ଚୋର ଓ ସାଧୁ

  • ସାଧୁ ଏଭଳି ଜଣେ ଲୋକ ଖୋଜୁଥିଲେ। ରାଧୁଆକୁ ହାତପାହାନ୍ତାରେ ପାଇ ଛାଡନ୍ତେ କିପରି? – କୁନି ପାଠକଙ୍କ ପାଇଁ ଲେଖକ ଏଠାରେ ପ୍ରସ୍ତୁତ କରିଛନ୍ତି ଶିକ୍ଷାପ୍ରଦ ଗଳ୍ପଟି
ଅନନ୍ତ ଚରଣ ସ୍ଵାଇଁ

ଚୋରିକରିବାରେ ରାଧୁ ବେଶ ଧୁରନ୍ଧର। ଆଖ ପାଖ ଦଶପଡାରେ ତାକୁ ସମସ୍ତେ ଚୋର ବୋଲି ଜାଣନ୍ତି। ଟାହୁଲି ଟାପରା କରି କୁହନ୍ତି-ଦେଖରେ, ଏତେ ବଡ ଭେଣ୍ତିଆଟାଏ, ଖଟିଲେ, ଖାଇବାକୁ ପେଟ ନିଅଣ୍ଟ।  ସେଥିରେ ପୁଣି ଚୋରି କରୁଛି? ଅଲାଜୁକଟା! ଦେଖୁନ! କିପରି ଛାତି ଫୁଲେଇ ଗାଁ ଦାଣ୍ତରେ ଚାଲୁଛି। 

ଏସବୁ  କଥାକୁ ରାଧୁଆ କାନ ଦିଏନି।  ଚୋରି ଭଲ ତ ସିଏ ଭଲ।  ଏବେ ନିଜ ଧନ ସମ୍ପତ୍ତିର ସୁରକ୍ଷା ପାଇଁ ଲୋକେ ସତର୍କ ହେଲେଣି।  ବାହାରେ ଲୁଗାଟିଏ ଶୁଖାଇଲେବି, ତାକୁ ଜଗିବସୁଛନ୍ତି।  ଲୋକଙ୍କ ସତର୍କତା ହେତୁ, ଚୋରି କରିବା କଷ୍ଟକର ହୋଇପଡିଲା।  ଏଣୁ ଦୂର ଗ୍ରାମକୁ ଯାଇ, ସେଠାରେ ଚୋରି କରିବାକୁ ମନେ ମନେ ନିଷ୍ପତ୍ତି ନେଲା ରାଧୁଆ। 

ବାଟରେ ଜଣେ ସାଧୁଙ୍କ ସହ ଭେଟ ହେଲା ରାଧୁର।  ସାଧୁ ରାଧୁଆ ବିଷୟରେ ଅଧିକ ଜାଣିବାକୁ ଚାହିଁଲେ।  ରାଧୁ କହିଲା, “ମୋର ଘରଦ୍ଵାର, ଜମିବାଡି କିଛି ନାହିଁ। ମୂଲ ଲାଗି ଚଳେ।  ଗାଁରେ କାମ ନ ମିଳିବାରୁ, ଅନ୍ୟଆଡେ ଧନ୍ଦା ଅନ୍ଵେଷଣରେ ବାହାରିଛି।”  ଆଶ୍ରମର ଜଗାରଖା ପାଇଁ, ସାଧୁ ଜଣେ ଲୋକ ଖୋଜୁଥିଲେ। ରାଧୁଆକୁ ହାତପାହାନ୍ତାରେ ପାଇ, ଛାଡନ୍ତେ କିପରି? ରାଧୁକୁ ଆଶ୍ରମରେ ରହିବାକୁ ପ୍ରବର୍ତ୍ତାଇଲେ। ରାଧୁ ବି ଏହି ପ୍ରସ୍ତାବରେ ରାଜି ହୋଇଗଲା।  ମନେ ମନେ ଭାବିଲା, “ଏହା ଏକ ସୁବର୍ଣ୍ଣ ସୁଯୋଗ।  ଦିନରେ ଆଶ୍ରମ କାମ ଓ ରାତିରେ ଆଖ ପାଖ ଗ୍ରାମରୁ ଚୋରି। ବେଶ ଜମିବ। “

ଆଶ୍ରମରେ  ରାଧୁର ରହଣି ସହ ଖାଦ୍ୟପେୟର  ବ୍ୟବସ୍ଥା  କରିଦେଲେ ସାଧୁ।  ଆଗରୁ ଅନେକ କୋଠାଘରୁ ଚୋରି କରିଛି ରାଧୁଆ।  କିନ୍ତୁ କୋଠାଘରେ ରହିବାର କେବେ ସ୍ଵପ୍ନରେ ଭାବି ନଥିଲା। ରହିବାକୁ ଆଶ୍ରମରେ କୋଠା ବଖରାଏ ମିଳିଛି। ଖାଦ୍ୟ ଚିନ୍ତା ନାହିଁ। ଏଥିପାଇଁ ସେ ମନେ ମନେ ସାଧୁଙ୍କୁ କୃତଜ୍ଞତା ଜଣାଇଲା। 

ଅନେକ ଭକ୍ତ  ଦୈନିକ ଆଶ୍ରମକୁ ଆସନ୍ତି।  ବେଳେବେଳେ କିଛି ପଥଚାରୀ ବାଟୋଇ ମଧ୍ୟ ଆଶ୍ରମରେ ରାତ୍ରୀଯାପନ କରିଥାଆନ୍ତି। ଏସବୁ ଦେଖି ରାଧୁଆ ମନେ ମନେ ଭାବିଲା – ସହଜରେ ଚୋରି କରିବାର ଏହା ଏକ ପ୍ରକୃଷ୍ଟ ସ୍ଥାନ।  କିଛିଦିନ ପରେ ସେ ତାର ଚୋରି ବ୍ୟବସାୟ ଆରମ୍ଭ କରିଦେବ। କେହିବି ଜାଣି ପାରିବେନି।

ଦିନେ ଆଶ୍ରମକୁ ଜଣେ ଭକ୍ତ ଆସିଥାଆନ୍ତି। ସେ ପୁର୍ବରୁ ରାଧୁଆକୁ ଚିହ୍ନିଥିଲେ ଓ ତା’ କାର୍ଯ୍ୟକଳାପ  ତାଙ୍କୁ ଜଣାଥିଲା।  ରାଧୁକୁ ଆଶ୍ରମରେ ଦେଖି ସେ ସାଧୁଙ୍କୁ ପଚାରିଲେ, “ଗୁରୁଦେବ! ଏ ଲୋକ ଏଠାକୁ କିପରି ଆସିଲା?” ସବୁ କଥା କହିଗଲେ ସାଧୁ। 

“ଆପଣ ଏ ଲୋକ  ବିଷୟରେ ଜାଣି ନାହାନ୍ତି।  ସେ ହେଉଛି ରାଧୁଆ ଚୋର।  ଆଖ ପାଖ ଦଶପଡାରେ ଚହଳ ସୃଷ୍ଟି କରିଥିଲା। ସେଠାରେ ଆଉ ପଟିଲାନି ବୋଲି ଏଠାକୁ ଚାଲି ଆସିଛି, ” ଭକ୍ତ ଜଣଙ୍କ କହିଲେ।

ସାଧୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।  ଭଲ ଭାବେ ନଜାଣି ନଶୁଣି ଚୋରଟିକୁ ଆଣି ଆଶ୍ରମରେ ରଖିଛନ୍ତି।  ଏବେ ଆଉ ଉପାୟ କ’ଣ? ଯେତେବେଳେ ନିଜେ ଡାକିକରି ରାଧୁକୁ ଆଣିଛନ୍ତି, ଏତେ ଶୀଘ୍ର କେମିତି ବାହାର କରିଦେବେ? ତେଣୁ ମନେ ମନେ ସେ ଏକ ଉପାୟ ସ୍ଥିର କଲେ।  ରାଧୁକୁ ଡାକି କହିଲେ, “ଆଜି ପର୍ଯ୍ୟନ୍ତ ତମ ଭଳି ଜଣେ ସାହସୀ ଓ ସଚ୍ଚୋଟ ଯୁବକ ପାଇନଥିଲି।  ଯାହା ହେଉ, ଭଗବାନଙ୍କ ଦୟାରୁ ତମେ ଏଠାରେ ପହଞ୍ଚିଛ।  ମଣିଷ ଜୀବନ ପାଣି ଫୋଟକା।  କେତେବେଳେ ଯେ ଜୀବ ଚାଲିଯିବ, ସେ କଥା କେହି କହିପାରିବେନି।  ଆଶ୍ରମର ଏସବୁ କୋଠା ବାଡି, ଧନ ସମ୍ପତି,  ମୋର ବା କ’ଣ ହେବ? ଭାବୁଛି, ଆଶ୍ରମର ସମସ୍ତ ଭଲ ମନ୍ଦ ଦାୟିତ୍ଵ ତମ ହାତରେ ଦେଇ, ଶେଷ ଜୀବନ ବୃନ୍ଦାବନରେ କଟାଇବି।”

