ଆଠଟି ଗଜଲ

  • ଜାକିର ଖାନ ଓଡ଼ିଆ ଗଜଲ ଜଗତରେ ଏକ ସୁପରିଚିତ ନାମ । ଆସନ୍ତୁ ପଢିବା ତାଙ୍କ କଲମରୁ ଆଠଟି ମନଛୁଆଁ ଗଜଲ ।
ଜାକିର ଖାନ

|| ନିଦ ଭରା ମୋର ଆଖି ||

ନିଦ ଭରା ମୋର ଆଖି ନାହିଁ
ସପନ ପାଇଁ ବି ରାତି ନାହିଁ ।

ଭାବନା ତ ଅଛି ଆଗ ଭଳି
ସେଥିରେ ଆଉ ସେ ତାତି ନାହିଁ ।

ଚାହୁଁଛି ଚାଲିବି ସଳଖି ମୁଁ
ମୋ ପାଖରେ ଯାହା ଗତି ନାହିଁ ।

ଦୁଃଖର ପାହାଡ଼ ଛିଡି ପଡ଼େ
ସହିବାକୁ ମୋର ଛାତି ନାହିଁ ।

ଜୀଉଁଛି ଜାକିର ବାଧ୍ୟ ହୋଇ
ଜୀବନରେ ତିଳେ ପ୍ରୀତି ନାହିଁ ।

|| ଦୁଃଖ କୋଠରୀ ||

ଦୁଃଖ କୋଠରୀରେ ବସି ବସି
ଦୁନିଆଁ ଦେଖେ ମୁଁ ହସି ହସି ।।

କାତରେ ଅଧୀର ହୁଏ ନାହିଁ
ସଂସାରେ ରହେ ମୁଁ ରସି ରସି ।।

ମିଳୁଚି ବେଦନା ଯେତେ ଯେତେ
ସୁଖେ ରମେ ସେତେ ବେଶୀ ବେଶୀ।।

ଯନ୍ତ୍ରଣା ତ କିଛି ଏଠି ଅଛି
ସୁଖ ବି ରହିଛି ରାଶି ରାଶି।।

ଛଟପଟ ଭାବ କିଛି ଅଛି
ସେତିକି ବି ଅଛି ଖୁସି ଖୁସି।।

ଜାକିର ଜାଣେ ଜୀବନ ମାୟା
ଜୀଉଁଛି ତେଣୁ ସେ ଭାସି ଭାସି।।

|| ଅଧା ରାତି ||

ରାତି ମୋର ଅଧା ବାକି ଅଛି
ଚିଠି ମୋର ଅଧା ବାକି ଅଛି।

ଛାଡିବନି ହାତ ମୋର ସଖି
ପ୍ରୀତି ମୋର ଅଧା ବାକି ଅଛି।।

ଲେଖି ସାରିଛି ମୁଁ ଆମ କଥା
କୃତି ମୋର ଅଧା ବାକି ଅଛି।।

କେତେ ସପନ ମୁଁ ଦେଖି ଅଛି
ସ୍ମୁତି ମୋର ଅଧା ବାକି ଅଛି।।

ଜାକିର କହୁଛି ମନେ ମନେ
ରାତି ମୋର ଅଧା ବାକି ଅଛି।।

|| ଭାବନା ||

ଆମ ଭାବନାର ଅନେକ ପ୍ରଭାବ ଅଛି
ସେଇ ଭାବନାରେ ବି କିଛି ଅଭାବ ଅଛି ।

ସଭିଙ୍କ ହୃଦୟେ ରହିବା ସମ୍ଭବ ନୁହେଁ
ସେହିଭଳି କିଛି ମୋହର ସ୍ଵଭାବ ଅଛି।

ସବୁ ଆଖିର ନିଜ ଅଲଗା ଭାଷା ଅଛି
ସବୁ ଭାଷାର ମୋ ଉପରେ ପ୍ରଭାବ ଅଛି।

ଅସୁବିଧାରେ ବି କିଛି ତ ସୁବିଧା ଅଛି
ସବୁ ଅସୁବିଧାର କିଛି ଜବାବ ଅଛି।

ନିଜ ଭାବନାରେ ଜାକିର ବୁଡ଼ିକି ଅଛି
ସେଇ ବୁଡ଼ିବାରେ ବି କିଛି ଅଭାବ ଅଛି।।

|| ସାଗରର ଦୁଃଖ ||

ସାଗର ଦୁଃଖକୁ ପଢୁ ଅଛି
ଲୁଣ ସହ ସିଏ ଲଢୁ ଅଛି।।

ନଦୀର କୋହକୁ ଜାଣୁ ଅଛି
ମାଆ କୋଳ ତାକୁ ଭାଳୁ ଅଛି।।

