- ଅନୁବାଦ ମାଧ୍ୟମ ଦେଇ ଏକ ଆଞ୍ଚଳିକ ସାହିତ୍ୟ ବିଶ୍ୱସାହିତ୍ୟର ରୂପ ପରିଗ୍ରହ କରିବାର ସୁଯୋଗ ଲାଭ କରିପାରେ ।
ବହୁ ଭାଷାର ଦେଶ ଭାରତବର୍ଷ ତଥା ସମଗ୍ର ବିଶ୍ୱରେ ଭାଷା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଅନୁବାଦକୁ ଏକ ମାଧ୍ୟମ ଓ ସାଧନ ବୋଲି ବିଚାର କରାଯାଇପାରେ।
ଭାଷା ଓ ଅନୁବାଦ ପରସ୍ପର ଅଙ୍ଗାଙ୍ଗୀ ଭାବରେ ସଂପୃକ୍ତ। ଭାଷାର ପ୍ରଚଳନ ଥିଲେ ହିଁ ଅନୁବାଦ ପ୍ରସଙ୍ଗଟି ମନକୁ ଆସେ ଏବଂ ଏକଥା ବି ମନକୁ ଆସେ ଯେ କେବଳ ଗୋଟିଏ ଭାଷାରୁ ହିଁ ଅନ୍ୟ ଭାଷାକୁ ଅନୁବାଦ କରିବା ସମ୍ଭବପର। ଭାଷା ମଣିଷର ବୈଶିଷ୍ଟ୍ୟ ହେବା ବେଳେ ଅନୁବାଦ ମଧ୍ୟ ଭାଷାର ଅନ୍ୟ ଏକ ରୂପାନ୍ତରିତ ରୂପ। ଏକ ଭାଷାରେ କଳ୍ପିତ ଭାବନାର ରୂପାନ୍ତର ହିଁ ଅନ୍ୟ ଭାଷାକୁ ଅନୁବାଦର ଭିତ୍ତିଭୂମି ଧରାଯାଏ। ସଂସ୍କୃତ ଭାଷାରେ ଅନୁବାଦ ହେଉଛି, ଯେକୌଣସି ଭାଷାରେ କଥିତ ବା ବର୍ଣ୍ଣିତ ବିଷୟବସ୍ତୁକୁ ଅନ୍ୟ ଏକ ବା ଏକାଧିକ ଭାଷାରେ ପୁନଃକଥନ ବା ପୁନଃ ବର୍ଣ୍ଣନ (ଅନୁ = ପୁନର୍ବାର + ବଦ୍ଧାତୁ = କହିବା ବା ବର୍ଣ୍ଣନା କରିବା)। ଅର୍ଥାତ୍ ଅନୁବାଦ ଏକ ଭାଷାନ୍ତରୀକରଣ ବା ରୂପାନ୍ତରୀକରଣ ପ୍ରକ୍ରିୟା। ଇଂରାଜୀରେ ଅନୁବାଦକୁ କୁହାଯାଇଛି ‘ଟ୍ରାନ୍ସଲେସନ।’ ଚତୁର୍ଦ୍ଦଶ ଶତାବ୍ଦୀରେ ଲାଟିନ ଭାଷାରେ ପ୍ରଚଳିତ ‘ଟ୍ରାନ୍ସଲେଟିଓ / ଟ୍ରାନ୍ସଲେସନ୍ସ’ ଶବ୍ଦରୁ ଇଂରାଜୀ ‘ଟ୍ରାନ୍ସଲେସନ’ ଶବ୍ଦ ଓ ଭାରତୀୟ ଭାଷାମାନଙ୍କରେ ଭାଷାନ୍ତର / ରୂପାନ୍ତର / ଅନୁବାଦ ଭଳି ପାରିଭାଷିକ ଶବ୍ଦ ସବୁ ପ୍ରଚଳିତ ହୋଇଆସୁଛି।
କଥିତ ଓ ଲିଖିତ ରୂପରେ ଭାଷା ବ୍ୟବହାରର ଉଭୟ ସ୍ତରରେ ଅନୁବାଦର ଉପଯୋଗିତା ଉଲ୍ଲେଖଯୋଗ୍ୟ। ମଣିଷ ଜୀବନର ବୃହତ୍ତର ପରିସରରେ ଜ୍ଞାନର ଅଭିବୃଦ୍ଧି ତଥା ବିକାଶ ସହିତ ଅନୁବାଦ ସଂପୃକ୍ତ। ଭାଷାରେ ଭାବ ବିନିମୟ କ୍ଷେତ୍ରରେ ଦ୍ୱିଭାଷୀ ବା ବହୁଭାଷୀ ବ୍ୟାଖ୍ୟାନକାରୀମାନଙ୍କର (ଇଣ୍ଟରପ୍ରିଟର୍ର୍ସ)ଆବଶ୍ୟକତା ଏକାନ୍ତ ଜରୁରୀ ହୋଇଥାଏ, ସାମାଜିକ, ରାଜନୈତିକ ତଥା ବିଭିନ୍ନ କ୍ଷେତ୍ରରେ ଭାଷାର ଶିକ୍ଷଣ, ପ୍ରଶିକ୍ଷଣ ଓ ସାହିତ୍ୟ ସଂସ୍କୃତିର ପ୍ରସାରଣ ଉଦ୍ଦେଶ୍ୟରେ। ଲିଖିତ ଭାଷାର ଅନୁବାଦର ଆବଶ୍ୟକତା ବହୁବିଧ ଓ ସୁଦୂର ପ୍ରସାରୀ। ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ପରି ଟେକ୍ନିକାଲ ବିଷୟରୁ ଆରମ୍ଭ କରି ମଣିଷର ଜ୍ଞାନ ବିଜ୍ଞାନ, ସାହିତ୍ୟ, ସଂସ୍କୃତି, କଳାତ୍ମକ ଅଭିବ୍ୟକ୍ତି, ଆଲୋଚନା ଓ ସମାଲୋଚନା ପ୍ରଭୃତି ଭାଷା ବ୍ୟବହାରର ଯେକୌଣସି ପରିସରରେ ଅନୁବାଦର ଆବଶ୍ୟକତା ଯେ ଆଜି ଅପରିହାର୍ଯ୍ୟ ଓ ନିତିଦିନିଆ ତାହା ନିହାତି ଅନୁଭବର ବିଷୟ।
ସାଧାରଣ ଭାବରେ ଲକ୍ଷ୍ୟ କରାଯାଇପାରେ ଯେ ଗୋଟିଏ ଭାଷାରୁ ଅନ୍ୟ କୌଣସି ଭାଷାକୁ ଅନୁବାଦ କରିବା ସମୟରେ ଅନୁବାଦ ସମ୍ପୂର୍ଣ୍ଣ ଭାବରେ ଆକ୍ଷରିକ ଅନୁପାତରେ ହୋଇପାରେ ନାହିଁ। ଫଳରେ ସଫଳ ଭାଷାନ୍ତର ସମ୍ଭବପର ହୋଇ ନ ଥାଏ। ପୁଣି କମ୍ପ୍ୟୁଟର ବା ମେସିନ୍ ଅନୁବାଦର ଅସଫଳତା ବା ଦୃଷ୍ଟାନ୍ତ ଦର୍ଶାଇବା ପାଇଁ ପାଶ୍ଚାତ୍ୟ ଭାଷାବିତ୍ ଫ୍ରାଙ୍କ ପାମର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି। ଗୋଟିଏ କମ୍ପ୍ୟୁଟରକୁ ଇଂରାଜୀ ଭାଷାରେ ପ୍ରଚଳିତ ‘ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ’ ବାକ୍ୟାଂଶକୁ ଅନୁବାଦ କରିବାକୁ ଦିଆଯିବାରୁ କମ୍ପ୍ୟୁଟର ଏହାର ରୂପାନ୍ତର କଲା ‘ଇନ୍ଭିଜିବଲ୍ ଇଡିଅଟ୍,’ ଯାହାକି ଏହି ବାକ୍ୟାଂଶର ଆଦୌ ଅର୍ଥ ନୁହେଁ। ସେହିପରି ଓଡ଼ିଆରେ ପ୍ରଚଳିତ ‘ଆଖି ନାହିଁ କାନ ନାହିଁ, ବାଜିଗଲେ ଦୋଷ ନାହିଁ’ କଥାଟିଏକୁ କମ୍ପ୍ୟୁଟରକୁ ଅନୁବାଦ କରିବାକୁ ଦେଲେ ସେ ମଧ୍ୟ କହିବ ଯେ ଲୋକଟି ‘ଅନ୍ଧ ଓ କାଲା’। ଅଥଚ ଓଡ଼ିଆରେ ଏ କଥାର ଅର୍ଥ ଯେ କେତେ ମଜାଳିଆ ଓ ଗଭୀର ତାହା ପ୍ରତ୍ୟେକ ଓଡ଼ିଆ ହୁଏତ ଜାଣନ୍ତି। ଏପରି ଭୁଲ ଅର୍ଥ କରିବାର କାରଣ ଏକ ପକ୍ଷରେ ପ୍ରତ୍ୟେକ ଭାଷାର ଗଠନ ପଦ୍ଧତି ଓ ଅନ୍ୟ ପକ୍ଷରେ ଭାଷାର ପ୍ରୟୋଗ ବିଧି। ଗୋଟିଏ ଭାଷା ପଦ୍ଧତିରୁ ଅନ୍ୟ ଏକ ଭାଷା ପଦ୍ଧତିକୁ ଏବଂ ଗୋଟିଏ ଭାଷା ପ୍ରୟୋଗ ବିଧିରୁ ଅନ୍ୟ ଏକ ଭାଷା ପ୍ରୟୋଗ ବିଧିକୁ ମେସିନ ସାହାଯ୍ୟରେ ସଠିକ୍ ରୂପାନ୍ତରିତ ହୋଇପାରେ ନାହିଁ ବୋଲି ଭାଷାର ଏପରି ଅର୍ଥକ୍ଷୟ ବା ଅର୍ଥ ବୈଷମ୍ୟ ପ୍ରକାଶ ପାଏ।
ସାହିତ୍ୟିକ ଦୃଷ୍ଟିଭଙ୍ଗୀରେ ଅନୁବାଦ ଏକ କଳା, ଏକ କୌଶଳ, ଯାହାକି କଳାତ୍ମକ ଭାବରେ କୌଣସି ଏକ ରଚନା ବା ସୃଜନ ସାହିତ୍ୟର ଅନୁସୃଜନ ବା ପୁନଃ ପ୍ରକାଶନ ହୋଇଥାଏ ଅନ୍ୟ ଏକ ନୂତନ ଭାଷା ଆବରଣରେ। ବାସ୍ତବରେ ଅନୁବାଦକ କୌଣସି ଏକ ଭାଷାର ମୂଳ ସାହିତ୍ୟି କୃତିକୁ ଅନ୍ୟ ଏକ ଭାଷାର ସାହିତ୍ୟି ସୃଷ୍ଟିରେ ପ୍ରତିରୂପ ଦେବା ପାଇଁ ପ୍ରଯତ୍ନ କରିଥାଏ। ଭାଷାତାତ୍ତ୍ୱିକ ବିଚାରରେ ଅନୁବାଦ ଏକ ସ୍ୱତନ୍ତ୍ର ବିଜ୍ଞାନ, ଏକ ଟେକ୍ନିକାଲ ମାଧ୍ୟମ। କୌଣସି ଏକ ଭାଷାଗୋଷ୍ଠୀର କଥିତ ଭାଷାକୁ ପୃଥିବୀର ଯେ କୌଣସି ଭାଷାଗୋଷ୍ଠୀର ଭାଷାରେ ରୂପାନ୍ତରଣ କରିବା ସମ୍ଭବ। ଏକ ଭାଷାର ଅଭିବ୍ୟକ୍ତି ଓ ପ୍ରକାଶଭଙ୍ଗୀକୁ ଅନ୍ୟ ଭାଷାର ଗଠନଶୈଳୀ ମାଧ୍ୟମରେ ସଫଳ ରୂପାୟନ କରିବା ଅନୁବାଦର ଉଦ୍ଦେଶ୍ୟ। ଅନୁବାଦକର ଅନୁବାଦ ପ୍ରୟାସ ତାହାର ଅନ୍ତର୍ନିହିତ ଭାଷାତାତ୍ତି୍ୱକ ଜ୍ଞାନ ଓ ଚିନ୍ତନ ଶକ୍ତି ଉପସ୍ଥାପନରେ ସମନ୍ୱୟତା ରକ୍ଷା କରିବାର ଦକ୍ଷତା ଓ ଅଭିଜ୍ଞତା ଆବଶ୍ୟକ କରେ। ଏହି ପ୍ରୟାସରେ ତେଣୁ ଅନୁବାଦକ ଦ୍ୱିଭାଷୀ ବା ଏକାଧିକ ଭାଷୀ ହେବାର ପ୍ରୟୋଜନୀୟତା ରହିଥାଏ।
କୁହାଯାଇପାରେ ଯେ ଅନୁବାଦ ଏକ ପଦ୍ଧତି, ଏକ ଭାଷା ପ୍ରକ୍ରିୟା ତଥା ଦ୍ୱିଭାଷୀ ପ୍ରକ୍ରିୟା। ଗୋଟିଏ ହେଲା ମୌଳିକ ମୂଳ ରଚନାର ଭାଷା ଓ ଅନ୍ୟଟି ଅନୁବାଦିତ ଓ ଅନୁସୃଜନର ଭାଷା। ଆକ୍ଷରିକ ଅନୁବାଦରେ ମୂଳ ଲେଖାର ଅଭିବ୍ୟକ୍ତି ସହିତ ଅନ୍ୟଭାଷାର ଶବ୍ଦ, ବାକ୍ୟ ଗଠନ ଓ ଅର୍ଥ ପ୍ରୟୋଗଭିତ୍ତିକ ସମାନତା ରହିବା କଥା। କିନ୍ତୁ ସେଭଳି ଘଟେ ନାହିଁ ବୋଲି ଆକ୍ଷରିକ ବା ମୂଳ ଲେଖା ପ୍ରତି ବିଶ୍ୱସ୍ତତାକୁ ଉଦ୍ଦେଶ୍ୟ କରି କେହି କେହି ଅନୁବାଦକୁ ଏକ ବିକୃତିକରଣ ବୋଲି ଆକ୍ଷେପ କରିଥାନ୍ତି। ଇଉରୋପୀୟ ସାହିତ୍ୟିକ ଆଲାନ ଡଫ ଆକ୍ଷରିକ ଅନୁବାଦ ବିଷୟରେ କହନ୍ତି, ‘ଦି ଟ୍ରାନ୍ସଲେଟର ସୁଡ୍ ନଟ୍ ଚେଞ୍ଜ ଦି ଷ୍ଟାଇଲ୍ ଅଫ୍ ଦି ଓରିଜିନାଲ୍’। ଅନୁବାଦକୁ ପ୍ରାଣବନ୍ତ, ସାବଲୀଳ ଓ ସୁଖପାଠ୍ୟ କରିବା ପାଇଁ ମୂଳଲେଖା ପ୍ରତି ବିଶ୍ୱସ୍ତ ରହିବା ସହିତ ସ୍ୱାଧୀନ ଭାବରେ ପ୍ରତିରୂପଣ କାର୍ଯ୍ୟ ସମ୍ପନ୍ନ ହୋଇ ପାରିଲେ ତାହା ସଫଳ ଓ ଆଦର୍ଶ ସ୍ଥାନୀୟ ଅନୁବାଦ ରୂପେ ଗ୍ରହଣଯୋଗ୍ୟ ହେବା ସମ୍ଭବ ହୁଏ। ସାରା ବିଶ୍ୱରେ ସମଧିକ ସଫଳ ଅନୁବାଦର ଦୃଷ୍ଟାନ୍ତ ବେଶ୍ ଉତ୍ସାହଜନକ। ଓଡ଼ିଆରେ ବିଭିନ୍ନ ଭାରତୀୟ ଭାଷାରୁ ଓ ପୃଥିବୀର ବିଭିନ୍ନ ଭାଷାରୁ ଓଡ଼ିଆକୁ ଅନୁବାଦିତ ଗ୍ରନ୍ଥ ସଂଖ୍ୟା ସଂଖ୍ୟାରେ ଅଜସ୍ର ଓ ବହୁବିଧ। ଏହାଛଡ଼ା ଅନୁବାଦ ଏକ ପାରସ୍ପରିକ କାର୍ଯ୍ୟ ହୋଇଥିବାରୁ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କାର୍ଯ୍ୟ ମଧ୍ୟ ଜାରି ରହିଥିବା ସୁଖର କଥା। ସୂଚନା ଅନୁସାରେ ଫକୀର ମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠର ଇଂରାଜୀ ଅନୁବାଦ ହୋଇଛି ‘ସିକ୍ସ ଆକର୍ସ୍ ଆଣ୍ଡ ଏ ଥାର୍ଡ’ ନାମରେ ଏବଂ ଗୋପୀନାଥ ମହାନ୍ତିଙ୍କ ‘ଲୟ ବିଲୟ’ ‘ହାଇ ଟାଇଡ୍ ଇବ୍ ଟାଇଡ୍’ ନାମରେ କିଶୋରୀ ଚରଣ ଦାସଙ୍କ ନଅଟି ନିର୍ବାଚିତ ଗଳ୍ପ ‘ଦି ଜର୍ଣ୍ଣାଲ୍’ ପ୍ରଭୃତି ଦୃଷ୍ଟି ଆକର୍ଷଣ କରେ (ତଥ୍ୟ ସଂଗୃହୀତ ‘ଅନୁବାଦ କଳା : ପରିସୀମା ଓ ପୁରୋଦୃଷ୍ଟି’ ସଂକଳନରୁ, ପୃଷ୍ଠା-୧୧୨)।
ଅନୁବାଦ ସମ୍ବନ୍ଧରେ ଅନ୍ୟ ଏକ ଦୃଷ୍ଟିକୋଣରୁ ମଧ୍ୟ ବିଚାର ଆଲୋଚନା କରିବାର ଆବଶ୍ୟକତା ଅନୁଭୂତ ହୁଏ। ଗୋଟିଏ ମୂଳ ଭାଷାରୁ ଅନ୍ୟ ଏକ ଭାଷାକୁ ଭାଷାନ୍ତରିତ ହୁଏ ବୋଲି ଅନୁବାଦ ମଧ୍ୟ ଏକ ଜଟିଳ ପ୍ରକ୍ରିୟା । ସାହିତ୍ୟିକମାନେ ଅନୁବାଦ କାର୍ଯ୍ୟକୁ ମୁଖ୍ୟତଃ ଚାରୋଟି ଦିଗରୁ ଭାଗ କରିଥାନ୍ତି। ସେ ମଧ୍ୟରେ ରହିଛି, ଗଦ୍ୟରୁ ଗଦ୍ୟକୁ, ଗଦ୍ୟରୁ ପଦ୍ୟକୁ, ପଦ୍ୟରୁ ପଦ୍ୟକୁ ଓ ପଦ୍ୟରୁ ଗଦ୍ୟକୁ। ଅନୁଭବ ହୁଏ ପଦ୍ୟରୁ ଅନୁବାଦ ସର୍ବାଦୌ କଠିନ ଓ ଜଟିଳ। ତେବେ ଅନୁବାଦ କାର୍ଯ୍ୟରେ ‘ମୂଳ ଭାଷାରୁ ଅନୁବାଦ’ ଏବଂ ‘ସାହାଯ୍ୟକାରୀ ମାଧ୍ୟମ ଭାଷା’ର ସାହାଯ୍ୟ ନେଇ ଅନୁବାଦର ସ୍ୱତନ୍ତ୍ର ଭୂମିକା ଓ ସମସ୍ୟା ରହିଥାଏ। ଏକ ମୂଳ ଭାଷାରୁ ହେଉଥିବା ଅନୁବାଦକୁ ସଫଳ ଅନୁବାଦର ଗୌରବ ମିଳୁଥିବା ବେଳେ ମାଧ୍ୟମ-ଭାଷା ସାହାଯ୍ୟରେ ହେଉଥିବା ଅନୁବାଦ ସେହି ଗୌରବରୁ ସାଧାରଣ ଭାବରେ ବଞ୍ôଚତ ହୁଏ। କାରଣ ମୂଳ ଭାଷାରେ ପର୍ଯ୍ୟାପ୍ତ ଓ ସବିଶେଷ ଭାଷାଜ୍ଞାନ ଓ ଅକ୍ଷର ପରିଚିତି ନ ଥିଲେ ସେପରି କ୍ଷେତ୍ରରେ ଅନୁବାଦକଙ୍କୁ ଅନ୍ୟ ଏକ ଜଣା ମାଧ୍ୟମ-ଭାଷାର ସାହାଯ୍ୟ ଆବଶ୍ୟକ ହୁଏ। କିନ୍ତୁ ମାଧ୍ୟମ-ଭାଷାର ସାହାଯ୍ୟ ନେଇ ହେଉଥିବା ଅନୁବାଦକୁ ସଫଳ ଅନୁବାଦର ଗୌରବ ମିଳି ନ ଥାଏ ବୋଲି ସମାଲୋଚନା ହୁଏ। କାରଣ ଏଭଳି ଅନୁବାଦରେ ମୂଳ ଭାଷାରେ ବର୍ଣ୍ଣିତ ସୂକ୍ଷ୍ମ ଅର୍ଥପୂର୍ଣ୍ଣ ଭାବନା, କଳ୍ପନା ଓ ଅନୁଭବର ସମରୂପ ବର୍ଣ୍ଣନା ତଥା ଭାଷା ବୈଚିତ୍ର୍ୟର ନିଖୁଣ ସର୍ଜନା ଅନୁଦିତ ଭାଷାରେ ପ୍ରକାଶ କରିବା ଅସନ୍ତୋଷଜନକ ତଥା ଅସମ୍ଭବ ମନେହୁଏ।
ଅନୁବାଦ ଓ ଆଦର୍ଶସ୍ଥାନୀୟ ଅନୁବାଦ ସମ୍ବନ୍ଧରେ ବିଭିନ୍ନ ମତ ଦେଇଥାନ୍ତି ଅନୁବାଦକମାନେ। ଇଂରାଜୀ ସାହିତ୍ୟର ସାହିତ୍ୟିକମାନଙ୍କର ଅନୁବାଦ ସମ୍ପର୍କିତ ଟିପ୍ପଣୀ ବିଶେଷ ଭାବରେ ପ୍ରଣିଧାନଯୋଗ୍ୟ । ଟି.ଏଚ୍. ୱାରେନ୍ ତାଙ୍କ ‘ଆର୍ଟ ଅଫ୍ ଟ୍ରାନ୍ସଲେସନ’ ଗ୍ରନ୍ଥରେ ସୂଚାଇଛନ୍ତି, ‘ଏ ଟ୍ରାନ୍ସଲେସନ ମଷ୍ଟ ରିଡ୍ ଲାଇକ୍ ଓରିଜିନାଲ’। ହାମଲେଟଙ୍କ ମତରେ ‘ଅଲ୍ ଟ୍ରାନ୍ସଲେସନ୍ସ ସିମ୍ ଟୁ ମି ଆଜ୍ ଆନ୍ ଆଟେମ୍ପଟ ଟୁ ଏକମ୍ପଲିସ୍ ଆନ୍ ଇମ୍ପୋସିବଲ୍’। ବିଭିନ୍ନ ଦେଶରେ ମଧ୍ୟ ଅନୁବାଦ ବିଷୟରେ ଭିନ୍ନ ଭିନ୍ନ ମତ ରହିଛି । ସଂସ୍କୃତ ‘ଶବ୍ଦାର୍ଥ ଚିନ୍ତାମଣି କୋଷ’ ଗ୍ରନ୍ଥରେ କୁହାଯାଇଛି, କୌଣସି ବର୍ଣ୍ଣନା କରାଯାଇଥିବା ବିଷୟବସ୍ତୁକୁ ପୁନର୍ବାର ଅନ୍ୟ ଭାଷାରେ ବ୍ୟକ୍ତ କରିବାର ଏହା ଏକ ପ୍ରକ୍ରିୟା। ସଂସ୍କୃତ ଭାଷାଭିଜ୍ଞ ଭର୍ତ୍ତୃହରିଙ୍କ ମତରେ ଅନୁବାଦ ହେଉଛି ପୁନଃକଥନ। ଚୀନ ଦେଶରେ ଅନୁବାଦ ହେଉଛି ଏକ ଆଳଙ୍କାରିକ କଥନ କଳା। ଫରାସୀମାନେ ଅନୁବାଦ ବିଷୟରେ କହନ୍ତି, ଟ୍ରାନ୍ସଲେସନ ଇଜ୍ ଲାଇକ୍ ଏ ଓମ୍ୟାନ୍, ଇଟ ଇଜ୍ ବିୟୁଟିଫୁଲ୍, ନଟ୍ ଫେଥ୍ଫୁଲ୍। ଇଟାଲୀୟ ଲୋକମତାନୁସାରେ ‘ଟ୍ରାନ୍ସଲେଟର୍ର୍ସ ଆର୍ ଟ୍ରେଟର୍ସ୍’ ଓ ‘ଟ୍ରାନ୍ସଲେସନ ଇଜ୍ ସିନ୍’ ବୋଲି କହନ୍ତି ଗ୍ରାଣ୍ଟ ସୋୟରମାନ।
ଓଡ଼ିଆ ଭାଷାରେ ସାହିତ୍ୟର ସୁବର୍ଣ୍ଣ ଯୁଗ ଅନୁବାଦ ପ୍ରୟାସରୁ ହିଁ ଆରମ୍ଭ ହୋଇଥିଲା କହିବା ଅତ୍ୟୁକ୍ତି ନୁହେଁ। ସଂସ୍କୃତ ସାହିତ୍ୟରେ ରଚିତ ମହାକାବ୍ୟ ମହାଭାରତ, ରାମାୟଣ, ଭାଗବତ ପ୍ରଭୃତି ଓଡ଼ିଆ ଭାଷାରେ ଯଥାକ୍ରମେ ସାରଳା ଦାସ, ବଳରାମ ଦାସ ଓ ଜଗନ୍ନାଥ ଦାସଙ୍କ ଅନୁବାଦର ହିଁ ପରିଣତି। ଏହି ଅନୁବାଦଗୁଡ଼ିକର ସ୍ଥାନ କାଳ ଭିତ୍ତିରେ ପାରମ୍ପରିକତା ସହିତ ଆଞ୍ଚଳିକ ବୈଚିତ୍ର୍ୟ ଓ ନୂତନତା ଏବଂ ଭାଷାର କାବ୍ୟ ଶକ୍ତି ଓ ବର୍ଣ୍ଣନାରେ ପ୍ରତ୍ୟୁତ୍ପନ୍ନମତିତା ଏଭଳି ଶକ୍ତିଶାଳୀ ଯେ ମୂଳ ସଂସ୍କୃତ ରଚନାଠାରୁ ଏ ସମସ୍ତ ଅଧିକ ମୌଳିକ ମନେହୁଅନ୍ତି ବୋଲି କହନ୍ତି ଇଂରାଜୀ ଅଧ୍ୟାପକ ପ୍ରବୀଣ ସମାଲୋଚକ ଯତୀନ୍ଦ୍ର ମୋହନ ମହାନ୍ତି। ଏହି ଆକଳନ ଅନୁସାରେ ମଧ୍ୟ କହିହେବ ଯେ ଅନୁବାଦ କେବଳ ଟ୍ରାନ୍ସଲେସନ ବା ପୁନଃକଥନ ନୁହେଁ ଏହା ମଧ୍ୟ ଟ୍ରାନ୍ସକ୍ରିପ୍ସନ୍, ଅର୍ଥାତ୍ କଳାତ୍ମକ ଅନୁସୃଜନ।
ଅନୁବାଦ ମାଧ୍ୟମରେ ଏକ ଭାଷାର ସାହିତ୍ୟକୁ ଅନ୍ୟ ଭାଷାର ପାଠକ ଓ ସାହିତ୍ୟିକମାନଙ୍କ ନିକଟରେ ପହଞ୍ଚାଇବାର ଏକ ବୃହତ୍ତର ମାଧ୍ୟମ ଓ ପ୍ରୟାସ। ଅନୁବାଦ ଯେ କେବଳ ବିଭିନ୍ନ ଭାଷା-ସାହିତ୍ୟ ମଧ୍ୟରେ ପରିଚୟ ଓ ସାନ୍ନିଧ୍ୟ ବିସ୍ତାର କରେ ତା ନୁହେଁ, ଏକଦେଶଦର୍ଶିତାର ସୀମା ଅତିକ୍ରମ କରି ଅନ୍ୟ ଦେଶକୁ ନୂତନ ରୂପରେ ଚିହ୍ନିବା ଜାଣିବାର ଅଭିଜ୍ଞତା ହାସଲ କରିବାର ମଧ୍ୟ ଏହା ଏକ ମାଧ୍ୟମ। ବାସ୍ତବରେ ଅନୁବାଦ ମାଧ୍ୟମ ଦେଇ ଏକ ଆଞ୍ଚଳିକ ସାହିତ୍ୟ ବିଶ୍ୱସାହିତ୍ୟର ରୂପ ପରିଗ୍ରହ କରିବାର ସୁଯୋଗ ଲାଭ କରିପାରେ। ଅନ୍ୟ କଥାରେ କହିଲେ ଅନୁବାଦକୁ ବିଭିନ୍ନ ଭାଷାର ସୃଜନଶୀଳ ସାହିତ୍ୟିକମାନଙ୍କର ସାହିତ୍ୟ ସୃଷ୍ଟିରେ ଚିତ୍ରିତ ଜୀବନାଭୂତି ସମ୍ବନ୍ଧରେ ଅଜସ୍ର ପରିଭାଷାର ଏକ ଅନୁଶୀଳନ ବୋଲି କହିପାରିବା।
ଆଜିର ଅତ୍ୟାଧୁନିକ ଜ୍ଞାନ-କୌଶଳ ଓ ପ୍ରଯୁକ୍ତି ବିଜ୍ଞାନ ସମ୍ବଳିତ ବିଶାଳ ବିଶ୍ୱ ପରିସରକୁ ସଂକୋଚନ କରିବା ପ୍ରକ୍ରିୟାରେ ଅନୁବାଦ ଏକ ଯୋଗସୂତ୍ର ଓ ସେହି ପରିପ୍ରେକ୍ଷୀରେ ଭାଷା ପାଇଁ ଭାଷାନ୍ତର ବ୍ୟବସ୍ଥା ଏକ ସୁବିନ୍ୟସ୍ତ ପ୍ରୟୋଗଶାଳା। ଭାଷା ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ଆଦାନପ୍ରଦାନର ସର୍ବବିଧ କ୍ଷେତ୍ରରେ ବର୍ତ୍ତମାନର ଯୁଗକୁ ଅନୁବାଦର ଯୁଗ କହିବା ହିଁ ବାସ୍ତବତା।
It’s thought provoking article. The Literature Nobel Prize Winner, Jose Saramago, from Portugal said, “Writers make national literature, while translators make universal literature.” Some of the well-known works in literature, both Indian and foreign, would have remained alien to everyone had it not been for translations. Anna Karenina, Don Quixote, Madame Bovary, One Hundred Years of Solitude, Raag Darbari, One Part Woman … these are just some examples. With the increased production of translations into English and cross- translations across other Indian languages, interesting questions emerge for both publishers and authors.The treatment of translated works, and the rights of a translator, under the Laws of Copyright in India are slightly different from that of the author. Some of the emerging issues in translated works are, for example, how does one obtain the rights to translating a work, does a translator have moral rights over the translated work, and what is nature of the credit due to a translator for a translated work.