- ଜଣେ ଦିବଂଗତଙ୍କର ଶବାଧାର ନ ଉଠୁଣୁ ହିଁ ଆଜିକାଲି ୱେବିନାର୍ ରେ ଆରମ୍ଭ ହୋଇଯାଏ ଶୋକସଭା । ଏହାରି ଉପରେ ଏକ ତୀର୍ଯ୍ୟକ ଦୃଷ୍ଟି ନିକ୍ଷେପ କରିଛନ୍ତି ଲେଖକ ।
ଆମ ରମ୍ୟ ରଚନାର ରିସର୍ଚ୍ଚ ଟିମ୍ ଦେଖିବାକୁ ପାଉଛି ଯେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଶୋକସଭାର ସଂଖ୍ୟା ଦିନୁଁଦିନ ବଢିଚାଲିଛି। ସତରେ କଣ ଲୋକମାନେ ଏତେ ଶୋକରେ କାଳାତିପାତ କରୁଛନ୍ତି? ଏକ ବିକାଶଶୀଳ ରାଷ୍ଟ୍ର ପକ୍ଷରେ ଏହା ଶୁଭସୁଚକ ନୁହେଁ। ସେଥିପାଇଁ ଗଭୀର ଅଧ୍ୟୟନର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆମେ ଏ ରିସର୍ଚ୍ଚ ରେ ହାତ ଦେଇଛୁ। ଏପରି ଶୋକସଭାମାନ ସୋସିଆଲ ମେଡିଆର ବହୁଚର୍ଚ୍ଚିତ ଅଂଶ ବିଶେଷ ରୁପେ ପ୍ରତୀୟମାନ ହୁଏ। ଛୋଟ ପର୍ଦାରେ ଟିଆରପି ନାମକ ବ୍ୟାଧି ଲୋକଲୋଚନକୁ ଆସିସାରିଛି । ମାତ୍ର ସୋସିଆଲ ମେଡିଆରେ ସେପରି କିଛି ଭାଇରସ ଅଛନ୍ତି କି ନାହିଁ କହିହେବ ନାହିଁ।
କେଉଁ ଏକ ସୋସିଆଲ ଗୃପ୍ ରେ ଯଦି କାହାର ଚିହ୍ନା ପରିଚିତ ଙ୍କର ମୃତ୍ୟୁ ଖବର ଆସେ ଯୋଡହସ୍ତ ଫଟୋସହ ଆର୍ ଆଇ ପି , ଓଁ ଶାନ୍ତି ଆଦି ଶୋକ ସନ୍ଦେଶ ଆସିଯାଏ, ଯିଏ ଟିକିଏ କମ୍ ଜଣାଶୁଣା, ତାଙ୍କରି ପାଇଁ। କେହି ଦି’ଚାରିଜଣ ଏକାଠି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆଦିଙ୍କ ଶୋକସନ୍ଦେଶ ସହ ଅନୁକମ୍ପା ରାଶିର ଘୋଷଣା କରାଯାଏ ମୃତକଙ୍କ ପରିବାରଙ୍କ ପାଇଁ। ସେମାନେ ପାଆନ୍ତି କି ନାହିଁ ସେ ଅଲଗା କଥା।
ସୋସିଆଲ ମେଡିଆ ଏତେ ଚଳଚଞ୍ଚଳ ଯେ ପେସେଣ୍ଟ୍ ଆଇସିୟୁ ରୁ ୱାର୍ଡ କୁ ଆସିଛି କି ନାହିଁ ଶୋକ ସନ୍ଦେଶ ରେଡି । ସବୁ ହୋମ ଯଜ୍ଞରେ ଜଣେ ଅଧେ ପୁରୋହିତ ବା ପୁରୋଧା ଥାଆନ୍ତି। ଶୋକ ସଭାରେ ପୁରୋଧା ଜଣେ କୁହାଳିଆ ରାଜନେତାଙ୍କୁ ଯୋଗାଡ କରି ରଖିବା କଥା। ହୋଇ —ଯାଏ। ବେଶି କିଛି ଯୋଗାଡ କରିବା ଦରକାର ପଡେ ନାହିଁ। ସୋସିଆଲ ମେଡିଆ ଆଞ୍ଚଳିକ, ପ୍ରାଦେଶିକ, ଜାତୀୟରୁ ଉଠି ଗ୍ଲୋବାଲ ସ୍ତରରେ ପହଞ୍ଚି ସାରିଲେଣି।