ମାଟିର ବେଦନା ଦେଖୁ ଅଛି
ଭିତରଟା ତାର ଜଳୁ ଅଛି।।

ସୂର୍ଯ୍ୟର ଜ୍ୱାଳାକୁ ଭାବୁ ଅଛି
ନିଜକୁ ନିଜେ ହିଁ ଜାଳୁ ଅଛି।।

ଆକାଶ ଲୁହକୁ ବୁଝୁ ଅଛି
ମଣିଷକୁ ସେ ଯେ ଖୋଜୁ ଅଛି।।

ସଭିଙ୍କ ପୀଡ଼ାକୁ ପଢୁ ଅଛି
ଜାକିର ପୀଡା ତ ଚଳୁ ଅଛି।।

|| ଛାତିର ବେଦନା ||

ଥରେ ବେଦନାରେ ଛାତି ମୋର
ଆଜି ଅନ୍ଧାର ଏ ରାତି ମୋର।

ଆଗକୁ ଯେ ପଥ ଦିଶୁ ନାହିଁ
ମନରେ ଭରିଛି ଭୀତି ମୋର।

ଯାତନାରେ ଭାଳୁ ଅଛି ମନ
ଚାଲିଅଛି କାଳ ତିଥି ମୋର ।

ଝୁଣ୍ଟୁଛି ମୁଁ ଏତେ ପଥେ କିଆଁ
ସହିବାକୁ ନାହିଁ ଛାତି ମୋର ।

ନିଜକୁ ଜାକିର କହେ ମନେ
ଦୁଃଖ ହିଁ ସର୍ବଦା ସାଥି ମୋର।

|| ଅନେକ ଭାବନା ||

ଅନେକ ଭାବନାକୁ ମୋର ଭାବିବା ବାକି ଅଛି
ଅନେକ ଚେହେରା ଏବେ ମୋ ପଢ଼ିବା ବାକି ଅଛି।।

ତୁମର ଆମର ଚିହ୍ନା- ଚିହ୍ନି ହେବା ଜାରି ଅଛି
ଏବେ ବି ଆମର ଅନେକ ଚିହ୍ନିବା ବାକି ଅଛି।।

ସଂଜେ ବସି ଭାବେ ଆହୁରି ଅନେକ ଅଛି କିଛି
ଯାହା ସବୁ ମୋର ସତରେ ଜାଣିବା ବାକି ଅଛି ।।

ଅଛି କିଛି କିଛି ଏମିତି ଅନେକ କିଛି ଅଛି
ଏଯାଏଁ ଗୋଟାଏ ହୃଦୟ ଛୁଇଁବା ବାକି ଅଛି।।

ସତରେ ରହିଛି ସବୁ ଏମିତି ଅନେକ କିଛି
ଜାକିର ଭାବୁଛି ସେସବୁ କହିବା ବାକି ଅଛି।।

|| ପ୍ରେମିକା ||

ତୁ ପ୍ରେମିକା ନୁହେଁ, ମୋ ମନର ବନ୍ଧୁ
ତୋ ଆଖିରେ ଦେଖେ ମୁହିଁ ସଦା ସିନ୍ଧୁ।।

ତୁ ପସରା ଅନେକ ରଙ୍ଗର ନିଜେ
ଦିଶୁ ତୁ ସୁନ୍ଦର , ଯାହା ଯେବେ ପିନ୍ଧୁ।।

ତୋ ସହ ଟିକିଏ ନ ଗପିଲେ କିଆଁ
ମନରେ ଭରେ ମୋ ଦୁଃଖର ଅଳନ୍ଧୁ।।

ବାନ୍ଧୁ ଆମେ ସେଠି ସମ୍ପର୍କର ସେତୁ
ମନକୁ ଆମେ ମନ ଯେଉଁଠି ଛନ୍ଦୁ।।

ମନେ ମନେ ବସି ଭାଳୁଅଛି ଜାକିର୍
ସେ ଗୋଟାଏ ବିନ୍ଦୁ, ତୁ ଗୋଟାଏ ବିନ୍ଦୁ।।

  • ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ସେପ୍ଟେମ୍ବର-୨୦୨୧ ସଂଖ୍ୟାରେ ପ୍ରକାଶିତ।

3 thoughts on “ଆଠଟି ଗଜଲ

  1. ସୁନ୍ଦର୍ ଉପସ୍ଥାପନ

  2. ମନଛୁଆଁ ଗଜଲଗୁଡିକ ପାଇଁ ଜାକିର ଖାନଙ୍କୁ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *