- ଓଡ଼ିଆ କବିତାର ଭବିଷ୍ୟତ ଭଲ ନାହିଁ ବୋଲି ତ ଅନେକେ କହିଛନ୍ତି। କିନ୍ତୁ ମୋ ମତରେ ଏହା ଏକ ଟ୍ରାଂଜିସନାଲ୍ ଫେଜ୍। ତେଣୁ ମୁଁ ଆଶାବାଦୀ।
ଡ଼. ହରପ୍ରସାଦ ପରିଛା ପଟ୍ଟନାୟକ ଏକାଧାରରେ ଜଣେ ପ୍ରବୀଣ କବି, ଅନୁବାଦକ, ଅଧ୍ୟାପକ, ପ୍ରଶାସକ ତଥା ସମ୍ବାଦପତ୍ର ସଂପାଦକ। ୧୯୫୩ ମସିହାରେ ଜନ୍ମିତ ଏହି ସାରସ୍ୱତ ପ୍ରତିଭା ୧୯୭୫ ମସିହାରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଇଂରାଜୀ ବିଭାଗରେ ଶିକ୍ଷାଦାନ କରିଥିଲେ ଏବଂ ବର୍ତ୍ତମାନ ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’ର ସଂପାଦକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏ ଯାବତ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତା’ଙ୍କର ପ୍ରାୟ ୨୦ ଟି ପୁସ୍ତକ ପ୍ରକାଶିତ। ସେ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଂପାଦକ ତଥା ଓଡିଶା ସରକାରଙ୍କ ‘ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ର ନିର୍ଦ୍ଦେଶକ ପଦରେ ମଧ୍ୟ ଅବସ୍ଥାପିତ ଥିଲେ। ୨୦୧୨ ମସିହାରେ ସେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ ଏବଂ ୨୦୧୮ ମସିହାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’ରେ ଭୂଷିତ କରାଯାଇଥିଲା। ଏହି ବିଶିଷ୍ଟ ସାରସ୍ୱତ ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ସ୍ୱଭାବତଃ ଜଣେ କବି। ତେବେ ଆପଣଙ୍କ ରଚିତ କୌଣସି ଗଳ୍ପ ପ୍ରାୟ ଦୃଷ୍ଟିରେ ପଡେନାହିଁ।
ହରପ୍ରସାଦ ପରିଛା ପଟ୍ଟନାୟକ: ଗଳ୍ପ ଖୁବ୍ କମ୍ ଲେଖିଛି। ଥରେ ବିଭୂତି ପଟ୍ଟନାୟକଙ୍କ ପତ୍ରିକା ପାଇଁ ଗୋଟିଏ ଗଳ୍ପ ଲେଖିଥିଲି। କିନ୍ତୁ ତାହା ବି କବିତା ଭଳି ହୋଇଗଲା।
ସା: ଆପଣଙ୍କ କବିତାର ସମ୍ଭାର ବିଷୟକୁ ଯିବା ପୂର୍ବରୁ ମନକୁ ଆସୁଛି, ଆପଣ ଏକ ସମୟରେ ‘ଆବର୍ତ୍ତ’ ଭଳି ଏକ ସମ୍ଭ୍ରାନ୍ତ ଓ ଲୋକପ୍ରିୟ ପତ୍ରିକାର ସମ୍ପାଦକ ଥିଲେ। ପରବର୍ତ୍ତୀ ସମୟରେ ଏହାର ପ୍ରକାଶନ ବନ୍ଦ ହୋଇଯିବାର କାରଣ କ’ଣ?
ହ: ଅନ୍ୟାନ୍ୟ କାରଣଗୁଡିକରୁ ଗୋଟିଏ ହେଲା ମୋ’ର ଭୁବନେଶ୍ୱରରୁ ଅନ୍ୟତ୍ର ସ୍ଥାନାନ୍ତରଣ ହୋଇଯିବା।
ସା: ଓଡିଶାରେ ସାହିତ୍ୟ ପତ୍ରିକାମାନେ ଦୀର୍ଘକାଳ ତିଷ୍ଠି ନ ପାରିବା ମୂଳରେ କି ସମସ୍ୟାଟି ଥାଏ ବୋଲି ଆପଣ ଭାବନ୍ତି?
