ବାତ୍‌ଫୁରୁସି *

ପ୍ରଶାନ୍ତ ଭୂୟାଁ

“ଅପରେ କିଂ ଭବିଷ୍ୟତି।”
ଗାଁଗହଳିରେ ଏଇ କଥାଟି ଶୁଣୁଥିଲି ସମୟ ସମୟରେ। ସେତେବେଳେ ଗାଁଗହଳିରେ କେଉଁ ପଣ୍ଡିତଙ୍କ ମୁହଁରୁ ସଂସ୍କୃତରୁ ଉଦ୍ଧୃତ ଏଇ ପଦେ ଶୁଣି ପଣ୍ଡିତମ୍ମନ୍ୟ ଆଉ କେତେଜଣ ଏହାକୁ ରବେଇ ଖବେଇ ହେବାର ଅନୁଭୂତି ଏଇ ଅକିଞ୍ଚନର ଅଛି। ଏହାର ଅର୍ଥ ବୁଝି ପାଇଲି ଯେ, “ପରେ କଅଣ ଘଟିବ ତାହା ଜଣା ନାହିଁ”। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଏ ସମ୍ବନ୍ଧରେ ଗୋଟିଏ କାହାଣୀ ଅଛି। ପହିଲେ ପହିଲେ ଲେଖି ଦିଏ।

“ଜଣେ ପଣ୍ଡିତ ଯାଉଁ ଯାଉଁ ବାଟରେ ଗୋଟିଏ ମଣିଷ ମୁଣ୍ଡର ଖପୁରି ପାଇଲେ। ଦେଖିଲେ ସେ କପାଳରେ ଲେଖା ଅଛି, ‘ଭୋଜନଂ ଯତ୍ର କୁତ୍ରାପି ଶୟନଂ ହଟ୍ଟମଣ୍ଡପେ। ମରଣଂ ଗୋମତୀତୀରେ ଅପରେ କିଂ ଭବିଷ୍ୟତି।’ ଏ ଲୋକ ମାଗି ଯାଚି ଖାଉଥିଲା; ଘର ଅଭାବରେ ହାଟଚାଳିରେ ଶୋଉଥିଲା; ଗୋମତୀତୀରେ ମରିବାରୁ ଏହାର ଆତ୍ମା ନରକ ଗାମୀ ହେଲା; ଏଥି ପରେ କଅଣ ହେବ ଏହା ଜାଣିବାରେ କୁତୂହଳୀ ହୋଇ ପଣ୍ଡିତେ ସେ ଖପୁରୀକି ନେଇ ଘରେ ଟାଙ୍ଗି ଦେଲେ। ପଣ୍ଡିତଙ୍କର ଦୁଇଟି ସ୍ତ୍ରୀ ଥିଲେ; ଦୁଇ ସ୍ତ୍ରୀଯାକ ବିଚାରିଲେ ଯେ ସେ ଦୁଇ ଜଣଙ୍କର ଅମଙ୍ଗଳ ପାଞ୍ଚି ପଣ୍ଡିତେ ମଲା ମଣିଷର ଖପୁରିଟାକୁ ଆଣି ଘରେ ଟାଙ୍ଗିଛନ୍ତି। ଏହା ବିଚାରି ତାକୁ ଏକାବେଳେ ଛେଚି, ଚୂନା କରି ପାଣିରେ ପକାଇ ଦେବେ ବୋଲି ଭାବି ଦୁଇ ସଉତୁଣୀଯାକ ଢିଙ୍କିରେ ଖପୁରିକି କୁଟୁଥିଲେ; ପଣ୍ଡିତେ ଆସି ଦେଖି ବିଚାରିଲେ; ମୃତ୍ୟୁ ପରେ ମଧ୍ୟ ଖପୁରିର ଏଇ ଦଶା ଭୋଗିବାକୁ ଥିଲା!”

ଯଦି ବର୍ତ୍ତମାନର ଫଟାରେ ଗୋଟିଏ ସିଆଁ ପକେଇ ଦେଇପାରିବା ତେବେ ଆଉ ସାତସିଆଁ ହେବନି। ଏଣୁ ଓଡ଼ିଆ ଭାଷା ଓ ସାହିତ୍ୟପ୍ରେମୀ, ଓଡ଼ିଆଭାଷୀ ଓ ଓଡ଼ିଶାବାସୀ ଭାଇ ଓ ଭଉଣୀ ମୋର; ସମୟ ଆସିଛି ଏବେ ବୁଝିବାକୁ ଏହି ‘ଅପରେ କିଂ ଭବିଷ୍ୟତି’ କଥା ପଦକୁ। ପରେ କଅଣ ଘଟିବ ତାହା ଜଣା ନାହିଁ; ଏହି ଅନ୍ଦାଧୁନି ଆଳରେ ଆମ ଭାଷାବ୍ରହ୍ମକୁ ଏମନ୍ତ ହେଳା କରିବା ପୂର୍ବରୁ ଥରେ ଆଗତପଞ୍ଚା କରିବା, ଚାଲନ୍ତୁନା।

ବର୍ତ୍ତମାନର ଭାଷାସାହିତ୍ୟର ନନ୍ଦିଘୋଷକୁ ଭବିଷ୍ୟତ ଆଡ଼କୁ ଠେଲି ନେବାକୁ ସାମର୍ଥ୍ୟ ଥିବା ସୁହୃଦମାନେ ଯଦି ଅଗ୍ରପଶ୍ଚାତ ସବୁ ଆଡ଼କୁ ବୋଧର ପରିଧିକୁ ଆଣି ପାରିବେ ତେବେ ଯାଇ କିଛି ନିର୍ଯ୍ୟାସ ହେବ। ଏଣୁ ମିଳିମିଶି ପ୍ରଥମେ ଆମ ଭାଷାସାହିତ୍ୟର କିଆରୀରେ ମାଡ଼ି ଯାଇଥିବା ବହୁ ଦଣ୍ଡାବାଳୁଙ୍ଗା ପ୍ରଜାତି ଶବ୍ଦ ଓ ବୋଧଙ୍କୁ ଉତ୍ପାଟନ କରାଯାଉ। ଏବେ ମଧ୍ୟ ଘରେଘରେ କହିବାର ଶୁଣୁଥିବେ;
୧- ମୋ ସାର୍ଟପ୍ୟାଣ୍ଟ ଗଡ୍‌ରେଜ୍ ସେଲ୍ଫରେ ସେଟ୍ କରି ରଖିଦେଲୁ
୨ – ଟୁଥ୍‌ବ୍ରଶ୍ ଓ କଲ୍‌ଗେଟ୍ ସପିଙ୍ଗ୍ ଲିଷ୍ଟ୍‌ରେ ଲେଖିଦିଅ
୩ – ଟି କପ୍ ପ୍ଲେଟ୍ ସେଟ୍ ଆଣିବାକୁ ହେବ

ଏଇମତେ ଯଦି ଲେଖିବି ତେବେ ଏଇ ପୃଷ୍ଠାଟି ପୁସ୍ତକ ହୋଇଯିବ। ଏବେ ମଧ୍ୟ ଯେ କୌଣସି ଠିଆ ସିନ୍ଦୁକକୁ ପର୍ତ୍ତୁଗୀଜୀୟ ଆଲମାରି ଶବ୍ଦ, ସମ୍ବାଦପତ୍ରକୁ ସମାଜ, ଦନ୍ତମଞ୍ଜନକୁ କଲ୍‌ଗେଟ୍‌, ପାକପାତ୍ର ଥାଳିକୁ ପ୍ଲେଟ୍ ବୋଲି ଆମ ଓଡ଼ିଆ ଘରମାନଙ୍କରେ ବୋଲାଯାଏ। ଏହା କେବଳ ଅଶିକ୍ଷିତଙ୍କ ଘରେ ନୁହଁ ସଞ୍ଚାରମାଧ୍ୟମରେ ନିଜକୁ ଭାଷୋଦ୍ଧାରକ ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ଓ ଜାତୀୟସ୍ତରରେ ସମ୍ମାନିତ ଭାଷାବିଦ୍‌ଙ୍କ ଘରେ ବାତ୍‌ଫୁରୁସିରେ ଶୁଣିବାକୁ ମିଳୁଛି।
ଏଣୁ ଆଦ୍ୟରୁ, କୋମଳମତି ଶିଶୁମାନଙ୍କର ଶିକ୍ଷାପୁସ୍ତିକାରେ କାଉ, କୋଇଲି ଓ ଘରଚଟିଆର ଛବି ରହୁ; ପେଙ୍ଗୁଇନ୍‌, ସିଗଲ୍ ଅବା ଗୁଜ୍‌ର ତୈଳଚିତ୍ର ନରହୁ। ଜାଉ, କାଞ୍ଜି ଓ ସନ୍ତୁଳା ରହୁ; ସୁପ୍‌, ଲାସାନିଆ ଅବା ପିଜା ନରହୁ। ଭାଗବତ, ଭାବସମୁଦ୍ର, ବର୍ଣ୍ଣବୋଧ ପୁସ୍ତକର ଉଦାହରଣ ଦିଆଯାଉ। ଅଳମତିବିସ୍ତରେଣ
-ପ୍ରଭୂ


* ବାତ୍‌ଫୁରୁସି – ବାଗାଡ଼ମ୍ବର,ସତ ମିଛ ଗୁଡ଼ାଏ କଥା ଗପିବା

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍ , ୨୦୨୨ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ  )

Leave a Reply

Your email address will not be published. Required fields are marked *