“ହୃଦୟର ଜ୍ୟୋତ୍ସ୍ନା ମୋର, ପ୍ରାଣର ଲକ୍ଷ୍ମୀ ମୋର, ସାନ ଭଉଣୀଟି ମୋର,”
ଚିଟାଉର ଆରମ୍ଭ ଏମିତି ହୋଇଥିଲା ୧୯୩୩ ମସିହାରେ; ୨୮ବର୍ଷର ଏକ ଓଡ଼ିଆପ୍ରାଣ ଯୁବକ ତା’ର ସହଧର୍ମିଣୀକୁ ପ୍ରଣୟର ସମ୍ବୋଧନ ଲେଖିଥିଲା ନିଜର ମାତୃଭୂମି ପାଇଁ କିଛି କରିବାର ଆବେଗ।
ସୁଧୀ ସାହିତ୍ୟପ୍ରେମୀ ସୁହୃଦ ସମଗ୍ର;
ଚିଠିର ମଧ୍ୟଭାଗରେ ଥିଲା ସେଇ କେତେ ଧାଡ଼ି, ଯାହା ଆଜିର ଶେଷପୃଷ୍ଠାର ପ୍ରାରମ୍ଭିକ ସ୍ୱାକ୍ଷର। ତାହା ହେଲା,
“ପ୍ରଥମ ଓ ପ୍ରଧାନ କାରଣ ହେଉଛି ସଂସାରର ଏ ଜଞ୍ଜାଳ। ଏତେ ଲୋକ ମତେ ଚାହିଁ ରହିଛନ୍ତି- ସେମାନଙ୍କର ଦୁଃଖ ମୁଁ ଆଖିରେ ଦେଖୁଛି-ଅଥଚ କାହିଁ? ସାହାଯ୍ୟ କରି ପାରିଛି କାହିଁ?……‘ହେମଶସ୍ୟ’ର ବିକ୍ରୟଲବ୍ଧ ଧନ ଆମ ଗାଁକୁ ଦେବି ବୋଲି ସ୍ଥିର କରି ବିକୁଛି। କିଛି ହେବାର ଆଶା ଅଛି। ତମେ ସେଠି କିଛି ବିକେଇ ପାରିବ କି?”
ଆଜିର କେତେଜଣ ସାହିତ୍ୟିକ ଏହି ଭଳି ଭାବି ପାରିବେ; କୁହନ୍ତୁ ତ! କଥା ପଦକ ସାମାନ୍ୟ ଲାଗିପାରେ ହେଲେ ସେଇ ଭିତର ଆବେଗାଞ୍ଜଳି ହିଁ କହେ ମାତୃଭୂମି ପ୍ରତି ମାୟାଧର ମାନସିଂହଙ୍କ ପ୍ରେମ ଭାବର କଥା।
ଏଇ ମାସ ‘ଅପ୍ରିଲ୍ ପହିଲା’ ନାମରେ ଓଡ଼ିଶାର ଜନତାଙ୍କ କୋଟିକୋଟି ଟଙ୍କା ବ୍ୟୟରେ ସହର ସବୁକୁ ବର୍ଣ୍ଣବିବର୍ଣ୍ଣ କରାଯିବ। ଓଡ଼ିଶା ଦିବସ ନାଁରେ ସାରା ରାତି ସହରକୁ ରଙ୍ଗୀନ୍ କରାଯିବ। ହେଲେ ଓଡ଼ିଆ ଜାତିର ସମସ୍ୟା ଗୋଟିଗୋଟି କରି ସେହି ମତେ ରହିଥିବ। ସ୍ୱତନ୍ତ୍ର ପ୍ରଦେଶ ହେବାର ୮୫ ବର୍ଷ ପରେ ମଧ୍ୟ ଏହି ସମସ୍ୟା ସବୁ ବଳବତ୍ତର ହୋଇ ରହିଛି। ସମୃଦ୍ଧ ଓଡ଼ିଆ ଭାଷାକୁ ସରଳ ଓଡ଼ିଆ ଜାତିର ହୃଦକନ୍ଦରରେ ରଖିବାର ପ୍ରୟାସ ଅତି କ୍ଷୀଣ। ଗାଁ ଗହଳି ଧିରେଧିରେ ହଜି ଯାଉଛି। ସହର ସବୁ ଆହୁରି ସମସ୍ୟାମୟ ହୋଇ ଉଠୁଛି। ଜନତା ଓ ଶାସନକଳ ମଧ୍ୟରେ ଭାଷା, ସାହିତ୍ୟ ଓ ଜାତିପ୍ରେମର ଦୂରତା ବଢ଼ିବାରେ ଲାଗିଛି।
ଏଇ ଜାତିର ଗୋଟିଏ ପୁଅକୁ, ତା ମାଆ କହିଥିଲେ,
“ସଂସ୍କୃତ ଶ୍ରୁତିଗମ୍ୟ ହୋଇପାରୁନାହିଁ ପୁଅ; ଓଡ଼ିଆରେ ଯଦି ତୁ ଭାଗବତଙ୍କୁ ଲେଖି ଦ୍ୟନ୍ତୁ ତେବେ ସମସ୍ତ ଆଗ୍ରହୀ ନାରୀଗଣ ତାଙ୍କୁ ପଢ଼ିପାରନ୍ତେ।”
ଜନନୀର ଏଇ ପଦକ ଗୋଟିଏ ସାଧାରଣ ଗାଁ’ର ଏକ ସରଳ ନିରୀହ ପ୍ରାଣକୁ ‘ଅତିବଡ଼ି’ କରି ଦେଇଥିଲା। ଓଡ଼ିଆ ଭାଷା ଓ ସାହିତ୍ୟ ସଂସାରକୁ ସିଏ ଯେଉଁ ଅମୂଲ୍ୟନିଧି ଦେଇ ଯାଇଥିଲା; ତାହା ଏହି ଜାତିର ଅମର ଆଲେଖ୍ୟ ହୋଇ ରହିଅଛି। ଏବେ ଖୋଜୁଛି ମୁଁ ସେହି ମା – ପୁଅଙ୍କୁ।
ଏଇ ଜାତିରେ ଗୋଟିଏ ରାଜା, ନିଜ ଜାତି ଓ ସଂସ୍କୃତିର ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ନିଜେ ବିଧର୍ମୀ ହୋଇଯାଇଥିଲା। ଏଣୁତ ଏଇ ଜାତିର ମଉଡ଼ମଣି ନିଜେ ରତ୍ନ ସିଂହାସନରୁ ଓହ୍ଲାଇ ଚାଲି ଆସୁଥିଲେ ଦ୍ୱାରଦେଶକୁ ତାହାକୁ ଦର୍ଶନ ଦେବା ପାଇଁ। ଅପୂର୍ବ ଥିଲା ଏଇ ଦେଶପ୍ରେମ।
ଏଇ ଜାତିର ଗୋଟିଏ ପୁଅ ଓଡ଼ିଶାର କଳା, କାରିଗରୀ, ଶିଳ୍ପକୁ ଦେଶ ବିଦେଶରେ ପହଞ୍ଚାଇବାକୁ ଓ ମାତୃଭୂମିକୁ ଶାସନକଳର ଉତ୍ତମ ଦୃଷ୍ଟିକୁ ଆଣିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିୟାନ ହେବାକୁ ପଛାଇ ନଥିଲା। ହେଲେ ଏଇ ଅନେଡ଼ମୂକ ଜାତିର ନିଶ୍ଚେଷ୍ଟ ଅତଡ଼ା କାନରେ ତା’ର ଡାକ ପଡ଼ି ପାରିନି ଭାଇ ଓ ଭଉଣୀମାନେ; ଆଜି ଯାଏଁ।
ଅଘମର୍ଷଣ ମାତୃଭୂମିର ପ୍ରେମ ଓ ଜାତିପ୍ରାଣ ସହୃଦୟ ସମଗ୍ରଙ୍କର ଆବଶ୍ୟକ ରହିଛି ଓଡ଼ିଆ ଭାଷା ଓ ସାହିତ୍ୟ ନିମନ୍ତେ। ଏଣୁ ଆସନ୍ତୁ, ଆମ ଭାଷା ଓ ସାହିତ୍ୟର ସମୃଦ୍ଧି ଓ ପ୍ରଶସ୍ତି ନିମନ୍ତେ ସତରେ କିଛି କରିବା; ବାତ୍ଫୁୁରସି ନୁହେଁ।
ବନ୍ଦେ ଉତ୍କଳ ଜନନୀ
– ପ୍ରଭୂ
-ପ୍ରଭୂ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ , ୨୦୨୨ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ । )