- ନୂତନ ପିଢ଼ିର ଲେଖକଙ୍କୁ ମୋର ପରାମର୍ଶ, ଶହେ ଭାଗ ପଢ଼ ଏବଂ ପାଂଚ ଭାଗ ଲେଖ। ଦ୍ଵିତୀୟ କଥା, ସାହିତ୍ୟର ଶତ୍ରୁ ହେଉଛି ଆଳସ୍ୟ । ଏହା ଏକ ବିଳାସ ନୁହେଁ, ବରଂ ଏକ ତପସ୍ୟା ।
ଡ଼. ଶ୍ରୀନିବାସ ଉଦଗାତା ଜଣେ ପ୍ରଥିତଯଶା ତଥା ବର୍ଷୀୟାନ ସାହିତ୍ୟିକ ବ୍ୟକ୍ତିତ୍ବ। ବର୍ତ୍ତମାନ ୮୭ ବର୍ଷ ବୟସରେ ବି ତା’ଙ୍କ କଲମ ବେଶ୍ ସକ୍ରିୟ ଅଛି। ଏ ଯାବତ ୩୨୦ରୁ ଅଧିକ ପୁସ୍ତକ ରଚନା କରିଥିବା ଡ଼. ଉଦଗାତା ଏକ ସମୟରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଣ୍ଡନ କରିଥିଲେ। ସେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ସମ୍ମାନିତ। ଏତଦ୍ ବ୍ୟତୀତ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନଜନକ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି। ନିଜର ସାମଗ୍ରିକ ସାହିତ୍ୟିକ ଅବଦାନ ପାଇଁ ସେ ‘ସାରଳା ପୁରସ୍କାର’ରେ ମଧ୍ୟ ଭୂଷିତ ହୋଇଛନ୍ତି।
ଏହି ଯୋଗଜନ୍ମା ସାରସ୍ବତ ପୁରୁଷଙ୍କ ସହ କିଛିଦିନ ପୁର୍ବେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା – ଜାଣିବାକୁ ଆଗ୍ରହ ହେଉଛି, ଆପଣଙ୍କ ଲେଖକୀୟ ଜୀବନର ମୂଳ ପ୍ରେରଣା କିଏ !
ଶ୍ରୀନିବାସ ଉଦଗାତା – ଦେଖନ୍ତୁ, ମୋ ଜନ୍ମ ତିଥି ହେଉଛି ଛ’ ଜାନୁଆରୀ ୧୯୩୫, ଏବଂ ଜନ୍ମସ୍ଥାନ ବଲାଙ୍ଗୀର। ମୋ’ ନନା ଶ୍ରୀଧର ଉଦଗାତା । ଆମର ଯେ ବଡ଼ ଭାଇନା, ଶ୍ରୀ ଗୋବିନ୍ଦ ଉଦଗାତା – ତା’ଙ୍କୁ ଆମେ ସାରସ୍ଵତ ବିଶ୍ଵକୋଷ ବୋଲି କହୁ – ସେ ଏକଦା ମୋ ନନାଙ୍କ ବିଷୟରେ ଲେଖିଥିଲେ, “ସେ ଶବ୍ଦ ଭାବସାଗରର ସନ୍ତରଣପଟୁ ଓ ବିଚିତ୍ର ଚିତ୍ରକର।”
ସା – ତା’ହେଲେ ଆପଣଙ୍କ ନନାଙ୍କର ବିଦ୍ଵତ୍ତାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଛି!
ଶ୍ରୀ – ହଁ, ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସହକର୍ମୀ ମଧ୍ୟ ଥିଲେ। ପରେ ନେତାଜୀ ସୁବାଷ ବୋଷଙ୍କ ପିତା, ଜାନକୀ ବୋଷଙ୍କର ପ୍ରରୋଚନାରେ ଶାନ୍ତି ନିକେତନ ଯାଇଥିଲେ ଚିତ୍ରକଳା ଶିକ୍ଷା ପାଇଁ। ସେ ମୋତେ ମୂଲ୍ୟବାନ କଥାଟିଏ କହିଥିଲେ, “ତୋ ଲେଖାକୁ ଅନ୍ୟ କାହା ଦ୍ବାରା ସଂଶୋଧନ କରାଇବୁନାହିଁ; ଯଦି କରାଇବୁ, ତୋ’ର ଆତ୍ମ ବିଶ୍ବାସ କମିଯିବ।” ଏହା ମୁଁ ପାଳିଆସିଛି।
ସା – ଆପଣଙ୍କୁ ବର୍ତ୍ତମାନ ବୟସ ୮୭ ବର୍ଷ। ଜୀବନର ଏହି ଛକରେ ଛିଡ଼ା ହୋଇ ଆପଣ କ’ଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ସାହିତ୍ୟିକ ଜୀବନର ପରିପୂର୍ଣ୍ଣତା ହାସଲ କରିପାରିଛନ୍ତି?
