- ଜଗଦୀଶ ମୋ ଜୀବନକୁ ଆସିବା ପୂର୍ବରୁ ମୋର ଜଣେ ପତ୍ରବନ୍ଧୁ ଥିଲେ, ଅର୍ଥାତ୍ ମୋତେ ଯେତେବେଳେ ତେର କି ଚଉଦ ବର୍ଷ ବୟସ, ସେବେଠାରୁ ।
ପ୍ରବୀଣ କଥାକାର ସରୋଜିନୀ ସାହୁ କେବଳ ଓଡ଼ିଆ କଥା ସାହିତ୍ୟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରିଣୀ ନୁହନ୍ତି, ଅନେକ ବିଦେଶୀ ତଥା ପ୍ରତିବେଶୀ ଭାଷାର ପାଠକମାନଙ୍କ ମଧ୍ୟରେ ବି ସେ ଜଣେ ଅଗ୍ରଣୀ ନାରୀବାଦୀ ଲେଖିକା ଭାବରେ ପରିଚିତ। ତାଙ୍କର ବହୁ ସୃଷ୍ଟି ବିଭିନ୍ନ ଭାଷାରେ ଅନୁବାଦିତ। ସେ ଓଡ଼ିଆ ସାହିତ୍ୟର ଜଣେ ଅଗ୍ରଣୀ ସୃଷ୍ଟା ଦିବଂଗତ ବିଶିଷ୍ଟ ଗାଳ୍ପିକ ଜଗଦୀଶ ମହାନ୍ତିଙ୍କ ଜୀବନ ସଂଗିନୀ ଥିଲେ, ଏବଂ ଦୀର୍ଘ କାଳ ବେଲପାହାଡ଼ କଲେଜରେ ଅଧ୍ୟାପନା କରିବାପରେ କିଛି ବର୍ଷ ତଳେ ସେବାନିବୃତ ହୋଇଛନ୍ତି। ୬୫ ବର୍ଷ ବଯସ୍କ ଏହି ସୁଲେଖିକା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର ଓ ପ୍ରଜାତନ୍ତ୍ର ପୁରସ୍କାର ଆଦିରେ ସମ୍ମାନିତା ହେବା ସହ କଲିକତାର ପ୍ରସିଦ୍ଧ କିଂଡ଼ଲ୍ ପତ୍ରିକା ଦ୍ବାରା ଦେଶର ୨୫ ଜଣ ଅସାଧାରଣ ମହିଳାଙ୍କ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଆ ଭାଷାରେ ତାଙ୍କର ଏ ଯାବତ ପ୍ରାୟ ୨୦ଟି ପୁସ୍ତକ ପ୍ରକାଶିତ। ତା’ଙ୍କ ଲେଖକୀୟ ଜୀବନର ବିଭିନ୍ନ ଦିଗ ପ୍ରସଙ୍ଗରେ ତାଙ୍କ ସହ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା – ଆମର ଧାରଣା ଯେ ଆପଣଙ୍କର ଲେଖକୀୟ ପ୍ରତିଭା ଅଙ୍କୁରିତ ହୋଇଥିଲା ଆପଣ ରେଭେନ୍ସା କଲେଜରେ ଛାତ୍ରୀ ଥିବାବେଳେ ସାହିତ୍ୟିକ ଜଗଦୀଶ ମହାନ୍ତିଙ୍କ ସାନ୍ନିଧ୍ୟରେ ଆସିବା ପରେ।
ସରୋଜିନୀ ସାହୁ – ନା କଥାଟି ସେମିତି ନୁହେଁ। କହିଦିଏ ଯେ ଜଗଦୀଶ ମୋ ଜୀବନକୁ ଆସିବା ପୂର୍ବରୁ ସେ ମୋର ଜଣେ ପତ୍ରବନ୍ଧୁ ଥିଲେ, ଅର୍ଥାତ୍ ମୋତେ ଯେତେବେଳେ ତେର କି ଚଉଦ ବର୍ଷ ବୟସ, ସେବେଠାରୁ। ଧୀରେ ଧୀରେ ଆମର ବନ୍ଧୁତା ବଢିଲା। ତା’ପରେ ୧୯୭୧ରେ ଆମେ ଦୁଇଜଣ ମିଶି ‘ପଲ୍ଲବ’ ନାମରେ ମିନି ପତ୍ରିକାଟିଏ ପ୍ରକାଶ କଲୁ। ମୋର ପ୍ରଥମ ଗଳ୍ପ ବାହାରିଥିଲା ‘ପ୍ରଜାତନ୍ତ୍ର’ର ରବିବାସରୀୟ ସାହିତ୍ୟ ପୃଷ୍ଠାରେ। ସେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି। ‘ଆସନ୍ତାକାଲି’ ଭଳି ପତ୍ରିକାରେ ମଧ୍ୟ ମୋର କିଛି ଗଳ୍ପ ପ୍ରକାଶିତ ହେଲା। ୧୯୭୫ରେ ଯେତେବେଳେ ମୁଁ ଢେଙ୍କାନାଳରେ ଜଣେ ଅଣ୍ଡର-ଗ୍ରାଜୁଏଟ ଛାତ୍ରୀ ଥିଲି, ସେତେବେଳେ ମୋର ‘ଝଙ୍କାର’ରେ ଗଳ୍ପଟିଏ ପ୍ରକାଶିତ ହୋଇ ବେଶ୍ ଦୃଷ୍ଟି ଆକର୍ଷଣ କଲା। ଏଇଟି ପଢ଼ି ମୋର ସେତେବେଳର ଜଣେ ସହପାଠୀ ଡ଼. ହରେକୃଷ୍ଣ ମହତାବଙ୍କ ପାଖକୁ ଯାଇ କହିଲା, ‘ସରୋଜିନୀର ଗଳ୍ପ ବାହାରିଛି, ମୋ’ର କାହିଁକି ନୁହେଁ !’
