- ସେ ଆହୁରି ମଧ୍ୟ ପଚାରିଲା, ଓଡ଼ିଆ ସାଂସଦ ମାନେ ହିନ୍ଦୀ କାହିଁକି କହିପାରନ୍ତି ନାହିଁ ଓ ଦିଲ୍ଲୀ ଶୀତ ସହି ନପାରି, କାହିଁକି ଓଡ଼ିଶା ପଳେଇ ଯାଆନ୍ତି ?
ଏବେଭଳି ସେତେବେଳେ ସାଂସଦମାନଙ୍କୁ ସରକାରୀ ବାସଭବନରେ ନରହି ହୋଟେଲ କିମ୍ବା ନିଜ ଘରେ ଦିଲ୍ଲୀରେ ରହିବାକୁ ପଡୁଥିଲା। ଓଡ଼ିଶାର ଏକୋଇଶି ଲୋକସଭା ଓ ହାତ ଗଣତି ରାଜ୍ୟସଭା ସାଂସଦ ମାନଙ୍କର ଭିଡ ଥାଏ ବେଶୀ ନର୍ଥ ଆଉ ସାଉଥ୍ ଏଭେନ୍ୟୁ ରେ। ରାଷ୍ଟ୍ରପତି ଭବନ ଓ ସଂସଦର ଉତ୍ତର ପଶ୍ଚିମରେ ସେଇସବୁ ଘର। ଲମ୍ବା ଲମ୍ବା ରାସ୍ତା, ଲ୍ୟୁଟେନ୍ ଦିଲ୍ଲୀର ମାତ୍ର ଦୁଇ ମହଲିଆ କୋଠା। ମୋର ପରିଚୟ କୌଣସି ସଂସଦୀୟ ବ୍ୟାପାର ଉପରେ ଗବେଷଣା କରୁଥିବା ଗୋଟିଏ ସଂସ୍ଥା, ଯାହା ୭୩ ନର୍ଥ ଏଭେନ୍ୟୁ ରେ ଚାଲୁଥିଲା। ନର୍ଥ ଏଭେନ୍ୟୁ ରେ ସାଧାରଣ ମଣିଷ ପାଇଁ ଦୁଇ ତିନୋଟି ଆକର୍ଷଣ ଥାଏ। ପ୍ରଥମଟି ହେଲା ରେଳବାଇ ବିଭାଗ ଦ୍ୱାରା ଚାଲୁଥିବା, ସାଂସଦ ମାନଙ୍କ ଲାଗି କ୍ୟାଣ୍ଟିନ। କିଛି ଚାହା ଦୋକାନ ଆଉ ଖୋଲା ଜାଗା। କ୍ୟାଣ୍ଟିନ ରେ ଏବେ ବି ୩୫ ଟଙ୍କା ରେ ଭୋଜନ ବ୍ୟବସ୍ଥା ଅଛି। ସଫାସୁତର , ସୁଷମ ଓ ଶସ୍ତାରେ ଖାଦ୍ୟ ଦିଲ୍ଲୀରେ ବୋଧେ ଅନ୍ୟ କେଉଁଠି ମିଳେ ନାହିଁ। ୨୦୧୯ ମସିହା ଜାନୁଆରୀ ମାସ। ସାଂସଦ ମାନେ ଜାଣି ଗଲେଣି, ମାର୍ଚ୍ଚ ଅପ୍ରେଲ ସୁଦ୍ଧା ନିର୍ବାଚନ ହେବ,ସେଥିପାଇଁ ନର୍ଥ ଏଭେନ୍ୟୁ ଟିକେ ଖାଲି ଖାଲି ଲାଗୁଥାଏ। ଅଧିକାଂଶ ସାଂସଦ ଓ ସେମାନଙ୍କର ସହକର୍ମୀ ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର ପାଇଁ ରାଜ୍ୟ ମାନଙ୍କୁ ଯାଇଥାନ୍ତି।
ଅଧା ରୁ ଅଧିକ ସାଂସଦ ଡ୍ରାଇଭର, ପିଅନ ଓ ପିଏ, ଚେଲା ଚାମୁଣ୍ଡା ମାନଙ୍କ ସହ ଆସି କ୍ୟାଣ୍ଟିନ ରେ ଖାଦ୍ୟ ଖାଆନ୍ତି। ପାଖରେ ବ୍ୟାଙ୍କ୍ ଏଟିଏମ୍, କାମଚଳା ତେଜରାଜି ତଥା ଷ୍ଟେସନାରୀ ଦୋକାନ, ଇସ୍ତ୍ରି ଦୋକାନ ଥାଏ। ମାତ୍ର ସେଲୁନ ନଥାଏ। ମୋ ଅଫିସ୍ ସଂସଦ ମାର୍ଗରେ ଥିଲା, ତେଣୁ କେବେ କେବେ ଅଟୋ ଧରି ନର୍ଥ ଏଭେନ୍ୟୁ ଆସିଛି ଖାଇବାକୁ। ସେଠାରେ ଚିକେନ ପ୍ଲେଟ ପ୍ରାୟ ସବୁଠୁ ଶସ୍ତା ଓ ସୁଆଦିଆ। କିଛି ଲେଖାଲେଖି କରୁଥିବାରୁ ମୁଁ ୭୩ ନର୍ଥ ଏଭେନ୍ୟୁ ଯାଏ, ବସାଉଠା ଓ ଖିଆପିଆ ବି କରେ ସେଠି। ନୂଆ ନୂଆ ନେତା, ସାଂସଦ, ସାମ୍ବାଦିକ, ଓକିଲ ଇତ୍ୟାଦିଙ୍କ ସହ ଭେଟ ପଡେ ନର୍ଥ ଏଭେନ୍ୟୁ ରେ। ଯେଉଁ ନେତା ମାନଙ୍କୁ ଓଡ଼ିଶାରେ ଦେଖିବାର ସୁଯୋଗ ମିଳେ ନାହିଁ, ସେମାନେ ନର୍ଥ ଏଭେନିୟୁରେ ଚାଲି ଚାଲି ଯିବା ଆସିବା କରିବା ମୁଁ ଦେଖିଛି ନିଜ ଆଖିରେ। ମୁହାଁ ମୁହିଁ ହେଲେ କେତେବେଳେ କେମିତି ନମସ୍କାର ପକାଏ। ଥଣ୍ଡା ପଡ଼ିବାରୁ ଅଫିସ ଆସିବା ବହୁତ୍ କଷ୍ଟ ହେଲା ଓ ନିଷ୍ପତ୍ତି ନେଲି ନର୍ଥ ଏଭେନ୍ୟୁ ରେ କିଛି ଦିନ ରହିଯିବି। ସେୟା ହେଲା, ମୁଁ ରହିଲି ୭୩ ନର୍ଥ ଏଭେନ୍ୟୁ ପାଖରେ। ଅଫିସ, କ୍ୟାଣ୍ଟିନ , ରହିବା ପାଇଁ ଆଭିଜାତ୍ୟର ସୁବିଧା, ତେଣୁ ବେଶୀ କିଛି ଦିନ ଖୁସିରେ କଟିଗଲା। ଦୁଇ ସପ୍ତାହ ପରେ ଦେଖେ ତ ମୁଣ୍ଡରେ ବାଳ ସାଙ୍ଗକୁ ମୁହଁରେ ଦାଢ଼ି ବଢ଼ିଯାଇଛି। କଣ କରିବି, ବାଳ ଓ ଦାଢ଼ି କାଟିବା ପାଇଁ କ’ଣ ଶହେ ଟଙ୍କା ଅଟୋ ଖର୍ଚ୍ଚ କରି ଆରକେ ପୁରମ୍ ବା ଆଇଏନେ ମାର୍କେଟ ଯିବି?
ଦ୍ୱନ୍ଦ୍ୱରେ ପଡ଼ି ଭାବିଲି ଏତେ ବଡ କଲୋନୀରେ, ସେଲୁନ୍ ନିଶ୍ଚୟ ଥିବ, ତାକୁ ପ୍ରଥମେ ଖୋଜିବା। ଶନିବାର ଆସିଲା, ସେଇ ଛୁଟି ଦିନରେ ସକାଳୁ ସେଲୁନ୍ ଖୋଜା ଆରମ୍ଭ ହେଲା। ପ୍ରଥମେ ପ୍ରଥମେ ସମସ୍ତେ ସେଲୁନ ନାହିଁ ବୋଲି ସିଧା ସଳଖ କହିଲେ। ଚାହା ଦୋକାନୀକୁ ପଚାରିଲି। ସେ ଇଟାଲୀଆନ୍ ସେଲୁନ ଟିଏ ଅଛି ବୋଲି କହିଲା। ତାରି ଠାରୁ ସେଲୁନର ରାସ୍ତା ପଚାରି ପଚାରି କ୍ୟାଣ୍ଟିନ ପଛ ମାର୍କେଟ ପର୍ଯ୍ୟନ୍ତ ଗଲି। ଦୋକାନ ସବୁ ସରିଗଲା, ବାକି ରହିଲା ଲମ୍ବା କାନ୍ଥ ଟାଏ।ପଚାରିବାକୁ କାହାକୁ ରାସ୍ତାରେ ଦେଖିବାକୁ ନପାଇ ସିଧା ଇସ୍ତ୍ରି ଦୋକାନ ପାଖକୁ ଗଲି। ଦୁଇ ଜଣ ଲୋକ ନିଜ ଭିତରେ କିଛି କଥା ବାର୍ତ୍ତା ହେଉଥିଲେ। ଇଟାଲୀଆନ୍ ସେଲୁନ କଥା ପଚାରିବାରୁ ଜଣେ ମଧ୍ୟ ବୟସ୍କ ଲୋକ ‘ଆସନ୍ତୁ’ ବୋଲି କହି ପାଛୋଟି ନେଲା। ଆଉ ମଧ୍ୟ କହିଲା, ଏତେକଷ୍ଟ କରି କାହିଁକି ଆସିଲି ! ପିଅନ ଦ୍ୱାରା କି ଫୋନରେ ଡାକିଦେଇଥିଲେ ,ସେ ୭୩ ନମ୍ବର କ୍ୱାର୍ଟର କୁ ସିଧା ଚାଲିଯାଇଥାଆନ୍ତା। ପ୍ରଥମେ ସେ ଟିକେ ଡରି ଯାଇଥିଲା। ସେ କେବେ ୭୩ ନମ୍ବର କ୍ୱାଟରର ସାଂସଦକୁ ଦେଖିନଥିଲା,ତେଣୁ ମୋତେ ସାଂସଦ ବୋଲି ଭାବି ନେଇଥିଲା। ମୁଁ କିନ୍ତୁ କହିଲି, ମୁଁ ସାଂସଦ ନୁହେଁ, ମାତ୍ର ତାଙ୍କର ପରିଚିତ। ତାପରେ ସେ ପ୍ରକୃତିସ୍ଥ ହେଲା। ମୁଁ ପଚାରିଲି, ସେଲୁନ କାହିଁ,ଯେଉଁଠି ମୋର ବାଳ ଓ ଦାଢ଼ି କରାଯିବ? ସେ କିଛି ଉତ୍ତର ଦେଇ ନପାରି, କାନ୍ଥରେ ଟଙ୍ଗା ଯାଇଥବା ଆଇନା ଓ ଗୋଟିଏ ଭଙ୍ଗା ଚିଆର ଆଡ଼କୁ ଦେଖେଇଲା। ଅବଶ୍ୟ ପାଖରେ ଖରା ପଡ଼ୁଥିବା ଜାଗାରେ ଦୁଇଟି ଇଟା ପଡିଥିବାର ଦେଖିଲି। କିଛି କଟା ଯାଇଥିବା ବାଳ ଇତସ୍ତତଃ ପଡିଥିବାର ମଧ୍ୟ ଦେଖିଲି, ମାତ୍ର ମୋତେ ଇଟାଲୀୟାନ ସେଲୁନ କୋଉଠି ବୋଲି ସଠିକ୍ ଉତ୍ତର ଦେଇପରିଲାନି ସେ।
ୟା ଭିତରେ ସେ ଖୋଲା ଆକାଶ ତଳେ ମୋତେ ଭଙ୍ଗା ଚେୟାର ରେ ବସେଇ, ମୋ ବେକରେ କପଡା ଟିଏ ଘୋଡ଼େଇ ସାରିଲାଣି। ମୁଁ ପୁରୁଣା ଆଇନାରେ ନିଜ ମୁହଁକୁ ଖୋଜୁଥିଲି। କଥାବାର୍ତ୍ତା ଆରମ୍ଭ ହେଲା, ଯେମିତି ଅନ୍ୟ ସେଲୁନ ରେ ବାରିକ ସହ କଥା ହୁଏ। ସେ ମୋତେ ପଚାରିଲା ମୁଁ କେଉଁ ରାଜ୍ୟରୁ ଆସିଛି ବୋଲି। ମୁଁ ଉତ୍ତର ଦେଲି ” ଓଡ଼ିଶା”। ସଙ୍ଗେ ସଙ୍ଗେ ସେ ନର୍ଥ ଏଭେନ୍ୟୁ ରେ କେତେ ଓଡ଼ିଆ ସାଂସଦ ଅଛନ୍ତି କହିଦେଲା। ଏମିତିକି କୋଉ ମହିଳା ସାଂସଦ ଙ୍କ ସ୍ୱାମୀ କୋଉଠି ସାଂସଦ ପ୍ୟାଡକୁ ରଦି କାଗଜ ଦୋକାନରେ ବିକି ଗୁଟୁଖା କିଣନ୍ତି, ସେକଥା କହିଲା। କେତେକ ଅନ୍ୟ ଓଡ଼ିଆ ସାଂସଦମାନଙ୍କ ଘରକୁ କେତେ ମଦ ବୋତଲ ଓ ଝିଅ ଯାଆନ୍ତି, ତାର ମଧ୍ୟ ହିସାବ ଦେଲା। ଲାଜରେ ମୁହଁ ପୋତି ହୋଇ ଯାଉଥାଏ। କଥାକୁ ବଦଳାଇ ମୁଁ ପ୍ରଶ୍ନ କଲି ସେ କଣ ଘଟଣା ସବୁ ଦେଖୁଛନ୍ତି, ସଂସଦ ଓ ଅନ୍ୟ ସାଂସଦ ମାନଙ୍କୁ ନେଇ। ସେ କହିଲା ଅତୀତର କଥା। ସେ ନୂଆ ନୂଆ ସେଲୁନ ରେ ଦାଢ଼ି ଓ ବାଳ କଟା ଶିଖୁଥାଏ, ସେଇ ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ଘଟଣା ଓ ତା ପରେ ପରେ ଶିଖ ବିରୋଧୀ ଦଙ୍ଗା ସେ ନିଜେ ଦେଖିଛି। କିଛିଦିନ ପର୍ଯ୍ୟନ୍ତ, ସେଲୁନ କୁ ବନ୍ଦ୍ କରିବାକୁ ପଡ଼ିଥିଲା ତାକୁ। ପାର୍ଲିଆମେଣ୍ଟ ଭିତରେ ଉଗ୍ରବାଦୀ ପଶିଥିବାର ପ୍ରତ୍ୟକ୍ଷଦର୍ଶୀ ଅଭିଜ୍ଞତା ବି ବଖାଣିଲା ସେ। ବାଜପେୟୀ ପ୍ରଧାନ ମନ୍ତ୍ରୀ ଥିଲାବେଳେ କେମିତି ଅନାସ୍ଥା ପ୍ରସ୍ତାବରେ ହାରିଯାଇଥିଲେ, ସେକଥା କହିଲା। ଆହୁରି ଅନେକ କଥା କହୁଥିଲା ବେଳେ ଓଡ଼ିଶାର ସାଂସଦମାନଙ୍କ ଉପରେ କହିଲା। କୋଉ ଓଡ଼ିଆ ସାଂସଦ ରାସ୍ତାରେ ଲୁଙ୍ଗି ପିନ୍ଧି ଦାନ୍ତରେ ଗୁଡ଼ାଖୁ ଘସନ୍ତି, ସେକଥା ମଧ୍ୟ କହିଲା। କେଉଁ ଓଡ଼ିଆ ଏମପି ଙ୍କ ପୁଅ ଓ ଝିଅ ଚାନ୍ଦା ଆଦାୟ କରନ୍ତି। କେଉଁ ଦାଢ଼ିଆ ବାବା ପାଖକୁ ଦାଢି କାଟିବାକୁ ଯାଇଥିଲା, ସେକଥା ମଧ୍ୟ କହିଲା। ପଚାରିଲା, ଦାଢ଼ିଆ ବାବାଙ୍କୁ ଓଡ଼ିଶା ସରକାର ଏମପି ଚାକିରି କରେଇ ଦେଇଥିଲେ କି? ଆହୁରି ମଧ୍ୟ ପଚାରିଲା, ଓଡ଼ିଆ ସାଂସଦ ମାନେ ହିନ୍ଦୀ କାହିଁକି କହିପାରନ୍ତି ନାହିଁ ଓ ଦିଲ୍ଲୀ ଶୀତ ସହି ନପାରି, କାହିଁକି ଓଡ଼ିଶା ପଳେଇ ଯାଆନ୍ତି? ଏଇମିତି ଅନେକ କିଛି ପ୍ରଶ୍ନ ପଚାରିଲା ମୋତେ। ମୁଣ୍ଡ ବାଳ କଟା ଓ ଦାଢ଼ି କଟା ପରେ ମାଲିସ ଆରମ୍ଭ କରୁଥାଏ, ମୁଁ ତାର କଠିନ ପ୍ରଶ୍ନର ସରଳ ଉତ୍ତର ଦେଇ ନପାରି ଖାଲି ହୁଁ ଟି ମାରୁଥାଏ।
ମୋହମ୍ମଦ ହେଉଛି ତା ନାଁ। ଦେଶ ସ୍ୱାଧୀନତା ପାଇବା ପରଠାରୁ, ତା’ର ପରିବାର ନର୍ଥ ଏଭେନ୍ୟୁ ରେ ବାରିକ କାମ କରି ଆସୁଛନ୍ତି। ସରକାରଙ୍କ ତରଫରୁ ସେଲୁନ ପାଇଁ ଜାଗାଟିଏ ନଥିବାବେଳେ, ସେ କାନ୍ଥରେ ଆଇନା ଟାଙ୍ଗି ବ୍ୟବସାୟ ଜାରି ରଖିଛି। ଏବେ ବି ବେଳେବେଳେ ଅଲକ୍ଷ୍ୟରେ ତା’କଥା ମୋ ସ୍ମୃତିରେ ଜାଗରିତ ହୋଇଉଠେ।
BAHUT SUNDAR LEKHA, ANUBHUTIR LEKHATI ANEK KATHA JANEIDELA