ଯାହାକୁ କହନ୍ତି ସେବା

  • ଏ ଦେଶରେ ‘ସେବା’ର ପରିଭାଷା କଣ? ଏ ପ୍ରସଙ୍ଗଟି ଉପରେ ଏକ ବ୍ୟଙ୍ଗ ଦୃଷ୍ଟିପାତ କରିଛନ୍ତି ଲେଖକ।
ଡାକ୍ତର ଅଭୟ କୁମାର ଦାଶ

ଆମ ଓଡିଶାରେ ଗୋଟିଏ ପବିତ୍ର ଶବ୍ଦର ବହୁଳ ବ୍ୟବହାର ହେବା ଶୁଣିଛି – ‘ସେବା’। ‘ଅମର ଚିତ୍ରକଥା ସିରିଜ’ରୁ ଶ୍ରବଣ କୁମାର ଠାରୁ ଶ୍ରୀ ରାମଚନ୍ଦ୍ର ପର୍ଯ୍ୟନ୍ତ ପଢ଼ି ଶିଖିଲା ପରେ ସେବା ଶବ୍ଦ ସହ ମୋର ପରିଚୟ ବଢ଼ିବାରେ ଲାଗିଲା । ପିଲା ବେଳ, ମହାପ୍ରଭୁଙ୍କ ଜଳଧି ଶୟନ ଫଟୋଚିତ୍ରଟିଏ ଦେଖି ଅଜାଙ୍କୁ ପଚାରିଲି, “ସେ ମାହାପୁରୁ ସାପ ଓପେରେ ଶୋଇଚନ୍ତି କେମିତି? ଆଉ ସେ ମାଉସୀ ଜଣକ ତାଙ୍କ ପାଦ ଧରିଚନ୍ତି କାହିଁକି?” ଅଜା କହିଲେ, “ଏହା ହେଲା ମହାପ୍ରଭୁଙ୍କ ଅନନ୍ତ ଶୟନ। ସାଗର କନ୍ୟା ଲକ୍ଷ୍ମୀ ଠାକୁରାଣୀ ତାଙ୍କର ପତ୍ନୀ-ଧର୍ମ ନିର୍ବାହ କରିବାକୁ ଯାଇ ପଦସେବା କରୁଛନ୍ତି।”

ସେବା ଶବ୍ଦର ବହୁଳ ବ୍ୟବହାର ଆମକୁ ଚିନ୍ତା କରିବା ପାଇଁ ଖୋରାକ ଯୋଗାଇଲା। ଯଥା ପିତୃମାତୃ ସେବା , ଗୁରୁ ଗୁରୁଜନ, ଗୋ-ବ୍ରାହ୍ମଣ ସେବା। ସେ ଟପିକ ଟା ଛାଡି ଦିଆଯାଉ, ‘ସେକ୍ୟୁଲାରିଜିମ୍’ ମାନେ ଧର୍ମ-ନିରପେକ୍ଷତା ବିରୋଧୀ, ଜାତିଗତ, କାଷ୍ଟିଷ୍ଟ, କମ୍ୟୁନାଲ ଆପ୍ରୋଚ କୁ ପ୍ରୋତ୍ସାହିତ କରିବା ଠିକ ନୁହେଁ। ଜନନୀ ଜନ୍ମଭୁମିଶ୍ଚ ସ୍ୱର୍ଗାଦପି ଗରୀୟସି। ଜନନୀଙ୍କୁ ବୃନ୍ଦାବନର ବୃଦ୍ଧାଶ୍ରମରେ ଛାଡ଼ିଦେଲା ପରେ ସିଏ ବୁଝିବେ ତାଙ୍କ କଥା। ରହିଗଲା ଜନ୍ମଭୁମିର ସେବା। ଏ ଦେଶରେ ଯିଏ ଜନ୍ମ ହେଲେ ସ୍ଥାବର , ଜଙ୍ଗମ, କୀଟ ପତଙ୍ଗ – ସମସ୍ତେ କିଛି ନାଁ କିଛି ସେବା କରନ୍ତି। ଗଛ ଅକ୍ସିଜେନ ଦେଇ, ଅଙ୍ଗାରକାମ୍ଳ ପିଇ, ନୀଳକଣ୍ଠ ସାଜି ପ୍ରାଣ ବଞ୍ଚାଏ। ଅନ୍ୟାନ୍ୟ ପଶୁ ପକ୍ଷୀ କୀଟପତଙ୍ଗ ନିଜର ହାଡ଼ମାଂସ ଦେଇ ପାରିପାର୍ଶ୍ବିକ ଅବସ୍ଥାକୁ ସୁସ୍ଥ ସ୍ୱଚ୍ଛ ରଖନ୍ତି। ମଣିଷଗୁଡାକ କଥାକୁହା ଜନ୍ତୁ ହୋଇ ଥିବାରୁ ସେବା ନାମରେ ଖୁବ୍ ଢୋଲ ବଜାଇ ହୁଅନ୍ତି। ଆମ ପିଲା ଦିନେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେହି ସମୟରେ ପ୍ରତି ବ୍ଲକ ରେ କିଛି ଗ୍ରାମ ସେବକ ଗ୍ରାମ ସେବିକା ପୋଷ୍ଟ ସୃଷ୍ଟି ହୋଇଥିଲା । ସେମାନେ ଗାଁ ଗାଁ ବୁଲି ସେବା, ଅର୍ଥାତ କୃଷି ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଉ ଥିଲେ ।
ସେବାକୁ ଆମେ ଚିହ୍ନିଲୁ ଗୋପବନ୍ଧୁ ଦାସ ଓ ତାଙ୍କର ପଞ୍ଚସଖାଙ୍କର ଅବଦାନରୁ। “ମିଶୁମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ”, ଆଜି ମଧ୍ୟ ପ୍ରାସଙ୍ଗିକ। ମାନବ ସେବା, ମାଧବ ସେବା ଆଦି ଶିକ୍ଷଣୀୟ ବାକ୍ୟ ଶୁଣି ଆମେ ଡାକ୍ତର ହୋଇ ଆର୍ମିରେ ଯୋଗଦାନ କରିବାକୁ ସ୍ଥିର କରିଥିଲୁ। ସେବା ମାନେ କଣ ସମ୍ପୂର୍ଣ୍ଣ ମାଗଣାରେ? ନା ପେଟପାଟଣା ଅଛି ଯେତେବେଳେ ‘ଭୁଖେ ଭଜନ ନା ହୋଏ ଗୋପାଲା’। କଳୌ ଅନ୍ନଗତ ପ୍ରାଣାଃ। ଆମେ ଯତ୍କିଞ୍ଚିତ୍ ଦେଶସେବାରେ ଯୋଗଦାନ କଲୁ। ସେବାର ପ୍ରସଙ୍ଗ ଯେଉଁଠି ଆସିବ, ମନେପଡିବେ ଗୋପବନ୍ଧୁ। ଯିଏ ଦିନେ ବିହାର ଓଡ଼ିଶା ଆସେମ୍ବ୍ଲିରେ ବାଉଁଶ ପତ୍ର ଦେଖାଇ ଓଡ଼ିଶାର ଦୁର୍ଭିକ୍ଷ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବନ୍ୟା ବିପନ୍ନଙ୍କ ଦୁଆରେ ପହଞ୍ଚି ଯାଉଥିଲେ ଚୁଡା ଚାଉଳ ବାନ୍ଧି। ସେଭଳି ଋଷିପ୍ରତିମ ବ୍ୟକ୍ତିଙ୍କ ଉପରେ ଲାଞ୍ଛନ ଲାଗିଛି ଓ ଦାସେଆପଣେ ଖୁବ୍ କାନ୍ଦିଛନ୍ତି, “ହରି ମତେ କହିଲା ବଢି କଉଡ଼ି ଖାଇଲି!” ସେ ‘ହରି’ କିଏ, ସମସ୍ତେ ଜାଣନ୍ତି।
ସେବାସହ ଆମମାନଙ୍କର ପରିଚୟ ହାଇସ୍କୁଲରେ ପାଦଦେବା ପରେ ପରେ ଏନ୍.ସି.ସି, ଏସ୍.ଏସ୍.ଜି, ରେଡକ୍ରସ୍ ରେ ଯୋଗଦାନ କରି। କଲେଜରେ ପାଦପକାଇଲା ସମୟରେ ଚାଇନିଜ ଆଗ୍ରେସନ, ଦେଶର ଆର୍ଥିକ ଅବସ୍ଥା ଭଲ ନଥାଏ। ସରକାର ଲୋକଙ୍କ ଠାରୁ ଦାନ ମାଗୁଥାଆନ୍ତି। ସୁନା ଦାନ ଉପରେ ଜୋର ଥାଏ। ମୋର ମନେଅଛି ଗୋଟିଏ ସାଧାରଣ ସଭାରେ କିଛି କହିବା ପାଇଁ ସୁଯୋଗ ମିଳିଥିଲା। ଦେଶପ୍ରେମରେ ଉଦବୁଦ୍ଧ ହୋଇ ବ୍ରତଭିକ୍ଷାରେ ମିଳିଥିବା ସୁନାମୁଦିଟିକୁ ନେସନାଲ୍ ଡିଫେନ୍ସ ଫଣ୍ଡକୁ ଦାନ କରିଦେଇ ଭାବିଥିଲି ନନାଙ୍କଠାରୁ ଗାଳି ପଡ଼ିବ। ଓଲଟି ନନା ଖୁସି ହୋଇଥିଲେ। ସେ ଥିଲେ ସ୍ବାଧୀନତା ସଂଗ୍ରାମୀ। ବୁଝି ପାରିଲେ ମୋ ହୃଦୟର କଥା।
ଟିକିଏ ବୁଦ୍ଧି ହୋଇଗଲା ପରେ ଜାଣିଲୁ ଦେଶରେ ଏପରି ଗୋଟାଏ ଗୋଷ୍ଠୀ ଅଛନ୍ତି ସେମାନେ ଦେଶସେବକ ବା ସମାଜସେବୀର ପରିଚୟ ଦେଇ ପଲିଟିକ୍ସ୍ କରନ୍ତି। ଆମେ ତାଙ୍କର ଆବାହନୀ ଗାଉ। ହାଣ୍ଡିଆ ପିଇ ଦାଣ୍ଡିଆ ନାଚ କରୁ। ଫୁଲମାଳରେ ସ୍ବାଗତ କରୁ।

ସେମାନେ ନିଜ କାର୍ଯ୍ୟକାଳ ମଧ୍ୟରେ କୋଟି କୋଟି ଟଙ୍କା ଏକାଠି କରି ସ୍ବିସ୍ ବ୍ୟାଙ୍କ ପର୍ଯ୍ୟନ୍ତ ଲମ୍ବାଇଦିଅନ୍ତି ନିଜ ଆକାଉଣ୍ଟ। ଇନକ୍ବାରୀ କମିଶନ ବସେ, ରିଟାୟାର୍ଡ଼ ଜଜ ଙ୍କ ଅଧ୍ୟକ୍ଷତାରେ। ସେ କମିଶନ ବାରମ୍ବାର ଏକଷ୍ଟେଣ୍ଡ୍ ହୁଏ। କମିଶନଙ୍କ ଦେଶସେବା ଯୋଗଦାନକୁ ସ୍ବାଗତ କରୁ ଆମପରି ଜନତା । ରୋଜ ଖବରକାଗଜ ନୁଆ ନୁଆ ତଥ୍ୟ ଶୁଣାଏ। କମିଶନର ମାନ୍ୟବର ଜଜ ଖୋଜିବୁଲନ୍ତି ନେତାଜୀଙ୍କ ଦେଶସେବା ଆରମ୍ଭ ରେ କେତେ ଥିଲା, କେତେ ହେଲା? ତା ଭିତରେ କେତେ ଦୁର୍ନୀତିରୁ ମିଳିଛି ସବୁ ଅନୁଧ୍ୟାନ କରିବା ପାଇଁ ଜଜ ସାହେବଙ୍କ ସେବାକୁ ଏକଷ୍ଟେସନ ମିଳିଚାଲେ ତାଙ୍କ ହୃଦବୋଧ ହେବା ପର୍ଯ୍ୟନ୍ତ। ଏ ମଧ୍ୟରେ ଯଦି ନେତାଙ୍କ ସ୍ବର୍ଗବାସ ହୋଇ ଯାଏ ଆମେ ସବୁ ଭୁଲି ତାଙ୍କର ବଳିଦାନ ମନେପକେଇ ଗୁଣଗାନ କରୁ, ଡ୍ରାଇ ଆଇସ୍ ଭଳି ଡ୍ରାଇ ଅଶ୍ରୁ ବିସର୍ଜନ କରୁ। କୋଟିକୋଟି ଟଙ୍କାର ଅବ୍ୟବସ୍ଥାକୁ ତାଙ୍କ ସେବା ଆକାଉଣ୍ଟରେ ଟ୍ରାନସଫର କରିଦେଉ ତାଙ୍କର ଭବିଷ୍ୟତ ବଂଶଧର ମାନଙ୍କ ପାଇଁ।
ଏ ସନ୍ଦର୍ଭରେ ମୋର ଗୋଟିଏ କଥା ମନେପଡେ। ସ୍କୁଲରେ ପଢ଼ୁଥିବା ସମୟରେ ଗୋଟିଏ ନିମନ୍ତ୍ରଣ ପତ୍ର ଦେଖି ଜେଜେ ବାପାଙ୍କୁ ପଚାରିଲି ଏ ‘ମହାପ୍ରସାଦ ସେବା’ ମାନେ କଣ? ଆମକୁ ମହାପ୍ରସାଦ ହାଣ୍ଡି ବୋହିବାକୁ ଡାକିଛନ୍ତି କି? ଜେଜେ ବୁଝେଇ ଦେଇଥିଲେ ପ୍ରସାଦ, ମହାପ୍ରସାଦକୁ ସମ୍ମାନସୁଚକ ଭାଷାରେ ଖାଇବା ପରିବର୍ତ୍ତେ ‘ପାଇବା’ ବା ‘ସେବା କରିବା’ କୁହାଯାଏ। ବୁଝିଗଲି, ପଇସା ଖାଇବା ସେହି ସେବାର ଅନ୍ତର୍ଗତ ବୋଲି ମୋର ମନେ ପଡ଼ିଗଲା ।

10 thoughts on “ଯାହାକୁ କହନ୍ତି ସେବା

  1. ସେବାକୁ ନେଇ ଲେଖକଙ୍କର ସୁନ୍ଦର ଉପସ୍ଥାପନା। ଜୟ ଜଗନ୍ନାଥ।

  2. ସେବାକୁ ନେଇ ସୁନ୍ଦର ରମ୍ୟରଚନା।

  3. xxx
    ‘ପଇସା ଖାଇବା’ ସେହି ‘ ସେବା’ ର ଅନ୍ତର୍ଗତ ବୋଲି ପାଠକଙ୍କୁ ବୁଝାଇବାରେ ଲେଖକ ମହାଶୟ ଢେର research କରିଛନ୍ତି, ତେଣୁ ବିଶେଷ ଧନ୍ୟବାଦ ।
    ପୁନଶ୍ଚ, ମୋ ମତରେ: ଏହିଭଳି ଲେଖା ଯେଉଁଥିରେ ବିସ୍ତାର କଥାକୁ ଅତି ସଂକ୍ଷିପ୍ତରେ ପ୍ରକାଶିତ ହୋଇଛି, ସେଥିପାଇଁ ପ୍ରତ୍ୟେକ ପାଠକଙ୍କ ଠାରୁ ନିଶ୍ଚୟ ଅଶେଷ ଧନ୍ୟବାଦ ପ୍ରାପ୍ତ ହେବେ ।

    ଲେଖକଙ୍କର ଏହିଭଳି ଶାଣିତ କଲମ ମୂନ ଅଧିକ ଶାଣିତ ହେଉ, ଏବଂ ଜଗତ ଉଦ୍ଧାର ହେଉ !

    ଅନ୍ତତଃ ପକ୍ଷେ – ଦେଶରେ ପ୍ରଚଳିତ politics-ସେବାର ‘ ସେବା ନିବୃତ – ସେବା (ଖାଇବା) Department ଟିର shut-down ହେଉ, ଆମ ସମସ୍ତଙ୍କର ମଙ୍ଗଳ ପାଇଁ !!

    ନମସ୍କାର ସହ ।

    1. ଧନ୍ୟବାଦ ବଂଶୀଧର ବାବୁ । ଆପଣ ଙ୍କ ଏ କଥା କେଇପଦ ଆଗକୁ କଲମ ଚଳାଇବାରେ ପ୍ରେରଣା ଯୋଗାଇବ । ନମସ୍କାର ।
      ଶୁଭାକାଙ୍କ୍ଷି ଆଭୟ ଦାଶ

  4. ବହୁତ ଭଲ ଲାଗିଲା, ଆପଣ ଏହି ଭଳି ଲେଖି ଚାଲନ୍ତୁ
    ଟୁନା

Leave a Reply

Your email address will not be published. Required fields are marked *