ଓଡ଼ିଶାର ସାହିତ୍ୟିକ ଓ ବୌଦ୍ଧିକ ଜଗତରେ ଶ୍ରୀ ଦାଶ ବେନହୁର ଏକ ବିଶିଷ୍ଟ ଆସନର ଅଧିକାରୀ। ସେ ଏକାଧାରରେ ଜଣେ ଶିଶୁ ସାହିତ୍ୟିକ, ଗାଳ୍ପିକ, ପ୍ରାବନ୍ଧିକ ତଥା ସୁବକ୍ତା। ଅଧ୍ୟାପନାକୁ ବୃତ୍ତି ଭାବରେ ବାଛିନେଇଥିବା ଶ୍ରୀ ବେନହୁର ପୁରୀର ପ୍ରଖ୍ୟାତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ଅବସର ଗ୍ରହଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ଶତାଧିକ ପୁସ୍ତକର ରଚୟିତା ଏବଂ ତନ୍ମଧ୍ୟରେ କିଛି ସଂଖ୍ୟକ ଇଂରାଜୀ ପୁସ୍ତକ ମଧ୍ୟ ଅନ୍ତର୍ଭୁକ୍ତ।
ଏହି ମହାନ ଲେଖକଙ୍କ ସହିତ ସାହିତ୍ୟ ଏବଂ ଆଉ କିଛି ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ଯ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା – ଆପଣ ଆବାଳବୃଦ୍ଧବନିତା ସମସ୍ତଙ୍କ ନିକଟରେ ‘ଦାଶ ବେନହୁର’ ନାମରେ ହିଁ ପରିଚିତ। ଏପରିକି ଅନେକେ ଆପଣଙ୍କ ପ୍ରକୃତ ନାମ ଜିତେନ୍ଦ୍ର ନାରାୟଣ ଦାଶ ସହିତ ଅନଭ୍ୟସ୍ତ। ଆପଣ କାହିଁକି ଏଭଳି ଏକ ଛଦ୍ମନାମରେ ପରିଚିତ ହେବାପାଇଁ ପସନ୍ଦ କଲେ?
ଦାଶ ବେନହୁର – ଦେଖନ୍ତୁ, ଲେଖାଟା ଯେତେ ଗୁରୁତ୍ବପୂର୍ଣ୍ଣ, ଲେଖକ ନୁହେଁ। ତେଣୁ ଲେଖକର ନାମଟି ମଧ୍ଯ ଗୁରୁତ୍ବପୂର୍ଣ୍ଣ ବୋଲି ମୁଁ ମନେକରେନାହିଁ। ଆପଣ ଯାହା ପଚାରିଲେ, ସେକଥାର ପୃଷ୍ଠଭୂମି ହେଲା ଯେ ୧୯୭୪ ମସିହାରେ ମୁଁ ଯେତେବେଳେ ଏମ୍.ଏ ପଢୁଥିଲି ସେତେବେଳେ ଏକ ଇଂରାଜୀ ଖବରକାଗଜରେ ମୋ’ର ଜେ.ଏନ୍. ଦାଶ ନାମରେ ଲେଖାଟିଏ ପ୍ରକାଶ ପାଇଥିଲା। ସେଇଟି ମୁଁ ଯେତେବେଳେ ଜଣେ ସାଙ୍ଗକୁ ଦେଖାଇଲି ସିଏ ଖୁସି ତ ହେଲା, କିନ୍ତୁ ପଚାରିଲା, ଏଇଟା କାହାର ଲେଖା? ମୁଁ ଏହା ମୋ ନିଜ ଲେଖା ବୋଲି କହିବାରୁ ସେ ବିଶ୍ବାସ କଲାନାହିଁ। ପରେ ଯେତେବେଳେ ବୁଝି ପାରିଲା ଯେ ସେଇଟି ପ୍ରକୃତରେ ମୋ’ର, ତା’ର ମୁହଁଟି ଶୁଖିଗଲା।
ସା – କାହିଁକି!
