- ଛୋଟ ଭାଇ ପେଟୁ ସବୁ ପିଇ ଯିବ, ବେବୀକୁ ମିଳିବ ଜମାରୁ ଧାପେ । – ଆମ କୁନି ପାଠକଙ୍କ ପାଇଁ ମଜାଳିଆ କବିତାଟିଏ ।
ଦଶହରା ଲାଗି ଆସିଛି ନଡ଼ିଆ
ରୁମ ରୁମ ସବୁ ହୋଇଛି ସଫା
ଚାରୋଟି ନଡ଼ିଆ ପିଟା ହେବ ଆଜି
ହାତ ଗୋଡ ଧୋଇ ଆସିଲେ ବାପା
ବୋଉ ଟାଣିଦେଲା ଆଙ୍ଗୁଳିରେ ଗାର
କାଣି ଆଙ୍ଗୁଳିରେ ନେଇକି ପାଣି
ଗୋଲ ଗୋଲ ହୋଇ ଫାଟିବ ନଡ଼ିଆ
କୋରିବାକୁ ଆଉ କଷ୍ଟ ହେବନି
ଠାକୁର ଖାଇବେ ନଡ଼ିଆ ସବୁକୁ
ନଡ଼ିଆ ପାଣିରେ ଛୁଆଙ୍କ ଆଶ
ବେବୀ ବସିଥିଲା ବଡ଼ କଂସା ଧରି
ଛୋଟ ଭାଇ ହାତେ ଗୋଟେ ଗିଲାସ
ବାପା ପିଟିଦେଲେ ପ୍ରଥମ ନଡିଆ
ଲଗାଇ ତାଙ୍କର ଯେତେକ ବଳ
ପାଣି ଗାର ନିଜ ଜାଗାରେ ରହିଲା
ନଡିଆ ହୋଇଗଲା ତିନି ଫାଳ
ବୋଉ କହୁଥିଲା ‘ଭଲ ମଣିଷ’ ହେ
କେଉଁ କାମ ତୁମକୁ ଆସେ ନାହିଁ
କେମିତି ପିଟିଲ ନଡ଼ିଆ ହୋ ତୁମେ
ପାଣି ଯେତେକ ସବୁ ଗଲା ବୋହି
ବୋଉ ପିଟୁଥିଲା ନଡ଼ିଆ ଗୋଟିଏ
କଥା ଶୁଣେନାହିଁ ଖାଏ ପାହାର
କେତେ ବେଳେ ଯାଇ ଟିକେ ଫାଟିଗଲା
ବୁନ୍ଦା ବୁନ୍ଦା ପାଣି ଆସେ ବାହାର
ସବୁ ମିଶାଇଲେ ଗିନାଏ ହେବନି
ବେବୀ ତା କଂସାର ଗହୀର ମାପେ
ଛୋଟ ଭାଇ ପେଟୁ ସବୁ ପିଇ ଯିବ
ବେବୀକୁ ମିଳିବ ଜମାରୁ ଧାପେ
ବହୁତ ସୁନ୍ଦର ହେଇଛି। ଜୟ ଜଗନ୍ନାଥ।
ଅନେକ ଧନ୍ୟବାଦ!
Sishu mananka pai gotie sundar kabita.
ଧନ୍ୟବାଦ, ଏହି ଟିପ୍ପଣୀ ପାଇଁ !
Short , nice and focused….
Thank you for these lovely remarks!
ସୁନ୍ଦର ଅନୁପମ ଅନୁଭବ ।ଧନ୍ୟବାଦ କବି 🙏🏼🙏🏼🌍
ଧନ୍ୟବାଦ, ଏହି ଅଭିମତ ପାଇଁ ।