କବି ମାନସିଂହଙ୍କ ସ୍ମୃତିପୀଠରେ ଦିନେ

  • ଚିଲିକା ହ୍ରଦ ଅଭ୍ୟନ୍ତରରେ ନନ୍ଦଳା ଗ୍ରାମଠାରେ ଅବସ୍ଥିତ ସ୍ବନାମଧନ୍ୟ କବି ମାୟାଧର ମାନସିଂହଙ୍କ ସ୍ମୃତିପୀଠ ଓ ଜନ୍ମସ୍ଥାନ ପରିଭ୍ରମଣର ଏକ ମଧୁର ଅନୁଭୂତି ଉପସ୍ଥାପନ କରିଛନ୍ତି କାନାଡ଼ା ଦେଶର ବିଶିଷ୍ଟ ବୈଜ୍ଞାନିକ ତଥା କବି ଡକ୍ଟର ଗଗନ ପାଣିଗ୍ରାହୀ
ଡକ୍ଟର ଗଗନ ପାଣିଗ୍ରାହୀ

ଫେବୃୟାରୀ ମାସର ପ୍ରଥମ ସପ୍ତାହ। ଶୀତ କମି କମି ଆସିଥାଏ, ପ୍ରାୟ ନଥାଏ କହିଲେ ଚଳେ। ଆକାଶ ସଂପୂର୍ଣ୍ଣ ନୀଳ ନହେଲେ ବି ସକାଳର କୋମଳ ସୂର୍ଯ୍ୟ କିରଣ ଧରା ପରେ ଢାଳି ହେଇପଡୁଥାଏ। ସକାଳୁ ସକାଳୁ ପ୍ରଫେସର ଲଲାଟେନ୍ଦୁ ମାନସିଂହ ସପତ୍ନୀକ ଆସି ମୋ ସଢୁଙ୍କ ଭୁବନେଶ୍ୱର ଆପାର୍ଟମେଣ୍ଟ ଆଗରେ ପହଞ୍ଚିଲେ। ମୁଁ, ପତ୍ନୀ ସବିତା, ସାନ ଭାଇ ରତ୍ନାକର ଓ ତା ସ୍ତ୍ରୀ ସଂଗୀତା, ଆମେ ଚାରିଜଣ ବାହାରକୁ ବାହାରି ଆସି ରାସ୍ତା ଧାରରେ ଦୁଇଟି ଛୋଟ ସୁଟକେଶ୍ ଧରି ତାଙ୍କ ଅପେକ୍ଷାରେ ଥିଲୁ। ଭ୍ୟାନରୁ ସେମାନେ ଓହ୍ଲାଉ ଓହ୍ଲାଉ ପରସ୍ପରଙ୍କ ସହିତ ସକାଳର ପ୍ରାରମ୍ଭିକ ସ୍ୱାଗତ ସମ୍ଭାଷଣ ହେଇଗଲା। ଆମେ ରତ୍ନାକର ଓ ସଙ୍ଗୀତାଙ୍କୁ ପ୍ରଫେସର ମାନସିଂହ ଓ ତାଙ୍କ ପତ୍ନୀଙ୍କ ସହିତ ପରିଚୟ କରେଇ ଦେଲୁ। ପରିଚୟ ପର୍ବ ସରିବା ପରେପରେ ଆମେ ସମସ୍ତେ ତୁରନ୍ତ ଭ୍ୟାନ ଭିତରକୁ ପଶି ନିଜ ନିଜର ସିଟ୍‌ରେ ନିଜକୁ ସଜାଡିନେଲୁ। ଡ୍ରାଇଭର ପୁଣି ଗାଡ଼ି ଚଳେଇବା ଆରମ୍ଭ କରିବା ଆଗରୁ ପ୍ରଫେସର ମାନସିଂହ ଡ୍ରାଇଭରକୁ ପଚାରିନେଲେ, “ତମେ ତ ଜାଣିଛ ଆମେ କେଉଁଠିକୁ ଯାଉଛୁ?” ସଙ୍ଗେ ସଙ୍ଗେ ଡ୍ରାଇଭର ଜଣକ ଟିକିଏ ତା ପାନଖିଆ ରଙ୍ଗିଲା ଓଠରେ ମୁଚୁକୁନ୍ଦିଆ ହସଟିଏ ଫୁଟେଇ ଦେଇ ଅତି ନମ୍ର ସ୍ୱରରେ କହିଲା, “ହଁ ସାର୍ ଏବେ ମୁଁ ଚଲଉଛି ରମ୍ଭା ପର୍ଯ୍ୟନ୍ତ, ରମ୍ଭା ପହଞ୍ଚିଲେ ଆପଣ ଟିକିଏ ବତେଇ ଦେବେ, କିଛି ଅସୁବିଧା ନାହିଁ ସାର।” ପ୍ରଫେସର ମାନସିଂହ କହିଲେ, “ହଉ ତେବେ ଚାଲ’।

ଆମର ଗନ୍ତବ୍ୟ ସ୍ଥଳ ସୁନାମଧନ୍ୟ କବି, ସୁଲେଖକ ଓ ଶିକ୍ଷାବିତ୍ ମାୟାଧର ମାନସିଂହଙ୍କର ଜନ୍ମ ସ୍ଥାନ, ନନ୍ଦଳା ଗ୍ରାମ, ଭୁବନେଶ୍ୱର ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ। ସେଠାକୁ ଯିବାକୁ ହେଲେ ଚିଲିକା କୂଳେକୂଳେ ରମ୍ଭା ସହର ପାରିହୋଇ ମାଲୁଦ ନିକଟବର୍ତ୍ତୀ ଅଞ୍ଚଳକୁ ଯିବାକୁ ପଡ଼େ ବୋଲି ମୁଁ ଗୁଗୁଲ୍ ମ୍ୟାପରୁ ଦେଖିଥିଲି। ଚିଲିକା ଓ ବଙ୍ଗୋପସାଗର ମଧ୍ୟଭାଗରେ ନନ୍ଦଳା ଗ୍ରାମର ଅବସ୍ଥିତି। ରାଜଧାନୀ ଭୁବନେଶ୍ୱରର ଗହଳି ଚହଳି ପାରିହୋଇ ଆମର ଭ୍ୟାନ୍‌ଟି ହାଇୱେ ଷୋହଳରେ ଦକ୍ଷିଣ ଦିଗକୁ ଛୁଟି ଚାଲିଲା।

ସାମନା ସିଟ ଡ୍ରାଇଭର ପାଖରେ ବସିଥାନ୍ତି ପ୍ରଫେସର ମାନସିଂହ। ସେ କବି ମାନସିଂହଙ୍କର ଜ୍ୟୋଷ୍ଠ ପୁତ୍ର, ବୃତ୍ତିରେ ବୈଜ୍ଞାନିକ, ଅନେକ ଦିନରୁ କାନାଡ଼ା ଦେଶରେ ବାସକରି ଆସୁଅଛନ୍ତି। ମଝି ସିଟରେ ବସିଥାନ୍ତି ତାଙ୍କର ପତ୍ନୀ ଚାରୁ, ଯାହାଙ୍କୁ କି ଆମେ ଚାରୁ ମାଉସୀ ସମ୍ବୋଧନ କରୁ୍। କାନାଡା ଓ ଆମେରିକାରେ ସେମାନଙ୍କ ସହିତ ଅନେକ ଥର କାରରେ ବସି ଦୂରଦୂରାନ୍ତର ସ୍ଥାନମାନଙ୍କୁ ଆମେ ଯାଇଛୁ। ମାତ୍ର ଓଡ଼ିଶାରେ ତାଙ୍କ ସହିତ ଗୋଟିଏ ଗାଡ଼ିରେ ବସି ଯିବାଟା ଏହା ଆମର ପ୍ରଥମ।

ଗାଡ଼ି ରାଜଧାନୀର ବଜାର, କୋଠାବାଡି, ରାସ୍ତା ଘାଟ ଗହଳ ଚହଳ ଟପିଗଲା ପରେ ଗ୍ରାମର ଜନ ବସତି, ନଦ ନଦୀ, ଜମି, ପଡ଼ିଆ ଓ ଜଙ୍ଗଲ ଦେଇ ଗତି କରିବାକୁ ଲାଗିଲା। ମଝିରେ ମଝିରେ ଜଙ୍ଗଲ ଟପି ଦୂର ଦିଗନ୍ତରେ ଦେଖାଯାଉଥାନ୍ତି ଧୂସର ଓ ନୀଳ ବର୍ଣ୍ଣର ସ୍ତର ସ୍ତର ହୋଇ ପ୍ରାଚୀର ସଦୃଶ ପାହାଡ, ଯାହାର ଦୃଶ୍ୟ ମନଲୋଭା।

ନାନା କଥୋପକଥନ ଭିତରେ ଗାଡ଼ି ଆସି ରମ୍ଭା ସହରରେ ପହଞ୍ଚିଲା। ସହରଟି ସେମିତି କିଛି ବଡ ନୁହଁ, କ୍ଷୁଦ୍ର ସହରଟିଏ। ଲାଲୁ ବାବୁ ଡ୍ରାଇଭରକୁ ଚାହିଁ ସଜାଗ କରି ଦେଇ କହିଲେ, “ ଆରେ ପ୍ରଦୀପ, ରମ୍ଭା ହେଇଗଲା, ଏବେ ମାଲୁଦ ରୋଡକୁ ଲକ୍ଷ୍ୟ ରଖ, ସେଥିରେ ତୁମକୁ ଲେଫ୍ଟ୍ ଟର୍ଣ୍ଣ ନେବାକୁ ପଡ଼ିବ।” ଏହା ଶୁଣି ଡ୍ରାଇଭର ପ୍ରଦୀପ ମୁଣ୍ଡ ହଲେଇ ସମ୍ମତି ଜଣେଇ କହିଲା, “ହଁ ସାର, କିଛି ଚିନ୍ତା ନାହିଁ।” କିଛି ସମୟ ପରେ ଆମ ଭ୍ୟାନ୍ ସଯତ୍ନରେ ମାଲୁଦ ରୋଡରେ ବାଆଁକୁ ମୋଡ଼ିଗଲା।

ମାଲୁଦ ରୋଡ ହାଇୱେ ଷୋହଳରୁ ବାହାରି ଚିଲିକା ଓ ବଙ୍ଗୋପସାଗର ମଧ୍ୟଦେଇ ଲମ୍ବି ଯାଇଛି। ସେଇ ପିଚୁ ରାସ୍ତାରେ ଆମ ଗାଡ଼ି ଆଗେଇ ଚାଲିଲା। କିଛି ଦୂର ଯିବା ପରେ ମୁଁ ଲାଲୁ ବାବୁଙ୍କୁ କହିଲି, “ଆପଣ ତ ଆମକୁ ସବୁବେଳେ କହୁଥିଲେ ଆପଣ ଡଙ୍ଗାରେ ବସି ଗାଁକୁ ଯାଉଥିଲେ ଇଏ କଣ ଏତେ ସୁନ୍ଦର ପିଚୁରାସ୍ତା ଏବେ?” ମୋ କଥା ଶୁଣି ଲାଲୁ ବାବୁ ଅଳ୍ପ ହସି କହିବା ଆରମ୍ଭ କଲେ, “ଏ ଯେଉଁ ରାସ୍ତା ଏବେ ତମେ ଦେଖୁଛ ଇଏ ଆଗରୁ ନଥିଲା, ଏ ରାସ୍ତା ମାଟି କାଦୁଅର ରାସ୍ତା ଥିଲା। ଯାତାୟତ ପାଇଁ ତା ଉପରେ କେବଳ ବଳଦ ଗାଡି ଯା’ଆସ କରୁଥିଲା। ସେଇଥି ପାଇଁ ସେତେବେଳେ କେବଳ ଶଗଡ଼ ଚକର ଚିହ୍ନ କାଦୁଅ ଉପରେ ପଡ଼ିଥିବାର ଦେଖିବାକୁ ମିଳୁଥିଲା। ସାଇକେଲ ଖଣ୍ଡେ ବି ଦେଖିବା ବିରଳ। ଶୁଖିଲା ପାଗରେ ଗ୍ରୀଷ୍ମଦିନେ ଏଇ ରାସ୍ତାରେ ବଳଦ ଗାଡ଼ିରେ, ନୋହିଲେ ବର୍ଷା ଋତୁରେ ଚିଲିକା ଭିତର ଦେଇ ଡଙ୍ଗାରେ ଆମେ ଗାଆଁରେ ପହଞ୍ଚୁଥିଲୁ। ବର୍ଷାଦିନେ ଏ ରାସ୍ତା ପାଣିରେ ଡୁବିଯାଏ। ପରେପରେ ଏ ରାସ୍ତା ନାଲି ଗୋଡ଼ିରେ ପରିଣତ ହେଲା। କିନ୍ତୁ ସବୁବେଳେ ସେଇ ଧକଡ଼ ଚକଡ଼। ବାପାଙ୍କର ସ୍ମୃତି ଉନ୍ମୋଚନ ପାଇଁ ଯେତେବେଳେ ରାଜ୍ୟପାଳଙ୍କର ଏ ଅଞ୍ଚଳରେ ପାଦ ପଡ଼ିବା ହେଲା ତେବେ ଯାଇ ଏ ରାସ୍ତାର ଭାଗ୍ୟ ବଦଳିଲା, ଏଇ ମାତ୍ର କେତେବର୍ଷ ତଳେ ଏ ରାସ୍ତା ପୁନଃନିର୍ମାଣ ହେଇଛି, ନୋହିଲେ ଆଗରୁ ୟାକୁ କେହି ପଚାରୁ ନଥିଲେ।” ଲାଲୁବାବୁଙ୍କ କଥାଯାକ ଆମେମାନେ କାନପାତି ପିଇ ଯାଉଥିଲୁ।

ଆମ ଭ୍ୟାନ ମାଲୁଦ ରୋଡରେ ଆଗେଇ ଚାଲିଥାଏ। ବାମ ପାର୍ଶ୍ୱରେ ଚିଲିକା ହ୍ରଦ ଓ ଦକ୍ଷିଣ ପାର୍ଶ୍ୱରେ ବଙ୍ଗୋପସାଗରର ନୀଳ ଜଳ ରାଶି। ନିର୍ମଳ ନୀଳ ଆକାଶରେ କିରଣ ବିଛୁରି ସୂର୍ଯ୍ୟ ଝଟକି ଉଠୁଥାନ୍ତି। ହ୍ରଦର ଦୂର ଚକ୍ରବାଳରେ ଦେଖାଯାଉଥାଏ ବୃକ୍ଷରେଖାର ଝାପ୍‌ସା ଝାପ୍‌ସା ଆଭାସ। ଆକାଶରେ କେଇ ଖଣ୍ଡ ଧଳା ବାଦଲ ଚାନ୍ଦୁଆ ପରି ପ୍ରତୀୟମାନ ହେଉଥିଲାବେଳେ ତହିଁ ପରେ କିଛି କୃଷ୍ଣ ଓ ଧୂସରବର୍ଣ୍ଣ ମେଘର ଛିଟା ଲେପିହୋଇ ଦେଖାଯାଉଥାଏ। ରାସ୍ତା ଦୁଇ ଧାରରେ ଜଳମଗ୍ନ ଶ୍ୟାମଳ ପ୍ରାନ୍ତର ଓ ଜମି। ଜମିମାନଙ୍କରେ ଦେଖା ଯାଉଥାନ୍ତି ଅନେକ ଦୂରକୁ ଦୂରକୁ ଉଡ଼ି ଯାଉଥିବା ଜାତି ଜାତିକା ପକ୍ଷୀ। ରାସ୍ତା ଦୁଇ ପାର୍ଶ୍ୱରେ ମଝିରେ ମଝିରେ ଶୁଭୁଥାଏ ଛୋଟବଡ଼ ପକ୍ଷୀମାନଙ୍କର କଳକଳ ରବ।

ଖିଲଖିଲ ଶୀତଳ ପବନ ଦେହରେ ଆସି ବାଜି ଯାଉଥାଏ। ସେତିକି ବେଳେ ଦେଖା ଗଲେ ଦୂରରେ ବକ ପଂକ୍ତିଟିଏ ଉଡ଼ିଯିବାର। ସେମାନେ ଆମ ଭ୍ୟାନର ଠିକ ଉପରେ ଉଡ଼ିଉଡ଼ି ଯାଉଥାନ୍ତି, ଲାଗୁଥାନ୍ତି ସତେ ଯେପରି ଆମକୁ ବାଟ କଢ଼େଇ ନେଇଯାଉଛନ୍ତି। କିଛି ସମୟ ପରେ ଯେବେ ରାସ୍ତା ଦୁଇ ଧାରରେ ଝାଉଁବନ ବିଥି ଓ ଲଙ୍କା ଆମ୍ରକୁଞ୍ଜ ଦୃଶ୍ୟମାନ ହେଲା ସେତେବେଳେ ଆମେ ଜାଣିଲୁ ସତରେ ଗାଆଁ ନିକଟତର ହେଇ ଆସିଲା।

ଗାଆଁ ଭିତରେ ପଶି ଶେଷରେ ଗାଡ଼ି ଆସି ରହିଲା ଏକ ପକ୍କାଘର ଲୌହଫାଟକ ସାମନାରେ। ବାଲୁକା ଭୂଇଁ ଉପରେ ଇଟା ଓ ପଥରର ଉଚ୍ଚ ଆସ୍ଥାନ। ତହିଁ ପରେ ନାଲି ମାଙ୍କଡ଼ା ପଥରରେ ନିର୍ମିତ ଏକ ମହଲା ବିଶିଷ୍ଟ ବାସ ଗୃହ। ଘରକୁ ମୁହଁ କରି ଠିଆ ହେଲେ ଘରର ଅନତୀଦୂରରେ ବାମ ପାର୍ଶ୍ୱକୁ କବି ମାୟାଧର ମାନସିଂହଙ୍କର ସ୍ମୃତି ସୌଧ, ଯେଉଁଠାରେ କି ତାଙ୍କର ଚିତା ଭସ୍ମ ସ୍ଥାନିତ ହୋଇଛି। ପ୍ରଚ୍ଛଦପଟ୍ଟରେ ନାରିକେଳ, ପିଜୁଳି, ଲଙ୍କା ଆମ୍ବ, ଆମ୍ବ, ଲିଚୁ ଓ ସପେଟା ବୃକ୍ଷମାନ ଶୋଭାପାଉଥାନ୍ତି। ଘରର କାନ୍ଥ, ନାଲି ମାଟି ରଙ୍ଗରେ ରଙ୍ଗାୟିତ। ଛାତକୁ ଲାଗି ଶାଢୀର ଧଡ଼ିପରି ଧଳାରେ ଗାର ଏପଟରୁ ସେପଟଯାଏ ଟଣାଯାଇଛି। ଘର ଆଗରେ ପକ୍କା ପିଣ୍ଡା ଓ ପାହାଚ। ଚାରି ପଟରେ ପଥର ପାଚେରୀ। ପକ୍କା ଘରକୁ ଲାଗି ଆଉ ଏକ ବଖରା ମାଟି ଘର ଓ ଟିଣ ଛପର।

ଆଉ ବିଳମ୍ବ ନକରି କ୍ୟାମେରା ଧରି ମୁଁ ସ୍ମୃତିସୌଧ ଆଡ଼କୁ ଆଗେଇଲି। ପ୍ରେମ ପ୍ରଣୟର ବହୁ ଚର୍ଚ୍ଚିତ କବି ମାୟାଧର ମାନସିଂହ। ଅନେକ କାବ୍ୟ, କବିତା, ନାଟକ, ପ୍ରବନ୍ଧ, ସମାଲୋଚନା, ଭ୍ରମଣ କାହାଣୀ, ଜୀବନୀ ଓ ପାଠ୍ୟପୁସ୍ତକରେ ଭରା ତାଙ୍କର ସାରସ୍ୱତ ଭଣ୍ଡାର। ମୁଁ ସ୍କୁଲ ବେଳରେ ଅଧ୍ୟୟନ କରିଥିଲି ତାଙ୍କର ପ୍ରସିଦ୍ଧ “ମହାନଦୀରେ ଜ୍ୟୋତ୍ସା ବିହାର” କବିତା, ଇଂରାଜୀ ଭାଷାରେ ଲିଖିତ ପୁସ୍ତକ “ଲାଲବାହାଦୂର୍ ଏ ସର୍ଭେଣ୍ଟ ଅଫ୍ ଦି ପିପୁଲ୍‌”, କଲେଜ ସମୟରେ ସାହିତ୍ୟପ୍ରେମୀ ଭ୍ରାତା ନଟବର ପାଣିଗ୍ରାହୀଙ୍କ ମୁଖରୁ ଶୁଣିଥିଲି ପୁସ୍ତକ “ଧୂପ”ରେ ସନ୍ନିବେଶିତ “ଏହି ସହକାର ତଳେ” ଓ ଅନ୍ୟାନ୍ୟ କବିତା। ଧୂପ ପୁସ୍ତକଟି ପ୍ରକାଶ ପାଇବାପରେ କଲେଜ ପଢୁଆ ଯୁବକ ଯୁବତୀଙ୍କ ମେଳରେ ଯେତେ ଚହଳ ପକେଇଥିଲା ସମାଲୋଚକ ମାନଙ୍କ ମଧ୍ୟରେ ସେତେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। କାନାଡାର ଲଣ୍ଡନ ସହରରେ ବାସ କରୁଥିବା ବେଳେ ନବବିବାହିତା ପତ୍ନୀ ସବିତା ସଂପୂର୍ଣ୍ଣ “କମଳାୟନ” ମହାକାବ୍ୟ ଲାଲୁ ବାବୁଙ୍କ ପାଖରୁ ଆଣି ପଢ଼ି ମୋତେ ଶୁଣେଇଥିଲେ ଓ ପରେପରେ ସବିତାଙ୍କ ସହିତ ଅଭିନୟ କରିଥିଲି ଟରୋଣ୍ଟୋରେ କାବ୍ୟ ନାଟିକା, “ପୂଜାରିଣୀ”ରେ। ଶେଷରେ ଅବସର ସମୟରେ ମାନସିଂହ ଗ୍ରନ୍ଥାବଳୀରୁ ସମସ୍ତ କବିତା ପଢି ଶେଷ କରିଥିଲି। କବିତା ଲେଖିବା ସମୟରେ ତାଙ୍କ ଲିଖିତ “ଓଡିଆ ସାହିତ୍ୟର ଇତିହାସ” ପଢି ସେଥିରୁ କିଛି ଉଦ୍ଧାର କରି ମୋର ପ୍ରଥମ କବିତା ସଂକଳନରେ ଲେଖିଥିଲି। ଭାବିପାରିଲିନି ସ୍ୱପ୍ନ କି ସତ୍ୟ। ଆଜି ମୁଁ ସେଇ ପ୍ରିୟ କବିଙ୍କର ବାସ ଭବନ ପରିସର ମଧ୍ୟରେ ଯେଉଁଥିରେ କି ତାଙ୍କର ଅଗଣିତ ପଦଧୂଳି ସେଇ ବାଲୁକା ରାଶିକୁ ମଣ୍ଡିତ କରି କାଳର କରାଳ ଚକ୍ରରେ ବିଲୀନ ହୋଇଯାଇଥିବ। ଏହା ଭାବି ନିଜକୁ ଭାଗ୍ୟବାନ ମନେ କଲି। ଫୋଟୋ ତୋଳିବା ସଙ୍ଗେସଙ୍ଗେ ମନେମନେ ନମ୍ରତାରେ ବାଢୁଥିଲି ଶତଶତ ଶ୍ରଦ୍ଧାଞ୍ଜଳି ସେଇ କବିଙ୍କ ଉଦ୍ଦେଶ୍ୟରେ, ତାଙ୍କ ସ୍ମୃତିରେ ତୋଳା ହୋଇଥିବା ସ୍ମୃତି ସୌଧକୁ ଲକ୍ଷ୍ୟ କରି। ଦ୍ୱିପ୍ରହରର ଉଜ୍ଜ୍ୱଳ ସୂର୍ଯ୍ୟ କିରଣରେ ଉଦ୍ଭାସିତ ହେଉଥିଲା ଇଷତ୍ ଲାଲ ରଙ୍ଗର ମସୃଣ ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ସେଇ ସ୍ମୃତିସୌଧ। ଉଚ୍ଚ ପ୍ରସ୍ତର ଆସ୍ଥାନ ଉପରେ ଯୁଗୋପଯୋଗୀ ଢାଞ୍ଚାରେ ସ୍ମୃତିସୌଧର ନିର୍ମାଣ। ଚୂଡା ଭାଗରେ ତ୍ରିକୋଣାକାର ପ୍ରସ୍ତର ମୁକୁଟ ସମ ଶୋଭାପାଉଥାଏ। ସମ୍ମୁଖ କାନ୍ଥର ଉପର ଭାଗରେ କବି ମାୟାଧର ମାନସିଂହଙ୍କର ପିତ୍ତଳରେ ନିର୍ମିତ ଉତ୍ଥିତ ପ୍ରତିଛବି। ତା ତଳେ ଖୋଦିତ ପ୍ରଥମେ ଓଡ଼ିଆ ଓ ପରେ ଇଂରାଜୀ ଭାଷାରେ ତାଙ୍କର ଆବିର୍ଭାବ ଓ ମହା ପ୍ରୟାଣର ତାରିଖ। ସବା ତଳେ କବି ମାନସିଂହ ଲେଖା ମାନଙ୍କରେ ବ୍ୟବହାର କରୁଥିବା ତରବାରୀ ଓ ପର କଲମର ଛବି ଥାଇ ଲୋଗୋ।

ଫୋଟୋଟିଏ ତୋଳି ମୁହେଁଇଲି ବାମ ପାର୍ଶ୍ୱକୁ। ତୀର୍ଯ୍ୟକ ସୂର୍ଯ୍ୟକିରଣ ସେତେବେଳେ ସେଇ ପାର୍ଶ୍ୱରେ ପଡୁଥାଏ। ନଇଁ ଆସିଥିବା ଲଙ୍କା ଆମ୍ବଗଛ ଡାଳର ଆଢୁଆଳରେ ଦେଖା ଯାଉଥାଏ “ମହାପଥର ଯାତ୍ରୀ” କବିତାରୁ ତିନୋଟି ପଙ୍‌କ୍ତି ସେଠାରେ ଖୋଦିତ ହେବାର।

“ମୁଁ ଯେ ଜନମୁ ଜନମେ କରମୁ କରମେ
ମରମୁ ମରମେ ଥିବି ଧାଇଁ,
ମୁଁ ଯେ ସ୍ୱପନୁ ସପନେ ନବ ନବ ମନେ
ନବ ନବ ଗୀତି ଯିବି ଗାଇ।”

——

ମୁକ୍ତ ମୁଁ, ଚିର ଜାଗ୍ରତ ଚିର-
ଗତିଶୀଳ, ଶେଷ ନାହିଁ ମୋର,
ସୃଷ୍ଟିର ମହା ପଥିକ ମୁଁ ମହା-
ସୃଜନେ ଚିତ୍ତ ମୋର ଭୋଳ।

——

ଏତେ ଦିନେ ନିଜ ପଥ ପାଇ
ମହାବିହଙ୍ଗ ପ୍ରାଣର ଆବେଗେ
ମହା ବ୍ୟୋମେ ଯାଏ ଗାଇ ଗାଇ।”

ଗତିଶୀଳ ଦୁନିଆରେ କର୍ମମୟ ଜୀବନ ଭିତରେ ବି ସ୍ୱାଧୀନ ମନନେଇ ମୁକ୍ତ ବିହଙ୍ଗ ସମ ଉଡିବୁଲିବାକୁ କବିଙ୍କର ଇଚ୍ଛା। ସମଗ୍ର ସଂସାରକୁ ନିଜର ଘର ବୋଲି ଭାବି କ୍ଷୁଦ୍ର ଜିନିଷ ଉପରେ ମନୋନିବେଶ ନକରି ମୈତ୍ରୀ, କରୁଣା ଆଲୋକ ଉତ୍ସର ସନ୍ଧାନରେ ଯିବାକୁ କବିଙ୍କର ଆଗ୍ରହ। ସେ ଯେଉଁ ମହାପଥର ସନ୍ଧାନ ପାଇଛନ୍ତି ସେ ମହାପଥରେ ମହାପଥିକ ସାଜି କେବଳ ଦେଶ ନୁହଁ ସାରା ବିଶ୍ୱରେ ଗାଇଗାଇ ପ୍ରେମ ବିତରଣ କରି ଜୀବନ ବିତାଇବାକୁ ସେ ଉଚିତ ମନେ କରିଛନ୍ତି।

ମଧ୍ୟାହ୍ନର ସୂର୍ଯ୍ୟ ପଶ୍ଚିମ ଦିଗକୁ ଢଳି ଆସୁଥାନ୍ତି। ସ୍ମୃତିର ପୃଷ୍ଠଭାଗ ପ୍ରଚଣ୍ଡ ସୂର୍ଯ୍ୟକିରଣରେ ଆଲୋକିତ। ଚକ୍ଷୁ ଝଲସାଇ ତହିଁରେ ଦେଖା ଯାଉଥାଏ ଖୋଦେଇ ହୋଇଥିବା ଅକ୍ଷର। ସେଥିରେ ଲେଖାଥାଏ “ଅକ୍ଷତ” ପୁସ୍ତକରୁ ସନେଟ୍ ଶୈଳୀରେ କବିତା “କବି-ଗୌରବ”ର ଦୁଇଟି ପଙ୍‌କ୍ତି।

“ପୁଣି ଯଦି ଆସେ କେବେ ଏହି ଧରଣୀରେ
ହେ ପରମ, ଏ ମାଗୁଣି ତବ ପଦତଳେ
ବୀଣା ପୁଣି ନିଜ ହସ୍ତେ ଦେବ ମୋ ପାଣିରେ
ସ୍ଥାନ ଏକ ଦେବ ମୋତେ ବିଶ୍ୱ- କବି-ଦଳେ।

 ——

ମାଗେ ନା ମୁଁ ନିଜ ମୁକ୍ତି, ସନ୍ତୋଷ ବିଳାସ,
ହେ କବି, କରାଅ ମୋତେ କବି ଜନ୍ମେ ଜନ୍ମେ,
ଗୀତେ ଫୁଟାଇବି ସତ୍ୟ, ଶିବର ବିକାଶ,
ଜଗାଇବି ଦେବତାରେ ମାନବ-ମରମେ।”

ଏ କବିତାରେ ପରମେଶ୍ୱର ନିକଟରେ କବି ନିବେଦନ କରୁଛନ୍ତି, ପୁଣି ଥରେ ସେ ଯଦି ଧରାପୃଷ୍ଠକୁ ଆସନ୍ତି ତାଙ୍କୁ ସେ ପୁଣି କବି ରୂପରେ ଜନ୍ମ ଦିଅନ୍ତୁ। ସେ ପ୍ରଭୁଙ୍କୁ ନିଜର ସନ୍ତୋଷ ବିଳାସ କିଛି ହେଲେ ମାଗୁ ନାହାନ୍ତି। ଯେତେବେଳେ ମନୁଷ୍ୟ ମନୁଷ୍ୟ ପ୍ରତି ମନ୍ଦ ଆଚରଣ କରିବ ସେତେବେଳେ କବିତା ମାଧ୍ୟମରେ ସେ କେବଳ ଭଗବାନଙ୍କର ନାମ ଗାଇ ଏହାର ବିରୋଧ କରିବେ। କବିତା ମାଧ୍ୟମରେ ମଣିଷ ମନରେ ସତ୍ୟ ଓ ଶିବର ବିକାଶ କରାଇବେ। କବିତାକୁ ଆଧାର କରି ଭଗବାନଙ୍କର ମହିମାଗାନ କରି ପାରିଲେ ସେଇ ହେବ କବିଙ୍କ ନିମନ୍ତେ ଅତ୍ୟନ୍ତ ଗୌରବର ବିଷୟ।

ସର୍ବ ଶେଷରେ ଦକ୍ଷିଣ ପାର୍ଶ୍ୱକୁ ଯାଇ ଦେଖିଲି ଖୋଦେଇ ହୋଇଥାଏ ଜୀବନ ଚିତା ପୁସ୍ତକରେ ଥିବା ଦୀର୍ଘ କବିତା “ସମାଧି”ର ଶେଷ ପଂକ୍ତିଟି।

“ବସନ୍ତର ପୁଷ୍ପୋତ୍ସବେ, ଶାରଦ ଜ୍ୟୋତ୍ସାରେ
ସ୍ମରି କେବେ ମୋ ଦେଶର ଯୁବକ ଯୁବତୀ
ଆସି ସେ ସମାଧି ପରେ
ପୁଷ୍ପ ଢାଳି ପ୍ରୀତିଭରେ
କବିରେ ଦେବେ ସେ ଯଦି ଶ୍ରଦ୍ଧାର ଆରତି,
ସେହି ସେ ହୋଇବ ମୋର ଶ୍ରେଷ୍ଠ ପୁରସ୍କାର,
ସେହି ମୋରେ ମାନଦଣ୍ଡ ଜୀବନ-ଯାତ୍ରାର।”

ଦିନେ କବି କଟକରେ ଟାଉନ ବସ୍‌ରେ ଯାଉଥିବାବେଳେ କୋଠାବାଡ଼ି, ବହୁ ଆୟକାରୀ ବ୍ୟବସାୟ ଓ ଦୁଇ ବ୍ୟକ୍ତିଙ୍କର ସମାଜରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ବିଷୟରେ କଥୋପକଥନ ଶୁଣି ମନେମନେ ଭାବୁଥିଲେ, “ହେ ସ୍ରଷ୍ଟା, ଏ ଦୁନିଆରେ ମୋର କିଛିଲୋଡ଼ା ନାହିଁ, ମୁଁ ଯିବା ପରେ ମୋର କ୍ଷୁଦ୍ର ସମାଧିଟିଏ ଶ୍ୟାମ ଦୁର୍ବାଦଳ ପରେ ଏକାନ୍ତ ଇଚ୍ଛା। ଯଦି କେହି ସହୃଦୟ ବ୍ୟକ୍ତି ଆସି ଏ କବିପ୍ରତି ଶ୍ରଦ୍ଧାରେ ପୁଷ୍ପଗୁଚ୍ଛଟିଏ ତା ଉପରେ ଦିଏ ସେଇ ହୁଅନ୍ତା ମୋର ଶ୍ରେଷ୍ଠ ପୁରସ୍କାର ଓ ସେଇ ହୁଅନ୍ତା ମୋର ଜୀବନ-ଯାତ୍ରାର ମାନଦଣ୍ଡ।”

ସ୍ମୃତି ପୀଠରେ ଏହି ପଂକ୍ତିଟି ପଢ଼ି ହୃଦୟ ମୋର ଭାବାବେଗରେ ଉଦ୍‌ବେଳିତ ହେଇ ଉଠିଲା। ହାତରେ ପୁଷ୍ପଗୁଚ୍ଛ ନଥିଲେ ବି ମନେମନେ ଶତପୁଷ୍ପଗୁଚ୍ଛ କଳ୍ପନା କରି ଭରିଦେଉଥିଲି ସେଇ ସ୍ମୃତି ଦେଉଳ ପରେ।

ଅନେକ ସମୟ ବିତିଯିବା ପରେ ଲାଲୁ ବାବୁ ଦୂରରେ ଥାଇ ପଚାରିଲେ, “କଣ ଗଗନ୍‌, ଫୋଟୋ ନିଆ ସରିଲା?” ହଁ କହି ମୁଁ ଆସି ତାଙ୍କ ପାଖରେ ବସି ତାଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ପଚାରିଲି, “ଲାଲୁ ବାବୁ, ଏ ଯେଉଁ ସ୍ମୃତିସୌଧ ନିର୍ମାଣ କରାଯାଇଛି, ଏପରି ହେବ ବୋଲି ଏହାକୁ କିଏ ପ୍ରଥମେ କଳ୍ପନା କରିଥିଲେ?” ପିଉଥିବା ପାଣି ଗ୍ଲାସଟିକୁ ପାଖରେ ଥୋଇଦେଇ ସେ କହିଲେ, “ଏ ସବୁ ଡିଜାଇନ ମୂଳରେ ଲଳିତ। ସେହି ହିଁ ପ୍ରଥମେ ଏହାର କଳ୍ପନା କରିଥିଲା। ଅନେକ ଜଣାଶୁଣା ପେଣ୍ଟର ଓ ଡିଜଇନରଙ୍କ ସହିତ ପରାମର୍ଶ କରି ଶେଷକୁ ବିଖ୍ୟାତ ପେଣ୍ଟର ବେଦ ନାୟାରଙ୍କ ପ୍ରସ୍ତାବ ଅନୁସାରେ ଏହା ତିଆରି କରାହେଇଛି। ଚିରାଚରିତ ପ୍ରଥା ଅନୁଯାୟୀ ମୂର୍ତ୍ତି ରଖି ତା ଉପରେ ଛତା ଭଳି ଛାତ ରଖିବା ଇତ୍ୟାଦି ନକରି ଏକ ନୂତନ ପ୍ରସ୍ତାବ ସେ ଦେଇଥିଲେ। ଅନେକ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କର ମୂଳ ପ୍ରସ୍ତାବ କାର୍ଯ୍ୟକାରୀ ହେଇ ପାରିଲା ନାହିଁ। ତଥାପି ଯାହା କରାଯାଇଛି ଏହା ତାଙ୍କର ମୂଳ ପ୍ରସ୍ତାବକୁ ଲକ୍ଷ୍ୟ କରି। ଯେତେବେଳେ ପଥର ଦରକାର ହେଲା ଆମେ ସମସ୍ତେ ମତ ଦେଲୁ ପଥରଟି ନିଶ୍ଚିତ ଭାବରେ ଏଇ ଆଞ୍ଚଳିକ ପଥର ହେବା ଦରକାର। ଏଇ ଯେଉଁ ଚାରିକୋଣିଆ ପଥରଟି ଏଠି ଦେଖୁଛ ତାହା ସୁଦର୍ଶନ ସାହୁଙ୍କ ସହାୟତାରେ ଖୋର୍ଦ୍ଧା ପାଖରେ ଥିବା ତାପଙ୍ଗରୁ ଆସିଛି। ଉପର ପଥରଟି ବାଲୁଗାଁର ମାମୁଁ-ଭଣଜା ପାହାଡର ପାଦଦେଶରୁ ଅଣାହେଇଛି। ତାକୁ ଆଣିବାକୁ ବି ବେଶ୍ ପରିଶ୍ରମ ପଡ଼ିଛି। କାରଣ ଏହା ଏତେ ଓଜନ ଯେ ବାଲି ରାସ୍ତାରେ ଟ୍ରକ୍ ଅନେକ ଥର ଦବି ଯାଇଛି। ତଥାପି ଯାହା ହେଉ ଅତି କଷ୍ଟରେ ଶେଷକୁ କୌଣସି ପ୍ରକାରେ ଅଣାଯାଇ ସେଠାରେ ସ୍ଥାପନା କରା ଯାଇଛି।”

ଲଳିତ, ଲାଲୁବାବୁଙ୍କର ଅନୁଜ, କବି ମାୟାଧର ମାନସିଂହଙ୍କର ମଧ୍ୟମ ପୁତ୍ର। ଭାରତ ସରକାରଙ୍କର ବୈଦେଶିକ ସେବା କ୍ଷେତ୍ରରେ ସର୍ବୋଚ୍ଚ ପଦବୀରେ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟ୍ ବ୍ରିଟେନ ଓ ଅନ୍ୟାନ୍ୟ ଦେଶମାନଙ୍କରେ ରାଷ୍ଟ୍ରଦୂତ ହିସାବରେ କାର୍ଯ୍ୟ ତୁଲେଇ ଏବେ ଅବସର ନେଇଛନ୍ତି। କଳାରେ ତାଙ୍କର ଶରଧା। ଦେଶ ବିଦେଶ ଭ୍ରମଣ କରି ଅନେକ ସଂଗ୍ରହ କରିଛନ୍ତି ଓ ଦେଖିବାକୁ ସୁଯୋଗ ମଧ୍ୟ ପାଇଛନ୍ତି। ତାଙ୍କ ଜୀବନ କାଳରେ ଅନେକ ଅଭିଜ୍ଞତା ଓ ଅନୁଭୂତି। ଲାଲୁ ବାବୁଙ୍କ ଠାରୁ ଏତକ ଶୁଣିବା ପରେ ପୁଣି ମୁଁ ପଚାରିଲି, “ଏ ଯେଉଁ ରେଜ୍‌ଡ ରିଲିଫରେ ମାନସିଂହଙ୍କର ଛବି ପିତ୍ତଳରେ ଗଢାହୋଇଛି, ଏ ସବୁ କରିବାରେ କିଏ ସାହାଯ୍ୟ କରିଛନ୍ତି।” ସେ କହିଲେ, “ତା ବି ଲଳିତ ଦ୍ୱାରା ସମ୍ଭବ ହେଇ ପାରିଛି, ବିଶିଷ୍ଟ ସ୍ଥପତି ମୁକୁଲ ପନୱାରଙ୍କ ଦ୍ୱାରା ଏହା ତିଆରି ହେଇଛି, ଏ ସବୁ ଲଳିତ ଯୋଗାଯୋଗ କରି ତିଆରି କରିଛି। ଏହାର ଗୋଟିଏ କପି ଖୋର୍ଦ୍ଧା ହାଇସ୍କୁଲରେ ସ୍ଥାପନା କରାଯାଇଛି। ତା’ ଛଡ଼ା ଏ ସବୁରେ ସ୍ଥପତି ସୁଦର୍ଶନ ସାହୁଙ୍କର ଅବଦାନ ଯଥେଷ୍ଟ ରହିଛି, ଭଉଣୀ ନିବେଦିତା ତାଙ୍କୁ ଧରି ଏଠାକୁ ଆସିଛନ୍ତି, କେମିତି ତିଆରି ହେବ ସେ ସବୁ ଯୋଗାଡ଼ ଯନ୍ତ୍ର କରି ଏ ସବୁ ସମ୍ଭବ କରେଇ ପାରିଛନ୍ତି। ଏଠାରେ ଏତେ ଦୂରରେ କଣ୍ଟ୍ରାକ୍ଟରମାନଙ୍କୁ ଅଣେଇ କାମ କରେଇବା ବି ବଡ଼ କଷ୍ଟକର ବ୍ୟାପାର। ଏ ଯେଉଁ ବାପାଙ୍କ ଲୋଗୋ ଦେଖୁଛ ଓ ପଥରରେ ଯେଉଁ କବିତା ଖୋଦେଇ ହେଇଛି, ଏ ସବୁ ସୁଦର୍ଶନ ସାହୁଙ୍କ ଦ୍ୱାରା।” ସୁଦର୍ଶନ ସାହୁ ଭାରତର ଜଣେ ମାନ୍ୟଗଣ୍ୟ କୁଶଳୀ ସ୍ଥପତି। ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ଉପାଧିରେ ବିଭୂଷିତ।

“ଏଠାରେ ଯେ ସ୍ମୃତିସୌଧ ନିର୍ମାଣ ହେବ, ଏହା କଣ କେବଳ ଆପଣଙ୍କ ପାରିବାରିକ ସ୍ତରରେ ସମ୍ଭବ ହେଇଛି, ନା କେହି ସରକାରୀ, ବେସରକାରୀ ସଂସ୍ଥା ବା ଜନ ସାଧାରଣ ଏଥିରେ ସହଯୋଗ ଦେଇଛନ୍ତି?” ଏ କଥା ମୁଁ ପଚାରିଲି। ଅଳ୍ପ ହସି ଲାଲୁ ବାବୁ ଉତ୍ତର ଦେଲେ, “ନାହିଁ, ଅନ୍ୟ କେହି ଯୋଗଦେଇ ନାହାନ୍ତି, ଯାହାସବୁ ଏଠାରେ ଦେଖୁଛ ସବୁ ପାରିବାରିକ ସ୍ତରରେ ସମ୍ଭବ ହେଇଛି”। ଯେତେବେଳେ ସବୁ ସରିଲା ସେତେବେଳର ଓଡିଶା ରାଜ୍ୟପାଳ ଶ୍ରୀ ରାମେଶ୍ୱର ଠାକୁର ଓ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆସି ଉଦ୍‌ଘାଟନ କଲେ। ତମେ ତ ଦେଖିଥିବ ସେଇ ଫଳକ ସେଠାରେ ଲାଗିଛି।” ପୁଣି ଲାଲୁବାବୁ କହିବା ଆରମ୍ଭ କଲେ, “ଏ ଯେଉଁ ଟିଣ ଛପର ଘର, ଏ ପକ୍କା ଘର ଏ ସବୁ ନଥିଲା ଏଠାରେ। ଏ ସବୁ ପରେ ହେଇଛି। ବାପାଙ୍କର ପ୍ରଥମେ ମାଟିକାନ୍ଥ ଓ ନଡ଼ା ଛପରର ଘର ଏଇଠି ଥିଲା। ୟା ପୂର୍ବରୁ ଏଠାରୁ ଦୁଇ କିଲୋମିଟର ଦୂରରେ ଠିକ୍ ଚିଲିକା କୂଳକୁ ଲାଗି ଗାଆଁରେ ସମସ୍ତଙ୍କର ଘର ଥିଲା। ଅପରାହ୍ନରେ ଯଦି ସମୟ ହୁଏ ଆଉ ତମେମାନେ ଇଚ୍ଛାକର ତେବେ ସେଠାରେ ଯାଇ ଟିକିଏ ବୁଲି ଦେଇ ଆସିବା।” ଶେଷକୁ ମୁଁ ପଚାରିଲି, “ଲାଲୁ ବାବୁ, ଆପଣମାନେ ତ ପାରିବାରିକ ସ୍ତରରେ ଏ ସବୁ କରିଛନ୍ତି ବୋଲି କହିଲେ। ମୋତେ କହି ପାରିବେ କି ଆପଣଙ୍କ ପରେ ଏ ସବୁର ଦାୟିତ୍ୱ କିଏ ନବ? କ\’ଣ ନୂତନ ପିଢି ଏ ସବୁ ଯତ୍ନର ସହିତ ରଖି ପାରିବେ? ମୋର ଏହା ପଚାରିବାର କାରଣ ମୁଁ ନିଜ ଆଖିରେ ଦେଖିଛି ଭାଷାର ରକ୍ଷକ ଫକୀର ମୋହନଙ୍କର ଜନ୍ମସ୍ଥାନ କିପରି ଅବହେଳିତ ଅବସ୍ଥାରେ ପଢିଛି।” ମୋର ପ୍ରଶ୍ନ ଶୁଣି ଲାଲୁ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯିବାର ମନେହେଲା। କିଛି ସମୟ ରହିଯାଇ କହିଲେ, “ଇଏତ ବଡ଼ ଜଟିଳ ପ୍ରଶ୍ନଟିଏ ତମେ ପଚାରିଲ, ମୁଁ ଏହାର ଉତ୍ତର ଭାବିନି ତେଣୁ କେମିତି କହିବି?” ଏହା ଶୁଣି ମୁଁ କହିଲି, “ଏମିତି କରାଯାଇପାରେ ଓଡିଶା ସରକାର ଓ ଓଡିଶାର ସାହିତ୍ୟ ପ୍ରେମୀମାନେ ମିଶି କବି ଓ ଲେଖକ ଯଥା ଫକୀର ମୋହନ, ଗଙ୍ଗାଧର, ମାନସିଂହ ଏମାନଙ୍କର ଜନ୍ମ ସ୍ଥାନ ଭାରତର ନହେଲେ ବି ଅତି କମ୍‌ରେ ଓଡିଶା ରାଜ୍ୟର ସଂପତ୍ତି ହିସାବରେ ସଂରକ୍ଷଣ କରିବାର ଚେଷ୍ଟା କରି ପାରିବେ।” ମୋ କଥା ଶୁଣି ସେ କହିଲେ, “ହଁ, ତାହା ସମ୍ଭବ ନୁହଁ କାହିଁକି? ମାତ୍ର ତାହା ସଂପୂର୍ଣ୍ଣ ସରକାର ଓ ସର୍ବସାଧାରଣଙ୍କ ଉପରେ ନିର୍ଭର କରେ।”

ମଧ୍ୟାହ୍ନ ଭୋଜନର ସମୟ ହେଇ ଆସୁଥାଏ। ସେଠାରେ ରହୁଥିବା ପରିବାର ଲୋକେ ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନର ପ୍ରସ୍ତୁତି କରିଥିଲେ। ଅନ୍ନ ବ୍ୟଞ୍ଜନ ସହିତ ମାଛ ତିଅଣ ଓ ମାଛ ଭଜା। ମାଛ ଖାଉଁ ଖାଉଁ ମୁଁ ପଚାରିଲି, “ଲାଲୁ ବାବୁ, ଇଏ କଣ ଚିଲିକା ମାଛ?” ଲାଲୁ ବାବୁ ହସି ହସି କହିଲେ, “ଆଚ୍ଛା କଥା, ଚିଲିକା ଭିତରକୁ ଆସି ପଚାରିବ, ଇଏ ମାଛ କଣ ଚିଲିକା ମାଛ? ନିଶ୍ଚୟ ଚିଲିକା ମାଛ। ମାଛ, ଚିଙ୍ଗୁଡି, କଙ୍କଡା, ଶୁଖୁଆ, ଚିଙ୍ଗୁଡି ଶୁଖୁଆ ଯାହାକୁ କି ଏ ଅଞ୍ଚଳରେ ତାମ୍ପଡା ଶୁଖୁଆ କୁହାଯାଏ, ଏ ସବୁ ଏ ଅଞ୍ଚଳର ମୁଖ୍ୟ ଖାଦ୍ୟ। ମୋର ପିଲାଦିନେ ମନେ ଅଛି ଶୁଖୁଆ ଚିଲିକା ଓ ସମୁଦ୍ର ବାଲିରେ ଖରାରେ ଶୁଖା ହେବାର। କହିବାକୁ ଗଲେ ଏ ଅଞ୍ଚଳର ଖାଦ୍ୟ ଅତ୍ୟନ୍ତ ନିରାଡମ୍ବର, ମସଲା ମସଲି କମ୍‌, କିନ୍ତୁ ମାଛ ଓ ଶୁଖୁଆର ବ୍ୟବହାର ପ୍ରଚୁର। ଲୋକମାନେ ଧାନ ଚାଷକରି ଚାଉଳ ପାଆନ୍ତି, ବାଡିରୁ ପନି ପରିବା ଆସେ ଯଥେଷ୍ଟ ଓ ଚିଲିକାରୁ ଧରାହୁଏ ମାଛ। ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ଅତ୍ୟନ୍ତ ସରଳ ଓ ନିରାଡମ୍ବର।”

“ଆପଣ ତ ଖାଇବା ନିରାଡମ୍ବର କହିଲେ, ପୋଷାକ ପତ୍ର ଗାଆଁରେ କେମିତି ଥିଲା ସେତେବେଳେ?” ଲାଲୁ ବାବୁ କହିଲେ, “ପୋଷାକ ବି ସେମିତି। ପ୍ରାୟ ସମସ୍ତେ କହିବାକୁ ଗଲେ ଧୋତି ଓ ଗାମୁଛା। ସ୍ତ୍ରୀ ଲୋକମାନେ ଦେହରେ ଶାଢୀ। ସବୁ ତନ୍ତବୁଣା ଲୁଗା। ଫୁଲ ପ୍ୟାଣ୍ଟ କି ସାର୍ଟ ନଥିଲା। ଏତିକି ମୁଁ ଶୁଣିଛି ବାପାଙ୍କ ବିବାହ ବେଳେ ଯେଉଁମାନେ ବୋଉଙ୍କୁ ଦେଖିବାକୁ ଯାଇଥିଲେ ସେମାନେ କାନରେ ଖାଣ୍ଟି ସୁନାର ନୋଳି ପିନ୍ଧିବାର। ଗାଁରେ କାହାରି ପାଦରେ ଯୋତା କି ଚପଲ ନଥିଲା। କେବଳ ଆମମାନଙ୍କର ପାଦରେ ଚପଲ ହଳେହଳେ। ଗରମ ବାଲିରେ ଲୋକମାନେ ଚାଲିବାରେ ଅଭ୍ୟସ୍ତ। ତାତିଲା ବାଲି ସତ୍ତ୍ୱେ ବି ସେମାନେ ଅନାୟାସରେ ଚାଲିପାରୁଥିଲେ। 

ପିଲାବେଳେ ଏ ଅଞ୍ଚଳରେ ଦୋକାନ ବଜାର କିଛି ନଥିଲା। ଲୋକମାନେ ସମସ୍ତେ ଆତ୍ମ ନିର୍ଭରଶୀଳ ଥିଲେ। ଏକ ଟଙ୍କା କହିଲେ ତାର ମୂଲ୍ୟ ଅନେକ। ସବୁଠୁ କମ୍ ଥିଲା ଅଧପାହୁଲା ଓ ତା ତଳକୁ କଉଡ଼ି। ମୋଦେଖିବାରେ କଉଡ଼ି ବ୍ୟବହାର ହେଇଛି କିଣା ବିକାରେ।” ଏମିତି କଥୋପକଥନ ଭିତରେ ଆମର ମଧ୍ୟାହ୍ନଭୋଜନ ଶେଷ ହେଲା।

ବାହାର ବାରଣ୍ଡାରେ ବସି ପୁଣି କଥାବାର୍ତ୍ତା ଆରମ୍ଭ ହେଲା। ସେତେବେଳେ ମୁଁ ପଚାରିଲି “ଆପଣଙ୍କ ବାପାଙ୍କ ସମୟରେ ଗାଁରେ ସ୍କୁଲ ବି ତ ନଥିବ? ସେ ପ୍ରଥମେ ପାଠ ପଢୁଥିଲେ କେଉଁଠି?” ଲାଲୁ ବାବୁ କହିଲେ, “ସେତେବେଳେ ସ୍କୁଲର ପ୍ରଶ୍ନ ହିଁ ନଥିଲା। ଜଣେ କେହି ଅବଧାନ ଲୋକଙ୍କ ଘରୁ ଚାଉଳ,ପନିପରିବା ଇତ୍ୟାଦି ନେଇ କେବଳ ଅକ୍ଷର ଓ ସଂଖ୍ୟା ପିଲାମାନଙ୍କୁ ଶିଖଉଥିଲେ। ଚାଟଶାଳୀ ବି ନଥିଲା। ବାପାଙ୍କ କହିବା ଅନୁସାରେ ସେ ପ୍ରଥମେ ବାଲି ଉପରେ ଆଙ୍ଗୁଳିରେ ଲେଖି ଓଡ଼ିଆ ଅକ୍ଷର ଶିଖିଥିଲେ। କାଗଜ, କଲମ ଓ ପେନସିଲ ଏ ସବୁ ଥିଲା ସ୍ୱପ୍ନ। ବାପାଙ୍କର ପ୍ରାଥମିକ ଶିକ୍ଷା ପାରିକୁଦ ଗଡ଼ରେ, ମାଧ୍ୟମିକ ଶିକ୍ଷା ବାଣପୁରରେ ଓ ମାଟ୍ରିକ୍ୟୁଲେସନ ଖୋର୍ଦ୍ଧା ହାଇସ୍କୁଲରେ। ଅନେକ ଦିନ ପରେ ୧୯୮୨ ମସିହାରେ ଯାଇ ବାପାଙ୍କ ନାମରେ ମାୟାଧର ମାନସିଂହ ମେମୋରିଆଲ୍ ସ୍କୁଲ ଏଇ ଗାଁ’ରେ ପ୍ରତିଷ୍ଠା କରାହେଇଛି।” ମୁଁ ପଚାରିଲି, “କଲେଜ କେଉଁଠି ପଢୁଥିଲେ?” ଲାଲୁ ବାବୁ କହିଲେ, “ରେଭେନ୍‌ସାରେ ବି.ଏ ଇଂରାଜି ଅନର୍ସ, ତାପରେ ପାଟନା ବିଶ୍ୱବିଦ୍ୟାଳୟରୁ ଏମ୍‌.ଏ କଲେ ଇଂରାଜୀରେ।” ଏତକ ଶୁଣିବାପରେ ମୋର ପୁଣି ପ୍ରଶ୍ନ, “ସେ ତ ଜଣେ ଓଡିଆ କବି, ସେ କଣ ସେଇ ଇଂରାଜୀରେ ପିଏଚ.ଡି କରିଛନ୍ତି?” ଲାଲୁ ବାବୁ କହିଲେ, “ହଁ, ଇଂଲଣ୍ଡର ଦରହାମ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ କାଳିଦାସ ଓ ସେକ୍ସପିଅରଙ୍କ ଉପରେ ତୁଳନାତ୍ମକ ସନ୍ଦର୍ଭ ଲେଖି ପି.ଏଚ୍‌ଡି ପାଇଥିଲେ। ମୋତେ ଯେତେବେଳେ ଦରହାମ ବିଶ୍ୱବିଦ୍ୟାଳୟ ଆମନ୍ତ୍ରଣ କରିଥିଲା ଭାଷଣ ଦେବା ପାଇଁ, ବାପା ଜାଣି ବହୁତ ଖୁସି ହେଇଥିଲେ। ତାଙ୍କର ସେ ସମୟରେ ଇଂଲଣ୍ଡ ଯାତ୍ରା ସେ “ପଶ୍ଚିମ ପଥିକ” ବହିରେ ସମସ୍ତ ଲେଖିଯାଇଛନ୍ତି। ସେଠାରେ ରହି ସେ ସେକ୍ସେପିଅରଙ୍କ ଜନ୍ମସ୍ଥାନ ମଧ୍ୟ ବୁଲିବାକୁ ଯାଇଥିଲେ, ତାହାବି ସେ “ପଶ୍ଚିମ ପଥିକ”ରେ ଉଲ୍ଲେଖ କରିଛନ୍ତି।” “ସେ କ’ଣ ସବୁବେଳେ ଲେଖୁଥିଲେ?” ମୁଁ ପଚାରିଲି। “ବାପା ବଡ଼ି ସକାଳୁ ଉଠିଯାନ୍ତି ଓ ଲେଖିବା ଆରମ୍ଭ କରିଦିଅନ୍ତି, ସେଇ ଘରେ ଯେଉଁ ଟେବୁଲ୍‌ଟି ଦେଖୁଛ ସେଇଟା ବାପାଙ୍କର ଥିଲା। ବେଳେବେଳେ ସେ ଠିଆହେଇ ଲେଖନ୍ତି। ଘର କାମରେ ସେ ମୁଣ୍ଡ ପୁରଉ ନଥିଲେ, ଥରେ ବୋଉ ତାଙ୍କୁ ପରିବା ଆଣିବା ପାଇଁ ବଜାରକୁ ପଠେଇଲେ, ସେ କେବଳ ଓଲୁଅଟିଏ ଧରି ଘରେ ପହଞ୍ଚିଗଲେ। ତେଣୁ ବୋଉ ତାଙ୍କ ଉପରେ ଘର କାମ ପାଇଁ ନିର୍ଭର କରନ୍ତିନି।”

ଅପରାହ୍ନର ମଧ୍ୟମ ଭାଗ। ଗାଆଁ ପାଇକମାନଙ୍କର ସାମରିକ ନୃତ୍ୟ ପ୍ରଦର୍ଶନର ସମୟ ପାଖେଇ ଆସୁଥାଏ। ଆମେ ଗାଆଁରେ ପାଦ ଦେଉଦେଉ ସେମାନେ ଆସି ଢୋଲ ପିଟି ଆମ୍ଭମାନଙ୍କୁ ନିମନ୍ତ୍ରଣ କରି ଯାଇଥାନ୍ତି। ଆଉ ବିଳମ୍ବ ନକରି ଆମେ ଚାଲି ଚାଲି ଗାଆଁ ଛକରେ ପହଞ୍ଚିଲୁ। ନୁଆଁଣିଆ ଆଜ୍‌ବେଷ୍ଟସ୍ ଛପର ଓ ସାମନାରେ କିଛି ନଡ଼ିଆ ବାହୁଙ୍ଗା ଥାଇ ଛୋଟ ଘରଟିଏ। ପକ୍କା କାନ୍ଥ ଓ ଖୁଣ୍ଟମାନଙ୍କରେ ନୀଳ ରଙ୍ଗ। ଘର ସାମନାରେ ପକ୍କା ଚଟାଣ ଯାହା ଉପରେ ଆମମାନଙ୍କ ବସିବା ପାଇଁ ସତରଞ୍ଜିର ବନ୍ଦୋବସ୍ତ କରାଯାଇଥାଏ। ଆଗରେ ପନ୍ଦର କି କୋଡିଏ ଫୁଟର ଜାଗା। ତାକୁ ବେଢ଼ି ଛୋଟବଡ଼ ଘରସବୁ। ଧିରେଧିରେ କେତେକ ଦେଖଣାହାରି ବି ଆସି ସେଠାରେ ପହଞ୍ଚିଗଲେ। ସ୍ତ୍ରୀ ଲୋକମାନେ କାଖରେ ଛୋଟ ପିଲା କାଖେଇ ପିଣ୍ଡାରେ ଛିଡ଼ା ହେଲେ, ଆଉ ପୁରୁଷ ଓ କିଛି ପିଲା ପିଣ୍ଡା ତଳେ। କ୍ୟାମେରା, ଭିଡିଓ କ୍ୟାମେରା ଧରି ଆମ୍ଭେମାନେ ପଡ଼ିଥିବା ସତରଞ୍ଜି ଉପରେ ଆମର ଆସ୍ଥାନ ଜମେଇଲୁ।

ସମସ୍ତେ ଥଇଥାନ ହେଇ ଯିବା ପରେ ପୁଣି ଢୋଲ ବାଜି ଉଠିଲା। ଅଳସ ଅପରାହ୍ନର ନିରବ ନନ୍ଦଳା ଗାଆଁ ଶବ୍ଦ ମୁଖର ହେଇଉଠିଲା। ପ୍ରାୟ ବାର କି ପନ୍ଦର ଜଣ ଯୁବକ ଓ ପ୍ରୌଢ ମିଶି ଆମ ଆଗରେ ଉପସ୍ଥିତ ହେଲେ। ଦୁର୍ଦ୍ଧର୍ଷ ଓଡ଼ିଆ ପାଇକ ଜାତିର ବଂଶଧର ଏମାନେ। ଦେହରେ ଗଞ୍ଜି। ବକ୍ଷ ସ୍ଥଳରେ ଲେଖାଥାଏ “ମା ବରୁଣେଇଁ ପାଇକ ସଂଘ”। ପିନ୍ଧିଥାନ୍ତି ମାଲ କଛା ପରି ଭିଡ଼ା ହୋଇଥିବା ଧୋତି। ମୁଣ୍ଡରେ ଗାମୁଛାର ପାଗ। ଅଣ୍ଟାରେ ରଙ୍ଗ ରଙ୍ଗିଆ ପିପିଲି ଚାନ୍ଦୁଆର ଅଣ୍ଟାବନ୍ଧ। ସମସ୍ତେ ଯେ ଯାହାର ଅସ୍ତ୍ର ନେଇ ପ୍ରଥମେ ଅସ୍ତ୍ରକୁ ଜୁହାର ହେଲେ। ଅସ୍ତ୍ର ଭିତରେ ଥାଏ ବର୍ଚ୍ଛା, ଟାଙ୍ଗିଆ, ବକ୍ରାକାର ଖଣ୍ଡା, ଢାଲ, ତରବାରୀ, ଠେଙ୍ଗା ଓ ଦୁଇ ପ୍ରକାର ମୁଦ୍ଗର। ତାପରେ ଆରମ୍ଭ ହେଲା ପାଇକ ନୃତ୍ୟ।

ଢୋଲ ଶବ୍ଦର ତାଳେ ତାଳେ ଜଣେ ପରେ ଜଣେ ଆସି ଟାଙ୍ଗିଆ, ବର୍ଛା, ତରବାରୀ ଧରି ଯୁଦ୍ଧ କରିବା ଠାଣିରେ ନୃତ୍ୟ କରିବାକୁ ଲାଗିଲେ। ମଝିରେ ମଝିରେ ସେମାନଙ୍କ ମୁଖରୁ କୁହାଟ। ଆଜି କାଲି ତ ଆଉ ପାଇକମାନଙ୍କୁ ଯୁଦ୍ଧ କରିବାକୁ ଯିବାକୁ ପଡୁନି। ତଥାପି ତାଙ୍କର କୁହାଟ ଶୁଣି ମୋର ମନେ ପଡିଯାଉଥାଏ ମାନସିଂହଙ୍କ “ଜେମା” କାବ୍ୟରୁ ପଂକ୍ତିଟିଏ,

“ଯାଇଛି ଚାଲି ସେ କାଳ ହାତେ ଧରି ତଲବାର
ଦାଣ୍ଡକୁ କୁହାଟି ଖଣ୍ଡେଇତ ଡେଇଁବା,
ଖଣ୍ଡାମୁନେ ମଥା ଛୁଇଁ ମଣିମାଙ୍କ ଆଗ ଭୂଇଁ
ମତ୍ତ-ହାତୀ ପରି ଖେଳି ଧସେଇ ଯିବା”

ମଝିରେ ମଝିରେ ପୁଣି ଦୁଇ ପାଇକଙ୍କ ଭିତରେ ଢାଲ, ତରବାରୀ ଓ ଠେଙ୍ଗା ଯୁଦ୍ଧ। ମୁଦ୍ଗର ଧରି ଜଣେ ଉପରକୁ ଉଠେଇ ବୁଲେଇବା ବେଳେ ସମସ୍ତଙ୍କର ଘନଘନ କରତାଳି ଓ ଢୋଲ ଶବ୍ଦ। ପରିଶେଷରେ ଜଣେ ପାଇକ ଠେଙ୍ଗାର ଦୁଇ ପାର୍ଶ୍ୱରେ ଅଗ୍ନି ପିଣ୍ଡୁଳା ରଖି ଦ୍ରୁତ ଗତିରେ ଠେଙ୍ଗା ଘୂର୍ଣ୍ଣନ କରିବାର ଦୃଶ୍ୟ। ଠେଙ୍ଗାର ଗତି ଏତେ ପ୍ରଖର ଯେ ସେଥିରେ ନିଆଁ ଧିରେଧିରେ ଶେଷଆଡ଼କୁ ଲିଭିବାକୁ ଆରମ୍ଭ କଲା। ଦୀର୍ଘ ଏକ ଘଣ୍ଟାର ନୃତ୍ୟ ପରେ ସମସ୍ତଙ୍କର କରତାଳିରେ ନୃତ୍ୟର ବିରତି ଘଟିଲା। ରୁଣ୍ଡ ହୋଇଥିବା ଲୋକେ ଧିରେଧିରେ ଅପସରି ଯିବାକୁ ଲାଗିଲେ।

ଶେଷରେ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେଠାରୁ ବିଦାୟ ନେଲୁ।

ଅପରାହ୍ଣର ସୂର୍ଯ୍ୟ ତଳକୁ ନଇଁ ଆସୁଥାନ୍ତି। ସେତିକି ବେଳେ ଆମେ ସମସ୍ତେ ଇଚ୍ଛା ପ୍ରକାଶ କଲୁ କବି ମାୟାଧର ମାନସିଂହଙ୍କର ଜନ୍ମସ୍ଥାନ ଓ ତାଙ୍କର ପୁରାତନ ବାସସ୍ଥାନ ଦେଖି ଯିବାକୁ। ଆମେମାନେ ଲାଲୁବାବୁଙ୍କ ଗାଆଁର ଜଣେ ଭଦ୍ରବ୍ୟକ୍ତିଙ୍କୁ ଅନୁସରଣ କରି ଚାଲିଲୁ, ଲାଲୁବାବୁ ଗାଡିରେ ଯାଇ ସେଠାରେ ପହଞ୍ଚିବେ ବୋଲି କହିଲେ। ଯାଉଁଯାଉଁ ଆମେ ଦେଖୁଥାଉଁ କେଉଁଠି ଶଗଡ଼ଟିଏ ଥୁଆ ହେଇଥିବାର ତ କେଉଁଠି ଗାଈଟିଏ ଖୁଣ୍ଟରେ ବନ୍ଧା ହୋଇ ବାଛୁରୀକୁ କ୍ଷୀର ପିଏଇବାର। ଆଉ ପୁଣି କେଉଁଠି ଗାଈ ଉପରେ ଧଳା ବଗଟିଏ ବସି ଗାଈକୁ ଖୁମ୍ପିବାର। ପୁଣି କେଉଁଠି କେବଳ ଶଗଡ଼ ଚକ ଦୁଇଟି ବରଗଛ ଗଣ୍ଡିକୁ ଆଶ୍ରା କରି ଥୁଆ ହେବାର। କେଉଁଠି ମାଛ ମରା ଜାଲ ଶୁଖିବାର। ମନ୍ଦାର, ତରାଟ, ଟଗର ଆଦି ଫୁଲମାନ ବାଡ଼ କଡ଼ରୁ ରାସ୍ତା ଉପରକୁ ନଇଁ ଆସିବାର।

ଏଇମିତି ଦୃଶ୍ୟ ଦେଖି ଦେଖି ଆମେ ଗାଆଁର ଜନବସତି ପାରିହୋଇ ଗାଆଁ ସୀମା ପାରିହେଇଗଲୁ। ବାହାରେ ଚଲାରାସ୍ତା ନିପଟ ବାଲି ଗୋହିରୀଟିଏ। ଗୋହିରୀର ଦୁଇ ଧାରରେ ଘଞ୍ଚ କେତକୀ ବନର ଉତ୍ତୁଙ୍ଗ ପ୍ରାଚୀର। ତାକୁ ଲାଗି ଧାନ ଚାଷ ପାଇଁ ଜମି। ମଝିରେ ମଝିରେ କେଉଁଠି ବଟବୃକ୍ଷ, ଲଙ୍କା ଆମ୍ବ, ଝାଉଁ ବଣ ଦୃଶ୍ୟମାନ ହେଉଥାଏ ତ କେଉଁଠି ଅଶ୍ୱତ୍ଥ। ତହିଁରୁ କିଛି କିଛି ଶାଖା ଗୋହିରୀ ଉପରକୁ ମାଡ଼ି ଆସିଥାନ୍ତି। ଏ ଦୃଶ୍ୟ ଦେଖିବା ପରେ ଆମେ ଜାଣିଲୁ କବି ମାନସିଂହ କିପରି ଏହା ଦ୍ୱାରା ପ୍ରଭାବିତ ଯାହାକି ତାଙ୍କ ରଚିତ ଜେମା କାବ୍ୟର ଏକ ପଂକ୍ତିରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହେଇଛି।

“ବାଲି ବନ୍ତେ ଲଙ୍କାଆମ୍ର ଯହିଁ ଚନ୍ଦ୍ରାତପ ତାମ୍ର
ଟାଣିଦିଏ ଶ୍ରମଶ୍ରାନ୍ତ କୃଷକ ପାଇଁ,
ବର୍ଷାଗମେ କିଆଫୁଲ କରି ସୁଗନ୍ଧ-ଆକୁଳ
ଫୁଟେ ଯହିଁ ବିଲବାଡି ଉଢାଳେ ଥାଇ,
ଝାଉଁବନେ ସିନ୍ଧୁ-ପବନ
କରେ ଯହିଁ ଅହରହ ବଂଶୀବାଦନ।”

ଶେଷରେ ଆମେ ଏକ ବିରାଟ ପୋଖରୀ ନିକଟରେ ଆସି ପହଞ୍ଚିଲୁ ଯାହାର ଜଳ ଦେଖିବାକୁ ବେଶ୍ ନିର୍ମଳ। ପୋଖରୀ ତୁଠରେ ପଡ଼ିଥାଏ ତିନୋଟି ବିରାଟ ବିରାଟ ମାଙ୍କଡ଼ା ପଥର। ତୁଠର ଅନତୀଦୂରରେ କେତୋଟି ଅଫୁଟା କଇଁ। ଲାଗୁଥାଏ ସତେ ଯେପରି କଇଁଗୁଡ଼ିକ ରାତିରେ ଚାନ୍ଦ ଉଇଁବାକୁ ଅପେକ୍ଷା କରି ରହିଛନ୍ତି। ପୋଖରୀ ହୁଡ଼ାର ଗୋଟିଏ ପଟରେ ଦୁଇଟି ବକ୍ରାକାର ତାଳ ଗଛ ପାଣି ଉପରକୁ ନହଙ୍କି ଆସିଥାନ୍ତି। ସ୍ଥିର ଜଳ ଉପରେ ସେମାନଙ୍କର ସଂପୂର୍ଣ୍ଣ ପ୍ରତିବିମ୍ବ ଦେଖାଯାଉଥାଏ। ଅପରାହ୍ନ ଶେଷ ଭାଗର ସୂର୍ଯ୍ୟ କିରଣରେ ପାଣି ଚିକ୍‌ଚିକ୍ କରୁଥାଏ। ଚିଲିକାରୁ ଖିଲଖିଲ ଶୀତଳ ପବନ ଆସିଦେହରେ ବାଜୁଥାଏ। ପୋଖରୀକୁ ଲାଗି ଏକ ବିରାଟ ପଡ଼ିଆ। ପଡ଼ିଆର ଚତୁଃପାର୍ଶ୍ୱରେ ଥିବା ବନ୍ଧ ଉପରେ ତାଳ, ନାରିକେଳ, ଝାମୁ, ବର ଓ ଅଶ୍ୱତ୍ଥ ଆଦି ବୃକ୍ଷମାନଙ୍କର ସମାବେଶ। ଝାଉଁ ଗଛକୁ ଚାହିଁବାରୁ ଦେଖିଲୁ ତା ଉପରେ ପଞ୍ଝାଏ ଚିକ୍କଣ କୃଷ୍ଣକାୟ ଜଳକାକ ବସିଥିବାର। ଏତେବଡ଼ ଆକାର ଓ ସଂଖ୍ୟାରେ ଜଳ ପକ୍ଷୀ ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ। ଠିକ୍ ସେତିକିବେଳେ ଆମ ଚକ୍ଷୁ ସାମନାରେ ଜଳକାକଟିଏ ସେଠାରୁ ଉଡ଼ିଆସି ପୋଖରୀ ପାଣି ଭିତରେ ପଶି ମାଛଟିଏ ଧରି ପୁଣି ଉଡ଼ିଗଲା। ଜଳରୁ ଗୋଲାକାର ତରଙ୍ଗ ଉଠି ଧିରେ ଧିରେ କୂଳରେ ମିଳେଇ ଗଲେ।

ଲାଲୁବାବୁ ଗାଡ଼ିରେ ଆସି ଆମ ଆଗରୁ ପହଞ୍ଚି ଯାଇଥାନ୍ତି। ତାଙ୍କୁ ଦେଖି ଆମେ ପଚାରିଲୁ, “ ଲାଲୁବାବୁ, ପୁରୁଣା ଘରଟି କାହିଁ? ଏଠାରେ ତ କୁଆଡ଼େ କିଛି ଘରର ଚିହ୍ନ ବର୍ଣ୍ଣ ବି ଦିଶୁ ନାହିଁ।” ଲାଲୁବାବୁ କହିଲେ, “ଏ ଯେଉଁ ବନ୍ଧ ଆଉ ଗଛ ଦେଖୁଛ ତାର ଆର ପଟରେ ଚିଲିକା। ତାହାରି ଉପରେ ଧାଡ଼ି ହୋଇ ଘରସବୁ ଥିଲା। ତମେ ଯେଉଁଠି ଛିଡା ହେଇଛ ସେଇଠି ବାପା ଜନ୍ମ ହେଇଥିଲେ। ଚିଲିକାରୁ ସିଧା ଡଙ୍ଗାରେ ଆସି ଲୋକମାନେ ଘରେ ପଶୁଥିଲେ। ଆଉ ଏକ ଘଟଣା ଶୁଣ, ମୋର ମନେଅଛି ଦିନେ ବାପା, ବୋଉ ଓ ମୁଁ ଗୋଟିଏ ଛୋଟ ଡଙ୍ଗାରେ ବସି ଚିଲିକା ପାରି ହେଉଥାଉ। ଚିଲିକା ଭିତରେ ଏତେ ଜୋରରେ ଝଡ ତୋଫାନ ଆସିଲା ଯେ ବାପା ବୋଉ ଜୀବନର ଆଶା ଛାଡ଼ିଦେଲେ। ଭାବିଲେ ନିଶ୍ଚୟ ଚିଲିକାରେ ବୁଡ଼ି ମରିବେ। ବାପା ଅସ୍ତବ୍ୟସ୍ତ ହୋଇ ନାଉରୀକୁ କହିଲେ “ଅତି କମ୍‌ରେ ଏ ପିଲାଟିକୁନେଇ ଗାଁରେ ପହଞ୍ଚେଇ ଦେବୁ, ଆଉ କହିବୁ ଏ ହେଉଛି ମାନସିଂହ ଘର ପିଲା।”ମେଘ ତୋଫାନ ଦୈବ କ୍ରମେ ଉଭେଇ ଗଲା, ଆମେ ସମସ୍ତେ କୂଳରେ ଆସି ନିରାପଦରେ ପହଞ୍ଚିଲୁ। “ସେତେବେଳେର ସମୟ ଏମିତି ଥିଲା। ଏଇ ଯେଉଁ ପଡ଼ିଆ ଦେଖୁଛ, ଏହାରି ଉପରେ ବି ଲୋକଙ୍କର ଘର ଥିଲା। ଘରକୁ ଦିନରାତି ସବୁବେଳେ ସମୁଦ୍ରର ଘୋ ଘୋ ଓ ରାତିରେ ଝାଉଁ ବଣର ସାଇଁ ସାଇଁ ଶବ୍ଦ ଶୁଭୁଥିଲା। ଏଇ ଚିଲିକା ଓ ସମୁଦ୍ର ବାଲିରେ ବହୁତ ହରିଣ ଦୌଡୁଥିଲେ, ଆମେ ତାଙ୍କୁ ବାଲି ହରିଣ ବୋଲି କହୁଁ। ଆଜିକାଲି ହରିଣ ବି ଆଉ ନାହାନ୍ତି। ସେଇ ଯେଉଁ କେତକୀ ବନ ବାଟରେ ଦେଖି ଆସିଲ, ସେ ସବୁ ଆହୁରି ଘଞ୍ଚ ଥିଲା, ବର୍ଷାଦିନେ ଫୁଲ ଫୁଟିଲେ ତା ବାସରେ ଗାଆଁ ସାରା ମହକି ଉଠୁଥିଲା। ଥରେ ୧୯୪୨ ମସିହାରେ ଆସିଲା ଭୟଙ୍କର ବନ୍ୟା ଓ ବାତ୍ୟା। ସେଇଥିରେ ଗାଆଁର ଘରସବୁ ଭୁଷୁଡ଼ିଯାଇ ପାଣିରେ ଭାସିଗଲା, ଲୋକମାନେ ଘରଦ୍ୱାର ଛାଡ଼ି ଜୀବନ ବିକଳରେ ଏଠାରୁ ପଳେଇ ଗଲେ ଗାଆଁ ସେ ମୁଣ୍ଡର ଉଚ୍ଚ ଡିହ ଉପରକୁ। ତାପରେ ସେଇଠି ଘର ଦ୍ୱାର କରି ରହିଗଲେ। ଏଠାକୁ ଆଉ ଫେରିଲେନି। ଏଇ ଯେଉଁ ଇଟାର ତୁଳସୀ ଚଉରାଟି ଦେଖୁଛ ଏଇଟି କେବଳ ବନ୍ୟା ମୁଖରୁ ମୁକ୍ତି ପାଇ ସ୍ମୃତି ହେଇ ରହି ଯାଇଛି।” ଆମେ ସମସ୍ତେ ଆଶ୍ଚର୍ଯ୍ୟ ହେଇ ତାଙ୍କ କଥା ଶୁଣୁଥିଲୁ। ସ୍ମୃତି ପାଇଁ ସେଇ ଚଉରା ଆଗରେ ସମସ୍ତେ ଛିଡା ହୋଇ ଫୋଟୋଟିଏ ତୋଳିଲୁ।

ଅପରାହ୍ନର ଶେଷ ଭାଗ। ବୃକ୍ଷମାନଙ୍କର ଛାଇ ଲମ୍ବାରୁ ଲମ୍ବାତର ହେବାକୁ ଲାଗିଥାଏ। ଦେଖିଲୁ ଗାଈଆଳ ପିଲାଏ ଶହ ଶହ ଗାଈଙ୍କର ଗୋଠନେଇ ବନ୍ଧ ସେପଟରୁ ବାହାରିଲେ। ପଡ଼ିଆର କିଛି ଅଂଶ ଗାଈ ଓ ବାଛୁରୀରେ ଭରିଗଲା। ଆମ ଗାଁ’ରେ ଗାଈମାନଙ୍କର ଘର ଫେରିବା ଦୃଶ୍ୟଥିଲା ଯାହାକି ଏବେ ଆଉ ନାହିଁ। ନିର୍ମଳ ପ୍ରଦୂଷଣ ବିହୀନ ପବନ ଚିଲିକା ହ୍ରଦରୁ, ସ୍ୱଚ୍ଛ ପୋଖରୀ ଜଳ, ବୃକ୍ଷଡାଳରେ ପକ୍ଷୀ, ଗାଈଗୋଠ, ବନ୍ଧମାନଙ୍କରେ ବୃକ୍ଷଲତା ଓ ପଶ୍ଚିମ ନିର୍ମଳ ଆକାଶରେ ଅସ୍ତ ଯାଉଥିବା ସୂର୍ଯ୍ୟ, ଏପରି ଦୃଶ୍ୟ ଦେଖି ମୁଁ ଆନନ୍ଦରେ ବିଭୋର ହେଇ ଉଠିଲି। କୌତୁହଳ ସମ୍ଭାଳି ନପାରି ବନ୍ଧ ସେପଟକୁ ଯାଇ ଦେଖେତ ଦିଗନ୍ତ ବିସ୍ତାରୀ ସନ୍ତସନ୍ତିଆ ତୃଣଭରା ଜଳଜମି। ତହିଁ ଉପରେ ନାନା ରଙ୍ଗର ପକ୍ଷୀ ଖାଦ୍ୟ ସଂଗ୍ରହ ଓ ସନ୍ତରଣ ରତ। କାହିଁ କେତେ ଦୂର ଚକ୍ରବାଳରେ ତାଳ ନାରିକେଳ ବୃକ୍ଷମାନ ଦୃଷ୍ଟି ଗୋଚର ହେଉଥାନ୍ତି। ମନରେ ଆସିଲା, ଆହା, କି ସୁନ୍ଦର ଏ ପ୍ରକୃତି, କି ସୁନ୍ଦର ଏ ପ୍ରଦୂଷଣ ହୀନ ବାତାବରଣ।

ସମୟ ସରି ସରି ଆସୁଥାଏ। ସମସ୍ତେ ଗାଡି ଭିତରେ ପଶି ମାନସିଂହଙ୍କ ବାସଗୃହ ପରିସରକୁ ପୁଣି ଥରେ ଲେଉଟି ଆସିଲେ। ଶେଷଥର ପାଇଁ ସ୍ମୃତିସୌଧ ସାମନାରେ ଛଡ଼ାହୋଇ ସମବେତ ଫୋଟୋ ତୋଳାହେଲା। ୟା’ପରେ ଆମର ନୈଶ ଆଶ୍ରୟସ୍ଥଳୀ ଚିଲିକା କୂଳବର୍ତ୍ତୀ ସ୍ୱସ୍ତି ହୋଟେଲ ଅଭିମୁଖେ ଆମେ ଯାତ୍ରାକଲୁ। ସେଠାରେ ଚାଳକ ପ୍ରଦୀପ ଆମକୁ ପହଞ୍ଚାଇଦେଇ ଲାଲୁ ବାବୁ ଓ ଚାରୁ ମାଉସୀଙ୍କୁ ଧରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଆସିଲେ। ସ୍ୱସ୍ତି ହୋଟେଲର ତନ୍ୱୀ ତରୁଣୀ ପରିଚାରିକାମାନେ ଫୁଲ ଚନ୍ଦନ ଦେଇ ଆମମାନଙ୍କୁ ସ୍ୱାଗତ ସମ୍ଭାଷଣ ଜଣଉଥିଲା ବେଳେ ନିକଟବର୍ତ୍ତୀ ଚିଲିକା ଜଳରେ ଅସ୍ତଗାମୀ ସୂର୍ଯ୍ୟଙ୍କର କନକ କିରଣ ବିଛୁରି ହୋଇ ପଡୁଥିଲା।

ଇତି ମଧ୍ୟରେ ଆମେ କାନାଡା ପ୍ରତ୍ୟାବର୍ତ୍ତନ କରି ଆସିଲୁ। ମାନସିଂହଙ୍କର “ପଶ୍ଚିମ ପଥିକ” ବହିଟି ନନ୍ଦଳା ଗ୍ରାମ ବୁଲି ଯିବା ପରେ ଆଗ୍ରହର ସହିତ ପଢ଼ି ସେଥିରୁ ଅନେକ କଥା ଜାଣିବାକୁ ପାଇଲି ଓ ଶିଖିଲି। ଦୀର୍ଘ ଏତେବର୍ଷ ପୂର୍ବର ତାଙ୍କର ଅନୁଭବ ଓ ଅନୁଭୂତି ସବୁ ପଢ଼ିଲା ପରେ ମୋ ମନର ଆବେଗ ସମ୍ଭାଳି ନପାରି ମୁଁ ଲାଲୁବାବୁଙ୍କୁ ଫୋନ କରି ଜଣେଇବାକୁ ଚାହିଁଲି। ଅନେକ କିଛି ଆଲୋଚନା ହେଲା ପରେ ମୁଁ କହିଲି, “ଲାଲୁବାବୁ, କବି ମାନସିଂହ ତାଙ୍କ ସମୟଠାରୁ ବହୁତ ଆଗରେ ଥିଲେ। ଏହା ତାଙ୍କର ପଶ୍ଚିମ ପଥିକ ବହିରୁ ସ୍ପଷ୍ଟ ଅନୁମେୟ।”

ଲାଲୁବାବୁ ମୋ କଥା ଶୁଣି କହିଲେ, “ବାପା ସେଥିରେ ଲେଖିଛନ୍ତି ଷ୍ଟାର୍ଟଫୋଡରେ ସେକେସ୍‌ପିଅରଙ୍କ ଜନ୍ମଦିନ ସବୁଠୁ ବଡ଼। ଜାଣି ଆଶ୍ଚର୍ଯ୍ୟ ହେବ ୧୯୯୯ ମସିହାରେ ଲଳିତ ଭାରତର ହାଇକମିସନର ଥିବା ବେଳେ ସେଠାର ମେୟରଙ୍କ ଅନୁରୋଧ କ୍ରମେ ଲଣ୍ଡନରୁ ଯାଇ ଷ୍ଟ୍ରାର୍ଟଫୋର୍ଡରେ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରିଥିଲା। ବାପା କ’ଣ କେବେହେଲେ ତାଙ୍କ ସ୍ୱପ୍ନରେ ଦିନେ ଭାବି ପାରିଥିବେ ଏତେ ବର୍ଷ ପରେ ତାଙ୍କର ଜଣେ ପୁଅ ଭାରତ ସରକାରଙ୍କ ତରଫରୁ ସରକାରୀ ଗସ୍ତରେ ସେଠାକୁ ଯାଇ ଭାରତର ଜାତୀୟ ପତାକା ଉତ୍ତୋଳନ କରିବ? ତାଛଡା ଜାଣି ଆଶ୍ଚର୍ଯ୍ୟ ହେବ ଯେଉଁ ବ୍ୟକ୍ତି ମିଷ୍ଟର ଫ୍ଲାୱାର ସେକେସ୍‌ପିଅରଙ୍କ ନାମରେ ଥିଏଟର ପ୍ରଥମେ ତିଆରି କରିଥିଲେ ତାଙ୍କର ଜଣେ ଦାୟାଦ ମିସେସ ଫ୍ଲାୱାରଙ୍କୁ ଲଳିତ ଭେଟିବାର ସୁଗୋଗ ପାଇଥିଲା।”

“ମୋତେ କହନ୍ତୁ, ସେ କାଳରେ ଚାରି ବର୍ଷରୁ ଜଣେ ଅନାଥ ହେଇଯାଇଥିବା ପିଲା ଯିଏ କି ବାଲିରେ ଆଙ୍ଗୁଳି ଚାଳନ କରି ଅକ୍ଷର ଶିଖିଥିଲା ସେ ବିଲାତ ଯାଇ କିପରି ପିଏଚଡି କରି ଫେରିଆସି ପାରିଲା, ଆଉ ତାର ମନୋବୃତ୍ତି ଓ ଚିନ୍ତାଧାରା ପୁଣି ଏତେ ଉର୍ଦ୍ଧ୍ୱରେ କେମିତି ରହିଲା?” ସବୁ ଶୁଣିବା ପରେ ଟିକିଏ ରହିଯାଇ ଲାଲୁବାବୁ କହିଲେ, “ଇଟ ଇଜ୍‍ ଜଷ୍ଟ ଏ ମିରାକଲ, ଆଇ କ୍ୟାନନଟ୍‍ ଥିଙ୍କ ଅଫ୍‍ ଏନିଥିଙ୍ଗ ଏଲ୍ସ।” ଅନ୍ୟାନ୍ୟ କଥା ହେଇ ସାରିବା ପରେ ଫୋନ ଥୋଇଦେଇ ମୁଁ ଭାବୁଥିଲି, “ଇଟ ଇଜ୍‍ ନଟ୍‍ ଏ ମିରାକଲ, ଇଟ ଇଜ୍‍ ସିଅର୍‍ ଉଇଲ୍‍ ପାୱାର ଅଫ୍‍ ଏ ପର୍ସନ, ପାସନ୍‍ ଟୁ ନୋ, ଲର୍ଣ୍ଣ ଆଣ୍ଡ ଥିଙ୍କ କରେକ୍ଟଲି।”

କୃତଜ୍ଞତା ଜ୍ଞାପନ – ଏ ଆଲେଖ୍ୟଟି ଲେଖିବାରେ ଯେଉଁ ଦୁଇଜଣ ସାହାଯ୍ୟ କରିଛନ୍ତି ସେମାନେ ହେଲେ ପ୍ରଫେସର ଲାଲୁ ମାନସିଂହ,  ଶ୍ରୀଯୁକ୍ତ ଲଳିତ ମାନସିଂହ ଓ ପତ୍ନୀ ସବିତା ପାଣିଗ୍ରାହୀ। ସେମାନଙ୍କୁ ମୋର ଅନ୍ତରରୁ କୃତଜ୍ଞତା ଜଣାଉଛି। ତାଛଡ଼ା ମୁଁ ଚାରୁ ମାନସିଂହ, ରତ୍ନାକର ପାଣିଗ୍ରାହୀ ଓ ସଂଗୀତା ପାଣିଗ୍ରାହୀଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି ଆମ ସହିତ ସେମାନେ ଏହି ଗସ୍ତରେ ଯୋଗ ଦେଇଥିବାରୁ।

  • ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ଅକ୍ଟୋବେର ୨୦୨୧ ସଂଖ୍ୟାରେ ପ୍ରକାଶିତ।

16 thoughts on “କବି ମାନସିଂହଙ୍କ ସ୍ମୃତିପୀଠରେ ଦିନେ

  1. ଅତି ସୁନ୍ଦର ବର୍ଣନା ଓ ଲେଖା ଶୈଳୀ, ଏକ ନିଆରା ଭ୍ରମଣ ଏବଂ ଜାତି ତୀର୍ଥ ର କାହାଣୀ। ବହୁତ ଭଲ ଲାଗିଲା🙏

    1. ବହୁତ ଧନ୍ୟବାଦ, ଭଲ ଲାଗିଲା ଜାଣି ଖୁସି ହେଲି

  2. A well written essay with lot of information about one of the members of Pancha Sakha popularly known as Sabuja Kabi in Odisha enlightened me very much.

  3. ବହୁତ ଧନ୍ୟବାଦ, ଭଲ ଲାଗିଲା ଜାଣି ଖୁସି ହେଲି

  4. ସୁନ୍ଦର ସରଳ ଲେଖା ସାଙ୍ଗକୁ ବହୁତ କିଛି ଜାଣିବାକୁ ମିଳିଛି ।

  5. ସୁନ୍ଦର ଲେଖାର ଅବସାଦ ନାହିଁ
    ଯେତେ ପଢୁଥିଲେ ନୂଆ ଲାଗୁଥାଇ
    ଶବ୍ଦ ଶବ୍ଦାବଳୀ ଅତୀବ ସୁନ୍ଦର
    ପ୍ରକୃତି ବର୍ଣନା ଅତି ମନୋହର
    ପଠନରେ ହେଲା ଚିତ୍ତ ଅମୋଦିତ
    ହୃଦୟ ଗହ୍ୱରୁ ଘେନ ପ୍ରଣିପାତ

  6. Super enjoyable and informative travel diary on one of the ever influencing Odia scholars/poets……beautifully presented….
    Thank you, Gagan Babu!

  7. Bahut badhia lagila Lekha ti padhi….anek katha janibara sujog milila … mu banpur jhia aau bohu bhabare chilika , mayadhar mansigh nkara kabita Bali aau paika naacha sahita dangare kalijai aau parikuda jiba katha mane padila… dhanyabad sundar barnana paain 👏👏

  8. ଚମତ୍କାର ଭ୍ରମଣ କାହାଣୀ ! କବି ମାୟାଧର ମାନସିଂହଙ୍କ ଜୀବନକୁ ନେଇ କେତେ ନୂଆକଥା ଜାଣିବାକୁ ମିଳିଲା । ଆକର୍ଷଣୀୟ ଲିଖନ ଶୈଳୀ ପାଠକ ମନରେ ସ୍ୱତଃ କୌତୁହଳ ସୃଷ୍ଟି କରୁଛି ।
    ଓଡିଆ ଜାତିର ଗୌରବ କବି ମାନସିଂହଙ୍କୁ ଶତ ଶତ ପ୍ରଣାମ 🙏
    ଗଗନ ବାବୁ ଓ ସାହିତ୍ୟ ଚର୍ଚ୍ଚାଙ୍କୁ ଧନ୍ୟବାଦ 🙏

  9. I read your travelogue, “Kabi Mansinhanka Janmasthali re dine”. It is marvellous and absorbing. I personally have not been there, though before and after coming to USA I have been to both the famous Balugaon Dak Banglo in 1970s and Pantha Nibas in 1990s. There is no travel guide of GOO Tourism Department. If there is it is not well advertised. Your’s write up is absorbing and thorough though a few more pictures would have it more interesting. It is sad that the place is less frequented and not a public institution, and only made and maintained by his illustrious children. It would have been useful and inspiring if kids, from Schools within 100 KM from his place of birth visited the monument annually, to get inspired and follow this great person and know about his life. He was also a great patron and promoter of cooperative movement. (Ref. Trust Fund Hostel etc of GM College). “Lives of great men all remind us
    We can make our lives sublime,
    And, departing leave behind us
    Footprints on the sands of Time”.
    Thanks again for the nicely written piece and forwarding it to me. Wish you the best.

  10. ଲେଖାଟି ବହୁତ ଭଲ ହୋଇଛି l ପଢିଲା ପରେ କବିଙ୍କ ବିଷୟରେ ଆଉ ତାଙ୍କ ନନ୍ଦଳା ଗାଁ ବିଷୟରେ ଅନେକ କଥା ଜାଣିଲି l ଏତେ ସୁନ୍ଦର ଭାବେ ଲେଖାଟି ଲେଖି ଆମ କୁ ପଢିବା ର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି ଗଗନ l

Leave a Reply

Your email address will not be published. Required fields are marked *