ଦା – ବୋଧହୁଏ ଭାବିଲା ଯେ ମୋର ସହପାଠୀ ହୋଇ ବି ସେ କାହିଁକି ଲେଖିପାରୁନି ଏମିତି। ମୋ’ର ମନକୁ ବି କଷ୍ଟ ହେଲା। ମୁଁ ତ କାନ୍ଦି ପକାଇଲି। ଭାବିଲି , ଅନ୍ୟମାନେ ଯଦି ଏଭଳି ଈର୍ଷାନ୍ବିତ ହୁଅନ୍ତି, ତେବେ ମୁଁ ଆଉ କେବେ ନିଜ ନାମରେ ବରଂ କିଛି ଲେଖିବିନାହିଁ।
ସା – ତହୁଁ କିଭଳି ପାଇଲେ ଏଇ ନୂଆ ନାମଟି?
ଦା– ସେଦିନ ଭାରି ମନଦୁଃଖ ହେଲା। ଏଣୁ ମନକୁ ହାଲୁକା କରିବାପାଇଁ ସିନେମା ଦେଖିବାପାଇଁ ସହରର ଜଣାଶୁଣା ସିନେମା ହଲ୍ ଶ୍ରୀୟା ଟକିଜ୍ କୁ ଚାଲିଗଲି। ଜାଣିନଥିଲି କି ସିନେମା ଚାଲିଛି ସେଠି। ସେଠି ବସିବା ପରେ ଜାଣିଲି ଯେ ଛବିଟିର ନାମ ‘ବେନହୁର୍’। ସେଇଟି ମୋ’ତେ ଗଭୀର ଭାବେ ପ୍ରଭାବିତ କଲା। ତା’ର କାହାଣୀ ମୋ ମନ ଭିତରର ଦୁଃଖ ଓ ଗ୍ଲାନିକୁ ଆଲୋଡିତ କରିଦେଲା। ମୁଁ ହଲ୍ ଭିତରେ ହିଁ କାନ୍ଦିପକାଇଲି। ହଲ୍ ରୁ ବାହାରକୁ ଆସିବା ପରେ ଠିକ୍ କଲି ଯେ ଆଉ କେବେ ନିଜ ନାମରେ କୌଣସି ଲେଖା ଲେଖିବି ନାହିଁ। ଏଥର ଲେଖିବି ଏଇ ‘ବେନହୁର୍’ ଛଦ୍ମ ନମରେ। ଏହି ନାମଟି ମୋତେ ଭାରି ଭଲ ଲାଗିଥିଲା। ତା’ ସାଙ୍ଗକୁ ଯୋଡିଲି ମୋ ସାଜ୍ଞିଆ ‘ଦାଶ’।
ସା – ଆପଣଙ୍କ ସୃଷ୍ଟିସମ୍ଭାର ଶିଶୁ ସାହିତ୍ୟ, ପ୍ରଵନ୍ଧ, ରମ୍ୟରଚନା, ଗଳ୍ପ ଆଦି ବିଭାଗରେ ପରିବ୍ୟାପ୍ତ। ଏଥିମଧ୍ୟରୁ କେଉଁଥିରେ ଆପଣ ସର୍ବାଧିକ ଲେଖକୀୟ ସନ୍ତୁଷ୍ଟି ଅନୁଭବ କରିଛନ୍ତି?
ଦା – ଦେଖନ୍ତୁ, ମୋ ମନ ଯେତେବେଳେ ଯେଉଁଆଡେ ଡାକିଛି, ସେଆଡେ ଯାଇଛି। ଯେବେ ଗଳ୍ପ ଲେଖୁଥିଲି ସେତେବେଳେ ମୋତେ ସବୁଆଡେ ଗଳ୍ପ ହିଁ ଦିଶୁଥିଲା। ଗୋଟିଏ ସମୟରେ ଅନୁଭବ ହେଲା, ଆମେ ଯାହା ଲେଖୁଛୁ ତା’କୁ ପିଲାମାନେ ଆଉ ପଢିବେନାହିଁ। ଆମେ ଯେମିତି ପିଲାଦିନୁଁ ସାହିତ୍ୟରେ ପଶୁଥିଲୁ, ଏବେ ସେମିତି ନାହିଁ। ସାହିତ୍ୟ ସହିତ ପିଲାଦିନୁଁ ଜଡ଼ିତ ନଥିବାରୁ ସେମାନଙ୍କ ଭାଷାଗତ ଆନୁଗତ୍ଯ ଏବଂ ନିଜ ମାଟି ଓ ନିଜ ସାହିତ୍ଯ ପ୍ରତି ଭାବପ୍ରବଣତା ଯେମିତି ରହିବା କଥା, ନାହିଁ। ଏହା ଅନୁଭବ କରି ମୁଁ ପିଲାଙ୍କ ପାଇଁ ଲେଖାଟିଏ ଲେଖିବା ଆରମ୍ଭ କଲି। ଦେଖିଲି ଯେ ଏହା ଆଦୃତ ହେଲା। ତେଣୁ ମୁଁ ଶିଶୁ ସାହିତ୍ୟରେ ମନୋନିବେଶ କଲି।
ସା– ହଁ , ଆପଣଙ୍କ ପ୍ରକାଶିତ ପୁସ୍ତକ ଗୁଡ଼ିକମଧ୍ଯରେ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକର ସଂଖ୍ୟା ସର୍ବାଧିକ।
ଦା – ଭେରାଇଟି ଓ ସଂଖ୍ଯା ଦୃଷ୍ଟିରୁ ଦେଖିଲେ ତ ପିଲାଙ୍କ ପାଇଁ ମୋର ରଚନା ଅଧିକ। ତେବେ ଦ୍ବିତୀୟ କଥା ଆପଣଙ୍କୁ କହିଦିଏ, ସାହିତ୍ୟ ହେଉଛି ଏମିତି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ଶିଶୁ, ଯୁବକ, ପ୍ରୌଢ଼ ଆଦି ସମସ୍ତ ବର୍ଗକୁ ଆକୃଷ୍ଟ କରିହେବ।
ସା – ସତ କଥା।
ଦା – ମୋ’ର ଏକ ଧାରଣା ଯେ ପ୍ରବନ୍ଧ କହନ୍ତୁ, ନାଟକ କହନ୍ତୁ, ଭ୍ରମଣ କାହାଣୀ, କବିତା, ଆତ୍ମଜୀବନୀ ଅବା ଉପନ୍ୟାସ – ସବୁ ହେଉଛି ଗଳ୍ପ ବା ‘ଫିକ୍ସନ୍’। ମୋ’ର ଯୁକ୍ତି ହେଲା, ଏପରିକି କବିତା ବି ହେଉଛି ଏକ ‘ଫିକ୍ସନ୍’। ଯେକୌଣସି ଧରଣର କବିତାର କଥା କହନ୍ତୁ, ତା ଭିତରେ ପ୍ରଚ୍ଛନ୍ନ କାହାଣୀଟିଏ ଅଛି। କାହାଣୀ ମୋ’ର ପ୍ରିୟ। ସେଥିପାଇଁ ମୋ ଘରର ନାମ ଦେଇଛି ‘କଥାକାର’। କାରଣ ସବୁ ହେଉଛି କଥା। ଏଭ୍ରି ଥିଂଗ୍ ଇଜ୍ ଏ ଫିକ୍ସନ୍ ଅର୍ ନ୍ୟାରେଟିଭ୍।
ସା – ତା’ହେଲେ ଆପଣ କହିବାକୁ ଚାହାନ୍ତି ଯେ କବିତା, ପ୍ରବନ୍ଧ, ନାଟକ ଆଦି ସବୁକିଛି ହେଉଛି କଥାର ବିବିଧ ରୂପ।
ଦା – ହଁ, କଥାର ବିବିଧ ରୂପ। ତେଣୁ ପ୍ରକୃତରେ କାହାଣୀ ହେଉଛି ମୋ’ର ପ୍ରିୟ।
ସା – ଏବେ ଉପନ୍ୟାସ ବିଷୟରେ ଗୋଟିଏ କଥା। ଆଜିକାଲି ଲୋକଙ୍କ ମଧ୍ଯରେ କାର୍ଯ୍ୟବ୍ୟସ୍ତତା, ସମୟାଭାବ ଓ ଧୈର୍ଯ୍ୟହୀନତା ପରିପ୍ରକ୍ଷୀରେ ମୋ’ର ମନେ ହୁଏ ଯେ ଉପନ୍ୟାସର ଲୋକପ୍ରିୟତା କ୍ରମେ କମିକମି ଆସୁଛି। ବରଂ ଲୋକେ କ୍ଷୁଦ୍ରଗଳ୍ପ ଆଡେ ଅଧିକ ମୁହାଁଇଲେଣି।
ଦା – ମୁଁ ଏକମତ ନୁହେଁ। କାରଣ ଏକଥା ପିଲାଙ୍କ ଲେଖା ପାଇଁ ବି କୁହାଯାଉଥିଲା। ପିଲାଙ୍କ ପାଇଁ ତ ଏବେ ଇଂରାଜୀରେ ‘ହାରି ପୋଟର୍ ସିରିଜ୍’ ର ବହିଗୁଡ଼ିକ ୬୦୦ ବା ୭୦୦ ପୃଷ୍ଠାରୁ କମ୍ ନୁହଁ। ସେମିତି କାହିଁକି ଏତେ ଲୋକପ୍ରିୟ? ସେମିତି ମନଛୁଆଁ ଓ ଉଚ୍ଚମାନର ଉପନ୍ୟାସ ଉପଲବ୍ଧ ହେଲେ ଲୋକେ ତାହା ଖୋଜି ଆଣି ପଢିବେ।
ସା – ହଁ, ଆପଣଙ୍କ ‘ପଗଡି ପୁରୁଷ’ ବି ପୃଥୁଳକାୟ ହୋଇଥିବା ସତ୍ତ୍ବେ ବେଶ୍ ଆଦୃତ। ଏକ ଜୀବନୀମୂଳକ ଉପନ୍ୟାସ ଭାବରେ ଏହା ଏକ ଅନବଦ୍ୟ ସୃଷ୍ଟି। କେପରି ପାରିଲେ ଲେଖି!
ଦା – ଏହା ପ୍ରକୃତରେ ଥିଲା ଏକ ଦଶ-ବର୍ଷିଆ ପ୍ରୋଜେକ୍ଟ୍। ଛଅ ବର୍ଷ ଏହା ବିଷୟରେ ପଢାପଢି ଓ ଗବେଷଣା ଆଦି ହେଲା। ଲେଖିବା ପ୍ରକ୍ରିୟାଟି ଅବଶ୍ୟ ଚାଲିଲା ଚାରି ବର୍ଷ।
ସା – ଏହାକୁ ଆପଣ ନିଜ ଲେଖକୀୟ ଜୀବନର ଏକ ସିଦ୍ଧି ବୋଲି ଭାବନ୍ତି କି?
ଦା – ପିଲାମାନଙ୍କୁ ମଧୁବାବୁଙ୍କ ଜୀବନୀ ସହିତ ପରିଚିତ କରିବାପାଇଁ ଆରମ୍ଭ କରିଥିଲି ଧାରାବାହିକଟି। ପରେ ଦେଖିଲି, ମୁଁ ପାଣି ବୋଲି ଯେ ପୋଖରୀକୁ ହାତ ମାରିବାକୁ ଯାଇଥିଲି, ସେ ଏକ ସମୁଦ୍ର। ଭାବିଲି, ଏଥିରୁ ଏ ଜାତି ଗୋଟିଏ ରାହା ପାଇଯିବ। ଓଡ଼ିଆ ଜାତିର ଗୌରବବୋଧ, ଅସ୍ମିତା ଓ ସ୍ବାଭିମାନ କେବଳ ମଧୁବବୁଙ୍କ ଜୀବନୀରୁ ମିଳିପାରିବ ବୋଲି ମୋର ହୃଦବୋଧ ହେଲା।
ସା – ତେବେ ଆପଣ ଭାବି ନଥିଲେ ଯେ ବହିଟି ଲେଖୁଲେଖୁ ଏତେ ବଡ ହୋଇଯିବ।
ଦା – ନା, ଭାବିନଥିଲି। ଏବେ ଦେଖୁଛି ଯେ ଆହୁରି କିଛି ମଧ୍ଯ କହିବାକୁ ବାକି ରହିଯାଇଛି। ଆଗାମୀ ସଂସ୍କରଣଗୁଡ଼ିକରେ ଆହୁରି କିଛି ବି ଯୋଡିପାରେ।
ସା – ଆପଣ ଶତାଧିକ ପୁସ୍ତକ ରଚନା କରିସାରିଥିବା ସତ୍ତ୍ବେ ଏ ବୟସରେ ବି ବେଶ୍ ସୃଷ୍ଟିପ୍ରବଣ। ଆଗକୁ ଆପଣଙ୍କ ରଚନା କ’ଣ ଆସିବାର ଅଛି?
ଦା – ମୋ’ର ଆଉକିଛି ଗଳ୍ପ ଓ ଉପନ୍ୟାସ ଲେଖିବାର ଅଛି। ଆଉ ଗୋଟିଏ କଥା ହେଲା, ଏ ଜାତି ସାମନ୍ତ ଚନ୍ଦ୍ରଶେଖରଙ୍କୁ ଏ ଯାବତ ଯଥାର୍ଥରେ ଚିହ୍ନିପାରିନାହିଁ। ତାଙ୍କୁ ଚିହ୍ନାଇବାର ଅଛି। ମୁଁ ସେ ପ୍ରକ୍ରିୟାରେ ଅଛି।
ସା – ଆପଣ ନିୟମିତ ଭାବରେ ଭାବରେ ଶିଶୁ କବିତା ‘ଟିନା ପାଇଁ ନାନା ବାୟା’ ଧାରାବାହିକଟି ବି ସାମାଜିକ ଗଣମାଧ୍ଯମରେ ପୋଷ୍ଟ୍ କରୁଛନ୍ତି। ଏହା ଏବେ ୧୪୪ ଖଣ୍ଡରେ ପହଂଚିଲାଣି।
ଦା – ଗତ ବର୍ଷ ମୁଁ ଘରେ ଏକୁଟିଆ ଥିଲି। ପ୍ରତି ଦିନ ଏଭଳି ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ନର୍ସରି ରାଇମ୍ ଲେଖୁଥିଲି। ଏବେ ବି ଚାଲିଛି। ତେବେ କଥା ହେଲା ଏଭଳି ଶିଶୁରଚନା ପଢ଼ିବାପାଇଁ ବଡ଼ମାନେ ନିଜ ପିଲାଙ୍କୁ ପ୍ରେରିତ କରନ୍ତୁ।
ସା – ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶ ପାଉଥିବା ଶିଶୁ ପତ୍ରିକା ‘ଶିଶୁ ଲେଖା’ ଏବେ ନୂତନ ଜୀବନ୍ୟାସ ପାଇଛି ଏବଂ ଆପଣ ଏହାର ସଂପାଦନା ସହିତ ଜଡିତ ଅଛନ୍ତି। କ’ଣ ଏହାର ଭବିଷ୍ୟତ ଯୋଜନା।
ଦା – ଏବେ ତ ଏହା ବିଶେଷାଙ୍କ ଭାବରେ ପ୍ରକାଶ ପାଇଛି। ପତ୍ରିକାଟି ତ୍ରୈମାସିକ ଭାବରେ ଅଛି। ଆଗକୁ ମାସିକ ହୋଇପାରିଲେ ଆହୁରି ଭଲ ହୁଅନ୍ତା ବୋଲି ଭାବୁଛି।
ସା– ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଅଶେଷ ଧନ୍ୟବାଦ।
- ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ସେପ୍ଟେମ୍ବର-୨୦୨୧ ସଂଖ୍ୟାରେ ପ୍ରକାଶିତ।
ଦାଶ ବେନହୁରଙ୍କ ଅନୁପମ ବ୍ୟକ୍ତିତ୍ବ ବିଷୟରେ ଅନେକ କଥା ଜାଣିହେଲା।