- ଦୀର୍ଘ ଚାଳିଶ ବର୍ଷ ଧରି ଉତ୍ତର ଆଧୁନିକତା ଜନ୍ମ ନେଲାଣି ବୋଲି କେତେକେ ମତ ପ୍ରଦାନ କରୁଥିଲେ ହେଁ ଏଯାବତ ଏହାର ଆସ୍ଥାନ ସୁଦୃଢ଼ ହୋଇପାରି ନାହିଁ।
ଓଡ଼ିଆ ସାହିତ୍ୟର ବିକାଶର ଗତିଧାରା ନିରୀକ୍ଷଣ କଲେ ହୃଦ୍ବୋଧ ହୁଏ ଯେ ରାଧାନାଥ ଓ ମଧୁସୂଦନଙ୍କ କବିତାବଳୀ ପ୍ରକାଶ ପରେ ଓଡ଼ିଆ ସାହିତ୍ୟରେ ଆଧୁନିକତାର ସୂତ୍ରପାତ ଘଟିଥିଲା। ଏହି ଆଧୁନିକ ପ୍ରକ୍ରିୟା ୧୮୭୬ ମସିହାରୁ ଆରମ୍ଭ ହୋଇଥିଲେ ହେଁ ୧୯୨୦ ମସିହା ଅର୍ଥାତ୍ ସବୁଜ ସାହିତ୍ୟ ସୃଷ୍ଟି ପର୍ଯ୍ୟନ୍ତ ଏହା ପାରମ୍ପରିକ ସାହିତ୍ୟ ସହିତ ତାଳ ଦେଇ ଗତି କରିଥିଲା। ଅର୍ଥାତ୍, ଇଂରାଜୀ ବା ପାଶ୍ଚାତ୍ୟ ସାହିତ୍ୟର ଢ଼ାଞ୍ଚାରେ ଓଡ଼ିଆ ସାହିତ୍ୟ ଏକ ଆତ୍ମିକ ସନନ୍ଦ ରୂପେ ପରମ୍ପରାର ପରିଧି ଭିତରେ ପ୍ରତିଭାତ ହୋଇଥିଲା। ସବୁଜ ସାହିତ୍ୟ ସୃଷ୍ଟି ପରେ ଏହା ପରମ୍ପରାର ପରିଧି ବାହାରକୁ ଚାଲି ଆସିଥିଲା, ଅଥଚ କୌଣସି ଦୁର୍ଘଟଣା ନ ଘଟାଇ ନୂତନ ଭାବବୋଧରେ ଅଭିମନ୍ତ୍ରିତ ହେଲା। ଅନ୍ୟ ଭାଷାରେ ଲେଖିଲେ, ଓଡ଼ିଆ ସ୍ରଷ୍ଟାଙ୍କ ମାନସରେ ପାଶ୍ଚାତ୍ୟଚେତନ ଦାନା ବାନ୍ଧିଲା ତଥା ନୂତନ ମାନସିକତା ସୃଷ୍ଟି ହେଲା।
ଏହା ସତ୍ୟ ଯେ, ସବୁଜ ଗୋଷ୍ଠୀର କବି କୋବିଦ ବୃନ୍ଦ ଇଂରେଜ ରୋମାଣ୍ଟିକ ସାହିତ୍ୟିକ ଓ ରବୀନ୍ଦ୍ରନାଥଙ୍କ ସାହିତ୍ୟ ଦର୍ଶନରେ ଅନୁପ୍ରାଣିତ ହେଲେ। ସାହିତ୍ୟରେ ଗୋଟିଏ ପରମ୍ପରା ବେଶୀ ଦିନ ସ୍ଥାୟୀ ହୋଇପାରେ ନାହିଁ। ପାରମ୍ପରିକ ପରିଧିରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ ଓଡ଼ିଆ ସାରସ୍ୱତ ଧାରା ବିଶ୍ୱମୁଖୀ ହେଲା। ପାଶ୍ଚାତ୍ୟ କବିକୋବିଦବୃନ୍ଦ ଓଡ଼ିଆ ସ୍ରଷ୍ଟାଙ୍କ ଗୁରୁ ବନିଗଲେ। କ୍ରମେ ବୌଦ୍ଧିକ ଉଚ୍ଚାରଣ ଓ ବ୍ୟକ୍ତିମଗ୍ନତାର ରୂପଚିତ୍ର ନେଇ ଆଧୁନିକ ଓଡ଼ିଆ ସାହିତ୍ୟ ଉଦ୍ବେଳିତ ହେଲା। ଅଶୀ ଦଶକରୁ ଓଡ଼ିଆ ସାହିତ୍ୟର ରୂପରଙ୍ଗ ବଦଳିଗଲା। ଏହା କୌଣସି ସୀମାସରହଦ, ନୀତି, ବାଦ ଓ ଶୃଙ୍ଖଳା ଭିତରେ ଆବଦ୍ଧ ହୋଇ ରହିଲା ନାହିଁ। କେତେକ ଓଡ଼ିଆ ସାହିତ୍ୟର ଏତାଦୃଶ ସ୍ଥିତିକୁ ଉତ୍ତର ଆଧୁନିକତା ଆଖ୍ୟା ପ୍ରଦାନ କଲେ।
ଉତ୍ତର ଆଧୁନିକତାର ପ୍ରଜ୍ଞା ଓ ପରିଭାଷା ପାଶ୍ଚାତ୍ୟ ଚେତନା ସମ୍ଭୂତ। ପାଶ୍ଚାତ୍ୟରେ ଉତ୍ତର ଆଧୁନିକତାର ପ୍ରବକ୍ତା ହେଉଛନ୍ତି ଲେଭିଷ୍ଟ୍ରସ, ରୋଲାଣ୍ଡ ବାର୍ଥସ୍, ଜାକ୍ୟୁସିସାନ, ଜାକୁସ୍ ଡେରିଡା ପ୍ରଭୃତି। ସେମାନଙ୍କ ମତରେ ଆଧୁନିକତା ପରି ଉତ୍ତର ଆଧୁନିକତା ଏକ ଶୃଙ୍ଖଳିତ ସ୍ଥିର ନିଶ୍ଚିତ ତତ୍ତ୍ୱ ନୁହେଁ, ବରଂ କୌଣସି ସ୍ଥିର ନିଶ୍ଚିତ ପରିଭାଷା ଓ ତତ୍ତ୍ୱବୟାନର ଏହା ବିରୁଦ୍ଧାଚରଣ କରେ। ସଂକ୍ଷେପରେ ଉଲ୍ଲେଖ କଲେ, ଆଧୁନିକତାର ସ୍ଥିତିର ନିଶ୍ଚିତ ଢ଼ଙ୍ଗକୁ ଅସ୍ୱୀକାର କରିବା ବୋଧହୁଏ ଉତ୍ତର ଆଧୁନିକତା। କେତେକଙ୍କ ମତରେ, ଓଡ଼ିଆ ସାହିତ୍ୟରେ ବିଶେଷତଃ କାବ୍ୟ କବିତାରେ ଅଶୀଦଶକରୁ ଏହା ଉତ୍ତର ଆଧୁନିକତାର କାଳ ସୃଷ୍ଟି ହୋଇଛି। ସାଧାରଣତଃ, ସାହିତ୍ୟରେ ଯେତେବେଳେ ନୂଆ କାଳଟିଏ ସୃଷ୍ଟି ହୁଏ, ସେତେବେଳେ ବହୁଦିନରୁ ଗଡ଼ି ଆସୁଥିବା କୌଣସି ସାରସ୍ୱତ ଧାରା ବା ସୃଜନଶୀଳ ଅନୁଚିନ୍ତନର ରାଗରୀତିର ଅବସାନ ଘଟେ ନାହିଁ। ନୂତନ ସୃଷ୍ଟି ଏକ ଉଗ୍ର ମାନସିକତାକୁ ବୁଝାଇଥାଏ, ଯେଉଁ ମାନସିକତା ଏକ ନୂଆ ରୁଚିବୋଧ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଓଡ଼ିଆ ସାହିତ୍ୟରେ ଠିକ୍ ସେଇଆ ଘଟିଛି। ଦୀର୍ଘ ଚାଳିଶ ବର୍ଷ ଧରି ଉତ୍ତର ଆଧୁନିକତା ଜନ୍ମ ନେଲାଣି ବୋଲି କେତେକେ ମତ ପ୍ରଦାନ କରୁଥିଲେ ହେଁ ଏଯାବତ ଏହାର ଆସ୍ଥାନ ସୁଦୃଢ଼ ହୋଇପାରି ନାହିଁ। ଅଗଣିତ ପାଠକ ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟକୁ ଦୁର୍ବୋଧ୍ୟ, ରୁଚିହୀନ ତଥା ସାମାଜିକ ଚେତନାର ଉତ୍ତରଣ ଘଟାଇବାକୁ ଅସମର୍ଥ ବୋଲି ବିଚାରିଛନ୍ତି। ସେହି ପାଠକମାନଙ୍କ ମତ ହେଉଛି, “ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟ ଦ୍ୱାରା କୌଣସି ହିତ ସାଧନ ହୋଇ ପାରୁନାହିଁ, ସେହି ସାହିତ୍ୟରେ ଜୀବନ ନିର୍ମାଣର କଳା ନାହିଁ ଏବଂ ସାମାଜିକ ଚେତନା ସୃଷ୍ଟି ନିମିତ୍ତ ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟର ଭୂମିକା ଓ ଅର୍ଥହୀନ।” ପାଠକ ହିଁ ସାହିତ୍ୟର ଉପଭୋକ୍ତା, ପାଠକୀୟ ରୁଚିକୁ ଆଖି ଆଗରେ ରଖି ସାହିତ୍ୟ ସୃଷ୍ଟି ହେଲେ ସେହି ସାହିତ୍ୟ ପାଠକାଦୃତି ଲାଭ କରେ। ଅଥଚ ପାଠକଙ୍କ ରୁଚିବିହୀନ କିଛି ଉଦ୍ଭଟ, ଅର୍ଥହୀନ ଓ ଦୁର୍ବୋଧ୍ୟ ସାହିତ୍ୟକୁ ଉତ୍ତର ଆଧୁନିକ ସଂଜ୍ଞା ପ୍ରଦାନ କରିବା ସମୀଚୀନ ନୁହେଁ।
ବର୍ତ୍ତମାନ ଓଡ଼ିଆ ସାହିତ୍ୟର ଉତ୍ତର ଆଧୁନିକତା ଉପଲବ୍ଧ ବୋଲି କେତେକେ ମତ ପ୍ରଦାନ କରୁଥିବା ବେଳେ ସେହି ନୂଆ ଓଡ଼ିଆ ସାହିତ୍ୟରେ ସଂଜ୍ଞା ଓ ସ୍ୱରୂପ କ’ଣ ଏବଂ ଏହା କିପରି ବିକାଶ ଲାଭ କରିଛି ଏବଂ ଏହାର ମୌଳିକତା କ’ଣ ଏହା ଚିନ୍ତା କଲାବେଳେ ଯେଉଁ କେତୋଟି ମୌଳିକ ପ୍ରଶ୍ନ ଆମକୁ ବାରମ୍ବାର ଆନ୍ଦୋଳିତ କରିଥାଏ, ସେଗୁଡିକ ହେଲା:-
(୧) ଉତ୍ତର ଆଧୁନିକ ସାହିତ୍ୟର ଉନ୍ମେଷ ଓ ବିକାଶର କାରଣ କ’ଣ?
(୨) ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟ ପୂର୍ବବର୍ତ୍ତୀ ସାହିତ୍ୟଠାରୁ କେଉଁ ଭଳି ଭିନ୍ନ ଏବଂ ସେହି ଭିନ୍ନତାର ରୂପରେଖ କ’ଣ?
(୩) ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟର ସ୍ୱତନ୍ତ୍ର ବୈଶିଷ୍ଟ୍ୟ କ’ଣ? ଏବଂ ଏହି ବୈଶିଷ୍ଟ୍ୟ କିପରି ଜନମାନସକୁ ପ୍ରଭାବିତ କରୁଛି?
(୪) ଉତ୍ତର ଆଧୁନିକ ସାରସ୍ୱତ ସାଧକ କେଉଁମାନେ ଏବଂ ସେମାନଙ୍କର ଉତ୍ତର ଆଧୁନିକ ସାହିତ୍ୟର ବିକାଶ ଓ ପ୍ରଗତି ପାଇଁ ସାମୁହିକ ଅବଦାନ କ’ଣ?
ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟ ଉନ୍ମେଷ ଓ ବିକାଶରେ ପାଶ୍ଚତ୍ୟ ସାହିତ୍ୟର ପ୍ରଭାବ ହିଁ ମୁଖ୍ୟ କାରଣ। ଅନେକ କ୍ଷେତ୍ରରେ ଓଡ଼ିଆ ସାହିତ୍ୟର ଏହି ଆନ୍ତର୍ଜାତିକ ସ୍ୱରୂପକୁ ପାଠକ, ପାଠିକା ଓ ସମାଲୋଚକ ସମାଲୋଚନା କରିବାକୁ ପଛେଇ ନାହାନ୍ତି। ଏପରି ସାହିତ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଏହାକୁ ଦୁର୍ବୋଧ୍ୟ, ଅଶ୍ଳୀଳ ଓ ବ୍ୟକ୍ତି କୈନ୍ଦ୍ରିକ କୁହାଯାଇଛି। ଅନେକେ ଏହାକୁ ଓଡ଼ିଆ ସାହିତ୍ୟର ପରିପନ୍ଥୀ ବୋଲି ବିବେଚନା କରିଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ପାଶ୍ଚତ୍ୟ ଅନୁପ୍ରେରଣାରେ ସୃଷ୍ଟ ଓଡ଼ିଆ କବିତା କ୍ଳିଷ୍ଟ, ଜଟିଳ, ଦୁର୍ବୋଧ୍ୟ ହୋଇ ପାଠକଙ୍କ ଠାରୁ ଦୂରେଇ ଯାଉଛି। ଉତ୍ତର ଆଧୁନିକ ଓଡ଼ିଆ କବିତାର ବିକାଶ ପଛରେ ଅନ୍ୟ ଯେଉଁ କାରଣଟି ଅଛି ତାହା ହେଉଛି କବି କାବ୍ୟିକ କ୍ଳାନ୍ତି। ଅନେକ କବି ଲେଖିବାକୁ ଚାହୁଁନଥିଲେ ମଧ୍ୟ ପାଠକଙ୍କ ବାଧ୍ୟବାଧକତା ତାକୁ ସୃଷ୍ଟି ସୃଷ୍ଟିଶୀଳ କରାଇଛି, ରମାକାନ୍ତଙ୍କ ‘ସଚିତ୍ର ଅନ୍ଧାର’ ଏହାର ନିଚ୍ଛକ ଉଦାହରଣ। ତେଣୁ ସେ ଆପଣାର କାବ୍ୟିକ କୌଶଳ ବା ସ୍ୱରକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଉଦାହରଣ ସ୍ୱରୂପ, କବି ରମାକାନ୍ତ ରଥ ତାଙ୍କ ପୂର୍ବବର୍ତ୍ତୀ ସମସ୍ତ କବିଙ୍କର ସକଳ କଠୋରତା ଓ ଜଟିଳତାକୁ ପରିତ୍ୟାଗ କରି ଉପଲବ୍ଧିର ସୁନ୍ଦର, ମନୋରମ ପରିସରକୁ ଗତିଶୀଳ କରିଛନ୍ତି “ଶ୍ରୀରାଧା”ରେ। ସେହିପରି କବି ସୀତାକାନ୍ତ ମହାପାତ୍ର ‘ଅଷ୍ଟପଦୀ’ରେ ଗ୍ଲାନି, ହତାଶା ଏବଂ ମୃତ୍ୟୁଜନିତ ଦୁର୍ବିପାକରେ ହନ୍ତସନ୍ତ ହୋଇ ଜ୍ଞାତି, ବନ୍ଧୁ ତଥା ପରିବାରର ଶାନ୍ତକୋମଳ ପରିବେଶକୁ ଆଦରି ନେଇଛନ୍ତି। କବି ସୌଭାଗ୍ୟ ମିଶ୍ର ‘ମଧ୍ୟ ପଦଲୋପୀ’ରେ ନିରସ ଗଦ୍ୟର ଅଣରୋମାଣ୍ଟିକ ଆବର୍ତ୍ତରୁ ସଙ୍ଗୀତର ବିପୁଳ ମାଧୁର୍ଯ୍ୟ ଆଡକୁ ଗତି କରିଛନ୍ତି। ସେମାନଙ୍କ କବିତାରେ ପାଶ୍ଚତ୍ୟ ଛାପ ନାହିଁ, ରହିଛି ଓଡ଼ିଆ ସାରସ୍ୱତ ଚେତନାର ସାଂପ୍ରତିକ ପ୍ରତିଧ୍ୱନି। ଏସବୁ କବିତାକୁ ଉତ୍ତର ଆଧୁନିକ ବିଚାରିବା ସମୀଚୀନ ନୁହେଁ।
ଏ ସମ୍ପର୍କରେ ଅନ୍ୟ ଏକ ପ୍ରସଙ୍ଗ ଉଲ୍ଲେଖନୀୟ। ଆଧୁନିକ ଓଡ଼ିଆ କବିତାରେ ଗଣ ଓ ଜଣ ଚେତନାର ଅନୁପସ୍ଥିତି ଲକ୍ଷ୍ୟ କରିବାକୁ ଗଣ ଓ ଜଣଙ୍କ ମଧ୍ୟରେ ସେତୁ ସ୍ଥାପନ କରିବାର ଏକ ଦୃଢ଼ ସଂକଳ୍ପ ନେଇ ମୁଣ୍ଡ ଟେକିଥିଲା ଅନାମ ଆନ୍ଦୋଳନ। ଅଶୀଦଶକ ପୂର୍ବରୁ କତିପୟ କବି, ଆଧୁନିକ ଓଡ଼ିଆ କବିତାକୁ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସଚେତନ କରାଇବା ପୂର୍ବକ ଅଙ୍ଗ ଓ ଆତ୍ମାର ବିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ। ସେମାନଙ୍କ କ୍ଷୋଭ ଓ ଅଭିଯୋଗ ଥିଲା ଯେ ଓଡ଼ିଆ କବିତାରେ ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ଓଡ଼ିଆ ପ୍ରାଣର ମୌଳିକତାକୁ ହତ୍ୟା କରିଛି ଏବଂ ଓଡ଼ିଆ ଜାତିର ସାଂସ୍କୃତିକ ସଙ୍କଟ ଓଡ଼ିଆ କାବ୍ୟ ପରମ୍ପରାକୁ ଅନ୍ତଃସାର ଶୂନ୍ୟ କରିଦେଇଛି ତଥା ଓଡ଼ିଆ କବିତାର ଭାଷା ଗଦ୍ୟକୁ ଆଦରି ନେଇ କାଳକାଳ ଧରି ପ୍ରତିଷ୍ଠିତ ଓଡ଼ିଶୀ କାବ୍ୟକଳାକୁ ଧ୍ୱଂସ ଆଡକୁ ଟାଣି ନେଇଛି। ପରିଣାମ ସ୍ୱରୂପ ସେମାନେ ଗୀତିକବିତା ଛଳରେ କବିତା ଲେଖି ସାଂସ୍କୃତିକ କ୍ରାନ୍ତିର ବୀଜବପନ କରିଥିଲେ ‘ଅନାମ’ କବିତା ମାଧ୍ୟମରେ। କିନ୍ତୁ ଉତ୍ତର ଆଧୁନିକ କାଳର ବ୍ୟୁତ୍ପତ୍ତି ସମୟକୁ ଅନାମ ଆନ୍ଦୋଳନ ପ୍ରାୟ ଶିଥିଳ ହୋଇଯାଇଥିଲା। କାରଣ ଏହାର ଉଦ୍ୟୋକ୍ତାଙ୍କ ମଧ୍ୟରେ କୁମାର ମହାନ୍ତି ଓ ହରିହର ମିଶ୍ରଙ୍କ ବ୍ୟତୀତ ଅନ୍ୟ କୌଣସି କବି ଉଚ୍ଚ କୋଟିର ନ ଥିଲେ ଏବଂ କବିତା ଅପେକ୍ଷା ତତ୍ତ୍ୱରେ ମାତି ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଗଲେ। ଫଳରେ ସେମାନଙ୍କ କବିତା ସାଧାରଣରେ ଗ୍ରହଣୀୟ ହେଲାନି। କିଛି ବର୍ଷ ପରେ ଅନାମ ଆନ୍ଦୋଳନରେ ଭଟ୍ଟା ପଡିଲା।
ଦ୍ୱିତୀୟ ପ୍ରଶ୍ନ ହେଉଛି ଉତ୍ତର ଆଧୁନିକ ସାହିତ୍ୟ ପୂର୍ବବର୍ତ୍ତୀ ସାହିତ୍ୟ ଠାରୁ କେଉଁ ପରି ଭିନ୍ନ ଓ ସେ ଭିନ୍ନତାର ରୂପ ରେଖ କିପରି? ଉତ୍ତର ଆଧୁନିକତାର ଭିନ୍ନତା ହେଉଛି, ଅଗ୍ରଜ କବିଙ୍କ ଅନୁସୃତ ଆଧାରରୁ ନିଜକୁ ପୃଥକ ରଖିବାର ଉପାୟ। ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟ ଜୀବନ ଓ ଅନୁଭୂତି ସହ ଏକ ଅଭେଦ୍ୟ ସଂପର୍କ ଯୋଡି ସାହିତ୍ୟକୁ ଏକ ଲୋଭନୀୟ ବ୍ୟାପକତା ଯୋଗାଇଛି ବୋଲି କୁହାଯାଉଛି। ମିଥ୍ୟା ବୌଦ୍ଧିକତା ଓ ଆଳଙ୍କାରିକ ବିଦଗ୍ଧତାକୁ ପରିତ୍ୟାଗ ପୂର୍ବକ ସରଳ ଓ ତରଳ ହୋଇଛି ବୋଲି ପ୍ରତିପାଦନ କରାଯାଉଛି। ପୂର୍ବଜଙ୍କ ଅନୁସୃତ ଧାରା ଓ ଶୈଳୀରୁ ଅତି ଚତୁରତାର ସହିତ ନିଜକୁ ଦୂରେଇ ନେଇଛି ବୋଲି ବିଚାର କରାଯାଉଛି। ଉତ୍ତର ଆଧୁନିକ କାବ୍ୟ ପୁରୁଷ ପ୍ରେମରେ ଦୈହିକ ବ୍ୟଭିଚାର ଅପେକ୍ଷା ନିଷ୍କପଟ କୁଳାଚାରକୁ ବେଶୀ ପସନ୍ଦ କରିଛି ବୋଲି କୁହାଯାଉଛି। ଭାଷା ଓ ଶୈଳୀ ଦୃଷ୍ଟିରୁ ସାଂପ୍ରତିକ ଆଧୁନିକ ଓଡ଼ିଆ ସାହିତ୍ୟରେ କେତୋଟି ବିଶେଷତ୍ୱ ରହିଛି। ଏହାର ଶବ୍ଦ ଜୀବନ ଯାତ୍ରାରେ ଗାଁ, ତାର ନିର୍ମଳ ପରିବେଶ, ସଂସ୍କୃତ ଓ ଗ୍ରାମୀଣ ଶବ୍ଦରୁ ଗ୍ରହଣ କରିଛି। ଏହାର କବିତାର ଭାଷା ପୂର୍ବବର୍ତ୍ତୀ କବିତା ପରି ବିଶ୍ୱ ସର୍ବସ୍ୱ ନୁହେଁ। ବହୁ ଓଡ଼ିଆ କବି ଏତାଦୃଶ ଆଧୁନିକ ଓଡ଼ିଆ କବିତା ଲେଖି ପାଠକାଦୃତି ଲାଭ କରିଛନ୍ତି। ମହନୀୟତା ହେଉଛି ସେହିସବୁ ଓଡ଼ିଆ କବି ଶୁଷ୍କନୀରସ ଓ ଗଦ୍ୟର ବନ୍ଧନରୁ ମୁକ୍ତ ହୋଇ ଗୀତିମୟତାକୁ ଆଦରି ନେଇଛନ୍ତି। ସମସ୍ତ କବିଙ୍କର ଉଦାହରଣ ଦେବା ସମ୍ଭବ ନ ହେଲେ ହେଁ କେତେଜଣଙ୍କର ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ। ଏ ସମ୍ପର୍କରେ ପ୍ରସନ୍ନ ପାଟ୍ଟଶାଣୀଙ୍କ “ଦେଖା ହେଲେ କହିବି ସେ କଥା”, ନୃସିଂହ ତ୍ରିପାଠୀଙ୍କ “ଯଶୋଧାରା-ପ୍ରଣୟ ପରମଦେବ”, ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ “ଅହଲ୍ୟା”, ଅକ୍ଷୟ ବେହେରାଙ୍କ “ବଡ଼ଭାଇ”, ଭଗବାନ ଜୟସିଂହଙ୍କ “ବାର୍ତ୍ତା”, ଗୁରୁପ୍ରସାଦ ମହାନ୍ତିଙ୍କ “କାଳପୁରୁଷ”, ସୀତାକାନ୍ତ ମହାପାତ୍ରଙ୍କ “ଅଷ୍ଟପଦୀ”, ପ୍ରସନ୍ନ ମହାନ୍ତିଙ୍କ “ଶବ୍ଦଖେଳ” ପ୍ରଭୃତି ବିଶେଷ ପ୍ରଣିଧାନ ଯୋଗ୍ୟ। ଏମାନଙ୍କ ବ୍ୟତୀତ ଅମରେଶ ପଟ୍ଟନାୟକ, ମମତା ଦାସ, ଅଶ୍ୱିନୀ ମିଶ୍ର, ଆଶୁତୋଷ ପରିଡା, ଶତୃଘ୍ନ ପାଣ୍ଡବ, ଅଜୟ ପ୍ରଧାନ, ଶ୍ରୀହରି ଧଳ, ବାସୁଦେବ ଦାସ, ସଦାଶିବ ଦାଶ, ସୁନୀଳ ପୃଷ୍ଟି, ଗିରିବାଳା ମହାନ୍ତି, ଗିରିଜା ଶଙ୍କର ବଳିୟାର ସିଂହ, ସୁଚେତା ମିଶ୍ର, ନୀଳମଣି ପରିଡା, କମଳାକାନ୍ତ ପଣ୍ଡା, ପ୍ରଭାସିନୀ ମହାକୁଡ, ସୁଶୀଲ ନନ୍ଦ, ହୃଦାନନ୍ଦ ପାଣିଗ୍ରାହୀ, ସୌଭାଗ୍ୟ ବନ୍ତ ମହାରଣା, ବସନ୍ତ ମୁଦୁଲି, ଗଜାନନ ମିଶ୍ର, ମନୋଜ ମେହେର ପ୍ରଭୃତିଙ୍କ ନାମ ଉଲ୍ଲେଖ ଯୋଗ୍ୟ। ଏମାନେ ସମାଜ ସହିତ ତାଳଦେଇ ଓଡ଼ିଆ କବିତା ରଚନା କରିଛନ୍ତି, କିନ୍ତୁ ସେମାନଙ୍କ ରଚିତ କବିତାକୁ ଉତ୍ତର ଆଧୁନିକ କବିତା ବୋଲି ଜଣାଯିବ କି ନାହିଁ ପାଠକ ବିଚାର କରିବେ। ଯଦି ଏହିସବୁ କବିତାକୁ ଉତ୍ତର ଆଧୁନିକ କୁହାଯାଏ ଏହାର ପରବର୍ତ୍ତୀ କାଳରେ ଲେଖା ହେବାକୁ ଥିବା କବିତାକୁ କେଉଁ ଆଧୁନିକ ବୋଲି କୁହାଯିବ। ଏ ସଂପର୍କରେ ପାଠକ ହିଁ ଶ୍ରେଷ୍ଠ ବିଚାରକ। କବି ନିଜେ ଉତ୍ତର ଆଧୁନିକ କହି ଡେଙ୍ଗୁରା ପିଟିବା ଶୋଭନୀୟ ନୁହେଁ।
କେତେକଙ୍କର ମତ, କିଛି ନୂତନତା ଓ ସତେଜତା ସୃଷ୍ଟି କରିବା ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟର ଲକ୍ଷ୍ୟ। ଏହା ସତ୍ୟ ଯେ, ତାହା କେବଳ କବିତାରେ ସୀମିତ ରହି ସାହିତ୍ୟର ଅନ୍ୟ ବିଭାଗ ମାନଙ୍କୁ ସ୍ପର୍ଶ କରିପାରିନାହିଁ। କବିତା କେବଳ ବିଜ୍ଞ ପ୍ରାଜ୍ଞ କବି କୋବିଦବୃନ୍ଦଙ୍କ ମାନସ ମନ୍ଥନ କରୁଥିଲେ ହେଁ ସାର୍ବଜନୀନ ସ୍ୱୀକୃତିରୁ ବଞ୍ôଚତ। ସ୍ମରଣ ରଖିବା ଉଚିତ, ସାହିତ୍ୟ ହିଁ ସଭ୍ୟତାର ଉଜ୍ଜ୍ୱଳ ସ୍ୱାକ୍ଷର। ସମାଜର ପ୍ରତ୍ୟେକଟି ଚିତ୍ର ସାହିତ୍ୟରେ ପ୍ରତିବିମ୍ବିତ ହେଲେ ସାହିତ୍ୟ ସାର୍ବଜନୀନ ସ୍ୱୀକୃତି ଲାଭ କରିଥାଏ। ସାହିତ୍ୟକୁ ଦର୍ପଣ କୁହାଯାଉଥିଲେ ହେଁ ଏହା ଦର୍ପଣ ଠାରୁ ବହୁ ଶକ୍ତିଶାଳୀ। ମନୁଷ୍ୟ ଦର୍ପଣରେ କେବଳ ନିଜକୁ ଦେଖିଥାଏ, ଅଥଚ ସାହିତ୍ୟରେ ସେ ନିଜକୁ, ନିଜ ପରିବାରକୁ, ପ୍ରତିବେଶୀଙ୍କୁ, ସମାଜକୁ, ରାଷ୍ଟ୍ରକୁ ଓ ବିଶ୍ୱକୁ ଦେଖିଥାଏ। ଦୁଃଖର ବିଷୟ, ସଂପ୍ରତି କେତେକ କବି ଆପଣାକୁ ପ୍ରକାଶିତ ଓ ବିଜ୍ଞପିତ କରିବାରେ ମନୋନିବେଶ କରି କବିତା ରଚନା କରୁଛନ୍ତି। ଅଧିକନ୍ତୁ, ସାଂପ୍ରତିକ କବିତାର ଉତ୍ତର ଆଧୁନିକତାର ନାମରେ ବିଲକ୍ଷଣତା ପ୍ରକାଶ ପାଉଛି। ଜୀବନ ଯାପନଧାରାକୁ ସମ୍ପୂର୍ଣ୍ଣ ବେଖାପ କେତୋଟି ଅବାନ୍ତର ଘଟଣା କବିତାରେ ଚିତ୍ରଣ କରି କେତେଜଣ କବି ଆତ୍ମସନ୍ତୋଷ ଲାଭ କରୁଛନ୍ତି। ସେମାନଙ୍କ କବିତାରେ ସତେଜ ଅନୁଭୂତି, ମୌଳିକ ଅଭିବ୍ୟକ୍ତି ଓ ପ୍ରାଣସ୍ପର୍ଶୀ ଭାଷା ପ୍ରତିଫଳିତ ହେଉନଥିବାରୁ ସ୍ରଷ୍ଟା ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାରେ ଲାଗିଛି। ତଥାପି ସେମାନେ ଉତ୍ତର ଆଧୁନିକତାର ଦ୍ୱାହି ଦେଇ କବିତା ରଚନାରେ ମଗ୍ନ।
ଗଳ୍ପ ଓ ଉପନ୍ୟାସରେ ମଧ୍ୟ ବହୁ ଅସ୍ପଷ୍ଟ ଚିତ୍ର ପୂର୍ବେ ପ୍ରଦାନ କରାଯାଉଥିଲେ ହେଁ ନୂତନ ଲେଖାରେ ସେଭଳି ପ୍ରଚେଷ୍ଟା ନାହିଁ। ନୀତିପୂର୍ଣ୍ଣ ରୂପକ ଏକ ବିରାଟ ପ୍ରବଞ୍ଚନା ଅଥବା ଏକ ନିର୍ମମ ପରିହାସରେ ପରିଣତ ହୋଇଛି। ପାରମ୍ପରିକ ଗଳ୍ପ ଉପନ୍ୟାସରେ ପୁରାତନ ମିଥ୍ ଓ ସ୍ଥାୟୀ ପ୍ରତୀକର ବହୁଳ ବ୍ୟବହାର ହେଉଥିଲେ ହେଁ ଉତ୍ତର ଆଧୁନିକ କୁହାଯାଉଥିବା ଗଳ୍ପ ଉପନ୍ୟାସ ସମସାମୟିକ ମିଥ୍ ଓ ପ୍ରତୀକ ସବୁର ସାମନା କରୁଛି ଏବଂ ସେ ସବୁକୁ ଯୁକ୍ତି ଦ୍ୱାରା ଖଣ୍ଡନ କରୁଛି। ପୂର୍ବ ସମୟର ପ୍ରବନ୍ଧରେ ପ୍ରଚଳିତ ରାଷ୍ଟ୍ରୀୟ ଚିନ୍ତାଧାରା ପ୍ରତିପାଦିତ ହୋଇଥିଲେ ହେଁ ଆଜି ବ୍ୟକ୍ତି ଚିନ୍ତାଧାରା ଓ ରାଷ୍ଟ୍ରୀୟ ଚିନ୍ତାଧାରାର ସଂଘର୍ଷ ପ୍ରତିଫଳିତ। ସଂପ୍ରତି ରାମଚନ୍ଦ୍ର ବେହେରା, ଶ୍ୟାମ ପ୍ରସାଦ ଚୌଧୁରୀ, ଜଗନ୍ନାଥ ଦାସ, ହୃଷୀକେଶ ପଣ୍ଡା, ନାରୁ ମହାନ୍ତି, ପଦ୍ମଜ ପାଳ, ପ୍ରଫୁଲ୍ଲ ତ୍ରିପାଠୀ, ଜଗଦୀଶ ମହାନ୍ତି, ଯଶୋଧାରା ମିଶ୍ର, କହ୍ନେୟୀଲାଲ ଦାସ, ତରୁଣକାନ୍ତି ମିଶ୍ର, ସତ୍ୟମିଶ୍ର, ସମରେନ୍ଦ୍ର ପ୍ରସାଦ ଦାସ, ସୁରେଶ ଶତପଥୀ, ଅଶୋକ ଚନ୍ଦନ, ପରେଶ କୁମାର ପଟ୍ଟନାୟକ, ବିଷ୍ଣୁ ସାହୁ, ଜ୍ୟୋତି ନନ୍ଦ, ଦୀପ୍ତିରଞ୍ଜନ ପଟ୍ଟନାୟକ, ସୁଶୀଳ ନନ୍ଦ, ସନ୍ତୋଷୀ ସ୍ୱାଇଁ ଓ ଅନ୍ୟମାନେ ଆଧୁନିକ ଗଳ୍ପର ନାମୀ କାଥାକାର। ଅନ୍ୟାନ୍ୟ ବହୁ ଗାଳ୍ପିକଙ୍କ ନାମ ସ୍ଥାନିତ କରାଯାଇ ପାରି ନାହିଁ। ଏମାନଙ୍କ ମଧ୍ୟରୁ କେଉଁମାନେ ଉତ୍ତର ଆଧୁନିକ ଗାଳ୍ପିକ ବା ଔପନ୍ୟାସିକ ତାହା ହିଁ ବିଚାର୍ଯ୍ୟ। ଆଧୁନିକ ଓଡ଼ିଆ ପ୍ରବନ୍ଧ ରଚନାରେ ଯେଉଁମାନେ ଖ୍ୟାତି ଅର୍ଜନ କରିଛନ୍ତି ସେମାନେ ହେଲେ ବୈଷ୍ଣବ ଚରଣ ସାମଲ, ଦାଶରଥୀ ଦାସ, ବିଜୟ କୁମାର ନନ୍ଦ, ଦୀପକ ପାଲ, ବାବାଜୀ ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାନ୍ତି, ହେମନ୍ତ କୁମାର ଦାସ, ଗୋବିନ୍ଦ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ମିଶ୍ର, ଦାଶ ବେନହୁର, ଅସିତ ମହାନ୍ତି, ଆଦିକନ୍ଦ ସାହୁ, ପଞ୍ଚାନନ ମହାନ୍ତି, ସ୍ମିତା ମହାନ୍ତି, ଚିନ୍ମୟୀ ମହାପାତ୍ର, ଅଭୟ ଦ୍ୱିବେଦୀ, ଶୈଳଜ ରବି, ଅଲେଖ ଚନ୍ଦ୍ର ପଢ଼ିଆରୀ, ଉଦୟନାଥ ସାହୁ, ବିଷ୍ଣୁପ୍ରିୟା ଓତା, ପ୍ରଫୁଲ୍ଲ କୁମାର ମହାନ୍ତି, ଲାବଣ୍ୟଚନ୍ଦ୍ର ସାହୁ, ପୁରୁଷୋତ୍ତମ ବିଶ୍ୱାଳ, ଛାୟାକାନ୍ତ ଷଡଙ୍ଗୀ, ଦୋଳଗୋବିନ୍ଦ ବିଶି, ରମାକାନ୍ତ ରାଉତ, ଉପେନ୍ଦ୍ର ବିଶ୍ୱାଳ ଓ ଆହୁରି ଅନେକ। ଏହି ପ୍ରାବନ୍ଧିକ ମାନଙ୍କ ମଧ୍ୟରୁ କେତେଜଣ ଉତ୍ତର ଆଧୁନିକତାକୁ ଯେ ଆପଣେଇ ନେଇଛନ୍ତି ତାହା ନିର୍ଣ୍ଣୟ କରିବା ଏତେ ସହଜ ନୁହେଁ। ନାଟକ ଓ ଏକାଙ୍କିକାରେ ନୀଳାଦ୍ରି ଭୂଷଣ ହରିଚନ୍ଦନ, ବିଜୟ ମିଶ୍ର, ଚନ୍ଦ୍ରଶେଖର ନନ୍ଦ, ବିଜୟ ଶତପଥୀ, ଆନନ୍ଦଚନ୍ଦ୍ର ପହୀ, ଦିଲ୍ଲୀଶ୍ୱର ମହାରଣା, ଦୀନେଶ ଦାସ, ରତିରଞ୍ଜନ ମିଶ୍ର, ନାରାୟଣ ସାହୁ, ସରୋଜ ମିଶ୍ର ଓ ଅନ୍ୟମାନେ ସୁନାମ ଅର୍ଜନ କରିଛନ୍ତି। ସେମାନେ ଉତ୍ତର ଆଧୁନିକତାର ଚିତ୍ର ଆଙ୍କିଛନ୍ତି କି ନାହିଁ ଦର୍ଶକ ହିଁ କହିପାରିବେ।
ଅନେକେ ମତ ରଖନ୍ତି, ଉତ୍ତର ଆଧୁନିକ ସାହିତ୍ୟରେ ସକଳ ବାଦର ବିଲୋପ ଘଟିଛି ଏବଂ ଏହା ଏକ ମାନସିକ ସ୍ଥିତି ସଂଘର୍ଷର ପ୍ରତିରୂପ। ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ, ଏହା ଆନ୍ଦୋଳନ, ବିଚାର ଧାରା ବା ଫେସନ ନୁହେଁ, ଦର୍ଶନ, ଚିନ୍ତନ, ବ୍ୟବସ୍ଥା, ସଭ୍ୟତା ସେଥିରେ ବାନ୍ଧି ହୋଇଯିବାକୁ ଚାହେଁ ନାହିଁ। ସେ ଚାହେଁ ମୁକ୍ତି ଓ ସ୍ୱାୟତ୍ତତା। ବିଶିଷ୍ଟ ସମାଲୋଚକ ଲଡନାରଙ୍କ ଭାଷାରେ ଉତ୍ତର ଆଧୁନିକତା ଏକ ନୂତନ ଯୁଗ ନୁହେଁ, ବରଂ ଏହା ଆଧୁନିକତାର କେତେକ ତତ୍ତ୍ୱକୁ ନିଜ ଭିତରେ ସାମିଲ କରିନେଇଛି। ଏଥିରେ ବିଜ୍ଞାନ ଓ ପ୍ରଦ୍ୟୋଗ ମାନବତାକୁ ମୁକ୍ତି ଦେବାକୁ ପ୍ରୟାସ ରହିଛି। ସାଂପ୍ରତିକ ସଭ୍ୟତାରେ ନାନାପ୍ରକାର ପରିବର୍ତ୍ତନ ପରିଦୃଷ୍ଟ। ଆଜି ମନ କାଲିକୁ ଅନିଶ୍ଚିତ। ବାକ୍ୟରେ ତିକ୍ତତା ଓ ଭିତରେ ଶୂନ୍ୟତା। ଏହା ସତ୍ୱେ ନିରାଶ ନ ହୋଇ ନୂତନ ଭୂମିକା ଆବିଷ୍କାର ନିମିତ୍ତ ଆତ୍ମିକ ସନନ୍ଦ ରୂପେ ପ୍ରତିଭାତ ହେବା ସମୀଚୀନ। ୧୯୬୮ରେ ପ୍ୟାରିସ୍ ଛାତ୍ର ବିଦ୍ରୋହକୁ କେହି କେହି ଉତ୍ତର ଆଧୁନିକତା ବୋଲି ଆଖ୍ୟା ଦେଲେ। ଶ୍ରୀଜଗନ୍ନାଥଙ୍କ କରୁଣାରୁ ଓଡ଼ିଆ ସାହିତ୍ୟର କେହି ପ୍ରବକ୍ତା ଏପରି ନକୁହନ୍ତୁ ବା ପ୍ରଶୟ ନ ଦିଅନ୍ତୁ। ଓଡ଼ିଆ ସାହିତ୍ୟରେ ଆଧୁନିକତା ଏବେ ମଧ୍ୟ ଅସଂପୂର୍ଣ୍ଣ। ତେଣୁ ଉତ୍ତର ଆଧୁନିକତାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଉତ୍ତର ଆଧୁନିକତାରେ କୌଣସି ଆଦର୍ଶର ସ୍ଥାନ ନାହିଁ। ବିଚାରଧାରାକୁ ଉତ୍ତର ଆଧୁନିକତା ସ୍ୱୀକାର କରେ ନାହିଁ।
ଓଡ଼ିଆ ସାହିତ୍ୟରେ ଉତ୍ତର ଆଧୁନିକତା ବିଚାର ବିମର୍ଷ ଦୀର୍ଘ ଚାରିଦଶନ୍ଧି ଧରି ହୋଇଆସିଛି। ଏହାଦ୍ୱାରା ସାହିତ୍ୟକୁ ତାର ସ୍ୱାୟତ୍ତ କେନ୍ଦ୍ରରୁ ଦୂରେଇ ଦିଆଯାଉଛି। ମନେ ହେଲା ଏହା ଯେମିତି ବୁଦ୍ଧିକୁ ନେଇ କସରତ କରୁଥିବା ଲୋକମାନଙ୍କର ଏକ କୌତୁକ ବିଳାସ। ଏହା ସତ୍ୟ ଯେ ସାହିତ୍ୟ ବିନା ମଣିଷର ମୁକ୍ତି ନାହିଁ। ସାହିତ୍ୟରେ ଏପରି ଅସୀମଶକ୍ତି ଅଛି ଯେ ତା ଉପରେ କୌଣସି ଅଦରକାରୀ ବିଚାରଧାରାକୁ ଜବରଦସ୍ତ ଚାପିଦେଲେ ଓ ଗୋଟିଏ ବୈଚାରିକ କାରାବାସରେ ସାହିତ୍ୟକୁ ଆବଦ୍ଧ ରଖିଲେ ତାହା ଦିନେ ନା ଦିନେ କାରା ପ୍ରାଚୀର ଭାଙ୍ଗି ମୁକ୍ତ ହୋଇ ଆସିବ। ସାହିତ୍ୟ ବିଚାରଧାରା ଦ୍ୱାରା ପ୍ରଭାବିତ ହୁଏ ସତ୍ୟ, ମାତ୍ର ତାହା ଯଦି ମନୁଷ୍ୟ ମୁକ୍ତିର ମାର୍ଗକୁ ଅବରୋଧ କରିଦିଏ, ତେବେ ମଧ୍ୟ ସାହିତ୍ୟ ସେହି ବିଚାରଧାରାକୁ ଅସ୍ୱୀକାର କରିଦିଏ, ଆମ ସାହିତ୍ୟ ଏବେ ମଧ୍ୟ ୟୁରୋପ କୈନ୍ଦ୍ରିକ। ଏବେ ମଧ୍ୟ ସାହିତ୍ୟ ପାଇଁ ଆମର ମୌଳିକ ଉପାଦାନ ବାହାରି ନାହିଁ। ଯେଉଁଦିନ ସାହିତ୍ୟ ଉପପାଦ୍ୟ ଆମର ସୃଜନାତ୍ମକ ସାହିତ୍ୟ ଭିତରୁ ସୃଷ୍ଟି ହେବ ସେହି ଦିନ ଆମ ସାହିତ୍ୟ ରାଜମାର୍ଗ ଆବିଷ୍କାର କରିପାରିବ, ଅଯଥା ଉତ୍ତର ଆଧୁନିକତା ନାମରେ ଗୁଡାଏ ଧୂଆଁବାଣ ସୃଷ୍ଟି କରି ସାରସ୍ୱତ ପରିବେଶକୁ ଧୂମାୟିତ କରିଦେବା ବୋଧହୁଏ ଠିକ୍ ନୁହେଁ ବୋଲି କହିଲେ ଅତିରଞ୍ଜିତ ହେବ ନାହିଁ।
ବାସ୍ତବରେ ଏହା ଏକ ସୁନ୍ଦର ପ୍ରବନ୍ଧ।
ଆଲୋଚକ ଙ୍କୁ ବିନମ୍ର ପ୍ରଣାମ । ଉତ୍ତରସତୁରୀ ଓଡିଆ ସାହିତ୍ୟ ର ଲକ୍ଷଣ ଓ ପ୍ରବୃତ୍ତି ଆଲୋଚନା କ୍ରମରେ ପ୍ରତିପାଦନ କରିବାର ପ୍ରୟାସ କରିଛନ୍ତି ।ଏଣୁ ପ୍ରଥିତଯଶା ଆଲୋଚକ ଙ୍କ ବଳିଷ୍ଠ ସହାୟତା ହୃଦୟ କୁ ସ୍ପର୍ଶ କଲା।
ଏହି ପ୍ରବନ୍ଧର ଅସଲ ଆଭିମୁଖ୍ୟ ଜଣାପଡ଼ୁନି |
ଆଲୋଚକ ବିଶେଷ ଭାବରେ ବିଭିନ୍ନ କବି ଓ ଲେଖକଙ୍କୁ ପଢିନାହାନ୍ତି, କେବଳ କେତେକ ନାମ ଉପରଠାଉରିଆ ଭାବରେ
ଉଲ୍ଲେଖ କରିଛନ୍ତି, ତାଙ୍କ ଆଲୋଚନା ପରିଚ୍ଛନ୍ନ ମନେ ହେଉନାହିଁ,
ତେବେ ଓଡ଼ିଆ ପ୍ରବନ୍ଧର ଅଭାବ ବେଳେ ଅନ୍ତର୍ଯ୍ୟାମୀ ବାବୁଙ୍କ ଲେଖା କେବଳ ସାନ୍ତ୍ୱନା |
ସମ୍ପାଦକଙ୍କୁ ଶୁଭକାମନା |