ଭାବ ଓ ଆଙ୍ଗିକର ସରହଦ ଡେଇଁବାରେ କବି ଅଜୟ ମହାଲା ସଦା ସିଦ୍ଧହସ୍ତ। ସର୍ବ ବ୍ୟବହୃତ ରାଜରାସ୍ତାକୁ ଏଡାଇ ସେ ନିଜ ପାଇଁ ବାଛିନେଇଥା’ନ୍ତି ଅମଡା ବାଟଟିଏ। ସେଥିପାଇଁ ତାଙ୍କ ରଚନାରେ ଥାଏ ଏକ ଲକ୍ଷଣୀୟ ନିଆରାପଣ। ଏହି ସଂକଳନଟିର ନାମକରଣଟିରୁ ହିଁ ଆମେ ସେ କଥା ଲକ୍ଷ୍ୟ କରିପାରିବା। ‘ଉଁ’ – ନିତାନ୍ତ ଅଣଗତାନୁଗତିକ ଉଚ୍ଚାରଣଟିଏ, ଯାହାକୁ ଶୀର୍ଷକରେ ସ୍ଥାନିତ କରିବାଟା ଅନେକଙ୍କୁ ହୁଏତ ଅସହଜ ମନେହୋଇପାରେ। ଏହି ଶବ୍ଦଟି ହିଁ ସଂକଳନଟି ପ୍ରତି ପାଠକୀୟ କୌତୁହଳ ଜାଗ୍ରତ କରିବାପାଇଁ ଯଥେଷ୍ଟ।
ବିଭିନ୍ନ ସ୍ବାଦର ୫୨ଟି କବିତାକୁ ନେଇ ସଂକଳନଟି ସମୃଦ୍ଧ। କବିତାଗୁଡିକର ଶିରୋନାମା ବି ସମ ଭାବରେ ଅଣପାରମ୍ପରିକ – ‘ଚୁପ୍ କିନା’, ‘ନା ତ’, ‘ଏବେ ତ ଛାଡ଼’, ‘ଇସ୍’, ‘କଥା ମାନୁନ’, ‘ହଁ ଚଳିବ’ – ସନ୍ନିବେଶିତ କବିତାଗୁଡିକର ଅନନ୍ୟତା ସଂପର୍କରେ ଏଥିରୁ ହିଁ ଆଭାସ ମିଳେ।
କବିତାଗୁଡିକର ଭାଷାବିନ୍ୟାସ କଥନୀୟ ପର୍ଯ୍ୟାୟର, ଆଭିଧାନିକ ଶବ୍ଦପାଣ୍ଡିତ୍ୟ ପ୍ରଦର୍ଶନର ପ୍ରବଣତା କିଛି ହିଁ ଦୃଶ୍ୟମାନ ହୁଏନାହିଁ। ଏହି ପ୍ରସଙ୍ଗରେ ସଂକଳନଟିର ପ୍ରଥମ କବିତା ‘ଉଁ’ର ନିମ୍ନୋକ୍ତ ପଦଟିକୁ ଦେଖାଯାଉ:
“ଯଦି ଆମେ ନିର୍ଜନ ଦ୍ବୀପଟିଏକୁ
ଚାଲିଯିବା
ଯେଉଁଠି
ମରିଯାଇଥିବେ ସବୁ ଭାଷା
ଭାଙ୍ଗି ଯାଇଥିବେ ମଣିଷର ମନଗଢା
ଅର୍ଥହୀନ ପ୍ରାଚୀରସବୁ
ଯେମିତି ମୋ ଚାକିରୀ
ଆଉ ତୁମ ଦିନଯାକର
ମିଛ ଜଞ୍ଜାଳ
ଆଉ ସେଠି କେବଳ
ଢେଉ କହୁଥିବେ କଥା
ପବନ ଘୁରିଯାଉଥିବ
ଅବ୍ୟକ୍ତକୁ ନେଇ …..”
ସାବଲୀଳ ଭାଷା ପ୍ରବାହ ଜରିଆରେ ବ୍ୟକ୍ତ ହୋଇଛି ଅନ୍ତରଙ୍ଗ ଭାବ। ସନ୍ନିବେଶିତ କବିତା-ସମଗ୍ରରେ ମଧ୍ୟ ଝଲସିଯାଏ ରୂପକ ବା ‘ସିମିଲି’ର ଅପରୂପ ପ୍ରୟୋଗ। ଯେମିତି ଉପରୋକ୍ତ ଉଦ୍ଧୃତିଟିରେ ପାଇବା, ” … ଯେମିତି ମୋ ଚାକିରୀ,” ଏବଂ ଅନ୍ୟତ୍ର, “… ନିରାପତ୍ତା ରକ୍ଷୀର ସାଲ୍ୟୁଟ୍ ପରି,” “… ନଈ କୂଳ ସାହାଡ଼ା ପରି,” “… ଲେଉଟା ଢେଉପରି,” – ଏମିତି ଆହୁରି କିଛି।
ଅନୁରୂପ ଭାବରେ ନିଜର କବିସୁଲଭ ଭାବର ପରିପ୍ରକାଶ ପାଇଁ କବି ଏକ ଭିନ୍ନ ପର୍ଯ୍ୟାୟର ଚିତ୍ରକଳ୍ପମାନଙ୍କର ଆଶ୍ରୟ ନେଇଥିବା ମଧ୍ଯ ଦୃଷ୍ଟିରେ ପଡେ।
“ସେହି ଦ୍ବୀପରେ
ଆକାଶରେ ବାଦଲ ଘୋଟିଲେ
କେଉଁ ଗଛତଳେ
ଶୀତରେ ଥରୁଥିବେ
ତୂମ ଆଉ ମୋ ନଗ୍ନ ଦେହ …”
ସମସ୍ତ କବିତାର ଅନ୍ତଃସ୍ବର ସହିତ ଯେମିତି ସଂଶ୍ଲିଷ୍ଟ ସେହି ଜଣେ ହିଁ କାବ୍ଯନାୟିକା। ଏହା ସଂକଳିତ ସମସ୍ତ କବିତାକୁ ପ୍ରଦାନ କରେ ଏକ ଅନୁପମ ଏକକତ୍ବ।
ସର୍ବୋପରି କବିତା ପିପାସୁ ପାଠକଙ୍କ ପାଇଁ ଏଥିରେ ରହିଛି ଏକ ନୂତନ ଉପାଦାନ। ଏହା ସାଂପ୍ରତିକ ଓଡ଼ିଆ କବିତାର ଧାରାରେ ଏକ ଉଲ୍ଲେଖନୀୟ ଯୋଗଦାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ନିହାର ଶତପଥୀ
ଚମତ୍କାର ବିଶ୍ଳେଷଣ। ‘ଉଁ’ କବିତା ସଙ୍କଳନଟି ନିଶ୍ଚିତ ଭାବେ ଅନନ୍ୟ। ଆକର୍ଷଣୀୟ ପ୍ରଚ୍ଛଦ, ସ୍ୱତନ୍ତ୍ର ପରିପାଟୀ ତଥା କାବ୍ୟନାୟିକାର ଅଭିବ୍ୟକ୍ତିକୁ ନେଇ ସଙ୍କଳିତ ୫୨ଟି କବିତା ବେଶ୍ ହୃଦୟଗ୍ରାହୀ। ‘ଉଁ’ ପାଠକାଦୃତି ଲାଭ କରୁ। କବିଙ୍କୁ ଅନେକ ଅନେକ ଶୁଭେଚ୍ଛା 🌹