କବିତା ଆସର ବା ଅନ୍ୟ କଥାରେ କହିଲେ ‘କବିତା ପାଠୋତ୍ସବ’ ଓଡିଆ ସାଂସ୍କୃତିକ ଜୀବନର ଅନ୍ୟତମ ଅଙ୍ଗ। ଏଭଳି ପାଠୋତ୍ସବମାନ ବର୍ଷସାରା ବିଭିନ୍ନ ଅବସରରେ ଆମ ରାଜ୍ୟରେ ବିବିଧ ରୂପରେ ପ୍ରତିଭାତ ହୋଇଥାଆନ୍ତି। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଯେ ଏକଥା ନ ହୁଏ ତା’ ନୁହେଁ। ବିଶେଷତଃ ହିନ୍ଦୀ ଭାଷୀ ରାଜ୍ୟ ମାନଙ୍କରେ ‘କଵି ସମ୍ମେଲନ୍’ ବା ‘ମୁଶାୟରା’ ହେଉଛି ଜନତା ଜନାର୍ଦ୍ଦନଙ୍କ ସମକ୍ଷରେ ସାହିତ୍ୟ ପରିବେଷଣର ଏକ ମୁଖ୍ୟ ମାଧ୍ୟମ। ସେଗୁଡ଼ିକରେ ମଂଚ ସାମନାରେ ବସିଥିବା ଶ୍ରୋତୃମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରୁଥାଆନ୍ତି କବିମାନଙ୍କ କଣ୍ଠରେ ପରିବେଷିତ ଅପୂର୍ବ କାବ୍ୟରସ, ଏବଂ ସେହି ହୃଦୟସ୍ପର୍ଶୀ ସାରସ୍ବତ ପରିବେଶରେ ଏମିତି ମସଗୁଲ ହୋଇଯାଆନ୍ତି ଯେ ସଭାର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଆଗ୍ରହର ସହ ବସିରହିଥାଆନ୍ତି ନିଜ ଆସନରେ। ଏଠି ଓଡ଼ିଶାରେ କିନ୍ତୁ ଆମର ତଥାକଥିତ କବିତା ପାଠୋତ୍ସବଗୁଡିକର ପରିସ୍ଥିତି ଭିନ୍ନ।
ଆମର କବିତା ଆସରଗୁଡ଼ିକର ନିରସପଣିଆ କିନ୍ତୁ ସ୍ପଷ୍ଟ ବାରିହୋଇପଡେ। ମଂଚରେ କବିତା ପଠନରେ ମଗ୍ନ କବିମାନଙ୍କର ପ୍ରକାଶ ଭଙ୍ଗୀ ପ୍ରତ୍ୟକ୍ଷ କଲେ ମନେହୁଏ ସତେ ଯେମିତି ନିଜ ଦ୍ବାରା ରଚିତ କବିତାର ଭାବରେ ସେମାନେ ନିଜେ ହିଁ ଅନୁପ୍ରାଣିତ ନୁହନ୍ତି, ଶ୍ରୋତା ବା ପାଠକଙ୍କୁ ଅନୁପ୍ରେରିତ କରିବା ତ ଦୂରେ ଥାଉ। ଅଧିକାଂଶ କବି ନିଜର ହାତଲେଖା କାଗଜ ଖଣ୍ଡିକୁ ଚାହିଁ କବିତାଟି ପଢନ୍ତି। ନିଜ କଲମରୁ ସୃଷ୍ଟ କବିତାଟି ଯଦି ଯଥାର୍ଥରେ ସ୍ବୟଂ କବିଙ୍କର ମରମରୁ ଝରିଥାଏ ତେବେ ତାହାର ପ୍ରତ୍ୟେକଟି ଶବ୍ଦ ତ ତାଙ୍କର ସ୍ମୃତିରେ ଛାପିହୋଇ ରହିଯିବା କଥା। ସେପରି ହୁଏନାହିଁ। ଫଳରେ କବିତାପାଠଟି ଏକରକମ ନିଷ୍ପ୍ରାଣ ହୋଇଯାଏ, ଏବଂ ବେଳେବେଳେ ଜାଣି ହୁଏନାହିଁ ଯେ କବିଙ୍କ ସୁପ୍ତ କଣ୍ଠରେ ଆମେ କବିତାଟିଏ ଶୁଣୁଛୁ, ନା ନିରସ ଗଦ୍ୟଟିଏ।
ଦ୍ବିତୀୟ କଥା, ଆମ ପ୍ରିୟ କବିଗଣ ହୃଦୟଙ୍ଗମ କରିବା ଉଚିତ ଯେ କବିତାର ଆବୃତ୍ତି ଓ ତାହାର ପରିବେଷଣ କରିବା ଦୁଇଟି ଭିନ୍ନ କଥା। ଦ୍ବିତୀୟଟି ହିଁ ମଂଚ ସାମନାରେ ବସିଥିବା କାବ୍ୟରସିକମାନଙ୍କ ହୃଦୟକୁ ଯଥାର୍ଥ ଭାବରେ ସ୍ପର୍ଶ କରିପାରେ। ଏବେ ନିକଟରେ ଭୁବନେଶ୍ବରରେ ଅନୁଷ୍ଠିତ ଏକ ସାହିତ୍ୟ ସମାରୋହର ମଂଚ ଉପରେ ଏପରି ଏକ ଅପୂର୍ବ ଶୈଳୀର କବିତା ପରିବେଷଣଟିଏ ଦେଖିବାର ସୌଭାଗ୍ୟ ଆମକୁ ପ୍ରାପ୍ତ ହୋଇଥିଲା। ଅନାମ କାବ୍ୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ସ୍ବର୍ଗତ କୁମାର ମହାନ୍ତିଙ୍କ କେତୋଟି ସୁନିର୍ବାଚିତ କବିତାକୁ କେତେଜଣ ପ୍ରବୀଣ କବିତା-ପ୍ରେମୀ ନିଜର ଭାବଗମ୍ଭୀର କଣ୍ଠରେ ଏତେ ମନଛୁଆଁ ଭାବରେ ପରିବେଷଣ କଲେ ଯେ ସଂପୂର୍ଣ୍ଣ ସଭାଗୃହଟି ମନ୍ତ୍ରମୁଗ୍ଧ ହୋଇଯିବା ଭଳି ମନେହେଲା। କେତେକେ କହିପାରନ୍ତି ଯେ କବିତା ହେଉଛି କବିଙ୍କ ଦ୍ବାରା ରଚିତ ଓ ପାଠକଙ୍କ ଦ୍ବାରା ପଠିତ ହେବାର ବସ୍ତୁ। ମଂଚର ମାଇକ୍ ରେ ଶାବ୍ଦିକ ଉଚ୍ଚାରଣ ସହିତ ଏହାର କୋଣସି ସଂପର୍କ ନାହିଁ। କିନ୍ତୁ ଆମକୁ ବୁଝିବାର କଥା ଯେ କବିତାର ସତ୍ତାଟି ପ୍ରକୃତରେ ସଂଚିତ ହୋଇ ରହେ ମଣିଷର ହୃଦୟ ଏବଂ ସ୍ମୃତିରେ। କାଗଜରେ ଏହାର ଆକ୍ଷରିକ ସ୍ବରୂପ ହେଉ ବା ମଂଚ ଉପରେ ଏହାର ପରିପ୍ରକାଶ, ଉଭୟ ଏକା କଥା। ଏହି କାରଣରୁ ତାଳପତ୍ର ପୋଥି ବା କାଗଜ ଉଦ୍ଭାବିତ ହେବାର ବହୁ ପୂର୍ବରୁ ମଧ୍ୟ ଅନେକ କାବ୍ୟ-କବିତା ବ୍ୟକ୍ତିର ମାନସପଟରୁ ରୂପ ନେଇ ଲୋକଙ୍କର ମାନସପଟରେ ହିଁ ସଂରକ୍ଷିତ ହୋଇ ରହୁଥିଲା।
ଅବଶ୍ୟ କବିତା ପାଠକୁ ପ୍ରାଣବନ୍ତ କରିବାର ଆବଶ୍ୟକତାକୁ ରେଖାଙ୍କିତ କରିବା ଦ୍ବାରା, ତାହା ଯେ ନିଜର ନିୟତ ସୀମା ଲଂଘନ କରୁ ସେକଥା ମଧ୍ୟ ଆମେ କହୁନାହୁଁ। ଆମେରେକୀୟ ଶିକ୍ଷାବିତ୍ ହୋଡାରୀ ଡାଭିସ୍ ଙ୍କ ମତରେ କବିତାର ‘ରେସିଟେସନ୍’କୁ ‘ସ୍ଲାମ୍’ ର ସମକକ୍ଷ କରାଯିବା ଉଚିତ ନୁହେଁ। ସ୍ଲାମ୍ କହିଲେ ସେ ବୁଝନ୍ତି ଯେ କବିତାଟିକୁ ଭିନ୍ନଭିନ୍ନ ଭାବଭଙ୍ଗୀ ଦ୍ବାରା ଏକ ନାଟକୀୟ ସ୍ବରୂପ ଦେବା। ଏବେ ହିନ୍ଦୀଭାଷୀ କ୍ଷେତ୍ରମାନଙ୍କରେ ବହୁଳ ଭାବରେ ଦୃଷ୍ଟ ହେଉଥିବା ‘ହାସ୍ୟ କବି ସମ୍ମେଳନ’ମାନଙ୍କରେ ବୋଧହୁଏ ସେଇଆ ହିଁ ଘଟୁଛି, ଯାହା ସ୍ଵାଗତଯୋଗ୍ୟ ନୁହେଁ।
କିନ୍ତୁ ଆମର କହିବାର କଥା, ଆମ ଏଠାର କବିତା ପାଠୋତ୍ସବ ଗୁଡ଼ିକରେ କବିମାନେ ନିଜର କୃତିମାନ ଉପସ୍ଥାପନା କରିବା ବେଳେ କବିତା ପରିବେଷଣର କଳା ପ୍ରତି ସମୁଚିତ ଧ୍ୟାନ ଦିଅନ୍ତୁ। ନଚେତ ମଂଚ ଉପରେ କବିତାକୁ କେବଳ ଅପଦସ୍ଥ କରାଇବା ହିଁ ସାର ହେବ।
ନିହାର ଶତପଥୀ
ଏଇ ଅତ୍ୟାଧୁନିକ କବିତାର ବାସ୍ତବ ରୂପରେଖ
ଚମତ୍କାର ଲେଖା