- ମୁଁ ବର୍ତ୍ତମାନ ଗୋଟିଏ କାମ କରୁଛି, ଯେଉଁମାନେ ନାଁ କରା, ସେମାନଙ୍କର ଗଳ୍ପ ପଢୁନାହିଁ । ଯେଉଁଠି ନୂଆ ଲେଖକଙ୍କର ଗଳ୍ପ ପାଉଛି ସେଗୁଡିକ ପଢୁଛି।
ଆମ ସମୟର ପ୍ରଥିତଯଶା କଥାକାର ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କୁ ବର୍ତ୍ତମାନ ବୟସ ୯୫ ବର୍ଷ। ଓଡିଶା ସରକାରଙ୍କ ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ଅତିବଡୀ ପୁରସ୍କାର, ସାରଳା ସମ୍ମାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ଅନେକ ସମ୍ମାନରେ ଭୂଷିତ ଶ୍ରୀ ପତିଙ୍କର କଲମ ଏ ବୟସରେ ବି ସକ୍ରିୟ ଅଛି। ତାଙ୍କର ୧୧ଗୋଟି ଗଳ୍ପ ସଂକଳନ ପ୍ରକାଶ ପାଇଛି ଏବଂ ତନ୍ମଧ୍ୟରୁ ଅନେକ ଗଳ୍ପ ବିଭିନ୍ନ ବିଦେଶୀ ଭାଷାରେ ଅନୁବାଦିତ ହୋଇ ଆନ୍ତର୍ଜାତିକ ସ୍ୱୀକୃତି ମଧ୍ୟ ପାଇଛି। ଏହି ବରେଣ୍ୟ ସ୍ରଷ୍ଟାଙ୍କ ସହ ତାଙ୍କ ବାସଭବନରେ ସାକ୍ଷାତ କରି ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ବହୁ ସାରସ୍ୱତ ସମ୍ଭାରରେ ପରିପୂର୍ଣ୍ଣ ଆପଣଙ୍କ ଲେଖକୀୟ ଜୀବନ। ତେବେ, ଲେଖିବା ଆରମ୍ଭ କଲେ କେତେ ବର୍ଷ ବୟସରୁ?
ଅଚ୍ୟୁତାନନ୍ଦ ପତି: ସେତେବେଳେ ମୁଁ ପଞ୍ଚମ ଶ୍ରେଣୀର ଛାତ୍ର। ମୁଁ ମାମୁଁଙ୍କ ଘରେ ରହୁଥିଲି। ମୋ ମାମୁଁ ହେଉଛନ୍ତି ଉପେନ୍ଦ୍ର ପଣ୍ଡା, ଯେ କି ଥିଲେ ହରେକୃଷ୍ଣ ମହତାବଙ୍କ ସାଙ୍ଗ। ଯେତେବେଳେ ‘ପ୍ରଜାତନ୍ତ୍ର’ ପ୍ରଥମ ହୋଇ ବାଲେଶ୍ୱରରୁ ବାହାରିଲା, ମାମୁଁ ତାର ସମ୍ପାଦକ ଥିଲେ।
ସାହିତ୍ୟ ଚର୍ଚ୍ଚା: ‘ପ୍ରଜାତନ୍ତ୍ର’ ତେବେ ବାହାରୁଥିଲା ବାଲେଶ୍ୱରରୁ!
ଅଚ୍ୟୁତାନନ୍ଦ ପତି: ହଁ, କଟକରେ ଦୈନିକ ସମ୍ବାଦପତ୍ରର ରୂପ ନେବା ପୂର୍ବରୁ ଏହା ବାଲେଶ୍ୱରରୁ ଏକ ସାପ୍ତାହିକୀ ଭାବରେ ବାହାରୁଥିଲା ।
ସାହିତ୍ୟ ଚର୍ଚ୍ଚା: ସେଥିରେ କ’ଣ ଆପଣଙ୍କ ପ୍ରଥମ ଲେଖାଟି ପ୍ରକାଶ ପାଇଥିଲା?
ଅଚ୍ୟୁତାନନ୍ଦ ପତି: ନା, ନା। ସେ ତ ଗୋଟିଏ ମଜା କଥା। ମାମୁଁ ଉଚ୍ଚ ପ୍ରତିଭାଧର ଥିଲେ। ମୁଁ ପିଲାଦିନେ ଭଲ ନାଚୁଥିଲି। ମାମୁଁ ମତେ ନାଚ ପାଇଁ ଗୀତ ଶିଖାନ୍ତି। ମୋ ମନକୁ ସେତେବେଳେ ଗୋଟିଏ ଝୁଙ୍କ ଆସିଲା, ‘ମୁଁ ଏମିତି ଗୀତ ଲେଖନ୍ତି କି!’ ଗୋଟିଏ ରଫ୍ କାଗଜ ଆଣି ୟାଡୁ ସ୍ୟାଡୁ ପଦମାନ ଯୋଡି ଲେଖିବାକୁ ଚେଷ୍ଟା କଲି। ଏମିତି ଲେଖିବାପରେ ମନକୁ ମନ ଭାବିଲି, ‘ସରସ୍ୱତୀ ଯଦି ନ ମାଡିବେ ତେବେ କବିତା ହେବନାଇଁ।’ ତେଣୁ କବିତାଟି ଧରି କୃଷ୍ଣସାଗର ପୋଖରୀ ପାଖକୁ ଗଲି। ତା’ର ପଛପଟେ ଥିଲା ଗୋଟିଏ ପଳାଶ ବଣ। ଛୁଆ ମନ ତ, ମୁଁ ଭାବିଲି ଯେ ସରସ୍ୱତୀ ସିଧା ବାଟରେ ଆସିବେ ନାଇଁ, ଯଦି ଆସନ୍ତି, ଆସିବେ ସେଇ ପଳାଶ ବଣ ଦେଇ। କବିତାଟି ହାତରେ ଧରିଥାଏ।
ସାହିତ୍ୟ ଚର୍ଚ୍ଚା: କ’ଣ ଥିଲା ସେଇ କବିତା?
ଅଚ୍ୟୁତାନନ୍ଦ ପତି: ଏବେ ଠିକ୍ ମନେ ପଡୁନାହିଁ, ତେବେ ତା’ର ନାଁ ବୋଧହୁଏ ଥିଲା ‘ବ୍ୟଥାର ଝରଣା’। ସେଇ ପୋଖରି ହୁଡାରେ ପଦ୍ମ ଫୁଲଟିଏ ଥୋଇ ତା’ ଉପରେ ରଖିଦେଲି କବିତାଟିକୁ। ବିଶ୍ୱାସ ଥିଲା ଯେ ମାଆ ସରସ୍ୱତୀ ଯେତେବେଳେ ସେଇବାଟେ ଚାଲିଚାଲି ଆସିବେ ମୋ’ର କାଗଜଟି ଉପରେ ନିଶ୍ଚୟ ତାଙ୍କର ପାଦ ପଡ଼ିଯିବ, ଏବଂ ମୁଁ କବି ହୋଇଯିବି।
ସାହିତ୍ୟ ଚର୍ଚ୍ଚା: ତା’ପରେ କ’ଣ ଆଗକୁ ଆହୁରି କବିତା ଲେଖିଚାଲିଲେ?
ଅଚ୍ୟୁତାନନ୍ଦ ପତି: ଲୁଚେଇ ଲୁଚେଇ ଲେଖୁଥିଲି, କିନ୍ତୁ ଅଷ୍ଟମ ଶ୍ରେଣୀରେ ପଢିବା ବେଳକୁ ଥରେ ଦୋଦୋପାଞ୍ଚ ହୋଇ ଭାବିଲି ଯେ ସ୍କୁଲର ମେଗାଜିନକୁ ଗୋଟିଏ କବିତା ଦେଇଦେଲେ ହୁଅନ୍ତା। ଦେଇଦେଲି। ସେଇଟି ବାହାରି ମଧ୍ୟ ଗଲା। ତା’ର ନାଁ ଟି ଥିଲା ‘ଅଶ୍ରୁଧାରା’। ତାପରେ ତ କବିତା ଲେଖିଚାଲିଲି। ସେତେବେଳକୁ ବମ୍ବେରୁ ବାହାରୁଥିବା ହାତଲେଖା ପତ୍ରିକା ‘କୁଙ୍କୁମ’ରେ ମୋ ଲେଖା ପ୍ରକାଶ ପାଇଲା।
ସାହିତ୍ୟ ଚର୍ଚ୍ଚା: ତେବେ ସାହିତ୍ୟ ଭିତରକୁ ଆପଣ ପ୍ରବେଶ କଲେ କବିତା ଜରିଆରେ! କିନ୍ତୁ ଆପଣଙ୍କ ବୃହତ୍ତର ପରିଚୟ ତ ଜଣେ ପ୍ରବୀଣ କଥାକାର ଭାବରେ। କବିତା ଭିତରୁ ବାହାରି ଏ ଗଳ୍ପ ରାଇଜକୁ ପୁଣି କେମିତି ଆସିଲେ?
