ଗାଁ’ର ସେକାଳ,ଏକାଳ

  • ଆମ ସେକାଳର ଗାଁ କ’ଣ ସତରେ ହଜିଯାଇଛି? ବଦଳିଯାଇଛି ଆମ ଗାଁ? ଏହାର ଏକ ବାସ୍ତବବାଦୀ ଚିତ୍ରପଟ ଏଠାରେ ପ୍ରସ୍ତୁତ କରିଛନ୍ତି କବି।
ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଫଳବତୀ ଗଛ, ପୁଣି ଜଳବତୀ ନଈ
ଶସ୍ୟବତୀ ଖେତ, ଆଉ ଦୁଗ୍‌ଧବତୀ ଗାଈ
କାହିଁ ? ଏଠି ମୋଟେ ଦିଶୁନାହିଁ,
ଶଗଡ଼ର ଭଂଗା ଚକ
ନାହିଁ କାହିଁ ଲୋକବାକ
ଘର ବାଟ ଶୂନ୍‌ଶାନ୍‌
ପାହାଂତିଆ ଆଲୁଅରେ
ସବୁଆଡ଼ ଖାଲି ଖାଁ ଖାଁ
ଏ କି ସତେ ମୋର ପୂର୍ବ ପରିଚିତ ଗାଁ ?

ରୋଗିଣା ବଳଦ, ପୁଣି ଦଂଥଡ଼ା ଲଂଗଳ
ପୋକରା ବିହନ, ଆଉ ବାଲିମିଶା ସାର
ଆକାଶରେ ନିର୍ଜଳ ମେଘର ଦୀର୍ଘଶ୍ୱାସ
ଚେର ଯାଏ ଚୋର ପରି ପାତାଳକୁ
ଖୋଜି ଜଳାଶୟ
ପଳାତକ ପବନର ଫେରିବା ବେଳକୁ
ରହିଯାଇଥିବା ଲୋକ କରଂତି ଅନିଶା
ଚୁଲି ସବୁ ନରମ ଶୀତଳ
କିଂତୁ ଉଦରରେ ଜଳୁଥାଏ ନିଆଁ
ଏ କି ସତେ ମୋର ସେହି ଚିହ୍ନାଜଣା ଗାଁ ?

ଲଗାତାର ବର୍ଷା, ପୁଣି ନିଷ୍ପ୍ରଦୀପ ଅଂଧକାର
ବାତୁଳ ପବନ ଆଉ ଝଡ଼
ଆକାଶକୁ କାଟୁଥିବା ବିଜୁଳିର ରେଖା
ମୋ ଗାଆଁର ଭାଗ୍ୟ ପରି କ୍ଷଣସ୍ଥାୟୀ
ଆସେ, ପୁଣି ଫେରିଯାଏ
ଯେମିତି କି ଲେଖାଯୋଖା ଲାଜୁଆ କୁଣିଆ
ଏ କି ସତେ ମୋର ସେହି ଜିଇଁଥିବା ଗାଁ ?

ନିଷ୍କପଟ ମଦୁଆର ପ୍ରେମଭରା ତରଂଗିତ ଗୀତ
ଶୁଭେ ବୁଦା ଉହାଡ଼ରୁ ରହି ରହି
ଧୂଳିରେ ଶିଶିର ବିଂଦୁ, ପବନରେ ଶୀତ
ଘାସ ତ ଗଜୁରିନାହିଁ
ଫୁଲ କଥା କିଏ ବା ପଚାରେ ?
ଏବେ ସୁଦ୍ଧା ଫଟା ମାଟି କରିଅଛି ଆଁ
ଏ କି ସତେ ମୋର ସେହି ଜନ୍ମମାଟି ଗାଁ ?

ବିଡ଼ଂବିତ ଭାଗ୍ୟ ସଂଶୋଧନ ପାଇଁ
ପିଲା ବୁଢ଼ା ଖେଳୁଥାଂତି ଜୁଆ
ଲକ୍ଷ୍ମୀ-ଉପାସକ ଯେତେ ଏଥି ପେଚା ମୁହାଁ
ମାଟିରେ ମହୁଲି ଗଂଧ
ଦେଉଳରେ ଗଂଜେଇର ଧୂଆଁ
ଦରପଢ଼ା ବାବୁମାନେ ଖୁବ୍‌ ଅଳସୁଆ
ଅଧିକାରୀ, ନେତାଗଣ ସବୁବେଳେ ବ୍ୟସ୍ତ
ଦିଅଂତିନି କେବେ ଧରାଛୁଆଁ
ଏ କି ସତେ ମୋର ସେହି ମାତୃରୂପା ଗାଁ ?

ସାନ ବଡ଼ ସବୁ ଡାଳ ଜାଳ ହେଲା ପରେ
ନାହିଁ ପକ୍ଷୀ, ନାହିଁ କାହିଁ ନୀଡ଼
ସ୍ୱଚ୍ଛତାର ସଂଜ୍ଞା ଥିଲା ଯାହା କେଉଁ କାଳେ
ତାହା ଏବେ ଆବର୍ଜନା ମଇଳା ପାହାଡ଼
ଜାତି, ରାଜନୀତି ଆଉ ଲାଭ କ୍ଷତି ଇତ୍ୟାଦି ଆଳରେ
ଲୋକାଳୟେ ଏବେ ବହୁ ଦଳ
ଘରେ ଘରେ ଅଭିଆଡ଼ୀ ଯୁବତୀ
ଓ ବେଚାକିରି ଯୁବକଂକୁ ମିଳୁନି କନିଆଁ
ଏ କି ସତେ ମୋର ସେହି ପିଲାଦିନ ଗାଁ ?

ଏମିତି ସମୟ ବିତେ ଦିନରାତି ଋତୁର ଇଂଗିତେ
ଏମିତି ଆୟୁଷ ସରେ କର-କୋଷ୍ଠୀ-କପାଳର ମତେ
ଯାହା ଆସିଥିଲି ଛାଡ଼ି ତାହା ଏବେ ଯାଉଛି ଉଜୁଡ଼ି
ବିଦେଶୀ ମୁଁ ନିଜ ଗ୍ରାମେ
ଚିହ୍ନା ପରିଚିତ କେହି ନାହିଁ
ଏମିତି ବଦଳିଯାଏ ମାଟି ମଣିଷ ଏଠି!
ଲାଗେ ଏହା ଭେଳିକି ନା ଅଦ୍‌ଭୁତ କିମିଆ
ଏ କି ସତେ ମୋର ସେହି ପ୍ରିୟତମ ଗାଁ ?

ମାୟାବୀ ଦର୍ପଣ ପରି
ଗ୍ରହ, ତାରା, ସୂର୍ଯ, ଚଂନ୍ଦ୍ର, ସଂପୂର୍ଣ ଆକାଶ
ବକ୍ଷେ ଧରି ଝଲ୍‌ମଲ୍‌ କରୁଥିଲା ଯେଉଁ ପୁଷ୍କରିଣୀ
ତାହା ଏବେ ପଚ୍‌ ପଚ୍‌ କାଦୁଅର କୁଂଡ
ଘୁଲି ଗେଂଡା, ବେଂଗ ଆଉ ଜୋକ ଛଡ଼ା
ଅନ୍ୟ କିଛି ନାହିଁ
ସେମାନେ ବି ପ୍ରାଣ ଭୟେ ସର୍ବଦା ଛାନିଆ
ଏ କି ସତେ ମୋର ସେହି ମନୋରମା ଗାଁ ?

11 thoughts on “ଗାଁ’ର ସେକାଳ,ଏକାଳ

  1. ଆମ ଗାଁ ମାଟି ଏବେ ବାସ୍ତବରେ ବଦଳିଯାଇଛି। ଜୟ ଜଗନ୍ନାଥ।

  2. ବଦଳି ଯାଇଥିବା ଗାଁ କୁ ନେଇ ସୁନ୍ଦର କବିତା

  3. Reminds Oliver Goldsmith: Times have changed revengefully. I appear a foreigner in my village, and my village appears foreign to me. This is great Stranger’s song…thanks Mr Tripathy…

    1. A feeling of nostalgia and helplessness both amalgamated with this poetic scenery

  4. Antara bhara abhinandan. Besh manachhuan rachana jaha nischita sata. Subha Madhyanha. 🙏🙏🙏

  5. ଗ୍ରାମ୍ୟ ଜୀବନର ମାର୍ମିକ ଆଲେଖ୍ୟ। ଅତ୍ୟନ୍ତ ଭାବୋଦ୍ଦୀପକ।

Leave a Reply

Your email address will not be published. Required fields are marked *