ଶ୍ରୀ – ଆଜ୍ଞା, ମୋ ଆୟୁଷ ତ ଶହେ ବର୍ଷ ପୁରା ବୋଲି ମୁଁ ଭାବେ। ସବୁଠାରୁ ମଜା କଥା ହେଲା, ଗୋଟିଏ କଥା ଲେଖିଦେଲେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିଯାଏ, କିନ୍ତୁ ପ୍ରଭୁ ସନ୍ତୁଷ୍ଟ ହେବାକୁ ଦିଅନ୍ତି ନାହିଁ। ସନ୍ତୁଷ୍ଟ ହେଲେ ତ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ତେଣୁ ପ୍ରଭୁ ସେ କରୁଣା ଆଦୌ କରନ୍ତି ନାହିଁ। ଆଉ, ଆଉ ଲେଖିବାକୁ ମନ ହୁଏ। ସେହି ପ୍ରେରଣା ନେଇ ମୁଁ ମୋ’ର କବିତା, ଗଳ୍ପ, ଉପନ୍ୟାସ, ନାଟକ ଓ ଅନୁବାଦ ଆଦି ଲେଖିଛି।
ସା– ଆଗକୁ ଆପଣଙ୍କ ଆଉ କ’ଣ ରଚନା ଆସିବାର ଅଛି?
ଶ୍ରୀ – ଏବେ ରୋହିତ ଦାସଙ୍କର ଏକ କବିତା ପୁସ୍ତକର ହିନ୍ଦୀ ଅନୁବାଦ କରୁଛି।
ସା – ଆପଣଙ୍କ ଜୀବନର ଲେଖକୀୟ ଯାତ୍ରାର ଆରମ୍ଭ ହୋଇଥିଲା ଏକ କବିତା ସଂକଳନ, ‘ପୁରବୀ’ରୁ। ତେଣୁ ଆପଣ ବୋଧହୁଏ କବିତା ସୁଲଭ ଭାବପ୍ରବଣତା ପ୍ରତି ଅଧିକ ଆସକ୍ତ।
ଶ୍ରୀ – ମୋତେ ଲାଗେ, କବିତାରେ ମୁଁ ନିଜକୁ ଭାବକୁ ଅଧିକ ପରିପ୍ରକାଶ କରିପାରେ।
ସା – ଏମିତି ଦେଖିଲେ, ଅନୁବାଦ ସାହିତ୍ୟକୁ ମଧ୍ୟ ଆପଣଙ୍କ ଅବଦାନ ଅତି ବୃହତ।
ଶ୍ରୀ – ମୁଁ ଅନୁବାଦକୁ ଏକ ମିଶନ୍ ଭାବରେ ଗ୍ରହଣ କରିନେଇଛି। ମୋ’ର ଧାରାଟି ଟ୍ରାନ୍ସଲେସନ୍ ନୁହେଁ, ବରଂ ଟ୍ରାନ୍ସକ୍ରିଏସନ୍ ବା ଯାହାକୁ ଆମେ କହୁ ଅନୁସର୍ଜନା।
ସା – ଉପଯୁକ୍ତ କଥାଟିଏ।
ଶ୍ରୀ – ଅନୁସର୍ଜନାର ଉର୍ଦ୍ଧ୍ବକୁ କେହି ଯାଇପାରନ୍ତିନାହିଁ। ଗୋଟିଏ କଥା ଦେଖନ୍ତୁ, ଶୁଦ୍ରମୁନି ସାରଳା ଦାସଙ୍କ ‘ମହାଭାରତ’ – ସେ କ’ଣ ଅନୁବାଦ? ‘ଦାଣ୍ଡି ରାମାୟଣ’, ସେ କ’ଣ ଅନୁବାଦ?? ଜଗନ୍ନାଥ ଦାସଙ୍କ ‘ଭାଗବତ’, ସେ କଣ ଅନୁବାଦ??? କିନ୍ତୁ ଏହି ତିନୋଟି ବହି ତୁଳନାରେ ବେଶୀ ପ୍ରିୟ ବହି ଓଡ଼ିଶାରେ ନାହିଁ। କାରଣ ଏଗୁଡ଼ିକ ନିଚ୍ଛକ ଅନୁବାଦ ନୁହନ୍ତି, ବରଂ ଅନୁସୃଜନ।
ସା – ବେଳେବେଳେ, ଅନୁବାଦିତ ବା ଅନୁସୃଜିତ ବହି ମୂଳ ରଚନାଠାରୁ ବି ଶ୍ରେଷ୍ଠତର ହୋଇଥାଆନ୍ତି ବୋଲି ଆପଣ ମନେ କରନ୍ତି କି?
ଶ୍ରୀ – ନିଶ୍ଚୟ। ଦେଖନ୍ତୁ, ରମାକାନ୍ତ ଭାଇନାଙ୍କର ‘ଶ୍ରୀରାଧା’ର ମୁଁ ହିନ୍ଦୀ ଭାଷାରେ ଅନୁସୃଜନ କରିଛି। ମୋ’ର ଧୀଶକ୍ତି ଓ ରମାକାନ୍ତ ଭାଇନାଙ୍କ ଗଭୀର ଭାବର ସଂଯୋଗ ହୋଇ ତାହା ଅଧିକ ପ୍ରଭାବଶାଳୀ ହୋଇଛି।
ସା – ତାହେଲେ, ଅନୁବାଦ ବା ଅନୁସୃଜନ ପ୍ରକ୍ରିୟାରେ ଆମେ କୌଣସି ମୌଳିକ ରଚନାରେ ଭାଲ୍ଯୁ-ଆଡିସନ୍ ବି କରିପାରିବା।
ଶ୍ରୀ – ହଁ, କାରଣ ଆପଣ ଜାଣିପାରୁଥିବେ ଯେ ବ୍ୟାସ ଦେବଙ୍କ ଭାଗବତ ଅପେକ୍ଷା ଜଗନ୍ନାଥ ଦାସଙ୍କ ଭାଗବତ ଅଧିକ ପ୍ରଭାବଶାଳୀ।
ସା – ଆପଣ କ’ଣ ଭାବନ୍ତି ଯେ ମୂଳ ଲେଖାଟିଏ ରଚନା କରିବା ଅପେକ୍ଷା ତାହାର ଅନୁବାଦ କ୍ରିୟାଟି ଅଧିକ କଷ୍ଟସାଧ୍ୟ?
ଶ୍ରୀ – ବହୁ କଷ୍ଟକର ଆଜ୍ଞା। କାରଣ ପ୍ରଥମେ ମୂଳ ଲେଖାର ଭାବଟିକୁ ଆତ୍ମସ୍ଥ କରିବାକୁ ହୁଏ।
ସା – ଆପଣଙ୍କ କେତେକ ଲେଖାରେ ଜଗନ୍ନାଥ ଚେତନାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳେ।
ଶ୍ରୀ – ମୁଁ ଜଗନ୍ନାଥଙ୍କୁ ମୋ’ର ସଖା ବୋଲି କହେ। ପ୍ରତିଫଳନ ହେବନି କେମିତି!
ସା – ଆପଣ ପଦ୍ମଶ୍ରୀ, ଡି. ଲିଟ୍ ଓ ସାରଳା ପୁରସ୍କାର ଭଳି ଅନେକ ସମ୍ମାନରେ ଭୂଷିତ ହୋଇଛନ୍ତି। ଆପଣ କ’ଣ ଭାବନ୍ତି ଯେ ଏଭଳି ପୁରସ୍କାର ଓ ସମ୍ମାନମାନ ଜଣେ ଲେଖକକୁ ଉଚ୍ଚତର ସର୍ଜନା ପାଇଁ ପ୍ରେରିତ କରିଥାଆନ୍ତି?
ଶ୍ରୀ – ହଁ, ପ୍ରେରିତ କରିଥାଆନ୍ତି। ତେବେ ପୁରସ୍କାର ପାଇଁ ଲବି ଓ ଧରାଧରି ଇତ୍ୟାଦି ଯଦି ଚାଲିବ ତେବେ ଆମ ସାହିତ୍ୟର ବିଶେଷ ମଙ୍ଗଳ ହେବନାହିଁ।
ସା – ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିଭଳି ଭାବେ ଦେଖନ୍ତି?
ଶ୍ରୀ – ଏବେ ଯାହା କହିଲି, ସେସବୁ ଯଦି ଚାଲିବ ତେବେ ଓଡ଼ିଆ ସାହିତ୍ୟ ବୁଡିଯିବ।
ସା – ତେବେ ଆମେ ଏବେ ଯେମିତି ଅଛୁ, ଶହେ ବର୍ଷ ପରେ ବି ଆମ ସାହିତ୍ୟ ସେହି ଅବସ୍ଥାରେ ଥିବ କି?
ଶ୍ରୀ – ଦେଖନ୍ତୁ, ଭାରତୀୟ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଦ୍ବିତୀୟ ଭାଷା ହିସାବରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଲା। ଏହା ଗର୍ବର କଥା। ଏହାଦ୍ବାରା କ’ଣ କାମଟି ସରିଗଲା! ତାହାର ସୁରକ୍ଷା ଓ ସଂରକ୍ଷଣ ହେଉଛି ବଡ଼ କାର୍ଯ୍ୟ। ଏହି ଭୂମିକାଟି ଓଡିଶା ସାହିତ୍ୟ ଏକାଡେମୀ ନେବା ଉଚିତ ବୋଲି ମୁଁ ଭାବେ।
ସା – ହଁ, ଓଡ଼ିଶା ସାହିତ୍ୟ ଏକାଡେମୀର କ୍ରିୟାକଳାପ ସଂପର୍କରେ ଆପଣ ପୁସ୍ତକଟିଏ ମଧ୍ୟ ଲେଖିଚନ୍ତି।
ଶ୍ରୀ – ସେଇଟି ପଢ଼ନ୍ତୁ।
ସା– ମାତ୍ର କିଛିଦିନ ତଳେ ଆପଣଙ୍କର ନୂତନ ଅନୁବାଦ ପୁସ୍ତକଟିଏ ମଧ୍ୟ ପ୍ରକାଶିତ ହୋଇଛି – ‘ମହୀମଣ୍ଡଳ ଗୀତା’।
ଶ୍ରୀ – ଏହା ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ କୃତ ମହୀମଣ୍ଡଳ ଗୀତାର ହିନ୍ଦୀ ପଦ୍ୟାନୁବାଦ। ଏଥିରେ ଭକ୍ତି ଯୋଗର କଥା ରହିଛି। ଭକ୍ତି ତ ଏକ ସାଧନା ନୁହେଁ, ବରଂ ଏହା ଏକ ସଂକଳ୍ପ।
ସା – ଏବେ ଯେଉଁମାନେ ଲେଖୁଛନ୍ତି, ଅର୍ଥାତ୍ ଆଜିର ନୂତନ ପିଢ଼ି, ସେମାନଙ୍କୁ ଆପଣ କି ପରାମର୍ଶ ଦେବେ।
ଶ୍ରୀ – ଗୋଟିଏ ପରାମର୍ଶ ଅବଶ୍ୟ ଦେବି; ଶହେ ଭାଗ ପଢ଼ ଏବଂ ପାଂଚ ଭାଗ ଲେଖ। ଯେତେ ବେଶୀ ପଢିବ ସେତିକି ଅଧିକ ଭଲ ଲେଖିପାରିବ। ଦ୍ବିତୀୟ କଥା, ସାହିତ୍ଯର ଶତ୍ରୁ ହେଉଛି ଆଳସ୍ୟ। ସାହିତ୍ୟ ଏକ ବିଳାସ ନୁହେଁ, ବରଂ ଏକ ତପସ୍ୟା। ତୃତୀୟ କଥା ହେଲା ଈର୍ଷା, ଅସୂୟା, ଅହଂକାର – ଏସବୁ ତ୍ଯାଗ ନକଲେ ଜଣେ ସତ୍ କବି ହୋଇପାରିବନାହିଁ। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ହୋଇଯାଇପାର କିନ୍ତୁ କବିଟିଏ ହୋଇପାରିବନାହିଁ। ଏକଥା ଆମକୁ ମନେ ରଖିବାକୁ ହେବ।
ସା – ଆଜି ଆପଣଙ୍କ ସହ ଏହି ଆଳାପଟି ଆମକୁ ଅନେକ ଅନୁପ୍ରାଣିତ କଲା। ଅନେକ ଧନ୍ୟବାଦ।
Bapanka Saha aapannka charcha jathesta upayogi.
Sriniwas Udgata mo bapanka friend, kintu se bapanku bada bhai kuhanti.
Lucknow aasile aama ghare rahiba tanku bhala lage.
ଚମତ୍କାର ଆଳାପ।ଶିକ୍ଷଣୀୟ।ବହୁତ ଅନୁପ୍ରାଣିତ କଲା।ଧନ୍ୟବାଦ।
କଥୋପକଥନ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି। ଏହା ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି ମୋର ଦୃଢ ବିଶ୍ବାସ।
All of you will be happy to know that around 7 years ago I had taken a long interview with Dr Udgata through postal questions. At that time Dr Udgata was very happy with my questions through post.