ସାହିତ୍ୟ ଚର୍ଚ୍ଚା – କ’ଣ ଥିଲା ଡ଼. ମହତାବଙ୍କ ପ୍ରତିକ୍ରିୟା?
ସରୋଜିନୀ ସାହୁ – ସେ କହିଲେ ଯେ ସରୋଜିନୀ ଯେଉଁ ସ୍ତରର ଲେଖା ଲେଖିଛି, ତୁମେ ସେହିଭଳି ଗଳ୍ପଟିଏ ଲେଖି ଆଣ।
ସାହିତ୍ୟ ଚର୍ଚ୍ଚା– ଲେଖିଲେ କି ସିଏ?
ସରୋଜିନୀ ସାହୁ – ନା, ଦୀର୍ଘ ଅନେକ ବର୍ଷ ପରେ ବି ଆଜି ପର୍ଯ୍ଯନ୍ତ ‘ଝଙ୍କାର’ରେ ବାହାରିନାହିଁ ତାଙ୍କର ଗୋଟିଏ ହେଲେ ଲେଖା।
ସାହିତ୍ୟ ଚର୍ଚ୍ଚା – ତେବେ ଜଗଦୀଶ ମହାନ୍ତିଙ୍କ ସହ ରେଭେନ୍ସାରେ ସାନ୍ନିଧ୍ୟ ହେବା ପୂର୍ବରୁ ଆପଣଙ୍କ ରଚନା ପ୍ରବୃତ୍ତିର ଉଦ୍ରେକ ହୋଇସାରିଥିଲା।
ସରୋଜିନୀ ସାହୁ – ହଁ। ଏହାଛଡ଼ା ଅନ୍ୟ ଗୋଟିଏ ଦିଗ ହେଲା ଯେ ମୋର ରଚନାକୁ ନେଇ ପ୍ରଥମରୁ ହିଁ ମୋତେ ଅନେକ ବିବାଦ ବା ‘କଣ୍ଟ୍ରୋଭର୍ସି’ର ସମ୍ମୁଖୀନ ହେବାକୁ ପଡ଼ିଛି।
ସାହିତ୍ୟ ଚର୍ଚ୍ଚା – ଯେମିତି ମନେହୁଏ ‘କଣ୍ଟ୍ରୋଭର୍ସି’କୁ ସାଥୀରେ ନେଇ ହିଁ ଆପଣ ସାହିତ୍ୟ ଜଗତରେ ପାଦ ଥାପିଥିଲେ।
ସରୋଜିନୀ ସାହୁ – ମୁଁ ଯେତେବେଳେ ‘ରେଭେନ୍ସା’କୁ ଆସିଲି ସେତେବେଳେ ମୋ’ର ଯେକୌଣସି ଗଳ୍ପଟିଏ ହେଲେ ବି ତାହା ବିବାଦର ଘେର ଭିତରକୁ ଆସିଯାଉଥିଲା। ଅବଶ୍ୟ ଏମିତି କଣ୍ଟ୍ରୋଭର୍ସି ହେବ ବୋଲି ଭାବି ମୁଁ କେବେ ଲେଖୁନଥିଲି। ମୁଁ ବହୁତ ଖୋଲା ଲୋକ ଏବଂ ଲେଖୁଥିଲି ବି ସେମିତି ଖୋଲାଖୋଲି। ସାଧାରଣତଃ ଝିଅମାନେ ସଂକୋଚବଶତଃ ଅନେକ କଥା ସିଧାସଳଖ ନ ଲେଖି ଲୁଚାଇଛପାଇ ଅପ୍ରତ୍ୟକ୍ଷ ଭାବରେ ଲେଖନ୍ତି। ମୁଁ ସେମିତି ନଥିଲି।
ସାହିତ୍ୟ ଚର୍ଚ୍ଚା – ଜଗଦୀଶ ମହାନ୍ତିଙ୍କ ଗଳ୍ପର ଅନ୍ତଃସ୍ବର ସହିତ ଆପଣଙ୍କ ରଚନାର ଭାବର କିଛି ସାମଂଜସ୍ୟ ଥିଲା କି?
ସରୋଜିନୀ ସାହୁ – ଯେତେବେଳେ ଜଗଦୀଶ ସତୁରୀ ଦଶକରେ ଲେଖିବା ଆରମ୍ଭ କଲେ, ତାଙ୍କର ଲେଖାଗୁଡ଼ିକ ବେଶ୍ ଆଦୃତ ହେଉଥିଲା। ଗୋଟିଏ ସମୟରେ, ରେଭେନ୍ସାରେ ପଢ଼ିବା ସମୟରେ, ପତ୍ରିକା ଦୋକାନକୁ ‘ଝଙ୍କାର’, ‘ଆସନ୍ତାକାଲି’ ଏବଂ ‘ନବରବି’ ଆଦି ସାହିତ୍ଯ ପତ୍ରିକା କିଣିବାକୁ ଗଲେ ଶୁଣୂଥିଲୁ ଯେ ‘ପତ୍ରିକା ସରିଯାଇଛି’। କାରଣ ଜଗଦୀଶ ମହାନ୍ତିଙ୍କ ଗପ ବାହାରିଛି ତ ! ଏଭଳି ଲୋକପ୍ରିୟତା ବ୍ୟତିରେକେ, ତାଙ୍କ ସମୟ ହେଉ, କିମ୍ବା ତାହାର ପରେ ବି ଅନେକ ଲେଖକ ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ।
ସାହିତ୍ୟ ଚର୍ଚ୍ଚା– ଆପଣଙ୍କ ସମେତ?
ସରୋଜିନୀ ସାହୁ – ହଁ। ଆମେ ସମସ୍ତେ ପ୍ରଭାବିତ ଥିଲୁ ତାଙ୍କର ଭାଷା, ‘ଟେକନିକ୍’ ଓ ‘ପ୍ରୋଟାଗୋନିଷ୍ଟ’ମାନଙ୍କ ଦ୍ବାରା। ଏବେ ବି ଅନେକ ଲେଖକ ତା’ଙ୍କ ଦ୍ବାରା ପ୍ରଭାବିତ ହୋଇ ଲେଖୁଛନ୍ତି।
ସାହିତ୍ୟ ଚର୍ଚ୍ଚା – କ’ଣ ସବୁ ଥିଲା ତାଙ୍କର ଅନୁକରଣୀୟ ବିଶେଷତ୍ବ?
ସରୋଜିନୀ ସାହୁ – ସେ ନିଜକୁ ନେଇ ଚରିତ୍ର ସୃଷ୍ଟି କରିଦେଉନଥିଲେ। ତାଙ୍କର ନାୟକମାନେ ମଧ୍ୟ ନଥିଲେ ଶ୍ରୀରାମଙ୍କ ପରି ମହାପୁରୁଷ। ‘ମାଟିର ମଣିଷ’ର ବରଜୁ ଓ ଛକଡି ଭଳି ନଥିଲା ତାଙ୍କର ଚରିତ୍ର ଚିତ୍ରଣର କଳା। ତାଙ୍କ ଦୃଷ୍ଟିରେ ବଳଜୁ ଚରିତ୍ର ଭିତରେ ବି ଥିଲା କିଛି ଖରାପ ଗୁଣ ଏବଂ ଛକଡି ଭିତରେ ବି କିଛି ଭଲ ଗୁଣ।
ସାହିତ୍ୟ ଚର୍ଚ୍ଚା – ଆପଣଙ୍କ ଭାବଧାରା କେତେବେଳେ ନାରୀବାଦୀ ଚେତନା ଆଡ଼କୁ ମୁହାଁଇଲା?
ସରୋଜିନୀ ସାହୁ – ଯଦିଓ ଜଗଦୀଶଙ୍କ ସହ ମୋ’ର ପରିଚୟ ୧୯୭୦ରୁ, ଆମର ବିବାହ ହେଲା ୧୯୮୧ରେ, ଏବଂ ମୁଁ ରାମପୁର ଆସି ଗୋଟିଏ ଛୋଟ କୋଲଫିଲ୍ଡ଼ ଏରିଆରେ ଏକରକମ ବନ୍ଦୀ ଭଳି ଜୀବନ କଟାଇଲି। ସେତେବେଳେ ମୋ ପାଇଁ ଚାକିରୀର ସୁବିଧା ନଥିଲା। ଜଗଦୀଶ ନିଜ କାର୍ଯ୍ୟରେ ଯିବାପରେ ମୋର ସମୟ ଘରଟି ଭିତରେ ଏକାକୀ ବିତୁଥାଏ। ଇଚ୍ଛା ହେଉଥିଲା, ଘର ଛାଡ଼ି କେଉଁଆଡେ ଉଡିକରି ପଳାନ୍ତି! ଏଭଳି ସମୟରେ ଫେମିନିଜମ୍ ଭଳି ଗୋଟିଏ ଖିଆଲ୍ ମୋ ମନକୁ ଢୁକିଲା।
ସାହିତ୍ୟ ଚର୍ଚ୍ଚା – କିନ୍ତୁ ଶୁଣିଛୁ ଯେ ଏଭଳି ମୁକ୍ତ ନାରୀତ୍ବ ଜନିତ ଭାବନାର ମୂଳଦୁଆ ଆପଣଙ୍କର ଶୈଶବରୁ ହିଁ ପଡିଥିଲା।
ସରୋଜିନୀ ସାହୁ – ହଁ, ଆମ ଘରେ ମୁଁ ତୃତୀୟ ଝିଅ ଥିଲି। ମୋ ମା’ ମୋତେ ଥରେ କହିଥିଲା, ‘ଦେଖ୍ , ତୁ ଜନ୍ମ ହେବା ପୂର୍ବରୂ ତୋ ବାପା ଚାହୁଁଥିଲେ ଯେ ଆମର ଗୋଟିଏ ପୁଅ ହେଉ। ତୁ ଯେତେବେଳେ ଝିଅ ହୋଇ ଜନ୍ମ ହେଲୁ ମୋତେ ଭୟ ଲାଗୁଥାଏ। ତୋ ବାପା ପାଖରେ ନଥିଲେ। ମୁଁ ରାତି ସାରା ଖାଲି ଭଗବାନଙ୍କୁ ଡାକୁଥାଏ ଯେ ସକାଳକୁ ତୁ କେମିତି ପୁଅଟିଏ ହୋଇଯାଆ।’ ଏହି କଥା ମୁଁ ନିଜର ବହିରେ ମଧ୍ୟ ଉଲ୍ଲେଖ କରିଛି।
ସାହିତ୍ୟ ଚର୍ଚ୍ଚା – ଏହାର କି ପ୍ରଭାବ ପଡିଥିଲା ଆପଣଙ୍କ ଉପରେ?
ସରୋଜିନୀ ସାହୁ – ମା’ର ସେହି ଅସହାୟତା ମୋତେ ବହୁ ଭାବରେ ବ୍ୟଥିତ କରିଥିଲା। ମୁଁ ଲକ୍ଷ୍ୟ କରୁଥାଏ ଯେ ଘରେ ବାପା ଯାହା କହିବେ ତାହାହିଁ ହେବ, ଏବଂ ମାଆ ଚାହୁଁଥିବା ଜିନିଷଟି ହେବନାହିଁ। ଏହା ମୋତେ ଭଲ ଲାଗୁନଥିଲା।
ସାହିତ୍ୟ ଚର୍ଚ୍ଚା – ସେଥିପାଇଁ ଆପଣଙ୍କ ଅଧିକାଂଶ ରଚନାରେ ପୁରୁଷ ପ୍ରଧାନ ସମାଜ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ ଦେଖିବାକୁ ମିଳେ।
ସରୋଜିନୀ ସାହୁ – ହଁ, ରାମପୁର କୋଲିଆରୀରେ ବନ୍ଦୀଟିଏ ଭଳି ଜୀବନ ମୋର ସେହି ଭାବନାକୁ ଆହୁରି ଦୃଢ଼ତର କଲା। ମୋ ଭଳି କଟକରୁ ଯାଇଥିବା ଝିଅଟିଏ ସେଇ ଛୋଟିଆ ବସତିଟିର ଘରେ ବନ୍ଦ ହୋଇ ରହିବ, କେବେ ବଜାରକୁ ଯିବାରଥିଲେ ବି ସ୍ବାମୀ ସାଙ୍ଗରେ ନ ଥିଲେ ଏକୁଟିଆ ଯାଇପାରିବନାହିଁ – ଏସବୁ ମୋ ଭିତରର ନାରୀବାଦୀ ଚିନ୍ତାଧାରାକୁ ଆହୁରି ତୀବ୍ର କରିଦେଲା।
ସାହିତ୍ୟ ଚର୍ଚ୍ଚା – ଜଗଦୀଶ ବାବୁ ଆପଣଙ୍କ ଏହି ଚିନ୍ତାଧାରା ସହିତ ସହମତ ଥିଲେ କି?
ସରୋଜିନୀ ସାହୁ – ତାଙ୍କର ଏଥି ସହିତ କିଛି ନେଣଦେଣ ନଥାଏ। ନା ସେ ଏହାର ବିରୋଧ କରୁଥିଲେ, ନା ତାରିଫ୍।
ସାହିତ୍ୟ ଚର୍ଚ୍ଚା – ଆମେ ଆପଣଙ୍କ ରଚନାରେ ଥିବା ଫେମିନିଜମ୍ ର କଥା କହୁଛୁ।
ସରୋଜିନୀ ସାହୁ – ଏଥିପ୍ରତି ବି ସେ ନିଃସ୍ପୃହ ଥିଲେ। କଥା ହେଲା, ମୋତେ ପ୍ରଥମେ କିଏ ଫେମିନିଷ୍ଟ୍ ବୋଲି କହିଲା? ନବେ ଦଶକରେ ଆମରିକାର ଡ଼୍ୟୁକ୍ ୟୁନିଭର୍ସିଟିରୁ ଜଣେ ପ୍ରଫେସର୍, ଡ଼. ସତ୍ତି ଖାନ୍ନା ଭାରତ ଆସିଥା’ନ୍ତି ବଡ ସହରମାନଙ୍କରୁ ଦୂରରେ ଥାଇ ସାଧନାରତ ଲେଖକମାନଙ୍କ ଜୀବନକୁ ଅଧ୍ୟୟନ କରି ତାହାର ସୁଟିଂ କରିବାପାଇଁ। ଏହି ଅଭିପ୍ରାୟରେ ସେ ଆମ ଘରକୁ ମଧ୍ୟ କିଛି ଦିନପାଇଁ ଆସି ମୋ ଜୀବନଶୈଳୀକୁ ଅଧ୍ୟୟନ କଲେ। ସେ ମୋ’ର କିଛି ଲେଖା ମଧ୍ୟ ପଢିଲେ, ଏବଂ ପଚାରିଲେ, ‘ହ୍ବାଇ ଆର୍ ୟୁ ଏ ଫେମିନିଷ୍ଟ୍?’ ମୁଁ ସେତେବେଳ ପର୍ଯ୍ୟନ୍ତ ନିଜକୁ ଜଣେ ଫେମିନିଷ୍ଟ୍ ଭାବରେ ଜାଣିନଥିଲି। ଅନ୍ତତଃ ଓଡିଶାରେ ଏକଥା କେହି ମୋତେ କହିନଥିଲେ।
ସାହିତ୍ୟ ଚର୍ଚ୍ଚା – ଆପଣ ଓଡିଶାର ପ୍ରସଙ୍ଗକୁ ଆସିଲେ, ଆମର ମନକୁ ଆସୁଛି ଯେ ଓଡ଼ିଆ ଭାଷାରେ ପ୍ରଥମ ଥରପାଇଁ ଆପଣଙ୍କ ଉପନ୍ୟାସ ‘ଉପନିବେଶ’ରେ ଜଣେ ନାରୀର କାମବାସନା ଜନିତ ଭାବ ରୂପାୟିତ ହୋଇଥିଲା। ଜଣେ ଲେଖିକା ଭାବରେ ଏହା ଆପଣଙ୍କ ପକ୍ଷରେ ଏକ ସାହସିକ ପଦକ୍ଷେପ ନଥିଲା କି?
ସରୋଜିନୀ ସାହୁ – ହଁ, ମୋର ଆଉ ଏକ ଗଳ୍ପ ‘ରେପ୍’ ମଧ୍ୟ ସେହି ଧରଣର ଥିଲା। ଏହା ଲେଖାହୋଇଥିଲା ୧୯୮୯ରେ, ଯାହାର ହିନ୍ଦୀ ଅନୁବାଦଟି ମୁଁ ପ୍ରଥମେ ଭୋପାଳର ଏକ ସମ୍ମିଳନୀରେ ପାଠକରିଥିଲି। ସେଠାରେ ତାହା ପ୍ରଶଂସିତ ହେଲା। ଏହାପରେ ତାହାର ମୂଳ ଓଡ଼ିଆ ଗଳ୍ପଟି ଓଡ଼ିଶାର ଗୋଟିଏ ପତ୍ରିକାରେ ପ୍ରକାଶ ପାଇଲା।
ସାହିତ୍ୟ ଚର୍ଚ୍ଚା – ଓଡିଶାର ରକ୍ଷଣଶୀଳ ବର୍ଗରୁ ବୋଧହୁଏ ଏହା ବିରୁଦ୍ଧରେ ପ୍ରତିବାଦ ସୃଷ୍ଟି ହୋଇଥିବ।