ଅଚ୍ୟୁତାନନ୍ଦ ପତି: ଏହି ମୋଡ଼ଟି ନେଲା ସେତେବେଳେ ଯେବେ ବିନୋଦ ନାୟକ ଯାଜପୁର କଲେଜକୁ ଆସିଲେ। ମୁଁ ତାଙ୍କୁ ମୋର କବିତା ଦେଖାଇଲି। ଦିନେ ଆମେ ଦୁହେଁ ନଈ କୂଳରେ ବସି କଥା ହେଉଥିଲୁ। ସେ ନିଜେ ବି ଜଣେ କବି ଥିଲେ। ସେ କହିଲେ, “ଦେଖ୍, ଆମେ କବିତା ଲେଖି କିଛି କରିପାରିନାହୁଁ। ବହୁତ ଦଣ୍ଡ-ବୈଠକ ମାରିଲୁଣି। ଏଥିରେ ଉଠି ହେବନାହିଁ। ତୁ ଗଳ୍ପ ଲେଖ।” ଜାଣିନି, ସେ କାହିଁକି ଏମିତି କହିଲେ। ମୁଁ ପଚାରିଲି ଯେ ଗଳ୍ପ କେମିତି ଲେଖିବି? ସେ କହିଲେ, ତୁ ପ୍ରଥମେ କବିତା ଛାଡ୍।
ସାହିତ୍ୟ ଚର୍ଚ୍ଚା: ବୋଧହୁଏ ତାହାପରେ ଆରମ୍ଭ ହୋଇଗଲା ଗଳ୍ପ ଲେଖିବା!
ଅଚ୍ୟୁତାନନ୍ଦ ପତି: ମୁଁ ତାଙ୍କ କଥାରେ ପ୍ରଥମେ ଲେଖିଲି ଗଳ୍ପ, ‘ପ୍ଲସ୍ ମାଇନସ୍’। ଏହା ଜଣେ ଗଣିତ ଶିକ୍ଷକଙ୍କ ଜୀବନ ଗାଥା। ସେଥିରେ ଦର୍ଶାଇ ଥିଲି ଯେ କେମିତି କ୍ଲାସ୍ ରେ ତାଙ୍କର ସବୁ ଅଙ୍କ ଛିଡି ଯାଉଛି, କିନ୍ତୁ ଘରେ ଜୀବନର ଅଙ୍କ ଛିଡୁନାହିଁ। ସେଇଟି ‘ଆସନ୍ତାକାଲି’ରେ ବାହାରିଲା।
ସାହିତ୍ୟ ଚର୍ଚ୍ଚା: ତେବେ କ’ଣ ତା’ପରେ ଲେଖିଚାଲିଲେ ଗଳ୍ପ ହିଁ?
ଅଚ୍ୟୁତାନନ୍ଦ ପତି: ହଁ, ତା’ପରେ ମୋ’ର କବିତା ହୋଇଗଲା ମାଇନସ୍, ଆଉ ଗଳ୍ପ ଲେଖିବାଟା ହେଲା ପ୍ଲସ୍। ଏଇମିତି ୧୯୫୨ ମସିହାରୁ ମୁଁ ଗଳ୍ପ ଲେଖିବା ଆରମ୍ଭ କଲି।
ସାହିତ୍ୟ ଚର୍ଚ୍ଚା: ତେଣୁ ଆପଣଙ୍କର କୌଣସି କବିତା ସଂକଳନ ପ୍ରାୟ ନାହିଁ, ସବୁତକ ହିଁ ଗଳ୍ପ ସଂକଳନ।
ଅଚ୍ୟୁତାନନ୍ଦ ପତି: ଅଛି ନା, ଗୋଟିଏ କାବ୍ୟ ସଂକଳନ – ‘କାହାଣୀ ନୁହେଁ’।
ସାହିତ୍ୟ ଚର୍ଚ୍ଚା: ହଁ, ସେଇ ଗୋଟିକୁ ଛାଡ଼ି!
ଅଚ୍ୟୁତାନନ୍ଦ ପତି: ବାକି ସବୁତକ ଗଳ୍ପ।
ସାହିତ୍ୟ ଚର୍ଚ୍ଚା: ଏଠି ଗୋଟିଏ କଥା ମନକୁ ଆସୁଛି, କେବଳ ଗଳ୍ପ କାହିଁକି? ଉପନ୍ୟାସ ମଧ୍ୟ କାହିଁକି ନୁହଁ?
ଅଚ୍ୟୁତାନନ୍ଦ ପତି: ଗଳ୍ପର ଗୋଟିଏ ସଂଜ୍ଞା ହେଉଛି, ନାତିବୃତ୍ତ, ଅର୍ଥାତ୍, ଅଳପ କଥା। ଏ ବିଷୟରେ ଆପଣଙ୍କୁ ଯୋଡିଏ କଥା କହିବି, (୧) ନିଜ ବିଷୟରେ ଯେ ବେଶୀ କହେ, ସେ ତାହା କରେ ନିଜର ଦୁର୍ବଳତା ଲୁଚାଇବା ପାଇଁ। (୨) ହ୍ୱେନ୍ ଗୁଡ଼୍ ଇଜ୍ ଇନ୍ ବ୍ରିଫ୍, ଇଟ୍ ଇଜ୍ ଡ଼ବଲି ଗୁଡ଼୍। ହ୍ୱେନ୍ ବ୍ୟାଡ଼୍ ଇଜ୍ ଇନ୍ ବ୍ରିଫ୍, ଇଟ୍ ଇଜ୍ ନଟ୍ ସୋ ବ୍ୟାଡ଼୍। ତେଣୁ ଅଳ୍ପରେ କହିଲେ ଭଲ।
ସାହିତ୍ୟ ଚର୍ଚ୍ଚା: ସେକ୍ସପିଅର୍ କହିଥିଲେ ଯେ, ‘ବ୍ରେଭିଟି ଇଜ୍ ଦି ସୋଲ୍ ଅଫ୍ ୱିଟ୍’।
ଅଚ୍ୟୁତାନନ୍ଦ ପତି: ହଁ, ସେ କହିଥିଲେ, ‘ସୋଲ୍ ଅଫ୍ ୱିଟ୍’।
ସାହିତ୍ୟ ଚର୍ଚ୍ଚା: ତେବେ ସେହି ସଂକ୍ଷିପ୍ତପଣିଆକୁ ଆପଣାଇବା ପାଇଁ ଆପଣ ଗଳ୍ପକୁ ଆସିଲେ, ଏବଂ ଗୋଟିଏ ବି ଉପନ୍ୟାସ ଲେଖିଲେନାହିଁ।
ଅଚ୍ୟୁତାନନ୍ଦ ପତି: ହଁ।
ସାହିତ୍ୟ ଚର୍ଚ୍ଚା: ଏହାହିଁ ଆପଣଙ୍କ ଅନନ୍ୟତା। ଆପଣ ଗଳ୍ପକୁ ହିଁ ବାଛିନେଲେ ନିଜର ମାଧ୍ୟମ ଭାବରେ, ଏବଂ ସେଥି ସହିତ ହିଁ ସଂଶ୍ଲିଷ୍ଟ ହୋଇରହିଲେ ସାରା ଜୀବନ।
ଅଚ୍ୟୁତାନନ୍ଦ ପତି: ଗଳ୍ପ ହିଁ ମୋର ମାଧ୍ୟମ ହୋଇ ରହିଗଲା।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା, ଆଜିକାଲିକାର ଗଳ୍ପ, ଅର୍ଥାତ୍ ଏଇ ପିଢ଼ିର ଗଳ୍ପ, ଆପଣ ପଢ଼ନ୍ତି ତ?
ଅଚ୍ୟୁତାନନ୍ଦ ପତି: ଶୁଣନ୍ତୁ, ମୁଁ ବର୍ତ୍ତମାନ ଗୋଟିଏ କାମ କରୁଛି, ଯେଉଁମାନେ ନାଁ କରା, ସେମାନଙ୍କର ଗଳ୍ପ ପଢୁନାହିଁ। ଯେଉଁଠି ନୂଆ ଲେଖକଙ୍କର ଭଲ ଗଳ୍ପଟିଏ ପାଉଛି ସେଇଟି ପଢ଼ିସାରି ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ୍ କରୁଛି। ସେମାନେ ଚକିତ ହୋଇ କହୁଛନ୍ତି, ‘ସାର୍, ଆପଣଙ୍କୁ ମୋ ଗପଟି ଭଲ ଲାଗିଛି! ଆଉ ଏଥିପାଇଁ ଫୋନ୍ ବି କରିଛନ୍ତି। ଆମକୁ ବହୁତ ଭଲ ଲାଗୁଛି।’ ଏମିତି ମୁଁ ପିଲାଙ୍କ ଦ୍ୱାରା ଲେଖାହେଉଥିବା ଗପ ସବୁ ପଢୁଛି, ଏବଂ ଯେଉଁଟି ଭଲ ଲାଗୁଛି ନମ୍ବରଟି ଥିଲେ ସେମାନଙ୍କୁ ଫୋନ୍ କରୁଛି।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ, ଆପଣ ନିଜେ ପାଇଥିବା ପୁରସ୍କାର ବାବଦ ଅର୍ଥ ଏବଂ ନିଜର କିଛି ବ୍ୟକ୍ତିଗତ ସମ୍ବଳ ବିନିଯୋଗ କରି ପ୍ରତି ବର୍ଷ ଆପଣଙ୍କ ଜନ୍ମ ଦିବସ ଅବସରରେ ଅନେକ ଯୁବ ଗାଳ୍ପିକଙ୍କୁ ପୁରସ୍କୃତ କରନ୍ତି।
ଅଚ୍ୟୁତାନନ୍ଦ ପତି: ହଁ, ସେହିଭଳି କିଛି ପୁରସ୍କାରର ବ୍ୟବସ୍ଥା କରିପାରିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ମନେହୁଏ କି ଯେ ଆଜିକାଲିକାର ଗଳ୍ପରେ ଭାବପ୍ରବଣତା ଅଧିକ ଏବଂ ଗାଳ୍ପିକତା ଟିକିଏ କମ୍?