ହ: ସରଳ କଥାରେ କହିଲେ, ଏଥିପାଇଁ ଦାୟୀ ପତ୍ରିକାର ବ୍ୟବସାୟୀକରଣ। ଯେଉଁମାନଙ୍କଠାରୁ ପତ୍ରିକାକୁ ବିଜ୍ଞାପନ ମିଳେ ସେମାନଙ୍କ ଲେଖାକୁ ଅଗ୍ରାଧିକାର ଦିଆଯାଏ। ଏହା ସହିତ, ବଡ଼ବଡିଆଙ୍କ ଲେଖାକୁ ବି। ଆଉ ଗୋଟିଏ କଥା, ମୁଁ ଥରେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କର କବିତାଟି ପ୍ରକାଶ କରିବାକୁ ମନା କରିଦେଲି ବୋଲି ଅନେକ ହଇଚଇ ସୃଷ୍ଟି ହେଲା।
ସା: କିଛି ଅଡୁଆରେ ପଡିଲେ କି?
ହ: ଦେଖନ୍ତୁ, ସେ କବିତାଟି ମୋଟେ ଉପଯୁକ୍ତ ମାନର ନଥିଲା। ମୁଁ ସ୍ପଷ୍ଟ କହିଲି ଯେ ତାହା କବିତା ପଦବାଚ୍ୟ ନୁହଁ, ଏଣୁ ଛପାଯିବ ନାହିଁ। ଏହାର ଫଳ ହେଲା, ମୋ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଅଭିଯୋଗ ଗଲା ଯେ ମୁଁ କାଳେ ତାଙ୍କୁ ଆକ୍ଷେପ କରି କବିତାଟିଏ ଲେଖିଛି।
ସା: ଲେଖିଥିଲେ କି ସେମିତି କିଛି?
ହ: ମୋ’ର ଗୋଟିଏ କବିତାକୁ ସେମାନେ ସେଭଳି ଇଣ୍ଟରପ୍ରିଟ୍ କଲେ। କବିତାର ଶେଷ କେଇ ଧାଡ଼ି ଆପଣଙ୍କୁ ଶୁଣାଇଦିଏ :
“ତମେ ସିନା ଖାଅ ଛେନା ଫଳରସ
ପିଲା ବିକି ଆମେ କେତେ ବଂଚିବୁ
ମାଟି ଛାଡ଼ି ଆମେ ଯାଉଛୁ
ବାବୁ ପ୍ରଣାମ ନେବ ହେ
ବୟସ ହେଲାଣି ଦିହ ଥକିଲାଣି
କମ୍ ଖାଇବୁ …. “
ସା: ଓଡ଼ିଶାରେ ପତ୍ରିକାଟିଏ ପ୍ରକାଶ କରିବା ଗୋଟିଏ ଭାରି ଚାଲେଂଜିଂ କାମ।
ହ: ଚାଲେଂଜିଂ ତ ଥିଲା ନିଶ୍ଚୟ। ତଥାପି ଆମ ପତ୍ରିକାଟି ଭଲ ଚାଲିଥିଲା । ସେ ସମୟରେ ଆମର ୭୦୦୦ କପି ବିକ୍ରୀ ହେଉଥିଲା ।
ସା: କୁହାଯାଏ ଯେ ଆପଣଙ୍କ କବିତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମାଟି-ମନସ୍କତା। ଆଉ କଥାଟିଏ ହେଲା, ଆଧୁନିକ ଯୁଗର ଶେଷ ପର୍ଯ୍ୟାୟରେ କବିତା ଜଗତରେ ଆବିର୍ଭୁତ ହୋଇ ଆପଣ ଆଧୁନିକ ଓଡ଼ିଆ କବିତାକୁ ଏକ ନୂଆ ମୋଡ଼ ଦେଇଥିଲେ। ଏହି ପ୍ରସଙ୍ଗରେ ଆପଣ କେମିତି ଦେଖନ୍ତି ନିଜକୁ?