ସରୋଜିନୀ ସାହୁ – ଲେଖା ପ୍ରକାଶ ପାଇବାପରେ ଦୁଇ ବର୍ଷ ଧରି ଏ ବିଷୟରେ ଅନେକ କଣ୍ଟ୍ରୋଭର୍ସି ଚାଲିଲା। ଏପରିକି ଏହାର ଷୋହଳ ବର୍ଷ ପରେ ବି ଜଣେ ଏକଦା ରାତି ବାରଟା ବେଳେ ଫୋନ୍ କରି ମୋ ଉପରେ ଗାଳି ବର୍ଷଣ କଲେ, “କିଏ କହିଥିଲା ଆପଣଙ୍କୁ ଏହି ‘ରେପ୍’ ଗପଟି ଲେଖିବାପାଇଁ?” ତେବେ ଉଲ୍ଲେଖଯୋଗ୍ୟ କଥା ହେଲା ଯେ ଏହି ଗଳ୍ପ ଦେଶ ତଥା ବିଦେଶର ଅନେକ ଭାଷାରେ ଅନୁବାଦିତ ହୋଇ ବହୁ ଆଦୃତ ହୋଇଛି।
ସାହିତ୍ୟ ଚର୍ଚ୍ଚା – ଏଇଟି ଆପଣଙ୍କ ଜୀବନର ସବୁଠାରୁ ସାର୍ଥକ ଗଳ୍ପ, ବୋଧହୁଏ।
ସରୋଜିନୀ ସାହୁ – ତାହା ତ କହିପାରିବିନି, କିନ୍ତୁ ମୋ’ର ଏହା ଏକମାତ୍ର ଗଳ୍ପ ଯାହା ମୁଁ ମାତ୍ର ଗୋଟିଏ ସିଟିଂରେ ଲେଖିଛି।
ସାହିତ୍ୟ ଚର୍ଚ୍ଚା – ତେବେ ଏଭଳି ଏକ ଅଣଚିରାଚରିତ ଥିମ୍ ସଂପନ୍ନ ଗଳ୍ପ ପ୍ରତି ଓଡ଼ିଆ ପାଠକଙ୍କ ସମ୍ବେଦନଶୀଳତା ଆପଣଙ୍କ ଏହି ଗଳ୍ପ ଉଦ୍ଦେଶ୍ୟରେ ସେମାନଙ୍କ ପ୍ରତିକ୍ରିୟାରୁ ପ୍ରମାଣିତ।
ସରୋଜିନୀ ସାହୁ – ସେମାନେ ସଂବେଦନଶୀଳ ଏଇଥିପାଇଁ ଯେ ଜଣେ ସ୍ତ୍ରୀ ଏସବୁ ଲେଖୁଛି।
ସାହିତ୍ୟ ଚର୍ଚ୍ଚା – କଥା ହେଲା, ନିଜର ଭାବ ପ୍ରକାଶ କରିବାପାଇଁ ଆପଣ କୌଣସି ବାଡ଼ବତା ମାନିନାହାନ୍ତି ଏବଂ ସ୍ବଚ୍ଛନ୍ଦରେ ଏହାକୁ ପ୍ରକାଶ କରିଛନ୍ତି।
ସରୋଜିନୀ ସାହୁ – ହଁ, ସମାଜର ଚଳଣିଗତ ବନ୍ଧନ ହେତୁ ଝିଅମାନେ ଯେଉଁ କଥା ସାଧାରଣତଃ ଖୋଲା ଭାବରେ କହିପାରନ୍ତିନି, ତା’କୁ ମୁଁ ନିଃସଂକୋଚରେ ଲେଖିଛି।
ସାହିତ୍ୟ ଚର୍ଚ୍ଚା – ‘ଗମ୍ଭିରି ଘର’ ଆପଣଙ୍କର ଏକ ବହୁଚର୍ଚ୍ଚିତ ଉପନ୍ୟାସ। ଏହା ବଙ୍ଗଳା ଓ ହିନ୍ଦୀ ଆଦି ବହୁ ଭାଷାରେ ଅନୁବାଦିତ ମଧ୍ୟ ହୋଇଛି। ଏଥିରେ ଆପଣ ଏହାର ନାୟିକା ଜଣେ ହିନ୍ଦୁ ଗୃହିଣୀ ସହିତ ଜଣେ ପାକିସ୍ତାନି ପୁରୁଷର ସଂପର୍କର ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି। ଉପନ୍ୟାସଟି ଏତେ ଆଦୃତ ହେବାର କାରଣ କ’ଣ ହୋଇଥାଇପାରେ ବୋଲି ଭାବନ୍ତି?