ଅଚ୍ୟୁତାନନ୍ଦ ପତି: ଗଳ୍ପରେ ଦର୍ଶନ ରହୁ, କିନ୍ତୁ ଦାର୍ଶନିକତା ନ ରହୁ। ଗଳ୍ପ ଉପରେ ଯଦି ତୁମେ ଚିନ୍ତା-ଚେତନା ଗୁଡାଏ ଲଦିଦେବ, ଗଳ୍ପ ଆଣ୍ଠେଇପଡିବ, ଠିଆ ହୋଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: ତେଣୁ ଗଳ୍ପର ଏକ ଛାଂଚ ବା ସ୍କେଲିଟନ୍ ରହିଥିବା ଦରକାର, ଏଇଆ ତ!
ଅଚ୍ୟୁତାନନ୍ଦ ପତି: ହଁ, ସେଥିପାଇଁ ଗଳ୍ପ ସିଧାସଳଖ ଦର୍ଶନର କଥା କହିବା ଉଚିତ ନୁହେଁ। ‘ମିଛ କହିବା ମହାପାପ’- ଗଳ୍ପରେ ଏଭଳି ସିଧା କଥାଟିଏ କୁହାଯାଏନାହିଁ। ଗାଳ୍ପିକ ଚରିତ୍ର ମାଧ୍ୟମରେ ହିଁ ଯାହା କିଛି କହିବ, ସେଇଥିରୁ ହିଁ ଦର୍ଶନ ଝରିବ।
ସାହିତ୍ୟ ଚର୍ଚ୍ଚା: ଚରିତ୍ର ଛଡ଼ା, ଘଟଣା ମାଧ୍ୟମରେ ବି!
ଅଚ୍ୟୁତାନନ୍ଦ ପତି: ହଁ, ଠିକ୍।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ‘ଅଶୁଭ ପୁତ୍ରର କାହାଣୀ’ଠାରୁ ନେଇ ଏ ଯାବତ ପ୍ରକାଶିତ ଅଧିକାଂଶ ପୁସ୍ତକର ଗଳ୍ପ ନିବିଡ଼ ଭାବରେ ଛୁଇଁଯାଏ ପାଠକର ଅନ୍ତସ୍କରଣ। ତେବେ ପାଠକର ଚିନ୍ତା ଓ ଚେତନାକୁ ଆପଣଙ୍କ ଗଳ୍ପର କେଉଁ ଉପାଦାନଟି ଅଧିକ ଭାବରେ ଆକୃଷ୍ଟ କରେ ବୋଲି ଆପଣ ଭାବନ୍ତି?
ଅଚ୍ୟୁତାନନ୍ଦ ପତି: ଯେ କେହି ଗଳ୍ପ ଲେଖନ୍ତୁ, ନିଜର ଚିନ୍ତା, ଚେତନା, ଅନୁଶୀଳନ – ସବୁ କରନ୍ତୁ। କିନ୍ତୁ ପାଠକର ଚିନ୍ତା, ଚେତନାକୁ ଯଦି ତା ଭିତରେ ବୁଡାଇ ନ ରଖନ୍ତି, ତେବେ ତା’କୁ କେହି ପଢିବେନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ କହିବାର କଥା ଯେ ଗଳ୍ପ ଭିତରେ ପାଠକର ଭାବନାକୁ ପ୍ରତିଫଳିତ କରିବା ବଡ଼ କଥା। କିନ୍ତୁ ଏମିତି ବହୁତ ଗଳ୍ପରେ ହୁଏନାହିଁ କାହିଁକି?
