି ମନୋଜ ସାଗରରେ …କେତେବେଳେ କିଛି ମାଛ ତ କେତେବେଳେ କିଛି ଶାମୁକା ..କେତେବେଳେ ନିରୋଳା ବାଲି ଗରଡ଼ା । କିନ୍ତୁ ସବୁ ସେହି ସାଗରର କଥା କୁହନ୍ତି … ସୁନ୍ଦର ସ୍ମୃତିଚାରଣ ପ୍ରଶାନ୍ତ ଭାଇ

    1. Dhanyavad Ajay babu, kintu abasos rahigala Manoj Dasnku Gyanpitha miliparilani boli.

  2. ପ୍ରଥିତଯଶା ସାରସ୍ବତ ସାଧକ ଦିବଂଗତ ମନୋଜ ଦାସଙ୍କ ସଂପର୍କରେ ଶ୍ରୀମାନ ପ୍ରଶାନ୍ତ ଭୂୟାଁ ରଚନା କରିଥିବା ସ୍ମୃତି ସ୍ତବକଗୁଡ଼ିକ ପଢି ଅତୀବ ପ୍ରୀତ ହେଲି।ପୂର୍ବସୂରୀ ସ୍ମରଣ ହେଉଛି ସଭ୍ୟତାର ପରିମାପକ। ପ୍ରଶାନ୍ତ ବାବୁ ମନୋଜ ଦାସଙ୍କ ସଦୃଶ ଜଣେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଓଡ଼ିଆ ସୂରୀଙ୍କୁ ସ୍ତବକ ମାଧ୍ୟମରେ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ ତା’ଙ୍କୁ ଆନ୍ତରିକ କୃତଜ୍ଞତା ଅର୍ପଣ କରୁଛି।

  3. ସ୍ମୃତି-ଉଚ୍ଛ୍ବାସ ଉଜ୍ଜୀବନ
    କାର୍ଯରେ ଦେଲେ ‘ପ୍ରଭୂ’ ମନ
    ହୋଇଲା ଭାବ ବିଚ୍ଛୁରଣ
    ଅମୃତ ହୋଇଲା ମରଣ !
    ଜୀବର ଅବସାନ ପରେ
    ଭାବ ତ କେବେ ବି ନ ସରେ !

  4. ବିଶିଷ୍ଟ କଥାକାର ମନୋଜ ଦାସଙ୍କୁ ଅତି ଉଚ୍ଚକୋଟୀର ସ୍ମୃତି ତର୍ପଣ ବାଢିଥିବାରୁ ପ୍ରଶାନ୍ତ ବାବୁଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *