ଶିଶୁ ସାହିତ୍ୟ ଆମ ସାରସ୍ବତ ସମ୍ଭାରର ଏକ ବିଶିଷ୍ଟ ଅଙ୍ଗ। ସଂସାରର ପ୍ରତ୍ୟେକ ମନୁଷ୍ୟକୁ ଶୈଶବ ଭଳି ଏକ ମହତ୍ବପୂର୍ଣ ସୋପାନ ଦେଇ ଗତି କରିବାକୁ ପଡେ। ବ୍ୟକ୍ତିର ବାଳୁତ କାଳର ମୂଳଦୁଆଟି ଯେତିକି ଟାଣ ହୁଏ, ମନୁଷ୍ୟର ଜୀବନ ସେତିକି ସାର୍ଥକ ହୁଏ। ଏହି ସମ୍ବେଦନଶୀଳ ସୋପାନଟିର ଉପଯୁକ୍ତ ବିକାଶ ନିମିତ୍ତ ଶିଶୁ ସାହିତ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ।
ପ୍ରସଙ୍ଗଟି ହେଲା, ଆମ ଓଡ଼ିଆ ସାହିତ୍ୟର ଶିଶୁ ସାହିତ୍ୟ ବିଭାଗଟି ଏବେ କେଉଁ ସ୍ଥିତିରେ ଅଛି? ପିଲାମାନଙ୍କ ପାଇଁ ଗଳ୍ପ, କବିତା ବା ମହତ ବାଣୀ ତ ଲେଖାଯାଉଛି ପ୍ରବଳ; ସେହି ଅନୁସାରେ ଆମ ଭାଷାରେ ଶିଶୁ ସାହିତ୍ୟିକଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ। ତେବେ କଥା ହେଲା, ଏହି ତଥାକଥିତ ଶିଶୁ ରଚନାମାନ ପହଂଚୁଛି କି ଶିଶୁମାନଙ୍କ ପାଖରେ? ଅନ୍ୟ ଭାବରେ କହିଲେ, ଏବର ଶିଶୁ ସାହିତ୍ୟ ରଚିତ ହେଉଛି କାହାପାଇଁ ଏବଂ କେଉଁଥିପାଇଁ!
ଆମେ ଆଶା କରିବା ସ୍ବାଭାବିକ ଯେ ଏହି ବିଭାଗର ସାହିତ୍ୟ ପାଇଁ ଗ୍ରହୀତା ସେହିମାନେ ହୁଅନ୍ତୁ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହା ରଚିତ ହେଉଛି – ଅର୍ଥାତ୍ ଆମର କୁନି ଶିଶୁଗଣ। ଏବେ ଓଡ଼ିଶାରେ ଏକ ଅଜବ ବର୍ଗର ସାହିତ୍ୟ ମଧ୍ୟ ସୃଷ୍ଟି ହେଉଛି ଯାହାକୁ କୁହାଯାଉଛି ‘ଶିଶୁ-କିଶୋର ସାହିତ୍ୟ’। ଶିଶୁ ଓ କିଶୋରଙ୍କ ପାଠକୀୟ ଗ୍ରହଣଶୀଳତା ଯେ ସେମାନଙ୍କ ବୟସକୁ ଚାହିଁ ପରସ୍ପରଠାରୁ ଭିନ୍ନ ଏଥିରେ ସନ୍ଦେହ ନାହିଁ। ତେଣୁ କିଶୋରଙ୍କ ପାଇଁ ରଚିତ ସାହିତ୍ୟ କେବେ ବି ଶିଶୁଙ୍କ ପାଇଁ ସମ ପରିମାଣରେ ରୋଚକ ବା ବୋଧଗମ୍ୟ ପାରିବ ନାହିଁ। ସେହିପରି କିଶୋର ସାହିତ୍ୟ ମଧ୍ୟ କୋମଳମତି ଶିଶୁଙ୍କ ଉଦ୍ଦେଶ୍ୟରେ ରଚିତ ସାହିତ୍ୟ ଅପେକ୍ଷା ଭିନ୍ନ ଏବଂ ଟିକିଏ ଅଧିକ ବୟସଗତ ମାନସିକ ପରିପକ୍ବତାର ଅପେକ୍ଷା ରଖେ। ଏଣୁ ଏ ଦୁହିଁଙ୍କୁ ଗୋଟିଏ ବନ୍ଧନୀର ଅନ୍ତର୍ଭୁକ୍ତ କରିବା ଯେ କେତେ ଦୂର ଯଥାର୍ଥ ତାହା ବିଚାର୍ଯ୍ୟ।
ଟିକିଏ ତଳେଇକରି ଦେଖିଲେ ଲକ୍ଷ୍ୟ କରିପାରିବା ଯେ ଏହାର ମୂଳ କାରଣ ହେଲା, ଆମର କିଛି ଶିଶୁ ସାହିତ୍ୟିକ ଶିଶୁଙ୍କ ବୟସ ଉପଯୋଗୀ ଭାଷା ଓ ଭାବ ମଧ୍ୟରେ ନିଜ ରଚନାକୁ ଆବଦ୍ଧ କରିବାରେ ଯତ୍ନଶୀଳ ନୁହନ୍ତି। ଜଣେ କୋମଳମତି ଶିଶୁର ପଠନ ବା ଶ୍ରବଣ ଉପଯୋଗୀ କବିତା ବା ଗଳ୍ପରେ ଆଭିଧାନିକ ବା କ୍ଲିଷ୍ଟ ଶବ୍ଦମାନ ବ୍ୟବହାର କରାଯିବାର କୌଣସି ଯଥାର୍ଥତା ନାହିଁ। ତଥାପି ଏଭଳି ଦୃଷ୍ଟାନ୍ତ ବହୁଳ ଭାବେ ଦୃଷ୍ଟିରେ ପଡେ।
ଏହାର ପରିଣତି ହେଉଛି ଯେ ଶିଶୁ ସାହିତ୍ୟ ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ, ଅର୍ଥାତ ଆମ କୁନି ପାଠକମାନଙ୍କ ଦୃଷ୍ଟି କିମ୍ବା ରୁଚିକୁ ତାହା ଆସେନାହିଁ। ଏଗୁଡିକ ଅନ୍ୟ ପକ୍ଷରେ ବରଂ ପଠିତ ହୁଏ ବଡ଼ମାନଙ୍କ ଦ୍ବାରା। ଆମ ମତରେ ଆଜିକାଲି ସର୍ଜିତ ହେଉଥିବା ଶିଶୁ ସାହିତ୍ୟଗୁଡ଼ିକ ପଢ଼ିବା ପାଇଁ ଶିଶୁଙ୍କ ଅପେକ୍ଷା ବରଂ ସେମାନଙ୍କ ପିତାମାତାମାନେ ଅଧିକ ଆଗ୍ରହୀ। ଉଦାହରଣ ସ୍ବରୂପ ପୂର୍ବେ ମାନ୍ଦ୍ରାଜରୁ ପ୍ରକାଶ ପାଉଥିବା ‘ଚନ୍ଦାମାମା’ ପତ୍ରିକାର ଓଡ଼ିଆ ସଂସ୍କରଣ ‘ଜହ୍ନମାମୁ’ ବୟସ୍କ ପାଠକମାନଙ୍କ ଦ୍ବାରା ବହୁଳ ଭାବରେ ପଠିତ ହେଉଥିଲା। ଅବଶ୍ୟ ଏପରି ପତ୍ରିକାକୁ ଏକ ଶିଶୁ ପତ୍ରିକା ଅପେକ୍ଷା, କିଶୋର ପତ୍ରିକା ଭାବରେ ଶ୍ରେଣୀଭୁକ୍ତ କରିବା ଅଧିକ ସମୀଚୀନ ମନେହୁଏ।
ଏସବୁର ମୂଳ କାରଣ ହେଲା ଶିଶୁ, କିଶୋର ଓ ବୟସ୍କଙ୍କ ସାହିତ୍ୟ, ଏହି ତିନୋଟି ଯାକ ଶ୍ରେଣୀର ରଚନାମାନ ନିଜ ନିଜର ଭାବ ଓ ଭାଷାର ସରହଦ ଭିତରେ ନ ରହିବା। ଆବଶ୍ୟ ଆମ ସମୟର ଜଣେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶିଶୁଙ୍କ ପାଇଁ ରଚିତ ପୁସ୍ତକ ଓ ପତ୍ରିକାମାନ ପଢ଼ିବାରେ ସେମାନଙ୍କ ପିତାମାତାମାନେ ଅଧିକ ରୁଚି ନେବାର ପ୍ରବୃତ୍ତିଟିକୁ ଏକ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତି। ତାଙ୍କ ମତରେ ନିଜ ଦ୍ବାରା ପଠିତ ଶିଶୁ ଉପଯୋଗୀ ପୁସ୍ତକଗୁଡିକର ମାନରେ ପ୍ରଭାବିତ ହୋଇ ସେମାନେ ପ୍ରକାରାନ୍ତରେ ଦିନେ ନିଜର ସନ୍ତାନ-ସନ୍ତତିଙ୍କୁ ମଧ୍ୟ ଏହା ପଢ଼ିବା ପାଇଁ ପ୍ରେରିତ କରିବେ। ଈଶ୍ବର କରନ୍ତୁ, ଏହାହିଁ ହେଉ।
ନିହାର ଶତପଥୀ
ଆମ ଶିଶୁ ସାହିତ୍ୟର ସମସ୍ୟା ପ୍ରସଙ୍ଗରେ ଏକ ସାର୍ଥକ ଆଲୋଚନା।