କମ୍ପିଟେସନ କଥା କହନା। ସବୁ ଗ୍ରୁପରେ ଜଣେ ଦିଜଣ କାର୍ପଟଦାର , ବେବର୍ତା ଥାଆନ୍ତି। ତାଙ୍କୁ ଆଡମିନ୍ କହନ୍ତି ବୋଲି ଏବେ ମୋର ବୁଦ୍ଧି ହେବାରୁ ଜାଣିଲି । ଭାରି ପାୱାରଫୁଲ୍ ସେମାନେ , ୱାର୍ଣିଂ ଇସୁ କରିଦେବେ , ନାଁ କାଟିଦେବେ ବିନା କାରଣ ବତାଅ ନୋଟିସ ରେ। ଇଣ୍ଟର ଗ୍ରୁପ୍ ରାଇଭାଲ୍ରି ବହୁତ ପ୍ରବଳ, କାହା ଶୋକସନ୍ଦେଶ ଟା ଆଗ ଭାଇରାଲ୍ ହେବ। ଲୋକଟାର ଡେଥ୍ ସାର୍ଟିଫିକେଟ ଲେଖା ସରିଛି କି ନାହିଁ ଶୋକ ଯେ ୟାଙ୍କ ଛାତିରୁ ବାହାରି ଆଖିରେ ପହଞ୍ଚି ଗଲାଣି। ନେତାଙ୍କୁ ବ୍ରିଫିଙ୍ଗ୍ ଦେବାକୁ ହେବ , କିଛି ନହେଲେ ବୟସଟା ଜଣେଇବା ବହୁତ ଜରୁରୀ। ଲିଙ୍ଗ ଭେଦ ନାଁ ରୁ ଜଣା ପଡିଯିବ ଯେ, ଗୋଟାଏ ଦୁଇ ଟା ଯାଗାରେ ଝୁଣ୍ଟିପାରନ୍ତି। ଯେମିତି ଚନ୍ଦ୍ର ମଣି , ବସନ୍ତ ,ନିଶାମଣି, ନଳିନୀ ,ପିୟୁଷକାନ୍ତି – ସେଠି ଟିକିଏ ସାବଧାନ ହେବା ଆବଶ୍ୟକ । ବୟସ ଟା ଜାଣିବା ବହୁତ ଇମ୍ପୋଟାଣ୍ଟ୍। ପଚିଶ ତିରିଶ ଭିତରେ ହେଲେ ଉଦୀୟମାନ ପ୍ରତିଭା , ତା ତଳକୁ ସାହସିକତାର ନିଦର୍ଶନ, ମଧ୍ଯମ ବୟସ ବା ତଦୁର୍ଦ୍ଧ୍ୱ ସମାଜସେବୀ କାଟେଗୋରିରେ ପକେଇ ଦେବେ ଅଶୀ ପଞ୍ଚାଅସି ପର୍ଯ୍ୟନ୍ତ। ନବେ ଉପରକୁ ସ୍ବାଧୀନତା ସଂଗ୍ରାମୀ କାଟେଗୋରିକୁ ଚାଲିଯିବେ। ନେତାଜୀଙ୍କ ପାଖରେ ସବୁ ଫର୍ମାଟ୍ ଅଛି। ତାଙ୍କ ୟୂନିଫର୍ମ ସବୁବେଳେ ରେଡି। ଖାଲି ଅନମ୍ୟୁଟ୍ କହିଦେଲେ ସିଏ ମାଡିଯିବେ, ଲୁହ ବୋହିବାର ଆକ୍ସନ ଏକଦମ ରେଡି। ପାଖରେ ତ କେହି ନାହିଁ ସମସ୍ତେ ନିଜ ନିଜ ଘରେ ମୋବାଇଲ, ଲ୍ୟାପଟପ୍ କୁ ଚାହିଁ ଶୋକର ଫିଲିଙ୍ଗ୍ ଟା ପ୍ରସ୍ତୁତ କରୁଛନ୍ତି, ଖାଲି ଟିସୁ ପେପର କି ରୁମାଲ ଟା ନାକରୁ ଜମା ଛାଡିବେ ନାହିଁ। କରୁଣ ରସ ସବୁ ସେହି ରୁମାଲ ଭିତରେ ରହିଯିବ।
ସେ ସମୟ କଣ ଆଜି ଅଛି ଯେ ଆମକୁ ରେଡିଓ ଓ ଖବରକାଗଜ ଉପରେ ନିର୍ଭର କରିବାକୁ ହେଉଛି? ଏଵେ ଟେଲିଭିଜନ, ଭିଡିଓ ଟେକ୍ନୋଲଜି ର ଯୁଗ , ପତ୍ରକାର ଙ୍କ ଆଗରୁ ପବ୍ଲିକ ଯାଇ ମୋବାଇଲରେ ଭିଡିଓ ଫିଲ୍ମିଙ୍ଗ୍ କରି ଭାଇରାଲ କରି ଦେଉଛନ୍ତି। ସାବଧାନ! ଏ ଫୁଲାଫାଙ୍କିଆ କାମ ଚଳିବ ନାହିଁ। ରେଡିଓ ନ୍ୟୁଜ୍ ପଢିବା ସମୟରେ ଗୁଳିକାଣ୍ଡରେ ଆହତ ହେଲେ କି ନିହତ ହେଲେ ଏହି ଶବ୍ଦ ଦୁଇ ଟି ବଞ୍ଚାଇ ଦେଉଥିଲା। ଥରେ ପାଟିରୁ ଖସିଗଲେ ଏପଟ ସେପଟ କରି ଦେଇ ବଞ୍ଚି ଯାଉଥିଲେ। ଥରେ ଏପରି ପରିସ୍ଥିତି ଉପୁଜିଥିବା ଆମର ମନେଅଛି। ଜଣେ ପ୍ରଖ୍ୟାତ ଓଡ଼ିଆ ନ୍ୟୁଜ୍ ରିଡର ନିଜର ଗୁରୁଗମ୍ଭୀର ସ୍ୱରରେ କହିଦେଲେ ବାଲେଶ୍ଵର ଗୁଳିକାଣ୍ଡରେ ଏତେ ଜଣ ପ୍ରାଣ ହରାଇଛନ୍ତି। ଯଦିଓ ସେପରି କିଛି ହୋଇ ନଥିଲା। ଆହତ, ନିହତ ଫର୍ମୁଲା ଲାଗୁ ହୋଇପାରିଲା ନାହିଁ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।
ଆମର କହିବା କଥା ଏତେ ତରବରିଆ ଭାବରେ ଶୋକ ପ୍ରକାଶ ନକରି ଟିକିଏ ରହିଗଲେ କ୍ଷତି କଣ? ଘରବାଲା ଆଶାବାନ୍ଧିଛନ୍ତି କାଳେ ବଞ୍ଚି ଯିବେ? ବୟସ୍କ ବାପ ମାଆଙ୍କର ୱସିୟତ ନାମା ବା ଉଇଲ୍, ବ୍ୟାଙ୍କ ଖାତା, ଏଫ୍ ଡି ଖୋଜାଚାଲିଛି, ଲକର ଚାବି ମିଳିନାହିଁ, ତାଙ୍କୁ ଏପର୍ଯ୍ୟନ୍ତ ଶୋକ ଛୁଇଁ ନାହିଁ, ତୁମକୁ ଏତେ ହରବର କାହିଁକି ?
ଏ କଣ ସେ ଖବରକାଗଜ ଯୁଗ ଅଛି ଯେ, ପରଦିନ ଲେଖିଦେବ ଭ୍ରମ ସଂଶୋଧନରେ, “ଆମେ ଦୁଃଖିତ । ଯିଏ ମରିଥିଲେ ସିଏ ଇଏ ନୁହନ୍ତି। ଇଏ ଏବେ ଆଇସିୟୁ ରୁ ଆସି ୱାର୍ଡରେ ସୁଜିଖିରି ଖାଇବା ଆମ ସମ୍ବାଦଦାତା ସ୍ୱଚକ୍ଷୁରେ ଦେଖି ଆସିଛନ୍ତି । ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ।”
ସେଥିପାଇଁ ଆମେ ଆପଣଙ୍କୁ ସାବଧାନ କରିଦେଉଛୁ,ଏତେ ତରବରିଆ ହୋଇ ଶୋକସନ୍ଦେଶ ପଠାଇ ଅଯଥାରେ ବିବାଦୀୟ ପରିସ୍ଥିତି ରେ ପଡନ୍ତୁ ନାହିଁ। ତେଣିକି ଆପଣଙ୍କ ଇଚ୍ଛା।
କଟାକ୍ଷ ପାଇଁ ଅଧୁନାତନ ବିଷୟ ଓ ସାମଗ୍ରୀ ..irony
ବଡ଼ିଆ ଵ୍ୟଙ୍ଗ। ସତ କଥା ର ତୀର୍ଯ୍ୟକ ବାଣ। ସାମୟିକ ପ୍ରସଙ୍ଗ ଉପରେ ଲେଖିବାରେ ଉସ୍ତାଦ ବନ୍ଧୁ ଅଭୟ ଦାଶ ଙ୍କୁ ଅଭିନନ୍ଦନ।