ହ: ଏହି ଯେଉଁ ନୂଆ ମୋଡ଼ କଥାଟି କହୁଛନ୍ତି ତା’ର ମୁଖ୍ୟ ଦିଗ ହେଲା ଯେ ନିଜ ମାଟିର କଥା କହିବାକୁ ମୁଁ ଚେଷ୍ଟାକରିଛି। କେତେକେ ଏହାକୁ କହନ୍ତି ‘ମାଟିମନସ୍କତା’। ତା ସହିତ ଅନ୍ତରିଣ ଛନ୍ଦ। ତୃତୀୟରେ, ବିପ୍ଲବୀ କବିତା କହିଲେ ଯେ କେବଳ ଗୁଳି, ବନ୍ଧୁକ ବା ସ୍ଲୋଗାନ୍ କୁ ବୁଝାଏନାହିଁ, ବରଂ କମନୀୟ ଓ ସାବଲୀଳ ଭାଷା ଓ ଭାବରେ ବି ଯେ ବୈପବ୍ଲିକ ଚିନ୍ତାଧାରା କବିତାରେ ପରିବେଷଣ କରିହୁଏ, ତାହା ମୁଁ ଦର୍ଶାଇବାକୁ ଚେଷ୍ଟା କରିଥିଲି।
ସା: ଆଧୁନିକ କବିତା ସେ ସମୟରେ ପାରମ୍ପରିକ ଛନ୍ଦରୁ ଦୂରେଇ ଯାଉଥିଲା। ଏହାର ଏକ ପ୍ରତିକ୍ରିୟା ଥିଲା କି ଆପଣଙ୍କ କବିତା?
ହ: ସେ ସମୟର କେତେଜଣ ମହାନ ବିପ୍ଲବୀ କବି ଯଥା ମନମୋହନ ମିଶ୍ର, ଅନନ୍ତ ପଟ୍ଟନାୟକ ଏବଂ ଏପରିକି ସଚ୍ଚି ରାଉତରାୟ – ଏମାନଙ୍କର ଗୋଟିଏ ସ୍ଵାତନ୍ତ୍ର୍ୟ ଥିଲା। କବିତାର ଛନ୍ଦ ଓ ସମାଜର ବାସ୍ତବତା ସହ ସେମାନଙ୍କର ବି ଥିଲା ନିବିଡ଼ ସଂପର୍କ। ତେଣୁ ମୋର କବିତା ପ୍ରତିକ୍ରିୟାତ୍ମକ ନଥିଲା।
ସା: ଆପଣଙ୍କ ପ୍ରଥମ କବିତା ପୁସ୍ତକ ହେଉଛି ‘ପିଙ୍କି କଥା’ ।
ହ: ହଁ, ତେବେ ତାହା ପୂର୍ବରୁ ‘ନୀରବତାର ସ୍ୱର’ ନାମରେ ଏକ ଗ୍ରୀକ୍ କବିତାର ଓଡ଼ିଆ ଅନୁବାଦ ମଧ୍ୟ ପ୍ରକାଶ ପାଇଥିଲା।
ସା: କେଉଁ ବହିଟି ଲେଖି ସର୍ବାଧିକ ଲେଖକୀୟ ସନ୍ତୁଷ୍ଟି ପାଇଛନ୍ତି?
ହ: ଜଣେ ମାଳିକୁ ଯଦି ପଚରାଯାଏ, ବଗିଚାର କେଉଁ ଫୁଲ ଗଛଟି ତୁମକୁ ସବୁଠାରୁ ଅଧିକ ଭଲଲାଗୁଛି, ସେ କହିବନାହିଁ ଯେ ମୋତେ ଏଇଟା, କିମ୍ବା ସେଇଟା ମୋ’ର ପ୍ରିୟ। ବରଂ କହିବ, ଯେଉଁ ଗଛ ପାଖକୁ ମୁଁ ଯାଏ ତା’କୁ ଭଲ ପାଏ। ସେହିଭଳି ସ୍ଥିତିଟି ମୋ’ର। କବିତା ତ ବହୁତ ଲେଖିଛି, ତେବେ ସେହି କବିତାମାନଙ୍କ ଭିତରେ କାହାର ଭାଗ୍ୟ କେମିତି!
ସା: ଆପଣଙ୍କ ଶେଷ କବିତା ସଂକଳନଟି ପ୍ରକାଶ ପାଇବା ପରେ ବହୁ ବର୍ଷ ବିତିଗଲାଣି। ଆଉ କିଛି ନୂଆ ଲେଖୁଛନ୍ତି କି?
ହ: ମୋର ଶେଷ କବିତା ସଂକଳନଟି ଥିଲା, ‘ନଷ୍ଟ ହୋଇଯିବାର ମୋହ’। ତାପରେ ପୁସ୍ତକାକାରରେ ପ୍ରକାଶ ନ ପାଇଥିଲେ ବି ମୋ’ର କବିତା ଲେଖା ଚାଲିଛି।
ସା: ଆଗକୁ ଆପଣଙ୍କର କିଛି ନୂଆ ବହି ଆସିବାର ଅଛି କି?
ହ: ଖୁବ୍ କମ୍ ଦିନ ଭିତରେ କବିତା ସଂକଳନଟିଏ ପ୍ରକାଶ ପାଇବାର ଅଛି।
ସା: ଆପଣ କେତେକ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ ମଧ୍ୟ କରିଛନ୍ତି। ଅନୁବାଦରେ ମୂଳ ସମସ୍ୟାଟି କ’ଣ ହୋଇପାରେ ବୋଲି ଭାବନ୍ତି?
ହ: ଗୋଟିଏ ଭାଷାର କବିତାକୁ ଅନ୍ୟ ଭାଷାରେ ଅନୁବାଦ କରିବା ସବୁଠାରୁ କଷ୍ଟସାଧ୍ୟ କଥା। ଇଂରାଜୀରେ କୁହାଯାଇଛି, “ହ୍ୱାଇଲ୍ ଟ୍ରାନ୍ସଲେଟିଂ ଏ ପୋଏମ୍ ଇଣ୍ଟୁ ଏନାଦର୍ ଲାଙ୍ଗୁଏଜ୍ ହ୍ୱାଟ୍ ଇଜ୍ ଲଷ୍ଟ୍ ଇଜ୍ ପୋଏଟ୍ରି।” ଗୋଟିଏ କବିତାକୁ ଅନ୍ୟ ଏକ ଭାଷାରେ ଅନୁବାଦ କଲାବେଳେ ଯାହା ହଜି ଯାଏ ତାହାହିଁ କବିତା। ଦେଖନ୍ତୁ, ଚାରି ପ୍ରକାର ଅନୁବାଦ ଅଛି। ଯଥା : ଟ୍ରାନ୍ସଲେସନ୍, ଟ୍ରାନ୍ସଲିଟରେସନ୍, ଟ୍ରାନ୍ସକ୍ରିଏସନ୍ ଏବଂ ସବୁଠାରୁ କଦର୍ଯ୍ୟ ହେଲା, ଟ୍ରାନ୍ସକରପସନ୍।
ସା: ଟ୍ରାନ୍ସକରପସନ୍? ଏଇଟା ପୁଣି କ’ଣ?
ହ: ଅର୍ଥାତ୍ କବି ରଚନା କରିଥିବ ଗୋଟିଏ ପ୍ରକାରେ, କିନ୍ତୁ ଅନୁବାଦକ ନିଜର ମନ ଇଚ୍ଛା ଲେଖିଥିବ ଅନ୍ୟ ପ୍ରକାରେ।
ସା: ଆପଣ ଯେତେବେଳେ ଓଡିଶା ସରକାରଙ୍କ ପାଠ୍ୟପୁସ୍ତକ ପ୍ରକାଶନ ବ୍ୟୁରୋକୁ ଆସିଲେ ସେତେବେଳେ ସେହି ସଂସ୍ଥାର କାର୍ଯ୍ୟପ୍ରଣାଳୀରେ କେତେକ ଲକ୍ଷଣୀୟ ପରିବର୍ତ୍ତନ ଦେଖାଗଲା। ଏ ବିଷୟରେ କିଛି କହିବେ!
ହ: ଟେକ୍ସଟ୍ ବୁକ୍ ବ୍ୟୁରୋ ମୁଁ ଆସିବା ପୂର୍ବରୁ ଦୁଇଟି ସମସ୍ୟାରେ ଗ୍ରସ୍ତ ଥିଲା। ପ୍ରଥମତଃ କେତେକ କର୍ମଚାରୀଙ୍କ ବିଭିନ୍ନ ମୁଦ୍ରକ ଓ ପ୍ରକାଶକଙ୍କ ସହ ଅନୈତିକ ସଂପର୍କ। ଏହା ମୁଁ ଭାଙ୍ଗିବାକୁ ଚେଷ୍ଟା କଲି। ଦ୍ୱିତୀୟରେ ଗୋଟିଏ ଧାରଣା ବସିଯାଇଥିଲା ଯେ ଜଣେ ଛାତ୍ର କେବଳ ପାଠ୍ୟପୁସ୍ତକ ହିଁ ପଢିବ ଏବଂ ଏହା ଛଡ଼ା ଅନ୍ୟ କୌଣସି ବହି ପଢିବନାହିଁ। ଅନେକ ଛାତ୍ର ଅଛନ୍ତି ଯେଉଁମାନଙ୍କର ଗଭୀରତା ଅଧିକ। ସେମାନଙ୍କ ପାଇଁ ଆମେ ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ ଜ୍ଞାନଦାୟୀ ପୁସ୍ତକ ମଧ୍ୟ ପ୍ରକାଶ କଲୁ। ଏହା କେବଳ ସଂସ୍ଥାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲା ନାହିଁ, ବରଂ ତାହାପାଇଁ ଆର୍ôଥକ ସ୍ୱଚ୍ଛଳତା ମଧ୍ୟ ଆଣିଦେଲା। ସେ ସମୟରେ ଆମ ସଂସ୍ଥା ବର୍ଷକ ମଧ୍ୟରେ ପ୍ରାୟ ଦୁଇକୋଟି ଟଙ୍କାର ଲାଭ ଅର୍ଜନ କରିପାରିଥିଲା।
ସା: ସେ ସମୟରେ ଆପଣ ଓଡ଼ିଶାର ଭାଷା, ସଂସ୍କୃତି ଓ ଇତିହାସ ସଂପର୍କରେ ଅନେକ ତାତ୍ତ୍ୱିକ ତଥା ଲୋକପ୍ରିୟ ପୁସ୍ତକ ମଧ୍ୟ ପ୍ରକାଶ କରିପାରିଥିଲେ।
ହ: କଥା ହେଲା, ଜଣେ ନିର୍ଦ୍ଦେଶକ ହିସାବରେ କର୍ମଚାରୀଙ୍କ ଦ୍ୱାରା ସୁପାରିଶ ହୋଇଥିବା ପ୍ରକାଶଯୋଗ୍ୟ ପୁସ୍ତକଗୁଡ଼ିକୁ ମୁଁ ପୁଣି ତନ୍ନତନ୍ନ କରି ପଢୁଥିଲି।
ସା: ଶୁଣାଯାଏ ଯେ ଓଡିଶା ସାହିତ୍ୟ ଏକାଡେମୀରେ ଆପଣଙ୍କ ସମ୍ପାଦକତ୍ୱ କାଳରେ ମଧ୍ୟ କିଛି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।
ହ: ସେବେ ମୁଁ ଯେତେବେଳେ ଥରେ ମୁଁ କଲିକତାର ନ୍ୟାସନାଲ୍ ଲାଇବ୍ରେରୀକୁ ଯାଇଥିଲି। ସେଠାର କର୍ମକର୍ତ୍ତାମାନେ ମୋତେ କହିଲେ ଯେ ନିୟମାନୁସାରେ ନିଜ ପ୍ରକାଶିତ ବହିର କପି ସେଠାକୁ ପଠାଇବାରେ ଓଡିଶାର ପ୍ରକାଶକ ଓ ଲେଖକମାନେ ଦେଶରେ ସବୁଠାରୁ ପଛୁଆ। ଦ୍ୱିତୀୟତଃ, ପ୍ରକାଶକମାନେ ଲେଖକଙ୍କୁ ସେମାନଙ୍କ ନ୍ୟାୟୋଚିତ ପ୍ରାପ୍ୟ ଦେବାରେ ଅବହେଳା କରୁଥିଲେ। ଏଣୁ ଆମେ କଡାକଡି ନିର୍ଦ୍ଦେଶ ଦେଲୁ ଯେ ନ୍ୟାସନାଲ୍ ଲାଇବ୍ରେରୀକୁ କପି ପଠାଯାଇନଥିଲେ ଏବଂ ଲେଖକଙ୍କ ପ୍ରାପ୍ୟ ପଇଠ ନ ହୋଇଥିଲେ ରାଜା ରାମମୋହନ ରାୟ ଲାଇବ୍ରେରୀ ଯୋଜନାରେ କୌଣସି ପୁସ୍ତକ କ୍ରୟ ହେବନାହିଁ।
ସା: ଶେଷ କଥା, ଓଡ଼ିଆ ଭାଷାର କବିତାରେ ଆଗକୁ ଆସୁଥିବା ଟ୍ରେଣ୍ଡ୍ କୁ ଆପଣ କିଭଳି ଭାବେ ଦେଖନ୍ତି?
ହ: ଓଡ଼ିଆ କବିତାର ଭବିଷ୍ୟତ ଭଲ ନାହିଁ ବୋଲି ତ ଅନେକେ କହିଛନ୍ତି। କିନ୍ତୁ ମୋ ମତରେ ଏହା ଏକ ଟ୍ରାଂଜିସନାଲ୍ ଫେଜ୍। ତେଣୁ ମୁଁ ଆଶାବାଦୀ। ଏବେ ବହୁତ ବର୍ଷ ପରେ ଏକ ଟେକ୍ନୋଲୋଜିକାଲ୍ ପରିବର୍ତ୍ତନ ଆସୁଛି। ଆଜି ନୂଆ ପୀଢିର ଅଧିକାଂଶ ତ ସଫ୍ଟୱାର୍ ଇଂଜିନିଅର୍। ସେମାନେ ନିର୍ଦ୍ଧାରଣ କରିବେ ଆମ କବିତାର ଭବିଷ୍ୟତ।
ସା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
An update on 16 Ferbuary 2022 :
ଜଣେ ନିର୍ଦ୍ଦେଶକ ହିସାବରେ କର୍ମଚାରୀଙ୍କ ଦ୍ୱାରା ସୁପାରିଶ ହୋଇଥିବା ପ୍ରକାଶଯୋଗ୍ୟ ପୁସ୍ତକଗୁଡ଼ିକୁ ମୁଁ ପୁଣି ତନ୍ନତନ୍ନ କରି ପଢୁଥିଲି।। ସାରଙ୍କର ଏହି କଥାଟି ବହୁତ୍ ଭଲ ଲାଗିଲା। ଧନ୍ୟବାଦ୍।
ହର ସାର୍ଙ୍କୁ ବ୍ୟକ୍ତିଗତଭାବେ ଜାଣିଥିଲେ ସୁଦ୍ଧା ଅନେକ ଦିନ ହେଲା ତାଙ୍କ ସହିତ ଯୋଗାଯୋଗରେ ନାହିଁ। ତଥାପି ପ୍ରକାଶିତ ସାକ୍ଷାତକାରର୍ ସେ କହିଥିବା କେତୋଟି ନିଚ୍ଛକ ସତ କଥା ହେଉଛି ତାଙ୍କର ନିଜସ୍ୱ ଷ୍ଟାଇଲ୍ । ଏଥିପାଇଁ ସେ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ, କାରଣ ସେ ଯାହା ଭାବନ୍ତି ତାହା କହନ୍ତି, କୌଣସି କଥାକୁ ମୋଡ଼ି ମକଚି କହିବା ସେ ଜାଣନ୍ତି ନାହିଁ। ଇଂରାଜୀରେ କହିଲେ ସେ ଭାରି Straight Forward and tell right word in right time। ଆଶା କରୁଛି ସାର୍ ଆହୁରି ଅନେକ ବର୍ଷ ଓଡ଼ିଆ ସାହିତ୍ୟ ଜଗତ ପାଇଁ କାର୍ଯ୍ୟ କରି ଚାଲିବେ।
I was associated with Dr. Parichha Pattanaik for over two decades . He was a poet of high order and was very helpful. He will be remembered for his reformatory actions as Secretary of Odisha Sahitya Academy . It is hard to accept that he is no more . I pay my respectful tributes to him and pray lord Jagannath to give strength to Jyotshna Mam and both his sons , putul and Kutul adequate strength to bear this loss . May his Soul attain Mokshya .