ଏ କଥା ଶୁଣି ରାଧୁଆ ଭାବିଲା- ସେ ସାହସୀ ହୋଇପାରେ,  କିନ୍ତୁ ତାଭଳି ଜଣେ ଚୋରକୁ କେହି ସଚ୍ଚୋଟ କହିନଥିଲେ।  ସାଧୁଙ୍କଠାରୁ ସଚ୍ଚୋଟ ଶବ୍ଦଟା ଶୁଣି ତା ମନ କୁଣ୍ଢେ ମୋଟ ହୋଇଗଲା। ଖାଲି ସେତିକି ନୁହେଁ। ସାଧୁଙ୍କ ପରେ ସେ ହେବ ଆଶ୍ରମର ମାଲିକ। ଏସବୁ ଭାଗ୍ୟରେ ଥିଲେ ମିଳେ।

ପରଦିନ ସାଧୁ, ରାଧୁକୁ ଡାକି କହିଲେ, “ମୁଁ ବୁଢା ହେଳିଣି। ଦେହରେ ବଳନାହିଁ ବୋଲି ବଜାରରୁ ପରିବା ପତ୍ର କିଣି ଖାଏ। ତମେତ ଏଠି ରହିବ। ସବୁଦିନେ କିଣି ଖାଇବା ଅପେକ୍ଷା, ଆଶ୍ରମ ଚତୁର୍ପାର୍ଶ୍ୱରେ ଥିବା ଜମିର ରକ୍ଷଣାବେକ୍ଷଣ ସହ ସେଥିରେ ଚାଷ ବାସ କଲେ ଖୁସିରେ ଚଳିବ।” ରାଧିୁଆ ମନକୁ କଥାଟି ପାଇଲା। ଆଶ୍ରମ ଚାରିପଟୁ ଅନାବନା ବଣବୁଦା ସଫା କରି ପନିପରିବା ସହ ଫଳ ଫୁଲ ଲଗାଇଲା। ସାଧୁ ରାଧୁର ଏସବୁ କାର୍ଯ୍ୟ ଦେଖି ଖୁସି ହେଲେ। କିନ୍ତୁ, ରାଧୁ, ସାଧୁଙ୍କ ଉପରେ ମନେ ମନେ ଚିଡୁଥାଏ। ଅନେକ ଦିନ ହେବ ଚୋରି କରିନି। ଆଶ୍ରମର ମାଲିକ ହେବା ଆଶାରେ ସାଧୁଙ୍କ କଥା ମାନି ପଡି ରହିଛି।

ପରଦିନ ରାଧୁଆ ଫସଲ ଚାରିପଟେ ବାଡ ଦେଲା। ବାଡ ଦେଲା ବେଳେ ଭାବିଲା, ନିଜ ପରିଶ୍ରମରେ ବଢେଇ ଥିବା ଫସଲ ହରିଣ ଖାଇଯିବାରୁ ତାକୁ ଅନେକ କଷ୍ଟ ହେଉଛି। ଦେହରୁ ରକ୍ତ ଶୁଖି ଯିବାପରି ଲାଗୁଛି। ସେ’ତ ନିଜେ ଅନ୍ୟ ମାନଙ୍କର ଧନ ଚୋରାଇ ଆଣେ। ତେବେ ସେ ଲୋକଙ୍କୁ କେତେ କଷ୍ଟ ହେଉ ନଥିବ? ଏକଥା ଭାବି, କ୍ଷଣିକ ପାଇଁ ତା ମନ ପରିବର୍ତ୍ତନ ହୋଇଯାଏ। ପର ମୁହୂର୍ତ୍ତରେ ଚୋରି କରିବା ପ୍ରବୃତ୍ତି ପୁନଶ୍ଚ ଚେଇଁ ଉଠେ।

ପରଦିନ ରାଧୁଆ ଜମି ଚାରିପଟେ ବାଡ ଦେଲା ଏବଂ କଠିନ ପରିଶ୍ରମ କରି ଚାଷକାମରେ ମନ ଦେଲା। ଫସଲରୁ ଭଲ ଅମଳ ମିଳିଲା। ହେଲେ ଦିନ ଦୁଇ ଚାରିଟା ନଯାଉଣୁ ଦେଖାଗଲା ଯେ ଠାଏ ଠାଏ ବାଡ ଭାଙ୍ଗିଛି। ଖେତରୁ ମଝିରେ ମଝିରେ ଫସଲ ଚୋରି ହେବାର, ରାଧୁଆ ନଜରକୁ ଆସିଲା। ସେ’ତ ନିଜେ ଚୋର,ତା ଆଖିରେ ଧୂଳି ଦେଇ କିଏ ଫସଲ ଚୋରି କରୁଛି? ଏକଥା ଜାଣିବା ପାଇଁ, ରାଧୁଆ ରାତିରେ ଖେତ ପାଖରେ ଲୁଚି ରହିଲା। ସତକୁ ସତ, ରାତି ଅଧ ବେଳକୁ ଗୋଟିଏ ଲୋକ ଫସଲ ଖେତରେ ପଶି, ପନି ପରିବା ତୋଳି ଥଳିରେ ଭରିଲା। ଏସବୁ ଦେଖି ରାଗରେ ପାଚିଗଲା ରାଧୁଆ। ଲୋକଟିକୁ ଧରି ପହଞ୍ଚିଲା ସାଧୁଙ୍କ ପାଖରେ। କହିଲା- ଇଏ କି ଦୁଷ୍ଟ ପ୍ରକୃତିର ମଣିଷ! ମୁଁ କଷ୍ଟରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଫସଲ ରାତିରେ ଆସି ଚୋରି କରୁଛି। ଲାଜ ସରମ ଟିକେ  ନାହିଁ।

ଲୋକଟିର ନାମ କ’ଣ ବୋଲି ସାଧୁ ପଚାରିଲେ। “ସେ ଗୋଟିଏ ଚୋର, ତାର ନାଁ ବି ଚୋର,” ରାଧୁ କହିଲା। ଲୋକଟିକୁ ପାଖକୁ ଡାକି ସାଧୁ ପଚାରିଲେ, “ସତରେ ତମ ନାଁ କ’ଣ ଚୋର?”

“ନାହିଁ ଆଜ୍ଞା, ମୋ ନାଁ  ମଧୁ। ” ଲୋକଟି ଉତ୍ତର ଦେଲା।

“ତା ନାଁ ମଧୁ। ତମେ ତା ନାଁ ଚୋର ବୋଲି କିପରି କହୁଛ?” ସାଧୁ ପଶ୍ନ କଲେ। “ଚୋରି କରୁଥିଲା।  ମୋ ହାତରେ ଧରା ପଡିଲା। ଚୋର ବୋଲି ନକହି କ’ଣ ମଧୁ ବୋଲି କଅଁଳେଇ ଡାକିଥାଆନ୍ତି?” ରାଧୁ ଉତ୍ତର ଦେଲା।

“ଚୋର ବୋଲି ଡାକିଲେ ତାକୁ କଷ୍ଟ ହେବ। କାହାରି ମନରେ କଷ୍ଟଦେବା ଠିକ ନୁହେଁ।” ରାଧୁକୁ ସାଧୁ ବୁଝାଇଲେ।

“ଚୋର ବୋଲି କହିଲେ ଯଦି କଷ୍ଟ ହେବ, ତେବେ ସେ ଅନ୍ଯର ଧନ ଚୋରାଉଥିଲା କାହିଁକି?” ରାଧୁ ଜବାବ ଦେଲା।

ଏସବୁ ଶୁଣି ସାଧୁ କହିଲେ, “ଚୋରି କରିବା କାହାରି ସହଜାତ ଗୁଣ ବା ଜନ୍ମଗତ  ପ୍ରବୃତ୍ତି ନୁହେଁ। ପରିସ୍ଥିତି ଓ ପରିବେଶରେ ପଡି ମଣିଷ ବେଳେବେଳେ ଚୋରି କରିବାକୁ ମନ ବଳାଏ। ଚୋରି  କଲେ ମଣିଷ ପଶୁଠାରୁ ବଳିଯାଏ। ପରେ ବୁଝିଯାଏ ଯେ ଚୋରି କରିବା ଏକ ଅପରାଧ। ଚୋରକୁ ସମସ୍ତେ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତି। ଯେତେବେଳେ ସେ ଅନୁଭବ କରେ ଯେ ଚୋରି ଏକ ହୀନ କର୍ମ ଓ ଧର୍ତ୍ତବ୍ୟ ଅପରାଧ ସେତେବେଳେ ଏପରି ପ୍ରବୃତ୍ତିରୁ ନିବୃତ ରହିବାକୁ ଚେଷ୍ଟା କରେ।”

ଏକଥା ଶୁଣି, ରାଧୁ ସାଧୁଙ୍କ ପାଦତଳେ ପଡି କହିଲା, “ମୋତେ କ୍ଷମା କରନ୍ତୁ ଆଜ୍ଞା। ଆପଣ ଆଜି ମୋର ଆଖି ଖୋଲିଦେଲେ। ଜଣେ  ଭଲ ଲୋକର ଅଭିନୟ କରି ଏଠରେ ରହିଥିଲି। ପାଖଆଖରେ  ଚୋରି କରିବାର ଯୋଜନା ମୋର ଥିଲା। ଚୋରି କରି ଲୋକଙ୍କ ମନରେ ଅନେକ କଷ୍ଟ ଦେଇଛି। ମୁଁ ଆଜି ବୁଝି ପାରୁଛି ଯେ ଚୋରି କରିବା ମହାପାପ। ଜୀବନରେ ଆଉ କେବେ ଚୋରି କରିବି ନାହିଁ।”

 

ତା’ପରେ ସେ ମଧୁ ପାଖକୁ ଆସି ତାକୁ ଚୋରି ନକରିବା ପାଇଁ  ବୁଝାଇଲା। ଏହି ସମୟରେ ସାଧୁ ଅଳ୍ପ ଅଳ୍ପ ହସି କହିଲେ, “ରାଧୁ, ତାକୁ ବୁଝାଇବା ଦରକାର ନାହିଁ। ସେ ପ୍ରକୃତରେ ଚୋର ନୁହେଁ। ମୋ କଥା ମାନି ସେ କ୍ଷେତରୁ ପରିବା ଚୋରାଉଥିଲା। କେବଳ ତମକୁ ପରିବର୍ତ୍ତନ କରିବାପାଇଁ ଏସବୁ ଥିଲା ଏକ ଯୋଜନା। ଆଜି ମୁଁ ଖୁସି ଯେ ତମେ ନିଜର ଭୁଲ ବୁଝିପାରିଛ ଏବଂ ଚୋରି ନକରିବାକୁ ପତିଜ୍ଞା କରିଛ।”

16 thoughts on “ଚୋର ଓ ସାଧୁ

  1. ସର୍ ବହୁତ୍ ବଢିଆ ହୋଇଛି ଘରେ ସମସ୍ତେ ଏକାଠି ଶୁଣିଲୁ ବହୁତ୍ ଭଲ ଲାଗିଲା

  2. ସୁନ୍ଦର ଓ ଶିକ୍ଷଣୀୟ ଗଳ୍ପ, ଗାଳ୍ପିକଙ୍କୁ ଅଶେଷ ଧନ୍ୟବାଦ

  3. ସରଳ ଓ ହୃଦୟ ସ୍ପର୍ଶୀ ଲେଖା ଆମ ସାରଙ୍କ କଲମରୁ । ବହୁତ ଭଲ ଲାଗିଲା।

  4. Definitely admirable story.
    Inspirational
    Thank you so much sir
    Expecting for the next..

  5. Really very good learning story, situation and right place and time can change everything…

  6. ବହୁତ୍ ସୁନ୍ଦର୍ ଏବଂ ଶିକ୍ଷଣୀୟ ଗଳ୍ପ ଟି ଏ

  7. Bhaina really proud of you ..your writing skill just impressive .Keep writing ✍️ 🙏

Leave a Reply

Your email address will not be published. Required fields are marked *