ସରୋଜିନୀ ସାହୁ – ଏହା ପ୍ରଥମେ ଗୋଟିଏ ପତ୍ରିକାରେ ବାହାରିଥିଲା। ଏବେ ସିନା ସମାଜର ସବୁ ବର୍ଗର ଲୋକ ଫେସବୁକ୍ ଭଳି ସୋସିଆଲ୍ ମିଡ଼ିଆରେ ସକ୍ରିୟ ଅଛନ୍ତି, କିନ୍ତୁ ମୁଁ କହୁଛି ୨୦୦୫ର କଥା ଯେତେବେଳେ ଏହା ପ୍ରଥମେ ଗୋଟିଏ ପତ୍ରିକାରେ ପ୍ରକାଶ ପାଇଲା। ପରବର୍ତ୍ତୀ ବର୍ଷରେ ଏହା ଏକ ବହି ଆକାରରେ ବାହାରିଲା। ପ୍ରଥମେ ଯେଉଁ ଓଡିଆ ପତ୍ରିକାରେ ଗପଟି ଛପାଇବାପାଇଁ ସଂପାଦକ ନିଷ୍ପତ୍ତି ନେଇଥିଲେ, ପରେ ସେଥିରୁ ଓହରିଗଲେ। ଫଳରେ ମୋ’ ମନକୁ ଆଘାତ ଲାଗିଲା ଏବଂ ମୁଁ ପ୍ରବଳ ଅଭିମାନରେ ବସି ଗଳ୍ପଟିକୁ ଏକ ଉପନ୍ୟାସରେ ପରିଣତ କରିଦେଲି। ଉପନ୍ୟାସଟି ଅବଶ୍ୟ ବାହାରୁ ଲାଗିପାରେ ଯେ ଏହା ଏକ ପ୍ରେମ ଉପାଖ୍ୟାନ ବା ପରକୀୟା ପ୍ରୀତିର କଥା। କିନ୍ତୁ ତାହା ଭିତରେ ବି ଆଉ ଅନେକ ଦିଗ ଅଛି, ଯେମିତି ବୃତ୍ତିଗତ ସମସ୍ୟା, ଭାରତ-ପାକିସ୍ତାନ ସଂପର୍କ ଓ ସାଂସ୍କୃତିକ ଦିଗ ଆଦି। ଏଣୁ ଉପନ୍ୟାସଟି ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା।
ସାହିତ୍ୟ ଚର୍ଚ୍ଚା – ଆପଣଙ୍କର ଇଂରାଜୀରେ ରଚିତ ଏକ ପ୍ରବନ୍ଧ ସଂକଳନ ‘ସେନ୍ସିବଲ୍ ସେନସୁଆଲିଟି’ ମଧ୍ୟ ଏକଦା ବହୁ ଚର୍ଚ୍ଚିତ ହୋଇଥିଲା।
ସରୋଜିନୀ ସାହୁ – ୨୦୦୬ର କଥା। ଲେଖକ କମଳାକାନ୍ତ ମହାପାତ୍ର ଥରେ ମୋତେ କହିଲେ, ତୁମେ ବାଇସାଇକେଲ୍ ଚଳାଉଥିଲ କି? ମୁଁ ‘ହଁ’ ଭରିବାରୁ ସେ କହିଲେ, ଏହି ଅନୁଭୂତି ବିଷୟରେ ଇଂରାଜୀରେ ଗୋଟିଏ ଲେଖା ଦିଅ। ଏହି ଲେଖା ଭିତରକୁ ସାଇକେଲ ଚଢ଼ା ବ୍ୟତୀତ ମୋ ପିଲାଦିନର ଆଉ କିଛି ପ୍ରସଙ୍ଗ ବି ଆସିଗଲା। ଝିଅମାନେ ସାଧାରଣତଃ କଣ୍ଢେଇ ଖେଳନ୍ତି। କିନ୍ତୁ ମୁଁ ମୋ ଜୀବନରେ କେବେ କଣ୍ଢେଇ ଖେଳିନାହିଁ। ବରଂ ପୁଅମାନଙ୍କ ଭଳି ଖେଳୁଥିଲି, ଯେମିତି ଗୁଲିଦଣ୍ଡା, ସିଗାରେଟ୍ ଖୋଳ ଓ ଏମିତିକି ଖଣ୍ଡା ଯୁଦ୍ଧ ବି। ପୋଷାକ ମଧ୍ୟ ପୁଅମାନଙ୍କ ଭଳି ପିନ୍ଧୁଥିଲି। ମୋ ମୁଣ୍ଡବାଳ ମଧ୍ୟ ପୁଅମାନଙ୍କ ଭଳି କଟାହେଉଥିଲା। ଏସବୁର କାରଣ, ମୁଁ ଜନ୍ମହେବା ପୂର୍ବରୁ ବାପା ଚାହୁଁଥିଲେ ଯେ ମୁଁ ପୁଅଟିଏ ହୁଏ।
ସାହିତ୍ୟ ଚର୍ଚ୍ଚା – ଏହି ସବୁ ପ୍ରସଙ୍ଗ ଆସିଥିଲା ସେହି ପ୍ରବନ୍ଧ ଭିତରକୁ?
ସରୋଜିନୀ ସାହୁ – ହଁ, ଏବଂ ପରେ ଏହି ଲେଖାଟିକୁ ନେଇ ମୁଁ ଗୋଟିଏ ବ୍ଲଗ୍ ଆରମ୍ଭ କଲି, ‘ସେନ୍ସ ଏଣ୍ଡ ସେନ୍ସୁଆଲିଟି’ ନାମରେ। ସେଇଟି ପଢ଼ି ପର୍ତ୍ତୃଗାଲର ଜଣେ ପ୍ରଫେସର ମୋତେ ପ୍ରଶ୍ନ କଲେ ଯେ ପୁଅମାନଙ୍କ ଭଳି ବିତାଇଥିବା ଶୈଶବ ଆପଣଙ୍କ ଜୀବନରେ କ’ଣ କିଛି ସମସ୍ୟା ଆଣିନାହିଁ? ଏହାର ଉତ୍ତର ଦେବାକୁ ଯାଇ ମୁଁ ପୁଣି କିଛି ଲେଖା ଲେଖିଲି। କ୍ରମେ ଏହା ଏକ ପ୍ରବନ୍ଧ ସଂକଳନର ରୂପ ନେଲା।
ସାହିତ୍ୟ ଚର୍ଚ୍ଚା – ଆପଣଙ୍କ ଲେଖକୀୟ ପ୍ରବୃତ୍ତିରେ ଆପଣଙ୍କ ଅଧ୍ୟାପନା ବୃତ୍ତି କିଛି ସହାୟତା କରିଛି କି?
ସରୋଜିନୀ ସାହୁ – ସହାୟତା କ’ଣ, ବରଂ ଏହା ମୋର ଅନେକ ସମୟ ନେଇଗଲା। ଅବଶ୍ୟ ଏହା ମୋର ଅନୁଭବ ଓ ଚିନ୍ତାଧାରା ପାଇଁ ଅନେକ ଖୋରାକ ଯୋଗାଇଥିଲା। ଥରେ ଜଣେ ଅଧ୍ୟାପକ ଲେଖିଲେ ଯେ ଯେହେତୁ ମୁଁ ‘ରେପ୍’ ଭଳି ଗଳ୍ପ ଲେଖିଛି ତେଣୁ ମୋତେ କଲେଜରେ ଚାକିରୀରେ ନ ରଖାଯାଉ। ଏ ବିଷୟରେ ଯେତେବେଳେ ଏକ ମିଟିଂ ବସିଲା, ସେଠି ମୁଁ କହିଥିଲି ଯେ ଜଣେ ଅଧ୍ୟାପିକା ଭାବରେ ମୁଁ ଯଦି ଶ୍ରେଣୀଗୃହରେ ଭଂଜଙ୍କର ‘ଲାବଣ୍ଯବତୀ’ ପଢାଇପାରୁଛି, ତେବେ ‘ରେପ୍’ ଭଳି ଗଳ୍ପ ଲେଖିପାରିବି ନାହିଁ କାହିଁକି?
ସାହିତ୍ୟ ଚର୍ଚ୍ଚା – ଏବେ ଆପଣ ନୂଆ କ’ଣ ଲେଖୁଛନ୍ତି?
ସରୋଜିନୀ ସାହୁ – ମୁଁ ବର୍ତ୍ତମାନ ତ ଜଗଦୀଶ ମହାନ୍ତିଙ୍କ ଜୀବନୀ ଲେଖିବା ସାରିଲି। ଆଗକୁ ଯେତେବେଳେ ଯାହା ମନକୁ ଆସିବ ଲେଖିବି। ଏ ବୟସରେ ଆଉ ବିଶେଷ ପ୍ଲାନିଂ କରିହେଉନାହିଁ।
ସାହିତ୍ୟ ଚର୍ଚ୍ଚା – ଆଗାମୀ ଦିନରେ ଓଡ଼ିଆ ଗଳ୍ପ ସାହିତ୍ୟର ଦଶା ବିଷୟରେ କ’ଣ କହିବେ !
ସରୋଜିନୀ ସାହୁ – ପାଠକମାନଙ୍କର ସଂଖ୍ୟା ବଢୁଛି କି ନା ସେକଥା ଅବଶ୍ୟ କହିପାରିବିନି। କିନ୍ତୁ ଗଳ୍ପର ମାନ ନିଶ୍ଚିତ ଭାବରେ ବଢୁଛି, ବିଶେଷତଃ ନୂଆ ପିଢ଼ିର ଲେଖକଙ୍କ ଦ୍ବାରା। ଏବେ ଅନେକ ନୂଆ ଚିନ୍ତା ଓ ନୂଆ ଭାବଧାରା ଗଳ୍ପ ଭିତରକୁ ଆସୁଛି। ଏଣୁ ମୁଁ ଆଶାବାଦୀ।
ସାହିତ୍ୟ ଚର୍ଚ୍ଚା – ଆଜିର ଏହି ସାରସ୍ବତ ଆଲୋଚନାଟି ପାଇଁ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।
- ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ମୁଦ୍ରିତ ସଂସ୍କରଣ, ଡିସେମ୍ବର ୨୦୨୧ ସଂଖ୍ୟାରେ ପ୍ରକାଶିତ ।
କଥୋପକଥନ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି। ଧନ୍ୟବାଦ।
Very nice interview. God bless you.