ଅଚ୍ୟୁତାନନ୍ଦ ପତି: ଏହାର କାରଣ, ଲେଖକଙ୍କର ରୁଗ୍ଣ ଅହଙ୍କାର। ଦେଖନ୍ତୁ, ମୋ ପାଖକୁ ତ ଗଳ୍ପକୁ ନେଇ ଅନେକ ବଡ଼ବଡ଼ ଲୋକଙ୍କର ଚିଠି ଆସିଛି। କିନ୍ତୁ ସେଥିମଧ୍ୟରୁ ଗୋଟିଏ ମୋ ପାଇଁ ସବୁଠାରୂ ବଳି ମୂଲ୍ୟବାନ। ମଫସଲର ଜଣେ ହଳିଆ ମୋତେ ଲେଖିଥିଲେ, ‘ସାର୍, ମୁଁ ହଳ କରେ। ବେଳେବେଳେ ଆପଣଙ୍କ ଗପ ପାଇଲେ ପଢେ। ଆପଣ ତ ଆମରିମାନଙ୍କ କଥା ଲେଖୁଛନ୍ତି।’
ସାହିତ୍ୟ ଚର୍ଚ୍ଚା: ସମାଜର ତଳ ସ୍ତରରେ ଥିବା ଶୋଷିତ, ଦଳିତଙ୍କ ସ୍ୱରକୁ ଆପଣ ସାକାର କରିଛନ୍ତି ନିଜ ଗଳ୍ପରେ।
ଅଚ୍ୟୁତାନନ୍ଦ ପତି: ଯେଉଁମାନେ ସମାଜରେ ଦୀନ, ହୀନ, ନ୍ୟୂନ, ତାଙ୍କରି କଥା କହିବାକୁ ଚେଷ୍ଟା କରିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ‘ଅଶୁଭ ପୁତ୍ରର କାହାଣୀ’ରେ ଆପଣ ଦର୍ଶାଇଛନ୍ତି ପେଚା ଛୁଆଟିଏ ଅନ୍ଧାରି ମୁଲକରୁ ଆଲୁଅକୁ ଆସିବାକୁ ଚେଷ୍ଟା କରି କେମିତି ଶେଷକୁ ହାରିଯାଇଛି । ଏହା ଦଳିତ ବର୍ଗର ଜୀବନ-ସଂଘର୍ଷର ଏକ ସାଙ୍କେତିକ ଉପସ୍ଥାପନା କି?
ଅଚ୍ୟୁତାନନ୍ଦ ପତି: ହଁ, ସେ ଆଲୋକକୁ ଜୟ କରିବା ପାଇଁ ଯାଇଛି, କିନ୍ତୁ ପାରିନାହିଁ। ଏହି କାହାଣୀଟି ଭାରତର ବହୁ ଭାଷାରେ ଅନୁବାଦିତ ହୋଇଛି । ଋଷ ଏବଂ ଇଂଲଣ୍ଡ ଭଳି ବିଭିନ୍ନ ଦେଶରେ ବି ଲୋକପ୍ରିୟ ହୋଇଛି । ଏହାକୁ ‘ପ୍ରୋଗ୍ରେସିଭ୍ ଲିଟରେଚର’ ଭାବରେ ଗ୍ରହଣ କରାଯାଇଛି।
ସାହିତ୍ୟ ଚର୍ଚ୍ଚା: ଜଣେ ବିପ୍ଳବ-ଚେତାର ହାରିଯିବାର କଥା ଆପଣ କାହିଁକି କହିଛନ୍ତି?
ଅଚ୍ୟୁତାନନ୍ଦ ପତି: ସେ ହାରିଯାଇଛି ସତ। କିନ୍ତୁ ତା’ର ଶେଷ କଥାଟି ଆପଣ ପଢିନାହାନ୍ତି କି! ସେ କହିଛି, “ମାଆ, ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିବାକୁ ଯାଇ ବୀର ପରି ମରିଛି।”
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗଳ୍ପରେ ଅଛି, ମାଟି ସହିତ ଯୋଡ଼ି ହୋଇ ରହିଥିବା ମଣିଷର ଚିତ୍ର ।
ଅଚ୍ୟୁତାନନ୍ଦ ପତି: ମାଟି ମୋ’ର କଂଚା ମାଲ। ମୁଁ ମାଟିରେ ଘାଣ୍ଟିଚକଟି ହୁଏ। କିନ୍ତୁ ମୁଁ ମୂଲିଆ ନୁହେଁ, ମୁଁ ମୂର୍ତ୍ତିକାର। ମାଟିକୁ ଚକଟି ଚକଟି ମୂର୍ତ୍ତି ତିଆରିକରେ।
ସାହିତ୍ୟ ଚର୍ଚ୍ଚା: ଆଶା କରୁଛି, ପରବର୍ତ୍ତୀ ଯେଉଁ ପ୍ରଶ୍ନଟି ମୋ ମନକୁ ଆସୁଛି ତାହାର ଉତ୍ତର ଆପଣ ଅନ୍ୟ ଅନେକ ଲେଖକଙ୍କ ପରି ଔପଚାରିକ ଭାବରେ ଦେବେ ନାହିଁ; ଯେମିତି, “ମୋର ସମସ୍ତ ସୃଷ୍ଟି ମୋର ସନ୍ତାନ ଭଳି। ତେଣୁ ମୋର ସେମାନଙ୍କ ପ୍ରତି ବାଛବିଚାର ନାହିଁ।” ତଥାପି ମୁଁ ପଚାରିବି, ଆପଣଙ୍କ ସୃଷ୍ଟି ସମଗ୍ର ଭିତରୁ ଆପଣଙ୍କ ପ୍ରିୟତମ ରଚନାଟି କ’ଣ?
ଅଚ୍ୟୁତାନନ୍ଦ ପତି: (ହସି) ମୋର ସେଇ ଏକା ଉତ୍ତର। ଛୁଆ ସିଂଘାଣି-ନାକିଆ ହେଉ, କି ଯାହାବି ହେଉ, ମାନସ ସନ୍ତାନ ସଭିଏଁ ସମାନ।
ସାହିତ୍ୟ ଚର୍ଚ୍ଚା: ତଥାପି କହନ୍ତୁ, ନିଜର କେଉଁ ଗପଟି ଆପଣଙ୍କୁ ବାରମ୍ବାର ଖୋଲି ପଢିବାକୁ ଇଚ୍ଛା ହୁଏ?
ଅଚ୍ୟୁତାନନ୍ଦ ପତି: ସେମିତି କହିଲେ, ପ୍ରଥମେ ମୁଁ ଯେଉଁ ଗଳ୍ପ ଲେଖିଥିଲି – ‘ଚାରି ସଂଗାତ କଥା,’ ‘ଅବୋଲକରାର ଅନୁଚିନ୍ତା,’ ‘କଇଁ’, ‘ମଉନାବତୀର ମାନ,’- ଏଗୁଡିକ ବସି ବେଳେବେଳେ ପଢେ। ଆଜିକାଲି ଆଉ ସେମିତି ଗଳ୍ପ ଲେଖୁନାହିଁ।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା। ଆପଣ ତ ସାରଳା ସମ୍ମାନ ଓ ଅତିବଡୀ ସମ୍ମାନ ଭଳି ବହୁ ପୁରସ୍କାରରେ ଭୂଷିତ ହୋଇଛନ୍ତି। ଏଭଳି ସ୍ୱୀକୃତି ଆପଣଙ୍କ ରଚନାଧର୍ମୀତାକୁ ପ୍ରଭାବିତ କରିଛି କି?
ଅଚ୍ୟୁତାନନ୍ଦ ପତି: ଜଣେ ନୋବେଲ୍ ପୁରସ୍କାର ବିଜେତାଙ୍କୁ ଆଉଜଣେ ପଚାରିଲେ, “ଆପଣଙ୍କୁ ବର୍ତ୍ତମାନ କେମିତି ଲାଗୁଚି?’ ସେ କହିଥିଲେ, “ମୁଁ ଏଇ ବହିଟି ଲେଖିବା ବେଳେ, ଏବଂ ସାରିବା ବେଳେ ଯେଉଁ ଆନନ୍ଦ ପାଇଥିଲି, ଏ ପୁରସ୍କାରର ଆନନ୍ଦ ତା’ ତୁଳନାରେ କିଛି ନୁହେଁ।” ଆଜିକାଲି ପୁରସ୍କାର ବ୍ୟକ୍ତି ପାଇଁ ବେଶୀ ଦିଆଯାଏ ଏବଂ କୃତି ପାଇଁ କମ୍। ଉଇଲିଆମ୍ ଫକନର୍ ତାଙ୍କ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବାପରେ କହିଥିଲେ, “ଯଦି ଫକନର୍କୁ ଜଣେ ବ୍ୟକ୍ତି ହିସାବରେ ଏହି ପୁରସ୍କାର ଦେଉଛ, ତେବେ ଦିଅନାହିଁ। କିନ୍ତୁ ଯଦି ଫକନର୍ର କୃତିକୁ ଏଇଟି ଦେଉଛ, ତେବେ ଦିଅ।”
ସାହିତ୍ୟ ଚର୍ଚ୍ଚା: କିଛି ସମୟ ପୂର୍ବରୁ ଆପଣ କହିଲେ ଯେ ଆପଣ ନୂତନ ସ୍ରଷ୍ଟାମାନଙ୍କ ଗଳ୍ପ ଅଧିକ ପଢ଼ନ୍ତି। ତେବେ ସେଗୁଡ଼ିକ ପଢିବା ପରେ, ଓଡ଼ିଆ ଗଳ୍ପର ଭବିଷ୍ୟତ ନେଇ ଆପଣ ଆଶାବାଦୀ ହୁଅନ୍ତି କି?
ଅଚ୍ୟୁତାନନ୍ଦ ପତି: ଶୁଣନ୍ତୁ, ମୁଁ ପିଲାମାନଙ୍କର ଗପ ପଢୁଛି। ଆଉ କିଛି ପଢୁନାହିଁ, କେବଳ ନୂଆ ପିଲାଙ୍କ ଗପ ସବୁ ଖୋଜି ଖୋଜି ପଢୁଚି। ଯେଉଁମାନେ ଗଳ୍ପରେ ତୁଳୀ ଚଳାଇଛନ୍ତି, ପ୍ରଥମ ହାତରେ କେଉଁଠି ମୋଟା ଆଉ କେଉଁଠି ସରୁ ଗାର ହୋଇ ହୁଏତ ଚିତ୍ରଟିଏ ହୋଇପାରେ। ସେଇଟା ଖୁଣ ନୁହେଁ, ବରଂ ସେଇଟା ଅଭ୍ୟାସ ପରେ ଠିକ୍ ହୋଇଯିବ। କିନ୍ତୁ ଗଳ୍ପର ଆତ୍ମାକୁ ମୁଁ ପିଲାଙ୍କ ଗଳ୍ପରେ ଖୋଜି ପାଇଛି। ତେଣୁ ମୁଁ ଆଶାବାଦୀ।
ସାହିତ୍ୟ ଚର୍ଚ୍ଚା: ତାହେଲେ ଆପଣ ଯଦି ଏହା ଅନୁଭବ କରିଛନ୍ତି, ତେବେ ତ ଆମେ ଭାବୁଛୁ ଯେ ଗଳ୍ପର ଭବିଷ୍ୟତ ବେଶ୍ ସୁଦୃଢ଼।
ଅଚ୍ୟୁତାନନ୍ଦ ପତି: ମୁଁ ଚ୍ୟାଲେଂଜ୍ କରି କହୁଚି, ଓଡ଼ିଆରେ ଯେଉଁ ଗଳ୍ପ ଲେଖା ହୋଇଛି ବା ହେଉଛି ତାହା ଆମ ଦେଶର ଅନ୍ୟ କୌଣସି ଭାଷାର ଗଳ୍ପଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ। କିନ୍ତୁ କଥା କ’ଣ କି, ତାଙ୍କର ପ୍ରଚାର ଅଛି, ଆମର ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆମେ ଆପଣଙ୍କ ନିକଟରେ ଅନେକ କୃତଜ୍ଞ।
ଅତ୍ୟନ୍ତ ଉପାଦେୟ ଆଲୋଚନା। ସମ୍ପାଦକ ମହାଶୟଙ୍କୁ ବହୁତ ଧନ୍ୟବାଦ ଓ ଅଭିନନ୍ଦନ।
ଚମତ୍କାର ଉପସ୍ଥାପନା ଓ ଆଲୋଚନା, ଆଶା କରିବା ଶ୍ରୀ ପତି ଆଉ କିଛିବର୍ଷ ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସାରସ୍ୱତ ସାଧନା ମାଧ୍ୟମରେ ଉଦ୍ଭାସିତ କରୁଥାନ୍ତୁ ଓ ନୁତନ ବା ଯୁବ ପିଢ଼ିର ଲେଖକମାନଙ୍କୁ ଉତ୍ସାହିତ କରୁଥାନ୍ତୁ। ନିହାର ବାବୁଙ୍କ ଦ୍ୱାରା କରାଯାଇଥିବା ସାକ୍ଷାତକାର ବେଶ୍ ଉଚ୍ଚକୋଟୀର ହୋଇଛି। ଆଶା କରୁଛି ଆଉ କିଛି ଅଶୀତିପର ସାହିତ୍ୟିକଙ୍କ ଏହିଭଳି ଆଲୋଚନା ବା ସାକ୍ଷାତକାର ପ୍ରକାଶ କରାଯାଉ, ଯାହା ପରବର୍ତ୍ତୀ ସମୟ ପାଇଁ ସାଇତି ରଖାଯାଇ ପାରିବ।
ଆଶା କରୁଛି ଶ୍ରୀ ପତି ଆଉ କିଛି ବର୍ଷ ଓଡ଼ିଆ ସାହିତ୍ୟକୁ ଏହିଭଳି ଦିଗ୍ଦର୍ଶନ ଦେଉଥାନ୍ତୁ।
ବହୁତ ବଢ଼ିଆ ସାକ୍ଷାତକାର ।
ଏଭଳି ମହାପୁରୁଷଙ୍କ ସାକ୍ଷାତକାର ସତରେ , ବହୁତ ଆନନ୍ଦ ଦେଲା । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ।